Gangadhar Nanda

Tragedy abstract drama

2  

Gangadhar Nanda

Tragedy abstract drama

ଏକ ବାଲ୍ୟଚେତନାର ସ୍ଵପ୍ନ-ଦ୍ଭାଗ୫

ଏକ ବାଲ୍ୟଚେତନାର ସ୍ଵପ୍ନ-ଦ୍ଭାଗ୫

5 mins
201



         ପରଦିନ ସକାଳୁ ଉଠି ମାଗୁର ଘର ଆଡେ ଚାଲିଲି । ବିପଦରେ ଅନ୍ତରଙ୍ଗ ବନ୍ଧୁ ଦେଖା ନହେଲେ ଆଉ ହେବ କେତେବେଳେ ? ଜେଜେଙ୍କର ଦେହାନ୍ତ ହୋଇଯିବା ଘଟଣାଟି ନା କେବଳ ମାଗୁର ପାଇଁ ଏକ ବଡ ବିପଦର ବୋଝ ହୋଇ ତା କାନ୍ଧକୁ ମାଡି ବସିଥିଲା ଅଧିକନ୍ତୁ ମାଗୁର ବାସ୍ତବିକ ଅନାଥ ହୋଇଗଲା । ଅନ୍ତତଃ ଏ ପରିସ୍ଥିତିରେ ତାକୁ କିଛି ସାନ୍ତ୍ଵନା ଦେବାକୁ ପଡିବ ।

            ମାଗୁର ମୋତେ ଦେଖିବା ମାତ୍ରେ ଦଉଡି ଆସି ମୋତେ କୁଣ୍ଢାଇ ପକାଇଲା । ବାଷ୍ପରୁଦ୍ଧ କଣ୍ଠରେ କହିଲା , ' କଉମାଛ ଫିଷ୍ଟ ମୁଁ କାହିଁକି ଆରମ୍ଭ କରିଥିଲି ତୁ ଜାଣିଛୁ '? ମୁଣ୍ଡ ହଲାଇ ମନା କଲି । ଟିକିଏ ନିରବ ହୋଇ କୋହ ଢୋକି କହିଲା , ' ବୁଢା ଆଠ ଦିନ ହେଲା ଚାଲି ବୁଲି ପାରୁନଥିଲା । ପୁରା କତରାଲଗା ହେଇ ପଡ଼ିଥିଲା । ବୁଢା ଖାଲି ମାଛ ବେସରକୁ ଝୁରି ହେଲା । ଭଲ କାତି ମାଛ ମୁଁ କୁଆଡ଼ୁ ପାଇବି ? ବାଧ୍ୟ ହୋଇ ତୁମମାନଙ୍କ ସାହାଯ୍ୟ ପାଇବାପାଇଁ କଉମାଛ ବେସର ଫିଷ୍ଟର ନାଟକ କରିଥିଲି । ଆମେ ଅଳ୍ପ ଖାଇସାରିଥିଲେ ବାକି ସବୁ ବୁଢା ଖାଇ . ."' । ଶେଷ ଆଡକୁ ଅତ୍ୟଧିକ କୋହ ହେତୁ ତା ପାଟିରୁ କଥା ବାହାରିଲାନାହିଁ । ମାଗୁରର ତା ଜେଜେ ପ୍ରତି କର୍ତ୍ତବ୍ଯ ପରାୟଣତା ଦେଖି ମୁଁ ମନେ ମନେ ପଶ୍ଚାତାପ କରୁଥିଲି । ସାମୟିକ ସମୟ ପାଇଁ ତାକୁ ଭୂଲ ବୁଝିଥିବାରୁ ମନରେ ଗ୍ଳାନିବୋଧ ଆସୁଥିଲା । ଦୁଃଖ ମନ ନେଇ ଘରକୁ ଫେରିଲି ।


         ପରବର୍ତ୍ତୀ କିଛିଦିନ ପର୍ଯନ୍ତ ମାଗୁରର ଦର୍ଶନ ମିଳିଲା ନାହିଁ । ଇତି ମଧ୍ୟରେ ବାପା ଓ ବୋଉ , ପରସ୍ପର ମଧ୍ୟରେ ଆଲୋଚ଼ନା କରି ମୋତେ ପୁନର୍ବାର ସ୍କୁଲ ପଠାଇବା ଲାଗି ସିଦ୍ଧାନ୍ତ ନେଲେ । ଅତଏବ ଦୈନନ୍ଦିନ କାର୍ଯ୍ୟକ୍ରମରେ ସ୍କୁଲ ଯାଇ ପାଠ ପଢିବାଟା ସାମିଲ ହୋଇଗଲା । ତିନିଦିନ ସ୍କୁଲ ଯିବା ଭିତରେ ମାଗୁରର ଦର୍ଶନ ମିଳିଲା ନାହିଁ । ଚତୁର୍ଥ ଦିନ ସ୍କୁଲରୁ ଫେରିଲାବେଳେ ଯାହା ଦେଖିଲି ,ନିଜ ଆଖିକୁ ବିଶ୍ଵାସ କରିପାରିଲି ନାହିଁ । ଗାଁ'ର ଶେଷମୁଣ୍ଡ ପଡ଼ିଆରେ ଗୋଠେ ଗାଈଙ୍କ ମେଳରେ ମାଗୁର ଏଣେ ତେଣେ ଦଉଡ଼ୁ ଥିଲା । ଅନାଥ ହେବାପରେ ମାଗୁରକୁ ଯେ ଗାଁ ଲୋକମାନଙ୍କର ଗାଈ ଚରାଇବାକୁ ପଡିବ,ଏ ପରିଣାମ ବିଷୟରେ ମୁଁ କଳ୍ପନା କରିନଥିଲି । ତାକୁ ଡାକି ଡାକି ତା ନିକଟକୁ ଚାଲିଲି । ପ୍ରଥମେ ଶୁଣିପାରିବାର ଭାବ ଦେଖାଇ ଗାଈ ଗୋଠ ଭିତରୁ ଷଣ୍ଢକୁ ହୁରୁଡ଼େଇବାକୁ ଚେଷ୍ଟା କଲା । ମୁଁ କିନ୍ତୁ ତା ଆଗକୁ ଯାଇ ତା ବାଟ ଓଗାଳି ଠିଆ ହୋଇଗଲି ।

          ବେଳ ଗଡି ଆସୁଥିଲା । ମାଛି ଓ ଡାଉଁସ ଲାଗିବାରୁ ଗାଈମାନେ ଲାଞ୍ଜ ବାଡେଇ ଘରକୁ ଫେରିବା ପାଇଁ ଅସ୍ଥିରତା ପ୍ରକାଶ କରୁଥିଲେ । ଆମ କଥାବାର୍ତ୍ତାର କିନ୍ତୁ ଅନ୍ତ ହେଉନଥିଲା ।ଏହାମଧ୍ୟରେ ମାଗୁର ତା ନିଜର ଜେଜେଙ୍କ ବିୟୋଗର ପରବର୍ତ୍ତୀ ଅବସ୍ଥା ସଂପର୍କରେ ମୋଟାମୋଟି ତଥ୍ୟ ପ୍ରଦାନ କରିସାରିଥିଲା । ପୂର୍ବରୁ ବାପାଙ୍କ ଦେହାନ୍ତ ହୋଇସାରିଥିଲା । ଏବେ ଜେଜେ ଗଲେ । ପରିବାର କହିଲେ ମାଗୁର ଓ ତା ବୋଉ । ଅତଏବ ଘର ଚଳାଇବାର ସଂପୂର୍ଣ୍ଣ ଦାୟିତ୍ଵ ମାଗୁର ଉପରେ ନ୍ୟସ୍ତ । ଜେଜେ ଅଳ୍ପ ବିଲ ଭାଗ କରିବା ସଙ୍ଗେ ସଙ୍ଗେ ଗ୍ରାମର କିଛି ସ୍ୱଚ୍ଛଳବର୍ଗ ଲୋକମାନଙ୍କ ଘରେ ମୂଲ ମଜୁରୀ କରି ଘର ଚଳାଉଥିଲେ । ତାଙ୍କ ଅନ୍ତେ ଘରର ସାମାନ୍ୟ ସଞ୍ଚିତ ଧନ ଖର୍ଚ୍ଚ ହୋଇସାରି ଉପରେ କିଛି କରଜ ମଧ୍ୟ ହୋଇସାରିଛି । ତେଣୁ ଘରର ସମସ୍ତ ଦାୟିତ୍ଵ ବର୍ତ୍ତମାନ ମାଗୁର ସ୍ଵଇଚ୍ଛାରେ ମୁଣ୍ଡାଇଛି ।

          ' ଉଠ ଯିବା ।ଗୋରୁ ବ୍ୟସ୍ତ ହେଲେଣି ।' ମାଗୁର ଦୀର୍ଘ ନିଶ୍ଵାସ ଛାଡି ଉଠିଲା । ବିଷାଦ ମନ ନେଇ ଘରକୁ ଫେରିଲି ।ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଥିଲା । ଭରସା ଥିଲା ସମସ୍ତ ପ୍ରଶ୍ନର ଉତ୍ତର ରାତିରେ ବୋଉ ପାଖରୁ ମିଳିଯିବ ।


        ନିଦ ଲାଗୁଥିଲେ ବି ଶୋଇନପଡି ବୋଉ ଆସିବାକୁ ଅପେକ୍ଷା କରି ଶେଯରେ ଗଡୁଥିଲି । ଛୋଟିଆ ଗାଁ'ଟିକୁ ଅନ୍ଧକାର ତାର ବିଶାଳ କଳେବର ଦ୍ୱାରା ଆଛାଦିତ କରି ରଖିଥିଲା । କାଠ ଝରକା ଫାଙ୍କରୁ ଚତୁର୍ଦ୍ଦଶୀର ଜହ୍ନ ବହୁତ ସୁନ୍ଦର ଦେଖାଯାଉଥିଲେ । ଗ୍ରୀଷ୍ମର ପୂର୍ବାଗମନ ହୋଇ ସାରିଥିଲା । ଶେଯରୁ ଉଠି ଯାଇ ଝରକା ଦେଇ ବାହାରକୁ ଚାହିଁଲି । ଜହ୍ନ ଆଲୁଅରେ ବାହାରକୁ ଚାହିଁବାକୁ ଭୟ ଲାଗୁନଥିଲା । ମୁଣ୍ଡିଆ ପାଖରୁ ରହି ରହି ବିଲୁଆରଡି ଶୁଭୁଥିଲା । ଅତି ଅସ୍ପଷ୍ଟ ଭାବେ ମାଗୁରର କୋହଭରା କଣ୍ଠସ୍ଵର ରହି ରହି ମନେ ପଡୁଥିଲା । ବାଲ୍ୟ ଜୀବନରେ ଅନାଥ ହୋଇଗଲାପରେ ସମସ୍ତ ଆମୋଦ ପ୍ରମୋଦ,ଖେଳକୁଦରୁ ବଞ୍ଚିତ ରହିବାକୁ ପଡେ , ନିଜ ପେଟପାଇଁ ସଂଘର୍ଷ କରିବାକୁ ହୁଏ,ଏ ସବୁ ମୋର ପ୍ରଥମ ଅନୁଭୂତି ଥିଲା । ମାଗୁରର ବୋଉ ଏକ ଅଳ୍ପବୟସ୍କା ବୋହୁ ଭାବରେ ଗ୍ରାମ୍ୟ ସଂସ୍କୃତିର ଶୃଙ୍ଖଳା ବଳୟରେ ବନ୍ଦୀ ହୋଇଥିବାରୁ ବାହାରକୁ ଫିଟିଯାଇ କିଛି ରୋଜଗାର କରିବାକୁ ଅକ୍ଷମ ଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ,ଏସବୁକୁ ଗ୍ରହଣ କରିନେବାରେ ମାଗୁର ପଶ୍ଚାତାପ ହେଉନଥିଲା କିମ୍ଵା ତା'ର ଏଥିପାଇଁ କୌଣସି କ୍ଷୋଭ ନ ଥିଲା ।

         ବୋଉ ଶୋଇବାକୁ ଡାକିଲେଣି । ଝରକା ପାଖରୁ ଯାଇ ବୋଉ ପାଖରେ ବସିଲି । ତା' ମୁହଁକୁ ନିରେଖି ଚାହିଁଲି । କ୍ଲାନ୍ତ ମୁହଁଟି ଉପରେ ଯତ୍ନହୀନ ଅସଜଡା ଚୁଟି କେରାଏ ଦୋଳି ଖେଳୁଥିଲେ । ତେଲିଆ ଚିରା ତକିଆ ଉପରେ ନିଜ ପଣତ କାନିରୁ କିଛି ଅଂଶ ବିଛାଇ ଦେଇ ମୋତେ ଶୋଇ ପଡିବାକୁ ଇଶାରା କଲା ।

'ବୋଉ '। ମୋତେ ମୋ ନିଜ ସ୍ଵର ଅନ୍ୟ କେଉଁଠାରୁ ଆସିଲା ଭଳି ଶୁଭିଲା । 

'ହୁଁ' ; ଶୋଇପଡ । ମୁହଁଟାକୁ କିଆଁ ଅଥାର ହାଣ୍ଡି ଭଳିଆ କରିଛୁ ? କହିସାରି ଲଣ୍ଠନ ବତୀ କମାଇବାରେ ମନଦେଲା ।

'ଅନାଥ ହେଇଗଲା ପରେ କଣ ଖେଳିବା ବୁଲିବା ସବୁ ବନ୍ଦ ହେଇଯାଏ ?

'ହୁଁ ' ।

'ନିଜ ପେଟ ନିଜେ ପୋଷିବାକୁ ପଡ଼େ ?

'ହଁ '' l

'ଏଥିପାଇଁ କଣ ଗାଈ ଚରାଇବାକୁ ପଡ଼େ '?

'ହଁ ହଁ ' ; ଆଜି କାହିଁକି ଏତେ ପ୍ରଶ୍ନ ? ଚୁପ ହୋଇ ଶୋଇପଡ 'I

'ମୁଁ ଯଦି କେବେ ଅନାଥ ହୋଇଯିବି , ତାହେଲେ ମୋତେ ବି କଣ ଗାଈ ଚରାଇବାକୁ ପଡ଼ିବ '?

ସର୍ପାଘାତର ପ୍ରତିକ୍ରିୟା ନେଇ ବୋଉ ମୋ ମୁହଁକୁ ଚାହିଁଲା । ମିଞ୍ଜି ମିଞ୍ଜି ଲଣ୍ଠନ ଆଲୁଅରେ ତା' ମୁହଁ ମୁଁ ସ୍ପଷ୍ଟ ଦେଖିପାରୁନଥିଲି । ବୋଉର ଉତ୍ତର ଉପରେ ନିର୍ଭର କରୁଥିଲା ମୋର ଭବିଷ୍ୟତ କାର୍ଯ୍ୟପନ୍ଥା । କିନ୍ତୁ ଉତ୍ତର ଦେବା ବଦଳରେ ବୋଉ ମୋତେ ଭିଡ଼ିନେଇ ତା କୋଳରେ ଜାକିଧରିଲା ।

'ତୁ ଖାଲି ହଁ କି ନାଁ କହିଦେ '। ବହୁତ ବ୍ୟଗ୍ରତା ସହକାରେ ପଚାରିଲି ।

' ନାଁ ! କଦାପି ନୁହେଁ । ମୁଁ ଅଛି ' । ବୋଉ ସ୍ୱରରେ ସାମାନ୍ୟ କମ୍ପନ ଓ ଅସାମାନ୍ୟ ଦୃଢତା ଅନୁଭବ କଲି ।

'କିନ୍ତୁ ମାଗୁରର ବି ତ ବୋଉ ଅଛି । ସେ ତ ଏବେ ଅନାଥ ହୋଇ ଗାଈ ଚରଉଛି 'I . . .ବୋଉ ନିରବ ଥିଲା । ତାର ପ୍ରତିକ୍ରିୟା ବିଷୟରେ ମୁଁ କିଛି ଜାଣିପାରୁନଥିଲି । ମୋତେ କିନ୍ତୁ ଗୋଟାଏ ଭୀଷଣ ସଂକଟମୟ ପରିସ୍ଥିତି ଆବୋରି ବସିଥିଲା । ଭବିଷ୍ୟତରେ ଯଦି ଏଭଳି କିଛି ଘଟିବାର ସମ୍ଭାବନା ଥାଏ ,ତାହେଲେ ଏବେଠାରୁ ମୋତେ ସତର୍କ ହେବାକୁ ପଡିବ ।

          ମୋ କାନମୂଳରେ ଏକ ପାଣିଟୋପା ପଡିବା ଅନୁଭବ କଲି । ମୁହଁ ଟେକି ବୋଉ ମୁହଁକୁ ଚାହିଁଲି । ନାକ ସୁଁ ସୁଁ ଶବ୍ଦ ଶୁଭୁଥିଲା । ବୋଉ କାନ୍ଦୁଥିଲା ।ହତବାକ୍ ହୋଇ କିଛିକ୍ଷଣ ନିରବ ରହିଲି । . . . ସେ କରୁଣ ପରିସ୍ଥିତିରୁ ନିଜକୁ ମୁକ୍ତ କରିସାରି କାନ୍ଦୁରା ସ୍ଵରରେ କହିଲି, ' ତୁ ଜମା କାନ୍ଦେନା ; ତୁ ଯଦି ରାଜି ହେବୁ, ତା'ହେଲେ ଏବେଠାରୁ ମୁଁ ଆଉ ସ୍କୁଲ ନଯାଇ ମାଗୁର ସାଙ୍ଗରେ ରହି ଗାଈ ଚରାଇବା ଶିଖିଯା'ନ୍ତି ।' ବୋଉର କାନ୍ଦିବା ସ୍ଵର ଶୁଣି ପାରୁଥିଲି । ମୁହଁକୁ ତା କୋଳରେ ମାଡି ଦେଇ ଲଜ୍ଜିତ ସ୍ୱରରେ କହିଲି , 'ମୋତେ ଗୋରୁଗୋଠ ଚରେଇବା ଆସେନି 'Iତୁ ବ୍ୟସ୍ତ ହ'ନା, ମୁଁ ଖୁବ ଯଲଦି ଶିିଖିଯିବି ' ।

'ଅସମ୍ଭବ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତୋର ସେ କାମ କରିବାର ଆବଶ୍ୟକତା ପଡ଼ିବନି ' । ବୋଉର ସେ ଅବରୁଦ୍ଧ ପ୍ରାୟ କଣ୍ଠରୁ ନିର୍ଗତ ପ୍ରତ୍ୟେକଟି ଶବ୍ଦରେ ମୁଁ ଅନୁଭବ କରୁଥିଲି ଏକ ଅଟଳ ପ୍ରତିଜ୍ଞାବଦ୍ଧତା, ଏକ ଆହତ ବାଘୁଣୀର ହୃଦୟଥରା ଗୁରୁଗମ୍ଭୀର ଗର୍ଜନର ଝଲକ । ..ପୁନର୍ବାର ସେଇ ସ୍ଵରର ପୁନରାବୃତ୍ତି ହେଲା , ' ମୁଁ ମାଗୁର ବୋଉ ନୁହେଁ ; ତୋ ପାଇଁ ଏ ଗାଁ କଣ , ସମଗ୍ର ସଂସାରର ନୀତି ନିୟମକୁ ପାର କରିଯାଇପାରିବି ' । ଏଥର ଅନୁଭବ କଲି , ପ୍ରତିଶୋଧ ବ୍ୟାକୁଳିତା ବାଘୁଣୀର ସମଗ୍ର ଆରଣ୍ୟବାସୀଙ୍କୁ ସମ୍ମୁଖ ଯୁଦ୍ଧ ପାଇଁ ଏକ ପ୍ରଚଣ୍ଡ ଆହ୍ଵାନ ; ଗୋଟିଏ କ୍ଷୁଦ୍ର ପକ୍ଷୀର ହିମାଳୟ ଲଙ୍ଘିଯିବାର ଆତ୍ମପ୍ରତ୍ୟୟ ।


କ୍ରମଶଃ...



Rate this content
Log in

Similar oriya story from Tragedy