Bidyut lata Mishra

Abstract

2  

Bidyut lata Mishra

Abstract

ଏ ରକ୍ତ !! ପବିତ୍ରତା ର

ଏ ରକ୍ତ !! ପବିତ୍ରତା ର

3 mins
218


 ସିଲୁ ଆଖିରେ ଭୟ ଥିଲା ,ସ୍ୱାଭାବିକ କରିବାକୁ ଚେଷ୍ଟା କରୁଥିଲି ମୁଁ । କିଛି ମାତ୍ରାରେ ହୁଏତ ମୁଁ ବି ଭୟଭୀତ ହୋଇଯାଇଥିଲି । ସମାଜ ଯେତେ ଅଗ୍ରଗତି କଲେ ସୁଦ୍ଧା କାଇଁ ବଦଳେନି ତ ଆମ ମାନସିକତା । ଷ୍ଟାଣ୍ଡର୍ଡ ଏଇଥ ରେ ପଢ଼ୁଥିବା ମୋର ୧୩ ବର୍ଷ ର ଝିଅ କୁ କାହିଁକି ଏସବୁ ଚାହିଁବି ମୁଁ ଆଗରୁ ଶିଖେଇ ପାରିଲିନି। ରାତି ପାହିଲେ ଆନୁଆଲ ଏକଜାମ। ଶାଶୂ ଙ୍କୁ ଫୋନ କରୁ କରୁ କାହିଁ ହାତ ଗଲା ନାହିଁ । ଆଖିରେ ନାଚି ଯାଉଥିଲା ମୋ ଅତିତ।

   ୧୨ ବର୍ଷ ର ଥିଲି ମୁଁ ,ନିଜ ଭିତରେ ହେଉଥିବା ପରିବର୍ତ୍ତନ କୁ ପ୍ରଥମେ ବାପା ଙ୍କ ଆଗରେ କହିସାରିଥିଲି ଆଉ କହିଥିଲି ଡାକ୍ତର ଦେଖେଇବାକୁ । ବ୍ରାହ୍ମଣ ଘର ସେଥିରେ ପୁଣି ଶାସନି ବ୍ରାହ୍ମଣ ପରିବାର। ବାପା ଯାଇ ପଇତା ବଦଳାଇଲେ ଆଉ ବୋଉ ଗାଁ ସ୍ତ୍ରୀ ଲୋକଙ୍କୁ ଡାକି କଲା ମୋର ବନ୍ଦାପନା। ସାତ ଦିନ ଧରି ଘର ର ଗୋଟିଏ କୋଣ ରେ ଅଛୁଆଁ ହୋଇ ରହିବା ଭିତରେ ବିଦ୍ରୋହ କରୁଥିଲା ମୋ ମନ। ଗୋଟିଏ ଥର ଖାଇବାକୁ ହେଉଥିଲା ,ଆଉ ସାତ ଦିନପରେ ସୂର୍ଯ୍ୟୋଦୟ ପୁର୍ବରୁ ଗାଁ ପୋଖରୀ ରେ ଗାଧୁଆ ସାରି,ନୁଆଁ ଜାମା ପିନ୍ଧି ଭୋଜି ଭାତ କଲା ପରେ ମୁଁ ହୋଇଥିଲି ପବିତ୍ର। ମନରେ ସ୍ୱତଃ ପ୍ରଶ୍ନ ଉଠିଲା ସତରେ ଏଇ ରକ୍ତ ଅପବିତ୍ର ଠାକୁର ମତେ ହିଁ କାଇଁ ବାଛିଲେ ଏହି ଅପଵିତ୍ରତା ଧାରଣ ପାଇଁ?

 ତିନିଦିନ ଧରି ଅଛୁଆଁ ଭାବେ ଗୋଟିଏ କୋଣ ରେ ବସିବା ଟିଉସନ ,ସ୍କୁଲ ନଯିବା ,ସାନ ଭାଇ ସହ ନଖେଳିବା ସବୁ ଯେମିତି ବିଦ୍ରୋହୀ କରୁଥିଲା ମୋତେ ଆଉ ସେଥିପାଇଁ ହୁଏତ ଭାବିଲି ଆର ମାସ କୁ ଘରେ ଜଣେଇବିନି। କାରଣ ବାପା ଙ୍କ ସହ ନଖାଇଲେ ମୋ ପେଟ ପୁରେନା, ବୋଉ କୋଳରେ ମୁଣ୍ଡ ନରଖିଲେ ମୋତେ ନିଦ ହୁଏନା। ଜେଜେ ମା ର ବୃନ୍ଦାବତୀ ଭୋଗ ଯେ ମୋର କେତେ ପ୍ରିୟ ସବୁ କୁ ମୋତେ ବାରଣ ସେହି ତିନିଦିନ। ସେଥିପାଇଁ ଲୁଚେଇବାକୁ ହେବ ମୋତେ ସବୁକିଛି କିନ୍ତୁ ପାରିଲିନି ସେହି ଅପବିତ୍ର ରକ୍ତ ହିଁ ଧରା ପକେଇଲା ମୋତେ ଜେଜେମା ସାମ୍ନାରେ।

  ଘରେ ଏହି କଥା ଲୁଚେଇବା ସୃଷ୍ଟି କରିଥିଲା ଝଡ଼ । ଜେଜେମା ରୋକଠୋକ ଶୁଣେଇଲା ଆଲୋ ଚଣ୍ଡୀ ତୋ ମାଆ କଣ ବତେଇନି ଏଇମିତି ଲୁଚେଇଲେ କୁକୁର ଯୋନି ରେ ଆର ଜନ୍ମରେ ଜାତ ହେବୁ ବୁଝିଲୁ । ମହାପାପ ମହାପାପ.....

 


   ସେହି ଅପଵିତ୍ରତା ର ରକ୍ତ ର ସୂଚନା ମାତ୍ରେ ହିଁ ହଳଦୀ,ଗୋବର ରେ ସ୍ନାନ କରିବାକୁ ହେଉଥିଲା ଆଉ ଯାହାର ଫଳସ୍ୱରୂପ ଅଦ୍ୟାବଧି ମୁଁ କଷ୍ଟ ପାଉଛି। ଵିଜ୍ଞାନ ପାଠ ପଢିବା ପରେ ଜାଣିଲି କିଛି ଅପବିତ୍ର ନଥାଏ। ହଁ ରୋଷେଇ କିମ୍ବା କାମ କରିବା ଉଚିତ ନୁହେଁ କାରଣ ଶରୀର ଆରାମ ଦରକାର କରେ। ନାରୀ ଜୀବନରେ ଏହା ଏକ ଅଂଶ କିନ୍ତୁ କେମିତି ବା ବୁଝେଇବି ଆଉ କେତେଜଣ ଙ୍କୁ ।

 ସୁମିତ ଙ୍କୁ ବିବାହ ପରେ କିଛିଟା କୋହଳ ହୋଇଥିଲା ସେହି ଅପବିତ୍ର ମନୋଭାବ। ଘର ର ଗୋଟିଏ କୋଣ ରେ ବସି ନରହି ମୋ କାର୍ୟ୍ଯକ୍ଷେତ୍ର କୁ ଯିବା ଅନୁମତି ଶ୍ୱଶୁର ଦେଇଥିଲେ। କିନ୍ତୁ ସେଇ କେତେଦିନ ରୋଷେଇ ଘର ବା ଠାକୁର ଘର କୁ ଯିବା ଅନୁମତି ମିଳିନଥିଲା। ନାରୀ ଜୀବନରେ ରକ୍ତ ଯେ ପବିତ୍ରତା ର ସଂକେତ ସେଦିନ ମୋ ଶରୀରରେ ଅହେତୁକ ଯନ୍ତ୍ରଣା ସତ୍ତ୍ୱେ ସୁମିତ ଙ୍କ ମୁଁହ ରେ ହସ ଦେଖି ଭାବୁଥିଲି। 

  ଦୁଇମାସ ଧରି ସେଇ ଅପଵିତ୍ରତା କୁ ଧାରଣ ନକରିବା ଯେ ଉଭୟ ବାପଘର ଓ ଶାଶୂଘର ପାଇଁ ଏତେ ଆନନ୍ଦ ନେଇ ଆସିବ ମୋ କଳ୍ପନା ର ବାହାରେ ଥିଲା। ମୁଁ ସେତେବେଳେ ମୋ ରକ୍ତ ର ପିଣ୍ଡକୁ ଅପେକ୍ଷା କରୁଥିଲି ଚାଂହୁଥିଲି ପୁଅଟିଏ ,ଏଥିପାଇଁ ନୁହେଁ ଯେ କୁଳ ଉଦ୍ଧାର କରିବ,କିନ୍ତୁ ଏଥିପାଇଁ ଯେ ମୁଁ ଥକି ଯାଇଥିଲି ଏହି ନାରୀ ଜୀବନରେ। ମୋ ସନ୍ତାନ ସେଇ କଷ୍ଟ ପାଉ ମୁଁ ଚାଂହୁନଥିଲି ,ପୁତ୍ର ସନ୍ତାନ ଟିଏ ହୋଇଥିଲା ସତ କିନ୍ତୁ ମାତ୍ର ଦୁଇ ବର୍ଷ ପରେ ମିକୁ ପରେ ଜନ୍ମ ହେଲା ସିଲୁ। ମିଛ କହିବା ଠିକ୍ ହେବନି କିନ୍ତୁ ସିଲୁ ଜନ୍ମ ହେବା ପରେ ଆବଶ୍ୟକତା ଠାରୁ ଅଧିକା ରକ୍ତଶ୍ରାବରେ ମୁଁ ବେହୋସ ହୋଇଯାଇଥିଲି କିନ୍ତୁ ସିଲୁ ର ମୁଁହ ହିଁ ମୋତେ ସାହସ ଦେଇଥିଲା ପରିସ୍ଥିତି ସାମ୍ନା କରିବାକୁ। ଦୃଢ଼ କରିଥିଲି ନିଜକୁ ଝିଅର ମାଆ ହେବାକୁ ହେଲେ ନିଜକୁ ଦୃଢ଼ କରିବାକୁ ହେବ,ଯାହା ମୋ ସହ ହୋଇଛି ତାହା ଝିଅ ଅନୁଭବ ନକରୁ।

  ସେଥିପାଇଁ ଆଜି ମୁଁ ସିଲୁ କୁ ଏହିକଥା ଲୁଚାଇ ରଖିବାକୁ କହିବିନି । ଉଭୟ ସୁମିତ ଆଉ ଭାଇ ମିକୁ ଆଗରେ ମୋ ଝିଅ ସିଲୁ କୁ ସ୍ୱାଭାବିକ ହେବାକୁ ହେବ। ସେଥିପାଇଁ ମିକୁ କୁ ହିଁ ମୁଁ ପ୍ରଥମେ ଜଣାଇଲି ଏହିକଥା ଆଉ ସେହିଁ ତା ସାନ ଭଉଣୀ ପାଇଁ ମେଡ଼ିକାଲ ଷ୍ଟୋର ରୁ ଆଣିଲା ସାନିଟାରୀ ନ୍ୟାପକିନ। ସେ କାଲି ସମ୍ପୁର୍ଣ୍ଣ ସ୍ୱାଭାବିକ ଭାବେ ଯିବ ଆଉ ପରୀକ୍ଷା ଦେବ। ତାକୁ ମୁଁ ଅଲଗା ଶୁଆଇ ପାରିବିନି କାରଣ ସେ ମାଆ କୋଳ ଛାଡି ଶୋଇବାର କଷ୍ଟ ମୁଁ ଅନୁଭବ କରିଛି। ଧୀରେ ଧୀରେ ସିଲୁ ମଧ୍ୟ ସ୍ୱାଭାବିକ ହେଉଥିଲା ଆଉ ବୁଝୁଥିଲା ତାକୁ କିଛି ଡରିବା କିମ୍ବା ଲୁଚେଇବା ଦରକାର ନାହିଁ କାରଣ ଏହି ରକ୍ତ !! ପବିତ୍ରତା ର।

  

(ଜାଣେ କିଛି ମୋତେ ବିରୋଧ କରିବେ ,କିଛି ପସନ୍ଦ କରିବେ କିନ୍ତୁ ଯଦି କୌଣସି ଧାର୍ମିକ ଚିନ୍ତଧାରା ରେ ଆଘାତ ଲାଗିଥାଏ ତେବେ କ୍ଷମା କରିବେ)


Rate this content
Log in

Similar oriya story from Abstract