ଦୁଷ୍ଟ ଶାରୀ/ ଦୁଷ୍ଟ ନାରୀ
ଦୁଷ୍ଟ ଶାରୀ/ ଦୁଷ୍ଟ ନାରୀ
ସେଇ ଘିସାପିଟା ପ୍ରେମକାହାଣୀ, କଟାକ୍ଷ, ପ୍ରେରଣାଦାୟକ, ଦୁଃଖଭରା ଭିତରୁ ବାହାରି କିଛି ଅଲଗା ଲେଖିବାର ପ୍ରୟାସ କରୁଛି। ଆଶା ଭଲଲାଗିବ। ମେଫେୟାରର ମସଲାବାଲା ତଡକା ନାହିଁ ଏଥିରେ କିନ୍ତୁ ମାଆ ହାତରନ୍ଧା ପ୍ରେମଭରା ଖାଦ୍ୟ ପରଶିବାର ପ୍ରଚେଷ୍ଟା କରିଛି। ବହୁ ପୂର୍ବରୁ ଲେଖିଥିଲି କାହାଣୀଟି । ଆଜି କିଛି ଯୋଗକରି ନୂଆଁ ରୂପରେ ପ୍ରକାଶ କରୁଛି।
ସଂସ୍କାର ପୃଥିବୀର ସାର। ସଂସ୍କାର କେବଳ ମନୁଷ୍ୟ ପାଖରେ ନଥାଏ। ପଶୁପକ୍ଷୀ ଭିତରେ ବି ଥାଏ। ସେମିତି ଏକ ଉପସ୍ଥାପନା ଦୁଷ୍ଟ ଶାରୀ ।
ଆଜିକାଲିର ଛୁଆ ଆଈମା କାହାଣୀ ସଭ୍ୟତାରୁ ବହୁତ ଦୂରରେ। ଆଈମା କାହାଣୀ ପେଢିରୁ, ଜହ୍ନମାମୁଁରୁ ପରୀ ଶବ୍ଦ ଶୁଣିଛି। ହେଲେ ଅଳସୁଆ ପରୀ ....ମୋ କାହାଣୀର ଶାରୀ ହିଁ ଅଳସୁଆ ପରୀ। ମୋ ଚିନ୍ତାଧାରାରେ ବିଶ୍ୱାସଘାତଘତା, କୁପଥ ହିଁ ଅଳସୁଆ ପରୀର କାରନାମା। ନଦେଖିଲା ଓଉ ଛଫଡା !
ଆଜିକାଲିର ସଭ୍ୟତାରେ ସହର ପାଖାପାଖି ସ୍ଥାନରେ ରହିଲେ ଆମେ ସେହି ସହରର ନାଆଁ ଦେଇଥାଉ। ଅବଶ୍ଯ ଆଜିକାଲି ସହର ଭିତରକୁ ପ୍ରବେଶ କରିଗଲାଣି ସେହି ଗାଆଁ ସବୁ। ମନୁଷ୍ୟ ଗଛ ଲତା କାଟି ନଷ୍ଟ କରିସାରିଲାଣି। ଗାଁ' ମୁଣ୍ଡ ବରଗଛ ବିଲୁପ୍ତ ପ୍ରାୟ। ଘରଚଟିଆ ସ୍ବପ୍ନ। ତଥାପି ଏମିତି କିଛି ଗାଁ' ଅଛି ଆଜି ବି।
ଏଇ ଯେମିତି ଶିଶୁପାଳଗଡ଼।ବହୁତ ପୁରୁଣା ଦିନର କଥା।ଗାଆଁ ମୁଣ୍ଡରେ ବିରାଟ ଝଙ୍କା ବରଗଛ।ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ସମାହାର ସେହି ବରଗଛରେ ସତେ ଯେମିତି ବିରାଟ ଅଟ୍ଟାଳିକା ।ସମସ୍ତଙ୍କ ନିର୍ଭୟ ବାସସ୍ଥାନ। ସେଇ ବରଗଛ ପାଖକୁ ସମାଜର ସର୍ବଶ୍ରେଷ୍ଠ ପ୍ରାଣୀ ମାନେ ମନୁଷ୍ଯର ଆତଯାତ ନଥିଲା। କାରଣ ଗାଁ' ଲୋକ ଭାବୁଥିଲେ ସେଇ ଗଛରେ ଭୁତର ବାସ।ସବୁ ଜୀବଜନ୍ତୁଙ୍କ ଭୟ ମନୁଷ୍ଯକୁ। ତେଣୁ କହୁଥିଲେ ;ଡର କାହାକୁ ଭୟ କାହାକୁ, ମନୁଷ୍ଯ ଆସେନି ଏଇ ପାଖକୁ।
ସେହି ବରଗଛ ଶିଖରରେ ରହୁଥିଲେ ଦୁଇଟି ସରଳ, ସୁଶୀଳ ଶାରୀ ପରିବାର। ମନୁଷ୍ୟ ପରି ଶାରୀ କଥା କହିପାରେ ।ସୁନ୍ଦର ଚାଲିଥିଲା ସଂସାର। ମନୁଷ୍ଯକ୍ରୁତ କଂକ୍ରିଟ ଜଙ୍ଗଲର ସର୍ଜନା ହୋଇନଥିଲା, ତେଣୁ ସନ୍ତୁଳିତ ପରିବେଶରେ ସୁନ୍ଦର ଖାଦ୍ୟ ଅନ୍ୱେଷଣରେ ଅସୁବିଧା ନଥିଲା। ଖାଦ୍ୟାଭାବ ଅଶାନ୍ତିର ମୁଖ୍ଯ କାରଣ ହୋଇଥାଏ। ସୁନ୍ଦର ଖାଦ୍ୟ ଓ ସୁନ୍ଦର ପରିବେଶର ପ୍ରଭାବରେ ଦୁଇ ପରିବାରରେ ଦୁଇଟି ସନ୍ତାନର ଆଗମନ ହେଲା। ପରିବାରରେ ଅଫୁରନ୍ତ ଆନନ୍ଦ।
ଖୁସିରେ ନାଚିଉଠିଲେ ଦୁଇ ପଡୋଶୀ। କଥାରେ ଅଛି ପଡୋଶୀ ହିଁ ପଡୋଶୀର ଶତ୍ରୁ। ଦୁଇପରିବାର ଦୁଇ ଛୁଆଙ୍କ ବିରୁଦ୍ଧରେ କଥା ହୁଅନ୍ତି।
ଦୁଇପରିବାର ଦୁହିଁଙ୍କ ଛୁଆକୁ ଉତ୍ତମ ସଂସ୍କାର ଦେବାକୁ ସର୍ବଦା ଚେଷ୍ଟିତ।
କିନ୍ତୁ ଦୁଇପଡୋଶୀ ଛୁଆ ଭିତରେ ମଧୁର ସମ୍ପର୍କ। ସମୟର ପ୍ରବାହ ସହ ବଢିଚାଲିଲେ ଦୁଇଛୁଆ। ଆଧୁନିକ ଛୁଆଙ୍କୁ ସେହି ବ୍ରୁକ୍ଷ ଜେଲ୍ ପରି ଅନୁଭୂତ ହେଉଥିଲା। ଦୁଇଛୁଆ ଖଣ୍ଡିଉଡା ଦେବାକୁ ଆରମ୍ଭ କଲେ। କିନ୍ତୁ ବାହାରକୁ ଯିବାର ଅନୁମତି ନଥିଲା ସେମାନଙ୍କୁ। ଘର ଭିତରେ ବନ୍ଦୀ। ମାଆ ଶାରୀ କହୁଥିଲା ଭୁଲରେ ବାହାରକୁ ଯିବନାହିଁ। ଏ ମଣିଷଗୁଡ଼ାକ ଭାରୀ ଖରାପ ଆଉ ସ୍ୱାର୍ଥପର। ତମକୁ ନେଇ ଅର୍ଥ ଲୋଭରେ ସହରରେ ବିକ୍ରି କରିଦେବେ। ଏତେ ଦିନ ପରେ ଘରକୁ ଖୁସି ଆସିଛି।
ହଠାତ୍ ଦିନେ.....
ଦୁଇସାଙ୍ଗ କଥାହେଲେ ଏକାସାଙ୍ଗେ ଗଲେ ଘରେ ଯିବାପାଇଁ ଦେବେ ନାହିଁ। କିଛି ସମୟ ଅନ୍ତରରେ ଦୁହେଁ ବାହାରିଯିବା। ବାହାର ଦୁନିଆଁ ଦେଖିବା ଏବଂ ଠିକ୍ ଏକବର୍ଷ ପରେ ପୁଣି ଫେରିଆସିବା। ନହେଲେ ଆମକୁ ନପାଇ ଝୁରିଝୁରି ଦୁଇଟି ପରିବାର ନଷ୍ଟ ହୋଇଯିବ।
ସେୟା ହିଁ ହେଲା। ଅଲଗା ଅଲଗା ସମୟରେ ଦୁଇ ଶାରୀ ଶାବକ ବାହାରିଗଲେ ନୀଡ ଛାଡି ଖଣ୍ଡି ଉଡା ଦେଇ। ଗୋଟିଏ ଶାରୀ ପହଞ୍ଚିଲା ମହାନଦୀ କୂଳରେ। ସଂଧ୍ୟା ଆସନ୍ନପ୍ରାୟ। ଥକ୍କିଯାଇ ଆଶ୍ରୟ ନେଲା ମହାନଦୀ ନିକଟସ୍ଥ ଅନନ୍ତ ଗୋପାଳ ଆଶ୍ରମରେ। ଅନ୍ୟ ଶାରୀଟି ପହଞ୍ଚିଲା ପୁରୀର ଚକ୍ରତୀର୍ଥ ରୋଡ ସ୍ଥିତ ମେଫେୟାର ହୋଟେଲ ପାଖରେ।
ସୁନ୍ଦର ଥିଲା ଯାତ୍ରା । ବାଃ ବାହାର ଦୁନିଆଁ କେତେ ସୁନ୍ଦର। ରାତିରେ ଗୋଟିଏ ଶାରୀ ଶାବକ ମହାନଦୀ କୂଳର ଶାନ୍ତ ପରିବେଶରେ ଆନନ୍ଦ ନେବା ସହ ଆଶ୍ରମର ରାମନାମ , ନୀତିବାଣୀ ଅଭ୍ୟାସ କରିବାରେ ଲାଗିଲା। ଆଗରୁ କହିଛି ଶାରୀ ମନୁଷ୍ୟ ପରି କଥା ହୁଏ।
ଅପର ପକ୍ଷରେ ଅନ୍ୟ ଶାବକଟି ଅଶାନ୍ତ ସମୁଦ୍ର ଦେଖିବାସହ ମେଫେୟାର ହୋଟେଲର ସୁରା, ସାକିରେ ମସଗୁଲ ହୋଇ ନିକଟସ୍ଥ ବ୍ରୁକ୍ଷରେ ବାସ କରିବାକୁ ଲାଗିଲା। ହୋଟେଲର ନିଭୃତ କୋଠରୀରେ ଯୁବକ ଯୁବତୀଙ୍କ ସମ୍ଭୋଗ ଦେଖିବକୁ ଲାଗିଲା ଓ ଚିନ୍ତା କରୁଥିଲା, ସେହି ହୋଟେଲ୍ ନିକଟସ୍ଥ କୁଡ଼ିଆରୁ ଛୁଆଟିକୁ କ୍ଷୀର ଟିକେ ଦେବା ପାଇଁ ସଙ୍ଘର୍ଷରତା ମାଆଟି ଅନୈତିକ କାର୍ଯ୍ୟରେ ଲିପ୍ତ ଓ ତାକୁ ପୋଲିସ ବାନ୍ଧି ନେଉଛି। କିନ୍ତୁ ହୋଟେଲରେ ଅର୍ଥ ଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ ଯୁବକ ଯୁବତୀ ସତୀ। ଏହା ମାନବ ସମାଜର ନଗ୍ନଚିତ୍ର । ଗରୀବ ହେବା ଅଭିଶାପ।
ସମୟର କ୍ଷିପ୍ର ପ୍ରବାହ ସହ କ୍ଷିପ୍ର ଗତିରେ ବଢିବାକୁ ଲାଗିଲେ ଦୁଇ ଶାବକ। ପରିସ୍ଥିତି, ପରିବେଶ ଅନୁସାରେ ନଦୀକୂଳର ଶାବକଟି ସଂସାର, ସଂସ୍କୃତି ,ଅହିଂସା ଜ୍ଞାନ ପାଇ ବଢିଚାଲିଲା। ଅନ୍ୟ ଶାବକଟି ସମୁଦ୍ର ପରି ଅଶାନ୍ତ ହେବାସହ ହୋଟେଲର ଚାଲିଚଳଣ, ହିଂସ୍ର, ଅସହିଷ୍ଣୁତାର ମାର୍ଗରେ ଆଗକୁ ବଢିଲା। ସେପଟେ ଦୁଇପରିବାର ଭାବିଲେ ଛୁଆଗୁଡାକୁ କ୍ରୁର ମନୁଷ୍ଯ ନେଇ ପଞ୍ଜୁରୀଭିତରେ ବନ୍ଦ କରିଦେଲା। ଦୁଃଖ କରି ଲାଭନାହିଁ। ଆମ ପରି ଶାରୀମାନଙ୍କ ଭାଗ୍ୟ ମନୁଷ୍ୟର ପଞ୍ଜୁରୀର ଶୋଭାବର୍ଦ୍ଧନ।
ଆମର ଭଲରେ ବଞ୍ଚିବାର ଅଧିକାର ନାହିଁ। ମନୁଷ୍ୟରୁପି ଶତ୍ରୁର କବଜାରେ ନିରୀହ ଶାରୀ।
ଏକ ବର୍ଷ ପରେ......
ଚୁକ୍ତି ଅନୁଯାୟୀ ଦୁହେଁ ଫେରିଗଲେ ନିଜ ନିଜ ପରିବାରବର୍ଗଙ୍କ ପାଖକୁ। ଦୁନିଆଁ ବିଷୟରେ ବର୍ଣ୍ଣନା କରୁଥିଲେ ଦୁହେଁ। ସମୁଦ୍ର ଫେରନ୍ତା ଶାରୀ ଭାବୁଥିଲା ଆର ପରିବାରର ପରିସମାପ୍ତି କରିଦେଲେ ଆମର ଘର ବଡ ହୋଇଯିବ, ଅନ୍ୟପଟେ ନଦୀଫେରନ୍ତା ଶାନ୍ତ, ସରଳ ଶାରୀଟି ଭାବୁଥିଲା ଦୁଇ ପରିବାର ଗୋଟିଏ ଘରେ ରହିଲେ କୋଳାହଳରେ ଘର ଫାଟିପଡନ୍ତା। ହଠାତ୍ ଦିନେ ସମୁଦ୍ର ଫେରନ୍ତା ଅଶାନ୍ତ ଶାରୀଟି ଉପାୟ ପାଞ୍ଚିଲା। ଗଛ କୋରଡରେ ରହୁଥିବା ବୁଢା ଅଜଗର ପାଖକୁ ଯାଇ କହିଲା, ଆସ ତମପାଇଁ ସୁନ୍ଦର ଖାଦ୍ୟ ଯୋଗାଡ କରିଦେବି।
ଅଜଗର ବୁଢ଼ା ହୋଇ ସାରିଥିଲା। ଖାଦ୍ୟ ପାଇନଥିଲା। ଦେଖିଲା ଖାଦକ ପାଖରେ। ଖୁସିରେ ଦୁଷ୍ଟ ଅଜଗର ଚାଲିଲା ଶାରୀ ସହିତ।ଦୁଷ୍ଟ ଶାରୀଟି ତା ପଡୋଶୀପରିବାରର ବସା ଦେଖାଇଦେଲା । ଅଜଗରର ନଜର ଖେଳିଗଲା ଦୁଇପଟେ । ବାଃ ଆଜି ସୁସ୍ୱାଦୁ ଭୋଜନର ଯୋଗ । ହେଲେ, ଅଜଗର ଦେଖିଲା ଦୁଷ୍ଟଶାରୀ ଦେଖେଇଥିବା ସ୍ଥାନରେ ପହଞ୍ଚିବା ଏଇ ବୁଢା ବୟସରେ ବହୁତ କଷ୍ଟ। ତା ଅପେକ୍ଷା ଅପରପକ୍ଷର ବସାରୁ ଆରାମରେ ଆହାର ସଂଗ୍ରହ କରିହେବ। ସେୟା ହିଁ କଲା ଅଜଗର। ଆଶ୍ଚର୍ଯ୍ଯ ହୋଇ ଅନେଇ କାନ୍ଦୁଥିଲା ଦୁଷ୍ଟଶାରୀ। ତା ଆଖିଆଗରେ ତା ବାପାମାଆଙ୍କୁ ଖାଇଯାଉଥିଲା ଅଜଗର। ଆପତ୍ତି କରି ନିଜ ଜୀବନ ବି ହାରିଲା ଦୁଷ୍ଟଶାରୀ। ଆରପଟର ପରିବାର ଏସବୁ ଦେଖି ଲୁହ ଗଡାଉଥିଲେ ।
ଏଥିରୁ ମନୁଷ୍ୟ ସମାଜର ବହୁତ କିଛି ଶିଖିବାର ଅଛି। ଆଜିକାଲି ଦେଶରେ ହତ୍ୟା, ଧର୍ଷଣ ବଢ଼ିଚାଲିଛି। ତାର ମୁଖ୍ୟ କାରଣ ଈର୍ଷା, ପରଶ୍ରୀକାତରତା । ଆମେ ବି ଦୁଷ୍ଟଶାରୀ ପରି ଆଚରଣ କରୁ ବହୁତ୍ ସ୍ଥାନରେ। ଅନ୍ୟକୁ ଦୁଃଖ ଦେଇ ଆମେ ଖୁସି ହେଉ।
ଆଉ ଗୋଟିଏ ବିଷୟ ଉପରେ ଆଲୋକପାତ କରିବି ନିଶ୍ଚୟ। ଆଜିର ବିଷୟ ପ୍ରାଣୀ । ଆମେ ଜାଣୁ କୁକୁର ବହୁତ୍ ବିଶ୍ବାସୀ। କିନ୍ତୁ ଆମେ କୁକୁରକୁ ଫ୍ୟାସନ ରୂପେ ବ୍ୟବହାର କରୁ ଆଜିକାଲି, ଭୁଲିଯାଇ ପରିବାର।
କିଛି ପାଠକ କହିଛନ୍ତି ଆଗରୁ ମୁଁ ଲେଖି ସାରିଛି। ହଁ କିଛିଟା ସତ୍ୟ। କିନ୍ତୁ ଲେଖାରେ ପରିବର୍ତ୍ତନ କରିଛି ମୁଁ।
ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ସହର। ଆଜିକାଲି ସବୁ ଘରେ ତାପମାନ ଯନ୍ତ୍ର।ଆଜିର ତାପମାତ୍ରା ୪୦ଡିଗ୍ରୀ।ଭାରୀ ଅସହ୍ୟ ଲାଗୁଛି ଜୀବନଯାତ୍ରା। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବି ହାର ମାନିଯାଇଛି।
ହଠାତ୍ ଆକାଶରେ ଘୋଟିଗଲା ଘନ ବାଦଲର ଛାୟା।ସାରା ସହର ବର୍ଷା ଟିକେ ପାଇଁ ଖୁସିରେ ନାଚି ଉଠୁଥିଲା। ଫୋନରେ ଗ୍ରୁହିଣୀ ମାନେ ଗପୁଥିଲେ ଓଃ,ସାନ୍ଧ୍ୟ ଭ୍ରମଣ ନହେଲା ନାହିଁ, ବର୍ଷା ଟିକେ ପଡ଼ିଲେ ଶାନ୍ତି ଲାଗିବ।ଏହି ଗ୍ରୀଷ୍ମ ଯୋଗୁଁ ମୁଖମଣ୍ଡଳର ଭୂଗୋଳ ବି ବଦଳି ଗଲାଣି।ଚତୁର୍ଦ୍ଦିଗ ବୃକ୍ଷ ଚ୍ଛେଦନ ଓ ବହୁତଳ ଅଟ୍ଟାଳିକା କମ୍ ବ୍ରୁଷ୍ଟିର କାରଣ। ଗାଆଁର ସକାଳର ବେଦଧ୍ୱନି,ମନ୍ଦିରର ଘଣ୍ଟ,ଘଣ୍ଟା, ପୁରାଣ, ଦୁଃଖ କାହାଣୀ ଆଜିକାଲିର ଯୁବ ପିଢ଼ିକୁ ଅସହ୍ୟ।
ଆଜିକାଲିର ପତି,ପତ୍ନୀ ଅନୁଗତ। ସ୍ୱାମୀ କୈାଣସି ମଫସଲରେ କାର୍ଯ୍ୟରତ, ଏପଟେ ସ୍ତ୍ରୀ ପିଲାଛୁଆଙ୍କ ସହ ସହରାଭିମୁଖୀ ଶିକ୍ଷା ଓ ଆନୁସଙ୍ଗିକ ସୁବିଧା ଆଳରେ।
ତ୍ରେତୟା ଯୁଗରେ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ବଣ ଜଙ୍ଗଲ ବୁଲୁଥିବା ସୀତା;; କଳିଯୁଗରେ ରାମଙ୍କୁ ଛାଡ଼ି ସହରରେ ଶୀତତାପ ନିୟନ୍ତ୍ରିତ କୋଠରୀ ରେ ମଜା ନେଉଥିବା ଉଗ୍ରାଧୁନିକା ସୀତା। ଯୁଗ ବଦଳିବା ସାଙ୍ଗକୁ ସଂସ୍କୃତି, ସଭ୍ୟତା, ଚାଲି ଚଳଣ ବଦଳୁଛି। ଗାଆଁର ବେଦଧ୍ୱନି ବଦଳି ସହରର ଭିଡିଓ, ଫେସବୁକ ଧ୍ୱନି।ରାମ ବନୁଛନ୍ତି ରାବଣ।ସବୁଠି ପରନାରୀ ହରଣ,ଧର୍ଷଣ।
ନିପଟ ମଫସଲରୁ ଚାକିରୀ ଜଞ୍ଜାଳରୁ ମୁକ୍ତି ପାଇଁ ତିନି ଚାରିଦିନ ପରିବାର ସହ ବିତେଇବା ପାଇଁ ତିନି ଚାରିଦିନ ଛୁଟି ନେଇ ସହରରେ ପହଞ୍ଚିଲି ମୁଁ।ଅସହ୍ୟ ଗରମ। ହଠାତ୍ ମେଘ ଦେଖି ଗ୍ରୁହିଣୀ ଖୁସ। ଦିନସାରା ବଜାର ସାରି ଫେରିଲୁ ଦୁହେଁ। ହଠାତ୍ ଟିପୁର ପାଟି ଶୁଭିଲା।ପୁରା ପରିବାର ବ୍ୟସ୍ତ। ଆରେ ଟିପୁ କାହିଁକି ପାଟି କରୁଛି? ଦିନ ଚାରିଟା ବାଜିଲାଣି।ସହରୀ ସଭ୍ୟତାରେ ମଧ୍ୟାହ୍ନ ଭୋଜନ ର ସମୟ। ଭୋକରେ ମୋ ପେଟ ଜଳିଲାଣି। ଖାଇବାକୁ ମାଗି ଚାଲିଛି।ସ୍ତ୍ରୀ ଙ୍କ କର୍କଶ ସ୍ୱର।କହି ଉଠିଲେ--ରୁହ ମ।ସ୍ତ୍ରୀଙ୍କ କ୍ରୋଧ ଦେଖି ସନ୍ତର୍ପଣରେ ପଚାରିଲି କ'ଣ ହେଲା,ଟିପୁବାବୁ କାହିଁକି ପାଟି କରୁଛି? ସ୍ତ୍ରୀଙ୍କ ଉତ୍ତର ଆରେ ବାବା! ବିଲ୍ ଅଧିକ ଆସୁଛି ଭାବି ଆଜି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବନ୍ଦକରି ଟିପୁକୁ ବାହାରେ ବାନ୍ଧି ଦେଇଥିଲି। ତା'ପରେ ଆମେ ବଜାରକୁ ଚାଲିଗଲେ। ବର୍ଷା,ବିଜୁଳିକୁ ମୋ ଟିପୁର ବହୁତ ଡର।ମୋ ଟିପୁ ଡରିଗଲେ ତାକୁ ଜ୍ୱର ହୋଇଯିବ।ମୋ ସଂସାର ଭାସିଯିବ ତାକୁ ଅସୁବିଧା ହେଲେ। ମୁଣ୍ଡରେ ହାତ ଦେଇ ଭାବୁଥିଲି, ମୋ ସ୍ତ୍ରୀଙ୍କ ସଂସାର କୁକୁର ଟିପୁ ନା ମୁଁ।ଅନନ୍ୟୋପାୟ ହୋଇ ଚୁପଚାପ୍ ବସି ରହିଲି।
ଟିପୁକୁ ଗ୍ରୁହ ପ୍ରବେଶ ପରେ ହିଁ ଖାଇବାକୁ ଗଣ୍ଡେ ମିଳିବ।ଟିପୁକୁ ପରଟା,କ୍ଷୀର ଦିଆଯିବାର ସୂଚନା ଦେଲେ ଶ୍ରୀମତି। ବାହାରେ ବିଚରା ପାଗଳୀଟିଏ। କାନ୍ଧରେ ଛୋଟ ଛୁଆ।ବୋଧେ କୈାଣସି ଭଦ୍ରମୁଖା,ଶିକ୍ଷିତର କାମବାସନା ଚରିତାର୍ଥ ପରର ଅବଦାନ।ଛୁଆଟି ବିକଳରେ ଟିପୁର ଖାଇବା ଆଡ଼କୁ ଈସାରା କରୁଥିଲା।ଏପଟେ ମୁଁ ଖଟରେ ଛଟପଟ ଓପାସରେ।ପାଗଳୀର ଛୁଆ ଓ ମୋ ଭିତରେ ଫରକ ନଥିଲା।ମନେ ପଡିଯାଉଥିଲା ବାହା ବେଦୀର ସାତ ବଚନ।ସାତ ଜନମ ଦୁହେଁ ଦୁହିଁଙ୍କର ସୁଖ ଦୁଃଖର ସାଥି କଥା।ପୁସ୍ତକରେ ସୁନ୍ଦର, ଶ୍ରୁତି ମଧୁର।ପ୍ରକ୍ରୁତ ଜୀବନରେ?????କାନରେ ପଡୁଥିଲା ଅକର୍ମଣ୍ୟ ଛୋଟ ଛୁଆଟିର ଭୋକ ବିକଳରେ ବୁକୁଫଟା ଆର୍ତ୍ତନାଦ ହଠାତ୍ ସ୍ତ୍ରୀଙ୍କର ଗର୍ଜନ ଶୁଣାଗଲା, ଓଃ ଏ ଅଳପେଇସା ଭିକାରୀ ଗୁଡିକ ଆଉ ସାହି ଛାଡ଼ି ଯିବେ ନାହିଁ।ପ୍ରାଣ ଖାଇଦେଲେଣି।ଯାଉଛି ଟିପୁକୁ ଘରକୁ ଆଣି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଇ ଦେବି। କୁକୁର ହେଲେ କ'ଣ ହେଲା,ସେ ପରା ଆମ ଜୀବନ,ଏ ଭିକାରୀ ଗୁଡିକ ତା ଖାଇବାରେ ନଜର ଲଗାଇଦେବେ ଲୋ ମାଆ!
ଯା ରି ଭିତରେ ସେ ପାଗଳୀଟା ତା'ର ଛୁଆ ପାଇଁ ଟିପୁବାବୁଙ୍କ ଅଧାଖିଆ ପରଟା ଗ୍ରୀଲ ପଟରୁ ଆଣି ଛୁଆଟି ମୁହଁରେ ଦେଉଥିଲା। ହଠାତ୍ ଚିତ୍କାର ଶୁଣି ବାହାରକୁ ଆସି ଦେଖେ ତ ସ୍ତ୍ରୀଙ୍କ ଶକ୍ତ ଗୋଇଠା ମାଡ଼ରେ ପାଗଳୀଟି ଛୁଆ ସହ ରାସ୍ତା ଉପରେ ପଡିଛି।
ଓଃ, ଅସହ୍ୟ ଏ ଦୃଶ୍ୟ।ଏହା ହିଁ ମାନବିକତା।ଏହା ହିଁ ଉଗ୍ରଆଧୁନିକତା ।ଏହା ହିଁ ସହର ଓ ଭଦ୍ରମୁଖା ପିନ୍ଧା ସହରୀ ସଭ୍ୟତା।
ମନଟା.......! ବାହାରିପଡିଲି କର୍ମକ୍ଷେତ୍ରକୁ।ସ୍ତ୍ରୀ ବେପରୁଆ ଭାବରେ କହିଲେ ହଉ ଯାଅ,ସବୁ ଜିନିଷପତ୍ର ତ ବଜାରରୁ ନେଇ ଆସିଛେ।ଗଣ୍ଡେ ଖାଇଦେଇଗଲନି। ହଁ ମୋର ବି ମନ ଭଲ ନାହିଁ,ବାହାରେ କେଉଁଠି ଖାଇନେବ। ସବୁ ଭୋକ ମରିଯାଇଥିଲା। ମନକୁ ଆସୁଥିଲା ଧ୍ରୁବସତ୍ୟ କଥାଟିଏ,କେ ନୁହେଁ କାହାର!! ଆସିଛି ଏକା ଯିବି ମୁଁ ଏକା ଏକା ହୋଇ ।।
