ଦୁଇ କୂଳର ହିତା
ଦୁଇ କୂଳର ହିତା
ଏବର୍ଷ ରଥ ଦେଖି ଯାଇହେଲାନାହିଁ. ରଥ ନଅ ଦିନ ଜାକ ଝିଅ ଦେଖା ଚାଲିଲା. ପୁଅ ଘର ପଟୁ ଉତ୍ତର ଆସିବ କଣ ବିପ୍ର ବାବୁ ତାଙ୍କ ରାଜକୁମାରୀ ପାଇଁ ଏସବୁ ପ୍ରସ୍ତାବ ଭିତରୁ କୌଣସି ପୁଅକୁ ଚୟନ କରିପାରିନଥିଲେ. ରଥଯାତ୍ରା ଦେଖିବାକୁ ଯାଇପାରିନଥିବା କଷ୍ଟ ଅପେକ୍ଷା ତାଙ୍କ ସୁନ୍ଦରୀ, ଶିକ୍ଷିତା ତଥା ରୋଜଗରକ୍ଷମ ଝିଅ ତାଙ୍କ କଥା ମାନି ପ୍ରସ୍ତାବ ଆସିଥିବା ପୁଅ ଓ ତାର ପରିବାର ସଦସ୍ୟମାନଙ୍କ ପାଖରେ ସୌଜନ୍ୟମୂଳକ ସାକ୍ଷାତକାରରେ ଅଂଶ ଗ୍ରହଣ କରିବାରେ ବିପ୍ରବାବୁଙ୍କ ଛାତି ଫୁଲି ଉଠୁଥିଲା ସିନା ପ୍ରସ୍ତାବ ସବୁ କାଟ ଖାଇ ଯାଉଥିଲା.ଶେଷକୁ ବାହୁଡା଼ ଛୁଟିରେ ପରିବାର ସହ ରଥ ଦେଖିବାକୁ ଯିବାକୁ ବାହାରିଲା ବେଳକୁ ଅନ୍ୟ ଏକ ପ୍ରସ୍ତାବ ଥିବା ପୁଅ ଘର କହିଲେ ଆମେ ମଧ୍ୟ ବାହୁଡା଼ ଦର୍ଶନକୁ ଯାଉଛୁ ସେଇଠି ଦର୍ଶନ ସାଙ୍ଗକୁ ଝିଅ ଦେଖା ହୋଇଯିବ. ବିପ୍ରବାବୁ ସେମାନଙ୍କୁ ସିନା ହଁ କହିଦେଲେ କିନ୍ତୁ ଘରେ ଜଣାଇନଥିଲେ. ପରିବାର ଲୋକ ଟିକେ ଖୁସିରେ ଦର୍ଶନ କରିବାକୁ ବାହାରିଛନ୍ତି ରଥ ଉପରେ ଜଗତର ନାଥ ଜଗନ୍ନାଥଙ୍କୁ. ଏତିକି ବେଳେ ପୁଅଘର ଲୋକ ସାଙ୍ଗରେ ରହିଲେ ନା ଭଲରେ ଦର୍ଶନ ହେବ ନା ଝିଅ ଦେଖା ସୁବିଧା ହେବ ଭାବି କଥାଟାକୁ ବଞ୍ଚେଇ ବୁଝେଇ ପ୍ରକାଶ କଲେ ମଧ୍ୟ ଝିଅ ମେଘା ହିଁ କହିଥିଲା ବାପା କଥା ଦେଇଛନ୍ତି ମାନେ ସେମିତି ହିଁ ହେବ.ସତକୁ ସତ ବଡଦାଣ୍ଡରେ ଗୁଣ୍ଡିଚା ଘରୁ ଆସୁଥିବା ବାହୁଡା଼ ରଥ ଉପରେ ଦର୍ଶନ ହେଉହେଉ ଜୋଇଁଙ୍କୁ ଦେଖି ବିପ୍ରବାବୁ ଖୁସି ହୋଇଗଲେ. ଆଉ ସେଇଠି ହିଁ କଥା ପକ୍କା କରିଦେଲେ. ଝିଅ ମେଘାକୁ କହିଲେ ଡାକ୍ତର ଜୋଇଁ ତୋର ପସନ୍ଦ କି ନୁହେଁ ତତେ ନପଚାରି କଥା ଦେଇଦେଇଛି ଝିଅ ତ ମେଘା କହୁଥିଲା ମୋ ବାପା ଆଣିଥିବା ସବୁ ଜିନିଷ ମୋର ପସନ୍ଦ ଯେମିତି କି ଚକୋଲେଟ, ଖେଳନା. ଆଉ ଜୀବନସାଥୀ ଚୟନରେ ଯଦି ମୋ ବାପା ଠିକ କରିଛନ୍ତି ମୋ ପାଇଁ ତେବେ ତ ମୋର ଅରାଜି ହେବାର ପ୍ରଶ୍ନ ନାହିଁ. ସତକୁ ସତ ବାହାଘର ସାହାନାଇ ବାଜିବା ସାଙ୍ଗକୁ ମେଘା, ମେଘରଙ୍ଗର ଓଢଣୀ ପକାଇ ମେଘରେ ମେଘରେ ବୋହୂ ହୋଇଗଲା ମେଘରାଜଙ୍କ ଘରକୁ. ଶ୍ରାବଣ ମାସର ବର୍ଷା ଥମୁନଥିଲା ଏମିତିକି ହାତଗଣ୍ଠି ପଡିବା ବେଳେ ଓ ଝିଅ ବିଦା ବେଳେ ମଧ୍ୟ ମେଘ ବରଷି ଚାଲିଥିଲା. ଠପ ହେବାର ନାଁ ନେଉନଥିଲା.
ଶାଶୁଘରେ ସମସ୍ତଙ୍କ ମନ ନେଇ ଚାଲିବା ସହ ସ୍ୱାମୀ ମେଘରାଜଙ୍କ ସମସ୍ତ ଦାଇତ୍ୱ କର୍ତ୍ତବ୍ୟ ହାତକୁ ନେଇ ନିଜେ ବ୍ୟାଙ୍କ ଗଲାବେଳେ ମେଘରାଜ କହନ୍ତି ମୋ ନାମ ମୋ ଜେଜେମା ଏମିତି ଦେଇଥିଲେ ବୋଲି ମତେ ସାଧବବୋହୂ ମେଘା ମିଳିଗଲେ ସତ କିନ୍ତୁ ଅସରା଼ ଅସରା ମେଘକୁ ମେଘା ମ୍ୟାଡାମ ସମ୍ଭାଳି ପାରିବେତ? ମେଘା ପ୍ରଥମେ ବୁଝିନଥିଲେ ବି ପରେ ବୁଝିପାରିଥିଲେ ଡାକ୍ତର ସ୍ୱାମୀଙ୍କର ତାଙ୍କୁ ସମୟ ଦେବା ମୁସ୍କିଲ ତେଣୁ ତାଙ୍କ ଆଖିରେ ଲୁହ ଆସିବା ସ୍ୱାଭାବିକ କିନ୍ତୁ ସେ ଲୁହ ସବୁକୁ ପୋଛି ପକାନ୍ତି ମେଘା ଓରଫ ମେଘାଦାସ. ବାପା ବିପ୍ରଚରଣ ଦାସ ପ୍ରଥମରୁ ତାକୁ କହିଛନ୍ତି ଆରେ ମାଆ ଡାକ୍ତର ହେଲେ ଦ୍ୱିତୀୟ ଇଶ୍ୱର. ଇଶ୍ୱରଙ୍କ ନିର୍ଦ୍ଦେଶରେ ବାପା ମାଆ ସିନା ଜନ୍ମ ଦେଇଛନ୍ତି ହେଲେ ନିରୋଗ ରଖି କର୍ତ୍ତବ୍ୟ କର୍ମ ସମ୍ପାଦନା କରିବା କାମ ଏଇ ଡାକ୍ତର ଦେବତାମାନେ ହିଁ କରନ୍ତି. ସରକାରୀ ଡାକ୍ତର ହେଲେ ମଧ୍ୟ ସମୟ ଅସମୟରେ ରୋଗୀଙ୍କୁ ବଞ୍ଚାଇ ତାଙ୍କ ସେବା କରିବାକୁ ସମୟ କାଢି ମେଘରାଜ ତତେ ଯେବେ ସମୟ ଦେଇପାରିବେ ନାହିଁ ସେତେବେଳେ ତୁ ମନଦୁଃଖ କରିବୁନି ବରଂ ଡାକ୍ତର ପତ୍ନୀ ପରି ସହିଷ୍ଣୁତା ପ୍ରକାଶ କରିବା ତୋର ଧର୍ମ.ବାପାଙ୍କ କଥା ମାନି ସବୁ ଠିକ ଠାକ ଥିଲା ବେଳେ ଆଜି ଝଡ଼ ଉଠିଛି କାହିଁକି ମେଘା ଜୀବନରେ!
ମେଘାର ଏକାଜିଦ ସେ ଆଉ ମେଘରାଜ ପାଖରେ ରହିପାରିବ ନାହିଁ. ଡାକ୍ତର ରୂପେ ମଣିଷର ସେବା କରିବା ପରିବର୍ତ୍ତେ ମେଘରାଜ ଅର୍ଥପିପାସୁ ଲୋଭି ମଣିଷ ପାଲଟି ଯାଇଛନ୍ତି ବୋଲି ମେଘାର ଆରୋପରେ ମେଘରାଜ ଯେତେ ବୁଝାଇଲେ ମଧ୍ୟ ମେଘା ବୁଝିବାକୁ ପ୍ରସ୍ତୁତ ନୁହଁନ୍ତି. କଥାଟା ଥିଲା ବାପା ପଠେଇଥିବା ଆମ୍ବ ନେଇ ଗାଁରୁ ଆସିଥିବା ବୋଝିଆ ସହ ରାଜୁ ମଉସା ଘରେ କିଛି ନକହି ବା ହସ୍ପିଟାଲ ନଯାଇ ରାତିରେ ଫେରିବାବେଳେ କ୍ଲିନିକରେ ଡାକ୍ତର ମେଘରାଜଙ୍କୁ ଦେଖାକରି ନିଜ ଅସୁସ୍ଥତା ପାଇଁ ଔଷଧ ଲେଖେଇବାକୁ ଯାଇ ଡାକ୍ତର ମେଘରାଜଙ୍କ ଯାଏଁ ପହଁଞ୍ଚି ପାରିନଥିଲେ କାରଣ କାଉଣ୍ଟରରେ ତାଙ୍କୁ କୁହାଯାଇଥିଲା ଏକହଜାର ଫିସ ଦାଖଲ କଲେ ଯାଇଁ ଡାକ୍ତରଙ୍କୁ ଦେଖା କରିପାରିବ. ଡାକ୍ତରବାବୁ ଆମ ଜୋଇଁ ସେ ମତେ ମାଗଣାରେ ପ୍ରେସକ୍ରିପସନ ଲେଖିବେ ବୋଲି କହି ପାଖରେ ଥିବା ତିନିଶହ ଟଙ୍କା ଦେଇଥିଲେ ମଧ୍ୟ ରିସେପନିଷ୍ଟ ରଖିନଥିଲେ. ବରଂ ଛିଗୁଲେଇ କହିଥିଲେ ଡାକ୍ତର ବାବୁ ତୁମ ଜୋଇଁ କାହିଁକି ତୁମ ବାଡ଼ି ତଳ ପ୍ରଜା ହୋଇଥିବେ. ଯେତେ ବୁଝାଇ କହିଲେ ମଧ୍ୟ କେହି ଶୁଣିନଥିଲେ ତାଙ୍କ କଥା ତ ଗାଁରୁ ଆସିଥିବା ରାଜୁ ମଉସା ସେଇଠି ଯନ୍ତ୍ରଣାରେ ଟଳି ପଡ଼ିଥିଲେ. ଏକଥା ଜାଣିବା ପରେ ମେଘାଙ୍କର ଏକା ଜିଦ ସେ ଆଉ ମେଘରାଜଙ୍କ ଭଳି ଡାକ୍ତରଙ୍କ ସହଧର୍ମିଣୀ ହୋଇ ରହିପାରିବେ ନାହିଁ. ମେଘାଙ୍କ ବାପା ମଧ୍ୟ ଜାଣିନଥିଲେ ଯେ ରାଜୁ ବେମାର ଅଛନ୍ତି କି ଚ୍ୟାମ୍ବର ଭିତରେ ଥିବା ଡାକ୍ତର ମେଘରାଜ ଜାଣିନଥିଲେ ତାଙ୍କ ଅଲକ୍ଷରେ କାଉଣ୍ଟରରେ ଦୁଇଶହ ଟଙ୍କା ଜାଗାରେ ଏକାହଜାର ଟଙ୍କା ନିଆଯାଉଛି. ରାଜୁ ମଉସାଙ୍କ ସାଙ୍ଗରେ ଥିବା ବୋଝିଆଙ୍କ ଠାରୁ ସବୁକଥା ଶୁଣି ରାଜୁ ମଉସାଙ୍କ ସମସ୍ତ ଶୁଦ୍ଧିକ୍ରିୟା କର୍ମ ମେଘରାଜ କରିବାକୁ ପ୍ରସ୍ତୁତ ଥିଲାବେଳେ ମେଘାଙ୍କର ଏକାଜିଦ ନା ମେଘରାଜଙ୍କର ଅନୀତି ଦୁର୍ନୀତି ପଇସାରେ ରାଜୁ କାକାଙ୍କ ଶୁଦ୍ଧି ଘର ହେବନାହିଁ ବରଂ ସେ ସେସବୁ ବୁଝିବେ. ତା ସହ ଛାଡ଼ପତ୍ର ନେଇକି ସେ ଅଲଗା ହେବେ ମେଘରାଜଙ୍କଠାରୁ.ବାପା ବୁଝେଇ ବୁଝେଇ ଥକିଥିଲେ ମଧ୍ୟ ଆଜି ପ୍ରଥମଥର ବାପାଙ୍କ କଥା ଆଗ୍ରହ୍ୟ କରି ସେଦିନ କାଠଗଡା଼ରେ ଠିଆ ହେଲେ ସ୍ୱାମୀ ସ୍ତ୍ରୀ. ଅଙ୍କୁଶ ଲାଗିଲା ବେସରକାରୀ ହସ୍ପିଟାଲରେ ମେଘରାଜଙ୍କର. ଛୋଟ ପୁଅର ଲାଳନ ପାଳନ ଦାଇତ୍ୱ ମଧ୍ୟ ମିଳିଲା ମେଘାଙ୍କୁ ତ ମେଘା ପୁଅକୁ ନେଇ କାରରେ ବାପାଙ୍କ ସହ ବସିବା ପୂର୍ବରୁ ମେଘରାଜ ଆସି ଶଶୁର ବିପ୍ରବାବୁଙ୍କ ପଦ ଛୁଇଁଲା ବେଳେ ତାଙ୍କ ପକେଟରୁ ଖସିପଡ଼ିଥିଲା ପୁଅ ପାଇଁ ସବୁଦିନ ଆଣିଥିବା ଡାଇରୀମିଳ୍କ ଚକୋଲେଟ ଦୁଇ ପ୍ୟାକେଟ ସହ ମେଘାଙ୍କ ପାଇଁ ସବୁଦିନ ଆଣୁଥିବା ସଜ ଗୋଲାପ ଫୁଲଟି. ବିପ୍ରବାବୁ କଣ କହିବାକୁ ଯାଉଥିଲେ କିନ୍ତୁ ମେଘାଙ୍କ ନିର୍ଦ୍ଦେଶରେ ଗାଡି
ଗଡୁଥିଲା ଆଗକୁ. ପୁଅ ଅଂଶୁ ଡାକ ଛାଡିଥିଲା ପାପା ପାପା ତ ଗାଡି ଏତେବାଟ ଆସି ସାରିଥିଲା ଯେ ମେଘରାଜ ଆଉ ଦେଖା ଯାଉନଥିଲେ.ଗାଡି ନିର୍ଦ୍ଦିଷ୍ଟ ଜାଗାରେ ପହଁଚିଲା ପରେ ମେଘା ଆଶ୍ଚର୍ଯ୍ୟ ଆଖିରେ ଦେଖିଥିଲେ ଇଏ ସେଇ ଘର ଯୋଉଠି ସେ ମାଘରାଜଙ୍କ ସହ ଦଶ ବର୍ଷ କଟେଇ ସାରିଲେଣି. ଆଜି ସକାଳୁ ଏ ଘର ସବୁଦିନ ପାଇଁ ଛାଡ଼ିଦେବାକୁ ଯାଇ ସେ ଜିତିଯାଇଥିଲେ ଭାବିଥିଲେ ହେଲେ ବାପା ତାଙ୍କ ହାତ ଧରି ପୁଣି ସେଇ ଘରକୁ ନେଇ ଯାଉଛନ୍ତି ଓ କହୁଛନ୍ତି ଆଜିଠୁ ମେଘରାଜ ରୋଗୀ ଦେଖିବେନି ବୋଲି ସିଦ୍ଧାନ୍ତ ନେଇ ସାରିଛନ୍ତି ଝିଅ ତାଙ୍କୁ କ୍ଷମା କରିଦେ. ପଛକୁ ବୁଲି ଚାହିଁଲେ ମେଘା ସ୍ୱାମୀ ମେଘରାଜଙ୍କ ଛାତିରେ ଲୋଟି ପଡି ପୁଅ କହୁଥିଲା ମୋ ଚକୋଲେଟ ଦିଅ ବାପା. ଏପଟେ ମେଘା କାତର ଆଖିରେ ଡାକୁଥିଲେ ବା..ପା. ବିପ୍ରବାବୁ କିନ୍ତୁ ଫେରିପଡୁଥିଲେ ଗାଁ ଅଭିମୁଖେ ଗାଡି ଗଡିସାରିଥିଲା ଆଗକୁ ଆଗକୁ.
ମେଘରାଜ ସରକାରୀ ଚାକିରିରୁ ସସପେଣ୍ଡ ହୋଇସାରିଥିଲେ. ଘରୋଇ ହସ୍ପିଟାଲରେ ମଧ୍ୟ ତାଲା ଝୁଲୁଥିଲା ତଥାପି ରୋଗୀ ଘରକୁ ଆସୁଥିଲେ ତ ସେ ବିନା ପଇସାରେ ଔଷଧ ଲେଖୁଥିଲେ. ଅବସର ସମୟରେ ଗଛ ଲଗାଇବା ଓ ପୁଅକୁ ପାଠ ପଢେଇବାରେ ସମୟ କଟାଉଥିବା ଭିତରେ କେଶ ଜିତି ସମୟକ୍ରମେ ତାଙ୍କୁ ସରକାରୀ ଚାକିରୀରେ ଜଏନ କରିବାକୁ ଡାକରା ଆସିଥିଲେ ମଧ୍ୟ ସେ ଯାଉନଥିଲେ. ବେସରକାରୀ ବା ତାଙ୍କ କ୍ଲିନିକରୁ ପୁରୁଣା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ହଟାଇ ନୂତନ ନିଯୁକ୍ତି ଦେଇ ପୁଣି କ୍ଲିନିକ ଖୋଲିବାର ଅଗ୍ରାଧିକାରକୁ ମଧ୍ୟ ଆଗ୍ରାହ୍ୟ କରିଥିଲେ ମେଘରାଜ. ମେଘା କିଛି କହିବାକୁ ଚାଁହୁଥିଲେ ମଧ୍ୟ କହିପାରୁନଥିଲେ. ହଠାତ ବାପା ଅସୁସ୍ଥ ହୋଇପଡିବାରୁ ଗାଁକୁ ଯାଇ ସାଙ୍ଗରେ ନେଇ ଆସିଥିଲେ ମେଘା. କଷ୍ଟ ଯନ୍ତ୍ରଣା କମୁ ନଥିଲା ମେଡ଼ିସିନରେ ବାପାଙ୍କର ତ ହସ୍ପିଟାଲରେ ଥିବା ମେସିନରେ ପରୀକ୍ଷା କରେଇବା ପାଇଁ ସ୍ୱାମୀ ମେଘରାଜଙ୍କୁ ଜଏନ କରିବାକୁ କହିଥିଲେ ମେଘା. ମେଘାଙ୍କ ସନ୍ତୋଷ ତଥା ଶଶୁରଙ୍କ ପରୀକ୍ଷା ପାଇଁ ପୁଣି ଚାକିରୀରେ ଯୋଗ ଦେଇଥିଲେ ମେଘରାଜ କିନ୍ତୁ ମେଘା ଜାଣିବାକୁ ପାଇଥିଲେ ବାପାଙ୍କ କିଡ଼ନୀ ଖରାପ. ଆକାଶ ଛିଡି ପଡିଲା ଯେମିତି. ସ୍ୱାମୀ ମେଘରାଜ ସାନ୍ତ୍ୱନା ଦେଲେ ମେଘାଙ୍କୁ. ବାପା ନିଶ୍ଚୟ ଭଲ ହୋଇଯିବେ କହି ଆଶ୍ଵାସନା ଦେଲେ ଏବଂ ଜଣେ କେହି ତାର ଗୋଟିଏ କିଡ଼ନୀ ଏକଲକ୍ଷ ଟଙ୍କାରେ ଦାନ କରିବାକୁ ରାଜି ହୋଇଛି କହି ବାପାଙ୍କ ପାଇଁ ବ୍ୟସ୍ତ ନହେବାକୁ କହି ଚାଲିଗଲେ ସ୍ୱାମୀ.
ଅପରେସନ ଦିନ ବ୍ୟାଙ୍କରେ ଜରୁରୀ କାମ ଥିବାରୁ ମେଘା ଯାଇପାରିନଥିଲେ ହସ୍ପିଟାଲ. ବ୍ୟାଙ୍କରୁ କାମ ସାରି ଘରକୁ ଯାଇ ଫୋନ କରିବାରୁ ମେଘରାଜଙ୍କ ପରିବର୍ତ୍ତେ ଡାକ୍ତର ବିନୋଦ ଫୋନ ଉଠେଇ କହିଲେ ଆପଣଙ୍କ ବାପାଙ୍କ ଅପରେସନ ସଫଳ ହୋଇଛି କିନ୍ତୁ ସାର ଟିକେ ଅସୁସ୍ଥ ଅଛନ୍ତି. ମେଘରାଜ ଅସୁସ୍ଥ ଅଛନ୍ତି!ତାଙ୍କର ପୁଣି କଣ ହେଲା କହି ମେଘା ସିଧା ହସ୍ପିଟାଲରେ ପହଁଞ୍ଚି ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ. କୌଣସି ଲୋକ ନୁହଁନ୍ତି ବରଂ ନିଜେ ମେଘରାଜ ହିଁ ତାଙ୍କର ଗୋଟିଏ କିଡ଼ନୀ ବାପାଙ୍କୁ ଦେଇଥିଲେ. କୃତଜ୍ଞତା ଭରା ଭରସା ବିଶ୍ୱାସ ଓ ପ୍ରେମରେ ସେ କାନ୍ଦିପକାଇଲା ବେଳେ ବୋଉ ତାଙ୍କ ମୁଣ୍ଡରେ ହାତ ଥୋଇ ଅହିସୁଲକ୍ଷଣୀ ହୋଇଥା ମାଆ ମୋ ଝିଅ କହି ମେଘାଙ୍କ ଆଖିରୁ ଗାଡିଯାଉଥିବା ଅମାନିଆଁ ଅଶ୍ରୁକୁ ହାତ ପାପୁଲିରେ ପୋଛି ପଣତ ଓଦା କରୁଥିଲେ ଓ କହୁଥିଲେ ମେଘା ମୋର ଦୁଇ କୂଳକୁ ହିତା କହି ବୋଉ କାନ୍ଦୁଥିଲେ ଓ ଡାକୁଥିଲେ ହେ ପ୍ରଭୁ ଚକାଡୋଳା ମୋ ଝିଅର ସିନ୍ଦୁର ଓ ହାତକାଚ ବଜ୍ର ହେଉ. ମେଘା କେବେ ସ୍ୱାମୀଙ୍କ ବେଡ଼କୁ ତ କେବେ ବାପାଙ୍କ ବେଡ଼କୁ ଦୌଡୁ ଥିଲେ.
