The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Panchanan Jena

Inspirational

4.0  

Panchanan Jena

Inspirational

ଦର୍ପଣ

ଦର୍ପଣ

8 mins
11.8K



  ଅଜାଣତରେ ଝିଅ ରୀତା ( ରୀତାଞ୍ଜଳୀ ) କେତେବେଳେ ଝିଅରୁ ସଖି- ବାନ୍ଧବୀ - ସାଂଗ-ବଉଳ ପାଲଟି ଯାଇଥିଲା କରେ।ନା ତଲାବନ୍ଦ ଦୁଇମାସ ଭିତରେ ଗୋଦାବରୀ ଦେବୀ ଜାଣିପାରି ନଥିଲେ । ବାହାଘର ପରେ ପରେ ଶାଶୁଘର , ସ୍ୱାମୀ ଓ ପିଲାମାନଙ୍କ ତେଲ ଲୁଣର କର୍ମ ଜଞ୍ଜାଳ ଭିତରେ ବୁଡ଼ି ରହି ସାଂଗସାଥିମାନଙ୍କୁ ମନ ଡାଇରିରୁ ଭୁଲି ଯାଇଥିଲେ । ମାତ୍ର ନିରୀହ ସରଳ ନିଜ ହାତରେ ଗଢ଼ା ମାଟି କଣ୍ଢେଇ ପରି ଝିଅକୁ ପାଖରେ ପାଇ ମନ ସାଗରରେ ପୁଣି ହସ ଖୁସିର ହିଲ୍ଲୋଳ- କଲ୍ଲୋଳର କୋଳାହଳ ଶୁଣିବାକୁ ପାଇଲେ । 

ବାଣୀବିହାର ହଷ୍ଟେଲ ବନ୍ଦ ଯୋଗୁଁ ପ୍ରଗଲଭା ସ୍ନେହଶୀଳା ହସକୁରି ରୀତା ଅନ୍ତରଙ୍ଗ ସିଖିଟିଏ ପରି ଅନ୍ତର ଖୋଲି କଥାର ଖୁସି ଫୁଲ ଅଜାଡ଼ି ଦେଉଥିଲା ହସିରୁଷି । ଆଉ ସେ ବି ମା' ପଣିଆର ସ୍ନେହିଳ ପଣତରେ ପୋଛି ପକଉଥଲେ ଓ ଉପଦେଶ ଛଳରେ କେତେ କଥା ବୁଝାଇ କହୁଥିଲେ । ଗହଳି ଚହଳି ଲାଗିଥିଲେ ବି, ରୋଷେଇ ଘରେ ସକାଳୁ- ସଞ୍ଜ ଗଳଦଘର୍ମ ହେଉଥିଲେ ବି ତାଙ୍କୁ କଷ୍ଟ ଲାଗୁ ନ ଥିଲା ପାଗଳୀ ରୀତା ସହିତ ଗପି ଗପି । ସମୟର ଚକ ଗଡି ଗଡି ବୈଶାଖ - ବର୍ଷା - ବସନ୍ତ ଋତୁଚକ୍ର ଆସିଲାଣି ଆଉ ଝିଅ ରୀତାର ବାହାଘରର ଶୁଭପରିଣୟ ଦିନ ଆସି ଗଲାଣି ଜାଣି ପାରିଲେଣି। ସତ କୁହନ୍ତି ଖୁସିର କ୍ଷଣ ଅଳିକ ଓ କ୍ଷଣିକ । 

" ଝିଅ ! ଚାଲ ଛାତ ଉପରକୁ ଯିବା । କାଲି ତ ତୋର ଶୁଭ ବାହାଘର । ଆଜି ରାତିରେ ମା'-ଝିଅ ସାରା ରାତି କଥା କହିବା । ଚାଲ ! ତୋ'ର ମଥା କୁଣ୍ଢେଇ ଦେବି, ପାଦ ଘସି ଦେବି, କୋଳରେ ଶୋଏଇ ଗେଲ କରିବି-- କହୁ କହୁ ଗୋଦାବରୀ ଦେବୀଙ୍କ ଆଖିରେ ବର୍ଷାର ଝଲକ ଛଟକ ।

ଝିଅ ରୀତା ବୋଉର ଲୁହ ପୋଛୁ ପୋଛୁ କହିଲା ବୁଢୀ ପ୍ରବିଣା ପ୍ରବୁଦ୍ଧା ଭଳିଆ -- ଏମିତି ଛୋଟ ଛୁଆ ଭଳିଆ କଣ କିଏ କଇଁ କଇଁ ହୁଏ । ମୁଁ ବି କାନ୍ଦି ପକେଇବି । ମୁଁ କଣ କେଉଁ ବିଦେଶ ଯାଉଛି ନା କେଉଁ ଅନ୍ୟ ରାଜ୍ୟକୁ । ମାତ୍ର ଦୁଇ-ତିନି ଘଣ୍ଟାର ବାଟ ବଗଦା, ବାଲିଆପାଳରୁ ଦେଉଳ ସାହି,ବାରିପଦା । ଆସିବାକୁ ଯେବେ ମନ କରିବି ସେବେ ଦୌଡ଼ି ଦୌଡ଼ି ଉଡ଼ି ଉଡ଼ି ଆସି ଯିବିନି ।"

ଝିଅ ରୀତାଞ୍ଜଳୀ (ରୀତା)ର ଶୁଭ ପରିଣୟ ବହୁତ ଧୁମ୍ ଧାମରେ ଦେଉଳ ସାହି, ବାରିପଦା ନିବାସୀ ଶ୍ରୀଯୁକ୍ତ ଦେବ କୁମାର ଦାଶଙ୍କର ଜ୍ୟେଷ୍ଠ ପୁତ୍ର ଆଯୁଷ୍ମାନ ପ୍ରଭୁଦତ୍ତ (ନିନୁ) ଦାଶଙ୍କ ସହିତ ବୈଦିକ ରୀତିନୀତି ଅନୁଯାୟୀ ସରିଲା । ସକାଳୁ ସକାଳୁ ବୋଉ ଠାରୁ ବହୁତ ଶିକ୍ଷାଦୀକ୍ଷା ନେଇ, ଜେଜେ-ଜେଜେମା-ବାପା ତଥା ଅନ୍ୟ ଗୁରୁଜନ- ଆତ୍ମୀୟସ୍ବଜନଙ୍କ ପାଦ ଛୁଇଁ-- ଛୋଟ ଭାଇ-ଭଉଣୀଙ୍କୁ ସ୍ନେହ ଦେଇ --ସାହି ପଡ଼େ।ଶୀ- ସହଚରୀ ମାନଙ୍କର ସଜଳ ସ୍ମୃତି " ଶୀଘ୍ର ଝିଅ ଆସିବୁ-- ଆମକୁ ଭୁଲି ଯିବୁନି ଝିଅ " ଶୁଣି ଶୁଣି ହାତରେ ବିଦାୟୀର ସଙ୍କେତ ଦେଇ ଦେଇ ସମସ୍ତଙ୍କର ମୁହଁ ଅଦୃଶ୍ୟ ହେବା ଯାଏ ଆଖିରେ ଧାରା ଶ୍ରାବଣର ବନ୍ୟାରେ ଶାଶୁ ଘରକୁ ଚାଲିଗଲା ।

ସାଂଗରେ ବସିଥିବା ସ୍ୱାମୀ ଦେବଦତ୍ତ ରୀତାକୁ ଚୁପ୍ କରିବା ଆଳରେ କହିଲେ --- ଭାବି ନିଅ ପାଠ ପଢ଼ିବାକୁ ଘରୁ ବାହାରକୁ ଯାଉଛ ! ଯେତେବେଳେ ମନ କରିବ --- ଆସିପାରିବ । ସେମିତି କିଛି ପ୍ରତି ବନ୍ଧକ ନାହିଁ ଅଂକୁଶ ନାହିଁ ଆମ ଘରେ। ତୁମେ ଏକବିଂଶ ଶତାବ୍ଦୀର ଝିଅ, ଆଇ ମିନ ଟୁ ସେ , ବୋହୁ , ପୁରା ଫ୍ରିଡମ୍ । ପ୍ଲିଜ୍‌ !

ବାହାଘର ବର୍ଷେ ପରେ ରୀତାର ଜେଜେବାପା ସ୍ଵର୍ଗାରୋହଣ କଲେ । ସେହି ତିଥିରେ ସ୍ୱାମୀ ଦେବଦତ୍ତଙ୍କ ନିଜ କକା ଝିଅ ସୋନାଲିର ବାହାଘର ଯୋଗୁଁ ସେ ବଗଦା ଆସିପାରିଲାନି । କାରଣ ନିଜ ଘରର ବାହାଘର ।

" ଘରର ବାହାଘର ଛାଡ଼ି କେମିତି ଯାଇ ପାରିବୁ ବୋହୁ ? ଲୋକେ କଣ କହିବେ ? ସମାଜ କଣ ଭାବିବ ? ଜେଜେବାପା ତ ବହୁତ ବୁଢ଼ା ହୋଇଯାଇଥିଲେ !ତାଙ୍କୁ ତ ଦିନେ ନା ଦିନେ ଯିବାର ଥିଲା । ପୁଣି ପରେ ପଛେ ଯାଇ ତ ହେବ । କିନ୍ତୁ ଘରର ଝିଅ ବିଦା ହେବ - ଭାଉଜ ନ ରହିଲେ ଖଇଖୁଳାହାଣ୍ଡି -ଶୀତଳତୁଣ୍ଡୀ ଭଳିଆ ବୈଦିକ ପରମ୍ପରା କେମିତି ହେବ ?"

ସୁନା ବୋହୁ ରୀତା ଚୁପ୍ ହୋଇଗଲା । କାରଣ ବୋଉ ଶିଖେଇଥିବା କଥା " ଆଜିଠୁଁ ତୋ ଶାଶୁଘର ତୋର ନିଜ ଘର I ସେମାନେ ଯାହା କହିବେ ମଥାପାତି ମାନିନେବୁ ଲୋ ଝିଅ ।" ମନେ ପଡ଼ିଗଲା ।

ପୁଣି ଛଅ ମାସ ପରେ ନିଜ ବଡ଼ମାମୁଁ ବିଲାତ ଫେରନ୍ତା ପୁଅ ସୂର୍ଯ୍ୟକାନ୍ତ( କୁନା ) ଭାଇର ବାହାଘରକୁ ବି ଯାଇ ପାରିଲାନି କାରଣ ଶାଶୁ ବେମାର । ଯଦିଓ ବଡ଼ମାମୁଁ ତା ବାହାଘର ବେଳେ ବରଣୀ ଥିଲେ ଓ ଫୁଲ ପକା ସୁନା ମୁଦି ଦେଇଥିଲେ ।

ଏହା ଭିତରେ ରୀତା ଗର୍ଭବତୀ । ଛଅ ମାସର ପୁଆତି । ବାପଘରେ ସାନ କାକୀଙ୍କ ଝିଅ ରୀମାର ବାହାଘର ଖବର ଆସୁ ଆସୁ ଶାଶୁ କହିଲେ -- ଏମିତି ଅବସ୍ଥାରେ କୁଆଡେ ଯିବୁ ? ଲୋକେ କହିବେ ତୋ ଶାଶୁର ଚକ୍ଷୁଲଜ୍ୟା ଟିକେ ବି ନାହିଁ କି ?"

ରୀତା ଭାବେ -- କାହିଁ କିଛି ତ ଅସୁବିଧା ନାହିଁ ? ସକାଳରୁ ରାତି ଯାଏ ତ ସବୁ କାମ କରୁଛି -- ସମସ୍ତଙ୍କର ହାରି ଗୁହାରି ଅଳି ଅର୍ଦ୍ଦଳି ଶୁଶୁଛି । '

ତେଣୁ ବହୁତ ଆଶା ବାନ୍ଧି ପତିଦେବ ପରମେଶ୍ଵର ବିଭୁଦତ୍ତଙ୍କୁ କହିଲା -- ଶୁଣୁଛ! ସାନ କାକୀଙ୍କ ଫୋନ ଆସିଥିଲା । ବହୁତ କାକୁତି ମିନତୀ କରୁଥିଲେ ଆ--ଉ --- ଆସିବାକୁ ଆମ ଦୁହିଁଙ୍କୁ --- କହୁଥିଲେ ।"

"ହଁ ! କାକୀ ମୋତେ ବି ଫୋନ କରି ଅନୁରୋଧ କରିଥିଲେ ।-- ସ୍ୱାମୀ ଭୁଟ୍ କିନା କହି ଦେଲେ ।

ପୁଣି କହିଲେ --- " ଯଦି ଯିଦ୍ କରୁଛ ତ ନେଇ ଯିବି । ପରନ୍ତୁ କିଛି ଗଡ଼ବଡ଼ ହେଲେ ରେସ୍‌ପନସିବିଲ୍ଲିଟି ତୁମର । ତୁମ ବଗଦା ଗାଁକୁ କେମିତି କା ରାସ୍ତା ତୁମେ ଉଲକି ଜାଣ ? ଆବୁଡ଼ା ଖାବଡ଼ା ଗ୍ରାମ୍ୟ ରାସ୍ତାରେ ତୁମର ଏ ଅବସ୍ଥାରେ ----- ତୁମେ ହିଁ ଜାଣ ? ବାହାଘରରେ କଣ ବା ଅଧିକା ଅଛି ଯେ ? ଖାଲି ଚବର ଚବର କଚର କଚର । ଖାଇବା ଭିତରେ ଡ଼ାଟା ଟ୍ରାନସଫର । ଶାଢି ଗହଣା ଦେଖେଇ ହେବାର ଖୋଲା ଆସର ନୁହେଁ ତ ଆଉ ଅଧିକା କଣ ଅଛି ଯେ ? ପୁଣି ଝିଅ ବାହାଘର । ପୁଣି କାକା ଝିଅ ଭଉଣୀ ଗୋଟିଏ ରାତି ରହଣି ।"

ଏମିତି ସବୁ କଥା ଶୁଣି ବୋଉ ଗୋଦାବରୀ ଦେବୀ ବି ସଫା ମନା କରିଦେଲେ । ଆସିବା ଦରକାର ନାହିଁ । ଯଦି ତୁ ନ ଆସୁ -- ଏଠାରେ ବାହାଘର ବନ୍ଦ ହେବନି -- କିନ୍ତୁ ତୋ ଶାଶୁ ଘର ଲୋକେ ନାକ ଟେକିବେ -- କେତେ କଟୁକ୍ତି କରିବେ -- କାନ୍ଥବାଡ଼କୁ କହି ଖେଣ୍ଟିଆ ଉଲୁଗୁଣା ଦେବେ । "

କଥା କଣ କି ? ରୀତାକୁ ବାରିପଦାରେ ଶ୍ୱଶୁର ଘରେ କିଛି ଅସୁବିଧା ନ ଥିଲା । ଅଭାବ ଅନଟନ ତ ଜମା ନଥିଲା କହିଲେ ଚଳେ । କିନ୍ତୁ ରୀତାକୁ ବେଳେ ବେଳେ ଲାଗୁଥିଲା କି ତାକୁ ଦାୟିତ୍ଵର ମୁକୁଟ ପିନ୍ଧେଇ ଦିଆଯାଇଛି! ସୀତା - ସାବିତ୍ରୀ ଭଳିଆ ସିଂହାସନରେ ବସେଇ ଦିଆଯାଇଛି ଯାହାର ଚାରି ଖୋରାକୁ ରିମୋଟ କଣ୍ଟ୍ରୋଲ ଦ୍ଵାରା ରିଙ୍ଗ ମାଷ୍ଟର ମଙ୍ଗ ଧରିଛନ୍ତି । ସେ ଏ ଘରକୁ ଆସିବା ପୂର୍ବରୁ ତ ଘରର ସଦସ୍ୟ ମାନେ ବିମାର ହେଉଥିବେ , କେମିତି ସମ୍ଭାଳୁ ଥିଲେ ଏମାନେ ? ସେ ଆସିବା ପୂର୍ବରୁ ଘରେ ବାହାଘର ସାଜିଗର ବ୍ରତଘର ମୃତାହକର୍ମକାଣ୍ଡ ହେଉଥିବ ! ଯଦି ସେ ଆଜି ଏହି ତଥାକଥିତ ସମାରୋହକୁ ନ ଯାଇ ବାପ ଘରକୁ ଚାଲିଯାଏ କଣ ମହାଭାରତ ଅଶୁଦ୍ଧ ହୋଇଥିବ ନା ଭାରତବର୍ଷର ଇତିହାସରେ କଳଙ୍କର କଳାବାଦଲ ଛାଇଯିବ ?

ଦିନ ବିତୁଥିଲା ଓ ସମୟର ଚକ ଗଡ଼ି ଚାଲିଥିଲା ବଢି ଚାଲିଥିଲା ତା' ବାଟରେ । କେବେ ଚାରି ଦିନ କେବେ ପାଞ୍ଚଦିନ ବାପଘରେ ରହିଗଲେ ଏ ପଟୁ ଫୋନ ଯିବ -- ଗୋଟେ ବୋଲି ଛୁଆ | ନାହିଁ ତ ଘର ଟା ଖାଁ ଖାଁ ଲାଗୁଛି । ଝିଅଟା ଆମର କଣ୍ଢେଇ ପରିକା ଥୁକୁଲ ଥାକୁଲ ହେଉଥିଲା । ଖାଇବା ବେଳେ ବେଶି ମନେ ପଡୁଛି ତା ଗୁଲୁର ଗାଲୁର ମୁଁହ | ବୁଢା ଅଜାଘର ଅନ୍ନ ଆଉ ବେଶି ଧ୍ଵଂସ କରନି ।"

ରୀତା ସବୁ ବୁଝିପାରେ ବଙ୍କାକଥାର ଅର୍ଥ। କିନ୍ତୁ ମନ ବୁଝୁ କି ନ ବୁଝୁ ଆସିବାକୁ ପଡ଼େ ବାରିପଦା | ଛାତି ଫଟା କୋହ ଓ ମରମ ଭିଜା ଲୁହ ବୋଉ ପଣତ କାନି ଓଢ଼ଣା ତଳେ ବେଶ ଦେଖି ପାରେ ରୀତା ।

ଅଗତ୍ୟା ବିଭୁଦତ୍ତର ଭଉଣୀ ଅର୍ଥାତ୍ ରୀତାର ସାନ ନଣନ୍ଦ ବର୍ଣ୍ଣାଳୀର ବାହାଘର ସାରଧାର ହେଇଗଲା । ରୀତା ଭାଉଜ ଓ ନଣନ୍ଦ ବର୍ଣ୍ଣ।ଳୀ ମଧ୍ୟରେ ଦୁଇ ଭଉଣୀ ବା ସଖି- ସହଚରୀ ଭଳିଆ ଥିଲା । ସତକଥା କହିବାକୁ ଗଲେ ନଣନ୍ଦ ବର୍ଣ୍ଣ।ଳୀ ଯୋଗୁଁ ଶାଶୁଘରେ କେବେ ଏକାକୀତ୍ଵର ଏକାନ୍ତବାସର ଏକେଲାପଣର ଉଦାସୀ ଭୂତ ବାଟ ଉଗାଲିନି । ଦୁହେଁ ସମବୟସୀ ଆଗ ପଛ ବାଣୀବିହାର ଛାତ୍ରୀ । 

ମାତ୍ର ରୀତାକୁ ବର୍ଣ୍ଣାଳୀ ବିନା କେମିତି ଶାଶୁଘର ଖାଁ ଖାଁ ଲାଗିବ ଭାବି ଭାବି ମନ ବହୁତ ଉଦାସ ହୋଇଗଲା । ମାତ୍ର କରିବାର କିଛି ନାହିଁ! ବିଧିର ବିଧାନ । ନିୟତିର କଠୋର ନିଷ୍ଠୁର ନିୟମ କାନୁନ -- ଝିଅ ଜନ୍ମ ପର ଘରକୁ ।

ବର୍ଣ୍ଣ।ଳୀର ବାହାଘର ପ୍ରସ୍ତୁତିରେ ରୀତା ନିଜକୁ ବହୁ ଦାୟିତ୍ଵବତୀ ବଡ଼ ଭାଉଜ ହିସାବରେ ତୁଲାଇ ଚାଲିଥିଲା । ରୀତାର ଦ୍ୱିତୀୟ ପିଲା ହେବାର ଥିଲା । ତିନି ମାସର ଅନ୍ତଃସତ୍ତ୍ୱା ସେ | ତଥାପି ପ୍ରାଣପ୍ରିୟା ଅଲିଅଳି ନଣନ୍ଦ ପାଇଁ ସେ ସବୁ କିଛି କରି ଚାଲିଥିଲା ରାତି ଦିନକୁ ଖାତିର ନକରି ।

ବାହାଘର ଦିନ ଘର ଲୋକାରଣ୍ୟ । ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବରେ.ଭରି ଯାଇଥିଲା ବିବାହ ମଣ୍ଡପ । ସମସ୍ତେ ଶାଶୁ କଲ୍ୟାଣୀ ଦେବୀଙ୍କୁ କହୁଥିଲେ -- ବହୁତ ଭାଗ୍ୟବତୀ ଲୋ କଲ୍ଯାଣୀ ! ତୋତେ ରୀତା ଭଳିଆ ଭାଗ୍ୟଲକ୍ଷ୍ମୀ ଶୁଭଲକ୍ଷ୍ମୀ ବୋହୁ ମିଳିଛି । ଆର ଜନ୍ମରେ ବହୁତ ପୁଣ୍ୟ କରିଥିବୁ ଲୋ , ତେଣୁ ସୁନାନାକୀ ବୋହୁ ପାଇଲୁ | ଆମର ତ ଫଟା କରମ !

ବାହାଘର ପରେ ପରେ ଶୁଭ ବିଦାୟୀ ବେଳା ବି ଆସିଗଲା । ଆଜି ରୀତା ଭାଉଜର ଆଖି ବୋଲ ମାନୁ ନ ଥିଲା । ନଣନ୍ଦ- ଭାଉଜ ସେଦିନ ବହୁତ କୋଳା-କୋଳି ହେଲେ ଆଉ ସେଦିନ କାନ୍ଦି କାନ୍ଦି ଗଗନ ପବନ ବାତାବରଣକୁ କାନ୍ଦୁରା କରିଦେଇଥିଲେ ।

ଏ ସବୁ ଅଶ୍ରୁ ତର୍ପଣ ପରିବେଶକୁ ଅଳ୍ପ ହାଲୁକା କରିବାକୁ ଯାଇ ଶାଶୁ କଲ୍ୟାଣୀ ଦେବୀ ଝିଅ ବର୍ଣ୍ଣ।ଳୀକୁ ପ୍ରବୋଧନା ଦେବା ଆଳରେ ତୁନି କରେଇବା ପାଇଁ କହିଲେ-- ଶୁଭ ବେଳାରେ ଏମିତି ରାହା ଧରି କଣ କେହି କାନ୍ଦେ ? ତୁ କଣ କେଉଁ ବିଦେଶ ଯାଉଛୁ ? ଯେବେ ଚାହିଁବୁ ଆସିବୁ । ବାପା ପରା ଖାଲି ସେଇଥିପାଇଁ ମାରୁତି ଅଲଟୋ ଦେଇଛନ୍ତି ଆମ ସୁନା ଝିଅ ପାଇଁ। ମାସକୁ ମାସ ଖାଲି ମନ କଲେ ଧାଇଁ ଆସିବୁ ।'

ଝିଅ ବର୍ଣ୍ଣ।ଳୀ ମା' କଲ୍ୟାଣୀ ଦେବୀକୁ ହାଡ଼େ ହାଡ଼େ ଚିହ୍ନେ । ନିଜ ଜନ୍ମ କଲା ମା' ହେଲା ତ କିସ ହେଲା । ସେ କେମିତି ରୀତା ଭାଉଜକୁ ତାଙ୍କ ବାପଘରକୁ ନପଠେଇବାରେ କେତେ କାଣ୍ଡ କାରଖାନା କରି ହଇରାଣ ହରକତ କରେଇ କନ୍ଦେଇ କନ୍ଦେଇ ଓପାସେ ଶୁଏଇ ଗଡ଼ ଜିତି ଥିବାର ବିଜୟୀ ପତାକା ଭଡ଼ାଉ ଥିଲେ -- ସବୁ ଗୋଟି ଗୋଟି ଜଳ ଜଳ ହୋଇ ଆଖି ଆଗରେ ଭାସି ଉଠିଲା । 

ନିଜକୁ ସମ୍ଭାଳି ନ ପାରି ଝିଅ ବର୍ଣ୍ଣଳୀ କହିଲା --- କେମିତି ଆସିପାରିବି କହିଲୁ ଦେଖି ବୋଉ ! ହୋଇପାରେ ମୋର ଆସିବାକୁ ମନ ଆଉଟୁ ପାଉଟୁ ହେଉଥିବ କିନ୍ତୁ ଶଶୁଘରେ କାହାର ଦେହ ଖରାପ ହୋଇପାରେ -- କେହି ମେଡିକାଲରେ ଭର୍ତ୍ତି ହୋଇପାରନ୍ତି -- ପତିଦେବ କହିପାରନ୍ତି ନିଜ ରିସ୍କରେ ଯାଅ, ପରେ ପଛେ ମୋତେ ଦୋଷ ଦେବନି -- ଅସୁବିଧା - ସୁବିଧା ହେଲେ ମୋତେ ଫୋନ ବି କରିବନି ।"

ସମବେତ ଜନତା ଜନାର୍ଦ୍ଦନ ସମସ୍ତେ ଏକଦମ ଅବାକ୍ । ଆଖି ଡବ ଡବ କରି ବେଳେ ବର୍ଣ୍ଣ।ଳୀକୁ ବେଳେ ରୀତାକୁ ଆଉ ବେଶି ଶାଶୁ କଲ୍ୟାଣୀ ଦେବୀଙ୍କୁ ଦେଖୁଥାନ୍ତି କିଞ୍ଚିତ ଚକିତ ଓ ନୟନ ବିଷ୍ଫାରିତ ମୁଦ୍ରାରେ ।

ବର୍ଣ୍ଣାଳୀ ପୁଣି ବାକି ଥିବା କିଛି ଅକୁହା ବ୍ୟଥା ବେଦନା ବିଖାଣି ବସିଲା ---- ନୁହେଁ ମା' ! ଭାଉଜ କେବେ ବି ଏ କଥା ସବୁ କହି ନାହାନ୍ତି । କିନ୍ତୁ ମୁଁ ଭାଉଜଙ୍କର ଫୁଲି ଯାଇଥିବା ଆଖି ଯୋଡିକୁ -- ଦୁଃଖ ଦୁର୍ଦ୍ଦଶାର କୋହ ବେଦନାକୁ -- ବସି ଯାଇଥିବା ଶ୍ଵାସନଳୀକୁ ବେଶ ଅନୁଉଵ କରିଛି ପାଖରୁ ଦେଖିଛି । 

ମୁଁ ଅନୁଶୋଚନା କରିଛି ଭାଉଜଙ୍କ ଜେଜେବାପା ମରିଥିବା ସମୟରେ ତୁମେ ସବୁ ବାହାଘର ମଉଜମସ୍ତି କରୁଥିଲ । ମୁଁ ଅନୁଭବିଛି ବୋଉ ତୋ ଦେହ ଭୀଷଣ ଖରାପ ଥିଲା ବେଳେ ଭାଉଜ.ତାଙ୍କ ନିଜର କକା ଝିଅ ସାନ ଭଉଣୀର ବାହା ଘରକୁ ବି ଯାଇ ପାରିଲେନି । ମୁଁ ପାଖରେ ରହି ଗାଡ଼ିରେ ବସି ଶୁଣିଛି ଯେଉଁ ଭାଇ ରୀତା ଭାଉଜଙ୍କୁ କହିଥିଲା ତୁମେ ଶାଶୁଘର ନୁହଁ ଭାବ ପାଠ ପଢ଼ିବାକୁ କଲେଜ ଯାଉଛ --- ସେହି ଭାଇ ଇନଡ଼ାଇରେକ୍ଟ ମନା କରିଦେଲେ ତାଙ୍କ ମାମୁଁ ଝିଅ ବାହାଘର ବେଳେ । ତୁମେ ଭାଭଜଙ୍କ ଠାରେ ପ୍ରତିଜ୍ଞା ଭଂଗ କରିଛ ଭାଇ।

ବଡ଼ ଚାକିରି ଉଚ୍ଚ ଶିକ୍ଷାର ଆଳ ଦେଖାଇ ଶବ୍ଦ ବାଣରେ କଥାକୁ ବୁଲେଇ ବଂକେଇ ପୁରେଇ ଘୁରେଇ ସିଧା ଜୁଲୁପି ମିଠାଇ ପରି ବାପଘର ଯିବାକୁ ନାଁ କହିଛ ଭାଇ । ଭାଉଜଙ୍କ ବିଶ୍ୱାସ ମୂଳରେ କୁଠାରାଘାତ କରିଛ ଭାଇ ।

କାଲି ବି ହୋଇପାରେ ମୋ ଶାଶୁ ଘର ଲୋକେ ସାନଭାଇ ପ୍ରଭୁଦତ୍ତର ବାହାଘର ବେଳକୁ ଆସିବାକୁ ନ ଦେଇ ପାରନ୍ତି --- କେହି କେବେ ଭାବିଛ କି ?

ବାପା ! ଆପଣଙ୍କ କଣ୍ଢେଇ ତ ଆପଣଙ୍କ ହୃଦୟର ବୀଣା । ଭଗବାନ ନ କରନ୍ତୁ -- କାଲି ଯେତେବେଳେ ବାପାଙ୍କ ହାର୍ଟ ଏଟାକରେ ଜୀବନ ମରଣ ଦୋ- ଛକିରେ ମୋ ମୁଁହ ଦେଖି ବାକୁ ବାରମ୍ଵାର ଖୋଜୁଥିବେ-- ଆଉ ତାଙ୍କ କଣ୍ଢେଇ ଗେହ୍ଲୀ ଝିଅ ଶାଶୁଘରୁ ଆସି ନ ପାରେ --- କୌଣସି ଜରୁରୀ ତତ୍କାଳିକ ଆକସ୍ମିକ କାମ ଯୋଗୁଁ ।--- କେହି କେବେ ହେଜିଛ କି ? 

କେବେ ମୋ ଯାଗାରେ ରୀତା ଭାଉଜକୁ ରଖି ଦେଖିଛ ଏ ଦାଶ ପରିବାରର ହର୍ତ୍ତା କର୍ତ୍ତା ବିଧାତାମାନେ । ଦେଖିଛ କେବେ ଚର୍ମ ନେତ୍ର ଫେଡ଼ି କି ଜଣେ ଅଳିଅଳି ଝିଅ ଜୀବନର ଅମୂଲ୍ୟ ଅତୁଲ୍ଯ ଅପାଶୋରା ୨୦-୨୨ ବର୍ଷ ବାପଘରେ ବିତେଇଥାଏ -- ସେଠି ସ୍ନେହ ପ୍ରେମ ସରାଗର ଅତରରେ ଜୀବନର ପ୍ରତିକ୍ଷଣ ମନ ମହ ସୁବାସରେ ଚହଟୁ ଥାଏ --- ଆଉ ସେହି ଫଗୁଣିତ ମହକକୁ ଶୁଙ୍ଗିବାକୁ ମନଭରି ଆଘ୍ରାଣ କରିବାକୁ ଶାଶୁଘର କତିପୟ ତଥାକଥିତ ହୃଦୟହୀନ ମାନବସାରଶୂନ୍ୟ ମହାମୁନିବ ମାନଙ୍କୁ କର ପତ୍ର ଯୋଡି ଏତିକି ଅନୁରୋଧ କି ଏଭଳି ଘୃଣ୍ୟ ନାଟକ ଅଭିନୟ ପ୍ରହଶନ ବନ୍ଦ ହେଉ ।

ଭାଉଜ ! ମୋତେ ଅନ୍ତରର ଅନନ୍ତ ପ୍ରଦେଶରୁ କ୍ଷମା କରିଦେବେ କାରଣ ମୁଁ ଅର୍ବାଚୀନ ଆପଣଙ୍କୁ କୌଣସି ପ୍ରକାର ସାହାର୍ଯ୍ୟ କରି ପାରିଲିନି । ଯେଉଁ ସଂପର୍କର ଅଡୁଆ ସୂତାରେ ବାନ୍ଧି ଦଶ ଦିଗପାଳଙ୍କ ଆଗରେ ଅଗ୍ନିଦେବଙ୍କୁ ସାକ୍ଷୀ ରଖି ଆପଣଙ୍କୁ ଆପଣଙ୍କ ବାପା- ମା'ଙ୍କ ଠାରୁ ଆଣିଥିଲେ ଏକ ସୁନେଲି ରୂପେଲି ମଖମଲି ଭବିଷ୍ୟତର ଦ୍ଵାହି ଦେଇ--- ଆଉ ସେହି ଶୁଭ ସମ୍ପର୍କ ଆପଣଙ୍କ ପାଇଁ ହେଲା ପାଦର ଶିକୁଳି । କହୁ କହୁ ଭୋ ଭୋ କରି ଭାଉଜ- ନଣନ୍ଦ କୋଳାଗ୍ରତ ହେଲେ !

ସମସ୍ତଙ୍କ ଆଖିରେ ସେଦିନ ଥିଲା ଲୁହର ଝରଣା ବାଟବଣା । ଭୂଲର ବୋଝରେ ମଥାନତ କରି ଝିଅ ବିଦାବେଳେ ଲୁହ ଝରେଇବା ସହିତ ଭାବୁଥିଲେ କି ଶିକ୍ଷିତ। ଉପଯୁକ୍ତ। ଝିଅ ବର୍ଣ୍ଣ।ଳୀ ଯାହା ହେଉ ବରଂ ଡେରିରେ ହେଉ ଆମକୁ ଦର୍ପଣ ଦେଖେଇ ଦେଲା ସୁଧାରିବାକୁ ବାଟ ଫିଟେଇ ଦେଲା ।



Rate this content
Log in

More oriya story from Panchanan Jena

Similar oriya story from Inspirational