Soumya Shubhadarshinee

Inspirational Others

2  

Soumya Shubhadarshinee

Inspirational Others

ଦର୍ପଣ

ଦର୍ପଣ

4 mins
3.1K


--- " କୁହ ନା ଗୋଟେ ଗପ"......

-- "ହୁଁ, ଶୁଣ ଗୋଟେ ସାଧାରଣ ମଣିଷ ଥରେ ଗଲା ଗୋଟେ ଅସାଧାରଣ ଦେଶକୁ।"........

*********

--- "ଆଛା ଅସାଧାରଣ ଦେଶ ମାନେ?"

---- "ଓଃ , ଭଲ କଥା ଏଇଟା ବୁଝିବା ଜରୁରୀ, ନହେଲେ କି ଲାଭ ଆଉ ସମୟ ନଷ୍ଟ କରି। ହଁ ଅସାଧାରଣ ମାନେ , ସତ୍ୟସିଦ୍ଧ ଦେଶ, ଆଉ ଟିକେ ସହଜ କଲେ , ଏମିତି ଦେଶ ଯେଉଁଠି ସଭିଏଁ କେବଳ ସତ କୁହନ୍ତି।"

--- " ଆଛା , ସତ କହିବା ଅସାଧାରଣ କେମିତି ? ସତ କହିବାତ ନିହାତି ସାଧାରଣ କଥା , ସଭିଏଁ ପା' ନିତି ଗାଉଛନ୍ତି ,"ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି"......

---- " ହଁ , ହେଲେ କିଏ କୁହେ , କେବଳ ପ୍ରାର୍ଥନା , ବୁଝିଲୁ। ସତ କହିବା ଦୁରୂହ ବ୍ୟାପାର। ମାନେ ମୁସ୍କିଲ , ହଁ ମହା ମୁସ୍କିଲ!".......

" ଆଛା ତେବେ ମିଛ କହିବା କୁ ମନା କିଆଁ ଯଦି ସମସ୍ତେ କହୁଛନ୍ତି?"

--- " ଆରେ , ତୁ ଆଗକୁ ଶୁଣିବୁ ନା ଏଇଠି ରାତି ପାହିବ?"...

" ନା , ନା ଚାଲ ଆଗକୁ"..

******

ସାଧାରଣ ଲୋକ ମାନେ ସବୁବେଳେ ଘର କଥା ଭାବନ୍ତି। ନିଜ ସ୍ତ୍ରୀ , ପିଲା, ବାପା , ମା ଏଇସବୁ । ସେମିତି ସାଧାରଣ ମଣିଷ ବି ଭାବୁଥିଲା। ତେଣୁ ମନେମନେ ସଭିଙ୍କ ଲାଗି କିଛି ବିଶେଷ ଉପଢୌକନ ଆଣିବା ର ଇଚ୍ଛା ଟିଏ କଲା। ସେଥିରେ ସଭିଏଁ ଖୁିସି ହେବେ , ଆଉ ତାକୁ ବାହା ବାହା ଦେବେ।

" ରୁହ , ଏ ଉପଢୌକନ ମାନେ??..

" ଓଃ , ତୁ ଟିକେ ସାହିତ୍ୟ ପଢ଼ ହେଲା, ଉପଢୌକନ ମାନେ ଗିଫ୍ଟ ବୁଝିଲୁ।"

---- "ହୁଁ ତୁମେ ଓଡ଼ିଆରେ କୁହ ହେଲା , ସାହିତ୍ୟରେ ନୁହେଁ।''

"" ହାଁ ...........

ହେ ପ୍ରଭୁ ରକ୍ଷାକର "...

*******

ହଉ , ଏବେ ଗିଫ୍ଟ କିଣିବା କଥାଟା ଟିକେ କହିବା। ଅସାଧାରଣ ଦେଶରେ ସବୁ ଜିନିଷ ବି ସେମିତି । ସେଠି ଲୋକଟା ଦେଖିଲା କଥାକୁହା କାଉ, ବାସ୍ନା ଥିବା କାଗଜ ଫୁଲ, ରଙ୍ଗିନ କଜଳ, ଆଲୁଅ ବାହାରୁଥିବା କଲମ, ଏମିତି କେତେ କ'ଣ , ହେଲେ ଏସବୁ କ'ଣ କରିବ ଆମର ତ ସାଧାରଣ ଜିନିଷ ଲୋଡା। ଲୋକଟା ସେଠୁ ଖୋଜି ଖୋଜି କିଣିଲା ଗୋଟେ ବଢ଼ିଆ ଶିଙ୍ଗ ବେଣ୍ଟ ବାଡ଼ି ବାପାଙ୍କ ପାଇଁ , ନାଲି ଚୁଡି ମୁଠେ ବୋଉ ପାଇଁ, ବେଳୁନ ମେଞ୍ଚେ ପୁଅ ଝୁଅ ପାଇଁ । ବୁଝିଲୁ , କିନ୍ତୁ ପୁଅ ଝୁଅଙ୍କ ମା' ପାଇଁ କ'ଣ ନବ। କିଛି ଗୋଟେ ଖାସ୍ ଜିନିଷ ଲୋଡ଼ା , ନହେଲେ ଅସୁବିଧା ନୁହେଁ।.......

" କାହିଁକି ଯେ ଛୁଆଙ୍କ ମା', ତ କିଛି ମାଗେନି ?......

"ହା , ହା ସେଇଠି ଅସଲି ଅସୁବିଧା , ତୁ ପରେ ବୁଝିବୁ ହେଲା।"....

********

ଖୋଜି ଖୋଜି ଲୋକଟା ହାଲିଆ ହେଲା। ଚୁଡି , ଶାଢ଼ୀ ନୁହେଁ କିଛି ବିଶେଷ ଜିନିଷ । ନୂଆ ବିଲକୁଲ୍ ନୂଆ କିଣିବ!

ଥିଲା ଗୋଟେ ବୁଢ଼ୀ ମାଉସୀର ଦୋକାନ । ବିକୁଥିଲା ଦର୍ପଣ। ବଢ଼ିଆ ଚିକିମିକିଆ ବେଢ଼ଣ ଵାଲା, ମୋତି ଲଗା, ସୁନା ଜଡ଼ା, ମାଣିକ ଖଞ୍ଜା , ଚାନ୍ଦ ପରି ସୁନ୍ଦରୀ।...

----" ଇସ୍ , ସେଇଟା ମିରର୍ ନା ଗହଣା , ଯେ ।ଏଇଟା ମିଛ ପୁରା , ଏମିତି କ'ଣ ଅଛି"?

---" ଓଃ , ଏଇଟା ଅସାଧାରଣ ଦେଶ ଗପ ପା.......

--- "ହୁଁ , କିନ୍ତୁ ମିଛ ଲାଗୁଛି , ହଉ କୁହ ".....

-- ହଁ ବୁଢ଼ୀ ମାଉସୀ କହିଲା

" ନବ ?"

ଲୋକଟା ଖୁସି ହେଇଗଲା ଦେଖିକି ନୂଆ ଡ଼ିଜାଇନ୍ ଆଉ ହଁ କଲା ।ବୁଢ଼ୀ ପୁଣି କହିଲା ,

" କେମିତିକା ଦର୍ପଣ ନେବ କୁହ ଟିକେ , ତେବେ ଯାଇ ସିନା ଦେବି?"

ଏଇଠି ଲୋକଟା ହଡ଼ବଡେଇ ଗଲା, ତା ଅକଲ ଗୁଡୁମ। ମୁଣ୍ଡ କୁଣ୍ଡେଇ ଭାବିଲା, ଆରେ ଦର୍ପଣ ତ ଦର୍ପଣ, ପୁଣି କେମିତି କା କ'ଣ? ହେଲେ କିଛି ଗୋଟେ କହିବ ନା ତେଣୁ କହିଲା, " ଦିଅ ଯେଉଁଥିରେ ମୋ ସ୍ତ୍ରୀର ଅସଲି ରୂପ ଦିଶିବ। ନା ନା କେବଳ ମୋ ସ୍ତ୍ରୀ ନୁହେଁ ସଭିଙ୍କ ଅସଲି ରୂପ ଦିଶିବ।"

ବୁଢ଼ୀ ମାଉସୀ କହିଲା ,

" ହଉ ନିଅ "।

ବାସ ଲୋକଟା ନେଇକି ଆସିଲା ସବୁ ଗିଫ୍ଟ ଆଉ ଖୁସି ମନରେ ପହଞ୍ଚି ଗଲା ନିଜ ଦେଶ।

ଘେରିଗଲେ ସବୁ ପିଲା ଛୁଆ ତା' ଚାରିପାଖେ ଆଉ ଭଲ ମନ୍ଦ ପଚାରିଲେ। ସବୁ କହିଲା ଲୋକ । ଖୁସି ଖୁସି , ହସି ହସି , ଟିକିନିଖି ଗପିଲା।

ଏବେ ଆସିଲା ଗିଫ୍ଟ ପାଳି। ବାପା ଖୁସି ହେଲେ ବାଡ଼ିର ସହାରାରେ। ଜାଣୁ ବୟସ ବଢିଲେ ବାଡ଼ି ମଣିଷକୁ ବେଶି ନିଜର ଲାଗେ !ବୋଉ ନାଲି ଚୁଡି ମୁଠାରେ ନିଜକୁ ସୌଭାଗ୍ୟବତୀ ମନେ କଲା। ଶଙ୍ଖା ସିନ୍ଦୂର ନାଇ ମରିବାର ଇଚ୍ଛାଟି ଆହୁରି ବଳବତୀ ହେଲା ବୋଉ ମନରେ।ଆଶୀର୍ବାଦ ଦେଲା ।

ଛୁଆ ବେଲୁନ୍ ଫୁଙ୍କୁ ଫୁଙ୍କୁ ହଜିଗଲେ ପବନ ମୋହରେ। ଶୂନ୍ୟରୁ ସାଉଁଟି ନେଲେ ହସନ୍ତ ସ୍ୱପ୍ନ ।

ଛୁଆଙ୍କ ମା' , କିନ୍ତୁ ଲାଜ ଲାଜ ଅପେକ୍ଷା କଲା । ନିଜ ଗିଫ୍ଟ ପାଇଁ ଗୋଟେ ସୁନ୍ଦର ବେଳାର .......

ଯେବେ ଭଲ ସୁଯୋଗ ମିଳିଲା ,ସେ ଦେଲା ଦର୍ପଣ। ସ୍ତ୍ରୀ ଦେଖିଲା ଯେବେ ନିଜ ର ଅସଲି ରୂପ, ଫୋପାଡ଼ି ଦେଲା ଦର୍ପଣ । କିନ୍ତୁ ବିଚିତ୍ର ଘଟଣା ଟିଏ ଘଟିଲା , ଭାଙ୍ଗିଗଲା ନାହିଁ ଅସାଧାରଣ ଦର୍ପଣ। ସେ ନିଜେ ଯେବେ ଆଣି ଦେଖିଲା ଦର୍ପଣ , ସ୍ତ୍ରୀଠୁ ଆହୁରି ଜୋରରେ ଫୋପାଡ଼ି ଦେଲା ।

ଦୁହେଁ ଦୁହିଁଙ୍କୁ ଦେଖିଲେ ଟିକେ ସନ୍ଦେହ ଆଉ ଭୟ ମିଶା ଆଖିରେ। ଡରିଗଲେ ଆଉ ଲୁଚେଇ ଦେଲେ ଦର୍ପଣ।

" ଏବେ ତୁ କହିଲୁ , ଲୁଚେଇଲେ କାହିଁକି? ...

" ମୁଁ କେମିତି କହିବି , ତୁମ ଗପ ତୁମେ କୁହ !"

*********

ଜାଣୁ ଦର୍ପଣ ସଭିଏଁ ଦେଖନ୍ତି ନିଜକୁ ସୁନ୍ଦର ଭାବେ ସଜେଇ ଅନ୍ୟକୁ ଦେଖେଇ ହେବାକୁ। କେହି ଦର୍ପଣରେ ନିଜ ଅସଲି ରୂପ ଦେଖେନି କି ଦେଖିବାକୁ ଚାହେଁନି କେବେ। ଦର୍ପଣ ମଣିଷକୁ ବୋକା ବନେଇବା ଲାଗି ତିଆରି। ଆଉ ଯଦି ସେ ଅସଲି ରୂପ ଦେଖେଇବ ତେବେ କଥା ସରିଲା। ବୁଝିଲୁ ।

-- "ନା କିଛି ବୁଝିପାରୁନି"

----" ହଉ ଶୋଇପଡ ରାତି ବେଶି ହେଲାଣି , ପରେ ବୁଝିବୁ ।".......

ସୌମ୍ୟା

.


Rate this content
Log in

Similar oriya story from Inspirational