ଦିହ ମୂଲ
ଦିହ ମୂଲ
ହେ ଶ୍ରମିକ ଦିବସ ! ତୁମେ ଜାଣିଛ ଆମ ଦିହର ମୂଲ କେତେ ? ତୁମେ ଆମକୁ କଣ ଦେବ ? ଗୋଟେ ଦିନର ଦେଖାଣିଆ ଶ୍ରଦ୍ଧା ଓ ସମ୍ମାନ ! ଏଥିରେ ଆମର କଣ ହେବ ? ଆମକୁ ଭାତ ଦିଅ ; ଛାତ ଦିଅ। ଆମେ ସମସ୍ତଙ୍କ ପରି ଗୋଟେ ହସ ଖୁସି ,ଭାବର ଜୀବନ ଓ ଭବିଷ୍ୟତ ଜିଇଁବାକୁ ଚାହୁଁ। ପାରିବ ତ ଟିକେ ହସ ଓ ଶାନ୍ତି ଦିଅ .। ଏ ହାପି ଶ୍ରମିକ ଦିବସରୁ ଆମ ପେଟ ପୁରିବ ନା ପିଲା ଭଲ ସ୍କୁଲରେ ପଢି ପାରିବେ !
ଅଠରରୁ ଏବେ ବୟସ କଣ୍ଟା ଅଠେଇଶି ଉପରେ ପହଞ୍ଚିଗଲାଣି ମୋର। ମୂଲିଆଣୀଟିଏ , ବ୍ରହ୍ମା ମୂଲିଆର ମାଇପ। ଅନେଇଁଲି ଟିକେ ନିଜକୁ;ନିଣୁଛୁଣିଆ ଯୌବନ କେମିତି ଚହ ଚହ ହେଉଛି ମୋ ଦେହରେ !!ଧୋଇ କି ମରୁଡି ନାହିଁ ଏ ଦେହକୁ।ଏତେ ଖରା ତରା ସହିଲେବି ଟିକେ ମଉଳନ ପଡୁନି ଦେହର ତେଜ!
ଘରର ବାସି ପାଇଟି ସାରି,ଚା ଜଳଖିଆ କରି ଆଉ ଡାଲି କି ତରକାରୀ କରିବାକୁ ସମୟ ଅଣ୍ଟେନା।ଏଣୁ ପ୍ରାୟତଃ ଭାତ ଆଳୁ ଚକଟା ଜେଜେ ଓ ବୁଇର ନିତିଦିନିଆ ଖାଦ୍ୟ।ରାତିକୁ ଫେରିଲା ପରେ ଭଲ ମନ୍ଦ ଟିକେ ରୋଷେଇ କରି ସାରା ପରିବାର ଖାଇ ସଅଳ ଶୋଇ ପଡୁ।କାହିଁକି ନା ପୁଣି ଆସନ୍ତା କାଲି ବଢି ଭୋଅରୁ ଉଠିବାକୁ ପଡିବ।ଏଇ ମଜୁରିଆଙ୍କ 'ଝାଲୁଆ ଗନ୍ଧର ଜୀବନ' କି ଦେହ ମୁଣ୍ଡ ବୋଲି କିଛି ନଥାଏ।ମନ ଚାହିଁଲେ ବି ଘଡ଼ିଏ ଶୋଇ ହୁଏନି।ପେଟ ଚାଖଣ୍ଡକ ପାଇଁ ହର ଦମ୍ ସଂଘର୍ଷ କରିବାକୁ ପଡେ।
ବୁଇ ବାପା ବ୍ରହ୍ମା;ବଦରାଗିଟା।ସବୁ ନିଶାକୁ ଚଳୁ କରିବା ମଣିଷଟିଏ।ବଡ଼ ହେବା ସ୍ୱପ୍ନରେ ସେ ମଜଗୁଲ୍; କଥା କଥାକେ ରାଗିଯାଏ।ଦିନ ସାରା ଖଟି ଖଟି ଆସୁ ଦି ଜଣ ଯାକ।ଘରକୁ ଫେରି ମୋ ହାତ ଥୟ ହୁଏନି।ଘରର ସବୁ କାମ ସେମିତି ପଡିଥିବ।ଶୀଘ୍ର ଶୀଘ୍ର କାମ ତୁଟେଇ ଚା, ରୋଷେଇ କରେ।ନଲେ ଶଶୁର ଓ ବୁଇ ସନ୍ଧ୍ୟା ହେଉ ହେଉ ଶୋଇ ପଡିବେ ଯେ ଆଉ ଉଠିବେ ନାହିଁ କିମ୍ବା ଖାଇବେ ନାହିଁ।ସତୁରୀ ବର୍ଷୀୟ ବୁଢା ଲୋକ ମୋ ଶଶୁର।ସେଥିରେ ଦିନ ସାରା ଘୋଷାରୁଥିବେ ବୁଇକୁ।ବୁଇ ଟି ଖୁବ୍ ନଟଖଟି ହୋଇଛି।ତିନି ପୁରିଲାଣି ତାକୁ।
ମଜୁରିଆ ହେଲେ ବି ଦିଟା ରୋଜଗାର।ଖାଇ ପିଇ ବଳନ୍ତା।କିନ୍ତୁ ବ୍ରହ୍ମାଟା ପରା ଅମିଣିଷଟା।ତାରି ସାଙ୍ଗରେ ପଟେ ହୋଇ କାମ କରିବି।ଇଟା ପକା ହେଉ କି ଇଟା ବୁହା,ଗୋଡି ସିମେଣ୍ଟ ଫେଣ୍ଟା ମସଲା ନେଇ ଭାରା ବା ଶିଡିରେ ଦୁଇ ତିନି ମହଲାକୁ ଯିବି।କେବେ ବାଲି ବା ମାଟି ବି ବୁହାଇବି।କାମରୁ ଫେରି ମୁଁ ଘର ଗୋଟାକ କାମ କଲା ବେଳକୁ ବ୍ରହ୍ମା ଯିବ ଛକକୁ।ପକେଇ ଦେଇ ଆସିବ ଟାଙ୍କି ଲୋଡ଼ କରି ପେଟେ ନାଲି ପାଣି ।କିଛି ନହେଲେ ସେ ପେଟେ ଚିଲମ ଧୂଆଁ ବା କ୍ୟାମ୍ପସ ଟାବ୍ଲେଟଟିଏ ପକାଇବା ଥୟ।
ତା ରୋଜାଗାର ସେଇ ନିଶାରେ ଉଡାଇ ଦେଇ ବେଳେବେଳେ ମୋ ରୋଜଗାର ରୁ ବି ଧମକେଇ ବା କେବେ କଅଁଳେଇ ନେବ।ନ ଦେଲେ ମାର ଧର ବି କରିବ।ଯେଉଁଠି ରଖି ଥିଲେ ବି ଖୋଜି ଲୋଡି କେଉଁ ଖଞ୍ଜରେ ନେଇ ଚାଲିଯିବ।କହିଲେ କହିବ ଯେଉଁ ହାଡ଼ ଭଙ୍ଗା ଖଟଣୀ ଟିକେ ନ ମାଇଲେ ଢୋକେ ନାଲି କି ଧଳା ପାଣି, ସୋଡୁକାଏ ଗଞ୍ଜେଇ,କିବା ଗୋଟେ କ୍ୟାମ୍ପସ ଟାବ୍ଲେଟ କଣ ହେବ କି ! ଦେହ ଦରଜ କେମିତି ଯିବ ?
ଆଚ୍ଛା ଏମିତି ଯଦି ....ମୁଁ ବି ତୋ ସହ ସେଇ ଏକା ହାଡ଼ଭଙ୍ଗା ଖଟଣୀ ଖଟେ।ମୋର କଣ ରକ୍ତ ମାଂସର ଦେହ ନୁହେଁ ? ମୋତେ କଣ ବାଧୁନି!!ତୁ ଆସି ଚାରି କାତ ଲମ୍ବଇ ପଡ଼ିବୁ,ନଲେ ଛକକୁ ଯିବୁ,ଟହଲ ମାରିବାକୁ।ପିଇ ଦେଇ ଆସିବୁ ଦେଶୀ ହାଣ୍ଡିଆ ନଲେ ପଲିଥିନ୍।କିଛି ନହେଲେ କ୍ୟାମ୍ପସଟିଏ ପକେଇ ଦେବୁ।କେବେ ଭାବିଛୁ ମୋ କଥା!!!ମୁଁ ବି ଜୀଅଁନ୍ତା ମଣିଷ..... ମୋତେ ବି କଷ୍ଟ ହେଉଥିବ... ଘର ବାହାର କେମିତି ଘଟୁଛି। ମୋର ତ ନାଲି ପାଣି ପିଇବା ଲୋଡ଼ା କି ନାଇଁ ?
ଦାନ୍ତ ଦେଖେଇ ବ୍ରହ୍ମା କହିବ ତୁ ମାଇକିନିଆଟା।ଘର ସମ୍ଭାଳନ୍ତୁ ନାହିଁ କି?ମୋତେ ଦେହ ସୁଖ ଦେବୁ, ଛୁଆ ଜନ୍ମ କରିବୁ,ବଂଶ ବଢ଼େଇବୁ,ତାକୁ ପାଳିବୁ,ଘର ପାଇଟି ବି କରିବୁ।ତା ସହ ମୋ ସଂଗେ କାମକୁ ବି ଯିବୁ।ମୁଁ ମରଦ ବାହାରେ ସିନା ଖଟିବି।ଘରେ କଣ ମାଇଚିଆ ପରି କାମ କରିବି!ମୁଁ ବା ପୁରୁଷ ପୁଅ। ତାଡି,ହାଣ୍ଡିଆ,
ଗଞ୍ଜେଇ କି ପଲିଥିନ ସିନା ପିଇବି....ତୁ ତୋନି ପିଇବୁ।ତୋନି ପିଇ ବଳଦ ପରା ହଳ କରେ।କେତେ ବଳ ତା ଦେହେରେ ଜାଣିଛୁ ଟି....କଥାକୁ ବାଆଁରେଇବା ପାଇଁ ବେହିଆମି କରି ମୋ ଗାଲ ଟିପି ଦେବ,ମୋତେ ତା କୋଳକୁ ଟାଣି ନେବ।ଅଜାଡି ପକେଇବ ଭଲ ପାଇବା। ଏଇ କାମ ଚଳା ଭଲ ପାଇବା କଣ ଜଣେ ନାରୀର କାମ୍ୟ !
କି ନିଲଠା କେଜାଣି ଏଇ ସ୍ତ୍ରୀ ମାନଙ୍କ ଜୀବନ।ପୁରା ରଙ୍କୁଣୀ ଟିକେ,ସ୍ନେହ,ପ୍ରେମ ପାଇଁ।ନିଜ ଗେରସ୍ତ ଯଦି ଗେହ୍ଲେଇ ଟିକେ କହିଲା,ଗେଲ କଲା କି ଛାତିକୁ ଆଉଜାଇ ନେଲା ସବୁ ଅଭିଯୋଗ ତୁଳା ହୋଇ ଉଡିଯିବେ କୁଆଡେ ନାଇଁ କୁଆଡେ।ଟିକେ ଦେହ କି ମନ ସୁଖ ପାଇଁ ଭାରି ଲାଳାୟିତ ଏଇ ସ୍ତ୍ରୀ ଜାତି ଟା।କୋମଳ,
କଅଁଳିଆ କଥାର ବୁଢ଼ୀ ଆଣି ଜାଲରେ ଛନ୍ଦି ହୋଇଯାଆନ୍ତି ଭୋଳ ହୋଇ।ବନ୍ଧା ପଡି ଯାଆନ୍ତି ଆଜୀବନ ନିଜ ଇଛାର ଗଳା ଟିପି।
ବିଚିତ୍ର ସତରେ ଏଇ ନାରୀ;ଆହୁରି ଅଦ୍ଭୁତ ତାର ଚାହିଁବା ପାଇବା।ସୁଖ ଭୋଗ ଭିତରେ ଆଗ ଦରାଣ୍ଡେ ସ୍ନେହ,ପ୍ରେମ,ଆଦର ସରାଗ।ଏଇଟା ବି ସତ କିଛି କାମ ହାସଲ କରିବାକୁ ଥିଲେ ନିଜ ପୁରୁଷ ପାଖେ କେବଳ ଟିକେ ବିଲେଇ ପରି ଘଷି ହେଲେ କିବା ଉପରେ ପଡିଲେ ସବୁ ଅସ୍ତୁ ହୋଇଯାଏ। ସ୍ୱାମୀ ନାମକ ପୁରୁଷଟି ନାରୀ ପାଖେ ବାଘ ନ ହୋଇ ବିଲେଇ ପାଲଟି ଯାଏ।ଟିକିଏ ଆଖି ଇସାରା କଲେ ଓଃ କି ଦେଖିବ...ବ୍ରହ୍ମାଣ୍ଡ ହୋଇ
ଯିବ ଗୋଲ।ଲଠୁ ରାମ ହୋଇଯିବ ସମସ୍ତ ପୁରୁଷ ଜାତି।
ବ୍ରହ୍ମାଟା ପୁଣି କ୍ଷଣ କୋପୀ। ହଜାରେ ଝିଅଙ୍କ ସହିତ ହେଁ ହେଁ ଫେଁ ଫେଁ।କି ଏକ୍ସରେ ଆଖିରେ ବାବା!ଗଳିଯିବ ତ ଝିଅ ପିଲାଙ୍କ ଦେହରେ।ବେହିଆଙ୍କ ପରି ଦାନ୍ତ ଦେଖେଇ ହେଉଥିବ।ଆହୁରି ଗୋଟେ ମାରାତ୍ମକ ନିଶା ତାର ରାତା ରାତି ବଡ଼ ଲୋକ ହେବା।ଦଶମ ଫେଲ୍।ହେଲେ କଥା କହିବ ଯେମିତି ଗୋଟେ ମାଜିଷ୍ଟ୍ରେଟ୍।ଭାରି ସଉକାନି ବି।ଚାଲିଗଲେ ବାସୁଥିବ।ତା ସଙ୍ଗେ କଥା ବଢ଼େଇଲେ ଶେଷ ମାଡ଼ କିବା ଗାଳିରେ।
ଏଣୁ ମୁଁ ନିଜ କାମରେ ନିଘା ରଖେ। କଥା କଟା କଟି ହେଲେ ଘରେ ଅଶାନ୍ତି ସୃଷ୍ଟି ହୁଏ ସିନା ସମାଧାନ କିଛି ହୁଏ ନାହିଁ ବୋଲି ବୁଝିଛି। ଚାହେଁ ନାହିଁ ମୋ ମାଆ ବାପାଙ୍କ କଳି ଯୋଗୁଁ ଯେମିତି ଛିନ୍ନ ଛତର ହୋଇଥିଲା ଆମ ଜୀବନ ସେମିତି ମୋ ଜୀବନରେ ବି ଘଟୁ। ମୋ ମାଆ ତ ବାପାର ଦୌରାତ୍ମ୍ୟ ସହି ନ ପାରି ଆତ୍ମହତ୍ୟା କରିଦେଲା।ଆମ ତିନିଟି ଛୁଆଙ୍କ ଜୀବନ ନଷ୍ଟ ହୋଇଗଲା।ମୋ ଜୀବନ ସେମିତି ହେଉ ଏଇଟା କରିବା ସୁଯୋଗ ସୃଷ୍ଟି କରେନି ।
ଦିନ ମଜୁରିଆ ସ୍ତ୍ରୀ ଲୋକଟିଏ ମୁଁ। ଖରା ତରାରେ ଖଟିଲେ ବି କେଉଁଠି ଅଛି କେଜାଣି ଯୌବନ ଲହଡି ଭାଙ୍ଗୁଛି ଦେହରେ ମନରେ। ରୁପଟି କେଉଁ କମ୍ କି! ଏଇ ରୂପ ପାଇଁ ପରା ବ୍ରହ୍ମାଟା ଉଠେଇ ଆଣିଲା। ଚଣ୍ଡାଳ ! ମୋ ଜୀବନଟା ଅଳ୍ପ ବୟସରୁ ନଷ୍ଟ କରିଦେଲା।
ହଁ ମୂଲମଜୁରୀ ଲାଗୁଥିବା ଝିଅଟାର ଗୋଟେ ମନ ଓ ସ୍ବପ୍ନ କଣ ଥାଏ କି? ଇଜ୍ଜତ ତ ଆଦୌ ନାହିଁ।ଇଟା ମୁଣ୍ଡେଇ ଛାତ ଉପରକୁ ଗଲା ବେଳେ ଦୈବାତ ଛାତିରୁ ଓନି କି ଶାଢ଼ୀ ଖସି ଗଲେ ଡାହାଳ କୁକୁର ପରି କ୍ରଣ୍ଟ୍ରାକ୍ଟର ହେଉ ବା କାମ ତଦାରଖ କରୁଥିବା ଅଫିସର୍ କିବା ସାଙ୍ଗରେ କାମ କରୁଥିବା ମର୍ଦ୍ଦ ମାନେ ଯେମିତି ଚାହାନ୍ତି ସତେକି ଆଖି ଗଲେଇ ଲଂଗଳା କରି ପକାନ୍ତି।
ବେଳେ ବେଳେ ବ୍ରହ୍ମା ଜଳଖିଆ ଦେଇ କଣ୍ଟ୍ରାକ୍ଟର ପାଖକୁ ପଠାଏ। ଯିବାକୁ କୁନ୍ଥୁ କୁନ୍ଥୁ ହେଲେ କୁହେ ଯା ବା ବାବୁ ଖୁସି ହୋଇଗଲେ ମୋତେ ବୋତଲଟିଏ ଓ ତୋତେ ଅଧିକ କିଛି ଟଙ୍କା ଦେବେ। ଯାଉନୁ ସୁନ୍ଦରିଆ ହୋଇଛୁ ବୋଲି ନା। ଦେଖିଲୁ ଆଉ କାହାକୁ ଡାକୁଛନ୍ତି? ତୋ ଭାଗ୍ୟ କହ।ଆଜି ଦି ପଇସା ରୋଜଗାର ହେବ ଯାଆ ବା।
ହଇରେ ଚଣ୍ଡାଳ ମୁଁ ତୋ ସ୍ତ୍ରୀ ଟି !
ଏ କଥା କିଏ ନ ଜାଣିଛି।ତୁ ମୋର ସବୁଦିନ। ଦିନେ ଅଧେ ସାର୍ ମାନଙ୍କର ହୋଇଗଲେ ମୋ ସୁଖରୁ କମ୍ ପଡି ବନି ଲୋ।ବରଂ ମୁଁ ଖୁସି ହେବି।ଦାମିକା ନାଲି ପାଣିର ସ୍ୱାଦ କେମିତି ଜାଣିଛୁ? ତୁ ସାର୍ ଙ୍କୁ ଖୁସି କଲେ ସେ ମୋତେ ଖୁସି କରିବେ।ମୁଁ ଖୁସି ହେଲେ ତୋତେ ଖୁସିରେ ରଖିବି।
ମାଙ୍କଡ଼ ମୁହାଁ ! ତୁ ମତେ ଚଳାଉଛୁ ନା ମୁଁ ତୋତେ ବା ... ଚଣ୍ଡାଳ ନିଜ ମାଇପ କୁ କିଏ ଅନ୍ୟକୁ ଭୋଗ କରିବାକୁ ଦିଏ!! ତୋ ଦେହ କେମିତି ସହିବ ସେମାନେ ମୋତେ ଟଣା ଓଟରା କଲେ ?
ଲୁହ ଢଳ ଢଳ ଆଖିରେ ବ୍ରହ୍ମା କୁହେ ,ତୁ ବା ମୂଲିଆ ମାଇପ। ସୁନା ପିଲା ପରି କଥା ନ ମାନିଲେ ସେମାନେ ଜୋର୍ ଜବର ଦସ୍ତି କରିବେ।ମୋତେ ବାଟରୁ ହଟେଇବା ପାଇଁ ଜୀବନରୁ ମାରି ଦେଇ ପାରନ୍ତି।ତୁ କହ ଖୁସିରେ ତାଙ୍କ କଥାରେ ରାଜି ନ ହୋଇ ଏତେ ବିପଦକୁ କାଇଁ ଡାକିବା !
ବୁଝିଲୁ ହିରୋଇନ୍!! ମୂଲିଆ ମାଇପ ପୁଣି ସୁନ୍ଦରୀ ହେଲେ ଗଲା ଜାଣ।ତୁ କାଇଁ ଏତେ ସୁନ୍ଦର ହେଉଥିଲୁ ଯେ... ଯିଏ ଦେଖିଲା ସିଏ ରସୁଛି।
ମୁଣ୍ଡ ଟେକି ତିଆରି ହେଉଥିବା ଆଠ ମହଲା କୋଠାକୁ ଅନେଇଁଲି।ସତ ତ ମୂଲିଆ ମାଇପ ରକ୍ତ ଝାଳ ବୁହାଇ ଏମିତି କେତେ କୋଠା, ରାସ୍ତା, ଦ୍ରବ୍ୟ ତିଆରି କରିବେ। ଭୋଗ କଲା ବେଳକୁ ବାବୁ ମାନଙ୍କ ମିସେସ୍।
ଆମେ ମୂଲିଆ ସ୍ତ୍ରୀ ଗୁଡା ମାଇପ।ଆଉ ବାବୁ ଅଫିସରଙ୍କର ସ୍ତ୍ରୀ ମାନେ ମିସେସ୍ , ମେମ୍ ସାହେବ!ଏବେ ପୁଣି ଏ କରୋନା ! କାମ ନାହିଁ ପଇସା ନାହିଁ କିନ୍ତୁ ମୋ ଭାଗର ମାଡ଼ ବଢି ଯାଇଛି । ବାବୁ ତାର ଖବର ପଠେଇଛନ୍ତି ତାଙ୍କ ଠିକଣା ଜାଗାକୁ ଯିବାକୁ । କେତେ କାଳ ହେବ ପର ମାଇକିନିଆ ଦେହ ସହ ଖେଳିନି ସେ ଡାହାଳ କୁକୁରଟା। ସକାଳ ଠାରୁ ବାଡିଖିଆ ବ୍ରହ୍ମା ବାଡ଼ଉଛି ବାବୁ ପାଖକୁ ଯିବାକୁ ରାଜି ହେଉ ନାହିଁ ବୋଲି । ଯୁକ୍ତି କରୁଛି ମୋ ସହ ଅଳପେଇସା ବ୍ରହ୍ମା । ମଜୁରିଆ ଦିହ । ଘଣ୍ଟାଏ ସଅକିଆ ଖଟଣି ଖଟିବୁ ଏକାଥରେ ଆଠ ଦିନର ମଜୁରୀ ଆଣିବୁ। ଶ୍ରମ ହେଉ କି ଦେହ ଖଟିବା ଆମ କାମ। ପେଟ ପାଇଁ ଟଙ୍କା ଦରକାର । ଆମେ ଖୁସିରେ ଦିହ ବିକୁଛେ ? ପେଟ ପାଇଁ ସିନା। କରୋନା ପାଇଁ କାମ ଧନ୍ଦାତ ବନ୍ଦ । କହୁନୁ କେମିତି ଚଳିବୁ ? ଦେହ ସାଇତି ସତୀ ହେଉଥା। ମରୁ ବୁଢ଼ାଟା, ମରୁ ବୁଇ ଓ ମରେ ମୁଁ। ତୁ କିନ୍ତୁ ସତୀ ହୋଇ ଥା।
ମୁଁ କି ତୁ ଚାହିଁଲେ କଣ ହେବ।ରାଜି ନ ହେଲେ ଉଠେଇ ନେବେ । ଏମିତି ଖୁସିରେ ଗଲେ ଗଣ୍ଡେ ଟଙ୍କା ହେଲେ ମିଳିବ। ସେମିତି ଉଠେଇ ନେଲେ ଫିଙ୍ଗିଦେବେ ପରିବା ଚୋପା ଭାବି। ଚିନ୍ତା କର କେଉଁଟା ଆମ ପାଇଁ ଭଲ।
ତୋତେ ଯେମତି ବାବୁ ଖୋଜୁଛନ୍ତି ମୋତେ ସେମିତି କେଉଁ ବାବୁଆଣୀ ଖୋଜନ୍ତେ କି ? ପୁଳେ ଟଙ୍କା କମାନ୍ତି। ବୁଇକୁ ଭଲ ସ୍କୁଲରେ ପଢ଼ାନ୍ତି। ବାବୁକୁ କହିଛି ମୋ ଦିହ କାହାର ଲୋଡ଼ା ଯଦି କହିବେ ।ତେଣିକି ତୋତେ ଆଉ ବାବୁ ପାଖକୁ ପଠେଇବାକୁ ପଡ଼ିବ ନାହିଁ । ଦୁହେଁ କଥା ହୋଇ ଶୋଇଲେ। ସକାଳୁ ଦେଖିଲା ବେଳକୁ ଏ କି ଅଘଟଣ ଘଟିଛି।
ଦିହ ମୂଲରେ ତୋ ସଉକ ପୂରଣ କରି ବଞ୍ଚିବା ଅପେକ୍ଷା ମୁଁ ମରଣକୁ ଆଦରି ନେଲି ରେ ବ୍ରହ୍ମା।। ମୋ ମଲା ଦିହର ସବୁ ଅଙ୍ଗ ଦାନ କରିବୁ ଡାକ୍ତରଖାନାରେ ।ଏଇ ଦୁଇଧାଡ଼ି ଲେଖା କାଗଜକୁ ଧରି ଭୋ ଭୋ ହେଉଛି ବ୍ରହ୍ମା।
ଫ୍ୟାନରେ ଲଟକିଥିବା ବ୍ରହ୍ମା ସ୍ତ୍ରୀର ଶବ ଯାଉଥିଲା ବ୍ୟବଚ୍ଛେଦ ହେବାକୁ।
