STORYMIRROR

LALIT MOHAN DASH

Abstract Romance

4  

LALIT MOHAN DASH

Abstract Romance

ଦିବ୍ୟ ପ୍ରେମ

ଦିବ୍ୟ ପ୍ରେମ

5 mins
367


ପ୍ରେମର ପରାକାଷ୍ଠା ନିବେଦନରେ ଯେତିକି ଥାଏ ବିରହରେ ମଧ୍ଯ ସେତିକି ଥାଏ। ଏ କଥା ଗୋପୀ ମାନଙ୍କଠାରେ ସ୍ପଷ୍ଟ ଦେଖିବାକୁ ମିଳେ। ସେମାନଙ୍କ ନିବେଦନ ଓ ସମର୍ପଣରେ ପ୍ରେମର ଉତ୍ସର୍ଗୀକୃତ ଭାବ ଅନୁଭବ କରିହେଲା ପରି ବିଚ୍ଛେଦ ଜନିତ ଦୁଃଖରେ ମଧ୍ଯ ସମ ପରିମାଣର ପ୍ରେମ ଅନୁଭବ ଥାଏ। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ଯ ସତ୍ଯ। ଯାହାର ଯେତେ ଅଧିକ ସ୍ମରଣ ଓ ଚିନ୍ତନ ତାର ସେତେ ଅଧିକ ପ୍ରେମର ସ୍ଫୁରଣ। ଅର୍ଥାତ ଅଧିକ ବିରହ ପୀଡାରେ ପ୍ରେମର ଚମକ ଅଧିକ। ଦିବ୍ୟ ପ୍ରେମରେ ଶରୀରର ଭାବ ଠାରୁ ଐଶ୍ବରୀୟ ଭାବ ଅଧିକ ପରିପୁଷ୍ଟ ହେଉଥିବାରୁ ବାସନା ଓ ବ୍ୟସନ ଅପେକ୍ଷା ମନରେ ବୈଶେଷିକ ଭାବ ଅଧିକ ଥାଏ। ସେଥିପାଇଁ ଲୌକିକ ପ୍ରେମ ରେ ଏସବୁ ବୁଝିବା କଠିନ ହେଇଯାଏ ଓ ସେ ଭ୍ରମରେ ପଡିଯାଏ। 

ଅକ୍ରୁର ଯେତେବେଳେ କୃଷ୍ଣଙ୍କୁ ନେବା ପାଇଁ ଆସି ଥିଲେ ଗୋପୀମାନଙ୍କ ଅବସ୍ଥା ଦେଖି ତାଙ୍କର ମଧ୍ଯ ଏଇ ଭ୍ରମ ଅବସ୍ଥା ଆସିଥିଲା। ସେ ନିଜକୁ ପଚାରି ବସିଥିଲେ ଯେ ଏମିତି କଣ କେହି କାହାକୁ ପ୍ରେମ କରିପାରେ। ବିଚ୍ଛେଦ ବିରହରେ କଣ ଏତେ ପୀଡା ଆସି ପାରେ। ସନ୍ତାନ ବିଚ୍ଛେଦରେ ମାର ବିକଳ ଅବସ୍ଥା ଠାରୁ ଏ କାରୁଣିକ ଚିତ୍ର କିଛି କମ ନୁହେଁ। ପ୍ରେମୀର ଏହା ମୋହ ନା ଆଧ୍ୟାତ୍ମିକ ଉତ୍କର୍ଷତା। ଅକ୍ରୁର ଗୋପୀମାନଙ୍କ ମାନସିକ ଅବସ୍ଥା ଦେଖି ଦ୍ବନ୍ଦ୍ବ ରେ ପଡି ଯାଉଥିଲେ।

  

ପ୍ରେମ ମାନବୀୟ ହେଉ, ଅତିମାନବୀୟ ହେଉ, ପଶୁପକ୍ଷୀଙ୍କ ପ୍ରତି ହେଉ ବା ପ୍ରକୃତି ପ୍ରତି ହେଉ, କାହାର ବିୟୋଗ ଲୌକିକ ସଂସାରରେ ଅସହ୍ଯ ମନେହୁଏ । ପ୍ରେମରସ ପାନ କରିବାର ଏହା ଏକ ଦୁଃଖଦ ପାର୍ଶ୍ବ। ପ୍ରେମ ଆମ ହୃଦୟର ଗଭୀରତମ ପ୍ରଦେଶକୁ ସ୍ପର୍ଶ କରିଥାଏ ବୋଲି ବିଚ୍ଛେଦ ଶୁଣିବା ମାତ୍ରେ ଚିତ୍ତ ବିକଳ ହେଇଉଠେ, ମନରୁ ଧୈର୍ଯ୍ୟ ଚ୍ୟୁତି ଘଟି ଅଧିରତା ବଢାଏ। ଖାଇବା ପିଇବାରେ ମନ ଲାଗେ ନାହିଁ। ଜଗତଟା ଶୂନ୍ଯ ବୋଧହୁଏ। ମନର ଏହି ବିରହ ଅବସ୍ଥା ଗୋପୀମାନେ ତାଙ୍କ ପ୍ରାଣପ୍ରିୟ ଶ୍ୟାମସୁନ୍ଦରଙ୍କ ପ୍ରତି ଯାହା ଦେଖାଇ ଥିଲେ ସେହି ଭାବନା ଅନୁଭବୀ ହିଁ ବୁଝି ପାରିବ। କାରଣ ସୁଖର ଅବସ୍ଥା ଆଖି ଆଗରୁ ଉଜୁଡି ଯାଉ ଥିବା ବେଳେ ମନର ଅବସ୍ଥା ଯାହା ହୁଏ ତାହା କେବଳ ଭୁକ୍ତଭୋଗୀ କହିପାରେ। ଇଏ ଏଭଳି ଅବସ୍ଥା ଯାହା ବାକ୍ୟରେ ବର୍ଣ୍ଣନା କରି ହୁଏ ନାହିଁ। ଅଧର ରସରେ ପ୍ରେମ ଖୋଜୁଥିବା ବ୍ଯକ୍ତି ଆତ୍ମଚିନ୍ତନ କରି କଣ କେବେ ଆତ୍ମ ନିବେଦନ କରି ପାରିବ ନା ନିବୃତ୍ତି ମାର୍ଗୀ ହୋଇ ଶରୀର ସୁଖକୁ ତୁଚ୍ଛ ମନେ କରିପାରିବ। ଲୌକିକ ଆଚାର ରେ ପ୍ରେମ କେବଳ ବାହ୍ଯ ଇନ୍ଦ୍ରିୟର ଏକ ବିଳାସ ମାତ୍ର। ଯେହେତୁ ଏଠି ଭୋଗର ଆକର୍ଷଣ ବିନା ପ୍ରେମ ପରିପକ୍ବ ହୁଏନାହିଁ, ଏହାକୁ କୃଷ୍ଣ ରସ ସହ ତୁଳନା କରି କଳୁଷିତ କରିବା ଉଚିତ ନୁହେଁ। ବୈଲକ୍ଷଣ ର ବୈଚିତ୍ର୍ୟ ଯେତେବେଳେ ଆନନ୍ଦ ଦିଏ ତାହା ଲୌକିକ ଲକ୍ଷଣରେ ସିମୀତ ହୋଇ ରହିପାରେ ନାହିଁ। ଗୋପୀମାନଙ୍କ ଆଚରଣ ଠିକ ସେହିପରି ଥିଲା। ବୈଲକ୍ଷଣ ଦେଖି ସମସ୍ତେ ବିସ୍ମିତ ହେଉଥିଲେ ମଧ୍ଯ କୃଷ୍ଣ ପ୍ରେମ ସମସ୍ତଙ୍କୁ ସେଇ ରସରେ ମଗ୍ନ କରି ଦେଉଥିଲା।


ଅକ୍ରୁର ଗୋପୀମାନଙ୍କୁ ଦେଖି ଯେତିକି ବିସ୍ମିତ ହେଉଥିଲେ ସେତିକି ଆନନ୍ଦିତ ହେଉଥିଲେ।

ଶ୍ରୀକୃଷ୍ଣ ଙ୍କ ମଥୁରା ଯିବା ଶୁଣି ବିରହ ବେଦନାରେ ବ୍ୟଥିତା ବ୍ରଜାଙ୍ଗନାମାନେ ଯେତେବେଳେ ଲକ୍ଷ୍ଯ କରି ଦେଖିଲେ, କୃଷ୍ଣଙ୍କ ହସହସ ମୁହଁଟି ଝାଉଁଳି ଯାଇଛି। ଜଣେ ଆଉଜଣଙ୍କୁ ଚାହିଁ କହୁଥାଏ, ଦେଖ! ତାଙ୍କ ମୁହଁ କେମିତି ରାହୁ ଗ୍ରାସ କଲା ପରି ଦିଶୁଛି। ସେ ଏତେ ଦୁଃଖୀ ହେଇ ପଡିଛନ୍ତି ଯେ ଆମ ସହ ତୁଣ୍ଡ ଖୋଲି କଥା ହେଉନାହାନ୍ତି।

ଆଉଜଣେ ଗୋପୀ ୟାଙ୍କ କଥୋପକଥନ ଶୁଣି କହୁଛି - ନକହିଲେ ନାଇଁ ପଛେ, ଆମ ଆଡକୁ ତାଙ୍କ ବାଙ୍କ ଚାହାଣୀରେ ଟିକିଏ ଅନୁରାଗ ପୂର୍ଣ୍ଣ ଦୃଷ୍ଟିରେ ଚାହିଁଦିଅନ୍ତେ ହେଲେ ଆମେ କୃତକୃତ୍ୟ ହେଇ ଯାଆନ୍ତୁ। 

ଅକ୍ରୁର ଏସବୁ ଦେଖି ଭାବୁଥାନ୍ତି, କେତେ ମହାନ ଏମାନଙ୍କ ପ୍ରେମ! ବିରହରେ ବିଚ୍ଛୁରିତ ପ୍ରେମରୁ ସତେ ଯେମିତି ଅମୃତର ଅନୁରାଗ ଝରି ଆସୁଛି।

ରଥରେ ଯିବା ଦେଖି କେହି କୃଷ୍ଣଙ୍କ ପ୍ରେମରେ ସ୍ପର୍ଶ ପାଇଁ କାତର ନୁହନ୍ତି, ଆଲିଙ୍ଗନ ପାଇଁ ଉଦ୍ୟତ ନୁହନ୍ତି। ସମସ୍ତେ କେବଳ ତାଙ୍କର ଦୃଷ୍ଟି ଟିକିଏ ପାଇବା ପାଇଁ ତାଙ୍କ ଆଡେ ବାରମ୍ବାର ଚାହୁଁଛନ୍ତି। ରଥ ଆଗରେ ରହିଥିବା ଗୋପୀମାନେ ଯେମିତି ଭାବୁଛନ୍ତି, ରଥ ପଛରେ ଥିବା ଗୋପୀମାନେ ମଧ୍ଯ ସେମିତି ଭାବୁଛନ୍ତି। ମାୟାଧର କୃଷ୍ଣ ସମସ୍ତଙ୍କୁ ନିଜ ହସ ହସ ମୁହଁର ଦର୍ଶନ କରାଇ ବିରହ ପୀଡାକୁ ଶୀତଳ କରୁଛନ୍ତି। ଯିଏ କୃଷ୍ଣଙ୍କ ଦୃଷ୍ଟିକୁ ଦେଖି ପାରୁଥିଲା ସେ ନିଜକୁ ଅହୋଭାଗ୍ୟ ମନେକରି ସେଇ ଚିନ୍ତନରେ ଡୁବି ରହୁଥିଲା। ଯିଏ ଇଚ୍ଛା କରି ମଧ୍ଯ ସେଇ ମୋହନ ଦୃଷ୍ଟି ପାଇ ପାରୁ ନଥିଲା, ସେ ଭାବୁଥିଲା ମୋ କୃଷ୍ଣ କଣ ଏତେ ନିଷ୍ଠୁର ଓ ନିର୍ଦ୍ଦୟ ଯେ ଆମ ସମ୍ପର୍କ କୁ କୁଟା ଖଣ୍ଡେ ଛିଡାଇଲା ପରି ଛିଡେଇ ଚାଲି ଯାଉଛନ୍ତି। ନିରାଶରେ ଥାଇ ମଧ୍ଯ ସେମାନେ କୃଷ୍ଣ ଚିନ୍ତନ କରୁଛନ୍ତି। ସେଇ ଚିନ୍ତନ ରେ ସେମାନେ ମଧ୍ଯ ବିଭୋର ହେଇ ଉଠୁଛନ୍ତି।


ଅକ୍ରୁର ମନେ ମନେ ଭାବିଲେ, ଏଇ କଣ ସେଇ ଅପ୍ରାକୃତ ପ୍ରେମ ଯାହା ଭକ୍ତିର ମାର୍ଗକୁ ପ୍ରଶସ୍ତ କରେ। ନହେଲେ ବିରହରେ ବିବଶ ହୋଇ ମଧ୍ଯ ସ୍ମରଣ, କୀର୍ତ୍ତନ ଓ ଗୁଣଗାନ କରି ମହାନନ୍ଦ କେମିତି ପାଉଛନ୍ତି !


ଅକ୍ରୁର ଏପରି ପରିସ୍ଥିତି ଦେଖି ଭଗବାନଙ୍କ ଏହା ଅଲୌକିକ ଲୀଳା ମନେକରି ସେଥିରେ କିଛି କ୍ଷଣ ବୁଡିଯାଇ ବିଭୋର ହେବାକୁ ଲାଗିଲେ। କିନ୍ତୁ ଲୌକିକ ଜ୍ଞାନକୁ ଫେରି ଯେତେବେଳେ କୃଷ୍ଣ ବଳରାମଙ୍କ ମୁହଁକୁ ଚାହିଁଲେ, ପିଲା ଦୁହିଁଙ୍କ ହସ ହସ ମୁହଁରେ ପୁଣି ତାଙ୍କୁ ସେ ସାମାନ୍ଯ ବୋଲି ଜ୍ଞାନ ହେଲେ। ଏ ପିଲା ଦୁଇଟି କଣ ସତରେ ମୋ ପ୍ରଭୁ! ଥରେ ମୂର୍ଚ୍ଛା ଯାଇଥିବା ଗୋୀପିମାନଙ୍କୁ ଚାହୁଁ ଥାନ୍ତି, ଥରେ ରାମ କୃଷ୍ଣଙ୍କୁ ଦେଖୁଥାନ୍ତି। ଯେତେ ଦେଖୁଥାନ୍ତି ସେତେ ଦ୍ୱିଧାରେ ପଡି ଯାଉଥାନ୍ତି। କୃଷ୍ଣଙ୍କ ହସହସ ମୁହଁରେ ମୋହିତ ହେଲେ ମଧ୍ଯ ଭଗବାନଙ୍କ ଅଲୌକିକ ରୂପ ଦେଖି ନପାରି ମନ ମଧ୍ଯରେ ଇୟେ କଣ ପ୍ରଭୁ ବୋଲି ମନରେ ଶଙ୍କା ସୃଷ୍ଟି କରୁଥାନ୍ତି। ଭଗବାନ ସଦାବେଳେ ଭକ୍ତର ଏଇ ମୂହୂର୍ତ୍ତକୁ ଅପେକ୍ଷା କରି ରହିଥାନ୍ତି, ତାର କେତେବେଳେ ଶଙ୍କା ଆସିବ ଓ ସେ ଶଙ୍କା ଦୂର କରିବେ। ସେଥିପାଇଁ ତ ସେ ମାୟାଧାରୀ, ଭକ୍ତବତ୍ସଳା ଓ ଭକ୍ତଭୟହାରୀ। ପ୍ରଭୁ ନିଜ ଭକ୍ତଙ୍କୁ ଅବହେଳା କରନ୍ତି ନାହିଁ କି ସନ୍ଦିଗ୍ଧ ମନା କରି ରଖନ୍ତି ନାହିଁ।

ଅକ୍ରୁର ଯେତେବେଳେ ମଥୁରାରୁ ଗୋପପୁରକୁ ଆସିଥିଲେ, ସେ କୃଷ୍ଣଙ୍କ ଦିବ୍ୟମୂର୍ତ୍ତି ଦର୍ଶନ କରି ପାରିନଥିଲେ କାରଣ ସେ କୃଷ୍ଣଙ୍କୁ ଦେଖିବା ମାତ୍ରେ ପିଲା ମନେକରି ବାତ୍ସଲ୍ୟ ସ୍ନେହରେ ସବୁ ଭୁଲି ଯାଇଥିଲେ। ସାଧାରଣ ଲୋକପରି ଗୋପୀମାନଙ୍କୁ ସେ ଦେଖୁଥିଲେ। ଗୋପୀମାନଙ୍କର କୃଷ୍ଣଙ୍କ ପ୍ରତି ଥିବା ସ୍ନେହ ଓ ବିରହ ଭାବକୁ ଦେଖି ଅକ୍ରୁର ନିଜକୁ ଅପରାଧୀ ମନେ କରୁଥିଲେ ଓ ଭାବୁଥିଲେ ଯେ କୃଷ୍ଣଙ୍କୁ ଯଦି କଂସ ମଥୁରାରେ କିଛି କରେ, ସେ କେତେ କଳଙ୍କ ବୋହିବେ ଓ ସଂସାର ତାଙ୍କୁ କଣ କହିବ ! ସେ ଏସବୁ ସହ୍ଯ କରିପାରିବେ ତ!


ଭକ୍ତବତ୍ସଳ ଭଗବାନ ଅକ୍ରୁରଙ୍କ ମନକଥା ଜାଣି ପାରି ତାଙ୍କ ଦିବ୍ୟରୂପ ଦେଖାଇବାକୁ ସ୍ଥିର କଲେ। ମଧ୍ୟାହ୍ନ ଆଗତ ହୁଅନ୍ତେ ଅକ୍ରୁର ଯମୁନା କୁଳରେ ରଥ ରଖି ଦୁଇ ଭାଇଙ୍କୁ ସ୍ନାନ ସାରି ଫେରିବାକୁ କହିଲେ। ଅକ୍ରୁର ତାପରେ ନିଜେ ସ୍ନାନ କରିବାକୁ ଯେତେବେଳେ ଜଳରେ ବୁଡିଲେ, ସେ କୃଷ୍ଣ ରାମଙ୍କୁ ଜଳ ମଧ୍ଯରେ ବସିଥିବାର ଦେଖିଲେ। ପୁଣି ଥରେ ବୁଡି ଅକ୍ରୁର ଏହା ନିଜର ଭ୍ରମ କି ବୋଲି ବୁଝିବାକୁ ଚେଷ୍ଟା କଲେ। ଏଥରକ ରାମକୃଷ୍ଣ ପାଣି ଭିତରେ ହସୁଥାନ୍ତି। ଅକ୍ରୁର ମନେ ମନେ ଭାବିଲେ ମୋତେ ଭଣ୍ଡିବା ପାଇଁ ଏମାନେ ପୁଣିଥରେ ପାଣି ରେ ପଶିଗଲେ କି ! ସେ ନିଶ୍ଚିତ ହେବାକୁ ରଥ ଆଡେ ଚାହିଁଲେ। ରଥରେ ଦୁଇ ଭାଇ ବସି ତାଙ୍କ ଆଡକୁ ଅନାଇ ଖିଲି ଖିଲି ହସୁଥାନ୍ତି। ଅକ୍ରୁର ବିସ୍ମୟରେ ଅଭିଭୂତ ହୋଇ ପୁଣି ଥରେ ବୁଡ ପକାଇଲେ। ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ଏଥର। ସେ ରାମ କୃଷ୍ଣଙ୍କୁ ଦେବ ଗନ୍ଧର୍ବଙ୍କ ଦ୍ବାରା ପରିବେଷ୍ଟିତ ହେଇ ପାଣି ଭିତରେ ବସିଥିବା ଦେଖିଲେ। ସେହି ଶ୍ୟାମସୁନ୍ଦର ପୀତାମ୍ବରୀ ହୋଇ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ମୃଦୁ ମନ୍ଦ ହାସ୍ୟଛଟା ରେ ତାଙ୍କୁ ଦେଖୁଛନ୍ତି। ଏପରି ଅଦ୍ଭୁତ ମନୋମୁଗ୍ଧକର ଶୋଭା ଦେଖି ସେ ଆନନ୍ଦ ସାଗର ରେ ନିମଜ୍ଜିତ ହେଇଗଲେ। ତାଙ୍କର ସର୍ବାଙ୍ଗ ପୁଲକିତ ହେଇ ଉଠିଲା। ପ୍ରଭୁଙ୍କର ଏହି ଦିବ୍ୟ ଅଲୌକିକ ଋପ ଦେଖି ସେ ଚେତନା ହରାଇଲା ପ୍ରାୟ ଅଣନିଶ୍ବାସୀ ହେଇପଡିଲେ। ତାପରେ ଧର୍ଯ୍ୟ ଧାରଣ କରି ତାଙ୍କ ପଦାରବିନ୍ଦ ରେ ସ୍ତୁତି ଆରମ୍ଭ କରିବା କ୍ଷଣି ବାହ୍ୟ ଜ୍ଞାନ ହରାଇ ଆନନ୍ଦାଶ୍ରୁ ଝରାଇବାକୁ ଲାଗିଲେ । ଅକ୍ରୁର ଙ୍କ ଆଖି ଖୋଲିବା କ୍ଷଣି ଏହି ଦିବ୍ୟରୂପ ଅନ୍ତର୍ହିତ ହେଇ ଯାଇଥିଲା। ସେ ବାହାରକୁ ଆସି ଦେଖିଲେ ରାମକୃଷ୍ଣ ରଥ ଉପରେ ବାଳ ସୁଲଭ ଆଳାପରେ ମାତିଛନ୍ତି।

ଅକ୍ରୁର ଙ୍କ ସମସ୍ତ ସନ୍ଦେହ ଦୂର ହେଇ ସାରିଥିଲା। ସେ କୃଷ୍ଣଙ୍କ ଦିବ୍ୟରୂପ ଚିନ୍ତା କରି ଦିବ୍ୟ ପ୍ରେମରେ ଲୀନ ହେବାକୁ ଲାଗିଲେ।



Rate this content
Log in

Similar oriya story from Abstract