ଧଣ୍ଡ ସାପର ବିଷ
ଧଣ୍ଡ ସାପର ବିଷ
ଚାରି ବର୍ଷ ତଳର ଘଟଣା । କଳାହାଣ୍ଡି ଜିଲ୍ଲାର ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ପାହାଡ ଜଙ୍ଗଲ ଘେରା ସୁନ୍ଦର ଏକ ଶାନ୍ତ ପରିବେଶ । ଡ଼ିସେମ୍ବର ମାସର ହାଡ ଭଙ୍ଗା ଶୀତ ରାତିର ନିର୍ଜନତାରେ ଅମାବାସ୍ୟାର ଅମା ଅନ୍ଧକାରକୁ ଘୋଡ଼ି ହୋଇ ସାରାଟା ଜୟପାଟଣା ନିଘୋଡ଼ ନିଦରେ ଶୋଇଯାଇଛି । ସମୟ ପ୍ରାୟ ରାତି ଅଢେଇ କିମ୍ବା ତିନି ହେବ । ଠିକ ସେତିକିବେଳେ ହସ୍ପିଟାଲ କଲୋନୀର ଆମ ସରକାରୀ କ୍ୱାର୍ଟର୍ସର ଲୁହା ଗେଟକୁ କେହି ଜଣେ ଖୁବ ଜୋରରେ ବାଡ଼େଇବାରର ଶବ୍ଦ ହେଲା । ମୁଁ ଡରିଯାଇ ଆଗ ଉଠିପଡିଲି ଓ ତାପରେ ମିଷ୍ଟରଙ୍କୁ ଉଠାଇଲି । husband କହିଲେ, "ବ୍ୟସ୍ତ ହେବାରେ କିଛି ନାହିଁ । ଏଠି ଏମିତି ବିଷ ଖାଇ ରାତି ଅଧିଆ ବହୁତ ରୋଗୀ ଆସନ୍ତି । କେହି ହୁଏତ ବିଷ ପିଇଦେଇଛି । ତୁମେ ଶୋଇପଡ । ମୁଁ ଦେଖୁଛି " । ମୁଁ କିନ୍ତୁ ଖୁବ ଡରିଯାଇଥିଲି, ସେଭଳି ପରିବେଶରେ ମୁଁ ସମ୍ପୂର୍ଣ୍ଣ ନୂଆ । husband ଗେଟ ଖୋଲିବାକୁ ଗଲାବେଳେ ମୁଁ ତାଙ୍କ ପଛେ ପଛେ ବଡ ଗୋଟେ ପରିବା କଟା ଛୁରୀ ଧରି ଚାଲିଲି ।
ଗେଟ ଖୋଲି ଦେଖିଲୁ ଜଣେ ସ୍ତ୍ରୀଲୋକ ସହିତ ବାଇଶିରୁ ପଚିଶ ବର୍ଷ ବୟସ୍କ ଦୁଇଟି ଯୁବକ ଗେଟ ସେପଟେ ଠିଆ ହୋଇଛନ୍ତି । ଯେମିତି ଇଏ ଗେଟ ଖୋଲିଛନ୍ତି ସ୍ତ୍ରୀଲୋକ ଜଣଙ୍କ ବାୟାଣୀ ପ୍ରାୟ କାନ୍ଦୁଣୁ ମାନ୍ଦୁଣୁ ହୋଇ ଭିତରକୁ ପଶି ଆସିଲା । ୟାଙ୍କୁ ହାତ ଯୋଡି ଅନୁନୟ ବିନୟ ହୋଇ କହିଲା, "ଆଜ୍ଞା !!ମୋ ସ୍ୱାମୀଙ୍କୁ ବଞ୍ଚେଇ ଦିଅନ୍ତୁ ଆଜ୍ଞା । ତାଙ୍କୁ ସାପଟେ କାମୁଡ଼ିଦେଇଛି "। ଇଏ ଯେତେବେଳେ ତାଙ୍କ ସ୍ୱାମୀ କୋଉଠି ପଚାରିଲେ, ସେ ସ୍ତ୍ରୀଲୋକ କହିଲା ତା ସ୍ୱାମୀ କୋଉ ଗୋଟେ ଗୁଣିଆ ଘରେ ଅଛି । ଇଏ ରାଗି କରି କହିଲେ, "ଏଠିକୁ କାହିଁକି ଆସିଛ ତାହେଲେ? ଯାଅ ତାଙ୍କୁ ହସ୍ପିଟାଲ ନେଇକି ଆସ । ଯାଅ ମୁଁ ଫୋନ କରୁଛି ଡ୍ରାଇଭରକୁ ଆମ୍ବୁଲାନ୍ସ ବାହାରକରିବ । ଜଲଦି ଆଣିକି ଆସ ତାଙ୍କୁ "।
ସ୍ତ୍ରୀ ଲୋକଟି ଛେପ ଢ଼ୋକି କହିଲା, "ନାଇଁ ଆଜ୍ଞା.. ଆମ୍ବୁଲାନ୍ସ କଣ ହେବ? ଆମେ ବାଇକ ଆଣିକି ଆସିଛୁ,ଆମ ସହ ଚାଲନ୍ତୁ । "
-"ନାଇଁ ନାଇଁ ସେଠି ଯାଇ ସାପ କାମୁଡ଼ା ରୋଗୀର ଚିକିତ୍ସା କରିହେବନାହିଁ । ତାଙ୍କୁ ଏଠାକୁ ଆଣ । " ଇଏ ପୁଣି କହିଲେ ।
ଏଥର ସ୍ତ୍ରୀଲୋକଟା ଟିକେ ରାଗିଗଲା ପରି ଜଣାଗଲା । ସେ ଟିକେ ରାଗ ତମ ତମ ହେଇକହିଲା, "କାହିଁକି ଯିବେନି ଆପଣ?ଜଣେ ରୋଗୀ ଜରରେ ପଡି ଅଚେତ ହେଇଗଲାଣି, ଆପଣ କହୁଛନ୍ତି ଯିବେ ନାହିଁ? ମୁଁ ଆପଣଙ୍କୁ ମୋ ସ୍ୱାମୀଙ୍କ ସାପ କାମୁଡ଼ା ଚିକିତ୍ସା କରିବାକୁ ଡାକୁନାହିଁ ବରଂ ତାଙ୍କୁ ଯିଏ ଝାଡ଼ି ଠିକ କରିବେ ସେହି ଗୁଣିଆଙ୍କ ଜର ଭଲ କରିବାକୁ ଡାକୁଛି । ନବ ଗୁଣିଆ ଭଲ ହେଇଗଲେ, ସେ ମୋ ସ୍ୱାମୀଙ୍କ ଦେହରୁ ବିଷ ଝାଡ଼ି ତାଙ୍କୁ ଭଲ କରିଦେବେ । ଆଉ ଆପଣ ଯଦି ଏବେ ମୋ ସଙ୍ଗେ ନଯାଆନ୍ତି ଓ ମୋ ସ୍ୱାମୀଙ୍କର କିଛି କ୍ଷତି ହେଇଯାଏ ସେଥିପାଇଁ କେବଳ ଆପଣ ହିଁ ଦାୟୀ ରହିବେ । "
ଆଶ୍ଚର୍ଯ୍ୟ ଲୋକ ଏମାନେ !! ଗୁଣିଆ ସାପର ବିଷକୁ ଝାଡ଼ି ବାହାର କରିପାରୁଛି କିନ୍ତୁ ନିଜ ଶରୀରରୁ ସାମାନ୍ୟ ଜରଟାକୁ ବାହାର କରିପାରୁନାହିଁ !! Husband ସେମାନଙ୍କୁ ବହୁତ ବୁଝାଇଲେ । ସେ ଗୁଣିଆ ଓ ସାପକାମୁଡ଼ା ରୋଗୀ ଦୁହିଁଙ୍କୁ ଧରି ହସ୍ପିଟାଲ ଆସିବାକୁ କହିଲେ । ସେମାନେ କିନ୍ତୁ ବୁଝିବାକୁ ନାରାଜ । ଇଏ ବାଧ୍ୟ ହୋଉ ହସ୍ପିଟାଲର ଆଉ ଦୁଇଜଣ ନୂଆ ଡ଼କ୍ଟରଙ୍କୁ ଡକେଇ ସେମାନଙ୍କ ସହ ସେହି ନବ ଗୁଣିଆର ଘରକୁ ଗଲେ ।
ନବ ଗୁଣିଆର ଘରେ ପହଞ୍ଚି ଦେଖିଲେ ଗୁଣିଆଟା ଜରରେ କମ୍ପି କମ୍ପି ତଳେ ଅଚେତ ଅବସ୍ଥାରେ ପଡିଛି । ଦେହରେ ଭୀଷଣ ତାତି । ଶହେ ଚାରି ତାପମାତ୍ରା । ପୁଣି ସେହିଠି ଟିକେ ଦୂରକୁ ସାପ କାମୁଡ଼ା ରୋଗୀ ହେମକାନ୍ତ ଦାସ ବସି ଥରୁଛି । ନବ ତାକୁ କଣ ଝାଡିଲା କେଜାଣି, ତାହାରି ପରାମର୍ଶ କ୍ରମେ ତାର ଚେଲା ଚାମୁଣ୍ଡା ଲୋକ ହେମା ଉପରେ ଏହି ଜାଡ଼ ଶୀତ ରାତିରେ ପାଣି ଗରା ଗରା ଢ଼ାଳି ଚାଲିଛନ୍ତି । ହେମକାନ୍ତ ଥରି ଥରି ବେହୋସ ହେବା ଉପରେ । ଆଖି ଦୁଇଟି ନାଲି ପଡି ବୁଜି ହେଇଯାଉଛି । ଏମାନେ ଯେତେକ ଡାକ୍ତର ଓ କର୍ମଚାରୀ ଜୟପାଟଣା chc ରୁ ଯାଇଥିଲେ, ଜୋର କରି ସେ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ chc କୁ ନେଇଆସିଲେ ।
ନବକୁ ଜର ପାଇଁ ଚିକିତ୍ସା କରାଗଲା । ହେମକାନ୍ତର ବ୍ଲଡ଼ କୋଆଗୁଲେସନ ଟେଷ୍ଟ ହେଲା । ପରୀକ୍ଷାରୁ ଜଣା ପଡିଲା ତା ରକ୍ତରେ କୌଣସି ଵିଷଧର ସର୍ପର ଭେନମ ନାହିଁ । ତାକୁ ନିଶ୍ଚେ କୋଉ ଗୋଟେ ଧଣ୍ଡ କିମ୍ବା ଢମଣା ପରି ବିଷ ନଥିବା ସାପ ହିଁ ଦଂଶିଛି । ହେମକାନ୍ତକୁ ଭୀଷଣ ସର୍ଦି ଲାଗିଯାଇଥିବାରୁ ତାକୁ ସର୍ଦି ପାଇଁ ଔଷଧ ଦିଆଗଲା । ତହିଁ ଆରଦିନ ଦୁହେଁ ଯାକ, ସାପ କାମୁଡା ରୋଗୀ ଓ ଝଡାଳୀ ସୁସ୍ଥ ହୋଇ ଆପଣା ଆପଣା ଘରକୁ ଗଲେ ।
ସେଦିନ ରାତିରେ ଠିକ ସମୟରେ ଯଦି ନବ ଗୁଣିଆ ଜରରେ ପଡି ଅଚେତ ହୋଇନଥାନ୍ତା, ବୋଧେ ହେମକାନ୍ତ ସେହି ଧଣ୍ଡ ସାପ କାମୁଡ଼ାରେ ସନ୍ନିପାତ ହୋଇ ଆରପାରିକୁ ଚାଲିଯାଇଥାନ୍ତା ।
ଲୋପାମୁଦ୍ରା ମିଶ୍ର
