Satyabati Swain

Romance

2.0  

Satyabati Swain

Romance

ଧେତ୍ ତୁମେ ବି ନା

ଧେତ୍ ତୁମେ ବି ନା

4 mins
226


ଖାଲି ବହିଟାରେ ମୁହଁ ମାଡୁଛି । ଆଉ କେଉଁ କଥାକୁ ନିଘା ନାହିଁ!!!ମୋ ଜେଜେ ମା ସବୁବେଳେ ଚିନ୍ତା କରୁଥିଲା "ଝିଅଟି ପର ଘରକୁ ଯିବ ରୋଷେଇବାସ କିଛି ବି ଧାର୍ ଧାରୁନି!!"କେମିତି ଚଳିବ ଯାଇ ଶାଶୁ ଘରେ । ନାଁ ଗାଁ ପକାଇବ ତ..."

       ମୋ ମା ଟିକେ ହସେ । କୁହେ ବ୍ୟସ୍ତ ହୁଅନି ବୋଉ,ସବୁ ବେଳ ଆସିଲେ ଠିକ୍ ହୋଇଯିବ । 'ଆଦ୍ୟା' ପରା ଆମର ପାଠ,ଗୀତ,ନାଚ ସବୁଥିରେ ଧୁରନ୍ଧର!!ରୋଷେଇଟି ବଳେଇ ଯିଵ କି!!ଜେଜେମା କୁହେ ହେଉ ଲୋ ଉମି ବସାଇଥା ମୁଣ୍ଡରେ । ଦେଖିବୁ ନାଁ ପକେଇବ ବାପା ଦାଦାର ।

       ମା କିନ୍ତୁ ଆଦୌ ବ୍ୟସ୍ତ ହୁଏନି । ସବୁ ମାଙ୍କ ତାଙ୍କ ପିଲା ଉପରେ ଏତେ ଅତୁଟ ବିଶ୍ୱାସ କେମିତି ଥାଏ । ତା ଛୁଆ ସବୁ ପାରିବ,ତା ଛୁଆ କୋଟିଏରେ ଗୋଟିଏ ହେବ ,ତା ଛୁଆ କେବେ ଭୁଲ୍ କରିପାରେନା

,ଦୁନିଆଁର ସବୁଠୁ ସୁନ୍ଦର ତା ଛୁଆ ;ଏମିତି ବିଶ୍ୱାସ ଯେ ରଖିଥାଏ ତା ନାଁ ବୋଧେ ମା । ମା ର ମୋ ଉପରେ ଥିବା ବିଶ୍ୱାସ ମୋତେ ଶକ୍ତି ଓ ସାହସ ଦିଏ । ମୁଁ କୁହେ "ଯା ମ ଜେଜେମା ଖାଲି ମୋ ପିଛା ପଡ଼ିଥା । କିଛି ତ କାମ ନାହିଁ । ଆଉ କଣ କରିବୁ;ମୋରି ସାଙ୍ଗେ ଲଗା..." ।

      ଦେଖେ ଦେଖେ ଉମି ତୋ ଝିଅ ତୋ ମୁହଁ ପାଇ କେମିତି ମୋ ମୁହଁରେ ଜବାବ ଦେଉଛି । କଣ ନାକରା କଥା କହୁଛି ଲୋ ଅଣ୍ଡିରି ଚଣ୍ଡି । ଗାଡିଚଳେଇବୁ

ପୁଅଙ୍କ ପରି ସାଇଁ ସାଇଁ । ଆଉ ରୋଷେଇ ବେଳକୁ ସୁଆଙ୍ଗ ଦେଖେଉଛୁ । ତୁ ଝିଅଟା ରୋଷେଇ ଆଗ ଶିଖିବା ଉଚିତ । କଣ ନା ମୋତେ ରୋଷେଇ ଆସିବ ନାହିଁ । ଆଲୋ ହୁଣ୍ଡି ସମସ୍ତଙ୍କୁ ସବୁ କଥା କଣ ଆସି

ଥାଏ??ଶିଖୁ ଶିଖୁ ହୋଇଯାଏ । ତୋ ମା ତ ଆସିଲା ବେଳେ ଶାଗ ଭାଜି ଜାଣି ନ ଥିଲା । ମୁଁ ଭଲ ଶାଶୁ ବୋଲି ଚଳେଇ ନେଲି । ପଚାରୁନୁ ତୋ ମା କୁ କେମିତି ଧକେଇ କାନ୍ଦୁଥିଲା ରୋଷେଇ ଘରେ ଯାଇ । ଆଲୋ ଉମି କହୁନୁ ମୁଁ ସତ କହୁଛି ନା ମିଛ ।

      ମା ହସି ହସି କହିଲା "ବୋଉ ତୁମେ କଣ ମିଛ କହିପାର" । ଆଦ୍ୟା ଟା ପିଲା ଲୋକ । ଖେଳିବା,ବୁଲିବା

,ପଢିବା ବୟସ ତାର । ବଳେ ବୁଦ୍ଧି ହୋଇଗଲେ ସେ ଆପେ ଆପେ ଶିଖି ଯିବନି ।

      ହଉ ମୁହଁ ବଢ଼ାଉ ଥା । ଯେତେବେଳେ ପାନେ ପାଇବୁ,ସେତେବେଳେ ମୋ କଥା ମା ଝିଅ ଦୁହେଁ ମନେ ପକାଇବ । ହଁ ମୁଁ ବା କେଉଁ ସେ ବେଳକୁ ଥିବି ଯେ.....

      ଓହୋ ବୋଉ କାହିଁକି ସବୁବେଳେ ଏମିତି କହୁଛନ୍ତି!!!ତୁମେ ତୁମ ନାତି ନାତୁଣୀ ଙ୍କ ବିଭା ସାଦି ନ ଦେଖି ଯାଉଛ ନା କଣ??ମୁଁ କେଉଁ ତୁମକୁ ଛାଡ଼ିବି?

      କଣ କହିଲୁ,ଛାଡ଼ିବୁ ନାହିଁ!!!ଆଲୋ ଉମି ' ସେ' ଯେତେବେଳେ ନେବ କେହି ଅଟକାଇ ପାରିବେ.....ତୁ ତ ନାକ କାନ୍ଦୁରି ଟା । ହଉ ଯା ଗଲୁ ଆଜି ଟିକେ ଚୁନା ପକା ଶାଗ କରୁବୁ । ତୋ ହାତ ରୋଷେଇରେ ଗୋଟେ ବାସ୍ନା ଅଛି । ଯେ ଖାଇବ ଝୁରିବ । ସେଥିପାଇଁ କହୁଛି ତୋ ହାତର ଯାଦୁ ଦେଇ ତୋ ଝିଅକୁ ଟିକେ ଶିଖା । ସେ ଯେମିତି ତୋ ପରି ସବୁରି ପେଟ ଅଣ୍ଡାଳିବ । ସମସ୍ତଙ୍କର ମା ହେବ । ଭଲ ମନ୍ଦ ଖୁଆଇ ତା ବରର ମନ କିଣିବ ।

      ମୋ ଜେଜେମାର ଏ କଥାର ଗୁରୁତ୍ୱ ମୁଁ ଆଦ୍ୟା ଅନେକ ଦିନ ପରେ ଅନୁଭବ କଲି । ଝିଅଟିଏ ଯେତେ ଯୋଗ୍ୟ ,ପାଠୋଇ ହେଲେବି,ହାଣ୍ଡି କର୍ ଚୁଲି ଦୀପାଟମେଂଟ ତାର ବାଧ୍ୟତାମୂଳକ ସେବା । ଏ ସେବା ସେ ନିଶ୍ଚୟ କରିବ । ମୁଁ ରେଳବାଇ ବିଭାଗର ଜଣେ ଅଫିସର । ହେଲେ ବି ରୋଷେଇ କରିବା ଦାୟିତ୍ବରୁ ମୁକ୍ତି ନୁହେଁ । ବେଳେ ବେଳେ ରୋଷେଇ କରିବାକୁ ପଡେ । କେବେ ନିଜ ଖୁସିରେ ତ କେବେ ରୋଷେଇଆ ଦେହ ଅସୁସ୍ଥ ହେଲେ । ପୁଣି କେବେ ପର୍ବ ପର୍ବାଣୀରେ । କହିବାକୁ ଗଲେ ଭଲ ମନ୍ଦ ଛ ଠା ଖାଦ୍ୟ ରୋଷେଇ କରି ନିଜ ଲୋକଙ୍କୁ ଖୁଆଇବା ଆନନ୍ଦ ସତରେ ନିଆରା । ଖୁବ୍ ଆନନ୍ଦ ଲାଗେ ନିଜ ହାତ ରନ୍ଧାର କେହି ପ୍ରଶଂସା କଲେ । ରାନ୍ଧିବା ଗୋଟେ କଳା,ମନୋବୃତି । ମନ ଲଗାଇ ଶାଗ ଭାଜିଦେଲେ ବି ଅମୃତ ପରି ଲାଗେ । ଯେମିତି ମୋ ମା ହାତ ରନ୍ଧା ।

       ମୋ ବିବାହ ପରର ଏକ ଘଟଣା । ବିବାହ ପରେ ମୋ ଶାଶୁ ମୁଢି ଘାଣ୍ଟ କରିବାକୁ କହିଲେ ମୋତେ କହିଲେ । ମୋ ଶାଶୁ ଘରେ ମୁଢି ଘାଣ୍ଟ ସମସ୍ତର୍ ଅତି ପ୍ରିୟ । ମୋ ଜେଜେମା ଓ ମୋ ମା ପରି ମୋତେ ମିଳିଥିବା ଶାଶୁ ବି ଥିଲେ ଭାରି ସ୍ନେହିଁ । ମୁଁ ଡାଲି ଓ ଅନ୍ୟ ପରିବା ପକାଇ ସେଥିରେ ଗୋଟେ ଜାର୍ ମୁଢି ପକାଇ ରାନ୍ଧିଥିଲି ।

ହେ ଭଗବାନ! ସେ ଦିନ ଡାଇନିଂ ଟେବୁଲ୍ ରେ କି ହସ!!ମୋତେ ପୁରା ଲାଜରା କରିଦେଲେ ମୋ ଦିଅର ବାବୁ ବିବେକ ।

      ଦେଖ ମାମା! ତୁମ ଗେହ୍ଲଇ ବୋହୁ ରାଣୀ ମୁଢି ପକାଇ ଘାଣ୍ଟ କରିଛନ୍ତି । ଆସ ଖାଇବ ମୁଢି ଘାଣ୍ଟ କି ଟେଷ୍ଟି ହୋଇଛି । ହାତ ଚାଟି ଖାଇବ । ମୋ ମିଷ୍ଟର 'ଐକ୍ୟ' ହସି ହସି ଗଡିଗଲେଣି । ସମସ୍ତେ ମିଶି ମୋ ଧଜିଆ ଉଡେଇ ଦେଲେ ସେଦିନ । ପ୍ରଥମ ଥର ମୋ ଜେଜେମା କଥା ମନେ ପଡିଲା ମୋର । ପ୍ରକୃତରେ ଯଦି ରୋଷେଇ ଶିଖି ଥାଆନ୍ତି ଆଜି ହୁଏତ ମୁଁ ହସର ଖୋରାକ ହୋଇ ନ ଥାନ୍ତି । ଗୁରୁଜନ ସତରେ ହିତ କଥା ହିଁ କହିଥାନ୍ତି । ଆମେ ସେ ସବୁ ବୁଝିବାରେ ଟିକେ ଡେରି ହୋଇଯାଏ ଯାହା । ମୋର ଜେଜେମା ଏବେ ଆକାଶର ତାରା । ଜେଜେମା କୁ ଭାବି ମୋ ଆଖିରେ ଲୁହ ଆସିଗଲା । ଲାଜରେ ମୋ ଗୋରା ଗାଲ ଦିଟା ନାଲି ପଡି ଯାଇଥିଲା ସେଦିନ । ଶାଶୁ ଆସି ବହେ ଗାଳି କଲେ ସମସ୍ତଙ୍କୁ । କଂଦେଇ ଦେଲ ଟି ମୋ ସୁନଟାକୁ । ସମସ୍ତଙ୍କୁ ସବୁ କଥା ଆସିଥାଏ ନା କଣ??ଥରେ ଦି ଥର କଲେ ଆପେ ଶିଖି ଯିବନି । ଠିକ୍ ଏଇ କଥା ହିଁ ତ ମୋ ମା କହିଥିଲେ । ମୋ ମୁଣ୍ଡ ଆଉଁସି କହିଲେ ନ ଜାଣି ପାରିଲୁ ଯଦି ମୋତେ ପଚାରିଲୁ ନି । ମୁଢି ପଡି ନୁହେଁ, ଡାଲି ,କଖାରୁ,ଦେଶୀ ଆଳୁ ଓ ମାଛ ମୁଣ୍ଡ ,ମସଲାପଡି ,କଡା ଛୁଙ୍କ ଦିଆ ଯାଇ ମୁଢି ଘାଣ୍ଟ ହୁଏ । ହେଉ ଛୁଆ ଟା । ଜାଣି ନି ତ କରି ଦେଇଛି ଖାଇ ଦିଅ ।

      ଆରେ ବାବା ମାଛ ମୁଣ୍ଡ ପଡି ମୁଢି ଘାଣ୍ଟ ହୁଏ???ମୁଁ ଭାବିଲି ମୁଢି ପଡି ନା..... । ଏହା ପରଠୁ ଯେବେ ମୁଢି ଘାଣ୍ଟ ହୁଏ ମୁଁ ମନେ ମନେ ବହେ ମୋ ପ୍ରଥମ ଦିନ ମୁଢିଘାଣ୍ଟ କଥା ମନେ ପକାଇ ହସେ । ଦୁଷ୍ଟାମୀ କରି ଚିଡ଼େଇବା ଭଙ୍ଗୀରେ ମୋ ମିଷ୍ଟର କୁହନ୍ତି ମୁଢି ପକାଇନ ତ ଆଦ୍ୟା.....

      ମୁଁ ଲାଜେଇ ଯାଇ କୁହେ ଧେତ୍.....ତୁମେ ବି ନା....

       


Rate this content
Log in

Similar oriya story from Romance