Satyabati Swain

Abstract

2  

Satyabati Swain

Abstract

ଚୁଡା, ଢୋଲ,ମଫ

ଚୁଡା, ଢୋଲ,ମଫ

3 mins
499


ଭାଉଜ ...ଏ... ଭାଉଜ ଏଇ କାନ୍ଥରେ ଆମ ତିନି ଭାଇ ଭଉଣୀଙ୍କ ଷଠିଘର ଥିଲା ସେ କାଇଁ?


ଏଇଠି ମୋ ବହି ବାକ୍ସ ଥିଲା। ସେଠି ବଡ଼ ଭାଇର । ଆଉ ଦାଣ୍ଡ ଘରେ ସାନ ଭାଇର। କାଇଁ ସେ ବାକ୍ସ ଗୁଡିକ।


ହସିଲେ ଭାଉଜ। ତୁମେ ଯେଉଁ ଯୁଗରେ ଅଛ କି ଲିପି

ଏଇଟା ଡଟ୍ କମ୍ ଯୁଗ ପରା। ଗାଁରେ ଦେଖୁଛ ଗୋଟିଏ ମାଟି କାନ୍ଥ,ଚାଳ ଛପର ମହା ବାତ୍ୟା ପରେ ପରା ଗାଁ ଭୂଇଁ ଆଉ ମଣିଷଙ୍କ ରଙ୍ଗ ଢଙ୍ଗର ନକ୍ସା ବଦଳି ଯାଇଛି। ଧନୀ ମାନେ ଏବେ ଗରିବ। ଗରିବ ଖଟିଖିଆ ଏବେ ବଡ଼ ଲୋକ। ଯୁଗ ଯାଇ କେଉଁଠି ପହଂଚିଲାଣି। ମୁଁ ବାହା ହୋଇ ଆସିଲା ବେଳକୁ ତୁମକୁ ସାତ ବର୍ଷ ହୋଇଥିଲା। ଏବେ ତୁମ କୋଳରେ ତେର ବର୍ଷର ପୁଅ। କେମିତି ଖୋଜୁଛ ସେ ମାନ୍ଧାତା ଅମଳ କଥା ଷଠିଘର କଣ ତୁମ ଝିଆରୀ ପୁତୁରା କହି ପାରିବେ


ବୁଝିଲ ଲିପି ତୁମେ ତ ହାଇଦ୍ରାବାଦରେ ରହିଲ ମଝିରେ ମଝିରେ ଗାଁ ଆଡେ ଆସିଲେ ସିନା ସବୁ ଜାଣନ୍ତ। ହିସାବ କଲ କେତେ ବର୍ଷ ପରେ ଗାଁ କୁ ଆସିଛ। ବୋଧେ ଏକୋଇଶି ବର୍ଷ ପରେ।


ହଁ ଭାଉଜ। ବାପା ବୋଉ ତ ବଡ଼ ଭାଇ ପାଖେ ପୁରୀରେ ରହିଲେ। ସେଇଠୁ ଆସି ତାଙ୍କୁ ଦେଖା କରି ଚାଲିଯାଉ। କମ୍ପାନୀ ସର୍ଭିସ ଆମ ଦୁହିଁଙ୍କର। ଏତେ ଛୁଟି ତ ନଥାଏ। ତୁମେ ସମସ୍ତେ ଭୁବନେଶ୍ୱରରେ ରହିଲ ଏଣୁ ଗାଁକୁ ଆସିବାର ଆବଶ୍ୟକ ପଡୁ ନଥିଲା। ପୁରୀରେ ବାପା ବୋଉଙ୍କ ଶେଷକୃତ୍ୟ ବି ହେଲା। ଗାଁ କୁ କଣ ପାଇଁ ଆସିଥାନ୍ତୁ। ଭାଇ କହିଲେ ତିନି ଭାଇ ଭଉଣୀ ଏବର୍ଷ ଏକାଠି ହେବା ଗାଁ ରେ। ବାପା ବୋଉଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କରି ଗୟାରେ ପିଣ୍ଡ ଦେଇ ଆସିଲେ। କହିଲେ କି ଏଇଥର ସମସ୍ତେ ଗାଁକୁ ଯିବା। ଅସ୍ଥି ବିସର୍ଜନ ପରର ଭୋଜି ଟି ଗାଁ ରେ ଦେବା। ଏଣୁ ତିନି ଦିନ ଛୁଟି ନେଇ ଆମେ ଆସିଛୁ ନା। ନଚେତ ଗାଁ ଦେଖିବା ଭାଗ୍ୟ ମୋର କେଉଁଠି ହେଉଥିଲା??


ଗାଁ ଭିତରକୁ ଟିକେ ଗଲି। ଗଉରା ଅଜା ଚଉରା କାହିଁ? ସେଠି କଣ ଲକ୍ଷ୍ମୀ ନାରାୟଣ ପୂଜା ମଣ୍ଡପ ହୋଇଛି!

ତେଲି ଗୋହରି କାଇଁ ମ। ପିନ୍ ପିନ୍ ପିଚୁ ରାସ୍ତା ହୋଇଛି। ଓଃ ଆଣ୍ଠୁଏ କାଦୁଅ ଚକଟି ଏଇ ବାଟେ ଗୋରୁ ମଣିଷ ବିଲକୁ ଯା ଆସ କରୁଥିଲେ ଆମ ପିଲା ବେଳେ। ସେ ଖଣ୍ଡିଆ ବାରି.....ହଜାର ସରିକି ନଡ଼ିଆ ବାଗେନା ପହଲି ଘର ସେଠି ଥିଲା। ସେଠି କଣ ନିବାସ ସ୍ୱାଇଁ ଙ୍କର ଘର ତିନି ମହଲା କୋଠା......। ଖାଲି ଛୋଟ ବଡ଼ କୋଠା ଘର।


ଦଧିବାମନଙ୍କ ଚାଲ ଘର ପରିବର୍ତ୍ତେ ଠିଆ ହୋଇଛି ମାର୍ବଲ ଖଚିତ ବିରାଟ ମନ୍ଦିର। ମହାଦେବ ଘର କେଉଁଠି। କଇଥ ଗଛ ଟି ବି ଦିଶୁନି। ଦଧିବାମନ ହାତାରେ ମାଳ ମାଳ ଦୋକାନ। ମୁଁ ଯେଉଁ ଚାଳ ଛପର,ବରଡା ତାଟି ଘରେ ପଢୁଥିଲି ସେଠି କାସା କମ୍ପାନୀ ପିଲାର ଉପରେ ଠିଆ କରେଇଛି ବାତ୍ୟା ନିରୋଧକ ଘର। ଅନ୍ତୁରି କଣା ଦଣ୍ଡାଟି କାଇଁ। ସେ କଣ ଚାଷ ଜମି ହୋଇଗଲାଣି। ଦଣ୍ଢାଟା କାଟି ନିଜ ଜମିରେ ମିଶାଇ ମଝିରେ ଆଜିକାଲିକା ଟୋକା ଚାଂଛି ଛୁନଛି ମୁଣ୍ଡ ଉପରେ କେରାଏ ଚୁଟି ରଖିଲା ଦଣ୍ଡାର ଅବସ୍ଥା।

 ଗୋଠେହଶ୍ୱର ପୋଖରୀରେ ପଦ୍ମ କାହିଁ ବାଗ୍ ଦାଦ ଚିଙ୍ଗୁଡ଼ି ଚାଷ ହୋଇଛି। କାଚ୍ କେନ୍ଦୁ ପରି ପାଣି।


ସତରେ ମୋ ଗାଁ ସହରୀ ବେଶ୍ ପୋଷାକରେ ଗୋଟେ ଜୋକର ଦିଶୁଛି। ରାତିରେ ଆଉ ଡର ନାହିଁ। ବିଜୁଳି ଆଲୁଅରେ ମୋ ଗାଁ ହସୁଛି। ଛକ ଉପରେ ମଣିଷ ଓ ପଶୁ ଙ୍କ ପାଇଁ ଡାକ୍ତର ଖାନାର ବି ସୁବିଧା ଅଛି। ଗୋଟେ ଦରକାରୀ ସଉଦା ପାଇଁ ଆଉ କୋଷେ ଦୂର ଯିବାକୁ ପଡୁନି। ହାତ ପାନ୍ତାରେ ସବୁ ଚିଜ ମିଳି ଯାଉଛି।


କୀର୍ତ୍ତନ ମଣ୍ଡଳୀ ବଦଳରେ ମେଲୋଡି ପାର୍ଟି ହୋଇଛି। କ୍ଲବ ଘରେ ନାଲି ପାଣି ଆଖି ମାରୁଛି। ଛକରେ ଗଞ୍ଜେଇ,ପଲିଥିନ ମଦର ବନ୍ୟା। ବିନା ମଜୁରିଆ କାମ କରିବାକୁ ନାରାଜ। ଏପରିକି ମଦ ନ ଦେଲେ ମରାସିଂ ଭାଇ ଶବ ନେଇ ମଶାଣୀକୁ ଯାଉ ନାହାନ୍ତି।

ଆଗର ପଡୋଶୀ ଭାଵ ନାହିଁ। ଜେଝା ଘରେ ଯିଏ କବାଟ କିଳି ପଶୁଛନ୍ତି। ଦିନ ଦିପହର ଦୁଷ୍କର୍ମ ହେଉଛି।

ଚାଷ କରିବାକୁ ସଭିଏଁ ଅମଙ୍ଗ।


ଭାରି ମନ କଷ୍ଟ ଲାଗିଲା। ମୋ ଗାଁ ଆଉ ଗାଁ ହୋଇ ନଥିଲା। ରାଜନୀତିରେ ବାପା ପୁଅ ଭିତରେ ଫାଟ,ମୁଣ୍ଡ ଫଟା ଫଟି। ସମ୍ପର୍କ,ମାନବିକ ମୂଲ୍ୟବୋଧ ଆଉ କାହା ପାଖେ ନାହିଁ। ପାରି ବାରିକ ଜୀବନ ବିପର୍ଯ୍ୟସ୍ତ।


ମୁଁ ମୁହଁ ଟି ହାଣ୍ଡି କରି ଫେରି ଆସିଲି। ଭାଉଜ କହିଲେ କଣ ହେଲା କି ଲିପି ମୁହଁଟା ଏମିତି କରିଛ


ଭାଉଜ ଯାହାକୁ ଖୋଜିବାକୁ ଯାଇଥିଲି ସେ କୁଆଡେ ତା ଅସ୍ତିତ୍ୱ ହଜାଇ ଦେଇଛି। ଏଣିକି ଗାଁ କି ସହର ମଧ୍ୟରେ କିଛି ଫରକ୍ ନାହିଁ। କେବଳ ମାନସିକତା ପରିବର୍ତ୍ତନ ଯାହା କମ୍ ହୋଇଛି। ଆଉ କିନ୍ତୁ ସବୁ ବଦଳି ଯାଇଛି ଭାଉଜ।


ତୁମେ ଦିନେ ଆସିଛ ବୋଲି ଆହୁରୀ କେତେ ରହସ୍ୟ ଜାଣନ୍ତ। ଗାଁ ଶାନ୍ତି ଆଉ ନାହିଁ ମ ଲିପି। ଗାଁ ନିଜେ ତା ଠିକଣା ହଜାଇ ନିଜେ ହଜି ଯାଇଛି ଡଟ୍ କମ୍ କୁ ରସି ପରା......ଗାଁ ଲୋକେ କଣ ଆଉ ଚୁଡ଼ା, ଢୋଲ,ମଫ ଅଛନ୍ତି କି


Rate this content
Log in

Similar oriya story from Abstract