ଡ.ସୁରେଶ ଚନ୍ଦ୍ର ବରାଡ଼

Comedy Romance

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Comedy Romance

ଚିଠିଟିଏ: ମୋ କଲେଜକୁ

ଚିଠିଟିଏ: ମୋ କଲେଜକୁ

4 mins
7



ହେ ନୟାଗଡ଼ କଲେଜ! 

ଅନୂଢ଼ା କିଶୋରୀର ରଙ୍ଗୀନ ସ୍ବପ୍ନର ରାଜକୁମାର ନିତି ସ୍ବପ୍ନରେ ଆସି ତାକୁ ମଧୁର କଷ୍ଟ ଦେଇ ବ୍ୟତିବ୍ୟସ୍ତ କଲା ପରି କିଶୋରାବସ୍ଥାର ଆଦ୍ୟ ବସନ୍ତରେ ମେଟ୍ରିକ ପାସ କରୁ କରୁ ତୁମର ସ୍ବପ୍ନିଳ ରୂପ ବିଭୋର କରିଥିଲା ତନୁ ମନ। ମନରେ ସୃଜିଥିଲା ଅନେକ ଆଶା ଓ ଉପଲବ୍ଧିର ରଙ୍ଗମଖା ଇନ୍ଦ୍ରଧନୁ। ଫର୍ମ ପକେଇ କଲ୍ ଲେଟର ଧରି ନାମ ଲେଖେଇବା ପାଇଁ ଫୁଲପ୍ୟାଣ୍ଟ ପିନ୍ଧି ଯେତେବେଳେ ପହଞ୍ଚିଥିଲୁ ତୁମ ସମ୍ମୁଖସ୍ଥ ଅନେକ ତରୁଣ ତରୁଣୀଙ୍କର ଆଳାପ ଆଲୋଚନା, ହସକାନ୍ଦ ପ୍ରେମ ପ୍ରୀତିର ମୁକସାକ୍ଷୀ ଦୀର୍ଘଶାଖ ବଟବୃକ୍ଷ ତଳେ ମନେ ହୋଇଥିଲା ସେ କଳ୍ପବଟ। ଆମର ସମସ୍ତ ଇଚ୍ଛା ପୂତ୍ତିର୍କାରୀ ବାଂଛାବଟ। ଦୀର୍ଘ ପାଞ୍ଚ ବର୍ଷର ଅନ୍ତରଙ୍ଗ ସାଥି ସିଏ, ଦୁଃଖ ବେଳାର ବନ୍ଧୁ ସିଏ ପୁଣି ଆନନ୍ଦ ବେଳାର ଉତ୍ସାହ ପ୍ରଦାୟକ ଦୀର୍ଘ ଶ୍ମଶ୍ରୁଧାରୀ ଗୁରୁ ସିଏ। କେତେ ଖରାବେଳ କଟିଛି ତା ଶୀତଳ ସ୍ନିଗ୍ଧ ଛାଇରେ, କେତେ ପାଠ ପଢ଼ା ହୋଇଛି ପରୀକ୍ଷା ଜୁଇରେ ଝାସଦେବାକୁ ଯିବାର ବେଳାରେ। କେତେ ଆନ୍ଦୋଳନ ହଡ଼ତାଳର ସ୍ମାରକୀ ସେ, ସେ ପାଲଟି ଯାଇଥିଲା ଆମ ପ୍ରେରଣାର ଉତ୍ସ, ଦୁଃଖ ସୁଖର ସାଥି।

ହେମନ୍ତର ଭୋରରେ ବାଣପୁର ଧତରା ଓଆରଟି ବସରୁ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ଲଗା ପ୍ରତ୍ୟୁଷରେ ଓହ୍ଲୋଉ ଓହ୍ଲୋଉ ବରଗଛ ମୂଳ ହାତ ଠାରି ଡ଼ାକେ ବସିବାକୁ। ତା’ର ମୋହ ତ୍ୟାଗି ଅଗତ୍ୟା ଆଗକୁ ବଢ଼ିବାକୁ ପଡେ଼ ତୁମର ୧ ନମ୍ବର ଗ୍ୟାଲେରୀ ହଲ ଆଡ଼କୁ। ତୁମର ହଜାରେ ସରିକି ପିଲାପିଲି ମାନଙ୍କ ମଧ୍ୟରେ ଆମେ କୋଡ଼ପୋଚ୍ଛା ୧୯୮୩ ଜୁନିଅର ବ୍ୟାଚର ପିଲାମାନଙ୍କୁ ତୁମ ବଡ଼ଛୁଆମାନେ ଆମର ଉଚ୍ଚତାକୁ ନେଇ କେତେ ଯେ ଚୁଗୁଲୀ ଚାଗଲ କରିଛନ୍ତି ତାହା ଆଜି ମନେ ପଡ଼ି ଗଲେ ଏକ ଅପୂର୍ବ ଶ୍ରୀହରଣ ଜାତ ହୋଇଯାଏ। ହଟ ସାରଙ୍କ ରୁଟିନ୍, ଦେବାରାଓ ସାରଙ୍କ ଫିଜିକ୍ସ ନୋଟ୍, ଭୀମାରାଓ ସାରଙ୍କର ଲାବୋରେଟୋରୀରେ ଆମିିୟତା ଏବେ ବି ମନେ ପଡ଼ିଲେ ମନ କୁରୁଳି ଉଠେ। କେମେଷ୍ଟ୍ରି କ୍ଳାସରେ ଏନ.ସି.ପାତ୍ରଙ୍କର କାନମୋଡ଼ା ସ୍ମରଣ ହେଲେ ତୁମ ଗୁରୁମାନଙ୍କର ଛାତ୍ରବତ୍ସଳତା ଓ ଆମିିୟତାର ସ୍ମୃତି ମନକୁ ଏକ ମିଠା ମିଠା ଅନୁଭୂତିର ରାଇଜକୁ ଟାଣି ନିଏ।

ତୁମ ସମ୍ମୁଖସ୍ଥ ଲନ୍ର କୃଷ୍ଣ ଚୂଡ଼ା ଗଛ, ଥରେ ତୁମର ସବୁଠାରୁ କଠୋର, ନିୟମ ମାନିବା ଓ ମନେଇବାକୁ ନିଜର ଧ୍ୟେୟ ମାନିଥିବା, ଏକେଲା ଚଲୋ ଦର୍ଶନରେ ବିଶ୍ଵାସ କରୁଥିବା ଅଥଚ ସମସ୍ତଙ୍କ ମୁଖରେ ବାଇଆ ପଦବାଚ୍ୟ ହୋଇଥିବା ମହାନ ଗୁରୁ ହର ସାରଙ୍କ ସହଚଯ୍ୟର୍ ଓ ନିକଟରୁ ଦେଖିବା ତଥା ଜାଣିବାର ସୁଯୋଗ ଆଣି ଦେଇଥିଲା। ହର ସାରଙ୍କ ପ୍ରତି ଥିବା ଆମର ଭୟ ଓ ଅବୁଝାପଣର ସମାଧାନ କରିବାରେ ସହାୟକ ହୋଇଥିଲା।

ଏକ ଶୀତୁଆ ସକାଳରେ କେଇଜଣ ଛାତ୍ର ଯାଇ କଲେଜ ବାରଣ୍ଡାରେ ପହଞ୍ଚିଲା ବେଳକୁ ଦେଖିଲୁ ହର ସାର ତାଙ୍କର ଚିରାଚରିତ ଏକେଲା ବାଇଆ ହାତୀର ଚାଲି ପକେଇ ଡ଼ିପାର୍ଟମେଣ୍ଟ ଆଡ଼କୁ ଆଗେଇ ଆସୁଛନ୍ତି। ହାତରେ ପରିଚିତ ଡାଇରୀ ଖଣ୍ଡକ। ତାଙ୍କ ପଛେ ପଛେ ଯାଇ ଡ଼ିପାର୍ଟମେଣ୍ଟରେ ପହଞ୍ଚିଲା ବେଳକୁ କବାଟ ବନ୍ଦ। ପିଅନ ଚପରାସୀ କାହାର ଦେଖା ନାହିଁ। ସମସ୍ତେ ବାହାରକୁ ଆସି ତୁମର କୃଷ୍ଣଚୂଡ଼ା ମୂଳେ ଠିଆ ହୋଇ ଗଲୁ। କିଛି କ୍ଷଣ ପରେ ସମସ୍ତଙ୍କର ମନେ ପଡ଼ିଲା ସେ ଦିନ ଥିଲା ପ୍ରଥମାଷ୍ଟମୀ ଛୁଟି। ହଠାତ୍ ଆରମ୍ଭ ହେଲା ଆଲୋଚନା। ସାର କହିଲେ-ତୁମେ ମାନେ ଅଧିକରୁ ଅଧିକ ପଢ଼ିବା ଦରକାର। ଯେତେ ପାରୁଛ ସେତେ ଅଧିକ ବହି ପଢ଼ିବା ଉଚିତ୍। ମୁଁ ଧିର ଗଳାରେ କହିଲି-ସାର ଆମେ ପଢ଼ୁଛୁ। କେବେ ଦୃଷ୍ଟିକୁ ଆସୁ ନ ଥିବା ଅଥଚ ମାତ୍ର ୮ ଜଣ ଫିଜିକ୍ସ ଅନର୍ସର ଛାତ୍ର ମଧ୍ୟରୁ ଜଣେ ଥିବା ମୋତେ, ତାଙ୍କର ଚିରାଚରିତ ତିଯ୍ୟର୍କ ଚାହାଣୀରେ ଟିକେ କଟାକ୍ଷ କରି କହିଲେ କ’ଣ ପଢ଼ିଛୁ? କେବେ କଥା ହୋଇ ନ ଥିବା ହର ସାରଙ୍କ ସାମନାରେ କହିବାର ସାହସ ଜୁଟେଇ କହିଲି-ଆଜ୍ଞା! ନାରାୟଣ ହାଇସ୍କୁଲ, ଶରଣକୁଳ ଲାଇବ୍ରେରୀରେ ଥିବା ୧୦ ହଜାର ବହିରୁ ସବୁ ବହି ହାଇସ୍କୁଲରେ ପଢ଼ିବା ବେଳେ ପଢ଼ି ସାରିଛି। କହିଲେ-“ଅଙ୍କଲ ଟମ୍ସ କେବିନ ପଢ଼ିଛୁ?” ମୁଁ କହିଲି-ଆଜ୍ଞା! ଆଶ୍ଚଯ୍ୟର୍ ଚକିତ ହୋଇ କହିଲେ-ତୁ ଓରିଜିନାଲ ବହି ପଢ଼ିଛୁ? ମୁଁ କହିଲି ଗ୍ରନ୍ଥ ମନ୍ଦିର ତା’ର ଓଡ଼ିଆ ବହି ଛାପିଛି, ତାହା ପଢ଼ିଛି। ସାର୍ କହିଲେ ତାର ମୂଳ ଇଂରାଜୀ ବହି ୫୭୬ ପୃଷ୍ଠା। ମୁଁ ତାକୁ ତିନି ଦିନରେ ଚା ପିଇ ପିଇ ପଢ଼ି ଶେଷ କରିଛି। ସଦାବେଳେ ମୂଳ ବହି ପଢ଼ିବାକୁ ଚେଷ୍ଟା କରିବ।” ମୁଁ ମୁଣ୍ଡ ଟୁଙ୍ଗାରିଲି। ସାରଙ୍କର କଥା ଅକ୍ଷରେ ଅକ୍ଷରେ ଆଜି ଯାଏଁ ପାଳନ କରୁଛି। ତୁମ ସମ୍ମୁଖରେ ସେଇ କୃଷ୍ଣଚୂଡ଼ା ମୂଳେ ତୁମର ପ୍ରତିଷ୍ଠା କାଳରୁ ଗଦା ହୋଇଥିବା ଥିବା ୨୨ ସୁତିଆ ଛଡ଼ ଦେଖି କହିଲେ- “ଏ ଛଡ଼ ଦେଖୁଛ? ଏ ତ ସାଧା ଓ ସରଳ। ଆଜିକାଲି ଆସୁଥିବା ଛଡ଼ ମୋଡ଼ି ମୋଡ଼ିକିଆ କାହିଁକି?” ଆମେ ଥିଲୁ ନିବାର୍କ। ଚାହିଁ ରହିଥିଲୁ ତାଙ୍କ ମୁଖାରବିନ୍ଦକୁ। ସେ କହିଲେ- “ଡିଏନଏର ଗଠନ ଜାଣିଛ?” ମୁଁ ହଁ ଭରିଲାରୁ ପୁଣି କହିଲେ- “ସେହି ଡିଏନଏ, ଗଠନ ଦୃଷ୍ଟିରୁ ଦ୍ଵିକୁଣ୍ଡଳୀ(ଡବଲ ହେଲିକ୍ସ) ମୋଡ଼ି ହୋଇ ଥିବାରୁ ସ୍ଥିରତା ପାଉଛି। ତାକୁ ଦେଖି ବର୍ତ୍ତମାନର ଛଡ଼ ସବୁ ଏବେ ମୋଡ଼ା ଯାଉଛି।” ତୁମର ସେହି ବାଇଆ ଗୁରୁ ଯେ ସତରେ ବାଇଆ ନୁହଁନ୍ତି, ସେ ଜ୍ଞାନ ବାଇଆ ସେଇ ଦିନ ଜାଣିଲି। ଖାଲି ଜାଣିଲିନି, ଭକ୍ତି ଓ ଶ୍ରଦ୍ଧାରେ ତାଙ୍କ ଜ୍ଞାନଦୀପ୍ତ ପଦାରବିନ୍ଦରେ ମଥା ଅବନତ ପୂର୍ବକ ମନେ ମନେ ଶତକୋଟି ପ୍ରଣାମ ଜଣାଇଲି। ତାଙ୍କ ପ୍ରତି ଥିବା ମୋର ଅନୁରାଗ ପୂବାର୍ପେକ୍ଷା ବହୁଗୁଣିତ ହୋଇଗଲା।

ଏବେ ବି ତୁମ ସାମନାରେ ଗାଡ଼ିରେ ଗଲାବେଳେ ସେଇ ବରଗଛ ଥିବା ସ୍ଥାନରେ ପହଞ୍ଚୁ ପହଞ୍ଚୁ ମୁଣ୍ଡିଆଟିଏ ମାରି କହେ- “ଲୋ ମାଆ ତୁମେ ପଢେଇ ଥିବା, ମୋତେ ଦାନ କରିଥିବା ପାଠ ମୋର କୋଉ କାମରେ ଆସିଲା ନାହିଁ। ତୁମ ଗର୍ବ ଓ ଗୌରବ ଫିଜିକ୍ସ ଅନର୍ସ ବିଭାଗର ଛାତ୍ର ଟିଏ ମୁଁ ତୁମ ସାର୍ଟିଫିକେଟରେ ନୁହେଁ ମାତ୍ର ୫୦ଟଙ୍କା ବିନିମୟରେ ଥଟ୍ଟାମଜାରେ ହାସଲ କରିଥିବା ସାର୍ଟିଫିକେଟ ଜରିଆରେ ଆଜି ପାଇଛି କର୍ମ ସଂସ୍ଥାନ।” ତୁମକୁ ସେ କଥା ଶୁଣାଗଲା କି କ'ଣ! ଯୌବନ ଉପାରନ୍ତେ ତୁମେ ଡାକି ଆଣି ପୁଣି ତୁମ ଛାତିକୁ ଆଉଜାଇ ନେଲ ‘ଓସୁ' ବାହାନାରେ ଓଡ଼ିଆ ବିଭାଗରେ ଏମଏ କରିବା ପାଇଁ ଦୁଇ ଅନୁଜ ଗୋଦାବରୀ ଓ ନିରାକାର ସହ। ବାତ୍ସଲ୍ୟ ମମତାରେ ଏ ଦରବୁଢ଼ା ପିଲାଟିକୁ ଛାତିରେ ଜଡେ଼ଇ ଧରି ପିଆଇ ଦେଲ ତୁମ ଛାତିରୁ ଓଡ଼ିଆ ଭାଷା ସାହିତ୍ୟ ରୂପକ ଅମୀୟ ସୁଧା, ଗୁରୁ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ମୁଖାରବିନ୍ଦରୁ। ତାଙ୍କ ସହଚର୍ଯ୍ୟ ମୋତେ ଅନୁଭବ ଦେଲା ବାସ୍ତବ ଗୁରୁର। ତାଙ୍କ ଦର୍ଶନରେ ହୃଦୟ ପୁରିଗଲା, ଅନ୍ଧକାର ହଟିଗଲା। ଏବେ ବି ସେ ଉପନିଷଦୀୟ ଯୁଗର ଗୁରୁ ଯେ, ଏ ମର୍ତ୍ତ୍ୟ ମଣ୍ଡଳରେ ଅଛନ୍ତି ତାହାର ସ୍ପର୍ଶ ବାରି ହୋଇଗଲା। ତୁମ ଅପୂର୍ବ ଦାନ ପ୍ରତି ବିତସ୍ପୃହ ମୁଁ ପାଲଟିଗଲି ତୁମର ବଚସ୍କର ପ୍ରଶଂସକଟିଏ। ପ୍ରଶଂସାରେ ଶତମୁଖ ହୋଇ ତୁମ ଗୋୈରବ ଗାଇବାକୁ ହୃଦୟ ମୋ ପ୍ରଫୁଲ୍ଲିତ ହୋଇ ପ୍ରସ୍ଫୁଟିତ କମଳ ପରାୟେ ନାଚି ଉଠିଲା। ସେଇଠି ଜୀବନର ରାହା ଖୋଜୁଥିବା, ଜୀବନର ମାନେ ଜାଣିବାକୁ ଶବ୍ଦକୋଷ ଖୋଜୁଥିବା ମୋ ପରି ଜଣେ ସାହିତ୍ୟର ଧାର ଧରୁ ନ ଥିବା, ସାହିତ୍ୟର ଏ ବି ସି ଡ଼ି ଜାଣି ନ ଥିବା ବିଜ୍ଞାନର ଛାତ୍ରଟି ପାଲଟି ଯାଇଛି ସାହିତ୍ୟର ସେବକଟିଏ, ତୁମର ତଥା ଗୁରୁ ପ୍ରାଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶଙ୍କ ଦୟା, କରୁଣା ଓ ଅକୁଣ୍ଠ ଭଲ ପାଇବାରୁ। ଏବେ ତୋ ଅବଦାନ ଆଗରେ ନତଜାନୁ ନତମସ୍ତକ ହେବାରେ କୁଣ୍ଠା ନାହିଁ ମୋର।

ଇତି

ତୋ ହାତ ଗଢ଼ା ଛାତ୍ର ।



Rate this content
Log in

Similar oriya story from Comedy