ଆଗରୁ ଝିଅ ବାହାଘର ଚିନ୍ତା ଥିଲା. ଏବେ ଝିଅ ବିଦାୟ ପରେ ଝିଅର ଚିନ୍ତା. ଶାଶୁଘରେ ଝିଅ କେମିତି ଚଳୁଥିବ ଭାବି ଖୁବ ଚିନ୍ତାରେ ପଡ଼ିଥିଲେ ମାଆ ଆଶା ଓ ବାପା ରାଜେଶ. ଝିଅ ପାଖରୁ କୌଣସି ଫୋନ ମଧ୍ୟ ଆସୁନଥିଲା ତ ପୁଣି ସେଇ ଆଶଙ୍କା ମନକୁ ଅସ୍ଥିର କରୁଥିଲା ବେଳେ ସେଦିନ ଡାକିଆ ଭାଇ ଘରକୁ ଆସି ଚିଠିଟିଏ ଦେଇଥିଲେ. ସରକାରୀ ଚିଠି ନୁଁହଁ ବରଂ ଝିଅ ସୋନି ଲେଖିଥିବା ଚିଠି ଦେଖି ଖୁବ ଖୁସିରେ ଖୋଲିଥିଲେ ବାପା ମାଆ. ମାଆଙ୍କୁ ସମ୍ବୋଧନ କରି ସୋନି ଲେଖିଥିଲା ମାଆ ଫୋନ କରୁନି ବୋଲି ତୁମେ ଦୁଇଜଣ ବ୍ୟସ୍ତ ହୋଇ କେତେକଣ ଆଶଙ୍କା କରୁଥିବ. ହେଲେ ଆଜି ପ୍ରଥମେ ବିମଳା ମାଆ ଓ ରାଜକିଶୋର ବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବ. ଏଇଠି ଗୋଟିଏ କଥା କହିରଖିବି ଯେ ପିଲାଦିନେ ପାଠର ଚାପରେ କେବେ ବି ମୋ ମନକଥା ଖୋଲି କହିପାରିନି ଯେ ମୁଁ ଆର୍ଟ ସ୍କୁଲରେ ପାଠ ପଢ଼ିବି. କାରଣ ବାପା ଓ ତୁ ବିମଳା ମାଉସୀ ଓ ରାଜକିଶୋର ମଉସାଙ୍କ ଏକମାତ୍ର ଝିଅ କର୍ତ୍ତୀ ର ଉଦାହରଣ ଦେଇ କୁହ ଯେ ସେ ଖୁବ ଭଲ ଝିଅ ବୋଲି ପାଠ ପଢ଼ାରେ ଟରେ ରହୁଛି. ସେଇକଥା ଶୁଣି ମୋ ଭିତରେ ଉଙ୍କି ମାରୁଥିବା ଚିତ୍ର ଆଙ୍କିବାର ଇଛାକୁ ମୁଁ ଦମନ କରିଥିଲା ବେଳେ ସ୍ୱପ୍ନରେ ତାରା ଖଚିତ ଆକାଶ, କଇଁ ଭର୍ତ୍ତି ପୋଖରୀ, ଟିପ ଟିପ ବର୍ଷାରେ ବେଙ୍ଗୁଲିର ଓଦା ଦେହର ଚିତ୍ର ସବୁ ସ୍ପଷ୍ଟ ଦେଖାଯାଉଥିଲା. ସେତେବେଳେ ମୁଁ ଜାଣିନଥିଲି ଯେ ମୋ ମାଆଙ୍କ ଗୁଣ ମୋ ଭିତରେ ରହିଛି. ନିଜ ବାପାଙ୍କ ଭିଜିଲାନ୍ସ ଜାଲରେ ପଡିବା ଖବର ଓ ଭାବି ଶାଶୁରଙ୍କର ପରୋକ୍ଷ ପ୍ରସ୍ତାବ ଖଣ୍ଡନକୁ ସହ୍ୟ କରି ନପାରି କର୍ତ୍ତୀ ଆତ୍ମହତ୍ୟା କରିବା ପରେ ତୁମେ ମତେ ହଷ୍ଟେଲରୁ ଫେରେଇ ଆଣିଥିଲ. ଘରେ ମୋ ପାଇଁ ତୁମ ହାତ ଅଙ୍କା କାନଭାସଗୁଡିକ ପ୍ରେରଣା ହୋଇ ମତେ ତୁମ ପରି ଗୁରୁ ମିଳିଗଲେ. ବାହାଘର ପରେ ଶାଶୁ ଶଶୁର ଓ ସ୍ୱାମୀଙ୍କ ସହଯୋଗରେ ମୁଁ ଆଜି ଆମେରିକା ଆର୍ଟ କଲେଜ ରେ ନିଯୁକ୍ତି ପାଇ ଆମେରିକା ଯାଉଛି. ଶୁଣି ଖୁସି ହେବ ଯେ କର୍ତ୍ତୀଙ୍କ ଆତ୍ମହତ୍ୟା ଉପରେ ଚିତ୍ରଟି ଯୋଗୁଁ ମୁଁ ଅନେକ ଛାତ୍ର ଛାତ୍ରୀ ତଥା ପ୍ରତିଯୋଗୀଙ୍କ ମଧ୍ୟରେ ସଫଳ ହୋଇ ଏ ଚାକିରୀ ପାଇଛି. ଝିଅକୁ ହରେଇ ମନଦୁଃଖରେ ଥିବା ବିମଳା ମାଉସୀ ଓ ରାଜକିଶୋରମଉସାଙ୍କ ହାତରେ କନ୍ୟାଦାନ କରେଇ ମୁଁ ଆଜି ଦୁଇ ବାପା ମାଆ ପାଇ ନିଜକୁ ଭାଗ୍ୟବତୀ ମସଣୁଥିବା ବେଳେ ମୋ ପ୍ରେରଣା ମୋ ପ୍ରଣାଳୀ ସବୁ ମୋ ମାଆର ଶ୍ରେୟ ତେଣୁ ତୁମ ଚାରିଜଣଙ୍କୁ ମୋ ସହ ଆମେରିକା ଯିବାକୁ ଅନୁରୋଧ କରି ଏ ଚିଠି ଲେଖିଲି. ବିମଳମାଉସୀଙ୍କୁ ମଧ୍ୟ ସବୁ କହିଛି. ଯଥା ସମୟରେ ଟିକେଟ ମିଳିଯିବ ଓ ଫ୍ଲାଇଟରେ ବସିବା ସ୍ଥାନ, ସମୟ, ତାରିଖ, ବାର ସବୁ ଜଣେଇବି. ପ୍ରସ୍ତୁତ ଥିବ.ଚିଠିଟି ପଢି ଆଶା ବଢ଼େଇଦେଇଥିଲେ ବାପା ରାଜେଙ୍କ ହାତକୁ. ରାଜେଶ ଚିଠି ପଢି ଦୌଡୁଥିଲେ ରାଜକିଶୋଙ୍କ ଘରକୁ. ସେ ମଧ୍ୟ ଚିଠି ପାଇସାରିଥିଲେ ତ କହୁଥିଲେ ଝିଅ ହେବ ତ ଏମିତି.
ରାଜକିଶୋର ଓ ଜାଜେଶ ଅବସର ନେଇ ସାରିଥିଲେ ଓ ବୁଲିଯିବା ଯୋଜନା ପ୍ରସ୍ତୁତ କରୁଥିଲା ବେଳେ ବୁଲିଯିବା ମଉକା ମିଳିଗଲା ଝିଅ ପାଇଁ.. ଜୀବନରେ ପ୍ରଥମ ଉଡାଣ ପୁଣି ଆମେରିକା. ମନ ହୃଦୟ ପୁଲକିତ ହେଉଥିଲା. ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ବାରରେ ଝିଅ ସୋନିକୁ ଭବ୍ୟ ସମ୍ବର୍ଦ୍ଧନା ସହିତ କଲେଜର ୱେଲ କମ ସେରିମୋନୀ ସମାରୋହରେ ସୋନିଙ୍କୁ ଯେବେ କିଛି କହିବାକୁ କୁହାଯାଇଥିଲା ତ ସେ ଇଂରାଜୀରେ କହୁଥିଲା ଆପଣମାନେ ଜାଣନ୍ତି ପିଲାର ପ୍ରଥମ ଗୁରୁ ବାପା ଓ ମାଆ. ବାପାଙ୍କ ହାତ ଧରି ଚାଲିଶିଖାଇ ନିଜ ଶିଶୁକୁ କିଶୋରରୁ ଯୁବକ ଓ ପରବର୍ତ୍ତୀ ସମୟରେ ବଞ୍ଚିଥିଲା ଯାଏଁ ସାହାରା ହୋଇଥାଆନ୍ତି ପିତା. ସେହି ପରି ମାଆ ସ୍ୱାସ୍ଥ୍ୟରକ୍ଷାର ନିୟମ ମାନି ଦେହ ଓ ମନ ଉଭୟକୁ ସୁସ୍ଥ ରଖିବାକୁ କେତେ କଥା ଶିଖାଇବା ସହ ତାଙ୍କ ଭିତରେ ଥିବା ସୃଜନୀ କଳା ସାମର୍ଥ୍ୟକୁ ମଧ୍ୟ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବରେ ତାଙ୍କ ଶିଶୁଙ୍କୁ ଶିକ୍ଷା ଦେଇଥାଆନ୍ତି. ମାଆଙ୍କ ସ୍ନେହ, ତ୍ୟାଗ, ଭଲପାଇବା, ମମତା, କର୍ତ୍ତବ୍ୟବୋଧ ସହ ସାମାଜିକତା ଶିକ୍ଷା ସହ ଡ୍ରଇଂ ଵା ପେଣ୍ଟିଙ୍ଗ ପାଇଁ ତାଙ୍କ ଅନୁଭୂତି ମତେ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇଛି.ସେଥିପାଇଁ ମୁଁ ମୋ ପିତା ମାତାଙ୍କ ସହ ବିମଳା ମାଉସୀ ଓ ରାଜକିଶୋର ମଉସା ତଥା ମୋ ସ୍ୱାମୀ, ଶାଶୁମାଆ, ଶଶୁରବାପାଙ୍କୁ ସମସ୍ତ ଶ୍ରେୟ ଦେବି. ତାଳି ପରେ ତାଳି ବାଜୁଥିଲା ବେଳେ ଆଶାଙ୍କ ଆଖିର ଲୁହ ବୋଲ ନମାନି ମୁକ୍ତି ପଥରେ ସଂକ୍ରମିତ ହୋଇ ସାରିଥିଲା ଅନ୍ୟମାନଙ୍କ ଆଖିକୁ.