ଛାତ୍ର ଜୀବନର ଏକ ଅନୁଭୂତି
ଛାତ୍ର ଜୀବନର ଏକ ଅନୁଭୂତି
1975 ମସିହା କଥା l ସେତେବେଳେ ମୁଁ ଡି.ଏ.ଭି.କଲେଜର ପ୍ରଥମ ବାର୍ଷିକ ବିଜ୍ଞାନ ଛାତ୍ର l ସେ ସମୟରେ ହିପି ବାଳ ସାଙ୍ଗକୁ ବେଲ ବଟମ ଫୁଲପ୍ୟାଣ୍ଟ କଲେଜ ପଢ଼ୁଆ ପିଲାମାନଙ୍କ ଏକ ମନ ପସନ୍ଦ ଫେସନ ଥିଲା l ଯଦି କୌଣସି ଛାତ୍ର ବେଲ ବଟମ ପିନ୍ଧି କଲେଜକୁ ଆସୁ ନ ଥିଲେ ତେବେ ସେ ସାଙ୍ଗମହଲରେ ସମାଲୋଚିତ ହେଉଥିଲେ l ତେଣୁ ଅଭିଭାବକମାନେ ବାଧ୍ୟ ହୋଇ ସେମାନଙ୍କ ପାଇଁ ପ୍ୟାଣ୍ଟ କିଣୁଥିଲେ କିମ୍ବା ଦରଜୀ ପାଖରେ ତିଆରି କରାଉଥିଲେ l କିଛି ଛାତ୍ରମାନେ ଗୁରୁଜନ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଲୁଚେଇ ସିଗାରେଟ କିମ୍ବା ଖିଲି ପାନ ଇତ୍ୟାଦି ମାଦକ ଦ୍ରବ୍ୟ ଇତ୍ୟାଦି ସେବନ କରୁଥିଲେ l କିନ୍ତୁ ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନଙ୍କ ସଂଖ୍ୟା ଶିକ୍ଷକ ଏବଂ ଛାତ୍ର ମାନଙ୍କ ତୁଳନାରେ ଯଥାକ୍ରମେ ଯଥେଷ୍ଟ କମ ଥିଲା l ବର୍ତ୍ତମାନ ପରି ଓଡ଼ିଆ ଝିଅମାନେ ଆମ ବେଳେ ଆଦୌ ଫରୱାର୍ଡ଼ ନ ଥିଲେ l ସେମାନେ ନୈତିକ ଅନୁଶାସନ ମଧ୍ୟରେ ଶୃଙ୍ଖଳିତ ଥିବାରୁ ଛାତ୍ରୀ ବା ଶିକ୍ଷୟିତ୍ରୀମାନେ କୌଣସି ସମାଲୋଚନାର ଶିକାର ଆଦୌ ହେଉ ନ ଥିଲେ କହିଲେ ଚଳେ l ଅଧିକାଂଶ ରକ୍ଷଣଶୀଳ ପରିବାରର ଝିଅମାନେ ଶାଢ଼ୀ ସାୟା ବ୍ଲାଉଜ ପିନ୍ଧି କଲେଜ ଆସୁଥିଲେ l
ଆମ କଲେଜର ତତ୍କାଳୀନ ଅଧ୍ୟକ୍ଷ, ଅଧୁନା ଜୀବିତ କି ନୁହେଁ ଜାଣିନି, କ୍ୟାପଟେନ ପି. କେ. ଶତପଥୀ ମହାଶୟ ଥିଲେ l ସେ ପଦାତିକ ବାହିନୀରୁ ଆସିଥିବାରୁ ତାଙ୍କର ଫୌଜୀ ଗେଟପ ଆଉ ହେୟାରକଟ ଓ ସାଧାସିଧା ଚଳଣି ସକାଶେ ସେ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ସମ୍ମାନ ଭାଜନ ହୋଇପାରିଥିଲେ l ତାଛଡ଼ା ଛାତ୍ର ଛାତ୍ରୀମାନଙ୍କ ତାଙ୍କ ପ୍ରତି ଏକ ନୈତିକ ଭୟ ରହିଥିଲା l
ଶ୍ରୀଯୁକ୍ତ ଶର୍ମା ( ପୁରା ନା ମନେ ପଡ଼ୁନି ) ନାମ୍ନୀ ଆମର ଜଣେ ସିନିଅର 3ୟ ବାର୍ଷିକ କଳା ଛାତ୍ର ଥିଲେ l ସେ ଟିକେ ଫେସନକୁ ଅଧିକ ଗୁରୁତ୍ୱ ଦେଉଥିଲେ l ଜର୍ଦ୍ଦା ମିଠା ପାନ ଖାଇବା ବି ଅଭ୍ୟାସ ଥିଲା l ବେଲ ବଟମ ପ୍ୟାଣ୍ଟ ସହ ହିପି ବାଳ ଓ ଦୁଇଟି ଆଣ୍ଠୁ ଉପରେ ପ୍ଲାଷ୍ଟିକ ନାଲି ପାନ ଆଉ ପାନଖିଆ ନାଲି ଓଠ, ତଲ ୱାର ନିଶ, ଆଖିରେ ସନ ଗ୍ଲାସ ତାଙ୍କର ପତଳା ଚେହେରାକୁ ଆହୁରି ଚିତ୍ତାକର୍ଷକ କରୁଥାଏ l ଦିନେ ସେ ଖାଇବା ଛୁଟିରେ ନୋଟିସ ବୋର୍ଡ ସାମ୍ନାରେ ଠିଆ ହେଇ ଖିଲିପାନ ଚୋବେଇ ଚୋବେଇ ନୋଟିସ ପଢ଼ିବାରେ ବ୍ୟସ୍ତ ଥାନ୍ତି l ହଠାତ କାହାର ହସ୍ତର ସ୍ପର୍ଶ ତାଙ୍କ ମୁଣ୍ଡ ପଛରେ ଅନୁଭବ କଲେ ଓ ବୁଲିପଡ଼ି ପଛକୁ ଚାହିଁଦେଇ ଚମକି ପଡ଼ିଲେ, କାହିଁକି ନା ସ୍ପର୍ଶଦାନ କରିବା ମହାଶୟ ଜଣକ ଅନ୍ୟ କେହି ନ ଥିଲେ, କିନ୍ତୁ ପ୍ରିନସିପାଲ ଶ୍ରୀଯୁକ୍ତ ଶତପଥୀ ସାର l ଛାତ୍ର ଶର୍ମା ନମସ୍କାର କରିବା ପୂର୍ବରୁ ସେ ପଚାରିଲେ, " କିରେ ମାଧିଆ! ତୁମ ଘର ପାଖରେ କଣ ସେଲୁନ ନାହିଁ କି? ଏଠିକୁ ପାଠ ପଢ଼ିବାକୁ ଆସିଛ ନା ଷ୍ଟାଇଲ ମାରିବାକୁ ଆସିଛ l ଆଉ ଏ ନାଲିପାନ ଷ୍ଟିକର କ'ଣ ପାନ ଦୋକାନ ଖୋଲିବା ପାଇଁ ଵିଜ୍ଞାପନ?ପୁରାସାର୍ଟ ତିଆରି କରି ହାତ ମୋଡ଼ି କାହିଁକି ପିନ୍ଧୁଛ l ଅଯଥା କପଡ଼ା କାହିଁକି ନଷ୍ଟ କରୁଛ l ଆଦର୍ଶବାନ ଛାତ୍ର ଭଳି ପାଠ ପଢ଼ l ନିଜର ଆଉ ନିଜ ପରିବାରର ମଙ୍ଗଳ l ତୁମ ବାପା ଜଣେ ଡି ଏସ ପି ସେ କଣ ଜାଣିନାହାନ୍ତି ତୁମର କାର୍ଯ୍ୟ କଳାପ l ଯଦି ତୁମର ଝିଅ ପିଲା ପରି ଲମ୍ବା ବାଳ ରଖିବାର ଇଛା ତେବେ ହାତରେ ଚୁଡ଼ି ପିନ୍ଧି ଘରେ ରହି ଘରକାମରେ ବୋଉଙ୍କୁ ସାହାଯ୍ୟ କର କୋଟିଗୁଣେ ଭଲ l ପାଠ ପଢ଼ିବା ଦରକାର ନାହିଁ l ମୁଁ ଏଠି ଥିଲା ପର୍ଯ୍ୟନ୍ତ ଏସବୁ ଲଫଡ଼ା ଚଳିବନି l ତୁମ ବାପା ଜଣେ ଉତ୍ତମ ସ୍ଵଭାଵର ପୋଲିସ ଅଫିସର l ବୋଧେ ତୁମର ଏପରି ଢାଞ୍ଚା ବିଷୟରେ ଜାଣି ନାହାନ୍ତି l ବର୍ତ୍ତମାନ କୋଉଠି ଘରେ ନା ଅଫିସ ରେ? ତାଙ୍କ ଫୋନ ନମ୍ବର ଦିଅ ମୁଁ କଥା ହେବି ତାପରେ ତୁମକୁ କଲେଜ ରୁ ଟି ସି ଦେଇ ବିଦା କରିଦେବି l "
ଆମର ଅଧ୍ୟକ୍ଷ ମହାଶୟ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ଗେଲ୍ହାରେ "ମାଧିଆ " ବୋଲି ସମ୍ବୋଧନ କରୁଥିଲେ l ତାଙ୍କ କଥା ଗୁଡ଼ିକ କୋମଳ କିନ୍ତୁ ଶାସନ କଠୋର ଥିଲା ଯାହା ଦ୍ୱାରା ସେ ଅଭିଭାବକ ବୃନ୍ଦଙ୍କର ପ୍ରିୟ ଭାଜନ ହୋଇପାରିଥିଲେ l ସାରଙ୍କ ଏତାଦୃଶ ଅନୁଶାସନ ମୂଳକ ଅନୁଜ୍ଞାପୂର୍ଣ୍ଣ ବାଣୀ ଶୁଣି ଛାତ୍ର ଶର୍ମାଙ୍କ ମୁହଁରୁ ଗମ ଗମ ଝାଳ ବାହାରି ପଡ଼ିଲା l ଚଷମା ଆଖିରୁ ଗଳିପଡ଼ିଲା l କଡ଼ା ପାନ ଛେପ ଢୋକି ହେଇଗଲା ଓ ପାଟି ଖନୀ ମାରିଗଲା l ହାତ ଯୋଡ଼ି ଲମ୍ବ ହେଇ ସାଷ୍ଟାଙ୍ଗ ପ୍ରଣାମ କରି ଖନେଇ ଖନେଇ ଛଳ ଛଳ ଆଖିରେ ସାରଙ୍କୁ ବିନମ୍ର ଅନୁରୋଧ କଲେ, "ସାର ମୋର ବହୁତ ଭୁଲ ହୋଇଗଲା l ଦୟାକରି କ୍ଷମା କରିଦିଅନ୍ତୁ l ବାପାଙ୍କୁ ଏବିଷୟ ଆଦୌ କହିବେନି l ସେ ମୋତେ ତାଙ୍କ ବେଲ୍ଟରେ ପିଟି ପିଟି ମୋ ପିଠିରୁ ଛାଲ ଉତ୍ତାରିଦେବେ l ଆଉ ମୋର କାରିୟର ମର୍ଡର ହୋଇଯିବ l ଭବିଷ୍ୟତ ବି ଅନ୍ଧାର ହେଇଯିବ l ପ୍ରଥମ ଥର ପାଇଁ ମୋର ବଦଗୁଣ ବଦଳାଇବା ସକାଶେ ମାତ୍ର ଥରୁଟିଏ ମୋତେ ସୁଯୋଗ ଦିଅନ୍ତୁ l କାଲି ଠାରୁ ଆପଣଙ୍କ ପରି ବାଳ ମିଲିଟାରୀ କଟ କରି ସାଧାରଣ ଫୁଲପ୍ୟାlଣ୍ଟ ହାଫସାର୍ଟ ପିନ୍ଧି କାଲି କଲେଜ ଆସିବି l ବାପା ବୋଉଙ୍କ ରାଣ l ଅନ୍ୟଥା ହେଲେ ଆପଣ ସାର ମତେ ରଶ୍ଟିକେଟ କରିଦେବେ l ମୋର ତ୍ରିବାର ସତ୍ୟ ଦୟା କରନ୍ତୁ ସାର l" ଶର୍ମାଜୀଙ୍କ କଥା ଶୁଣି ସାର ଗୁରୁ ଗମ୍ଭୀର ସ୍ୱରରେ ଉତ୍ତର ଦେଲେ," ଠିକ ଅଛି ମିଷ୍ଟର ଶର୍ମା l ତୁମର କ୍ଷମାପ୍ରାର୍ଥନା ଅନୁସାରେ ମୁଁ କିଛି ଆକ୍ସନ ନେବିନି l ବର୍ତ୍ତମାନ 3ଟା ବାଜିଛି l ତୁମେ ଆଉ କ୍ଲାସ ଯାଆନା ଏଠୁ ସିଧା ସେଲୁନ ଯାଇ ବାଳ କଟି ଘରକୁ ଯାଅ l ତୁମ କ୍ଲାସ ଟିଚରଙ୍କୁ କହିଁ ମୁଁ ମ୍ୟାନେଜେ କରିଦେବି l ହଁ ଗୋଟାଏ କଥା ମନେ ରଖିଥା କାଲି ରବିବାର l ପଅରି ଦିନ ଭଦ୍ରଛାତ୍ର ବେଶରେ କଲେଜରେ ପହଞ୍ଚି ସବା ଆଗେ ମୋ ରୁମରେ ଦେଖା କରିବ l ଭୁଲିବନି l "
ତାପରେ ଶର୍ମାଜୀ କାନମୁଣ୍ଡାରେ ହାତ ମାରି ସାରଙ୍କୁ ନମସ୍କାର କରି ନିଜ ରେସିଂ ସାଇକେଲରେ ସେଲୁନରେ ପହଞ୍ଚି ବାଳ କାଟି ରେଡି ମେଡ ପ୍ୟାଣ୍ଟ ସାର୍ଟ କିଣି ସନ୍ଧ୍ୟା ବେଳେ ଘରେ ପହଞ୍ଚିଲେ l ପ୍ରିନସିପାଲଙ୍କ ନିର୍ଦେଶ ଅନୁଯାୟୀ କର୍ମ କଲେ l ଆଉ ମନ ଦେଇ ନିଜ ଲକ୍ଷ୍ୟ ହାସଲ କଲେ ଅର୍ଥାତ ଏକୋନୋମିକ୍ସ ଅନର୍ସ ରଖି ଡିସଟିଂକ୍ସନ ରେ ବିଏ ପାସ କଲେ l ଉକ୍ତ ଛାତ୍ର ଜୀବନର ଆଦର୍ଶ ଶିକ୍ଷା ନବିଶ ଶୈଳୀ ଏବେ ସୁଦ୍ଧା ମୋର ପ୍ରଚ୍ଛଦ ମାନସ ପଟ୍ଟରେ ଚିର ସବୁଜ ସ୍ମୃତି ରେଖା ଆଙ୍କି ଦେଇ ମନ ପ୍ରାଣ ରେ ଆନନ୍ଦ ଭାବ ଉଦ୍ରେକ କରୁଛି l ସେବେକାର ଆଉ ଆଜି ଏକବିଂଶ ଶତାବ୍ଦୀର ବିଦ୍ୟା ଶିକ୍ଷାନବିଶ ଶୈଳୀର ପଟ୍ଟଭୂମି ମଧ୍ୟରେ ତୁଳନାତ୍ମକ ଭାବଧାରାରେ ଏକ ପର୍ଯ୍ୟବେକ୍ଷଣ,ଆମ ବରିଷ୍ଠ ମାନସିକତାକୁ ରସାତଳ ଗାମୀ କରି ପ୍ରୋଢ଼ ପ୍ରାଣରେ ନୈରାଶ୍ୟ ଭରି ଦିଏ l ବେଙ୍ଗ କହେ ବେଙ୍ଗୁଲି ଦୁନିଆ କ୍ଷଣ କ୍ଷଣକେ ଆନ l ଆଜିର ପରିବର୍ତ୍ତନଶୀଳ ଦୁନିଆରେ ମହାପ୍ରଭୁ ଜଗନ୍ନାଥଙ୍କୁ ଆନ୍ତରିକ ପ୍ରାର୍ଥନା ଏହି କି ଯେ ସେ ଆଧୁନିକ ଯୁବାପିଢ଼ିକୁ କମସେକମ ଚାରିତ୍ରିକ ଦୃଢ଼ୀକରଣ ପ୍ରଚେଷ୍ଟାରେ ବିନିଯୋଗ ପୂର୍ବକ ଜୀବନ ସଂଗ୍ରାମ ପଥରେ ଅଗ୍ରଣୀ କରନ୍ତୁ l ଫଳରେ ସାରା ବିଶ୍ୱରେ ଏକ ଆଦର୍ଶ ଶିକ୍ଷାଜଗତ ପ୍ରତିଷ୍ଠିତ ହୋଇ ମାନବୀୟ କ୍ରମବିକାଶର ମହତ୍ତ୍ୱ ପ୍ରତିପାଦିତ ହୋଇ ପାରିବ ।
