STORYMIRROR

Arundhati Jena

Inspirational Others Children

4  

Arundhati Jena

Inspirational Others Children

ଛାଇ ପରି କେହି

ଛାଇ ପରି କେହି

2 mins
152

କୁହାଯାଏ ଯେ ଜୀବନରେ ଅନ୍ଧାର ଘୋଟି ଆସିଲେ ନିଜ ଛାଇ ବି ସାଙ୍ଗରେ ରୁହେନି, ହେଲେ ବାପା ମାଆ ସବୁବେଳେ ସାଥିରେ ରୁହନ୍ତି। ଇଏ ହେଉଛି ଜୀବନର ବାସ୍ତବତା।

   ସୁଖ ହେଉ ଅବା ହେଉ ଦୁଃଖ,

   ଅନ୍ଧାର କି ହେଉ ବା ଆଲୋକ।

   ବାପା ମାଆ ପରି କେହି ନାହିଁ,

   ରହିଥାନ୍ତି ଛାଇ ପରି ହେଇ।


ଏଇ ଘଟଣା ଟି ଅନେକ ଦିନର, ମାନେ ମୁଁ ସେବେ ଛୁଆଟେ ଥିଲି । ଘର ପାଖର ଜଣେ ବଡ଼ ମାଆ ହେବେ, ସେ ହଠାତ୍ ରୋଗରେ ପଡି ମୃତ୍ୟୁବରଣ କଲେ। ବଡ଼ ବାପାଙ୍କ ବିବାହ ବିଳମ୍ବରେ ହେଇଥିଲା, ତେଣୁ ତାଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ ବି ମୋ ଠାରୁ ଆଠ, ଦଶ ବର୍ଷ ଖଣ୍ଡେ ଛୋଟ ହେବେ। ବଡ଼ ମାଆ ମରିବା ସମୟରେ ପୁଅଙ୍କୁ ତାଙ୍କର ଦୁଇ ବର୍ଷ ହେଇଥିଲା ଆଉ ଝିଅ ୫ ବର୍ଷର। ସେମାନଙ୍କର ଲାଳନ ପାଳନର ବୋଝ ଉଠେଇଲେ ଆଉ ଜଣେ ବଡ଼ ମାଆ ସେମାନଙ୍କର। ବହୁତ ଭଲ ସିଏ। ନିଜ ଛୁଆ ମାନଙ୍କଠୁ ବି ଅଧିକ ଗେଲବସର ଆଉ ଯତ୍ନ କରେ ସେମାନଙ୍କର।

   ହେଲେ ଯେତେ ସ୍ନେହ ଶ୍ରଦ୍ଧା ଯାହାଠୁ ମିଳିଲେ ବି ମାଆର ସ୍ନେହ ଶ୍ରଦ୍ଧା ସବୁଠୁ ନିଆରା। ଏତେ କୁନି ବୟସରୁ ସେମାନଙ୍କୁ ଛାଡି ଯିବାର ଅବଶୋଷ ତ ନିହାତି ହେଉଥିବ। ସେଥିପାଇଁ ପିଲାମାନେ ତାଙ୍କର ଅନେକ ସମୟରେ କାନ୍ଦି କାନ୍ଦି ବାରି ପଛ ପାଖ ଚାକୁଣ୍ଡା ଗଛ ପାଖକୁ ଧାଇଁ ଯାଆନ୍ତି ବୋଉ ବୋଉ କହି ଆଉ କିଛି ସମୟ ପରେ ଲୁହ ପୋଛି ନିଜର, ପୁଣି ତୁନି ହେଇଯାଆନ୍ତି। ସେମାନଙ୍କ ଦେହ ଖରାପ ଥିବା ସମୟରେ କୁଆଡେ ସେମାନଙ୍କର ମାଆ ଛାଇ ପରି ଜଗିକି ରୁହନ୍ତି।କେହି କେହି କୁହନ୍ତି ଯେ ସେ ନିଜ ଛୁଆଙ୍କୁ ଦେଖିବେ ବୋଲି ସେ ବାଡି ପଛ ଚାକୁଣ୍ଡା ଗଛରେ ରହିଛନ୍ତି ବୋଲି।ମୋତେ ଏ ସବୁ ଶୁଣିଲେ ଛୁଆ ବେଳେ ବହୁତ ଡର ଲାଗେ। ହେଲେ ଯେବେ ଟିକିଏ ବଡ଼ ହେଲି ସେତେବେଳେ ପଚାରିଲେ ଛୁଆ କୁହନ୍ତି ଦିଦି, ସତରେ ଆମ ବୋଉକୁ ଆମେ ଦେଖିପାରୁଛୁ। ସେ ଯେମିତି ଗୋଟେ ଛାଇ ଭଳି ସୁରକ୍ଷା କବଚ ହେଇ ଆମର ଯତ୍ନ ନେଉଛି।

   ଏ କଥା କେତେ ସତ କି ଏଇଟା ସେମାନଙ୍କର ଭ୍ରମ, ସେଇଟା ଅବଶ୍ୟ ମୁଁ ଜାଣେନା। ହେଲେ ମାଆ ଯେ ମମତାମୟୀ ଆଉ ସ୍ନେହ, ପ୍ରେମର ମିଠା ଝରଣାର ଉତ୍ସ ।ତେଣୁ ତା ପକ୍ଷେ ଏସବୁ କରିବା ଅବଶ୍ୟ ଅସମ୍ଭବ ନୁହେଁ।

ମାଆର ସନ୍ତାନ ପ୍ରତି ତାର ଗଭୀର ଭଲପାଇବା, ସେମାନଙ୍କର ଛାଇର ବି ଛାଇ ହେଇ ଜଗିରହିବା ତାର ମହାନତାକୁ ବୁଝାଏ। ମାଆ ଶବ୍ଦର ଅର୍ଥ ଆଉ ମହାନତାକୁ କିଏ ଅବା ବୁଝେଇପାରିବ ? ସେ ମାଆ, ସେ ଚିର ନମସ୍ୟା ଆଉ ପୂଜନୀୟା ମଧ୍ୟ। ହେଲେ ସାମ୍ପ୍ରତିକ ସ୍ଥିତିରେ ମାଆ ଅସହାୟ ଆଉ ନିଷ୍ପେସିତ ଜୀବନ ନେଇ ବୃଦ୍ଧାଶ୍ରମରେ ନିଜ ଛୁଆର ବାଟକୁ ଚାହିଁ ପ୍ରାଣତ୍ୟାଗ କରିବା ଖୁବ୍ ବିଡ଼ମ୍ବନା ଆଉ ଲଜ୍ୟାର ବିଷୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational