ଚାଷ
ଚାଷ
କିଣିଖିଆ ଙ୍କ ଦିହରେ କି ବଳ ? କଞ୍ଚା ପଇସା ପଛରେ ଧାଇଁ ଧାଇଁ ଶେଷକୁ ପାଉରୁଟି ଚୋବା । ଆରେ ଜହ୍ନ କୁ ଗଲେ ବି ତ ପେଟକୁ ଦାନା ଚାହି କି ନାହିଁ ! ସେଥିକୁ ଆଦର କରନ୍ତି ସିନା । ହତାଦର କଲେ କି ଚଳେ !
ନୂଆ ବର୍ଷ ର ନୂଆ ଉମଙ୍ଗ । ଗାଡି ଆସି ସାରିଥାଏ ।ଝରକା ପାଖ ସିଟ୍ ଟି ପାଇଁ ପିଲେ ପେଲା ପେଲି । ଖୁସିଟେ ଯେମିତି ଏମିତି ଲହଡି ମାରି ହସୁଥାଏ । ମୁଣ୍ଡ ସଂଖ୍ୟା ଗଣି ଉପସ୍ଥାନ ପଡିଲା ..... ଚକ ଗଡିଲାଣି କେତେବେଳୁ । ପିକନିକ୍ ପିକନିକ୍ ...ଅନ୍ତାକ୍ଷରୀ ଚାଲୁ ।
ଚବିଶ ଘଣ୍ଟା କାଳ ହାତରେ ଲାଖି ରହିଥିବା ଲ୍ଯାପଟପ ରୁ ମୁକ୍ତି । ସ୍ବସ୍ତି ର ଦିନଟିଏ ଏତେ ଦିନେ ଜୁଟିଛି ।
କାଡୁବାସନାହାଲି ଦେଇ ମାରାଥାଲି ଦେଇ ଆହୁରି ଅନେକ ଆଗକୁ ଗୁଡେ ଅଙ୍କା ବଙ୍କା ଅଚିହ୍ନା ବାଟ ମାନଙ୍କ ସହ ଏଇ ଛୋଟ ବସ ଚକ ର ଚିହ୍ନା । ସିଏ ନିର୍ଦ୍ବନ୍ଦେ ଗଡୁଥାଏ ।ନିର୍ଭେୟେ ଆମେ ତା ଭରସାରେ ।
ସକାଳର ତାଜା ପବନ ସହ ଫାଙ୍କା ରାସ୍ତା ରେ ଫିଟିଲା ପିଲାଙ୍କ ପ୍ରଶ୍ନ ପେଡି । ଚାରିପଟୁ ଗୋଟେଇ ଆଣୁଥାନ୍ତି ସେମାନେ ସବୁ ଆକାରର ପ୍ରଶ୍ନ ଯାହା ଯୋଉଠି ଆଖି ରେ ପଡୁଥାଏ କୌତୁହଳ ଜିଜ୍ଞାସା ର ପାହାଡ ଗଦା । ଆଉ କେତେ ବାଟ ? ସେଠି ଆମେ କଣ ଦେଖିବା ? ଆଉ କଣ ସବୁ ଅଛି ସେଠି ? ଏମିତି ଆହୁରି ଅନେକ l
ତାଙ୍କ ପ୍ରଶ୍ନ ର ଯଥା ସମ୍ଭବ ଓ ସେମାନେ ବୁଝିଲା ପରି ଭାଷାରେ ଉତ୍ତର ଖଞ୍ଜୁ ଖଞ୍ଜୁ ସ୍ମୃତିଚାରଣ ଖଞ୍ଜା ରୁ ଖିଅଟିଏ ସୂତା ଭିଡିଆଣି ଦେଖିଲି ଆମ ବିଲ ମଝିରେ ଠିଆ ହେଇଛି ମୁଁ । ଚାରିପଟେ ଡାଲା ପରି ଗେଣ୍ଡୁ ମେଳା, ଲହରା ଲହରା ସୁନା ଧାନ, ମିଠାଳିଆ ବାସ୍ନା ଦିଗନ୍ତ ବିସ୍ତାରି । ପବନରେ ଚିତ୍ର ଆଙ୍କୁଛି ସମୃଦ୍ଧି । ଦି ପଟକୁ ଉଠିଲା ପରି ଡେଣା ମେଲା ହାତ ଦି ଟି ମୋର ବିସ୍ତାରିତ ।
ପୁଣି ଦେଖୁଛି, ମାଟି ଅଗଣା ମଝିରେ ଆମେ । ବାପା, ଗୋସେଇଁ ବାପା ବସିଛନ୍ତି । ସାନବାପା କହୁଛନ୍ତି, ଚାଷ? ଆଜିକାଲି ଆଉ କିଏ କରେ,ସରକାର ମୁଣ୍ଡ ପିଛା ଚାଉଳ ପଚିଶ କିଲ ଦେଲେଣି... ଟଙ୍କାଏରେ । ଯାହା ଖ' ଆଉ ଯାହା ପାଖ ତେଜରାତି ସଉଦା ବେପାରୀ କୁ ବିକ । ବସି ଖାଇଲେ ସରିବନି । ସେମିତି ରେ ଆମର ନଈ ପାଖ ଗହୀର ବିଲ ପାଣି ଲତପତ, କିଏ ଜଗିବ? ଔଷଧ ପତ୍ର କୀଟନାଶକ ପକେଇଲେ ଜମି ବିଷାକ୍ତ, ଜିଆ ମରିଯାଇ ଅନୁର୍ବର, ନ ପକେଇଲେ ପଙ୍ଗପାଳ, ଷଣ୍ଢ ପଶି ନୟାନ୍ତ କରୁଛି, ଦଳିପକଉଛି ତଳି , ପାଳଭୁତ କୁ ବି ଆଉ କୋଉ ପକ୍ଷୀ ଡରୁଛନ୍ତି ଯେ । ବଳବୟସ ଅଛି ନା ନଳୀଗୋଡରେ ଦମ୍ଭ ଯେ ଚଷିବୁ । ପିଲେ ତ ସବୁ ବିଦେଶ ଗଲେ, ନିଜ ମାଟି ଚିହ୍ନିଲେ ନା ବିଲ କୋଉଠୁ କେତେକ ଜାଣିଲେ ।ଗାଡି ଚଢି ବୁଲିଲେ, ମାଟି ମମତା ପାଶୋରିଲେ । ଜମି ଗୋଚର କଲେ ।
ଚଷା ସଂଖ୍ୟା କୁ ମଡକ ପଡିଲା । ଭାଗଚାଷିଏ ତ ପୋଷୋଉନି ପୋଷୋଉନି ଘୋଷିଲେ । ଏତେ କଷ୍ଟ କରି ରୁଅ,ବିହାଡ,କାଟ,ବାଛ,ବେଙ୍ଗଳା ବୁଲାଅ, ଧୂସ ଉଡାଅ, ଅଗାଡି ବାଛ,ଉସାଅଁ, ଶୁଖାଅ, ମିଲ କୁ ନିଅ, କୁଟ.... କିଏ ପାରିବ । ଏକାଳେ ତ ସମସ୍ତେ ରୋଗିଣା । ବଳଦ କାଇଁ ନା ଶଗଡ କାଇଁ । ଚଷିବ? ସବୁ ତ ରେଡିମେଡ୍ ଆଇଲାଣି । ଧାନ କ୍ଷେତ ସବୁ ପ୍ଲଟ ପାଲଟିଲେଣି । ବରଷକ ଚାଉଳ ପାଇଁ କିଏ ଏତେ ଲହୁଲୁହାଣ ହବ । ଏବେ ତ ଡାକ୍ତର ମନା କଲେଣି ଭାତ ଖଅନି । ରକତ ପାଣି ଫାଟିବ ହବ, ମିଠା ବଢିବ । ଓଲଟା ଯୁଗ । ଘୋଡା ଛ ଟଙ୍କା କୁ ଦାନା ନ ଟଙ୍କା ପଡୁଛି । ମୌସୁମୀର ସମୟ ଠିକଣା ନାହିଁ, ବିହନ ବୁଣି ହଳଦିଆ ମରୁଗୁଡିଆ ଗଜା ଦେଖି ଖର୍ଚ୍ଚ ଶ୍ରାଦ୍ଧର ଲୁହ,ହାଡଭଙ୍ଗା ପରିଶ୍ରମ ସବୁ ପାଣିରେ ।ଅକାରଣେ ଅର୍ଥ ହାନୀ, ଶରୀର ପିଡା, ମନସ୍ତାପ ।
ପତଳା କୁହୁଡି ଆସ୍ତରଣ ଚଦରଟେ ଘୋଡେଇହେଇଛି ସହର ।ପିଲେ ଗପି ଗପି ଗଡିପଡିଲେଣି ବୋଧେ ।ଏଯାଏଁ ହେଇନି ଗନ୍ତବ୍ଯ କିନ୍ତୁ ଅନ୍ଯ ମାନଙ୍କର ଅଳ୍ପ ମାନ୍ଦାଳିଆ ଗପସପ କାନ ପରଦା ଠି ବାଜୁଛି ।ପୁଣି ଜାକି ହେଇଗଲି ମୋ ଦୁନିଆକୁ ।
ମଝିଦାଣ୍ଡ ତାରଖୁଣ୍ଟିରେ ଓହଳିଥିବା ପାଆଁଶ ପାବାର ହଳଦିଆ ବଲବରେ ଚିତ୍ରପଟ ପରି ପୁଣି ମୋ ଗାଁ ଘରର ଦୃଶ୍ୟ । ଉଚ୍ଚ ମାଟି ପିଣ୍ଢା । ନଡାଛପର ରୋଷଘର ।
ପିଲାଦିନ ଟା ସବୁଦିନେ ବଞ୍ଚେ, ପିଞରା ତଳେ । ରୁଷେ, ହସେ, ମୁହଁ ଶୁଖାଏ, ହସାଏ । ଜେଜଙ୍କ ସହ ହାତ ଲଗେଇ ଶଗଡ ଅଖରେ କାଳି ଦେଲାବେଳେ, ନାଲ ନ ହୁଗୁଳୁ ଦି ଚକରେ ପାଣି ଦବା, ଟିପେଇ ଦେଇ ଶଗଡକୁ ଠିଆ କରେଇବା, ଫଳି ସବୁ ଗୋଟି ଗୋଟି କି ହଲେଇ ପରଖିବା, ନନ୍ଦା ଦଉଡି ବଳିବା, ଝୁରାଡିହ ସଜିଲ କରିବା , ବଳଦ ଯୋଚୁଥିବା ବାପା ଦିଶିଗଲେ ।ସାଙ୍କୁଡା ଶୀତରେ ଅମଙ୍ଗିଆ ବଳଦ ହଳ ଙ୍କ ମନକଥା ବୁଝେ ବୋଉ ।ଉଷୁମୁ ତୋରାଣୀରେ କୁଣ୍ଡାଚୋକଡ ଗୋଳେଇ ପେଇବାକୁ ଦିଏ ।ଗୋଛେ ପାଳ ଚାକୁଳଉ ଚାକୁଳଉ ଉଠନ୍ତି ଦିହେଁ ଅଳସ ଛାଡି ।ମହଣେଇବାକୁ ବାହାରନ୍ତି ।ପାହୁଣ୍ଡ ପକାନ୍ତି ।ଘିଡ୍ ଘାଡ୍ ଗଡେ ଶଗଡ ।ଜେଜ ଗାଉଥାନ୍ତି ଗୀତ ସୁର ଲମ୍ବ କରି ।ପାଳି ଧରୁଥାଉ ଆମେ ।ବାପା, କକା ଆଉ ମୁଁ ।ଚାଷବନ୍ଦି ଘର ଆମର, ବିଲ ଆମର ଲକ୍ଷ୍ମୀ ହାଣ୍ଡି ।ଅମାରଘର ହସୁଥାଏ ଚଷା ଝାଳ ଲହୁରେ ।ଆମ ନାକଉଚ୍ଚ ହୁଏ । ଟାଣପଣ ଆମର ଆମ ଅମଳ ।ସତୁରି ଏକର ଜମି ଆମର। ଆମେ ପରା ଚାଷୀ, ହଳଲଙ୍ଗଳରେ ଗୀତ ଗାଇବା, ସବୁରି ପେଟ ଚିହ୍ନିବା ।ଆମ ବିଲରୁ ସଂସାର ଯାକର ହାଣ୍ଡି ରେ ଭାତ ଫୁଟିବ ।ଜେଜ କହୁଥିବେ ମୋ ମଥା ଆଉଁସି ଚାଷ ଛାଡିବୁନି ବାପା ।ଚାଷ ଛାଡିବୁନି ।ବିଲ ଆମ ମାଆ ।
ସ୍ମୃତି ର ନୀରବ ଗାଁ ଗହୀରରୁ ଟାଣି ଆଣିଲା ଟ୍ରାଫିକ ଛକର ହର୍ଣ୍ଣ ଦୁଲ୍ କି । ପଁ ପଁ କରି କାନ ଅତଡା ଖସୁଥିଲା ବାହାରେ ସିନା, ମୋ ଭିତରର ବଳକା ପୃଥିବୀ ନୀରବ ଥିଲେ ସେମିତି । ଶୀତୁଆ ଆକାଶଟା ବୋଉର ହାତ ପରି ଆଉଁସି ଦଉଥିଲା ମତେ ଆଉ କହୁଥିଲା," ହଇରେ କଂଚାପାଣିଆ ଦେହ ଟି ତୋର । ଟିକେ ଜାଗତିଆର ରହିବୁନି ନା । ଦେଖିଲୁ କେଡେ କାକର ପଡୁଛି ।ମୁଣ୍ଡ ରେ କଣ ଗୋଟା ଘୋରେଇ ନଥାନ୍ତୁ ।କାନ ବିନ୍ଧା ବଢିବ କି ନାଇଁ ।" ବୋଉ ହାତର ପଖଳା ଭାତତୋରାଣିର ବାସ୍ନା, ଆମ ନିଜ ବାରିର ସତେଜ ପନିପରିବା,ଆମ ଗାଡିଆ ର ମାଛ,ଗଛର ପଇଡ ର ସୁଆଦ କୋଉ ସୁପର ମାର୍କେଟ ରେ କାଇଁ । ସବୁ ବରଫ ଦିଆ, ସବୁ ଭେଜାଲ ।
ମୁଁ ଘୁମ ଘୁମ ଆଖି କୁ ଅଳ୍ପ ଖୋଲି ଦେଖିଲି ଆଉ ସେଇ କାଚ ଝରକା ରେଲିଂ କୁ ଆଉଜି ଗଲି, ଯେମିତି ସେଇଟା ମାଆ କୋଳ ।କୁହୁଡିମୟ ଶୀତ ପାହାନ୍ତା ଅପସରି ଚିକ୍ ଚିକ୍ ଖରା ରାସ୍ତା କୁ ଚୁମିଲାଣି ।ଗହଳି ବଢିଆସୁଛି ପିଚୁ ଦେହଟାରେ ତାର ।
ପହଞ୍ଚି ସାରିଲୁ ଠିକଣା ଠି ।ଟପ୍ ଟାପ୍ ଡେଇଁ ପଡିଲେ ବର୍ଷା ବିନ୍ଦୁ ପରି ପିଲେ ଆଉ ଅନ୍ଯ ସମସ୍ତେ ବସ୍ ର ଅଣଓସାରିଆ ମେଲାମୁହଁ କବାଟ ଦେଇ ।ଫୁଲ ପରି ଫୁଟି ଯାଉଥିଲେ ଫୁଆରା ଫୁଆରା ଖୁସି ।
ମୁଁ ବି ଓହ୍ଲେଇଆସିଲି ।
ବାଙ୍ଗାଲୋର ପରି ଅତ୍ଯାଧୁନିକ ଆଭିଜାତ୍ଯପୂର୍ଣ୍ଣତା ର କାର୍ଡିଗାନ୍ ଓଢଣୀ ପିନ୍ଧିଥିବା ସହର ମଝିରେ ଏ ଅଦ୍ଭୁତ ଦୃଶ୍ୟ । ଗାଁ । ମୋ ଗାଁ ର ପ୍ରତିଛବି । ସେଇ ବିଲ, ସେଇ ବାଡ,ସେଇ ଜାଲ ଘେରା, ସେଇ ମୁଣ୍ଡ ରେ ଗାମୁଛା ବାନ୍ଧି ମାଟି ସହ ମାଟି ପାଲଟୁଥିବା ଚାଷୀ, ଫାଉଡା, କୋଦାଳ, ହଳ,ପାଳ,ପନିପରିବା, ଧାନ, ମୁଗ, ଚିନାବାଦାମ, ଫୁଲ, ଗାଈ, ବତକ, ଏମିତି କି ଶଗଡ । ମୋ ଦୃଷ୍ଟି ମୁଗ୍ଧ ହେଇ ବୁଲୁଥିଲେ ଚାରିପଟେ ସମ୍ମୋହିତ ପରି ।
ମୁଁ ହଠାତ୍ ସେଇ ବୟସକୁ ଫେରିଗଲି ଯୋଉ ବୟସରେ ଖଳାବାରିରେ ଖଳାଗଦା ଉପରେ ହନୁ କି ଠେକୁଆ ପରି କୁଦୁଥିଲି ଫୁଦକି ଫୁଦକି।
ସେଠିକାର ଜଣେ ୟୁନିଫର୍ମ ପିନ୍ଧା ଚାଷୀ ଭାଇ ପାଖରେ ଆଣ୍ଠେଇ ପଡି ପଚାରିଲି, " ଭାଇ କେତେ ଏକର ଏ ଜମି ହବ ଟି ? "
ଗାଁ ମଣିଷ ସବୁ ଚାଷ କୁ ଛି 'ଛାକର କଲା ବେଳେ ସହର ହେଉଛି ଚାଷ ମୁହାଁ । ଅରଗାନିକ୍ ର ହାୱା ରେ ।
