ବର୍ଷା ସହ କିଛି ସ୍ମୃତିଏ
ବର୍ଷା ସହ କିଛି ସ୍ମୃତିଏ
ଜୀବନର ଅପରାହ୍ନରେ ପହଞ୍ଚି ସାରିଥାନ୍ତି ଦିବାକର ବାବୁ । ତଥାପି ବର୍ଷା ହେଲେ ଆଜି ବି ଅତୀତର ସ୍ମୃତି ମନେପଡେ ।
ସେଦିନ ବଗିଚାରେ ବୁଲିବୁଲି ଫୁଲଗଛମାନଙ୍କୁ ଦେଖୁଥିଲା ବେଳେ ବର୍ଷାଦିନିଆ ବର୍ଷାଟା ତାଙ୍କୁ ଟାଣି ନେଇଥିଲା ତିରିଶି ବର୍ଷ ତଳକୁ ।
ସେତେବେଳ ସେ ନୂଆ ନୂଆ କଲେଜ ଯାଉଥାଆନ୍ତି । ଆଜି କାଲି ପରି ସେତେବେଳେ ବାପା ମାଆ ମାନେ ତ ଆଉ ପିଲାମାନଙ୍କୁ ଗାଡ଼ି ଧରାଉ ନଥିଲେ । ସାଇକେଲ ଧରି ଯିବାକୁ ପଡୁଥିଲା । ମୁଁ ମଧ୍ୟ ସାଇକେଲଟିଏ ଧରି ବାହାରି ପଡ଼ିଲି କଲେଜ୍ । ଅଳ୍ପ କିଛି ବାଟ ଯିବା ପରେ ବର୍ଷା ଆରମ୍ଭ ହୋଇଗଲା । ମୁଁ ସାଙ୍ଗରେ ଛତା କି ରେନକୋଟ୍ ନେଇନଥାଏ । ବାଧ୍ୟ ହୋଇ ଗୋଟେ ଛୋଟ ଘର ପାଖକୁ ପଳାଇଲି । ସେ ଘର ବାହାରେ କିଛି ସମୟ ଅପେକ୍ଷା କଲି । ବର୍ଷା ଛାଡିବା ନାଁ ନେଉ ନଥାଏ । କିଛି ସମୟ ଗଲା ପରେ ସେହି ଘରୁ ସ୍ତ୍ରୀ ଲୋକଟିଏ ବାହାରକୁ ଆସିଲା । ଯେହେତୁ ମୁଁ ବର୍ଷାରେ ଭିଜି ଯାଇଥିଲି, ଶୀତ ମଧ୍ୟ ଲାଗୁଥିଲା । ସ୍ତ୍ରୀ ଲୋକଟି ଚା କପେ ଦେଇ କହିଲା । ପିଇ ଦେଏ ପୁଅ ଥଣ୍ଡା ଧରିବ । ଅନୁମାନ ସ୍ତ୍ରୀ ଲୋକଟିର ବୟସ ପଇଁଚାଳିଶିରୁ ପଚାଶ ଭିତରେ ହେବ । ମୁଁ ଚା ପିଉ ପିଉ ପଚାରିଲି ମାଉସୀ ଆପଣଙ୍କର କଣ କେହି ନାହାନ୍ତି । ଆପଣ କ'ଣ ଏ ରାସ୍ତାକଡରେ ଏକା ଅଛନ୍ତି । ମାଉସୀ ଜଣଙ୍କ ଆଖି ଛଳଛଳ କରି କହିଲେ ମୋର ଆଜି ସମସ୍ତେ ଥାଇବି କେହି ନଥିଲା ପରି ।
ସେ ତାଙ୍କର ଜୀବନର କାହାଣୀ ଆରମ୍ଭ କଲେ । ମୋର ଦୁଇଟା ଗର୍ଭ ନଷ୍ଟ ହେଲା ପରେ ଯେତେବେଳେ ତୃତୀୟ ଗର୍ଭ ରହିଲା, ସେତେବେଳ ମୋ ସ୍ୱାମୀ ଓ ଶାଶୁ ମୋତେ ନେଇ ଲିଙ୍ଗ ନିରୂପଣ କରିବାକୁ ଯାଇଥିଲେ । ତୃତୀୟ ଗର୍ଭଟି ମଧ୍ୟ ମୋର ଝିଅ ଥିଲ । ଯେହେତୁ ମୁଁ ଡାକ୍ତରଙ୍କ ଗୋଡ଼ ହାତ ଧରି ପୁଅ ଅଛି ବୋଲି କହିଥିଲି । ସିଏ ବି ସେଇୟା କହିଲେ । ଶାଶୁ ଓ ମୋ ସ୍ୱାମୀ ମୋର ବହୁତ ଆଦର ଯତ୍ନ କରୁଥାଆନ୍ତି । ଯେତେବେଳ ଦେଖିଲେ ମୋର ପୁଅ ନ ହୋଇ ଝିଅ ହେଲା । ସେତେବେଳ ମୋତେ ନ ଆଣି ମେଡ଼ିକାଲରୁ ଘରକୁ ଲୁଚିକରି ପଳାଇ ଆସିଲେ । ସେମାନଙ୍କୁ ନ ପାଇ ମେଡ଼ିକାଲ ବାହାରେ ବସି କାନ୍ଦୁଥିଲି । କୁଆଡେ ଯିବି କେଉଁଠିକି
ଯିବି ଭାବୁଥାଏ । ବାଟ ଘାଟ ମଧ୍ୟ ମୋତେ ଜଣାନଥିଲା । ମୋ ଦୁଃଖ ସହି ନପାରି ମେଡ଼ିକାଲର ସୁଇପର ଜଣେ ତା ସହିତ ନେଇ ଆସିଲା । ତା ଘରକୁ ମୋଠାରୁ ନାଁ ଠିକଣା ବୁଝି ମୋତେ ନେଇ ମୋ ଶାଶୁ ଘରକୁ ଯାଇଥିଲା । ସେତେବେଳକୁ ମୋ ସ୍ୱାମୀ ଆଉଗୋଟେ ବାହାହୋଇ ସାରିଥିଲା । ମୋ ନାଁ କୁ ସେ ସୁଇପର ଭାଇ ନା ସହିତ ଯୋଡି ମିଛ ସତ କହି ମୋତେ ଘରୁ ଧକ୍କଦେଇ ବାହାର କରିଦେଲା । ବାଧ୍ୟ ହୋଇ ପଳାଇ ଆସିଲି । ସୁଇପର ଭାଇ ସହିତ ଦୁଃଖେସୁଖେ ରହିଥିଲି । ଦୁଇ ବର୍ଷ ତଳେ ସେ ଆମକୁ ଛାଡି ଆରପାରିକୁ ଚାଲିଗଲେ ।
ମୁଁ କହିଲି ଆଉ ତୁମ ଝିଅ । ମାଉସୀ ଜଣଙ୍କ ରାଗରେ କହିଲେ ସେ ମୋ ପାଇଁ ମରି ଯାଇଛି । ଆଜି ମୁଁ ଅନୁତାପ କରୁଛି । ଯଦି ମୁଁ ସେଦିନ ମୋ ସ୍ୱାମୀ ଓ ଶାଶୁ କଥା ମାନି ଗର୍ଭ ନଷ୍ଟ କରି ଦେଇଥାଆନ୍ତି । ଆଜି ମୁଁ ହୁଏତ ଏ ରାସ୍ତା କଡରେ ପଡି ନଥାନ୍ତି । ଆଜି ମୁଁ ବୁଝୁଛି ସମାଜରେ କନ୍ୟା ଭୃଣ ହତ୍ୟା କାହିଁକି କରନ୍ତି । ଯେଉଁ ଝିଅ ପାଇଁ ପର ଘରେ ବାସନ ମାଜି । ବେଳେ ଖାଇ ବେଳେ ଉପାସରେ ରହି ପାଠ ପଢ଼େଇ ମଣିଷ କଲି, ସେହି ଝିଅ ମା'ର ମମତାକୁ ଗୋଡରେ ଠେଲି କଲେଜରୁ ସିଆଡେ ସିଆଡେ ଭଲପାଇ ଅନ୍ୟ କାହା ସାଥୀରେ ପଳାଇଲା । ଟିକିଏବି ଏ ମାଆ ପ୍ରତି ତାର ଦୟା ହେଲାନି । ତୁ କହ ପୁଅ ଏଥିପାଇଁ ଦାୟୀ କିଏ । ଏ ସମାଜ ନା ବର୍ତ୍ତମାନ ପୀଢ଼ି ସବୁ ।
ମୁଁ କିନ୍ତୁ ଭାବୁଥିଲି । ସେତେବେଳେ, ସତରେ କେତେ ସ୍ଵାର୍ଥପର ଏ ଦୁନିଆ । ସମାଜରେ ଯେଉଁ କନ୍ୟା ଭୃଣ ହତ୍ୟା ହେଉଛି ,ସେଥିପାଇଁ କ'ଣ କେବଳ ପୁରୁଷ ଦାୟୀ । ନାଁ ବିପଦ ସବୁବେଳେ ହିଁ ବିପଦ ।
ଝିଅଟିକୁ ନିର୍ଯ୍ୟାତିତ କରାଯାଉ ବା ଝିଅଟି ସ୍ୱେଚ୍ଛାଚାରିତା ହୋଇ ନିର୍ଯ୍ୟାତିତ । ପଖକୁ ଆଗେଇ ଆସୁ ସବୁ ଏକା କଥା । ଭୁଲ୍ କେବେ ସମାଜର ହୋଇନଥାଏ । ଭୁଲ୍ ହୋଇଥାଏ ସମାଜରେ ବଢୁଥିବା କାମାନ୍ଧ ପୁରୁଷ ଓ ଉଗ୍ର ଆଧୁନିକ ଓ ସ୍ୱେଚ୍ଛାଚାରିତା ନାରୀମାନଙ୍କର ।
ଏ ବର୍ଷରେ ଭିଜି ଭିଜି ଆଜି ପୁଣି କେଉଁ ସ୍ମୃତି ଦୁନିଆରେ ହଜିଯାଇଛି । କ'ଣ ଚା ପିଇବନିକି? ସ୍ତ୍ରୀଙ୍କ ଡାକରେ ପ୍ରକୃତିସ୍ଥ ହେଲେ ଦିବାକର । ଭାବନା ରାଜ୍ୟରୁ ଫେରି ଆସି ଦେଖିଲେ ସେ ସମ୍ପୂର୍ଣ୍ଣ ଭିଜି ଯାଇଛନ୍ତି ।