ଭଡାଘର
ଭଡାଘର
କାଲିର ଭଡ଼ାଘରେ ରହୁଥିବା ବାବୁଲା,ଓ ଆଜିର ବାବୁଲା ଭିତରେ କିଛିବି ଫରକ୍ ନାହିଁ।
ଆଜି ସିନା ସିଏ ଏତେ ବଡ଼ ଫ୍ଲାଟର ମାଲିକ, ହେଲେ ,ତାର ଚାଲି ଚଳଣ ବେଶ ପୋଷାକର କୈାଣସି ପରିବର୍ତ୍ତନ ନାହିଁ। ବାର ବୁଲା ବାବୁଲା ଆଜି କୋଟି ପତିର ମାଲିକ୍।ଗପ ହେଲେବି କଥା ଟି ପ୍ରାୟ ସତ। ଯେଉଁ ବାବୁଲା,ପରର ବୋଲ ହାକ କରି ଗଣ୍ଡେ ଖାଉ ଥିଲା ,ତା ଘରେ ଆଜି ଦୁଇ ଦୁଇଟା ଚାକର ଚାକରାଣୀ। ପିଲା ମାନେ
କାର୍ ଧରି ବୁଲୁଛନ୍ତି। କଥାରେ କହନ୍ତି, '' ପରିଶ୍ରମ ହେଉଛି ସୁନାର ଚାବିକାଠି,ତାହା ଭାଗ୍ୟର ଫାଟକକୁ ଆପେଆପେ ଖୋଲିଦିଏ''।ବାବୁଲା ପରିଶ୍ରମ କରି ,କେବଳ ତାର ଭାଗ୍ୟର ଫାଟକକୁ ଖୋଲିନି, ବରଂ ଆଜିର ଯୁବସମାଜ ପାଇଁ ଉଦାହରଣ ଟିଏ ପାଲଟି ଯାଇଛି।
ଆଜି ପିଲାମାନେ ଯେତେ କହିଲେ, ବାପା ବାହାରକୁ ଯିବା ଆସିବା ବେଳେ ପ୍ୟାଣ୍ଟେ ,ସାର୍ଟ ହଳେ ପିନ୍ଧ। ଆମେ ଏତେ ବଡ଼ କମ୍ପାନିର ମାଲିକ। ହେଲେ ଆପଣ ! ବାବୁଲା କହେ---- ''ଧନରେ କେହି ବଡ ହୁଅନ୍ତିନି ।ମନ ବଡ଼ ହେବା ଦରକାର। ତାଛଡା ଜବାନିଟା ତ ଟ୍ରାଉଜର ପଞ୍ଜାବୀରେ କଟିଛି , ଆଉ ବୁଢ଼ା କାଳେ କ'ଣ ପ୍ୟାଣ୍ଟ୍ ସାର୍ଟ ପିନ୍ଧିବି।
ବାବୁଲା ଆଜିବି ତାର ପିଲା ଦିନର ସ୍ମୃତିକୁ ଭୁଲିନି...। ପ୍ରତିବର୍ଷ ଦଶହରା ହେଲେ ସେ ଗାଁକୁ ଯାଏ। କ'ଣ ସଜ ବସେଇବା ପାଇଁ।ସେଠାରେ ସେ ଦୁଇ ଦିନ ରହି, ପୁଣି ଫେରିଆସେ ଭୁବନେଶ୍ବର । ଏବର୍ଷ ତା ଦେହ ଭଲ ନଥିବାରୁ ,ତା ମନ ଭାରୀ ଦୁଃଖ।ବୟସର ସନ୍ଧ୍ୟାରେ ସେ ଦଣ୍ଡାୟମାନ। ତା ପାଇଁ କେତେବେଳେ ଯେ ରାତି ଆସିବ, ଆଉ ସେ ରାତିରେ, ସେ ଚିର ନିଦ୍ରାରେ ଶୋଇ ଯିବ, ସେ କଥା ଭଗବାନଙ୍କୁ କେବଳ ଜଣା। ଜୀବନରେ ବହୁତ ପରିଶ୍ରମ କରିଛି , ଯାହାକୁ କହନ୍ତି ହାଡ଼ଭଙ୍ଗା ପରିଶ୍ରମ। ଆଜି ତାକୁ ଭଗବାନ ତାର ପରିଶ୍ରମର ଫଳ ସ୍ୱରୂପ ସବୁକିଛି ଦେଇଛନ୍ତି।। ତଥାପି ଆଜିବି ସେ ଭୁଲିନି ତାର ଭିଟାମାଟିକି। କାହିଁକିନା ,ସେ ଭିଟାମାଟିରେ ତା ମା'ର ସ୍ମୃତି ଅଛି ।
ନାତି ଟୋକାକୁ ଗାଁ କୁ ଟିକିଏ ନେଇ ଯିବାପାଇଁ କହିଛି ।ଅନେକ ଥର ଗାଁ କୁ ଯିବାକୁ ନାତି କୁହେ ,ହେଲେ ତାକୁ ନିଏନି । ଆଜି କିନ୍ତୁ ଏକା ଯିବା ପାଇଁ ସାହସ ଆସୁନି।
ନାତି ମନ ଭାରି ଖୁସି। ଜେଜେ ବାପାଙ୍କ ସାଙ୍ଗରେ ଗାଁକୁ ଯିବ । ଜେଜେ ବାପା କ'ଣ କିପରି , ସଜ ବସଉଛନ୍ତି, ତାକୁ ଭିଡ଼ିଓ କରି ତା ସାଙ୍ଗ ମାନଙ୍କୁ ଦେଖେଇବ। ଭାରି ମଜା ହେବ। ସେଦିନ ସକାଳୁ ସକାଳୁ ଜେଜେବାପା ଓ ନାତି ଗାଁ ଅଭିମୁଖେ ବାହାରି ପଡିଲେ। ଯେତେ ଯେତେ ଗାଁ ପାଖେଇ ଆସୁଥାଏ ,ନାତିର କୌତୁହଳ ସେତେ ସେତେ ବଢି ଚାଲିଥାଏ।ଘର ଦେଖି ନାତି ଆଶ୍ଚର୍ଯ୍ୟ ହୋଇଗଲା।ଏଇ ଟିଣ ଘରେ ଜେଜେ ବାପା ରହୁଥିଲେ। ଆହୁରି ଆଶ୍ଚର୍ଯ୍ୟ ହେଲା ଜେଜେ ବାପା, ସଜ ବସାଉ ଥିବା ସେ ସାମଗ୍ରୀ ସବୁ ଦେଖି।
ଜେଜବାପାଙ୍କର ମା'ର ଫଟୋ ପାଖରେ ଗୋଟେ ବଡ ସିଲ୍ଭର ଚେପାଚୁଡା ଗାଁଗୁଲା ଆଉ ଗୋଟେ ପୁରୁଣା ଗାମୁଛା।
ନାତି ଆଶ୍ଚର୍ଯ୍ୟ ହୋଇ ପଚାରିଲା , ଜେଜେ ଆପଣ ଏଇ ପୁରୁଣା ଗାମୁଛା ଓ ଗାଗୁଁଲା କାହିଁ ପୁଜୁଛନ୍ତି।
ଜେଜେ ବାପା କହିଲେ, ତୁ ଯାହାକୁ ପୁରୁଣା ବୋଲି କହୁଛୁ । ସେଇମାନଙ୍କ ପାଇଁ ତୁ ଆଜି କାର୍ ଚଢି ପାରିଛୁ।ନାତି ଆଶ୍ଚର୍ଯ୍ୟ ହୋଇ ପଚାରିଲା ଜେଜେ କେମିତି ?
ଶୁଣିବୁ ତେବେ ଶୁଣ।
ଅଶି ବର୍ଷ ତଳର କଥା। ସେତେ ବେଳକୁ ମୋତେ ଆଠ ବର୍ଷ ହୋଇଥିଲା।ବାପା ସ୍ନେହ କ'ଣ ଜାଣିନି।
ଗାଁ ଲୋକେ କହନ୍ତି,ମୋ
ବାପା କୁଆଡେ଼ ,ସୁରାଟରେ କାମ କରେ ,ସେଠି ସିଏ ଆଉ ଗୋଟେ ବାହା ହୋଇ ରହିଛି।ବୋଉ ମୋର ପର ଘରେ ବାସନ ମାଜି ବହୁତ ଯତ୍ନରେ ମୋତେ ପାଳିଥିଲା। ଘରେ ଗାଈ ଟିଏ ମଧ୍ୟ ରଖିଥିଲା । ମୁଁ କ୍ଷୀର ଖାଇବା ସଙ୍ଗେ ସଙ୍ଗେ, କ୍ଷୀର ମଧ୍ୟ ବିକ୍ରି କରି ସେ କିଛି ପଇସା ରୋଜଗାର କରୁଥିଲା। ମୋତେ ଆ ଠାରୁ ତାଠାରୁ ବହି,ଖାତା ମାଗି ସ୍କୁଲରେ ପଢାଉଥିଲା ମଧ୍ୟ ।କୋଉ ଯାଏଁ ପଢିଛ ଯେଜେ ? କୋଉ ଯାଏଁ ଆଉ ପଢ଼ିବି। ତିନି କ୍ଲାସ ଯାଏଁ ପଡ଼ିଛି। ଦିନେ ବୋଉ ମୋର କାମରୁ ଆସି, ତରବରରେ ପରିବା କାଟୁ ଥାଏ । ରୋଷେଇ କଲେ ମୁଁ ଖାଇକି ଯିବି ସ୍କୁଲକୁ। ପନିକିରେ ତା ହାତ କଟି ଗଲା ।ବହୁତ ରକ୍ତ ବୋହିଲା । ତାକୁ ଦେଖି ସ୍କୁଲ ଯିବାପାଇଁ ମନା କରୁ ଥିଲି। ମୋତେ ପାଟିକଲା କହିଲା ମୋର କିଛି ହୋଇନି।ତୁ ସ୍କୁଲ ଆସିଲା ବେଳକୁ ମୋର ଭଲ ହୋଇ ଯାଇଥିବ।, ସେଇଥିରେ ଘର କାମ । ଗୁହାଳ ଗୋବର ସବୁ କଲା ।ମୁଁ ଖାଇ ସାରି ସ୍କୁଲ ଗଲି ଭାରି। ସ୍କୁଲ ଫେରି ଦେଖେ ତ ,ବୋଉ ଘର ଭିତରେ ନାହିଁ।ସାହିରେ କହିଲେ, ତାକୁ କଟକ ବଡ ମେଡ଼ିକାଲ ନେଇଛନ୍ତି। ମୁଁ କିଛି ବୁଝି ପାରୁ ନଥାଏ। ଭାବିଲି ହାତ କଟି ଯାଇଥିଲା। ଔଷଧ ନେଇ ଫେରିଆସିବ । କିନ୍ତୁ ସିଏତ ଆସିଲାନି , ହଲେ ଆସିଲା ତାର ଶବ। ଗାଁ ଲୋକେ କଥା ହେଉଥିଲେ ତାକୁ କୁଆଡେ ଟିଟାନାସ୍ ହୋଇଯାଇଛି ।ଚରିଆଡ ମୋତେ ଅନ୍ଧାର ଦେଖାଗଲା।
ଗାଈଟିକୁ ବିକି ଗାଁଲୋକେ , ତାର ଶବ ସତ୍କାର କଲେ। ଏ ଦୁନିଆରେ ମୁଁ ସମ୍ପୁର୍ଣ୍ଣ ଏକା ହୋଇ ଗଲି। ବହୁତ କାନ୍ଦିଲି।ଆଖି ଲୁହ ପାଟି ପିଇଲା ।କିଛି ଦିନ ସାହି ପଡିଶା ଖାଇବାକୁ ଦେଲେ, କିଛି ଦିନ ଉପବାସ ମଧ୍ୟ ରହିଲି।କାହାର ଯଦି ବୋଲ ହାକ କଲି ,ମୋତେ ସେ ଗଣ୍ଡେ
ଖାଇବା ପାଇଁ ଦେଲେ।ନହେଲେ ଉପାସ । ମୋ ଘର ପାଖରେ ଜଣକ ବାଡ଼ିରେ ବିଲେଇ ଟିଏ ମରି ଦୁର୍ଗନ୍ଧ ହେଉଥାଏ, ତାକୁ ଉଠେଇବା ପାଇଁ ମୋତେ ଖୋଜା ପଡ଼ିଲା। ମୁଁ କିନ୍ତୁ ଘୃଣା କରିବା ପରିବର୍ତ୍ତେ ଖୁସି ହୋଇଗଲି, କାହିଁକିନା ଖାଇବାକୁ ମିଳିବ। ଦୁଇ ଦିନ ହେଲା ମୁଁ କିଛି ଖାଇ ନଥିଲି। ମୁଁ ଖୁସି ହୋଇ ବିଲେଇ ଟିକୁ ନେଇ ଗାଁ ବାହାରେ ଫୋପାଡି ଦେଇ ଆସିଲି।
ଓ ସେ ମୋତେ ଗଣ୍ଡେ ଖାଇବା ପାଇଁ ଦେଲେ।ଏ ସବୁ ଲକ୍ଷ କରୁଥିଲେ ତାଙ୍କ ମାମୁଁ। ସେ ଗଲାବେଳେ ମୋତେ ଡାକି ପଚାରିଲେ,ତୁ ମୋ ସାଙ୍ଗରେ ଯିବୁ ? ମୋର ଗୋଟିଏ ଜଳଖିଆ ଦୋକାନ ଅଛି।ତୁ ସେଠାରେ ରହି ବୋଲହାକ କରିବୁ, ମୁଁ ତୋତେ ସବୁଦିନେ ଖାଇବାକୁ ଦେବି। ମୁଁ ଖୁସି ହୋଇ ତାଙ୍କ ସାଙ୍ଗରେ ଗଲି।ଓ ସେଠାରେ ରହି ବୋଲହାକ କଲି। ବୟସ ବଢିବା ସାଥେ ସାଥେ ତାଙ୍କୁ ସବୁ କାମରେ ସାହାଯ୍ୟ କରୁଥିଲି।ଚା , ଜଳଖିଆ ଦୋକାନ। ସକାଳ ପାଞ୍ଚଟାରେ ଖୋଲା ହୋଇ ଦିନ ଦଶଟାରେ ବନ୍ଦ ହୁଏ।
ଥରେ ମୁଁ ମାମୁଁକୁ କହିଲି , ଦିନ ଦଶଟା ପରେ ମୋର ତ କିଛି କାମ ନାହିଁ। ମୋତେ କିଛି ବରା,ପିଆଜି, ସିଙ୍ଗଡ଼ା ଦିଅ ମୁଁ ଗାଁ ଗାଁ ବୁଲି ବିକିବି। ମାମୁଁ ଖୁସି ହୋଇଗଲେ।ଓ ତା ପର ଦିନ ଠାରୁ ଦୋକାନ ବନ୍ଦ ହେବା ପରେ ବୁଲି ବୁଲି ବିକିଲି।ଏଇ ଗାମୁଛା କୁ ମୁଣ୍ଡରେ ପକାଇ,ଏଇ ଗଙ୍ଗୁଲାରେ ଜଳଖିଆ ଭରି ଗାଁ ଗାଁ ବିକିଲି।ଭଲ ଦ୍ବି ପଇସା ଲାଭ ହେଲା। ମାମୁଁ ଯେତିକି ଟଙ୍କାରେ ବିକନ୍ତି। ମୁଁ ବୁଲେଇ ବିକୁ ଥିବାରୁ ତା ଠାରୁ ଅଧିକ ଦାମ ରେ ବିକ୍ରୀ କରେ। ମାମୁଁଙ୍କର ମଧ୍ୟ ଭଲ ଲାଭ ହେଲା। ସେତେବେଳକୁ ମୁଁ ବଡ ହୋଇ ଯାଇଥାଏ।
ମାମୁଁ ଜଣେ ଇମାନଦାର ଲୋକ ଥିଲେ।
ସେ ମୋତେ ବାହା କରେଇଦେଲେ,ଆଉ ଗୋଟେ ଦୋକାନ ମଧ୍ୟ କରାଇ ଦେଲେ। ଆମେ ଭଡ଼ାଘର ନେଇ ରହିଲୁ।ଓ ସେ ଦୋକାନରେ ଦିନ ରାତି ଏକ କରି ଖଟିଲୁ।ତୋ ଜେଜୀ ର ମୋର ।ତୋ ବାପା ଦାଦାକୁ ବଡ ସ୍କୁଲରେ ପଢାଇଲୁ। ଯାହାର ଫଳ ସ୍ବରୂପ ତୁମେ ମାନେ ଭୋଗ କରୁଛ।