ବରଗଛ ଛାଇ
ବରଗଛ ଛାଇ
ବିଭୁ କେବେଠୁ ଶୋଇ ଗଲେଣି | ଶୀଘ୍ର ଖାଇ ଶୀଘ୍ର ଶୋଇ ଯିବା ଏବେ ତାଙ୍କର ନୂଆ ଅଭ୍ୟାସ | ହଁ ଆଶାଦେବୀ ବିଛଣାକୁ ଗଲେ ସେ ଜାଣି ପାରନ୍ତି,ଟିକେ ଆଖି ଖୋଲନ୍ତି- ନିଦୁଆ ମନରେ ତାଙ୍କୁ ଦେଖନ୍ତି ଆଉ କଡ଼ ଲେଉଟାଇ ପୁଣି ଶୋଇ ପଡନ୍ତି | ସ୍ୱାମୀଙ୍କର ଏ ଅଭ୍ୟାସରେ ବେଳେବେଳେ ଅଭିମାନ କରନ୍ତି ଆଶାଦେବୀ ।ଦଶଟା ବେଳୁ ଶୋଇପଡୁଛ, ମଣିଷର କିଛି କଥା ଅଛି ନା ନାହିଁ | ଦିନ ଯାକ ତା କଥା ହେଊଛନ୍ତି- ପୁଣି ଏ ଅଭିଯୋଗ କାହିଁକି | ସବୁକଥା ଦିନରେ ହୁଏନି ବିଭୁ; ରାତିର ନିଜର ବି କଥା ଅଛି ! ଆଶା ଦେବୀ କୁହନ୍ତି ଅଭିମାନରେ, ଆଉ ବିଭୁ ହସନ୍ତି ନିଆରା ସନ୍ତୋଷରେ ।
ସନ୍ଧ୍ୟା ବେଳୁ ବର୍ଷା ହେଉଛି-ଏଯାଏଁ ଥମିବାର ନା ନେଉନାହିଁ |ବୟସର ବିଳମ୍ବିତ ଅପରାହ୍ନରେ ମେଘୁଆ ରାତି ଯେ ଏତେ ଆନମନା କରିବ ଏକଥା ଆଶାଦେବୀ ଭାବି ପାରୁନଥିଲେ | ବାଲ୍କୋନିର ଝରକା ଖୋଲା ଅଛି, ବର୍ଷାର ଛିଟା ଆଉ ଥଣ୍ଡା ପବନରେ ସେ ଯେ କେତେବେଳେ ନିଜ କିଶୋରୀ ବୟସକୁ ଫେରି ଯାଇଛନ୍ତି ତାଙ୍କୁ ବି ଜଣା ନାହିଁ ।
ଶେଷ ଶ୍ରାବଣର ମାଝୀରେ ଗୀତର ଲହରୀ ଭାସି ଆସୁଛି ଭିତରୁ | ସତ୍ୟଙ୍କୁ ଛାଡି ଵିଭୁଙ୍କ ଦୁନିଆର ମଣିଷ ଵନିବା-ଏହା ଭିତରେ ୨୪ ଟି ବସନ୍ତ ଗଲାଣି | ହେଲେ ଆଜି ଏସବୁ କାହିଁକି , ହଠାତ ବର୍ଷାର ଆଭିଜାତ୍ୟ ପୂର୍ଣ୍ଣ ଆକର୍ଷଣରୁ ମନ ଫେରାଇଲେ ସେ | ଏବେ ରାତି ଗୋଟାଏ | ବାଲ୍କୋନିର ଝରକା ବନ୍ଦ କରି ବିଛଣାକୁ ଗଲେ ସେ ।
ହେଲେ ଆଜି ବିଭୁ ନିଘୋଡ଼ ନିଦରେ ; ଏପଟେ ଆଖି ଭରି ଦେଖିବାର, ମନ ଭରି ପାଇବାର ଇଛାରେ ପୁରା ଓଦା ସେ | କେଶ ଧଳା ହେଲାଣି- ହେଲେ ବର୍ଷା ରାତିରେ ଆଦ୍ର ମନ ସ୍ନେହର ଆଶ୍ରା ଖୋଜୁଛି | ଵିଭୂଙ୍କ ଉପରକୁ ଆଉଜି ପଡିଲେ ସେ, ଅନେକ ଦିନ ପରେ ପ୍ରିୟ ସ୍ପର୍ଶରେ ଆଖିରୁ ନିଦ ଚାଲି ଯାଇଥିଲା ଵିଭୂଙ୍କର ।
ଚୁପଚାପ ସେ ନିଜ ପ୍ରୌଢା ସହଧର୍ମିଣୀଙ୍କ ହୃଦ ସ୍ପନ୍ଦନରେ କିଶୋରୀ ଆଶାଙ୍କୁ ସ୍ୱାଗତ କରୁଥିଲେ | ସମ୍ପର୍କର ଏ କି ବିଶାଳ ବରଗଛ, ଆଶ୍ରିତା ପଥିକ ଆଷାଦେବୀ ଵିଭୁଙ୍କ ସ୍ନେହ ଛାଇରେ କେତେ ପ୍ରସନ୍ନ ...ରାତି ସହ ବର୍ଷା ଏବଂ ସଂପର୍କ ଉଭୟର ଗତି ବଢ଼ୁଥିଲା ।

