ବାପା
ବାପା
ବାପା ସେକାଳର ସ୍ୱଳ୍ପ ଦରମାରେ ଗାଁ ମାଷ୍ଟର, ସେଦିନ ଜିଦ କଲି ବଜାରକୁ ଯିବି, ମା ବି କହିଲା, ଏତେ କହୁଛି ନେଇ ଯାଅ । ସାଇକେଲ ଆଗରେ ଗାମୁଛା ପକେଇ ମୋତେ ବସେଇଲେ, ମନରେ କିନ୍ତୁ ସରାଗ ନଥିଲା ତାଙ୍କର । ତିନି ଚାରି ଥର ପକେଟରେ ହାତ ବୁଲେଇ, ଶୁଖିଲା ମୁହଁରେ ମୋତେ ନେଇ ଚାଲିଲେ ବଜାର । କେଂ କେଂ କାନ୍ଦୁଥିଲା ସାଇକେଲ
ସବୁଥର ବାପା କୁଆଡେ ନେଲେ ବାଟ ଯାକ କଥା ହୁଅନ୍ତି, କେତେ ବେଳେ ରାସ୍ତା ସରି ଯାଏ ଜାଣି ହୁଏନି । ବାପା ଆଜି ପୁରା ଚୁପ, ସାଇକେଲ ବି ବାପାଙ୍କ ନୀରବତାର ପ୍ରଗାଢ଼ତା ବଢାଇବା ଭଳି କେଂ କେଂ ହେଉଛି । ନାଲି ରଙ୍ଗର ସ୍ବେଟର କିଣିବି, ମୁଁ କହିଲି, ବାପା ହଁ କହିଲେ, ଆଉ ସାଇକେଲ ଆଗକୁ ଗଡୁଥିଲା ବାପା ବଜାରକୁ ନେବେ ମାନେ ସ୍କୁଲ ପାଖ କିଣା ସାହୁ ଦୋକାନରେ ଅଟକିବେ। ଆମ ଭାଇ ଭଉଣୀଙ୍କ ଏଇଠି ମନ ଭରନ୍ତି ବାପା । ଆଜିବି ବାପା ସେଇଠି ଅଟକିଲେ,ଗରମ ଗରମ ଜିଲାପି ଆଉ ବଡ଼ ଖଣ୍ଡେ ଛେନା ପୋଡ଼ ମୁଁ ଖାଉଥିଲି,ବାପା ଖାଲି ଚାହା କପରେ ଧାପ ସାଉଁଟୁ ଥିଲେ ଅଭାବର । ମାଷ୍ଟ୍ରେ ଆଗ ପାଇସା ମିଶି ୨୮୦ ହେଲା, ହଉ ଲେଖି ଦେ, ବାପା କହିଲେ | ମୋତେ ସାଇକେଲରେ ବସାଇ ପୁଣି ପେଡଲରେ ଜୋର ଦେଲେ ବାପା । ମୋ ପାଟିରେ ଛେନାପୋଡର ଟିକିଟିକି ଖଣ୍ଡ ଏବେବି ଚାକୁଳି ହେଉଛି, ଆଉ ମୋତେ ଭାବିବାକୁ ବାଧ୍ୟ କରୁଛି ଏକ ପ୍ରକାର । ଘରୁ ବାହାରିଲା ବେଳେ ବାପାଙ୍କ ଅମଙ୍ଗ ହେବା, ପକେଟ ଅଣ୍ଡାଳି ଗମ୍ଭୀର ହୋଇ ଯିବା, ରାସ୍ତା ଯାକ ସାଇକେଲର କେଂ କେଂ ଶବ୍ଦକୁ ଅନୁସରଣ କରିବା |
କିଣା ସାହୁ ଦୋକାନରେ ମୋତେ ମିଠା ଦେଇ ନିଜେ ଖାଲି ଚାହାରେ ପେଟ ଭରିବା ଆଉ ସବୁପରେ ଦୋକାନୀର "ମାଷ୍ଟ୍ରେ ଆଗ ପାଇସା ମିଶେଇ ୨୮୦ ର ବିଜ୍ଞାପନ ଏବଂ ବାପା ସ୍ୱଳ୍ପ ପାଟିରେ ଲେଖିଦେ ର ସମର୍ପଣ ମୁଦ୍ରା" ମୋ ଭଳି କୁନିପୁଅ ଦେହରୁ ଝାଳ କାଢ଼ିବା ପାଇଁ ଯଥେଷ୍ଟ ଥିଲା |ମୋ ଦ୍ୱିଧା ଭିତରେ ସୂର୍ଯ୍ୟ କେବେଠୁ ଅସ୍ତ ଗଲେଣି, ଟିକେ ଟିକେ ଥଣ୍ଡା ପବନ ବାପ ପୁଅ ଉଭୟଙ୍କ ଗାମ୍ଭିର୍ଯ୍ୟର ମଜା ନେଉ ଥାଏ । ବାପା, ଆଜି ଆଉ ସ୍ବେଟର କିଣିବାକୁ ଯିବାନି, ମୁଁ ଧୀରେ ସେ କହିଲି, ବାପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ କଣ କହିଲୁ ? ମୁଁ କିନ୍ତୁ ଦ୍ୱିତୀୟ ଥର ସେହି କଥାକୁ ଦୋହରାଇ | ବାପାଙ୍କ ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲାଗିଯିବାର ଭୟରେ ଭୟଗ୍ରସ୍ତ ହୋଇ ଚୁପ ରହିଲି । ବାପା କିନ୍ତୁ ଜାଣିଗଲେ ମୋ ହୃଦୟର ଅଙ୍କାକସା । ସାଇକେଲ ଘର ମୁହାଁ,ପେଡଲ କାନ୍ଦିବା ବନ୍ଦ କରି ଦେଇଥିଲା,ବାପା ଗୁଣୁ ଗୁଣୁ ଗପୁ ଥିଲେ ନିଜ ସହ, ମୁଁ ପୁଣି ଚାକୁଳେଇ ହେଲି ଦାନ୍ତରେ ଲାଗିଥିବା ଛେନାପୋଡ ଆଉ ଜିଲାପିର ଟୁକୁଡ଼ାକୁ |
ଦୁଇ ଦିନ ହେଲା ଗାଁରେ ବିଜୁଳି ନାହିଁ, ଲଣ୍ଠନ ଆଲୁଅରେ ମା ଖାଇବାକୁ ଦେଇ ଥାଏ ବାପାଙ୍କୁ । ଆମେ ଭାଇ ଭଉଣୀ ଏପଟ ବାରଣ୍ଡାରେ । ହଠାତ ବାପା ବୋଉଙ୍କର କଥୋପକଥନକୁ କାନ ଚାଲିଗଲା, "ବୁଝିଲ ରମା,ଆମ କୁନା ଷୋଳଅଣା ମୋ ଉପରେ ଯାଇଛି । ବଉ କହିଲା, କାହିଁ ତାକୁ କଉଠୁ ନେଇ ଆସିଥିଲିକି,ସେ ତୁମରି ଘରେ ତୁମଠୁ ଜନ୍ମ, ସେମାନେ ହସୁଥିଲେ ||
