Sambit Srikumar

Abstract Tragedy Inspirational

4.0  

Sambit Srikumar

Abstract Tragedy Inspirational

ବ୍ରାଣ୍ଡ୍

ବ୍ରାଣ୍ଡ୍

2 mins
123


ଚେନ୍ନାଇରେ ଆମ ସହିତ ପାଠ ପଢୁଥିବା ଶ୍ରୀକାନ୍ତ ରାଜୁ ସଦାସର୍ବଦା ନବୀନତମ ଫ୍ଯାଶନକୁ ଅନୁସରଣ କରେ। ନାମୀଦାମୀ ବ୍ରାଣ୍ଡର ପୋଷାକ, ଜୋତା, ବେଲ୍ଟ, ଚଷମା ଓ ଘଡି ପିନ୍ଧିବା ତା'ର ପିଲାଟିଦିନରୁ ସୌକ। କଡ଼ା ଇସ୍ତ୍ରୀ ହୋଇଥିବା ପ୍ଯାଣ୍ଟ୍ ସାର୍ଟ୍ ତା'ର ପସନ୍ଦ। ବିଦେଶୀ ଅତର ମାଖି ମହମହ ବାସ୍ନାରେ ମହକି ଉଠେ ସିଏ। ତା'ର ଆକର୍ଷଣୀୟ ବ୍ଯକ୍ତିତ୍ବକୁ ସଠିକ୍ ଭାବେ ପରିସ୍ଫୁଟନ କରେ ଏଇ ବ୍ରାଣ୍ଡେଡ୍ ପୋଷାକ ଓ ଆନୁଷଙ୍ଗିକ ଉପାଦାନ ସବୁ। 

ପୋଷାକରେ କୌଣସି ଦାଗ ଅଥବା ଅନାବଶ୍ୟକ ଭାଙ୍ଗ ଦେଖିଲେ ସେ କ୍ରୋଧରେ ଅଗ୍ନିଶର୍ମା ହୋଇଯାଏ। ହିତାହିତ ଜ୍ଞାନ ଭୁଲି ଜିନିଷପତ୍ର ଫିଙ୍ଗା ଫୋପାଡ଼ା କରେ। ଆମ ପରି ଫୁଲାଫାଙ୍କିଆ ଅସଜଡ଼ା ଜୀବନ ଯାପନ କରୁଥିବା ଆଉ ଲୋଚାକୋଚା ପୋଷାକ ପିନ୍ଧୁଥିବା ସହପାଠୀଙ୍କ ଟାହିଟାପରାର ଜବାବରେ ଶ୍ରୀକାନ୍ତ କହୁଥିଲା, "ଆରେ ବନ୍ଧୁ! ଜୀବନଟା ଯଦି ଗୋଟେ 'ଷ୍ଟାଇଲ୍ ଷ୍ଟେଟମେଣ୍ଟ' ନହୁଏ, ତେବେ ସେ ଜୀବନର ମୂଲ୍ୟ କିଛି ନାହିଁ!" 

ଯଦିଓ ତା'ର ଏମିତି କହିବାଟା ଆମମାନଙ୍କ ପାଇଁ ବେଖାତିର୍ କିମ୍ବା ଅପମାନସୂଚକ ଆଦୌ ନୁହେଁ ତଥାପି କେଜାଣି କାହିଁକି ଆମକୁ ଟିକେ ବେଖାପ ବେଖାପ ଲାଗୁଥିଲା। ଲାଗିବାର ଅନେକ କାରଣ ଥିଲା। ଶ୍ରୀକାନ୍ତ ରାଜୁ ଆମ ପରି ସାଧାରଣ ଛାତ୍ରମାନଙ୍କ ସହପାଠୀ ହୋଇଥିଲେ ମଧ୍ଯ ଉପକୂଳ ଆନ୍ଧ୍ରପ୍ରଦେଶର ଏକ ଧନାଢ୍ଯ ଜମିଦାର ଘରର ପୁଅ। ଅଭାବ ବୋଲି କଣ ଗୋଟେ ଜିନିଷ ସିଏ ଜାଣିନି। କେବେ ବି କେଉଁଥିରେ ସିଏ ମନ ଉଣା କରେ ନାହିଁ। ଜୀବନକୁ ଭରପୁର ଉପଭୋଗ କରେ। 

ତା' କଥା ଶୁଣି ଲାଗୁଥିଲା ଯେମିତି ଆମ ଜୀବନର ମୂଲ୍ୟ କିଛି ନାହିଁ। ଘରୁ ମିଳୁଥିବା ସୀମିତ ଅର୍ଥରେ ଚେନ୍ନାଇ ପରି ମହାନଗରୀରେ ଚଳିବା ଯେ, କେତେ କଠିଣ ବ୍ଯାପାର ତାହା ଅନୁଭବୀ ହିଁ ଜାଣେ। ଏଠାରେ କେଶ କର୍ତ୍ତନ କରିବା ଖର୍ଚ୍ଚ ଢେର୍ ଅଧିକ ଥିଲା ଆମ ଗୃହ ରାଜ୍ୟ ତୁଳନାରେ। ସେଥିପାଇଁ ତ ଆମେ ପ୍ରାୟ ଲଣ୍ଡିତ ମସ୍ତକରେ ସେଠାକୁ ଯାଉ ପଢିବାକୁ। ଚାରି ମାସ ପରେ ଘରକୁ ଫେରୁ। ଚେନ୍ନାଇ ଯିବା ବେଳକୁ ପୁଣି ଲଣ୍ଡା ହେଉ। 

ଦିନେ ଏକ ଦୁଃଖଦ ଖବର ଶୁଣି ଆମେ ସଭିଏଁ ସହପାଠୀ ସିଟି ହସ୍ପିଟାଲକୁ ଧାଇଁଲୁ ଆମର ସବୁ କାମଧନ୍ଦା ଛାଡ଼ି। ଆଖିରେ ଯାହା ଦେଖିଲୁ ବିଶ୍ବାସ କରି ହେଉନଥିଲା। କିନ୍ତୁ ସତ୍ଯକୁ ଅସ୍ବୀକାର କରିବାକୁ କୌଣସି ବାହାନା ମଧ୍ୟ ନଥିଲା। ଶ୍ରୀକାନ୍ତ ରାଜୁର ନିଶ୍ଚଳ ଶରୀର ଗୁଡାଇ ହୋଇଥିଲା ଝୋଟ ଅଖାରେ। ପଚାରି ବୁଝିବାକୁ ପାଇଲୁ ଯେ, ସିନେମା ହଲର ଲିଫ୍ଟ୍ ମାଲଫଙ୍କସନ୍ ହେତୁ ତା'ର ଶରୀର ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଜୀବନସାରା ବ୍ରାଣ୍ଡେଡ୍ ପୋଷାକ ପରିଧାନ କରୁଥିବା ତାହାର ଶରୀର ଝୋଟ ଅଖାରେ ଢ଼ଙ୍କା ହୋଇଥିଲା ବ୍ଯବଛେଦ ନିମନ୍ତେ ।



Rate this content
Log in

Similar oriya story from Abstract