ବୋଉଲୋ
ବୋଉଲୋ
ଓଭରସିୟର ନାଆଁ ବଦଳି କନିଷ୍ଠଯନ୍ତ୍ରୀ। ରାଜ୍ୟ ସରକାର ଙ୍କ ଅଧିନରେ କାର୍ଯ୍ୟରତ ମୁଁ। ଆଜିକାଲି ସରକାରୀ ଚାକିରୀ କର୍ପୋରେଟ ଚାକିରୀ ଠାରୁ କଷ୍ଟଦାୟକ।ଚବିଶଘଣ୍ଟିଆ।
ରାମନବମୀ। ହିନ୍ଦୁ ମାନଙ୍କର ଶ୍ରେଷ୍ଠ ପର୍ବ। ଦୁର୍ଭାଗ୍ୟବଶତଃ କି ସୈ।ଭାଗ୍ୟ ବଶତଃ କି ସଯୋଗ ବଶତଃ ମୋର ଜନ୍ମଦିନ।ନନା ବୋଉଙ୍କ ପାଖରେ ପହଞ୍ଚିଲି ଶନିବାର ଦିନ।ବୟସବଢିବାସହ ଜନ୍ମଦିନ ପାଳନ ଫିକା ପଡିଯାଏ ସଂସାର, ସ୍ତ୍ରୀ ପିଲା ଜଞ୍ଜାଳରେ।ଛୁଆ ବଡ଼ ହେଲା ପରେ ସ୍ତ୍ରୀର ନଜର ହଟିଯାଏ ସ୍ୱାମୀ ଉପରୁ,କେନ୍ଦ୍ରିଭୂତ ହୁଏ ପିଲା ଛୁଆଙ୍କ ଉପରେ , କିନ୍ତୁ ବାପାମାଆ ଙ୍କ ପାଇଁ ପୁଅ ସବୁବେଳେ ଛୁଆ। ତେଣୁ ଟିକେ ଖୁସି ପାଇବା ଆଶାରେ ପ୍ରାଣପ୍ରିୟା ବଦଳରେ ପହଞ୍ଚିଗଲି ନନା ବେ।ଉ ପାଖରେ। ଚିରାଚରିତ ଖାଦ୍ୟ। ବୋଉ ହାତରନ୍ଧା ପଖାଳ,ଆଳୁଭଜା ର ସ୍ୱ।ଦ ସ୍ତ୍ରୀ ର ମଟନ କସା ଓ ଚିକେନ ବିରିୟାନିର ନଥାଏ। ଅଙ୍ଗେ ନିଭେଇଥିବା ବ୍ୟକ୍ତି ହିଁ ଉପଲବ୍ଧି କରି ପାରିବ।ତେଣୁ ତ କୁହାଯାଇଛି"ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି"।
ମନରେ ଗର୍ବ। ହଁ ମୁଁ କନିଷ୍ଠ ଯନ୍ତ୍ରୀ।ଧୁ ଧୁ ଖରାରେ ବସ୍ କିମ୍ବା ମଟରସାଇକେଲ ରେ କିଏ ଯିବ ଯେ? ନିଜ କାର ନିଜେ ଚଳାଇ ପହଞ୍ଚିଗଲି ବ୍ରହ୍ମପୁରରେ। ବୋଉର ଗୋଡ଼ ତଳେ ଲାଗୁନଥାଏ।୧୦୦ କିମି ଦୁରରେ ଥିଲେ ବି ଛଅ ମାସରେ ଥରେ ଦର୍ଶନ ହୁଏ ନନା,ବୋଉର। ମନୁଷ୍ୟ ପରିସ୍ଥିତି ର ଦାସ।ଏକେ ତ ଛୁଟିର ଅଭାବ।ଛୁଟିଦିନ ବି କାର୍ଯ୍ୟଦିବସ। ଅପରପକ୍ଷେ ପ୍ରାଣପ୍ରିୟା ଓ ପିଲାଛୁଆ। ପରିସ୍ଥିତି ଏମିତି କରେ ଇଚ୍ଛା ଥିଲେ ବି ନନା ବୋଉଙ୍କୁ ଦେଖା କରିବା ସମ୍ଭବ ହୁଏନି।ଯୈ।ଥପରିବାର କଥା ଅଲଗା ସମସ୍ୟା ନିଆରା।ସେ ଦିଗକୁ ମୁଁ ଯାଉନାହିଁ।
ସକାଳ ପାହିଲେ ରବିବାର, ରାମନବମୀ।ରାତି ୧୦ଟାରେ ଫୋନ୍ ଆସିଲା ଉଚ୍ଚଅଧିକାରୀଙ୍କର। ଆସନ୍ତାକାଲି ସଚିବ ଆସି ପହଞ୍ଚିବେ,ଆପଣ ଜଲଦି ଆସନ୍ତୁ। ଓଃ!! କ'ଣ କରାଯିବ। ସରକାରୀ ଚାକିରୀ,ତା ପୁଣି ପଞ୍ଚାୟତିରାଜ।ଘଡିକେ ଘୋଡା ଛୁଟେ। କେମିତି କହିବି ନନା ବୋଉଙ୍କୁ ନିଜର ଚାକିରୀ ଓ ଅପାରଗ ପଣିଆ କଥା।ଛୋଟବେଳେ କାଣି ଆଙ୍ଗୁଠିଧରି ବାସି ପଖାଳ ଖୁଆଇ ଦେଲା ବେଳେ ବୋଉ କୁହେ ବାବୁରେ! ଆମର ଅର୍ଥାଭାବ ନାହିଁ।ହେଲେ ବଡହେଲେ ଅନ୍ୟମାନଙ୍କ ପରି ବାପାମାଆଙ୍କୁ ଭୁଲି ଯିବୁନି।ତୁ ତ ମୋର ସୁନା ପୁଅ ଓ ଘରର ବଡ଼। ବହୁତ ଆତ୍ମବିଶ୍ବାସ ବୋଉର। ଭୋରରୁ ଯିବାକୁ ତ ହେବ,ଅବିକା କହି ବୋଉ ମନ ଦୁଃଖ କରିବନି।କେତେ ଯୋଜନା କରି ବସିଛି ସେ।ଆଡିଶା,କାକରା ପୁଅର ଶ୍ରଦ୍ଧା, ତା'ପରେ ସନ୍ଧ୍ୟାରେ ମୋ ଗୋଡ଼ ଟିକେ ଦେଖାଇଦେବା, ବିନ୍ଧୁଛି,କାମ କରିପାରୁନି ଇତ୍ୟାଦି। ଥକ୍କା ଲାଗୁଛି,ଏପଟେ ଭାରାକ୍ରାନ୍ତ ମନଟାକୁ ନେଇ ବିଛଣା ଉପରେ ଗଡ଼ାଇ ଦେଲି।ବୋଉ ଆସି ଗୋଡ଼ ମୋଡିବା ଆରମ୍ଭ କଲା।ଚମକି ଉଠିଲି ମୁଁ।ବୋଉଲୋ! ମୁଁ ଏତେବଡ଼ ହେଲିଣି, ମୁଁ ତୋର ସେବା କରିବା କଥା,ତୁ କ'ଣ ଗୋଡ଼ ମୋଡୁଛୁ? ବୋଉ କହିଲା ନା ରେ ବାପା ଏତେ ବାଟରୁ ଆସିଛୁ,ଥକ୍କିଯାଇଛୁ। ବୋଉକୁ କହିଲି ନା ଲୋ ବୋଉ! କ'ଣ କହିବି କିଛି କରିପାରିଲିନି ତୁମ ପାଇଁ। ହଁ ବୋଉଲୋ,କାଲି ଭୋରରୁ ମୋତେ ଯିବାକୁ ହେବ,ଅଫିସରୁ ଖବର ଆସିଥିଲା।ବୋଉର ଆଖି କୋଣରେ ଲୁହ, ଅକୁହା କୋହ।କଣ୍ଠ ବାଷ୍ପରୁଦ୍ଧ। ଠିକ୍ ବାରିପାରୁଥିଲି ମୁଁ।ହଉରେ ବାପା, ରାଜକାର୍ଯ୍ୟ ପ୍ରଥମ।ଶ୍ରୀଅକ୍ଷରବିବର୍ଜିତା ବୋଉର ଏକଥା ଶୁଣି ଛାତି କୁଣ୍ଢେମୋଟ ହୋଇଗଲା।
ଭୋରରୁ ଉଠି ପ୍ରସ୍ତୁତ ହେବାକୁ ଗଲାବେଳେ ଦେଖିଲି ବୋଉ ଗଣ୍ଠିଲି ବାନ୍ଧୁଛି।ବୋଉ ଇଏ କ'ଣ? ନା ରେ ବାପା ସେଇଠି କେଉଁଠି କ'ଣ ଖାଉଥିବୁ ଏକା ରହୁଛୁ।ପିଠା ଟିକେ କରି ଦେଇଛି ନେଇଯିବୁ।ଜାଣିପାରିଲି ବୋଉ ରାତିସାରା ନସୋଇ ପିଠା କରିଛି।ଆଶ୍ଚର୍ଯ୍ୟରେ ପଚାରିଲି, ଠାକୁର ପୂଜା ନକରି ମୋତେ ପ୍ରଥମେ ଦେଇଦେଲୁ।ବୋଉ କହିଲା ତୁ ତ ମୋର ରାମଚନ୍ଦ୍ର ରେ। ଠାକୁର ତ ପୂଜା ପାଇବେ ହେଲେ ପୁଅ ମୋର ଭୋକିଲା ଯିବ କି? ଆଖିରେ ମୋର ଲୁହ।ମନେ ମନେ ଦୁଃଖ।ବାହାରିଲି ବ୍ରହ୍ମପୁରରୁ ଗଜପତି। ରାସ୍ତା ସାରା ଅଫିସ୍ ର ଫୋନ୍ କଲ୍।ମନଟା ବ୍ୟତିବ୍ୟସ୍ତ,ଅସନ୍ତୁଳିତ।ଶିତତାପନିୟନ୍ତ୍ରୀତ ଗାଡ଼ି।ସମୟରେ ପହଞ୍ଚିବାକୁ ହେବ। ନୂଆଁ କାର ସ୍ପିଡ୍ ୧୨୦।ବ୍ରହ୍ମପୁରରୁ ଗଜପତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାଞ୍ଚିଲି ଗ୍ରାମ।
ହଠାତ୍ ଆଗଚକଟା ପଙ୍କଚର। କିଛି ଜାଣିପାରୁନଥିଲି ମୁଁ।ଜାଣିଲା ବେଳକୁ ସବୁଶେଷ।ଷ୍ଟିୟରିଙ୍ଗ ଘୁରେଇ ଦେଇ ଭିଡ଼ି ଧରିବସିଲି ମୁଁ। ନିଶ୍ଚିତ ମୃତ୍ୟୁ କୁ ସମ୍ପୁର୍ଣ୍ଣ ପାଖରୁ ଅନୁଭବ କରୁଥିଲି।
ଧଡ଼ ଧଡ଼ ଧଡ଼
ତିନି ରାଉଣ୍ଡ ପଲଟି ହୋଇ ଦଶ ଫୁଟ ଉଚ୍ଚକୁ ଉଠି ଓଲଟିପଡିଲା କାର୍ ଟି।ପୁରା ଚୁରମାର। ଜାତୀୟ ରାଜପଥ ଉପରେ ଜନଗହଳି ସାଙ୍ଗକୁ ଲୋକଙ୍କ ଚିତ୍କାର, ଲୋକ ଗୁଡ଼ାଏ କାର ଭିତରେ ମରିଗଲେରେ ବାବା!
ଭିତରୁ ସର୍ପ ବାହାରିଲା ପରି ଶୋଇ ଶୋଇ ବାହାରିଲି ମୁଁ। ଶରୀରରେ କ୍ଷତଟିଏ ବି ନାହିଁ।ଗାଡିଟି ଆଉ କିଛି ନଥିଲା। ଅନାଇବାକୁ ବି ଇଚ୍ଛା ହେଉନଥିଲା।ଫୋନକଲି ସ୍ତ୍ରୀ କୁ।ସେପଟୁ ଉତ୍ତର, ଓଃ ତମେ ତ ମନଇଚ୍ଛା ଗାଡ଼ି ଚଳେଇବ।ତମେ ତ ଠିକ୍ ଅଛ। ମୁଁ ଏପଟେ ପୁଅକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରୋଉଛି,ତୁମେ ତୁମ ବ୍ୟବସ୍ଥା କରି ଫେରିଆସ କହି ଫୋନ୍ କାଟିଦେଲା।ଦୁଇଘଣ୍ଟା ଭିତରେ ପୁଲିସକୁ ଖବର ଦେବା, ଗାଡ଼ି ଉଠାଇବା କାର୍ଯ୍ୟ ସମ୍ପାଦନ କରିଦେଲି।ମନଟା ଉଦାସ,ହତାସ।ପାଖରେ ପଇସା ନାହିଁ।ବାହାର ଯାଗା। କ'ଣ କରିବି ଭାବି ଭାବି ରାଜରାସ୍ତା ଉପରେ ନଥ କରି ବସିଗଲି।
ହଠାତ୍ ଗୋଟିଏ କାର ଆସି ଅଟକିଲା।ଅନାଇ ରହିଲି ମୁଁ।ଭଡାକାରରୁ ବୋଉସହ ଆଉ ଜଣେ ଡ୍ରାଇଭର ଓହ୍ଲେଇଲା। କୁଣ୍ଢେଇ ପକେଇ ଭୋ ଭୋ କାନ୍ଦିଉଠିଲା ବୋଉ।ବାବୁରେ! ସମାଚାର ଦେଖି ଦୈ।ଡି ଆସିଲି,ନନାଙ୍କୁ କିଛି କହିନାହିଁ,ସେ ତ ଅଧୈର୍ଯ୍ୟ ଲୋକ।ମୋର କିଛି ହୋଇନିଲୋ ବୋଉ ତୁ କାନ୍ଦେନା।ଆଜିପରା ମୋ ଜନ୍ମଦିନ।ସତୁରୀ ବର୍ଷର ସ୍ନେହମୟୀ ଜନନୀ ଗାଡ଼ିରୁ ପିଠା ବାହାର କରି ମୋତେ ଖୁଆଇ ଦେଲା ଓ ତା ପଣତକାନିରେ ମୁହଁ ପୋଛିଦେଉଥିଲା।
ଆଉ ସମ୍ଭାଳି ହେଲାନାହିଁ।ରାଜରାସ୍ତା ଉପରେ ବୋଉର କୋଳରେ ପଦବୀରେ ରହି ବିଭିନ୍ନ ସମସ୍ୟା ସମାଧାନ କରୁଥିବା ଲୋକଟି ମୁଁ ଭୋ ଭୋ କାନ୍ଦି କହୁଥିଲା ବୋଉଲୋ।