Siddhartha Tripathy

Abstract Tragedy Inspirational

3  

Siddhartha Tripathy

Abstract Tragedy Inspirational

ବୋଉଲୋ..ଫେରାଇଦେ ମୋ ହିସାବ ଖାତା

ବୋଉଲୋ..ଫେରାଇଦେ ମୋ ହିସାବ ଖାତା

4 mins
281


ଝିଅ ଯିବ ଶାଶୂଘର ଲୋ ଝିଅ ଯିବ ଶାଶୂଘର।

କାନ ଫଟେଇ ବାଜି ଉଠୁଛି ଡ଼ାକବାଜି ଯନ୍ତ୍ର। ପ୍ରିୟାର ଗାଆଁ ଦୁଲୁକି ଉଠୁଛି। ପ୍ରିୟା ହାତରେ ମେହେନ୍ଦି ଲଗାଇ ପ୍ରସ୍ତୁତ ହେଲାବେଳେ କୁରୁଳି ଉଠୁଛି ନୂତନ ସଂସାରର ମୋହରେ। ଝିଅଟିର ଇଚ୍ଛା ସୁନ୍ଦର ବର, ସୁନ୍ଦର ଘର। ତା'ର ବାପାଙ୍କ ସାଙ୍ଗ ପ୍ରସ୍ତାବ ଠିକ୍ କରିଛନ୍ତି। ଚିହ୍ନା ପରିଚୟ ପରିବାର।ସର୍ତ୍ତ ବେଦୀରେ ବାହାଘର ସହ କୋର୍ଟରେ ବି। ଆଜିକାଲି ଯୁଗ ବଦଳିବା ସହ ବିଶ୍ୱାସ ର ସଳିତା ଲିଭି ଲିଭି ଆସୁଛି। ତେଣୁ ତ ଏହି ବ୍ୟାଙ୍କର ଡବଲଲକର ପରି ମଜବୁତ୍ ବନ୍ଧନ ପାଇଁ ବେଦୀରେ ବିବାହ ସାଙ୍ଗକୁ କୋର୍ଟରେ ବି। ଆଧୁନିକ ଯୁଗ ହେଲେ ବି ଛୋଟ ଗାଆଁର ନିମ୍ନମଧ୍ୟବିତ୍ତ ପରିବାରର ସ୍ୱଳ୍ପ ପଢୁଆ ଝିଅ ପ୍ରିୟା। ବାପାମାଆଙ୍କ କଟକଣା, ପ୍ରସ୍ତାବ ଓ ପସନ୍ଦ ଆଗରେ ହାର ମାନିଛି ପ୍ରିୟାର ମନ।ଭାବି ସ୍ୱାମୀଙ୍କୁ ବି ଦେଖିବାର ସୁଯୋଗ ପାଇ ପାରିନାହିଁ ପ୍ରିୟା।ବାହା ହେବ ତ ଜୀବନସାରା ଦେଖିବ ଆଉ ଆଗରୁ କ'ଣ ଦେଖିବ। ଖୁସିରେ ରାଜି ଥିଲା ପ୍ରିୟା।

             ବାହାଘର ସମ୍ପୂର୍ଣ୍ଣ ହେଲା ଓ ଦାବି ମୁତାବକ ଯତକିଞ୍ଚିତ ଜାନି ଜଉତୁକ ସହ ବିଦାୟ ହେଲା ପ୍ରିୟା।ପହଞ୍ଚିଲା ଶ୍ୱଶୁରଙ୍କ ଘରେ। ସ୍ୱାମୀ ନଚିକେତ ବାପ ଛେଉଣ୍ଡ, ଏକମାତ୍ର ପୁତ୍ର।ଛୋଟ ପରିବାର।ଓଢଣା ଟାଣି ବସି ରହିଛି ହିନ୍ଦୁ ନାରୀ। ଗୃହକୁ ପ୍ରବେଶ କଲା ନଚିକେତ। ଛାତି ଧଡଧଡ କରୁଥିଲା ପ୍ରିୟାର।ଓଢଣାଟା ଟାଣିନେଲା ନଚିକେତ। ଲଜ୍ଜାରେ ମୁଣ୍ଡ ପୋତି ବସିଥିଲା ପ୍ରିୟା।ଘରଟିକୁ ସମ୍ପୂର୍ଣ୍ଣ ଅନ୍ଧକାର କରିଦେଲା ନଚିକେତ। ଚେହେରା ଦେଖିବାକୁ ଇଚ୍ଛୁକ ଥିଲେ ବି ସୁଯୋଗ ପାଇଲାନି ପ୍ରିୟା।ମିଳନ ଥିଲା ଶାନ୍ତିର,ଖୁସିର।ନାରୀ ଜୀବନର ସାର୍ଥକତା ସେ ପାଇସାରିଥିଲା। ଶାଶୁଙ୍କର ଡାକରେ ଧଡପଡ ହୋଇ ଉଠିବସିଲା ପ୍ରିୟା। ବିଛଣାରେ ସେ ଏକା।ବୋଧେ ନଚିକେତ ଉଠି ଚାଲିଗଲେଣି। ଶାଶୁଙ୍କୁ ପଚାରିଲା ବୋଉ,ସେ କୁଆଡେ଼ ଗଲେ? ବାହାରକୁ ଗଲାରେ ମାଆ,ତୁ ଗାଧୋଇପଡ।ମିଶିକି କାମସାରି ଦେବା।ସେୟା ହିଁ କଲା ପ୍ରିୟା। ସୁନ୍ଦର ଲାଗୁଥିଲା ଜୀବନ। ଦ୍ୱିପହର ପହଞ୍ଚିଲା ନଚିକେତ।ଅନେଇ ଚମକି ଉଠିଲା ପ୍ରିୟା। ନୁଖୁରା କେଶ,ଛିଣ୍ଡା ଜାମା। ସମ୍ପୂର୍ଣ୍ଣ ପାଗଳ ପରି ଚେହେରା। ହସୁଥିଲା ଖି ଖି ହୋଇ। ଖିଆପିଆ ସାରି ବିଶ୍ରାମ କଲା ନଚିକେତ। ପୁଣି ଉଠି ଚାଲିଗଲା। ସନ୍ଧ୍ୟାରେ ଫେରିଲା ପରେ ଲକ୍ଷ୍ୟକଲା ପ୍ରିୟା ନଚିକେତର ଦେହରେ କ୍ଷତ। ଏମିତି କ'ଣ କେମିତି ହେଲା ପଚାରିବସିଲା ପ୍ରିୟା। ନଚିକେତ ଉତ୍ତର ଦେଲା ନାଁ,ସେ କିଛି ନୁହଁ ଛୁଆ ଗୁଡାକ ପଥର ମାରିଦେଲେ।ବ୍ୟସ୍ତ ହୁଅନି ସବୁବେଳେ ସେମିତି ହୁଏ।ଆ କରି ଅନେଇଥିଲା ପ୍ରିୟା। ପାଗଳଟାକୁ ବାପା ବାହା କରାଇ ଦେଲେ ନା କ'ଣ? ଏମିତି ବିତିଗଲା କିଛି ମାସ। ଧିରେ ଧିରେ ସାମାନ୍ୟ ତମ ଆବଶ୍ୟକତା ବି ପୁରଣ କରିବାକୁ ଅକ୍ଷମ ଥିଲା ନଚିକେତ। ଦିନେ ପ୍ରିୟାକୁ କହିଲା ଚାଲ ତୁମ ଘରକୁ ଯିବା। ଖୁସିରେ ହଁ ଭରିଲା ପ୍ରିୟା। ମିଶିକି ଦୁହେଁ ପହଞ୍ଚିଲେ ପ୍ରିୟା ଘରେ।ପ୍ରିୟାର ବାପାମାଆ ଖୁସିରେ ପାଛୋଟି ନେଲେ ଝିଅ ଜ୍ଵାଇଁକୁ । ରୋଷେଇ ବାସ ସରିଲା।ଖାଇବା ବାଢିଲା ପ୍ରିୟା।ନଚିକେତକୁ ଖାଇବା ପାଇଁ ଡାକିଲା। ମୁଁ ଟିକେ ଆସୁଛି କହି ନଚିକେତ ବାହାରିଲା। ପ୍ରିୟାକୁ ଅସ୍ବାଭାବିକ ଲାଗୁଥିଲା ନଚିକେତର ବ୍ୟବହାର।ନଚିକେତ ଫେରି ଫେରି ଅନୋଉଥିଲା ଖାଇବା ଥାଳିକୁ ଓ ପ୍ରିୟାକୁ। ଆଗକୁ ବଢିଚାଲିଲା ନଚିକେତ। ଦିନ ଯାଇ ରାତି ହେଲା ହେଲେ ନଚିକେତ ଫେରିଲାନି। ଚାରିଆଡ଼େ ଖୋଜାଖୋଜି ସରିଲା। ପୋଲିସରେ ଖବର ଦେଲେ ପ୍ରିୟାର ବାପା।ତିନି ଚାରିଦିନ ପରେ ପୋଲିସ ଖୋଜି ଧରି ଆଣିଲା ନଚିକେତକୁ।ପହଞ୍ଚିଗଲେ ପ୍ରିୟାର ଶାଶୁ। ନଚିକେତ କହିଲା ଆସିଛି ଏକା,ଯିବି ମୁଁ ଏକା, ପ୍ରିୟା କିଏ? ସ୍ତ୍ରୀ କ'ଣ ? କାହାର ଦାୟିତ୍ଵ ନେଇ ପାରିବିନି।ପ୍ରିୟାର ଶାଶୁ ଉତ୍ତର ଦେଲେ,ମୋ ପୁଅ ଟିକେ ପାଗଳ। ବାହା ହେଲାପରେ ଠିକ୍ ହୋଇଯିବ ଭାବିଥିଲି।ହେଲେ ପରିବର୍ତ୍ତନ ହେଲା ନାହିଁ। ତୁମ ଝିଅକୁ ତୁମେ ଫେରାଇନିଅ। ଆଖିରୁ ଧାର ଧାର ଲୁହ ପ୍ରିୟାର। ସେ ତ ରକ୍ତ, ମାଂସ ଧାରୀ ମନୁଷ୍ୟଟା କଣ୍ଢେଇ ନୁହଁ। ପୋଲିସ ମୀମାଂସା କଲା ପ୍ରିୟାର ଜାନିଜଉତୁକ ସବୁ ଫେରାଇବା ସହ ପ୍ରିୟାକୁ ବି ଫେରାଇଦେଲେ ତା ଶାଶୁ। ଲୁହ ଶୁଖୁନଥିଲା ପ୍ରିୟାର।ବିତିଗଲା କିଛି ମାସ। ପ୍ରିୟା ଦୁଃଖ ସହିନପାରି ମାଆ ଠିକ୍ କଲେ ପ୍ରସ୍ତାବ।ପୁଅଟି ପ୍ରିୟାର ବାପ ବୟସର।ପ୍ରଥମ ସ୍ତ୍ରୀ ସହ ତା'ର ମନାନ୍ତର,ମତାନ୍ତର।ମନ୍ଦିରରେ ବାହାଘର।ଜାନିଜଉତୁକ କିଛି ନାହିଁ।ବୟସ ଅଧିକ ହେଲେ କ'ଣ ହେଲା, ଚାକିରୀଆ ବର।ସବୁଠି ନାରୀ ଅବଳା,ଦୁର୍ବଳା। ପ୍ରିୟାର ମନ ବୁଝିବାକୁ ସମୟ କାହାରି ପାଖରେ ନଥିଲା। ମନ୍ଦିରରେ ବାହାଘର ସମ୍ପନ୍ନ ହେଲା।ପ୍ରଥମ ରାତ୍ରିରେ ସ୍ୱାମୀର ନିର୍ଯ୍ୟାତନା।କଷ୍ଟରେ ବଢିଥିବା ଝିଅଟି ସହିନେଲା ସବୁ। ପ୍ରତିଦିନ ରାତିରେ ଅତ୍ୟାଚିରିତା ହେଲା ପ୍ରିୟା।କାନ୍ଦି କାନ୍ଦି ନେହୁରା ହେଲେ ବି କିଛି ଶୁଣେ ନାହିଁ କାମୁକ ସ୍ୱାମୀ।ଦିନେ ଦିନେ ଇତର ସ୍ତ୍ରୀ ମାନଙ୍କୁଘରକୁ ଆଣି ଉପଭୋଗ କରେ। ଓଃ! ଜୀବନ ଦୁର୍ବିସହ ଲାଗୁଥିଲା ପ୍ରିୟାର। ଖାଇବାକୁ ଗଣ୍ଡେ ଭଲରେ ପାଉନଥିଲା ସେ। ବାପାମାଆଙ୍କ ପସନ୍ଦକୁ ସମ୍ମାନ ଦେଇ ସବୁ ସହିଯାଉଥିଲା ସେ।ବୟସ୍କ ସ୍ୱାମୀ ପାଗଳ ଭ୍ରମର ସଦୃଶ୍ୟ ଥିଲା। ପ୍ରିୟା ଗର୍ଭବତୀ ଅଛି ଜାଣିବାପରେ ତାକୁ ବାପଘରେ ଛାଡ଼ି ଦେଇ ଆସିଲା। ତୁମ ଝିଅ ଭଲ ନୁହଁ ସେ ଛୁଆ କାହାର ମୁଁ ଜାଣିନି, ତୁମ ଝିଅକୁ ତୁମେ ରଖ କହି ଛାଡ଼ି ଦେଇଆସିଲା।ମୁଣ୍ଡ ବାଡ଼େଇ କାନ୍ଦୁଥିଲା ପ୍ରିୟା।କାନ୍ଦିବା ଛଡ଼ା ତାର ଅନ୍ୟ କିଛି ରାସ୍ତା ନଥିଲା।ଅସହ୍ୟ ଜୀବନ,ଅସହ୍ୟ ଯନ୍ତ୍ରଣା। ଯନ୍ତ୍ରଣା ସହି ନପାରି ପେଟ ଭିତରେ ଆଖି ବୁଜିଲା ଅର୍ଦ୍ଧକଳେବର ସୃଷ୍ଟି ହୋଇସାରିଥିବା ଅଭିମନ୍ୟୁଟି। ହାରିଯାଇଥିଲା ଯୁଦ୍ଧରେ।ଜୀବନ ଯୁଦ୍ଧରେ ହାରି ଯାଇଥିଲା ପ୍ରିୟା। ସଂସାର ମୋହ ଭାଙ୍ଗି ଯାଇଥିଲା।ଘୃଣା କରୁଥିଲା ନିଜକୁ, ସଂସାରକୁ, ସମାଜକୁ।ମାଆ ବାପାର ଝିଅ ହୋଇ ନିରସ ଜୀବନ ବିତାଇବାକୁ ଅଣ୍ଟା ଭିଡିଲା ସେ।

       ସ୍ୱଳ୍ପ ପାଠ ପଢିଥିଲେ ବି ବିଭିନ୍ନ ପୁସ୍ତକ ପଢ଼ାପଢ଼ି କରି ରୁଚି ରଖିଥିଲା ସାହିତ୍ୟ ଚର୍ଚ୍ଚାରେ।କିଛିଟା ଲେଖି ଶାନ୍ତି ପାଉଥିଲା।

      ହାରିଯାଇଥିବା ଝିଅଟିର ଜୀବନ ଯମୁନାରେ ଜୁଆର ଉଠିଲା। ଘାସ ଗାଲିଚାରେ ସାଧବ ବୋହୁଙ୍କୁ ଦେଖି ମୁହଁ ବୁଲାଇ ଚାଲିଯାଉଥିବା ପ୍ରିୟା ନିଜର କୋମଳ ହାତ ପାପୁଲିରେ ସାଧବବୋହୁଙ୍କୁ ଗେହ୍ଲା କରିବାକୁ ଲାଗିଲା ‌। ଗାଆଁ ମୁଣ୍ଡ ଥୁଣ୍ଟା ବରଗଛରେ ପତ୍ର କଅଁଳିଲା। କାରଣ ଥିଲା ହଠାତ୍ ଜୀବନ ପରିଧିକୁ ପ୍ରବେଶ କରିଥିବା ସରଳ, ସୁଶୀଳ ଶୁଭେନ୍ଦୁ। ପ୍ରିୟାର ଭଙ୍ଗା ମନକୁ ମୋହି ନେଇଥିଲା ଶୁଭେନ୍ଦୁର ଆଚାର ବ୍ୟବହାର।ଗୋଟି ଗୋଟି ନିଜ ଜୀବନ ବୃତ୍ତାନ୍ତ କହିସାରିଥିଲା ପ୍ରିୟା। ଏତେ ସହନଶୀଳତା ଆଗରେ ବାରମ୍ବାର ମୁଣ୍ଡ ନୁଆଉଥିଲା ଶୁଭେନ୍ଦୁ। ପ୍ରେମ ଅନ୍ଧ,ପାଣି ଅନ୍ଧ। ବହୁତ କଷ୍ଟରେ ସବୁ ଭୁଲି ନୂଆଁ ଜୀବନ ଆଶାରେ ଅଗ୍ରସର ହେଲା ପ୍ରିୟା। ସମ୍ପର୍କ ନିବିଡ଼ ହେଲା। ଦୁହେଁ ଦୁହିଁଙ୍କୁ ବିବାହ କରି ସଂସାର କରିବାକୁ ସ୍ଥିର କଲେ।ନଥିଲା ଆବିଳତା,ନଥିଲା କାମନାବାସନା। ଶୁଭେନ୍ଦୁ ନିଜ ବିଷୟରେ ସବୁ କହିସାରିଥିଲା।ସେ ଥିଲା ବାପା ମାଆ ଛେଉଣ୍ଡ ‌। ସ୍ତ୍ରୀ ଆରପାରିରେ।ପିଲାଛୁଆ ନାହିଁ।ଭଲ ଚାକିରୀ।ଉନ୍ନତ ମସ୍ତିଷ୍କ। ସୁନ୍ଦର ବୁଝାମଣା।

           ଶୁଭେନ୍ଦୁ ଅନୁରୋଧ କଲା ଶୀଘ୍ର ବାହାଘର ପାଇଁ ଓ ପ୍ରସ୍ତାବ ନେଇ ପ୍ରିୟା ଘରେ ପହଞ୍ଚିଲା। ମନରେ ଦୁହିଙ୍କର ବହୁତ ଆଶା,ଉନ୍ମାଦ, ଶାନ୍ତିରେ ବଞ୍ଚିବାର ମୋହ। ମନୁଷ୍ୟ ଯାହା ଚାହେଁ ତାହା ପାଏନା। ମନୁଷ୍ୟ ପ୍ରସ୍ତାବ ଦିଏ ଭଗବାନ ପ୍ରତ୍ୟାଖ୍ୟାନ କରନ୍ତି। ପ୍ରିୟାର ଶତ ଅନୁରୋଧ ସତ୍ତ୍ବେ ଘରଲୋକେ ରାଜି ନଥିଲେ ପ୍ରିୟାର ତୃତୀୟ ବିବାହ କରାଇ କୈାଣସି ଅନିଶ୍ଚିତତାକୁ ଠେଲି ଦେବାକୁ। ଶୁଭେନ୍ଦୁର ଅନୁରୋଧର କିଛି ପ୍ରଭାବ ପଡିନଥିଲା ପ୍ରିୟାର ପରିବାର ଉପରେ।

         ପ୍ରିୟା ନେହୁରା ହେଲା,ଏଥର ମୋ ନିଷ୍ପତ୍ତି ଭୁଲ ହେବନାହିଁ। ମନାକଲେ ମାଆ।ଆଉ ଆଗକୁ ବଢ଼ି ତତେ ଆମେ ବେଶ୍ୟା ସଜାଇବାର ନାହିଁ।ତୁ ଘରର ଝିଅ ହିସାବରେ ଆମ ସହ ଜୀବନ ବିତାଇବୁ। ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରିୟା ଅନୁରୋଧ କଲା ମାଆକୁ।ବୋଉଲୋ... ଆମକୁ ଦଶମିନଟ ଏକା ଛାଡିଦିଅ। ଅନିଚ୍ଛା ସତ୍ତ୍ବେ ହଁ ଭରିଲେ ପ୍ରିୟାର ବୋଉ।ଅନେଇ ରହିଥିଲା ଶୁଭେନ୍ଦୁ। ପ୍ରିୟା କହିଲା ଶୁଭେନ୍ଦୁ,ଆଉ କିଛି ପାଇବାର ନାହିଁ।ଏଇ ନିଅ ମିଶିକି ବଞ୍ଚି ନପାରିଲେ ନାହିଁ ମିଶିକି ମରି ତ ପାରିବା। ହଁ ଭରିଲା ଶୁଭେନ୍ଦୁ। ଖୁସିରେ ଦୁହେଁ ବିଷପାନ କଲେ।ପାଟି,ତୁଣ୍ଡ,ଛଟପଟ ଶବ୍ଦ ଶୁଣି ଦୈ।ଡି ଆସିଲେ ପ୍ରିୟାର ପରିବାର। ସଙ୍ଗେ ସଙ୍ଗେ ନେଇ ଚାଲିଲେ ଡାକ୍ତରଖାନା। ବୋଧେ ପ୍ରିୟାର ଆହୁରି ପରୀକ୍ଷା ବାକି ଥିଲା।ଆଖିବୁଜିଦେଲା ଶୁଭେନ୍ଦୁ ବଞ୍ଚିଗଲା ପ୍ରିୟା। ଖବର ଜାଣିବା ପରେ ଆଖିରୁ ଲୁହ ଗଡୋଉଥିଲା ପ୍ରିୟା ‌। ପାଗଳୀ ପରି କହୁଥିଲା:

     ବୋଉଲୋ, ଭଗବାନ ଶେଷରେ ଚୋରାଇ ନେଲେ ମୋ ଜୀବନଖାତା(ପଞ୍ଜିକା) ।

ବୋଉଲୋ,ଏ ବୋଉ... ଫେରାଇ ଦେ ମୋ ହିସାବଖାତା.. !!



Rate this content
Log in

Similar oriya story from Abstract