ବୋଉ
ବୋଉ
ଶଙ୍କର ଗାଁରେ ରହୁଥିବା ଚାଷୀଟିଏ।ଗାଁର ଚାଳ ଘରେ ପରିବାର ସହିତ ବେଶ୍ ସୁଖ ଶାନ୍ତିରେ ରୁହେ।ଗରିବ ହେଲେ ମଧ୍ୟ ଅଭାବ ନଥାଏ।ପେଟକୁ ଦାନା,ଦେହକୁ କନା ଓ ମୁଣ୍ଡ ଗୁଞ୍ଜିବାକୁ ଯେତିକି ଘର ଅଛି ସେତିକି ଯଥେଷ୍ଟ।ପୈତୃକ ସମ୍ପତ୍ତି ଭାବେ ଦୁଇ ଏକର ଜମି ,୨୫ ହାତ ଓସାର ଘର,ଘର ପଛକୁ ଛୋଟ ବାଡ଼ି,ଚାରି ପଟ ବଳଦ ଓ ଦୁଆରେ ଆମ୍ବ ଗଛଟିଏ।ସେହି ଛୋଟ ବାଡିଟିରେ ସାରା ବର୍ଷ ସମୟ ଅନୁଯାୟୀ ପନିପରିବା,ଫୁଲ ଭରି ହୋଇଥାଏ।ପରିବା ପାଇଁ ପଇସା ଖର୍ଚ୍ଚ କରିବାକୁ ପଡେନି।ନିଜସ୍ୱ ଜମିରେ ନିଜେ ଖଟେ।ରକ୍ତକୁ ପାଣି ପରି ନିଗାଡ଼ି ଦେଇ ସୁନା ଫଳାଏ।ପାଣିପାଗକୁ ନେଇ ଓଡିଶା ଚାଷୀଙ୍କର ଭାଗ୍ୟ।କେଉଁ ବର୍ଷ ଓଠରେ ହସ ଭରେ ତ କେଉଁ ବର୍ଷ ଆଖିରେ ଲୁହ।ଯେଉଁ ବର୍ଷ ଫସଲ ଭଲ ସେହି ବର୍ଷ ଫସଲ ବିକି ସେଥିରୁ କିଛି ସଞ୍ଚୟ କରି ରଖେ ଭବିଷ୍ୟତ ପାଇଁ ।ଭାଗ୍ୟକୁ ଗୌରୀ ନାମରେ ବୁଝିଲା ସୁଝିଲା ସ୍ତ୍ରୀଟିଏ ମଧ୍ୟ ପାଇଛି।ଈଶ୍ଵରଙ୍କର ଦୟାରୁ ଯାଆଁଳା ପୁଅଟିଏ,ଝିଅଟିଏ ସେମାନଙ୍କ କୋଳ ଭରିଛନ୍ତି।ଗୌରୀ ସବୁବେଳେ କର୍ମଠ,ସ୍ନେହୀ ଭାରି ଦରଦି ମଣିଷ ଟିଏ।
ପୁଅ ରମାକାନ୍ତ ,ଝିଅ ଝୁନି ଦୁହେଁ ଭଲ ପାଠ ପଢୁଥିଲେ।ସ୍କୁଲ ସରିବା ପରେ ବାହାରକୁ ଯାଇ କଲେଜରେ ପାଠ ପଢିବାକୁ କହିଲା।ତା'ର ବହୁତ ଇଚ୍ଛା ଥିଲା ଡାକ୍ତର ହେବାପାଇଁ।ସମୟ ଦେଖି ଦ୍ବିପ୍ରହରେ ଖାଇବା ସରିବା ପରେ ବାପାଙ୍କୁ ଏହି ବିଷୟରେ ଜଣାଇଲା।ତେଣେ ରମାର କଥା ଶୁଣି ଝୁନି ମଧ୍ୟ କହିଲା ବାପା ମୁଁ ବି ପଢିବି।ବାରଣ୍ଡାରେ ସେମାନଙ୍କର ଜେଜେମା ବସି ପାନ ଭାଙ୍ଗୁଥିଲେ।ପିଲା ଦୁଇଟିର କଥା ଶୁଣି କହିଲେ ,"ଏଈ ପିଲାଗୁଡ଼ାକର କି ମୁହଁ ଦେଖ।ହଇରେ,ତୁମ ଦୁଇଟାକୁ ଦିଶୁନି ବାପା କେମିତି ଝାଳ ବୁହାଇ ଖଟୁଛି।ତୁମେ ଦିଟା ତାକୁ ସାହାଯ୍ୟ କ'ଣ କରିବ....କହିଲେ ଆମେ ସହର ଯାଇ ପାଠ ପଢିବୁ।ହାଇଲୋ ଝୁନି ତୁ ତ ଆଉ କେତେ ଟା ବର୍ଷରେ ପରଘରି ହବୁ।ତୁ ଯେତିକି ପଢ଼ିଲୁଣି ସେତିକି ଢ଼େର।ସେତିକି ରେ ହିସାବ କିତାବ କରିକି ଭାଗବତ,ରାମାୟଣ ବୋଲି ପାରିବୁ।ଏବେଠୁ ଯାଇ ତୋ ମାଆ ପାଖରୁ କାମ ଶିଖେ।ଶାଶୂ ଘର ଗଲେ ତୁ ଭଲରେ ରହିବୁ ଆଉ ତୋ ବାପା ମୁଣ୍ଡ ଉଚ୍ଚା ହେବ।ଆଉ ତୁ ରମା କହୁଛୁ ଡାକ୍ତର ହବୁ।ଆରେ ସେତିକି ପଢେଇବାକୁ ଏତେ ପଇସା କୁଆଡୁ ଆସିବ।କ'ଣ ଘର ଡିହ ବିକିବା?ଅଳ୍ପକେ ଯେତିକି ହେଉଛି ସହରରେ ପଢା ସାରିକି ଏଈ ଗାଁରେ ଜ୍ଞାନ ଲଗା।ବାପାକୁ ସାହାଯ୍ୟ କରେ।"
ଏତିକି ଶୁଣି ଝୁନି ଗୋଡ କଚାଡି ସୁଂ ସୁଂ ହୋଇ ଘର ଭିତରକୁ ଚାଲିଗଲା।ରମା ସେମିତି ବାପାଙ୍କୁ ଚାହିଁ ବସିଥାଏ କିଛି ନିଷ୍ପତ୍ତି ଶୁଣିବା ଆଶାରେ।ଶଙ୍କର କହିଲା ,"ନାଇଁ ବୋଉ ରମା ଯେତେବେଳେ ଏତେ ଆଶା କରିଛି ଜମିଜମା ବିକିକି ପଢେଇବି ତାକୁ।ସେ ଯେତେବେଳେ ଡାକ୍ତର ହେବ ଆମ ଗାଁ ରେ ଲୋକମାନଙ୍କର ସେବା କରିବ।ସେତେବେଳେ ମୋର କେତେ ଖାତିରି ହେବ କହିଲୁ।ଆଉ ରହିଲା ଝୁନି ତାକୁ ବୁଝେଇଲେ ସେ ବୁଝିଯିବ।"ଏସବୁ ଶୁଣି ରମାର ଜେଜେମା "ଏତେ ସପନ କୁ ରାତି କାହିଁରେ ପୁଅ" କହି ପାନ ବଟୁଆକୁ କଡରେ ରଖିଦେଈ ଲୁଗା କାନି ପାରି ସେଇଠି ଶୋଇଗଲେ।
ବାପାଙ୍କର କଥା ଶୁଣି ଝୁନି ଘର ଭିତରେ ଆହୁରି କାନ୍ଦୁଥିବାର ଦେଖି ଗୌରୀ ତାକୁ ବୁଝାଇଲା ,"ଝୁନି ତୁ କାନ୍ଦୁଛୁ କାହିଁକି।ବାପା ଜେଜେମା ଠିକ୍ ତ କହିଲେ।ତୁ କ'ଣ ମୋର ଅଶିକ୍ଷିତ ଝିଅକି?ପାଠୋଇ ସାଙ୍ଗକୁ ଘର କାମ ଶିଖିଲେ ସିନା ଭଲ ବର ଟେ ମିଳିବ।ଆଉ ତୋ ଭାଇ ଯଦି ଚାକିରୀ କଲା ତୋତେ ଆହୁରି ଭଲ ଘର ମିଳିବ।ଭଲରେ ରହିବୁ।"
ଝୁନି ବିଚାରୀ କିଛି ପ୍ରତିବାଦ କରି ନପାରି ଘରେ ଘର କାମ ଶିଖିଲା।ଗଛ ଲତା କଥା ବୁଝିଲା।ସିଲେଇ ଭଳି ହସ୍ତକର୍ମ ଶିଖିଲା।
ତେଣେ ରମାର ସହରକୁ ଯିବା ଦିନ ହୋଇଗଲା।ପୁଅ ସେଇଠି କ'ଣ ଖାଇବ ବୋଲି ଗୌରୀ ଚୁଡା,ମୁଢି ଉଖୁଡା ,ବାରି କଦଳୀ ବାନ୍ଧିଲା।ପିଠା ଗୁଡ଼ାଏ କରି ତାକୁ ବାନ୍ଧିଲା।ତା'ସହ ରମାର ପିନ୍ଧା ସାର୍ଟ ,କମ୍ବଳ,ମଶିଣା ସବୁ ଯୋଗାଡ଼ ହେଲା।ଯିବା ଦିନ ଶଙ୍କର ବଳଦ ଦୁଇଟିକୁ ଖାଇବାକୁ ଦେଇ ସହରକୁ ଯିବା ପାଇଁ ବଳଦ ଗାଡିଟିକୁ ପ୍ରସ୍ତୁତ କଲା।ରମାର ସବୁ ଜିନିଷ ପତ୍ର ଆଣି ବଳଦ ଗାଡ଼ିରେ ଥୋଇ ରମାକୁ ଡ଼ାକ ଛାଡିଲା "ଆରେ ରମା କୁଆଡେ ଗଲୁ।ସେଠି ଥିବା ଯାଏଁ ତୋ ବୋଉ,ଜେଜେମା ସେମିତି କନ୍ଦାକଟା କରୁଥିବେ।ତେଣେ ତୋତେ ସହରରେ ଛାଡି ମୁଁ ଘରକୁ ଫେରିବି।ବେଳ ଗଡିଯିବ।ରମା ସମସ୍ତଙ୍କୁ ପ୍ରଣାମ କରି ବଳଦ ଗାଡ଼ିରେ ବସି ସହର ଅଭିମୁଖେ ବାହାରିଗଲା। ମଝିରେ ମଝିରେ ଯାଇ ଶଙ୍କର ଗୋୖରୀ ରମାକୁ ଦେଖି ଆସନ୍ତି।କେବେ କେବେ ରମା ଛୁଟିରେ ଘରକୁ ଆସେ।ସମସ୍ତେ ତାକୁ ଆଗ ଅପେକ୍ଷା ଆହୁରି ଶ୍ରଦ୍ଧା କରୁଥାନ୍ତି।ସହରରେ ପଢୁଛି ବୋଲି ଗାଁ ପିଲାଏ ତାକୁ ଘେରି ଯାଆନ୍ତି।ସହର ବିଷୟରେ ପଚାରନ୍ତି।ରମାକୁ ଧୀରେ ଧୀରେ ଏସବୁ ବିରକ୍ତ ଲାଗୁଥାଏ ,କିନ୍ତୁ କିଛି କହି ପାରୁନଥାଏ।ଏହି ପରି ଧୀରେ ଧୀରେ ରମାର କଲେଜ ପଢିବା ଆଗେଇ ଚାଲିଲା।ତେଣେ ଶଙ୍କରର ଜମି ଜମା ଶେଷ ହୋଇ ଆସିଲା।ବଳଦ ଚାରିପଟ ବିକା ସରିଲାଣି।
ଶେଷରେ ଶଙ୍କର ଆଖିରୁ ଖୁସିର ଲୁହ ଝରିବାର ସମୟ ଉପସ୍ଥିତ ହେଲା।ଶଙ୍କର ସବୁ ଜମି ବିକି ଦେଇଥିବାରୁ ପର ଜମିରେ ଭାଗୁଆଳି ହୋଇ କାମ କରୁଥାଏ।ଏହି ସମୟରେ ଝୁନି ଦଉଡି ଦଉଡି ଶଙ୍କର ପାଖକୁ ଆସିଲା।ଝୁନିକୁ ଦେଖି ଶଙ୍କର କାମ ଛାଡି ଠିଆ ହୋଇ ପଚାରିଲା ,"ତୁ କାହିଁକି ଏମିତି ଧାଇଂଛୁ ,ଏମିତି ଧଇଁସଇଁ ହେଉଛୁ ?" ଝୁନି କହିଲା ,"ବାପା ,ଆମ ଘରକୁ ଡାକ୍ତର ବାବୁ ଆସିଛନ୍ତି।ଆସ ଦେଖିବ।"ଶଙ୍କର ଦ୍ୱନ୍ଦ ମନରେ କାମ ଛାଡି ଘର ମୁହାଁ ଦୌଡ଼ିଲା।ଘରେ ପହଞ୍ଚି ଦେଖେତ ତା ପୁଅ ରମା ଆସିଛି।ତାକୁ ଦେଖିବା ପାଇଁ ସାଇଭାଇ ଆସି ରୁଣ୍ଡ ହୋଇଛନ୍ତି।ଖୁସିରେ ପାଦ ତଳେ ଲାଗୁନଥାଏ।ପୁଅ ଡାକ୍ତର ହୋଇଛି ଶୁଣି ଖୁସିରେ ପୁଅକୁ କୋଳେଇ ନେଇ କହିଲା ,"ଆଖ ପାଖ ପଚାଶ ଖଣ୍ଡ ଗାଁ ରେ ତୁ ମୋର ଗୋଟାଏ ପିଲା ଡାକ୍ତର ହେଲୁ।ମୋ ମାନମହତ ବଢ଼େଇଦେଲୁ।ସମସ୍ତେ କହିବେ ଶଙ୍କର ପୁଅ ଡାକ୍ତର ହୋଇଛି।ତୁ ତ ବାମନ ହାତରେ ଚାନ୍ଦ ଧରେଇ ଦେଲୁ।"ଶଙ୍କର ପରିବାରରେ ସଭିଙ୍କ ଆଖିରେ ଖୁସିର ଲୁହ । ଏପରି କିଛି ଦିନ ବିତିଗଲା ପରେ ରମା କହିଲା ,"ମୋତେ ଏବେ ଯିବାକୁ ହେବ।ଡାକ୍ତର ହେବା ପରେ ଅନେକ ଅଭ୍ୟାସ କରିବାକୁ ହେବ।"ଏହିପରି ଦିନେ ଗୋଟିଏ ସକାଳରେ ଘର ଠାରୁ ବିଦାୟ ନେଇ ସହରକୁ ଚାଲିଗଲା। ଦିନ ପରେ ଦିନ ଗଡିଚାଲିଲା।କିନ୍ତୁ ରମା ଘରକୁ ଫେରିଲା ନାହିଁ।ଏହା ଭିତରେ ରମା ଜେଜେମାଙ୍କ ଦେହ ଖରାପ ହେବାରେ ଲାଗିଲାଣି।ଶଙ୍କର ଅନେକ ଥର ଯାଇ ରମା କଥା ବୁଝିଆସେ।ଜେଜେମାଆଙ୍କ କଥା ମଧ୍ୟ ଜଣାଏ।କିନ୍ତୁ ରମାର ନିଜ ଗାଁ କିମ୍ବା ପରିବାର ପ୍ରତି ଅନାଗ୍ରହ କୁ ସ୍ପଷ୍ଟ ଅନୁଭବ କରିପାରୁଥାଏ ତା ସହିତ ଅଧିକ ଦୁଃଖ ଲାଗୁଥାଏ ଯେ ରମାର ଶଙ୍କର ପରି ଗାଉଁଲି ବାପାର ପରିଚୟରେ ବଞ୍ଚିବାକୁ କୁଣ୍ଠାବୋଧ କରିବା।କିନ୍ତୁ ନିଜ ପୁଅ ଯେତେବେଳେ ଲୋକ ଲଜ୍ଜାକୁ ଭୟ କରି ମନ କଥା ମନରେ ମାରିଦେଇ ଆସେ।ଘରକୁ ଆସି ରମାର ସୁଖ ଖବର ଦେଇ ସମସ୍ତଙ୍କୁ ଶାନ୍ତ କରାଏ।
ଖରା ଦିନର ସଂଧ୍ୟା ସମୟ।ମୁହଁ ଅନ୍ଧାର ହେଉ ହେଉ ଶଙ୍କରର ସ୍ତ୍ରୀ ଗୌରୀ ଚଉରା ମୂଳରେ ସଞ୍ଜଦୀପ ଟିଏ ଥୋଇ ମୁଣ୍ଡିଆ ମାରିଲା। ଠାକୁର ଘରେ ଦୀପ ଟିଏ ଜାଳି ଭାଗବତ ପଢୁଥାଏ।ବାରଣ୍ଡାରେ ଲଣ୍ଠନଟିଏ ଦିକଦିକ ହୋଇ ଜଳୁଥାଏ।ଝୁନିର ବାପା ଓ ଝୁନି ବାରଣ୍ଡାରେ ବସି ଭାଗବତ ଶୁଣୁଥାନ୍ତି।ଜେଜେମା ଅସୁସ୍ଥତା ଯୋଗୁଁ ଗୋଟିଏ ଖୁଣ୍ଟକୁ ଆଉଜି ହୋଇ ବସି ଭାଗବତ ଶୁଣୁଥାନ୍ତି।ଦୁଆରେ ଥିବା ଆମ୍ବ ଗଛରୁ ଶୀତଳ ପବନ ଥିରି ଥରି ବହୁଥାଏ।ପବନ ସହ ତାଳ ଦେଇ ଗୋୖରୀ ଆଖିରୁ ଲୁହ ବୁନ୍ଦା ଝରିଗଲା।ଆଗକୁ ଆଉ ଭାଗବତ ପଢି ପାରିଲା ନାହିଁ।ଗୋୖରୀର ମନ ଅବସ୍ଥା ଶଙ୍କର ବେଶ୍ ଭଲରେ ବୁଝିପାରୁଥିଲା।ତେଣୁ ଲୁଚେଇ ଲୁଚେଇ ଗାମୁଛାରେ ମୁହଁ ପୋଛିଲା।ଜେଜେମା କହିଲେ ,"କୋଇଲି ଲୋ କେଶବ ଯେ ମଥୁରାକୁ ଗଲା।କାହା ବୋଲେ ପୁତ୍ର ଗଲେ ବାହୁଡ଼ି ନଇଲା।"ଆମ ପୁଅ ପରା ନିଜେ ନିଜେ ଯାଇଛି।ଶଙ୍କର ତୋ ପାଇଁ ଏତେ ସବୁ।ସେତେବେଳେ କହୁଥିଲି ଯେ କହିଲୁ କ'ଣ ନା ମୋ ପୁଅ ଡାକ୍ତର ହେଲେ ଗାଁ ରେ ରହିବ ଲୋକଙ୍କ ସେବା କରିବ ଆରେ ଯିଏ ବାପା ମାଆକୁ ଭୁଲିଯାଏ ସେ ସମାଜ ଉନ୍ନତି କିପରି ଭାବିବ।ପୁଅକୁ ଶିକ୍ଷିତ କରୁ କରୁ ଆମେ ବୋକା ହୋଇଗଲେ।ଭଗବାନଙ୍କର ଦୟା ମୋ ପୁଅ ମୂର୍ଖ।ସେଇଥି ପାଈଁ ମୋତେ ଏ ବୟସରେ ଆଜି ପର୍ଯ୍ୟନ୍ତ ସାହାରା ଦେଇଛି।"ଏତିକି କହି ବୁଢ଼ୀ କାନ୍ଦି ପକାଇଲେ।କିପରି ସହିଥାନ୍ତେ ରମା ପରା ତାଙ୍କର ରକ୍ତ। ରମା,ଗୋଟିଏ ବୋଲି ନାତିକୁ ଝୁରି ଝୁରି ରମା ଜେଜେମାଙ୍କର ଦେହ ଅଧିକ ଖରାପ ହେବାରେ ଲାଗିଥାଏ।ଗୋୖରୀ ମଧ୍ୟ ପ୍ରାୟ ସବୁବେଳେ ଚୁପଚାପ ରହୁଛି।ବାହାରେ ଅନେକ ଲୋକ ଦେଖେଇ ହୋଇ କେତେ କଥା କହିଦେଉଛନ୍ତି।ସବୁ ଶୁଣି ମଧ୍ୟ ଶଙ୍କର କାଠ ପଥର ପରି ବାହାରକୁ ସ୍ୱାଭାବିକ ଥାଏ କିନ୍ତୁ ବିକଳ ପିତୃତ୍ୱ ବିଳାପ କରି ଉଠେ।ଅସହାୟ ହୋଇ ଚିନ୍ତା କରେ ମୁଁ ସତରେ ବାମନ ହୋଇ ରହିଗଲି ଜହ୍ନ କିପରି ଆଣିବି ଯେ ସ୍ୱପ୍ନର ସ୍ଵର୍ଗପୁରୀ ର ଉଦ୍ୟାନ ଉଜୁଡି ଯାଇ ମରୁଭୂମିର ଉତ୍ତପ୍ତ ବାଲୁକା ସ୍ତୁପରେ ଛିଡା ହୋଇଛି ଏକା ଏକା।ବୁଢ଼ା ବୟସରେ ଯେଉଁ ବାପା ଅସହାୟ ହୋଇ କଠୋର ପରିଶ୍ରମ କରେ କେବଳ ପେଟ ଭରିବା ପାଇଁ ତା ପାଇଁ ଜୀବନ ମରୁଭୂମି ନୁହେଁ ତ ଆଉ କ'ଣ ହୋଇପାରେ?
ଏସବୁ କିନ୍ତୁ ଝୁନି ଆଖିରୁ ବାଦ ଯାଏନି।ତେଣୁ ନିଜେ ଗାଁ ପିଲାଙ୍କୁ ପଢାଏ,ସିଲେଇ କରେ।ବାରିରେ ପରିବା କିଛି ଲଗେଇ ଘର ପାଇଁ ବ୍ୟବହାର ପରେ ଅବଶିଷ୍ଟକୁ ବିକ୍ରି କରିବା ପାଇଁ ବାପାଙ୍କୁ ଦିଏ।ନିଜ ସଞ୍ଚିଥିବା ଅର୍ଥ ରେ ଦୁଇ ପଟ ଗାଈ କିଣି କ୍ଷୀର ବ୍ୟବସାୟ କରିବାକୁ ବାପାଙ୍କୁ ସାହାଯ୍ୟ କରିଛି।ଧୀରେ ଧୀରେ ଦୁଇପଟ ଗାଈ ଚାରି ପଟ କୁ ବଢିଲେ।ବ୍ୟବସାୟ ମଧ୍ୟ କିଛି ବଢିଗଲା।ଘରର ଆର୍ଥିକ ଅବସ୍ଥାରେ ଉନ୍ନତି ହେଉଥାଏ।
ତେଣେ ଝୁନିର ବାହାଘର ବୟସ ବଢୁଥାଏ।ଦିନେ ଶଙ୍କରକୁ ଡାକି ତା ମାଆ କହିଲେ ,"ହଇରେ ଶଙ୍କର ,ଦେଖିଲୁ...କିଏ ଜାଣିଥିଲା ଏ ପୁଅ ଏମିତି ଅଧା ରାସ୍ତାରେ ଛାଡ଼ିଗଲା ବେଳେ ଝିଅଟିଏ ସାହା ହେବ।ଯାହା ହେଲା ଝୁନି ପାଇଁ ଆମେ ଋଣୀ ହେଲେ।ହେଲେ ଆମର ତ କିଛି କର୍ତ୍ତବ୍ୟ ଅଛି।ଗାଁ ର ଝୁନି ବୟସ ଯେତେ ଝିଅ ସବୁ ବାହା ହେଇ ପିଲାଛୁଆ ନେଇ ସଂସାର କଲେଣି।ଆଉ ଆମ ଝୁନି ଆମ ପାଇଁ ପରିଶ୍ରମ କରୁଛି।ଏ ବୁଢ଼ୀ ବୟସରେ ଏସବୁ ଦେଖୁଛି ଆଖି।"ଶଙ୍କର କହିଲା,"ମୁଁ କଅଣ ବୁଝିନି ସେ କଥା।ଏତେ ପଇସା କୋଉଠୁ ଆଣିବି ଯେ ଝିଅ ବାହାଘର କରିବି।ତା ଛଡା ଝୁନିର ଏଈ ବୟସରେ ଭଲ ଘର ଖୋଜିଲେ ବେଶୀ ଯୌତୁକ ପାଇଁ ବେଶୀ ଟଙ୍କା ଦରକାର।ଗୋଟିଏ ବୋଲି ଝିଅ, ଗହଣା ଗାଣ୍ଠି ହେବ,ଜୋଇଁ ପାଇଁ ମଧ୍ୟ କିଛି ହେବ।ବାହାଘର ପରେ ପୁଣି ବୁହାଘର।କେଉଁଠୁ ଆଣିବି ଏତେ ପଇସା କହ।ଦୁଇ ଏକର ଜମି ସହ ଚାରିଟା ବଳଦ ବିକିଦେଇଛି ପୁଅ ପଢିବା ପାଇଁ।ଆଉ ଅଛି ଏ ଘର ଖଣ୍ଡିକ।ୟାକୁ ମୁଁ ବିକି ପାରିବିନି।କେତେ ଆଶା ଥିଲା ସୁନାର ସଂସାର ପାଇଁ।ହେଲେ ଦେଖ ମୋ ଭାଗ୍ୟ କୁ ପୁଅ ଥାଇ ନଥିବା ଭଳି।"ଏତିକି କହି ନିଜ ମାଆ ପାଖରେ କାନ୍ଦିବାକୁ ଲାଗିଲା।ବୁଢା ପୁଅକୁ କାନ୍ଦିବାର ଦେଖି ବୁଢ଼ୀମାଆ ଟି କେଉଁଠୁ ଧର୍ଯ୍ୟ ଧରିଥାନ୍ତା।ସଙ୍ଗେ ସଙ୍ଗେ ଏକା ଜିଦ ଧରିଲା ବର୍ତ୍ତମାନ ସେ ସହରକୁ ଯାଇ ରମା ସହ କିଛି କଥା ହେବ।
ତେଣୁ ନାଚାର ହୋଇ ଶଙ୍କର,ଝୁନି ଆଉ ଜେଜେମାଆ ସହରକୁ ଯିବାକୁ ବାହାରିଲେ।ନିଜର ତ ଆଉ ବଳଦ ଗାଡି ନଥାଏ।ଅନ୍ୟକୁ ସାହାଯ୍ୟ ମାଗିଲେ କିନ୍ତୁ ବଡ଼ କଷ୍ଟରେ ଜଣେ ରାଜି ହୋଇ ସହର ପର୍ଯ୍ୟନ୍ତ ଯିବାକୁ ରାଜି ହେଲା ଓ ଏଥିପାଇଁ ପାରିଶ୍ରମିକ ମଧ୍ୟ ନେଲା।ସହର ପାଖେଇବାରୁ ଗୋଟିଏ ଛୋଟ ବସ୍ ଟିଏ ଦେଖିଲେ।ଭଡା ଦେଇ ସହର ଭିତରକୁ ଗଲେ।ସେଠାରୁ ଓଲ୍ହାଇ ରିକ୍ସା ଟିଏ ନେଇ ରମା ପାଖରେ ପହଞ୍ଚିଲେ।
ରମା ସେତେବେଳେ ରୋଗୀ ଦେଖୁଥାଏ।ଏକା ସମୟରେ ତିନି ଜଣଙ୍କୁ ଦେଖି ରମା ଆଶ୍ଚର୍ଯ୍ୟ ହୋଇ ଗଲା।ଜେଜେମା ଥାଇ କହିଲେ ,"କଅଣ ହେଲା କି ଏତେ ଆଶ୍ଚର୍ଯ୍ୟ ହୋଇ ଦେଖୁଚୁ ? ଏଈ ବୁଢୀଟା ବଞ୍ଚିଛି ବୋଲି ନା କଅଣ?ହଇରେ ଯୋଉ ବାପା ମା ତୋର ଏତେ କଲେ ତୁ ଶେଷରେ ତାଙ୍କୁ ପାଶୋରି ଦେଲୁ। ବରଷେ ହେଇଗଲା ତୁ ଗାଁ ମାଟି ମାଡିଲୁନି କି ଚିଠି ଖଣ୍ଡେ ଦେଲୁନି ବାପା ମାଆ ମଲେ କି ଗଲେ ।ଗୋଟେ ଅଭିଆଡି ଭଉଣୀ ସେ କଅଣ କଲା।" ସବୁ ରୋଗୀମାନେ ବୁଢ଼ୀ ଲୋକଟିର କଥା ଶୁଣୁଥାନ୍ତି।ରମାକୁ ଖୁବ୍ ଅପମାନ ବୋଧ ହେଉଥାଏ।ତେଣେ କିଛି କହି ପାରୁନଥାଏ।ପୁଅର ଏପରି ଅବସ୍ଥା ଦେଖି ଶଙ୍କର ତା ମାଆକୁ ରୋକୁଥାଏ କିନ୍ତୁ ଝୁନି ସେମିତି ଛିଡା ହୋଇ ଵିତୃଷ୍ଣା ରେ ରମାକୁ ଦେଖୁଥାଏ।
ଶଙ୍କରକୁ ତାଗିଦ କରି ତା ମାଆ କହିଲେ ,"ମୁଁ ଯାହା କହୁଛି,କରୁଛି ତୁ ଜମା ମୁଣ୍ଡ ପୁରାନି।ଚୁପଚାପ ଛିଡା ହୁଅ।"ନିଜ ମାଆର ଉଗ୍ର ରୂପ ଦେଖି ବୁଢା ପୁଅଟି ମଧ୍ୟ ଛୋଟ ପିଲାଟି ପରି ନିରୁପାୟ ହୋଇ ଛିଡା ହୋଇଗଲା।''
ରମା ମଧ୍ୟ ଜେଜେମାର ଏହି ରୂପ ଦେଖି ନଥିଲା।ରମାକୁ ଅନାଇ ଜେଜେମା କହିଲେ ,"ଯାହା ହେଲା ହେଲା...ଶୁଣ ତୋ ମାଆ ତୋତେ ଝୁରି ଝୁରି ମରିଗଲା।ତା କ୍ରିୟା କର୍ମ ପାଇଁ ଟଙ୍କା ଦରକାର।ଆମେ ତୋତେ ତୋ ଟଙ୍କା ମାଗିବାକୁ ଆସିନୁ।ତୋ ବାପା ତୋତେ ପଢାଇବାକୁ ଯେଉଁ ଦୁଇ ଏକର ଜମି ବିକିଛି ସେହି ଜମି ଆମର ଦରକାର।ତୁ ଗାଁକୁ ଚାଲ ।ସେ ଜମି ଫେରାଇ ଆଣିବୁ ଜମିଦାର ପାଖରୁ।ତା ପରେ ତୁ ତୋ ସହରରେ ରହ ।" ମାଆ ର ଏପରି ମିଛ କଥା ଶୁଣି ଶଙ୍କର ଓ ଝୁନି ତାଙ୍କୁ ଚାହିଁରହିଲେ।ରମା ମଧ୍ୟ ଲଜ୍ଜା ଅନୁଭବ କରୁଥାଏ ଏବଂ ମାଆର ମୃତ୍ୟୁ ଖବର ଶୁଣି ଗାଁ କୁ ଯିବା ପାଇଁ ସ୍ଥିର କଲା।ଜମି କିଣିବାକୁ ଟଙ୍କା ଆଣି ଟାକ୍ସି ଟିଏ ଭଡା କରି ସମସ୍ତଙ୍କୁ ନେଇ ଗାଁ କୁ ବାହାରିଲା।ଗାଁରେ ପହଞ୍ଚିବା ବେଳକୁ ସନ୍ଧ୍ୟା ହୋଇସାରିଥାଏ।ସମସ୍ତେ ଗାଁ ଦାଣ୍ଡରେ ଟାକ୍ସି ଦେଖି ବୁଝିପାରିଲେ ରମା ଆସିଛି।ଦେଖୁ ଦେଖୁ ସମସ୍ତେ ଦାଣ୍ଡରେ ଛିଡା ହୋଇ ଟୁପୁରୁ ଟାପୁରୁ ହେଉଥାନ୍ତି "ଦେଖ ଶିକ୍ଷିତ ପୁଅ ଆସିଛି ବର୍ଷରେ ଥରେ।"ଜେଜେମାଙ୍କ ମୁଣ୍ଡରେ ରମା ପ୍ରତି ରାଗ ଅଧିକ ଚଢୁଥାଏ ।କେଉଁ ମାଆ ନିଜ ପୁଅ ବିପକ୍ଷରେ ଶୁଣି ଧର୍ଯ୍ୟ ଧରି ରହିବ।ରମା ଘରେ ପାଦ ରଖୁରଖୁ ଦେଖିଲା ତା ବୋଉ କାନ୍ଦି କାନ୍ଦି ତା ପାଖକୁ ଆସୁଥାଏ।ତେଣୁ ସେ ଜେଜେମାଆ କୁ ରାଗି କରି ଚାହିଁଲା।ରମାକୁ ଦେଖି ଜେଜେମା କି ଆଉ ଥୟ ଧରନ୍ତି।ନିଜେ ଧରିଥିବା ବଂକୁଲି ବାଡ଼ି ରେ ରମାକୁ ପିଟିବା ଆରମ୍ଭ କରିଦେଲେ।ସମସ୍ତେ ଛିଡା ହୋଇ ହସୁଥାନ୍ତି।ରମା ମାଡ଼ ଖାଇ ବିକଳରେ ତଳେ ଗଡୁଥାଏ।ଗୋୖରୀ ଏସବୁ ସମ୍ଭାଳି ନପାରି ଜେଜେମାଙ୍କୁ ବହୁ କଷ୍ଟରେ ରୋକିନେଲା।ମାଡ଼ ଖାଇ ରମା ତଳୁ ଉଠି ପାରୁନଥାଏ।ଜେଜେମା ତେଣେ ପାଟି କରି କହୁଥାନ୍ତି ,"ଭଲରେ କହୁଛି ତୋ ମତିଗତି ଠିକ୍ କର।ବାପା ମାଆ ବଞ୍ଚିଥିଲା ବେଳେ ତାଙ୍କ ଯତ୍ନ କରେ।ମାଆ ମରିଗଲା ଶୁଣିକି ଯେମିତି ଦୌଡିଲୁ ଗାଁକୁ ବଞ୍ଚିଲା ବେଳେ ସେତିକି ଆଦର କର।ଭଗବାନ ମଙ୍ଗଳ କରିବେ।କୁଳାଙ୍ଗାର ପାଠ ଦେଖେଇଲା।ଦରକାର ନାହିଁ ସେ ଡାକ୍ତର ହେବା।ମୋ ପୁଅର ସେ ଜମି କିଣି ବାପା ଠୁ କାମ ଶିଖ।ଏଈ ଗାଁରେ ରହିବୁ।ଆଉ କିଛି ଫନ୍ଦି ଫିକର କରିବୁ ତ ସେତେବେଳେ କୋଉ ମାଆ ତୋତେ ରକ୍ଷା କରିବ ମୁଁ ଦେଖିବି।'' ଗୋୖରୀ ପୁଅକୁ ଉଠାଇବାକୁ ଚେଷ୍ଟା କରି ପାରିଲା ନାହିଁ।ଝୁନିର ସାହାଯ୍ୟ ଲୋଡିଲା।ଝୁନି କିନ୍ତୁ ମୁହଁ ଫେରାଇ ସେଠାରୁ ଚାଲିଗଲା।ଶେଷରେ ଶଙ୍କର ଆସି ରମାକୁ ଉଠାଇ ଘରକୁ ନେଲା।୫ଦିନ ପରେ ରମା ନିଜେ ଉଠିବାକୁ ସକ୍ଷମ ହେଲା।ବୋଉ ଆଉ ଭଉଣୀର ସେବା ଦେଖି ନିଜ କର୍ମ ପାଇଁ ଅନୁତାପ କରିଲା।ଜେଜେମାଙ୍କର ଉଦ୍ଦେଶ୍ୟ ବୁଝିପାରୁଥିଲା।ସୁସ୍ଥ ହେବା ପରେ ଘରେ ସମସ୍ତଙ୍କୁ କ୍ଷମା ମାଗିଲା।ନିଜ ଟଙ୍କାରେ ୫ଏକର ଜମି କିଣିଲା। ଅନୁମତି ନେଇ ପୁଣିଥରେ ନିଜ କର୍ମକ୍ଷେତ୍ରରେ ଯୋଗ ଦେଲା। ପ୍ରତି ସପ୍ତାହରେ ଛୁଟିଦିନରେ ଘରକୁ ଆସିଲା।ଗାଁ ଘର ଛାତ ପକ୍କା କରିଲା।ସହରରେ ଯୋଗ୍ୟ ପିଲାଟିଏ ଦେଖି ଝୁନିର ବାହାଘର ମଧ୍ୟ କରାଇଲା।କିନ୍ତୁ ଗୋଟିଏ ଦୁଃଖ ରହିଲା ଯେ ଯେଉଁ ଜେଜେମା ଘର ସଜାଡ଼ିଲେ ସେ ଝୁନି ବାହାଘର ଦେଖିବା ପାଇଁ ଜଗତରେ ନଥିଲେ।ଝୁନି ବାହାଘର ପରେ ଘରଟା ଖାଁ ଖାଁ ଲାଗିଲା।ଗୌରୀ ଶଙ୍କର ଦୁଇ ପ୍ରାଣୀ ସେହି ଘରେ ପଡିରହିଲେ।ବାର୍ଦ୍ଧକ୍ୟର ବାଧା ଲାଗୁଥାଏ।
ତେଣୁ ଗାଁରେ ଭଲ ଝିଅଟିଏ ଦେଖି ଶୀଘ୍ର ରମାର ବାହାଘର ସାରିଦେଲେ। ଶେଷରେ ରମା ଗାଈଗୋରୁଙ୍କୁ ବିକି ଦେଇ ବାପା ମାଆ ସ୍ତ୍ରୀକୁ ନେଇ ସହରରେ ରହିବାକୁ ନେଇଆସିଲା।କିଛି ଦିନ ସହରରେ ରହି କିଛି ଦିନ ଗାଁ କୁ ଆସୁଥିଲେ ଶଙ୍କର ଓ ଗୋୖରୀ।ଗାଁର ସାହିଭାଇ କି ସହରରେ ମିଳିବେ ? ଗାଁ ଲୋକଙ୍କ ସହ ମିଳାମିଶା ସହ ଗାଁର ଘର,ଜମି ଦେଖାଶୁଣା କରି ପୁଣି ଫେରିଯାଆନ୍ତି ସହରକୁ ।ହସିଲା ଘରକୁ ଦେଖି ଶଙ୍କର ଭାବୁଥାଏ ସତରେ ଆଜି ବୋଉ ଥାଆନ୍ତା କି କେଡେ ଖୁସି ହେଉଥାନ୍ତା।ବୋଉ ତୁ ହିଁ ମୋ ଘର ସଜାଡି ଦେଇ ବୁଢ଼ାପୁଅକୁ ଆଶ୍ରା ଦେଇଗଲୁ ।
