STORYMIRROR

jyotsna mayee panda

Fantasy

3  

jyotsna mayee panda

Fantasy

ବିଶ୍ୱାସଘାତକତା...

ବିଶ୍ୱାସଘାତକତା...

3 mins
216

ଗୋଟିଏ ଜଙ୍ଗଲରେ ଏକ ସୁନ୍ଦର ହରିଣ ଦମ୍ପତ୍ତି ରହୁଥିଲେ l ସମୟ କ୍ରମେ ହରିଣୀ ଗର୍ଭବତୀ ହେଲା l ଦୁଇଟି ସୁନ୍ଦର ହରିଣ ଛୁଆ ଜନ୍ମ ଦେଲା l ଦୁଇ ହରିଣ ଦିନ ବେଳେ ଅନେକ ଦୂର ଖାଦ୍ୟ ଅଣ୍ୱେଷଣରେ ଯାଉଥିଲେ l. ସେଥିପାଇଁ ଛୁଆମାନଙ୍କୁ ଉପଦେଶ ଦେଉଥିଲେ ଯେ, "କୌଣସି ଅଜଣା ବନ୍ଧୁଙ୍କୁ ହଠାତ ବିଶ୍ୱାସ କରିବନି l” ଯେଉଁ ଗଛ ତଳେ ହରିଣ ଛୁଆ ଦୁଇଟି ଖେଳୁଥିଲେ ସେ ଗଛ ଉପରେ ଗୋଟେ ନେଉଳ ରହୁଥିଲା l ସେ ବି ଆସ୍ତେ ଆସ୍ତେ ସାଙ୍ଗ ହୋଇଗଲା ଓ ତିନି ସାଙ୍ଗ ଖୁବ୍ ଖୁସିରେ ଖେଳିଲେ l ନେଉଳ ସାଙ୍ଗ ହେବା କଥା ବାପା ମାଆଙ୍କୁ ବି କହିଥିଲେ l ଗୋଟେ ଶୃଗାଳ ଏ ତିନି ସାଙ୍ଗଙ୍କୁ ବହୁତ ଦିନରୁ ଦେଖି ଆସୁଥିଲା l ଦୁଇ ହରିଣ ଛୁଆଙ୍କୁ ଦେଖି ତା ପାଟିରୁ ଲାଳ ବାହାରିଲା l

କେମିତି ସେମାନଙ୍କୁ ମାରି ଖାଇବ ସେ କଥା ଚିନ୍ତା କଲା l ଦିନେ ହେଟାବାଘକୁ କହିଲା, "ଜାଣିଛ ବନ୍ଧୁ ତୁମେ ମୋତେ ଟିକେ ସାହାଯ୍ୟ କଲେ ମୁଁ ଦୁଇଟା ସୁନ୍ଦର ହରିଣ ଛୁଆ ଆଣିଦେଵି l ସାଙ୍ଗ ହୋଇ ଖାଇବା l ଶୃଗାଳ କଥାରେ ହେଟା ବାଘର ବିଶ୍ୱାସ ହେଲା l ସେ କହିଲା ଠିକ ଅଛି ମୁଁ ସାହାଯ୍ୟ କରିବି l ତୁମେ କୌଣସି ପ୍ରକାରେ ମୋ ପାଖରେ ସେମାନଙ୍କୁ ପହଞ୍ଚେଇ ଦିଅ l ବାକି କଥା ମୁଁ ବୁଝିବି l" ଶୃଗାଳ ଛଳନା କରି ଦୁଇ ହରିଣ ଛୁଆ ପାଖରେ ପହଞ୍ଚିଲା l ଶୃଗାଳ କହିଲା, “ଜାଣିଛ ମିତ୍ରମାନେ ମୋର କେହି ସାଙ୍ଗ ନାହାନ୍ତି l ସେଥିପାଇଁ ମୁଁ ଆଜିଠୁ ତୁମ ସାଙ୍ଗରେ ମିତ୍ରତା କରିବି l ଏକା ସାଥିରେ ଖେଳିବା l ଏକା ସାଥିରେ ବୁଲିବା l ଭାରି ମଜା ଲାଗିବ l” ହରିଣ ଛୁଆମାନେ ତା କଥାକୁ ବିଶ୍ୱାସ କରି ତା ସହିତ ମିଶିଗଲେ l

କିନ୍ତୁ ନେଉଳର ତା ମିତ୍ରତା ଉପରେ ବିଶ୍ୱାସ ନ ଥିଲା l ସେ ସବୁବେଳେ ସତର୍କ ହୋଇ ରହୁଥିଲା l ଦିନେ ଶୃଗାଳ ଜଙ୍ଗଲର ଆର ପାଖକୁ ବୁଲି ଯିବାକୁ କହିଲା l ହରିଣ ଛୁଆମାନେ ବାହାରି ପଡିଲେ କିନ୍ତୁ ନେଉଳ ମନା କଲା l ସେ କହିଲା ବାପା ମାଆଙ୍କୁ ନ କହି ଏମିତି ଅନ୍ୟ ଜାଗାକୁ ଯିବା ଉଚିତ ହେବନି l ନେଉଳ କଥାରେ ଶୃଗାଳ ରାଗିଗଲା l ସେ ପୁଣି ଗୋଟେ ସୁଯୋଗର ଅପେକ୍ଷାରେ ରହିଲା l ଦିନେ ନେଉଳ ନ ଥିବା ସମୟରେ ଆସି ଦୁଇ ହରିଣ ଛୁଆଙ୍କୁ କହିଲା ଜାଣିଛ ଜଙ୍ଗଲ ସେପଟେ କେତେ ସୁନ୍ଦର ଧାନ କ୍ଷେତ ଅଛି l ପାଚିଲା ଧାନ ଲଟୁଛି l ଆଜି ମୋ ସହିତ ଚାଲ.. ମନ ଭରି ଖାଇବ l ହରିଣ ଛୁଆମାନେ ତା କଥାରେ ପୁଣି ବିଶ୍ୱାସ କରି ଗଲେ l ଯେମିତି କ୍ଷେତ ଭିତରକୁ ଗଲେ ସେମାନେ ଚାଷୀ ବିଛେଇ ଥିବା ଜାଲରେ ପଡିଗଲେ l ବିକଳ ହୋଇ କାନ୍ଦିଲେ ହେଲେ ଶୃଗାଳ ସେମାନଙ୍କ ପାଖକୁ ନ ଯାଇ ହେଟାବାଘକୁ ଡାକିବା ପାଇଁ ଚାଲିଗଲା l ଏଇ ସମୟରେ ନେଉଳ ତା ସାଙ୍ଗମାନଙ୍କୁ ନ ପାଇ ବ୍ୟସ୍ତ ହୋଇ ଖୋଜୁ ଖୋଜୁ ସେଠି ପହଞ୍ଚିଗଲା l ସେମାନେ ତାକୁ ଦେଖି କାନ୍ଦିଲେ l ନେଉଳ ତା ମୁନିଆ ଦାନ୍ତରେ ଜାଲଟିକୁ କାଟିଦେଲା l ହରିଣମାନେ ଖୁସିରେ ଜଙ୍ଗଲକୁ ପଳେଇଗଲେ l କିଛି ସମୟ ପରେ ଶୃଗାଳ ଶିକାର ଆଶାରେ ହେଟାକୁ ଡାକି ଆଣିଲା କିନ୍ତୁ ଏ କଣ ହରିଣ ଛୁଆମାନେ ଗଲେ କୁଆଡେ??? ହେଟା ତା କଥାକୁ ବିଶ୍ୱାସ କଲାନି l ମୋର ଏମିତି ମିଛୁଆ ବନ୍ଧୁ ଦରକାର ନାଇଁ l 

ସେପଟେ ନିଜେ ହରିଣ ଛୁଆଙ୍କ ବନ୍ଧୁତ୍ୱ ବି ହରାଇଲା l ସବୁ କଥା ହରିଣ ଛୁଆମାନେ ବାପା ମାଆକୁ ଜଣାଇଲେ l ଏ ସବୁ ଶୁଣି ନେଉଳକୁ ତା ବନ୍ଧୁତା ପାଇଁ ଖୁବ ପ୍ରଶଂସା କଲେ l ଆଉ କହିଲେ ବିଷ କୁମ୍ଭ ପୟୋ ମୁଖ ଥିଲା ଶୃଗାଳ l ସେଥିପାଇଁ ଅଚିହ୍ନା ଲୋକଙ୍କୁ ସାଙ୍ଗେ ସାଙ୍ଗେ ବିଶ୍ୱାସ କରିବା ଅନୁଚିତ l ତାର ସୁନ୍ଦର ସୁନ୍ଦର କଥାରେ ହରିଣ ଛୁଆମାନେ ତା ଛଳନା ପୂର୍ଣ୍ଣ ବନ୍ଧୁତାକୁ ବୁଝି ପାରିନଥିଲେ l 

(ସେଥିପାଇଁ ସଂସ୍କୃତରେ ଅଛି ଅଜ୍ଞାତ କୁଳଶୀଳସ୍ୟ ବାସୋନଦେୟଃ... ଅଜଣା ବନ୍ଧୁତାଠୁ ସବୁବେଳେ ଦୂରେଇ ରହିବା ଉଚିତ କାରଣ ଆମେ ଆମ ଶତ୍ରୁକୁ ଚିହ୍ନି ଥାଉ କିନ୍ତୁ ଅଜଣା ବନ୍ଧୁକୁ ଚିହିଁ ନ ଥାଉ )



Rate this content
Log in

Similar oriya story from Fantasy