ବିକ୍ରି ହୋଇଗଲା
ବିକ୍ରି ହୋଇଗଲା


ଯାତ୍ରା ଜଗତ ପ୍ରତି କାହିଁକି କେଜାଣି ବହୁତ ଦୁର୍ବଳତା ମୋର। ବିଶେଷ କରି ଯେଉଁ ଯାତ୍ରାରେ ଖଳନାୟକ ଦୈତାରୀ ପଣ୍ଡା। ସମସ୍ତେ ଅଳ୍ପ ବହୁତ ଅନୁଭବ କରିଥିବେ, କପିଳଶର୍ମାର ହାସ୍ୟ ରସାତ୍ମକ ବାକଚାତୁରୀ ଏକା ଉପଭୋଗ କରିବା ଅପେକ୍ଷା ସାଙ୍ଗ ସାଥି ଗହଣରେ ଦେଖିବାର ମଜା ଟିକେ ନିଆରା। ବୟସାଧିକ୍ୟ ହେବା ସାଙ୍ଗେ ସଙ୍ଗେ ଆଖିରୁ ନିଦ, ସ୍ୱପ୍ନ ସବୁ ହଜିଯାଏ ଅଜଣା ଦୁନିଆରେ।
ଛୁଆ ବଡ ହେଲା ପରେ ସଂସାର ମୋହ ଗରୀବ ସତୁରୀ ବର୍ଷ ବୃଦ୍ଧର ଭଙ୍ଗା ପାୱାର ଚଷମା ପରି ଲାଗେ। ମ୍ୟୁନିସିପାଲଟିର ଅବର୍ଜନା ଉଠା ଗାଡି ପରି ଦେଖନ୍ତି ସମସ୍ତେ। କିଛି ପରିସ୍ଥିତି ସହ ଖାପଖୁଆଇ ନିଜକୁ ସମ୍ଭାଳି ନିଅନ୍ତି। ମୋ ପରି କିଛି ସ୍ୱାଭିମାନୀ ମୁର୍ଖ ଛିଣ୍ଡା ଗୁଡିର ଲଟେଇ ପରି ଅଦରକାରୀ ଜୀବନର ସଠିକ ବିନିଯୋଗର ପ୍ରଚେଷ୍ଟାରେ ଆରମ୍ଭ କରନ୍ତି ଲେଖାଲେଖି। କହିବାର ତାତ୍ପର୍ଯ୍ୟ ମନୁଷ୍ଯ ଦୁଃଖର ପାହାଡ ଭିତରୁ ଔଷଧୀୟ ଦ୍ରବ୍ୟ ଅନ୍ୱେଷଣ କଲା ପରି ମୁଁ ବି ଖୋଜିବୁଲେ ଲେଖା ଓ ଲେଖନୀ ଭିତରେ ଶାନ୍ତିର ସଂଜୀବନୀ !
ହଠାତ ଚମକିଉଠି ମୁଣ୍ଡ ଟେକି ଅନେଇଲି। ଝିଅ କହୁଥିଲା, ପାପା, ଆଜିକାଲି କରୋନା ମହାମାରୀର ପ୍ରକୋପ ଯୋଗୁଁ ଅନଲାଇନ କ୍ଳାସ। ତାପରେ ଦିନସାରା କିଛି କାମ ନାହିଁ। ତମ ଲେଖାଗୁଡ଼ିକ ପଢୁଥିଲି। ମୋର ବି ଲେଖିବାରେ ଆଗ୍ରହ, ଗଳ୍ପଟିଏ ଲେଖିଛି, ଟିକେ ଭୁଲଠିକ କହିଦେଲେ ଅନଲାଇନରେ ପୋଷ୍ଟ କରିବି। ମନ ଏମିତି ଖୁସି ହୋଇଗଲା ଯେମିତି ବଙ୍ଗାଳି ଲୋକ ମିଠା ଖାଇବାକୁ ଖୁସି ହୁଅନ୍ତି। ଗଳ୍ପଟି ପଢିଲି, କିଛିଟା ବ୍ୟାକରଣ ଶୁଦ୍ଧି କରି କହିଲି ମାଆରେ, ବହୁତ ବଢିଆ ଲେଖିଛୁ ପୋଷ୍ଟ କରି ଦେ। ପ୍ରକୃତରେ ଲେଖାଟି ସେତେଟା ଭଲ ନଥିଲା। ମୁଁ କହିଲି ଝିଅ ଲେଖା ଦେବୁ କିନ୍ତୁ ନିଜ ଫଟୋ ଦେବୁ ନାହିଁ। ଝିଅ କହିଲା, ମୁଁ ଜାଣେ ପାପା, ସେମିତି କରିବିନି ସେମିତି କଲେ ବହୁତ ଅଛନ୍ତି ଯିଏକି ସାହିତ୍ୟ ଅପେକ୍ଷା ମୋର ମୁହଁ ଓ ଶରୀରକୁ ପଢି ଅଧିକ ଲାଇକ ଓ କମେଣ୍ଟ ଦେବେ। ସେମିତି କଲେ ମୋତେ ଲାଗିବ " ବିକି ହୋଇଗଲା ସାହିତ୍ୟ ଅଶ୍ଳିଳତାର ବଡଦାଣ୍ଡରେ।
ବାଃ ଝିଅର ଉଚ୍ଚବିଚାରରେ ମନଟା ପ୍ରଫୁଲ୍ଲିତ ହୋଇ ଉଠିଲା। କହିଲି ସାବାସ୍ ଝିଅ। ଜାଣିଛୁ, ଏମିତି କେତେଜଣକୁ କହିଛି କିନ୍ତୁ ସବୁଠି ସମାଲୋଚନାର ତୀରରେ ଶରବ୍ୟ ହୋଇ ପଡିରହିଛି ସାହିତ୍ୟର ଶରଶଯ୍ୟାରେ ଠିକ ଯେମିତି ପିତାମହ ଭିଷ୍ମ। ମୋଠାରୁ କିଛିଟା ଜ୍ଞାନ ଆହରଣ କଲାପରେ ମୋତେ ଉପଦେଶ ଦିଅନ୍ତି, ଆପଣଙ୍କ ଶବ୍ଦ ସଂଯୋଜନା ସୁନ୍ଦର କିନ୍ତୁ ଏକବିଂଶ ଶତାବ୍ଦୀ ପ୍ରଚାର ପ୍ରସାରର ଯୁଗ। ଦେଇଥିଲେ ପାଇ, ବୁଣିଥିଲେ ଦାଇ। ମାନେ ଆପଣ କାହା ଲେଖାରେ ଭଲ ମତାମତ ନଦେଲେ ଆପଣଙ୍କୁ କିଏ ଦେବ। ଏଇଠି କାହା ପାଖରେ ସମୟ ଅଛି ଶୁଖିଲା ସାହିତ୍ୟ ପଢିବ? ଆଜିକାଲି ପ୍ରେମ ଓ ମସଲାର ତଡକା ହିଁ ଚାଲେ। ଯାହାହେଉ ତୁ ଠିକ ସାହିତ୍ୟର ମର୍ମ ବୁଝିଲୁ।
କିଛିଦିନ ପରେ......
ଲକ୍ଷ୍ୟ କଲି ଝିଅ ସମସ୍ତଙ୍କ ଗଳ୍ପରେ ଭଲ ମତାମତ ଦେଉଛି। ଝିଅକୁ କାରଣ ପଚାରିବସିଲି। ହସି ଉଠିଲା ସେ। ଗଳ୍ପରେ ପଢିଥିବା ଖରାଦିନେ ତ୍ରୁଷାର୍ତ୍ତ କାକଟି ପାଣିଗରାକୁ ଅନେଇ ରହିଥିବା ପରି ଅନେଇ ରହିଥିଲି ଝିଅର ମୁହଁକୁ।ହସି ହସି ଉତ୍ତର ଦେଲା, ପାପା ବହୁତ ଅନୁସନ୍ଧାନ କଲି। ତମ ଲିଖିତ ଗଳ୍ପ ପରି ମୋ ଲିଖିତ ଗଳ୍ପର ବି ଚାହିଦା ନାହିଁ। ଖୋଜିବସିଲି କାରଣ। ସମସ୍ତଙ୍କ ଗଳ୍ପରେ ମତାମତ ଦେଇଚାଲିଲି, ପ୍ରତିବଦଳରେ ଛୁଟିଚାଲିଛି ଶୁଭେଚ୍ଛାର ସୁଅ। ଝିଅର ମନରେ ଖୁସିର ଲହରୀ, ଠିକ ଯେମିତି ମନ୍ଦିର ବାହାରେ ଦୁଇଦିନର ଓପାସରେ ଥିବା ଭିକାରୀଟିକୁ କିଏ ପୋଚକା ପାଚିଲା କଦଳୀ ଦୁଇଟି ଦାନ କରିବା ଦେଖି ତା ଚକ୍ଷୁରେ ବଞ୍ଚିଯିବାର ଆଶାର ଉଦ୍ରେକ।
କିଛି ଦିନ ପରେ......
ଝିଅ କହିଲା ଜାଣିଛ ପାପା, ତମେ ଛଅ ମାସ ହେବ ଲେଖି ଯେତିକି ସଫଳତା ସାଉଁଟି ପାରିନାହଁ ମୁଁ ପଚିଶ ଦିନରେ ତାଠାରୁ ବହୁତ ଆଗରେ। ମୋର ଅସଂଖ୍ଯ ଅନୁଗାମୀ। ଯାହାହେଉ ତମର ଦିଗଦର୍ଶନରେ ଆଜି ମୁଁ ଲେଖା ଜଗତରେ ଶୀର୍ଷରେ। ତମେ ସାହିତ୍ୟ ସାଧନା, ଶବ୍ଦ ସମାହାର, କଠିନ ଶବ୍ଦ ବ୍ୟବହାର କହିକହି ମୋଠାରୁ ସାତପଛରେ। ଲକ୍ଷ୍ୟ କରୁଥିଲି ଝିଅର ଖୁସି, ଅନିଲ ଅମ୍ୱାନୀ ନୂତନ ହେଲିକେପ୍ଟର କିଣି ତାକୁ ଦେଖି ଖୁସି ହେଲାପରି ମୁଖମଣ୍ଡଳ ଝିଅର। ଜାଣିବାକୁ ପାଇଲି ଝିଅର ଅନୁଗାମୀ ଅସଂଖ୍ଯ। କିଛି କହିବାର ଯୁ ନଥିଲା। ବଢିଲା ଝିଅ, ଉଚ୍ଚ ଶିକ୍ଷିତା ତା ପୁଣି ଏକବିଂଶ ଶତାବ୍ଦୀର।
ଅଭିଜ୍ଞ ସାହିତ୍ୟିକା ପରି ବହୁ ଲେଖକ ଲେଖିକାଙ୍କୁ ଉପଦେଶ ଦେଇ ଗର୍ବ ଅନୁଭବ କରୁଥିଲା ଓ ବେଳେ ବେଳେ ଅଶ୍ଳିଳ ମନ୍ତବ୍ଯ ଦେଖିଲେ ଆଡେଇ ଯାଉଥିଲା।କିଛିଦିନ ପରେ ହଠାତ ମୁଁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଆଡମିସନ ନେଲି। ଝିଅ ବାହାରେ ଥିଲା। ଖବର ଦେଲା ମାଆ, ବ୍ୟସ୍ତ ହୁଅନାହିଁ ବାପାଙ୍କ ଚିକିତ୍ସା ବହୁତ ଭଲରେ ହେବ, ମୋର ସାହିତ୍ୟାନୁରାଗୀ ଅନୁଗାମୀ ଅସଂଖ୍ଯ। ମୁଁ ସମସ୍ତଙ୍କୁ ଜଣାଇ ସାରିଛି। ସମସ୍ତେ ଡାକ୍ତରଖାନାରେ ପହଞ୍ଚିଯିବେ, ବ୍ୟସ୍ତ ହେବନାହିଁ। ଅର୍ଦ୍ଧଚେତନ ଅବସ୍ଥାରେ ସ୍ତ୍ରୀ ମୋ କାନରେ ସେହି କଥା ବର୍ଣ୍ଣନା କରୁଥିଲେ।
ମୁଁ କ୍ଷୀଣ କଣ୍ଠରେ କହୁଥିଲି:::
ଅନ୍ଧ ଦେଶକୁ ଗଲି ଦର୍ପଣ ବିକି,
କନ୍ଧ ହାତରେ ଦେଲି ଗୋଦାନ ଟେକି,
ଜଡା ମଧୁରେ କଲି ଖଡା ରନ୍ଧନ,
କାମୁଡା ଘୋଡା ମୁଖେ ଦେଲି ଚୁମ୍ବନ।
ହେ ରାଜା!! କି କଲ, ବିଷ୍ଣୁପ୍ରତିମାକୁ ତଳେ ଥୋଇଲ ।।
କଣ ଯେ କହୁଛ, କିଛି ବୁଝି ହେଉନି ତମ ସାହିତ୍ୟ କହୁଥିଲେ ପତ୍ନୀ। ହଠାତ ଅପରେସନ ଦରକାର କହିଲେ ।ବ୍ୟସ୍ତ ହୋଇପଡିଲେ ସମସ୍ତେ। ହଠାତ ଜଣେ ଧନାଢ୍ଯ ଭଦ୍ରବ୍ୟକ୍ତିଙ୍କର ଆବିର୍ଭାବ ହେଲା ଓ ତାଙ୍କରି ସାହାଯ୍ଯରେ ଅପରେସନ ସରିଲା। ଝିଅ ବି ପହଞ୍ଚିସାରିଥିଲା। ମୋତେ କୁଣ୍ଢେଇ ଧରିଥିଲା ଓ କଇଁ କଇଁ କାନ୍ଦୁଥିଲା। ତାକୁ ସାନ୍ତ୍ୱନା ଦେଇ ପଚାରିଲି, ଝିଅ ମୁଁ ଠିକ ଅଛି ତୁ କାନ୍ଦୁଛୁ କାହିଁକି ? ଝିଅ କହିଲା, ପାପା, ତମର ହାତ ଗଣତି ସାହିତ୍ୟାନୁରାଗୀ ତଥାପି ତାଙ୍କରି ଭିତରୁ ଜଣେ ଆସି ଏହି ଅସମୟରେ ତମକୁ ସାହାଯ୍ଯ କଲେ କିନ୍ତୁ ମୋର ଏତେ ଅନୁଗାମୀ ଓ ସେମାନଙ୍କ ଉତ୍ତର ଦେଖ କହି ଦେଖାଇଲା ମୋବାଇଲ। ଅସଂଖ୍ଯ ମେସେଜ, "ଶୀଘ୍ର ଆରୋଗ୍ଯ କାମନା କରୁଛୁ ,ନିଜର ଓ ବାପାଙ୍କ ଧ୍ୟାନ ନିଅନ୍ତୁ ଇତ୍ୟାଦିର ଲମ୍ୱା ତାଲିକା।
ସ୍ମିତ ହସିଲି ମୁଁ ଓ ଧିରେ କହିଲି, ବିକ୍ରି କରିଦେଲୁ ସାହିତ୍ୟ ମିଛର ପ୍ରୁଷ୍ଠଭୁମିରେ। ଝିଅ କହିଲା, ପାପା, ତମକୁ ଏମିତି କେହି କିଛି କହି ନାହାନ୍ତି? ତମେ ତ ସୁନ୍ଦର ଚେହେରା ଓ ଫଟୋ ବି ରଖିଛ। ହସି ହସି ମୁଁ କହିଲି ଆସିଛି କିଛିଟା ଭଉଣୀ, କିଛିଟା ଅଙ୍କଲ, କିଛିଟା ସାର୍ ରେ ମୋର ଅନୁଗାମୀ ସୀମିତ, କାରଣ ସାହିତ୍ୟ ଆଳରେ ମୁଁ ବିକ୍ରି କରିନାହିଁ ସ୍ୱାଭିମାନ।
ହଠାତ ଝିଅ ମୋବାଇଲର ମେସେଜଟିଏ ଦେଖିବାକୁ ଦେଲା। ଜାଣିପାରିଲି ବ୍ୟକ୍ତିଜଣକ ଷାଠିଏ ବର୍ଷର ବୃଦ୍ଧ। ସେ ଲେଖିଥିଲେ, ଡାର୍ଲିଙ୍ଗ, ମୁଁ ଆପଣଙ୍କ ସହରର। ଆଗରୁ ବହୁତ ମେସେଜର ଉତ୍ତର ଆପଣ ଦେଇନାହାନ୍ତି। ଆପଣଙ୍କ ରେଖାଆଳରେ ମୁଁ ଆପଣଙ୍କ ଜଣେ ପ୍ରଶଂସକ। ସବୁବେଳେ ଆପଣ ବ୍ୟସ୍ତ କହି ଉତ୍ତର ଦିଅନ୍ତି, ହେଲେ ବର୍ତ୍ତମାନ ବାପା ଅସୁସ୍ଥ, ଆଶୁ ଆରୋଗ୍ଯ କାମନା କରୁଛି। ଦ୍ୱିତୀୟତଃ ଆଜି ଘଣ୍ଟେ, ଦୁଇଘଣ୍ଟା ଈନ୍ଦିରାଗାନ୍ଧୀ ପାର୍କକୁ ଆସନ୍ତୁ। ଆପଣଙ୍କ ଅନୁଗାମୀଙ୍କ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ଯ କରିବା ସହ ଆପଣଙ୍କ ନାଆଁ ସାହିତ୍ୟାକାଶର ଶୀର୍ଷରେ ପହଞ୍ଚାଇବାରେ ସହାୟ ହେବି। ଝିଅ କହୁଥିଲା ଶଳା ବୁଢା!! ହସୁଥିଲି ମୁଁ, ଗୋଡଛୁଇଁ ମୁଣ୍ଡିଆ ମାରିଲା ବେଳେ ଝିଅ କହୁଥିଲା, ପାପା, ବିକ୍ରି ହୋଇଯାଇଥିଲା ସାହିତ୍ୟ !! ଆଉ ନୁହେଁ, ଏ ମିଛ ପ୍ରହେଳିକା, ମିଛ ଅନୁଗାମୀ। ପ୍ରକୃତରେ ବିକ୍ରି ହେବ ନାହିଁ ସାହିତ୍ୟ !!