Banabihari Mishra

Abstract

4.0  

Banabihari Mishra

Abstract

ଭରସା

ଭରସା

12 mins
190


ଅଘାସୁର ଭଳିଆ ଚେହେରା ତା'ର। ଶାଳଗଜା ପରି ବାହା, ଖୁମ୍ବ ଭଳିଆ ଗୋଡ ଆଉ କବାଟ ଫାଳ ପରିକା ଛାତି। ଖୁବ୍ ଡେଙ୍ଗା ମଣିଷଟା। ହେଲେ ତ୍ରିପଣ୍ଡ କଳା। ଜହ୍ନି ମଞ୍ଜିଠାରୁ ବି ଅଧିକ କଳା। ମୋତେ ଲାଗେ ଯେମିତି ସିଏ କଳାରଙ୍ଗ ଜହପାକରି ବୋଳି ହେଇଛି। କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହୁଏ, ଯଦି କେହି କଳା ରଙ୍ଗ ବୋଳି ହେଇଛି, ତେବେ ତା ହାତକଟା ନାଲିଆ ଫତେଇଟାରେ ଲାଗୁନି କେମିତି। ମୋ ଛୋଟିଆ ମୁଣ୍ଡରେ ବିଶ୍ୱାସ କରିବାକୁ ବାଧ୍ୟ ହୁଏ ଯେ ଏଇଟା ତାର ସତସତିକା ଦେହର ରଙ୍ଗ। ସେତେବେଳେ ମୋତେ ନଅ କି ଦଶ ବର୍ଷ। ଗାଁରେ ବାକି ସବୁପିଲା ତାକୁ ଡରୁଥିଲା ବେଳେ ମୁଁ କିନ୍ତୁ ଡରେନି। ବରଂ ତା ସାଙ୍ଗରେ କଥା ହୁଏ। ମାଆ କେବେ କେମିତି ନିଜେ ନିଜେ ଚାଉଳ କି ପଇସା ଦିଏ, ଯେଉଁଦିନ ନଦିଏ, ସେଦିନ ମୁଁ ଯିଦି କରି ମାଗେ। ମାଆ ଯାହା କିଛି ଦିଏ ମୁଁ ହିଁ ତାକୁ ନେଇ ଦିଏ। ସିଏ ଜାତିରେ କୁଆଡେ ସବାଖିଆ କେଳା। ସେମାନେ କାଳେ ସବୁ ଜୀବଙ୍କର ମାଉଁସ ଖାଆନ୍ତି। ସେଇଥିପାଇଁ ସେମାନେ ଅସ୍ପୃଶ୍ୟ। ଆମେ ଶାସନୀ ବ୍ରାହ୍ମଣ। ସେଇଥିପାଇଁ ତାକୁ ଛୁଇଁବା ମନା। ଛୁଇଁଲେ କୁଆଡେ ପେଣ୍ଟସାର୍ଟ ମାରା ହୁଏ। ବାହାରେ ଲଙ୍ଗଳା ହେଇ ପେଣ୍ଟସାର୍ଟ ପାଣିରେ ଭିଜେଇ ଦେଲେ ପୁଣି ସେଗୁଡା ପବିତ୍ର ହେଇଯାଏ। ଏସବୁର କୌଣସି ଯୌକ୍ତିକତା ମୋ ମୁଣ୍ଡକୁ ଯୁଟେନି। କିନ୍ତୁ ଖାଲି ମାଆ ଯଦି କୁହନ୍ତା ତେବେ ମୁଁ କଥାଟାକୁ ହେୟଜ୍ଞାନ କରିଦିଅନ୍ତି, କିନ୍ତୁ ମୋ ବୁଢାବାପା ଠିକ୍ ସେଇକଥା କୁହନ୍ତି। "ଛୁଇଁଲେ ଛୁଅନ୍ତା, ଶଳା ସବାଖିଆ କେଳାଗୁଡାକ। ନିହାତି ମ୍ଳେଛ, ଅଚ୍ଛବ। ଯାହା ମିଳିବ ଗିଳି ପକେଇବେ। ନା ଅଛି ଖାଦ୍ୟର ପବିତ୍ରତା ନା ଶରୀରର ଶୁଦ୍ଧତା।" ମୋତେ ଆକଟ କରି କୁହନ୍ତି, "ସେଟାକୁ ଜମାରୁ ଛୁଇଁବୁନି। ସିଏ ଗୁଣିଗାରେଡି ଜାଣିଛି। ମନ୍ତ୍ର କରିଦବ। ହଗରା ବାଣ ପେଶିଦବ ଯେ ହଗି ହୋଉଥିବୁ। ସେମାନଙ୍କ ପାଖ ମାଡିବୁନି।"

ମୁଁ କିନ୍ତୁ ଶୁଣେନା। ପିଲାବେଳରୁ ମୋର ଗୋଟେ ପ୍ରକୃତି, କୌଣସି କଥାର ଯଥାଯଥ ଯୁକ୍ତି ନ ପାଇଲେ ତାକୁ ସହଜରେ ଗ୍ରହଣ କରେନି। ଅବଶ୍ୟ ଏଇଭଳି କଥାଗୁଡିକ ପରବର୍ତ୍ତୀ ସମୟରେ ଗୁଣିଗାରେଡି ମନ୍ତ୍ରତନ୍ତ୍ର ବିଷୟରେ ସବିଶେଷ ଜାଣିବା ପାଇଁ ମୋତେ ପ୍ରୋତ୍ସାହିତ କରିଥିଲା ଆଉ ସେଇଥିପାଇଁ ମୁଁ ଓଡ଼ିଶାର ଅନେକ ମନ୍ତ୍ରତନ୍ତ୍ର ବିଶାରଦଙ୍କୁ ଭେଟିଥିଲି। କିନ୍ତୁ କୌଣସି ପ୍ରମାଣିତ ତଥ୍ୟ ପାଇ ନଥିଲି।

ଛାଡନ୍ତୁ ସେକଥା, ଆମର ମୂଳ ବିଷୟବସ୍ତୁଠାରୁ ଏହା ଆମକୁ ଦୂରକୁ ନେଇଯିବ। ଆମେ ବର୍ତ୍ତମାନ ତା'ର ନାମକରଣ କରିବା। ଖାଲି ମୁଁ ନୁହେଁ, ଆମ ଗାଁର କୌଣସି ଲୋକ ବି ଉପର ବର୍ଣ୍ଣିତ ଚରିତ୍ରର ନାଁ ଜାଣନ୍ତି ନାହିଁ। କିନ୍ତୁ ବିନା ନାଁରେ ଏ ବିଷୟର ଅବତାରଣା କଲେ କୋଉଠି ନା କୋଉଠି ଅଭାବ ରହିଯିବ। ସେଇ ଅଭାବବୋଧକୁ ଦୂର କରିବା ପାଇଁ ତା'ର ନାଁ କୁମ୍ଭକର୍ଣ୍ଣ ରଖିବା। ବର୍ଣ୍ଣ କଳା ହେଲେ କ'ଣ ହେଲା, କୁମ୍ଭକର୍ଣ୍ଣର ଗଢଣ ଏତେଟା ଖରାପ ନୁହେଁ। ସାହିତ୍ୟିକ ଭାଷାରେ କହିଲେ ଭୀମକାନ୍ତ ଚେହେରା। ହାତରେ ଗୋଟେ ଲୁହାର ମୋଟା ବଳା। ଧରିଥିବା ଲୁହାର ଛୋଟିଆ କଟୁରୀକୁ ହଲେଇ ହଲେଇ ଟଂ ଟଂ ଶବ୍ଦ କରୁଥାଏ। ସେ ଏକ ବିଶେଷ ଧରଣର ଶବ୍ଦ। ସେଇ ଶବ୍ଦ ମୋତେ କାହିଁକି କେଜାଣି ଆକର୍ଷିତ କରେ। ତାର ସ୍ବର। ଠକ୍ ଠକ୍ ହେଇ କାନରେ ବାଜେ। ସ୍ପଷ୍ଟ ଉଚ୍ଚାରଣ ସତ୍ତ୍ୱେ ତା ଗୀତର କାହାରି ପକ୍ଷରେ ଅର୍ଥ ବୁଝିବା ସମ୍ଭବ ହୁଏନାହିଁ। ଛନ୍ଦ, ଯତିପାତ ସବୁ ଠିକଠାକ୍। ତଥାପି ଗୀତ ଅବୁଝା। କ'ଣ ସେ ଗୀତର ଅର୍ଥ ମୋ ଛୋଟ ମୁଣ୍ଡରେ ପଶେନା। ବୋଧହୁଏ କୌଣସି ଆଦିବାସୀ ଭାଷା କିମ୍ବା ଦକ୍ଷିଣ ଭାରତୀୟ ଭାଷା। ସେ ଗୀତର ଅର୍ଥ ବୁଝିବା ପାଇଁ କେବେ କେହି କେବେ ଚେଷ୍ଟା କରି ନାହାନ୍ତି।

ସେଦିନ ଥାଏ ରବିବାର। ଖରାଦିନ ଆଉ ଖରାବେଳ। ଦୁଷ୍ଟାମୀ କରିବା ପାଇଁ ଅତ୍ୟନ୍ତ ପ୍ରକୃଷ୍ଟ ସମୟ। କେହି ଆକଟ କରିବା ପାଇଁ ନଥିବେ। ସମସ୍ତେ ଯେ ଯୁଆଡେ ବିଶ୍ରାମ କରୁଥିବେ। ଏତିକିବେଳେ ସମସ୍ତଙ୍କ ଅଗୋଚରରେ ମୁଁ ଚାଲିଲି ସେଇ କୁମ୍ଭକର୍ଣ୍ଣ ରହୁଥିବା ଆମ୍ବତୋଟା ଆଡେ। ଗାଁ ବାହାରେ ବେଶ୍ କିଛି ଦୂରରେ ଆମ୍ବତୋଟା। ସେମାନେ ଅଚ୍ଛବ, ଗାଁ ପାଖାପାଖି ତମ୍ବୁ ପକେଇବା ସେମାନଙ୍କ ପାଇଁ ମନା। ତ'ଛଡା ସେମାନେ ପଲେ ଘୁଷୁରୀ ପାଳିଥାଆନ୍ତି। ଘୁଷୁରୀଗୁଡା ଭାରି ଅସନା କରନ୍ତି। ମଇଳା ଖାଆନ୍ତି ଆଉ ସେଗୁଡା ତାଙ୍କ ଦେହ ମଇଳାରେ ଲୋଟାନ୍ତି। ସେଥିପାଇଁ ଭାରି ଦୁର୍ଗନ୍ଧ ହୁଏ। ତଥାପି ସେଇ ଘୁଷୁରୀ ସେମାନଙ୍କର ଏକମାତ୍ର ଆୟର ପନ୍ଥା। ଘୁଷୁରୀ ମାଂସ ଆଉ ଘୁଷୁରୀ ତେଲ ବିକ୍ରି କରି ଆଉ ମାଗିଯାଚି ଯାହା ଯେମିତି ମିଳେ ସେତିକି ତାଙ୍କର ସମ୍ବଳ। ଗାଁ ଗହଳିରେ ଗୋସମ୍ପଦର ସ୍ବାସ୍ଥ୍ୟର ଉନ୍ନତି ପାଇଁ ଗାଈଗୋରୁ ମାନଙ୍କୁ ଘୁଷୁରୀ ତେଲ ଖୁଆଯାଏ। ହାଟରେ ଅତ୍ୟନ୍ତ ଗରିବ ଲୋକମାନେ ଘୁଷୁରୀ ମାଂସ କିଣି ଖାଇଥାଆନ୍ତି।ସେଦିନ ରବିବାର ହାଟ। ମୁଁ ପହଞ୍ଚିଲା ବେଳକୁ କୁମ୍ଭକର୍ଣ୍ଣର ସ୍ତ୍ରୀ ଗୋଟେ ଘୁଷୁରୀ ମାରି ତାକୁ କଟାକଟି କରୁଛି। କୁମ୍ଭକର୍ଣ୍ଣ ଆଉ ଗୋଟେ ଝିଅ ଖାଉଛନ୍ତି। ଅନୁମାନ କଲି, ଇଏ କୁମ୍ଭକର୍ଣ୍ଣର ଝିଅ ନିଶ୍ଚିତ। ତ୍ରିପଣ୍ଡ କଳା। ତଥାପି ଗଢଣ ସୁନ୍ଦର। ଚକା କାଟିଦେଲା ପରି ମୁହଁ, ଡଉଲ ଡାଉଲ ଚେହେରା। ବୟସ ପ୍ରାୟ ନଅ କି ଦଶ। କସ୍ତା ଶାଢୀ ଖଣ୍ଡେ ପିନ୍ଧି ନିଜ ବୟସଠାରୁ ଯଥେଷ୍ଟ ଅଧିକ ବୟସ୍କା ଲାଗୁଥିଲା। ଏମିତି ଲାଗୁଥିଲା, ଯେମିତି ମେଢ, ଅଳଙ୍କାର ଆଉ ସାଜସଜ୍ଜା ବିନା ମାଆ କାଳୀ।

ସେତିକିବେଳେ। କୁମ୍ଭକର୍ଣ୍ଣର ସ୍ତ୍ରୀ ଗୋଟେ ବଡ ଡେକଚିରେ ଘୁଷୁରୀ ମାଂସ ଆଣି ଆସିଲା। ଓଃ, କି ଭୟଙ୍କର ଚେହେରା! ଦେଖିଲା ଲୋକ ଭେଟଣା ହେଇଯିବ। ବିରାଟ ବପୁ, କଳା ବିଟିବିଟି ରଙ୍ଗ ସାଙ୍ଗକୁ ଏତେବଡ ଜାଗୁଲି ମୁହଁ। ମୁହଁସାରା ବସନ୍ତ ଦାଗ। ବିଦାଦାନ୍ତ ଭଳିଆ ଚାରିଟା ଦାନ୍ତ ବାହାରକୁ ବାହାରିଛି। ହସୁଛି କି କାନ୍ଦୁଛି ଜଣା ପଡିବନି। ସେମାନେ ତାଙ୍କ ଧନ୍ଦାରେ ବ୍ୟସ୍ତ। ମୁଁ ଯେମିତି ସେମାନଙ୍କ ମଧ୍ୟରେ ଅପାଙକ୍ତେୟ ଅଦରକାରୀ। ତଥାପି ସାହସ ଜୁଟେଇ ପାଖକୁ ଗଲି। କୁମ୍ଭ ମୋତେ ଦେଖି ତା ସ୍ତ୍ରୀକୁ କିଛି କହିଲା। ଏତେ ଦୂରରୁ ଶୁଣିବା ସହଜ ନଥିଲା କି ତାଙ୍କ ଭାଷା ମୋ ବୁଝିବା କ୍ଷମତା ବାହାରେ ଥିଲା। ସେମାନଙ୍କ କଥାଗୁଡା ଯେମିତି ମୋ ମୁଣ୍ଡର ଛଅ ଇଞ୍ଚ ଉପରେ। ସେତେବେଳେ କ'ଣ କହିଲା ସେକଥା ଏତେଗୁଡେ ବର୍ଷ ପରେ ମନେପକାଇବା ସମ୍ଭବ ନୁହେଁ। ତଥାପି 'ବାବୁ ଘର ପୁଅ ଆସିଛି' କହିଲା ବୋଲି ଧାରଣା ହେଲା। ଖଣ୍ଡିଆ ଖଣ୍ଡିଆ ଓଡିଆରେ କୁମ୍ଭ ମୋତେ ପାଖକୁ ଡାକିଲା। "ବାବୁ, ଆମେ ଗରିବ। ତୋତେ କ'ଣ ଦେଇପାରିବୁ? ଆମର ଘରେ ତୁ ଖାଇବୁନି। କାଲି ଦି'ଟା କାବତ ଫାଶରେ ପଡିଥିଲା। ସେଇଆକୁ ଆଜି ଚଳେଇ ନେଲୁ। କାଲି କଥା ପୁଣି କାଲିକି। ସିଏ ପାଟି ପେଟ ଦେଇଛି ତ ହାତ ବି ଦେଇଛି। ଯାହା ମିଳିବ ଦେଖିବା। ଆମେ କେଳାଜାତି କେବେ ସଞ୍ଚିକି ରଖୁନା। ଯଦି କିଛି ନମିଳେ ତେବେ ଗାଁରେ ବାବୁଘର ଅଛନ୍ତି। ମାଗିଯାଚି ଚଳେଇ ନବା।" ତା ବଙ୍କା ବଙ୍କା ଓଡ଼ିଆ ଭାରି ମଜା ଲାଗୁଥିଲା। ସେତେବେଳେ ମୋ ଛୋଟ ମୁଣ୍ଡରେ ଏ ଜୀବନ ଦର୍ଶନ ସବୁ ପଶୁ ନଥିଲା। ଏବେ ଜାଣୁଛି, ଶିକ୍ଷାଦୀକ୍ଷା ନଥିଲେ ବି କେତେ ସୁନ୍ଦର ଚିନ୍ତାଧାରା। ସତରେ, ଜୀବନରେ କାଲିଟାକୁ କିଏ ବା ଦେଖିଛି?

ମୁଁ ଏପର୍ଯ୍ୟନ୍ତ ଚୁପଚାପ ଶୁଣୁଥିଲି। ପଚାରିଲି, 'ତୁମେ ଗୁଣି ଜାଣିଛ ପରା। ମୋତେ ଶିଖେଇ ଦେବ?' କୁମ୍ଭ ଠୋ ଠୋ ହେଇ ହସିଲା। କହିଲା, 'ଏ ସବୁ ମିଛ କଥା। ଗୁଣିଗାରେଡି କିଛି ନାହିଁ। ସବୁ ମଣିଷକୁ ଭୂଆଁ ବୁଲେଇ ଭଣ୍ଡିବା କଥା। ତଥାପି ଅଣ୍ଟାରେ ପଇସା ନଥିଲେ ମଣିଷ ଏଇସବୁ କଥାକୁ ଆଶ୍ରା କରେ। ସେଇ ଗୁଣି ଝଡାଫୁଙ୍କା ଉପରେ ଆସ୍ଥା ଜମେଇ ଥାଏ। ଯଦି ଭାଗ୍ୟରେ ଥାଏ ତେବେ ଭଲ ହେଇଯାଏ। ସେଇଥିରେ ତା'ର ଗୁଣିଗାରେଡି ଉପରେ ବିଶ୍ୱାସ ଆହୁରି ଦୃଢ ହେଇଯାଏ। ସିଏ ସେଇ ଗୁଣିଆକୁ ଭଗବାନ ଭଳି ମାନେ। ତା'ର ପ୍ରଚାର କରେ। ଆଉ ଏଇ ଘାଆ ଧରିବା, ପାଙ୍ଗିବା, ବାଣ ପେଶିବା, ସବୁ ମଣିଷର ଡର ଆଉ ସନ୍ଦେହରୁ ତିଆରି। ସବୁ ମିଛ। ସେମିତି ଯଦି ହୋଉଥାଆନ୍ତା ତେବେ ଏତେ ସୈନ୍ୟ, ପୁଲିସ ଆଦି ସରକାର ପାଳନ୍ତେ କାହିଁକି?" ମୋ ଉତ୍ତର ମୁଁ ଏବେ ପାଇଯାଇଥିଲି। ତଥାପି ଗୋଟିଏ ମନ୍ତ୍ର କହିବା ପାଇଁ ପୁଣି କହିଲି। ସେଇଠୁ କୁମ୍ଭ କ'ଣ ଗୁଡେ ବିଡ୍ ବିଡ୍ ହେଲା। ସେଥିରୁ ମୁଁ ଖାଲି 'ରାଇଜେରା' ବୋଲି ଗୋଟିଏ ଶବ୍ଦ ମନେରଖିପାରିଲି। ଏଇଟା କୁଆଡେ ସାପ ଡାକିବା ମନ୍ତ୍ର। 

ସମୟ ହେଇଯାଉଥିଲା। ଖରାବେଳର ବିଶ୍ରାମ ସାରି ସମସ୍ତେ ଘରେ ଉଠି ପଡିବେ। ମୁଁ ସବାଖିଆ କେଳା କୁମ୍ଭ ପାଖକୁ ଆସିଥିବା ଜାଣିଲେ ପେଣ୍ଟସାର୍ଟ ଧୁଆ ତ ହେବ ନିଶ୍ଚିତ, ତା'ଛଡା ଚହଟ ଚଟକଣା ପଡିବାର ସମ୍ଭାବନାକୁ ଏଡେଇ ଦିଆଯାଇ ନପାରେ। ଅଗତ୍ୟା ଫେରିବା ପାଇଁ ବାଧ୍ୟ ହେଲି।

ତା'ପରଠାରୁ ମୁଁ ଅନେକ ଥର କୁମ୍ଭ ପାଖକୁ ଯାଇଛି। ବୟସ ବଢିବା ସଙ୍ଗେ ସଙ୍ଗେ ଅସ୍ତ କୈଶୋର ଆଉ ତାରୁଣ୍ୟର ଅୟମାରମ୍ଭ ସମୟ ପର୍ଯ୍ୟନ୍ତ ମୁଁ ରୀତିମତ କୁମ୍ଭର ସେଇ ଜରିପାଲଟଣା ଘରକୁ ଯାଏ। ସେତେବେଳକୁ ସ୍ବାଭାବିକ ଭାବରେ ତାରୁଣ୍ୟର ତାଡନାରେ ଆଦ୍ୟ ଯୌବନରେ ଉପନୀତା କୁମ୍ଭର ଝିଅ ପଦ୍ମା ପାଇଁ ମନ ଭିତରେ ଗୋଟେ କେମିତି କେମିତି ଭାବ ଆସୁଥାଏ। ମୋତେ ଚାହିଁ ତା'ର ମୁରୁକି ମୁରୁକି ହସ, କଳକଳ ବୋହି ଯାଉଥିବା ଝରଣା ପରି କଥା, ଛନ୍ଦାୟିତ ଚାଲି, ସବୁକିଛି ଆକୃଷ୍ଟ କରେ। ଯୌବନେ ମର୍କଟୀ ରମ୍ଭା ନ୍ୟାୟରେ ତା'ର ସବୁକିଛି ଆକର୍ଷଣୀୟ ଲାଗେ।

ୟା ଭିତରେ ଅନେକ ବର୍ଷ ବିତି ଯାଇଛି। ସମୟ ସହ ତାଳ ଦେଇ ମୋର ବୟସ ମଧ୍ୟ ଦି'କୋଡି ପାର କରିଗଲାଣି। କର୍ମସଂସ୍ଥାନର ଚାପ ଆଉ ସଂସାରର ବୋଝ ମୁଣ୍ଡେଇ ଅନେକ ସ୍ମୃତି ବିସ୍ମୃତିର ଗର୍ଭରେ ଲୀନ ହେଇ ଯାଇଥିଲେ ମଧ୍ୟ କୁମ୍ଭକର୍ଣ୍ଣର ଚେହେରା ମୋର ସ୍ପଷ୍ଟ ମନେଥାଏ। ବେଳେବେଳେ ସମୟ ସୁବିଧା ଦେଖି ଗାଁକୁ ଆସିଲେ କଥାଛଳରେ ମୁଁ ପଚାରି ବସେ କୁମ୍ଭକର୍ଣ୍ଣ ବିଷୟରେ। ସବୁବେଳେ କିନ୍ତୁ ଉତ୍ତର ନକାରାତ୍ମକ। 'ଜଣାନାହିଁ'। ଥରେ ଆମ ପାଖ ଗାଁର ଜଣେ ବୁଲା ବେପାରୀ ପାଖରୁ କୁମ୍ଭ ସମ୍ପର୍କରେ ଖବର ପାଇଲି। ମାଇପ ମଲାପରେ ସିଏ କାଳେ ତା ନିଜ ଝିଅକୁ ରଖିଛି। ତା' ଗୋଟେ ପୁଅ ଅଛି। କଥାଟା ଶୁଣିବା ପାଇଁ ଯେତିକି ଖରାପ ଲାଗୁଥିଲା ସେତିକି ଆଶ୍ଚର୍ଯ୍ୟଜନକ। କୁମ୍ଭ ସହ ଯେଉଁ ଅଳ୍ପ ସମୟ କଥାବାର୍ତ୍ତା, ସେଥିରୁ ମୁଁ ତାକୁ ଯେତିକି ବୁଝିଥିଲି, ଏମିତି ଗୋଟେ ଜଘନ୍ଯ ଘୃଣ୍ୟ କାମ କରିବା ତା'ପକ୍ଷରେ ଆଦୌ ସମ୍ଭବ ନୁହେଁ ବୋଲି ମୋର ବିଶ୍ୱାସ ଥିଲା। ତଥାପି ମନ ଭିତରେ କୋଉଠି ନା କୋଉଠି ଗୋଟେ ପ୍ରଶ୍ନବାଚୀ ଉଙ୍କି ମାରୁଥିଲା। ସତରେ କ'ଣ କୁମ୍ଭ ଏମିତି କରିଥିବ? କୋଉ ଭରସା ଅଛି ଏ ସବାଖିଆ କେଳା ଗୁଡାଙ୍କୁ। ଏମାନେ ସମ୍ପର୍କର ମୂଲ୍ୟ କ'ଣ ଜାଣନ୍ତି? ଦେହର ଭୋକ ମେଣ୍ଟାଇବା ସେମାନଙ୍କ ପାଇଁ ଖାଇବା, ପିଇବା, ଶୋଇବା ଇତ୍ୟାଦି ନିତ୍ୟନୈମିତିକ କାମ ପରି ଗୋଟେ। ଏସବୁ ଶୁଣିଲା ପରେ କୁମ୍ଭକର୍ଣ୍ଣକୁ ପୁଣି ଥରେ ଭେଟିବାର ଇଚ୍ଛାଟା ମୋର ଆହୁରି ବଢିଗଲା। ଅବଦମିତ ଇଚ୍ଛାକୁ ନେଇ ମୁଁ ପୁଣି ମୋର ଚାକିରୀ ଜାଗାକୁ ଫେରିଆସିଲି।

କେଳାମାନେ ସାଧାରଣତଃ ଯାଯାବର ଜୀବନଯାପନ କରିଥାନ୍ତି। ଗୋଟାଏ ଜାଗାରେ ଚିରସ୍ଥାୟୀ ହେଇ ରହିବା ସେମାନଙ୍କର ପ୍ରକୃତି ବିରୁଦ୍ଧ। ଏ ଜାଗାରୁ ସେ ଜାଗା, ସେ ଜାଗାରୁ ଆଉ ଗୋଟେ ଜାଗା। ଯୋଉ ଜାଗାକୁ ଥରେ ଛାଡନ୍ତି ସେ ଜାଗାକୁ ପୁଣିଥରେ ଫେରିବା କ୍ବଚିତ୍ ଦେଖାଯାଏ। ଗୋଟିଏ ଜାଗାରୁ ପାଳିତ ପଶୁସମ୍ପଦର ଆହାରର ଅବକ୍ଷୟ ହେଲେ ନୂତନ ସ୍ରୋତର ସନ୍ଧାନରେ ଅନ୍ୟ ଜାଗାକୁ ଚାଲିଯାଆନ୍ତି। ସେଦିନ ମୁଁ କୌଣସି କାମରେ ସହରରୁ ଦୂର ଗୋଟେ ମଫସଲ ଗାଁକୁ ଯାଉଥିଲି। ବାଟରେ ବଡ ହାଟଟିଏ ପଡେ। ଏ ଅଞ୍ଚଳକୁ ଆସିବା ମୋ ପାଇଁ ନୂଆ। ଗାଁର ସରଳ ଲୋକଙ୍କ ସହ ମିଶିବା ଆଉ ସେମାନଙ୍କ ଚାଲିଚଳଣୀ ସମ୍ପର୍କରେ ଜାଣିବାର ଉତ୍କଣ୍ଠା ନେଇ ମୁଁ ହାଟ ଭିତରକୁ ପଶିଲି। ହାଟରେ ଶେଷ ମୁଣ୍ଡକୁ ଜଣେ ସ୍ତ୍ରୀଲୋକ ଗୋଟେ ଝୁଡିରେ କଞ୍ଚା ଆମ୍ବ କିଛି ବିକୁଥିଲା। କାହିଁକି କେଜାଣି ସିଏ ମୋତେ କେମିତି ଚିହ୍ନା ଚିହ୍ନା ଲାଗିଲା। ନିରିଖେଇକି ଚାହିଁଲି। ସେଇ ଚକା ମୁହଁ, ସେଇ ରଙ୍ଗ, ସେଇ ଗଢଣ। ଦୀର୍ଘ କୋଡିଏ କି ଏକୋଇଶ ବର୍ଷ ପରେ ଚେହେରାର ସାମାନ୍ୟ ପ୍ରୌଢତା ଆସି ଯାଇଥିଲା, ତଥାପି ଚିହ୍ନି ପାରିଲି। ଇଏ ସେଇ କୁମ୍ଭର ଝିଅ। ପାଖରେ ପିଲାଟିଏ। ଖୁବ୍ ସୁନ୍ଦରିଆ ଆକର୍ଷଣୀୟ ଚେହେରା। ବୟସ ଏଇ କୋଡିଏ ପାଖାପାଖି। ସେଇଟି ତା'ର ପୁଅ ବୋଧେ। ପାଖକୁ ଗଲି। ସ୍ତ୍ରୀଲୋକଟିର ପାଖକୁ ଯାଇ ପଚାରିଲି, 'ତୁ ତୋ ବାପା ମାଆଙ୍କ ସାଙ୍ଗରେ ଆମ ଗାଁ ପାଖରେ ରହୁଥିଲ ନା? ଗାଁ ମୁଣ୍ଡ ସେଇ ନଈ ପଠା ପାଖ ପଳାସ ବଣିରେ।' ଗାଁ ନାଆଁ ଶୁଣି ଆଶ୍ଚର୍ଯ୍ୟ ହେଇ ମତେ ବଲବଲ କରି ଚାହିଁଲା। ବେଶ୍ କିଛି ସମୟପରେ ପ୍ରକୃତିସ୍ଥ ହେଲାପରେ ମୁଣ୍ଡକୁ ଟୁଙ୍ଗାରି ହଁ କଲା। ମୁଁ ସ୍ଥିର ନିଶ୍ଚିତ ହେଇଗଲି, ଇଏ ନିଶ୍ଚୟ କୁମ୍ଭର ଝିଅ ପଦ୍ମା। ପାଖରେ ପିଲାଟା ମୋତେ ଚାହିଁ ରହିଥାଏ। ତାକୁ ଦେଖେଇ ପଚାରିଲି, 'ଇଏ କିଏ?' 'ମୋ ପୁଅ ଆଜ୍ଞା' କହି ଟିକିଏ ଲାଜେଇ ଗଲା।

-- ତୋ ବାପା ମା?

-- ମାଆ ତ କେବେଠୁ ମଲାଣି। ୟା ଜନ୍ମ ଆଗରୁ। ବାପା ବି ତିରସ୍ତା ବର୍ଷ ବେମାରୀରେ ଚାଲିଗଲା। ଏବେ ମୁଁ ଆଉ ମୋ ପୁଅ। ମୋ ପୁଅ କଲେଜରେ ପଢୁଛି। ଆମେ ଏଇ ପାଖରେ ରହୁଛୁ।

-- ଚାଲେ, ତୁମ ଘରକୁ ଯିବା।

-- ହଁ ବାବୁ, ହାଟ ତ ସରିବାକୁ ବସିଲାଣି। ଆଉ ଅଳ୍ପ ସମୟପରେ ମୁଁ ଯିବି। ତୁମେ ଯଦି ଯିବ, ମୋ ପୁଅକୁ ସାଙ୍ଗରେ ନେଇଯାଅ। ସିଏ ବାଟ ଦେଖେଇଦବ।

ସେତେବେଳକୁ ତା ପୁଅର ଆଖି ଦିଇଟା ଉଜ୍ଜ୍ୱଳ ହେଇଯାଇଥାଏ। ମଟରସାଇକେଲରେ ବସିବ। ନଥିଲା ଲୋକ ଏଇ ଛୋଟିଆ ଛୋଟିଆ କଥାରୁ ମନର ଖୁସି ସାଉଁଟନ୍ତି, ବଞ୍ଚିବାର ଖୋରାକ ଖୋଜନ୍ତି। ପିଲାଟିର ସେଇ ହସିଲା ହସିଲା ଆଖି ଦି'ଟା ଦେଖି ମନା କରିପାରିଲିନି। ତାକୁ ନେଇ ତା ଘର ଆଡ଼େ ବାହାରିଲି। ଟୋକାଟାର ସୁଗଠିତ ବଳିଷ୍ଠ ଚେହେରା, ହେଲେ ବର୍ଣ୍ଣ କଳା ତ କହିହେବନି, ବରଂ ସାବନା କହିଲେ ଠିକ୍ ହେବ। ଜିଜ୍ଞାସା ବଶତଃ କ'ଣ ପଢୁଛି ବୋଲି ପଚାରି ଜାଣିବାକୁ ପାଇଲି ପିଲାଟି ଯୁକ୍ତ ଦୁଇ ବିଜ୍ଞାନ ଶେଷବର୍ଷର ଛାତ୍ର। ପାଖ କଲେଜରେ ପଢୁଛି। ଏଇମିତି ଆଉକିଛି ଔପଚାରିକ ପ୍ରଶ୍ନ ପଚାରିବା ଭିତରେ ଆମେ ତା ଘର ଆଗରେ ପହଞ୍ଚି ସାରିଥିଲୁ। ମୁଁ ମଟରସାଇକେଲ ଷ୍ଟାଣ୍ଡ ମାରି ଠିଆ କରିବା ଭିତରେ ପିଲାଟି ଘର କବାଟ ଖୋଲି ବାରଣ୍ଡାରେ ପ୍ଲାଷ୍ଟିକ ଚେୟାର ଖଣ୍ଡେ ରଖିସାରିଥିଲା ଆଉ ବସିବାକୁ କହୁଥିଲା। ଖୁବ ସୁନ୍ଦର ଆନ୍ତରିକତାପୂର୍ଣ୍ଣ ବ୍ୟବହାର। ଭିତରକୁ ଯାଇ ଥଣ୍ଡା ପାଣି ଗ୍ଲାସଟିଏ ବଢେଇ ଦେଲା। ଘରଟିର ରୁଚିପୂର୍ଣ୍ଣ ସାଜସଜ୍ଜା। ସିମେଣ୍ଟ କାନ୍ଥରେ ଚୂନ ଧଉଳା ହେଇ ସୁନ୍ଦର ଅକ୍ଷରରେ ସଂସ୍କୃତ ଶ୍ଳୋକ, ଭାଗବତର କେତେକ ପଦ, ମହାତ୍ମାମାନଙ୍କର ମହତବାଣୀ ଆଦି ଲେଖା ହୋଇଛି। ସଫାସୁତୁରା ଅଗଣାରେ ସୁନ୍ଦର ଭାବରେ ଚିତା, କୁଣ୍ଡରେ ବିଭିନ୍ନ ଫୁଲଗଛ ଆଉ ବାଉଁଶରେ ଛକି ଛକି କରି ବାଡ ଦେଖିଲେ ପେଟ ପୁରିଯିବ। ମୋଟ ଉପରେ କୌଣସି ଆଶ୍ରମ ଭଳି ଲାଗୁଥିଲା। ମଟରସାଇକେଲରେ ଆସିବା ଭିତରେ ମୁଁ ପିଲାଟିର ନାଁ ପଚାରିବାକୁ ଭୁଲି ଯାଇଥିଲି। ୟା ଭିତରେ ପିଲାଟି ଲେମ୍ବୁ ସରବତ ଗ୍ଲାସଟିଏ ଆଣିଦେଲା ଆଉ ପାଖରେ ଆସନ ପକେଇ ବସିଲା। ତା'ର ଶାଳୀନ ବ୍ୟବହାର ଦେଖି ଖୁବ୍ ଖୁସି ଲାଗୁଥିଲା।

-- ତୋ ନାଁ କ'ଣ କିରେ ପୁଅ?

-- ସୁରେଶ। ଭି. ସୁରେଶ ରେଡ୍ଡୀ।

ସେତେବେଳକୁ ପଦ୍ମା ହାଟରୁ ଫେରି ଆସିଥାଏ। ସେଇ ମୁରୁକି ମୁରୁକି ହସ ତା ମୁହଁରେ ଏବେବି ଲାଗି ରହିଛି। ସେ ହସ, ଯାହା ତାରୁଣ୍ୟର ପ୍ରାରମ୍ଭରେ ମୋତେ ଆକର୍ଷିତ କରୁଥିଲା, ଏବେବି ସେଇମିତି ଅକ୍ଷୂର୍ଣ୍ଣ ରହିଛି। 

ପଦ୍ମା ପୁଅ ପାଖରେ ସପ ଉପରେ ବସିଲା। ଆରମ୍ଭ କଲା ତା ଜୀବନ ଯାତ୍ରାରେ ଅତିକ୍ରମ କରିଥିବା ସେଇ ଘଟଣା। 'ବାବୁ, ଆମେ ତୁମ ଗାଁ ଛାଡି ଆସିବାର ପ୍ରାୟ କୋଡିଏ କି ଏକୋଇଶ ବର୍ଷ ହେଇଗଲାଣି। ଆମେ ଗରିବ ଛୋଟ ଲୋକ। ତଥାପି ତୁମେ ଆମକୁ ମନେ ରଖିଛ, ଖୁବ୍ ଖୁସି ଲାଗୁଛି।'

ଆମର କଥାବାର୍ତ୍ତା ମଝିରେ ସୁରେଶ ନିଜକୁ ବୋଧହୁଏ ଅସହଜ ମନେ କରୁଥିଲା। ସେଥିପାଇଁ ଘର ଭିତରକୁ ଉଠି ଚାଲିଗଲା। ପଦ୍ମା କହୁଥିଲା, 'ବାବୁ, ତୁମ ଗାଁରୁ ଆସି ଆମେ ସୁନ୍ଦରପୁର ଗାଁ ପାଖରେ ରହିଲୁ। ନଈକୂଳିଆ ଗାଁ। ନଈ ପଠାରେ ତମ୍ବୁ ପକେଇଲୁ। ଭଲ ଦି'ପଇସା ବେପାର ହୁଏ। ବାପା ଆଉ ମାଗିବାକୁ ଯାଏନି। ଘୁଷୁରୀ ପଲଟା ନଈ ପଠାରେ ମାଇଲିଏ ଭିତରେ ବୁଲିଆସିଲେ ଦିନ ଦି'ପହର ସରିକି ଖୁଆଡରେ ପଶନ୍ତି। ନଈରୁ ବାପା ମାଛ ଧରେ। ଖାଉ ଆଉ ବିକୁ। ହାତରେ ବେଶ ଦି'ପଇସା ଜମା ହେଇଯାଇଥାଏ। ଉପରମୁଣ୍ଡରେ ବନ୍ଧ ହେଲା ଦିନରୁ ସେ ଅଞ୍ଚଳରେ ଦଶ କି ଏଗାର ବର୍ଷ ହେଲା ନଈରେ ବଢି ଆସେନି। କିନ୍ତୁ ସେଇବର୍ଷ ଆସିଲା। କ'ଣ କହିଲେ, ଫାଟକ ଖୋଲି ଦିଆଗଲା। ଅଚାନକ ରାତିରେ ବଢିପାଣି ମାଡି ଆସିଲା। ସବୁ ଭସେଇ ନେଲା। ତିରିଶ ଚାଳିଶଟା ଘୁଷୁରୀ ଭିତରୁ ଗୋଟେ ବି ମିଳିଲେନି। ଜରିପାଲ, ହାଣ୍ଡି ଡେକିଚି, ସବୁ ନଈ ଖାଇଲା। ବାପା ମା ଆଉ ମୁଁ କୌଣସି ପ୍ରକାରେ ବଞ୍ଚିଗଲୁ। ଦେହରେ ଖାଲି ପିନ୍ଧା ଲୁଗା। ବାପା କିନ୍ତୁ ପଇସା ଗଣ୍ଡାକ ଆଣିବାକୁ ଭୁଲି ନଥିଲା। ଗାଁ ମୁଣ୍ଡ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଲୁ। ବାପା ଆଉ ମା ଦି'ଜଣଯାକ ମାଗିବାକୁ ଗାଁ ଭିତରକୁ ଯାଆନ୍ତି। ମୁଁ ଏକୁଟିଆ। ସେଇ ସମୟରେ ମୋର ଗୋଟେ ପିଲା ସହ ଦେଖାହୁଏ। ତା ମିଠା ମିଠା କଥାରେ ମୁଁ ଭଳିଗଲି। ମୋତେ ବାହା ହେବ ବୋଲି କଥାଦେଲା। ମୁଁ ସବୁକିଛି ତାକୁ ସଅଁପି ଦେଲି। ଏଇ ସୁରେଶ ତା'ରି ପରିଣତି। ମୋ ବାପା ମା ଯେତେ କାକୁତି ମିନତି କଲେ ବି ଆଉ ସେ ପିଲା କି ତା ପରିବାର କେହି ମୋ ପେଟର ଛୁଆକୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ହେଲେନି। ବରଂ ରାତିଅଧିଆ ଆମର ଜିନିଷପତ୍ର ଫୋପାଡ଼ି ଦେଲେ। ମାଆକୁ ଆଉ ବାପାକୁ ଲୋକ ଲଗେଇ ମାଡ ମରେଇଲେ। ସେଇ ମାଡରେ ମାଆ ବିଛଣା ଧରିଲା ଯେ ଆଉ ଉଠିଲାନି। ସେଇଠୁ ଆମେ ବାପ ଝିଅ ଏଇଠିକି ଆସିଲୁ।' ଏକା ନିଃଶ୍ବାସରେ ଏତକ କହିଦେଇ ପଦ୍ମା ଗୋଟେ ଦୀର୍ଘ ନିଃଶ୍ବାସ ଛାଡିଲା। ସତେ ଯେମିତି ଅନ୍ତରର ସବୁ ଅନ୍ତର୍ଦାହ ତଥାକଥିତ ସଭ୍ୟ ସମାଜର ବଡପଣ୍ଡା ସାଜିଥିବା ଲୋକମାନଙ୍କ ପାଇଁ ଅଭିଶାପ, ସବୁ ଅଭିଯୋଗ ଏକାବେଳକେ ବାହାର କରିଦେଲା।

ଟିକିଏ ନିଃଶ୍ବାସ ନେଇ ପଦ୍ମା ପୁଣି ଆରମ୍ଭ କଲା। 'ବାବୁ, ଏଇଠିକି ଆସିଲା ପରେ ବାପା ଆଉ ସେ ଘୁଷୁରୀ ବେପାର କଲାନି। ପାଖରେ ଯାହାକିଛି ପଇସା ଥିଲା, ସେଥିରେ ଘର ଖଣ୍ଡେ ଠିଆ କଲୁ। ଆମେ ବାପ ଝିଅ ମିଶି ଇଟା ନିଜେ ଗଢିଲୁ, ନିଜେ କାନ୍ଥ ଦେଲୁ। ଏ ଗାଁ ଲୋକମାନେ ବି ଖୁବ୍ ସାହାଯ୍ୟ କଲେ। ଏଇ ଗୋଚରରେ ଘରଖଣ୍ଡେ ଠିଆକରି ତାକୁ ରହିବା ଯୋଗ୍ୟ କରିବା କ'ଣ କମ କଷ୍ଟ! ବାପା କିନ୍ତୁ ଭିତରେ ଭିତରେ କାନ୍ଦୁଥିଲା। ମାଆକୁ ବହୁତ ଭଲପାଏ। ମୋ ବାପା କୁଆଡେ ଆନ୍ଧ୍ରରୁ ଇଆଡେ ଆସିଥିଲା। ଭଲପାଇ ମାଆକୁ ଧରି ଏ ରାଇଜକୁ ପଳେଇ ଆସିଥିଲା। ମାଆ ଆଉ ବାପା ଦିହେଁ ଅଲଗା ଜାତିର। ସେଇଥିପାଇଁ ଦିହିଁଙ୍କ ପରିବାର ବାହାଘର ପାଇଁ ରାଜି ନଥିଲେ। 

ହେଲେ ଏଠିକି ଆସି ଖାଇବୁ କ'ଣ? ସେତେବେଳକୁ ମୋର ଆଠମାସ। ତଥାପି ଯାହା ସମ୍ଭବ ବାପାକୁ ମରିପଡି ସାହାଯ୍ୟ କରେ। ପ୍ରଥମେ ତ ଏ ଘରେ ତାଳପତ୍ର ଛପର ଥିଲା। ସେଇ ଅବସ୍ଥାରେ ମୁଁ ନଈରୁ ପାଣି ଆଣେ। ରୋଷେଇ କରିବା ସହ ଏଇଠି ଶାଗ, ବାଇଗଣ, ଭେଣ୍ଡି ଆଉ ଲଙ୍କା ଲଗେଇଲି। ମାଟି ମାଆ ବି ଭାରି ଦୟାଳୁ। ମୋ ପରିଶ୍ରମର ଫଳ ଦେବାକୁ ଜମାରୁ ହେଳା କରେନି। ନିଜ ଖାଇବା ବାଦେ ଯାହା ବଳେ ତାକୁ ଏଇ ପାଖ ହାଟରେ ବିକିଦିଏ। ଦି'ଟା ପେଟ ପାଇଁ ଚାରିଟା ହାତ ଲାଗିଲେ ପେଟ ଅପୋଷା ରହିବ କି? ପଇସା ଦି'ଟା ବଳିପଡେ। ତା'ରି ଭିତରେ ଏ ପିଲାଟା ଜନ୍ମ। ମୋ ପରିଶ୍ରମକୁ ଦେଖି ଭଗବାନଙ୍କର ବୋଧେ ମୋ ଉପରେ ଦୟା ହେଲା। କିଛି କଷ୍ଟ ନାହିଁ କି ଡାକ୍ତରଖାନା ଦୁଆର ଦେଖିନି। ଧୀରେ ଧୀରେ ପୁଅ ବଡ ହେଲା। ପାଠ ପଢିଲା। ଇସ୍କୁଲରେ ବାପା ନାଁ ଜାଗାରେ ମୋ ବାପା ତା ନାଁ ଲେଖେଇ ଦେଇଚି। ଆଉ କ'ଣ କରିଥାନ୍ତା ଯେ? ସେ ରଇଜଳାର ନାଁ ତ ମୁଁ ବି ଭଲକରି ଜାଣିନି।'

ମୁଁ ଜାଣିଗଲି, ଲୋକମାନେ କୁମ୍ଭ ଆଉ ତା ଝିଅ ସମ୍ପର୍କରେ କହୁଥିବା କଥାର ରହସ୍ୟ। ସେତେବେଳକୁ ସନ୍ଧ୍ୟା ହେଇଗଲାଣି। ସୁରେଶକୁ ଡାକି ମୋ ଠିକଣା ଲେଖେଇ ଦେଇ କେତେବେଳେ କିଛି ଅସୁବିଧା ହେଲେ ଜଣେଇବା ପାଇଁ କହି ମୁଁ ଫେରିଆସିଲି।

ଏ ଭିତରେ ପ୍ରାୟ ଛଅ କି ସାତ ବର୍ଷ ବିତିଗଲାଣି। ମୁଁ ଚାକିରୀରୁ ଅବସର ନେବାପାଇଁ ବସିଲିଣି। ଏଇ ସମୟ ମଧ୍ୟରେ ମୁଁ ପଦ୍ମା ଘରକୁ ଥରେ ହେଲେ ବି ଯାଇନି କି ସେମାନେ କେମିତି ଅଛନ୍ତି ସେ ବିଷୟରେ ଖୋଜ ଖବର ରଖିନି। ହଠାତ୍ ଦିନେ ସକାଳୁ ସକାଳୁ ମୋ କ୍ବାର୍ଟରର କଲିଂବେଲ ବାଜିଲା। ନିଦ ମଳମଳ ଆଖିରେ ଉଠି କବାଟ ଖୋଲି ଦେଖେ ତ ସୁରେଶ। ତାକୁ ଏତେ ସକାଳୁ ଦେଖି ଆଶ୍ଚର୍ଯ୍ୟ ହେଇଗଲି। ମନରେ ଅନେକ ଆଶଙ୍କା ଜନ୍ମ ନେଉଥାଏ। ମୋତେ ଆହୁରି ଆଶ୍ଚର୍ଯ୍ୟ କରିଦେଇ ସୁରେଶ ବଢେଇଦେଲା ମୋ ହାତକୁ ମୁଠେଇ ଧରିଥିବା ଚାରିଚଉତା କାଗଜ ଖଣ୍ଡେ। ଅତି ତରବରିଆ ଭାବରେ ସୁରେଶ 'ସାର୍, ମୁଁ ଯାଉଛି' କହି ଏକରକମ ଦୌଡି ଦୌଡି ଚାଲିଗଲା। ଅତ୍ୟନ୍ତ ଉତ୍କଣ୍ଠାର ସହ କାଗଜ ଖଣ୍ଡକ ଖୋଲିଲି। 

"ବାବୁ, ତୁମେ ମୋ ଘରକୁ ଆସିବା ପରଦିନଠୁ ତୁମକୁ ଗୋଟେ କଥା କହିବି କହିବି ବୋଲି ଭାବୁଥିଲି। କିନ୍ତୁ ପୁଅଟା ଥିଲା ବୋଲି ସେଦିନ କହିପାରି ନଥିଲି। ତା'ଛଡା ତୁମେ ତ ତୁମ ସମସ୍ୟା ନେଇ ବ୍ୟସ୍ତ ଥିବ। ମୋ କଥା କହି ତୁମକୁ ଆଉ ଅଧିକ ସମସ୍ୟାରେ ପକେଇବାକୁ ମନ ହେଲାନି। କିନ୍ତୁ ଆଜି କହିବାକୁ ବାଧ୍ୟ ହେଇଯାଉଛି। ଏ ଦୁନିଆଁରେ ତୁମଛଡା ଅଧିକ ଭରସାଯୋଗ୍ୟ ଆଉ କାହାକୁ ପାଉନି। ଆଉ ଅଧିକ ସମୟ ମୋ ହାତରେ ନାହିଁ। ପୁଅଟା ପାଠଶାଠ ପଢିଛି। ସିଏ ତୁମକୁ ଲାଗିଲା। ତୁମ ଗାଁ ମୁଣ୍ଡରେ ଆମେ ଥିବାବେଳେ ତୁମ ଆଖିରେ ମୁଁ ଯୋଉ ଭରସା ଆଶ୍ବାସନା ପାଇଥିଲି ତାରି ଉପରେ ବିଶ୍ବାସ କରି ପୁଅକୁ ତୁମରି ହାତରେ ଦେଲି। ବୋଧହୁଏ ତୁମେ ଏ ଚିଠି ଖଣ୍ଡକ ପଢିସାରିବା ବେଳକୁ ମୁଁ ଆଉ ନଥିବି। କର୍କଟ ରୋଗାକ୍ରାନ୍ତ ଏ ଦେହଟାକୁ ଭଙ୍ଗା ଡଙ୍ଗା ପରି ଏତେଦିନ ସମୟ ସୁଅରେ ବାହି ଆଣିଲି। ଆଉ ପାରୁନି।"

ଶୀଘ୍ର ନିତ୍ୟକର୍ମ ସାରି ମୁଁ ବାହାରି ପଡିଲି। ପଦ୍ମାର ଘର ପାଖରେ ପହଞ୍ଚିଲା ବେଳକୁ ନଅଟା। ଘର ଭିତରକୁ ନିର୍ଦ୍ବନ୍ଦରେ ପଶିଗଲି। ମୋ ଉପରେ ଏତେ ଭରସା କରୁଥିବା ପଦ୍ମାକୁ ଦେଖିବା ପାଇଁ କୌଣସି ପ୍ରକାର ଔପଚାରିକତାର ଆବଶ୍ୟକତା ମୁଁ ଅନୁଭବ କରୁ ନଥିଲି। ଘର ଭିତରେ ପଦ୍ମା ଗୋଟେ ଫିତା ଖଟରେ ଶୋଇଥିଲା। ଆଉ ସେ ପୁରୁଣା ପଦ୍ମାକୁ ମୁଁ ଦେଖୁନଥିଲି। କଙ୍କାଳସାର ଖାଲି ଅସ୍ଥିପଞ୍ଜର ଢାଞ୍ଚାଟିଏ ଯିଏକି ଜୀବନର ଅନ୍ତିମ କ୍ଷଣରେ ନିଃଶ୍ବାସ ଗଣୁଥିଲା। କଥା କହିବାର ଶକ୍ତି ଆଉ ତା'ପାଖରେ ନଥିଲା। ବଡ କରୁଣ ଦୃଷ୍ଟିରେ ମୋତେ ଚାହିଁ ରହିଥାଏ। ସତେ ଯେମିତି ଅନେକ ଯୁଗର ତୃଷ୍ଣା ତା'ର ମେଣ୍ଟି ଯାଉଥିଲା। ସେଇ ତୃପ୍ତ ଚାହାଣି ସହ ଆଖି ଦି'ଟା ସ୍ଥିର ନିଶ୍ଚଳ ହେଇଗଲା। ମୋରି ଆସିବାକୁ ଅପେକ୍ଷା କରିଥିଲା ପରା।

କହିବା ବାହୁଲ୍ୟ, ପରବର୍ତ୍ତୀ ସମୟରେ ମୁଁ ସୁରେଶର ଦାୟିତ୍ୱ ସମ୍ପୂର୍ଣ୍ଣ ନିଷ୍ଠାର ସହ ତୁଲେଇଛି ବୋଲି ମୋର ହୃଦବୋଧ ହୁଏ। କୁହାବୋଲା କରି ଆମ ଅଫିସରେ ତାକୁ କିରାଣୀ ଚାକିରୀ କରେଇ ଟୁଆଁ ପାଇଁ ଟୁଇଁ ଯୋଗାଡ କରି ହାତକୁ ଦି'ହାତ କରେଇଦେଲି। ମୁଁ ଅବସର ନେଇ ଗାଁକୁ ଆସିବା ପରେ ମଧ୍ୟ ସୁରେଶ ମୋ ପାଖକୁ ବର୍ଷରେ ଅନ୍ତତଃ ଦୁଇ ତିନି ଥର ଆସେ।


Rate this content
Log in

Similar oriya story from Abstract