ଭିନ୍ନ ମୋ କାହାଣୀ ଭାଗ -୨
ଭିନ୍ନ ମୋ କାହାଣୀ ଭାଗ -୨
ତାପରେ ଅରୁଣ ନିଜ ଘରକୁ ଫେରିଯାଇଛନ୍ତି , ମାନସୀ ସେଇ ଜାଗା ରେ ଠିଆ ହୋଇ ମନେ ମନେ ହସୁଛି ।
ରେଣୁ - କିଲୋ ତୋ ଦେହ ରେ ଡାହାଣୀ ଲାଗିଛି ନା କଣ ତୁ ଏମିତି ଖାଲି ଟାରେ ହସୁଛୁ କଣ ପାଇଁ ?
ମାନସୀ - ସେମିତି କିଛି ନାହିଁ ମାଆ , ଏଇ ଗୋଟେ ହସ କଥା ମନେ ପଡିଗଲା ତ ସେଥିପାଇଁ ହସିଦେଲି ।
ରେଣୁ - ହଁ ହସ କଥା ମନେ ପଡୁଥିବ ନା କଉ ଟୋକା କଥା ଭବିକି ଏତେ ହସୁଛୁ ମ
ରୁଦ୍ର - ମାଆ ତୋ ପାଟି ଚୁପ୍ କର , ଯେତେବେଳେ ଯାହା ଇଚ୍ଛା ହେଉଛି ତାକୁ କହିଯାଉଛି , ତାର କଣ ହସିବା ତା ବି ଖରାପ , ଯଦି ଆଉ ଥରେ ମୋ ଅପା କୁ ପାଟି କରିବୁ ଦେଖିବୁ ମୁଁ କଣ କରିବି ତୋର ।
ରେଣୁ - ଏଇ ମେଞ୍ଚଡ ବକଟେ ଟୋକା ତୁ ମୋତେ ମାନେ ତୋ ନିଜ ମାଆ କୁ ସେ ପର ଝିଅ ଟା ପାଇଁ ଗାଳିଦେଉଛୁ । ଆଜିଠୁ ତ ଏମିତି ହେଲୁଣି ଆଗକୁ ଆହୁରି ତୋ ବେଳ କାଳ ଅଛି , ମୁଁ ବୁଢ଼ୀ ହେଲା ବେଳେ ତ ତୁ ମୋତେ ପଚାରି ବୁନି ।
ରୁଦ୍ର - ସତ କଥା ତ ମୁଁ ତୋତେ କଣ ତୋ ସ୍ୱାମୀକୁ ବି ପଚାରିବିନି । ଖାଲି ମୋ ଅପା କୁ ପଚାରିବି ।
ରେଣୁ - ସବୁ ଏଇ ଟୋକି ପାଇଁ , ତାରି ଶିକ୍ଷା ରେ ପଡି ମୋ ପୁଅ ଆଜି ମୋତେ କେତେ କଥା କହିଗଲା l
ଏତିକି କହି ରେଣୁ ମାନସୀ କୁ ହାତ ଉଠେଇ ଛି ତା ହାତକୁ ଧରି ନେଇଛି ଶିବ , ନା ରେଣୁ ତାକୁ କାଇଁ ବେକାର ଟା ରେ ମାରିବ ସେ ତ ଆଉ କିଛି ଦିନ ପରେ ସେ ଅରୁଣ ଝିଅ ର ଚାକରାଣୀ ହେଇକି ଯିବ। ସେ ସିନା ମନ ଖୁସି କରିକି ଏଠୁ ଗଲେ ସେଠି କାମ ଭଲସେ କରିବ ଆଉ ଆମକୁ ବି ଭଲ ପଇସା ମିଳିବ , ଏଇ ଟୋକା ତାକୁ ନେଇ କି ଯା ।
ରେଣୁ - ଏଇ ଶୁଣ ସେ ପ୍ରଧାନ ମାଷ୍ଟର୍ ଯେମିତି ଏ କଥା ନ ଜାଣେ ନହେଲେ ଆମର ୫୦୦୦ ଟଙ୍କା ସ୍ବପ୍ନ ସ୍ୱପ୍ନରେ ରହିଯିବ।
ରୁଦ୍ର - ଅପା ଏଇ ଅପା ତୁ ତ କହୁଥିଲୁ କି ଅରୁଣ ମଉସା ତତେ ବାହାରେ ନେଇ ପାଠ ପାଢେଇବେ ବୋଲି ହେଲେ ବାପା କଣ କହିଲେ ଯେ ତୁ ସେଠିକି ତାଙ୍କ ଝିଅ ର ଚାକରାଣୀ ହେଇକି ଯିବୁ ।
ମାନସୀ - ଚୁପ୍.. ଧିରେ କହ ଆରେ ବୋକା ସେଇଟା ମଉସା ଙ୍କ ର ଚାଲ ଥିଲା ବୁଝିଲୁ , ସେ ଯଦି ମୋ ପଢା ବିଷୟରେ କହିଥାନ୍ତେ ତେବେ ଏମାନେ କଣ ରାଜି ହେଇଥାନ୍ତେ ।
ରୁଦ୍ର - ଏଇଟା ଭଲ କଥା ଯେ ଅପା ହେଲେ ସେ କଣ ତୋତେ ନେଇ ବାହାରେ ପଢେଇବେ ସେଥିରେ ଯାହା ପଇସା ଲାଗିବ ଖର୍ଚ୍ଚ କରିବେ ପୁଣି ଏଠି ଏମାନ ଙ୍କୁ ମାସକୁ ପାଞ୍ଚ ହଜାର ଲେଖେଁ ଦେବେ ।
ମାନସୀ - ସେଇଟା ତ ମୁଁ ବି ବୁଝିପାରୁନି , ମଉସା ଖାଲି ଟାରେ ମୋ ପାଇଁ ଏତେ ଖର୍ଚ୍ଚାନ୍ତ କାହିଁକି ଏବେ।
ରେଣୁ - କଣ ଦିଟା ଯାକ ର ଗପ ପେଡି ଏ ପର୍ଯ୍ୟନ୍ତ ସରିନି , ଏ ଟୋକି କାଲି ଟିକେ ଯାଇ ସେ ଅରୁଣ ଘରୁ ଆସିବୁ , ତା ଝିଅ ର ସବୁ କି କି କାମ କରିବାକୁ ହେବ ସେ ତୋତେ ବୁଝେଇ ଦେବ।
ମାନସୀ - ଆଜ୍ଞା ମାଆ , ମୁଁ କାଲି ସକାଳେ ଯାଇ ଅରୁଣ ମଉସା ଙ୍କ ଘରେ କାମ ଭଲସେ ବୁଝି ଦେଇ ଆସିବି , ତମେ ଆଦୌ ଚିନ୍ତା କରନି ।
ରେଣୁ - ହଉ ଏବେ ଯା ସମସ୍ତ ଙ୍କୁ ଖାଇବା ବାଢ଼ି ଦେ । ତାପରେ ନିଜେ ଖାଇକି ବାସନ ମାଜିଦେବୁ , ମୁଁ ଆଜି କନି ଘରେ ଖାଇଦେଇଥିଲି ମୋତେ ଭୋକ ନାହିଁ , କାମ ସାରିକି ମୋ ଗୋଡ଼ ହାତ ଟିକେ ଘଷି ଦେବୁ ।
ମାନସୀ - ଆଜ୍ଞା ମାଆ ।
ପର ଦିନ ମାନସୀ ସବୁ କାମ ସାରିଦେଇ ରେଣୁ କୁ ଆସି କହିଲା - ମାଆ ମୁଁ ଅନନ୍ୟା ଘରକୁ ଯାଉଛି , ତାଠୁ କାମ ବୁଝି ଆସିବି ।
ରେଣୁ - ଆଲୋ ପଚାରୁଛୁ କଣ ଜଲଦି ଜଲଦି ଯା , ସେ ଜଉ କାମ ତତେ ପଚାରିବେ ସବୁ ଆସିଛି ବୋଲି କହିବୁ , ଜଉ କାମ ତୋତେ ଆସିନଥିବ ସେଟା ବି ହଁ ମାରିବୁ ହେଲା , ମୁଁ ତୋତେ ଏଠି ଆସିଲେ ବତେଇଦେବି ।
ମାନସୀ - ଠିକ୍ ଅଛି ମାଆ ମୁଁ ଏବେ ଆସୁଛି ।
ମାନସୀ ଯାଇ ପହଞ୍ଚିଛି ଅରୁଣ ଙ୍କ ଘରେ , ଅନନ୍ୟା ତାକୁ ଡାକି ନେଇଛି ତା ରୁମ୍ କୁ ସେଠି ତା ବାପା ମାନେ ଅରୁଣ ବାବୁ ଦୁଇ ଜଣ ଙ୍କ ପାଇଁ ଆଣିଥିବା ଡ୍ରେସ , ଜୋତା , ବ୍ୟାଗ୍ ଆଉ ଯୁକ୍ତ ୨ ବିଜ୍ଞାନ ର ବହି ସବୁ ଦେଖେଇଛି ।
।
ଅନନ୍ୟା - ମାନସୀ ଦେଖ ବାପା ତୋ ପାଇଁ ଆଉ ମୋ ପାଇଁ ଆଣିଛନ୍ତି । ଏଗୁଡା ସବୁ ଗଲା ଦିନ ନେଇକି ଯିବା ।
ମାନସୀ - ମଉସା କୁଆଡେ଼ ଗଲେ , ସେ ବେକାର ରେ ମୋ ପାଇଁ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି , ଜାଣିଛୁ ସେ କାଲି ଘରେ କଣ କହିଛନ୍ତି ସେ ମୋ ଲାଗି ମାସକୁ ପାଞ୍ଚ ହଜାର ଦେବେ ।
ଅନନ୍ୟା - ଜାଣିଛି ବାପା କହୁଥିଲେ , ତୋର ଏ ବିଷୟରେ କିଛି ଚିନ୍ତା କରିବା ଦରକାର୍ ନାହିଁ ବୁଝିଲୁ ।
ମାନସୀ - ହେଲେ
ଠିକ୍ ସେତିକି ବେଳେ ଅରୁଣ ଘରକୁ ପଶି ଆସିଛନ୍ତି ।
ଅରୁଣ - ହେଲେ କଣ ତୁ ସିନା ମୋତେ କେବେ ନିଜର ଭାବିନୁ କିନ୍ତୁ ମୁଁ ସବୁବେଳେ ଭାବେ ମୋର ଗୋଟେ ନୁହେଁ ଦି ଟା ଝିଅ ବୋଲି । ଯାହା କରିବି ଦି ଝିଅ ଙ୍କ ପାଇଁ ସମାନ କରିବି ।
ମାନସୀ ଅରୁଣ ଙ୍କୁ କୁଣ୍ଢେଇ ପଳେଇ ଭୋ ଭୋ ହୋଇ କାନ୍ଦିଛି , ଅରୁଣ ତାକୁ କହିଲେ କାନ୍ଦେନା ରେ ମା ତୁ କିଛି ଚିନ୍ତା ନକରି ଏବେ କେମିତି ମନ ଦେଇ ପଢ଼ିବୁ ଚିନ୍ତା କର , କାଲି ତମ ଦି ଜଣ ଙ୍କ ର ଆଡ଼ମିଶନ ଅଛି , ଆଉ ତୁ ମାନସୀ ଆଜି ଯାଇ ରେଣୁ କୁ କହିବୁ କାଲି ମଉସା କହିଛନ୍ତି କି ଅନନ୍ୟା ଯଉଠି ରହିବ ସେଇ ଘର ଦେଖେଇ ବାକୁ ତୋତେ ନେଉଛି , ସାଙ୍ଗରେ ତୋ ତୋ ପ୍ରମାଣ ପତ୍ର ସବୁ ନେଇଥିବୁ ।
ମାନସୀ - ଆଜ୍ଞା
ଅରୁଣ - ତୁମେ ଦି ସାଙ୍ଗ ଏଠି ବସି ଗପୁଥା , ମୁଁ ଯାଉଛି ମୋର ଟିକେ କାମ ଅଛି ।
ଅନନ୍ୟା - ହଉ ବାବା ଯା , ଆସିଲା ବେଳକୁ ଆମ ଦି ଜଣ ଙ୍କ ପାଇଁ ଆଇସକ୍ରିମ ଆଣିବ ।
ଅରୁଣ - ହଁ ଆଣିବି ।
ସେଠାରୁ ଅରୁଣ ବାବୁ ଯିବା ପରେ ଅନନ୍ୟା ମାନସୀ ପାଖ କୁ ଆସି କହିଲା - ମାନସୀ ତୋତେ ଏସବୁ ଜିନିଷ ପସନ୍ଦ ଆସୁଛି ନା , ତୋତେ ନା ଆଉ ଗୋଟେ ଜିନିଷ ଦେଖେଇ ବାର ଅଛି ।
ମାନସୀ - କଣ ?
ଅନନ୍ୟା - ନେ ଏଇ ୱାଚ୍ ଟା
ମାନସୀ - ବହୁତ୍ ସୁନ୍ଦର୍ ହେଇଛି ଏଇ ହାତ ଘଣ୍ଟା ଟା , ତୁ ମୋ ପାଇଁ ଆଣିଛୁ
ଅନନ୍ୟା - ନା ଲୋ ମୁଁ କାଇଁ ଆଣିବି ଯିଏ ଦେବା କଥା ସିଏ ଦେଇଛି ।
ମାନସୀ - କିଏ ଦେଇଛି
ଅନନ୍ୟା - ଦିପୁ ଭାଇ ଦେଇଛନ୍ତି
ମାନସୀ - ତୁ ତାଙ୍କ ଠୁ କାହିଁକି ଆଣିଲୁ ? ମୁଁ କେତେ ଥର ତତେ ମନା କରିବି ତାଙ୍କ ଠୁ କିଛି ଆଣି କି ସେ ଲୋକ ର କଥା ବି ମୋ ଆଗରେ ଉଠେଇବୁନି
ଦିପୁ ହେଉଛି ଗୋଟେ ସାଧା ସିଧା ସରଳ ପିଲା ଟେ , ସେ ଏବେ ଯୁକ୍ତ ୩ ତୃତୀୟ ବର୍ଷ ର ଛାତ୍ର , ସେ ଅନନ୍ୟା ର ହିସାବ ରେ ମାମୁଁ ପୁଅ ଭାଇ ହେବ , ସେ ଯେତେବେଳେ ତା ପିଉସୀ ଘର ମାନେ ଅନନ୍ୟା ଘର କୁ ବୁଲି ଆସିଥିଲା ସେତେବେଳେ ମାନସୀ କୁ ଦେଖି ତାକୁ ଭଲ ପାଇ ବସିଥିଲା । କିନ୍ତୁ ମାନସୀ ଯେତେବେଳେ ଅନନ୍ୟା ଠାରୁ ଏ କଥା ଶୁଣିଲା ସେ ଦିପୁ କୁ ସିଧା ସିଧା ମନା କରିଦେଇଥିଲା ।
କିନ୍ତୁ ଦିପୁ ତଥାପି ଅନନ୍ୟା କୁ ଭଲ ପାଏ । ଖାସ୍ ସେ ମାନସୀ କୁ ସବୁଦିନେ ଟିକେ ଦେଖିବ ବୋଲି ତା ପିଉସା ମାନେ ଅରୁଣ ଙ୍କୁ କହି ତାଙ୍କ ଘର ପାଖ କଲେଜ ରେ ଫର୍ମ ପକେଇଥିଲା ସେ ଦି ଜଣ ପଢ଼ିବେ ବୋଲି । ସେ ଦି ଜଣ ଯାକ ସେଇ କଲେଜ ରେ ପଢ଼ିବେ ଆଉ ସେଇ ଦିପୁ ର ଘରେ ରହିବେ । କିନ୍ତୁ ଏ ବିଷୟରେ କିଛି ବି ଜାଣି ନଥିଲା ମାନସୀ , ଅନନ୍ୟା ସବୁ କିଛି ଜାଣିଥିଲେ ମଧ୍ୟ ମାନସୀ କୁ କିଛି ବି ଜଣେଇ ନଥିଲା କାରଣ ମାନସୀ ଯଦି ଦିପୁ ଘରେ ରହି ପଢ଼ିବା କଥା ଜାଣିବ ତେବେ ସେ କେବେ ବି ରାଜି ହେବନି , ଅନନ୍ୟା ମନେ ମନେ ଭାବୁଥିଲା କି କାଲି ଆଗେ ଆଡ଼ମିଶନ ସରିଯାଉ ତାପରେ ଏଇ କଥା ସେ ମାନସୀ କୁ କହିବ , ଆଉ ସେତେବେଳେ ସେ ଯିବା ପାଇଁ ମନା କରିପାରିବନି ।
ଦିପୁ ବି ମନେ ମନେ ବହୁତ୍ ଖୁସି ଥିଲା କି ସେ କାଲି ମାନସୀ କୁ ଦେଖିବ , ମାନସୀ ତାଙ୍କ ଘରେ ରହିବା ଭିତରେ ନିଶ୍ଚୟ ତା ମନ ଜିତିବ ।
ମାନସୀ - ଏଇ ଅନନ୍ୟା କଣ ଏତେ ଭାବୁଛୁ ? ମୁଁ ଏଇ ଘଣ୍ଟା ଟା ରଖିପାରିବିନି ତୁ ତାଙ୍କୁ ଫେରେଇ ଦେବୁ ।
ଅନନ୍ୟା - ହଉ
ମାନସୀ - ମୁଁ ତାହେଲେ ଏବେ ଯାଉଛି, ମାଆ ଙ୍କୁ ପୁଣି ମଉସା କହିଥିବା କଥା କହିବାର ଅଛି
ଅନନ୍ୟା - ତୁ ଯା କାଲି ଦେଖା ହେବ , କଲି ନା ସାଙ୍ଗ ହୋଇ ବହୁତ୍ ମଜା କରିବା ।
ମାନସୀ ଆସି ତା ଘରେ ପହଞ୍ଚିଛି , ରେଣୁ ମାନସୀ କୁ ଦେଖି ଦୌଡି ଆସି ପଚାରିଛି - ଆଲୋ ସେ କଣ କହିଲା , ସେ ଜଉ ଜଉ କାମ ସବୁ କହିଲା ତୁ ହଁ ମାରିଲୁନା , କିଛି ଏପଟ ସେପଟ କହିନୁ ତ ?
ମାନସୀ - ନାଇ ମାଆ ମୁଁ ସବୁ ଆସେ ବୋଲି କହିଲି , ମଉସା କହିଛନ୍ତି କି କାଲି ସେ ଘରକୁ ଯାଇ ଦେଖି ଆସିବା ପାଇଁ ଯଉଠି ଅନନ୍ୟା ରହିବ , କଣ କହୁଛ ମାଆ ମୁଁ କାଲି ଯିବି ?
ରେଣୁ - ହଁ କାଲି ଯିବୁ
ରେଣୁ ତାପରେ ଶିବ କୁ ଏଇ ଖବର ଦେବା ପାଇଁ ଗଲା , ମାନସୀ କୁ କିନ୍ତୁ ଡର ଲାଗୁଥାଏ ଯଦି ସତ କଥା ସବୁ ରେଣୁ ଜାଣିଦେବ ତେବେ କଣ ହେବ ।

