STORYMIRROR

Gayatri Singh

Abstract Drama Crime

4  

Gayatri Singh

Abstract Drama Crime

ଭିନ୍ନ ଜଣେ ଶକୁନି

ଭିନ୍ନ ଜଣେ ଶକୁନି

7 mins
241


ସମସ୍ତେ ରାମାୟଣ ମହାଭାରତ ତଥା ବିଭିନ୍ନ ପୌରାଣିକ କାହାଣୀର ଉତ୍ତମ ଚରିତ୍ର ମାନଙ୍କୁ ନେଇ ନିଜ ପିଲା ମାନଙ୍କର ନାମକରଣ କରିଥାନ୍ତି । ଯେପରିକି କୃଷ୍ଣ,ରାମ,ଲକ୍ଷ୍ମଣ,ଭରତ,ଶତୃଘ୍ନ ଦୁର୍ଯୋଧନ,ଦୁଃଶାସନ,ବିଭିଷଣ,ସୀତା,ଦ୍ରୌପଦୀ,ଗାନ୍ଧାରୀ,କୁନ୍ତୀ ଏମିତି ଆହୁରି ଅନେକ ନାମ । କିନ୍ତୁ କେହି କେବେ ପୁଅର ନାମ ଶକୁନି କି ଝିଅର ନାମ ମନ୍ଥରା ରଖିବାର ସମାଜରେ ନଜରକୁ ଆସିନାହିଁ ।କାରଣ ଏହି ଚରିତ୍ର ମାନେ ସଦା ସର୍ବଦା କୁଚକ୍ରାନ୍ତକାରୀ ଭାବରେ ଯୁଗେ ଯୁଗେ ପରିଚିତ । ତାଙ୍କର ଖଳ ପ୍ରକୃତି ପାଇଁ ସେମାନେ ଇତିହାସରେ ନିନ୍ଦିତ । କିନ୍ତୁ ଏଠି ଏମିତି ଏକ ଚରିତ୍ରର ଅବତାରଣା କରାଯାଇଛି ଯାହାର ନାମ ଶକୁନି ହେଲେ ମଧ୍ୟ ମହାଭାରତର ଶକୁନି ଚରିତ୍ର ଠାରୁ ପୁରାପୁରି ଭିନ୍ନ । ତା’ହେଲେ ତା ନାଁ ଶକୁନି ହେଲା କେମିତି?ତା ନାଁ ଶକୁନି ଦେଲା କିଏ? ତା’ ବାପା ମା’ ନା ଆଉ କିଏ! ତା ବାପା ମା’ ବି ତା’ ନାଁ ଶକୁନି ଦେଲେ କେମିତି ? ବୋଧହୁଏ ଶକୁନି ଚରିତ୍ର ବିଷୟରେ ସେମାନେ କିଛି ଜାଣି ନଥିବେ, ନଚେତ ଶକୁନି ନାଁ ଟା ତାଙ୍କୁ ଭଲ ଲାଗିଥିବ । ସେ’ତ ପିଲାବେଳୁ ତା’ ବାପା ମା ଙ୍କୁ ହରାଇଛି । ତା ନାଁ କାହିଁକି ଶକୁନି ହେଲା କେହି କହିପାରନ୍ତିନି । ଯେଉଁ ଝାଟିମାଟି ର ବଖୁରାଏ ଘର ଥିଲା ତାହା ବି ମରାମତି ଅଭାବରୁ ପୁରାପୁରି ଭାଙ୍ଗି ପଡିଲା । ଆଜି ୟା ଘରେ ଓଳିଏ ତ କାଲି ଆଉ କା’ ଘରେ ଓଳିଏ ଖାଇ ତାର ଦିନ ସରିଯାଏ । ସକାଳ ବେଳା କା’ଘରେ ତ ଓପର ବେଳା ଆଉ କା’ ଘରେ ଖାଇ ବଡ ହେଇଛି । ଟିକିଏ ପାରିଲାର ହେଲା ପରେ ୟା ତା ଘରେ ଛୋଟ ମୋଟ କାମ କରିଛି । ଯିଏ ଯାହା ଖାଇବାକୁ ଦିଏ ଖାଇ ପେଟ ପୁରେଇଛି । ଯାହା ପିଣ୍ଡାରେ ସଞ୍ଜ ହୁଏ ସେଇଠି ତାର ରାତି ପାହେ । କିଏ ଦୟା ଦେଖାଇ ଦେଲେ ଖାଏ ନଚେତ ଭୋକିଲା ପେଟରେ ରାତି ପାହିଯାଏ । ପାଟି ଖୋଲି କାହାକୁ କେବେ ଖାଇବାକୁ ମାଗିନି । ନ ମାଗିଲେ ବି ତାକୁ ମିଳିଯାଏ । ଲୋକଙ୍କର ତା’ ପ୍ରତି ଦୟା ମନୋଭାବ ଯଥେଷ୍ଟ । କାରଣ ସେ ସରଳ ନିରୀହ ପିଲାଟିଏ । କାହା କଥାକୁ କେବେ ଅମାନ୍ୟ କରେନି, ଯିଏ ଯାହା ବୋଲ ହାକ ବତାଏ କରେ କାହାକୁ ନାହିଁ କରେନି । ତା ବଦଳରେ ତାକୁ ଖାଇବାକୁ ଗଣ୍ଡେ ଆଉ ପିନ୍ଧିବାକୁ ଖଣ୍ଡେ ମିଳିଯାଉଛି । ଆଉ କଣ ତାର ଦରକାର । ତା ପାଇଁ ସେତିକି ଯଥେଷ୍ଟ ବୋଲି ସେ ଭାବେ । ଟିକିଏ ବଡ ହେବା ପରେ ସରପଂଚ ବାବୁ ଘରର ବୋଲ ହାକ କରିବା ପାଇଁ ତାକୁ ନେଇ ରଖିଛନ୍ତି । ସମସ୍ତେ ସମସ୍ତେ ତାକୁ ଭଲ ପାଆନ୍ତି । ଏ ଭିତରେ ଘରେ ସେ ସମସ୍ତଙ୍କର ପ୍ରିୟ ହୋଇସାରିଛି । ସମସ୍ତେ ତାକୁ କାମ କରାନ୍ତି ଆଉ ସମସ୍ତଙ୍କ କାମ କରିବା ପାଇଁ ସେ ଚେଷ୍ଠା ମଧ୍ୟ କରିଥାଏ କାରଣ ତା ପାଟିରୁ ‘ନା’ ପଦ ବାହାରେନି କି କାହାକୁ ନା କହି ସେ ମନଦୁଃଖ କରାଇବାକୁ ଭଲ ପାଏନି । ପାରୁ ପର୍ଯ୍ୟନ୍ତ ସେ କରେ । ସରପଂଚ ବାବୁ ଭାରୀ ଭଲ ଲୋକ । ତାକୁ ଭାରୀ ଭଲ ପାଆନ୍ତି,ଯୁଆଡେ ଗଲେ ତାକୁ ସାଙ୍ଗରେ ନେଇ ଯାଆନ୍ତି । ତାଙ୍କର ସବୁ କାମ ସେ କରିଦିଏ ସେ ସରକାରୀ କାମ ହେଉ କି ଘର କାମ ହେଉ ସବୁ ସେ ତା ଦ୍ୱାରା କରାନ୍ତି । ତାଙ୍କ କହିବା କଥା ହେଲା,ଏ ଗାଁରେ ସେ ହିଁ ଜଣେ ଭରସା ଯୋଗ୍ୟ ପିଲା ଯାହାକୁ ଆଖି ବନ୍ଦ କରି ଭରସା କରି ହୁଏ । ସରପଂଚ ବାବୁ ଏବେ ତାର ଖାଲି ପଡିଥିବା ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେଇଛନ୍ତି । କହିଲେ ତୁ କଣ ସବୁଦିନ ଏମିତି ୟା ଓଳି ତା ଓଳି ତଳେ ଆଶ୍ରୟ ନେଉଥିବୁ? ତତେ ଋଣ କରେଇ ଅଟୋରିକ୍ସା ଟିଏ ମଧ୍ୟ ବାହାର କରିଦେବି, ଭଲ ଝିଅ ଦେଖି ବାହା କରିଦେଲେ ତୁ ତୋ ସଂସାର ନେଇ ଚଳିବୁ । ଆଜିକାଲି ଶକୁନି ତା’ ନୂଆ ଘରେ ଶୋଇ ଶୋଇ ସ୍ୱପ୍ନ ଦେଖା ବି ଆରମ୍ଭ କରିଦେଲାଣି । ସରପଂଚ ବାବୁ ଭାରୀ ଭଲ ଲୋକ । ହେଲେ ତାଙ୍କ ପୁଅ ସାନବାବୁ କୁ ସେ ଭାରୀ ଭୟ କରେ । ସେ ଭାରୀ ରାଗୀ, କଥା କଥାରେ ଗାଳି କରନ୍ତି । ତାଙ୍କ କାମରେ ଟିକେ ଡେରି ହେଲେ ଆରମ୍ଭ ହୋଇଯିବ ଗାଳି ବର୍ଷଣ । ହେଲେ ସରପଂଚ ବାବୁ ସବୁ ସମ୍ଭାଳି ନିଅନ୍ତି । ତାଙ୍କରି ଦୟାରୁ ତ ଏଠି ଆଶ୍ରା ପାଇ ପୁଅ ପରି ରହିଛି । ତାକୁ ସାନବାବୁ ଭଲ ଲାଗନ୍ତିନି କାରଣ ଯେତେ ସବୁ ନିଶା ଜିନିଷ ତା ହାତରେ ଅଣାଇବେ,ଏପଟ ସେପଟ ହେଲେ ତା ଉପରକୁ ହାତ ବି ଉଠିଯାଏ । ତଥାପି ସେ ତାଙ୍କର ସବୁ କାମ କରେ । ମନା କରି ପାରେନି, କାରଣ କାହା କଥାକୁ ସେ ଅମାନ୍ୟ କରି ପାରେନି । ସବୁ କଥାରେ ହଁ କରିବା ତାର ଜନ୍ମଗତ ପ୍ରକୃତି ବୋଧେ । ସେଦିନ ଗାଁ ସ୍କୁଲରେ ଜଣେ ଦିଦି ଜଏନ କଲେ । ସରପଂଚ ବାବୁ ତାକୁ ଘରକୁ ନେଇ ଆସିଲେ । ଶକୁନି ସହିତ ପରିଚୟ କରାଇ ଦେଇ ତାର ରହିବା ଖାଇବା ର ବ୍ୟବସ୍ଥା କରିଦେବା ପାଇଁ କହିଲେ । ଶକୁନିକୁ ସ୍କୁଲ ଦିଦି ଭାରୀ ଭଲ ପାଆନ୍ତି ।ତାକୁ ସାନ ଭାଇ ଭଳି ସ୍ନେହ କରନ୍ତି । ଟିକେ ରୁ ଟିକେ ଜିନିଷ ତାକୁ ଖାଇବାକୁ ଦିଅନ୍ତି । ଶକୁନି ବି ତାଙ୍କ ସହିତ ସ୍କୁଲ ଲୁ ଯାଏ । ତାଙ୍କ ସହିତ ବଜାର ସଉଦା କରେ । ଦିଦି ଙ୍କୁ ନିଜ ବଡ ଭଉଣୀ ବୋଲି ମାନେ । କିନ୍ତୁ ପୁଅର ହାବ ଭାବ ସରପଂଚ ବାବୁ ଙ୍କୁ ଭଲ ଲାଗୁ ନଥିଲା । ଦିନକୁ ଦିନ ପୁଅର ବ୍ୟବହାର ଓ ତାର ମତି ଗତି କୁ ଲକ୍ଷ୍ୟ ରଖି ସରପଂଚ ବାବୁ ସ୍କୁଲ ଦିଦି ଙ୍କୁ ନେଇ ଗାଁ ରେ ଆଉ ଜଣଙ୍କ ଘରେ ରହିବାର ବ୍ୟବସ୍ଥା କରିଦେଲେ ଏବଂ ତାର ଦେଖା ଶୁଣା କରିବା ପାଇଁ କହି ଆସିଲେ । ସେତିକିରେ ତାଙ୍କ ମନ ମାନିଲାନି । ତା ଉପରେ ପୁଣି ଶକୁନିକୁ ଡାକି ଦିଦି ଙ୍କ ପାଖେ ପଖେ ରହି ତାଙ୍କ ଭଲ ମନ୍ଦ ବୁଝିବା ପାଇଁ କହିଲେ । ସରପଂଚ ବାବୁ ଙ୍କ ବ୍ୟସ୍ତତା ଦେଖି ଶକୁନି ବି ବ୍ୟସ୍ତ ହୋଇ ପଡିଲା । ବାବୁ ଙ୍କ କଥା ଅନୁଯାୟୀ ତାର ପ୍ରାୟ ସମୟ ଏବେ ଦିଦିଙ୍କ ସହିତ କଟେ । ଶକୁନି ଦେଖୁଛି ଏଇ କିଛି ଦିନ ହେବ ବାବୁ ଭାରୀ ବ୍ୟସ୍ତ ଜଣାପଡୁଛନ୍ତି । ସେଦିନ ସେ ଶୁଣିଛି ଦିଦି ଙ୍କର ବଦଳି କଥା । ବାବୁ କାହା ସହ ଫୋନରେ କଥା ହେଉଥିଲେ । ହେଲେ ଦିଦି ତ ଏବେ ନୂଆ କରି ଏଇ ସ୍କୁଲକୁ ଆସିଛନ୍ତି, ପୁଣି ଏତେ ଶୀଘ୍ର ତାଙ୍କ ବଦଳି ପାଇଁ ସରପଂଚ ବାବୁ କାହିଁକି ଲାଗିଛନ୍ତି ଯେ? ତା ମୁଣ୍ଡରେ ଏସବୁ କିଛି ପଶୁ ନଥାଏ । ସାନ ବାବୁ ଡାକିଲେଣି, ନିଶ୍ଚୟ କିଛି ଶୁଣିବ । ‘ତୁ ଖାଲି ତମ ନୂଆ ଦିଦି ଙ୍କ କାମ କରୁଥିବୁ ନା ମୋ କାମ ବି କିଛି କରିବୁ ?ହଁ ବାବୁ କୁହନ୍ତୁ । ମୁଁ ଫାର୍ମ ହାଉସ ଆଡେ ଯାଉଛି ସେଠାରେ କାମ ଅଛି ତୁ ଆସିବୁ । ହଁ ଯଦି ସୁବିଧା ହୁଏ ତୁମ ନୂଆ ଦିଦି ଙ୍କୁ ଆମ ଫାର୍ମ ଆଡେ ଟିକିଏ ବୁଲାଇ ଆଣିବୁ । ଶକୁନି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ । ସାନ ବାବୁ କଣ ଆଜି ଭଲ କଥାବାର୍ତା କରୁଛନ୍ତି, ତାଙ୍କ ଦେହ ଭଲ ଅଛି ତ? ତାଙ୍କ ପାଟିରୁ ସେ ଖାଲି ଗାଳି ଶୁଣେ । ତା ପାଇଁ ସେ ସବୁବେଳେ ଗାଳି ହିଁ ରଖିଥାନ୍ତି । ଭାରୀ ଖୁସି ହୋଇଗଲା ଶକୁନି । ମୁଣ୍ଡ ହଲାଇ ହଁ ମାରି ଖୁସିରେ ଚାଲିଗଲା ଦିଦି ଙ୍କୁ ଆଣିବା ପାଇଁ । ଶକୁନି ଦିଦି ଙ୍କୁ ବୁଲାଇ ବୁଲାଇ ଫାର୍ମର ସବୁ ଗଛ ବାଡି ବଗିଚା ଦେଖାଇ ସାରିବା ପରେ ଫାର୍ମ ହାଉସ ଭିତରକୁ ଆଣି ବାବୁଙ୍କ ସହିତ ପରିଚୟ କରାଇଦେଲା । ‘ଆରେ ଶକୁନି, ଦିଦିଙ୍କୁ ଆମ ବଗିଚାର କିଛି ଫଳ ପନିପରିବା ଦେ’ ଏମିତି ବେଳେ ବେଳେ ସ୍କୁଲ ସରିବା ପରେ ଦିଦିଙ୍କୁ ନେଇ ଶକୁନି ଫାର୍ମ ଆଡେ ବୁଲାଇ ଆଣେ । ସେଦିନ ସ୍କୁଲ ଛୁଟି ଥିଲା । ଶକୁନି ଆସି ଦିଦି ଙ୍କ ପାଖରେ ପହଂଚିଗଲା । ଆଜି ସାନ ବାବୁ ଖାଇବାକୁ ଡାକିଛନ୍ତି,ଫାର୍ମ ହାଉସରେ ରୋଷେଇ ହେବ । ଶିଘ୍ର ଗଲେ ମିଶି ରୋଷେଇ କରିବା କହି ଦିଦିଙ୍କୁ ନେଇ ଫାର୍ମ ହାଉସ ଆଡେ ଚାଲିଲା । ଦିଦି ରୋଷେଇ କାର୍ଯ୍ୟ ଆରମ୍ଭ କଲେ, ଶକୁନି ତାଙ୍କୁ ସାହାଯ୍ୟ କଲା । ଏ ଭିତରେ କିଛି ଜିନିଷ ଆଣିବା ପାଇଁ ତାକୁ ସାନବାବୁ ବଜାର କୁ ପଠାଇଲେ । ଦୋକାନ କୁ ଗଲାବେଳେ ବାଟରେ ଦେଖିଲା ଗାଁ ର ପବନା ମଉସା ଙ୍କୁ । ବସିବା ଜାଗାରୁ ଉଠି ପାରୁ ନାହାନ୍ତି । ଦେହରେ ଭୀଷଣ ତାତି,କମ୍ପରେ ଦେହ ଥରୁଚି । ତାଙ୍କୁ ସେ ଏକୁଟିଆ ଟେକି ପାରିଲାନି । ଗାଁ ର ଆଉ କେତେଜଣ ଙ୍କୁ ଡାକି ସାଙ୍ଗ ହୋଇ ତାକୁ ନେଇ ତାଙ୍କ ଘରେ ନେଇ ତାଙ୍କ ଘରେ ଛାଡି ଆସିଲେ । ଶକୁନିର ସାନବାବୁ କଥା ମନେ ପଡିଗଲା, ତାକୁ କିଛି ଜିନିଷ ଆଣିବା ପାଇଁ ପଠେଇଥିଲେ । ଏତେ ଉଛୁର ହେଲାଣି, ନିଶ୍ଚୟ ରାଗୁଥିବେ । ଆଜି ବହେ ଶୁଣିବ କହି ଧାଇଁଲା ଫାର୍ମ ଆଡକୁ । ବାବୁ ବାହାରେ ଏପଟ ସେପଟ ହେଉଛନ୍ତି । ଦେହ ସାରା ତାଙ୍କର ଝାଳ । ବାବୁ ଙ୍କର ଏତେ ସମୟ କଣ କରୁଥିଲୁ ପ୍ରଶ୍ନର ଉତର ଦେବାକୁ ଯାଉ ଯାଉ ଦେଖିଲା ଦିଦି ଙ୍କର ରକ୍ତ ଜୁଡୁ ବୁଡୁ ଶରୀର ତଳେ ପଡିରହିଛି । ପାଖରେ ପରିବା କଟା ଛୁରୀ ପଡିଛି । ସେ ବଜାର କୁ ଯିବା ବେଳେ ଦେଖିଛି ଦିଦି ଏଥିରେ ପରିବା କାଟୁଥିଲେ । ବଜାର ରୁ ଯିବା ଆସିବା ଭିତରେ ଏସବୁ କଣ ହେଇଗଲା! ‘ସାନବାବୁ ଦିଦିଙ୍କର କଣହେଲା, ତାଙ୍କର ଏମିତି ଅବସ୍ଥା କିଏ କଲା । ତୁ କରିଛୁ, ।

  ମୁଁ’ ହଁ, ତୁ 

  ମୁଁ କେତେବେଳେ

 ପାଟି ଚୁପ୍ ବେଶୀ କଥା ବାର୍ତା କରନା । ମୁଁ ଯାହା କହୁଛି ଖାଲି ଶୁଣ୍ । ସେ ମରି ସାରିଛି । ପୋଲିସ ଆଗରେ ତୁ ମାରିଛୁ ବୋଲି କହିବୁ, ମୁଁ ପୋଲିସ କୁ ଫୋନ କରିସାରିଛି । ପୋଲିସ ଏବେ ଆସୁଥିବ । ସବୁ ବେଳେ ସବୁକଥାରେ ହଁ ମାରିବା ପରି ଖାଲି ମୁଣ୍ଡ ହଲାଇଲା ଆଉ କିଛି କହି ପାରିଲାନି । ଆଣ୍ଠୁ ମାଡି ଦିଦିଙ୍କ ଶରୀର ପାଖେ ନଥ୍ କରି ବସିପଡିଲା । ଗୋଟିଏ ଲୟରେ ଦିଦିଙ୍କୁ ଚାହିଁ ରହିଥାଏ । କଣ କରିବ କଣ ନାହିଁ ଆଗକୁ ସେ କିଛି ଭାବି ପାରୁ ନଥାଏ । ତା ଆଖିରେ ଖାଲି ସରପଂଚ ବାବୁ ଙ୍କ ଚେହେରା ଦେଖାଗଲା । ସରପଂଚ ବାବୁ ଙ୍କର ସେ ଋଣିଆ ହୋଇ ରହିଛି । ପୋଲିସ କିଛି ପଚାରିବା ପୂର୍ବରୁ ସେ ନିଜ ଦୋଷ ସ୍ୱୀକାର କରିନେଲା । ମୁଁ ଦିଦିଙ୍କୁ ମାରିଛି । ମୁଁ ତାକୁ ମାରିଦେଲି । ହଁ ମୁଁ ମାରିଦେଲି.... । ମିଛ କହିବାରେ ତାର ପାଟି ଟିକିଏ ବି ଖନି ବାଜୁ ନଥିଲା । ସେତେବେଳକୁ ଗ୍ରାମବାସୀ ସରପଂଚ ବାବୁ ସମସ୍ତେ ଆସି ସେଠାରେ ରୁଣ୍ଡ ହୋଇ ସାରିଥିଲେ । ସରପଂଚ ବାବୁ କିନ୍ତୁ ସତ କଣ ଠଉରେଇ ସାରିଥିଲେ । ତାଙ୍କ ପୁଅର ଆଖି ଆଉ ଶକୁନି ଆଖି ଭିତର ଫରକ ଟାକୁ ସେ ବେଶ୍ ବୁଝି ସାରିଥିଲେ । ତଥାପି ସେ ଚୁପ ଥିଲେ । ଚାହିଁଥିଲେ ସେ ସବୁକିଛି କରିପାରିଥାନ୍ତେ ଅସଲି ଦୋଷୀ କୁ ସମସ୍ତଙ୍କ ସାମ୍ନାକୁ ଆଣି ଉଚିତ ଦଣ୍ଡ ଦେଇପାରିଥାନ୍ତେ କିନ୍ତୁ ସେ ପୁତ୍ର ମୋହରେ ହେଉ କି ପଦବୀ ମୋହ ରେ ହେଉ ଚୁପ୍ ଥିଲେ । ପୋଲିସ ହାତକଡି ଲଗାଇ ନେଲାବେଳେ ଗ୍ରାମବାସୀ ମାନେ କୁହାକୁହି ହେଉଥିଲେ ଦେଖ ଏଇ ସରଳ ନିରୀହ ମୁଁହରେ ପୁଣି ଏତେ ପାପ ଲୁଚିଥିଲା । ସେଥିପାଇଁ ଦିଦି ଙ୍କ ପଛରେ ସବୁବେଳେ ଛାଇପରି ଲାଗି ରହିଥିଲା । ନାଁ ଯେମିତି କାମ ବି ସେମିତି । ଶକୁନି, ନାମକୁ ସାର୍ଥକ କରି ସରପଂଚ ବାବୁ ଙ୍କ ଆଡକୁ କରୁଣ ଚାହାଁଣିରେ ଅନାଇ ଭିଡ ଭିତରେ ଆଗକୁ ଆଗକୁ ଚାଲି ଯାଉଥିଲା ।                          


Rate this content
Log in

Similar oriya story from Abstract