Rozalini Mishra

Tragedy Abstract

3.9  

Rozalini Mishra

Tragedy Abstract

ଭିନ୍ନ ଏକ ଇଚ୍ଛା ମୃତ୍ୟୁ

ଭିନ୍ନ ଏକ ଇଚ୍ଛା ମୃତ୍ୟୁ

4 mins
748


ଖଟିଆ ଉପରେ ପଡି ପଡି ବିରକ୍ତ ହେଇଗଲାଣି ସନିଆ । ତାର ପ୍ଲାଷ୍ଟର ହେଇଥିବା ଭଙ୍ଗା ଗୋଡଟା କେବେ ଖୋଲା ହବ କେଜାଣି । ମାଳତୀ ସନିଆର ଗୋଡ ଆଉଁସି ଦଉ ଦଉ କହିଲା ଏମିତି ଅଧର୍ଯ୍ୟ ହେଲେ କେମିତି ହେବ । ମାତ୍ର ଚାରି ଦିନ ତ ହେଇଛି । ଡାକ୍ତର କହିଛନ୍ତି ମାସେ ପରେ ଖୋଲା ହବ ପ୍ଲାଷ୍ଟର ।

ସ୍ତ୍ରୀ ମାଳତୀ ଆଉ ଗୋଟିଏ ପୁଅକୁ ନେଇ ସନିଆର ଅଭାବୀ କିନ୍ତୁ ସୁଖୀ ସଂସାର । ସମ୍ପତି କହିଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଆଉ ମାଣେ ଜମି । ନିଜ ବାଡ଼ିରେ ପନିପରିବା ଚାଷ କରି ସୁଖେ ଦୁଃଖେ ଚଳି ଯାଆନ୍ତି ତିନି ପ୍ରାଣୀ । କିଛିଦିନ ହେବ ମାଳତୀକୁ ବାରମ୍ବାର ଜ୍ୱର ହେଉଛି । କିଛିଦିନ ତଳେ ମୁଣ୍ଡ ବୁଲେଇ ପଡିଯିବାରୁ ସନିଆ ତାକୁ ନେଇ ଯାଇଥିଲା ବଡ ଡାକ୍ତରଖାନା । ଡାକ୍ତର ପରୀକ୍ଷା ନିରୀକ୍ଷା କରି ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଲେ । ଆଉ କହିଲେ ତୁମ ବ୍ଲଡ ସାମ୍ପୁଲ ବାହାରକୁ ପଠାଯିବ ଟେଷ୍ଟ ପାଇଁ । ତିନି ଦିନ ପରେ ରିପୋର୍ଟ ଆସିଲେ ଜଣା ପଡିବ କଣ ହୋଇଛି । ସେଦିନ ସନ୍ଧ୍ୟା ବସ୍ ରେ ଡାକ୍ତରଖାନାରୁ ଘରକୁ ଫେରୁଥିଲେ ମାଳତୀ ଆଉ ସନିଆ । ବସ୍ ରୁ ଓହ୍ଲାଇବା ବେଳକୁ ଗୋଡ ଖସି ପଡିଯାଇ ସନିଆର ଏ ଅବସ୍ଥା । ଭଙ୍ଗା ଗୋଡକୁ ଧରି ଖଟିଆ ଉପରେ ବସିଛି ଚାରି ଦିନ ହେଲାଣି ସନିଆ । ବିଚାରୀ ମାଳତୀ ହଇରାଣ ହେଇଗଲାଣି ଘର ବାହାର କାମ ବୁଝି ବୁଝି । ସନିଆ କହିଲା ମାଳ ମୋର ତ ଗୋଡ ଭାଙ୍ଗି ଯାଇଛି । ତୋର ରିପୋର୍ଟ ଆଣିବା ପାଇଁ ଡାକ୍ତରଖାନା କେମିତି ଯିବି ମୁଁ? ମାଳତୀ କହିଲା ତୁମେ ବ୍ୟସ୍ତ ହୁଅନି । କାଲି ଆମେ ମା' ପୁଅ ଯାଇ ରିପୋର୍ଟ ଆଣି ଡାକ୍ତରଙ୍କୁ ଦେଖା କରିଦେଇ ଆସିବୁ ।

ପରଦିନ ଡାକ୍ତରଖାନା ଯାଇ ରିପୋର୍ଟ ସଂଗ୍ରହ କରି ଡାକ୍ତରଙ୍କୁ ଦେଖା କରି ଘରେ ପହଞ୍ଚିଲା ମାଳତୀ । ସନିଆ ପଚାରିଲା ଡାକ୍ତରଙ୍କୁ ଦେଖା କଲୁ? ଡାକ୍ତର କଣ କହିଲେ? ମାଳତୀ କହିଲା କିଛି ହେଇନି ମ ମୋର । ଡାକ୍ତର କହିଲେ ମୋର ଖାଇବା ପିଇବା ଏପଟ ସେପଟ ହେଇ ଦେହ ଦୁର୍ବଳ ହେଇଯାଇଛି ଟିକେ । ଠିକ ଟାଇମ ରେ ଭଲ ଖାଦ୍ୟ ସହ ତିନି ମାସ ଭିଟାମିନ ଖାଇବା ପାଇଁ ଡାକ୍ତର ଲେଖିଦେଇଛନ୍ତି । ସନିଆ କହିଲା ମୁଁ ଜାଣିଥିଲି ପରା ସେଇଆ ହେଇଥିବ । ଘରେ ତ ଶାଗମୁଗ ଭଲମନ୍ଦ ଯାହା ହେଇଥିବ ସବୁ ଆଣି ମୋ ଥାଳି ରେ କୁଢେଇବୁ । ପୁଅକୁ ବଳେଇ ବଳେଇ ଖୁଆଇବୁ । ନିଜେ ବାସି ପଖାଳ ଖାଇ ଖାଇ ରହିବୁ । ତୋର ଦେହ ଦୁର୍ବଳ ହେଇ ମୁଣ୍ଡ ବୁଲେଇବ ନି ତ ଆଉ କଣ ହବ । ଏବେ ଠାରୁ ଖିଆ ପିଆ ଠିକ କର । ଭିଟାମିନ ଔଷଧ ବି ସବୁଦିନେ ତିନି ମାସ ଖାଇବୁ । ନହେଲେ ଚିହ୍ନିବୁ ମୋତେ ।

ଏହା ଭିତରେ ଦୁଇ ମାସ ବିତିଗଲାଣି । ସନିଆ ବି ଧୀରେ ଧୀରେ ଚାଲିବା ଆରମ୍ଭ କଲାଣି । ବିଲବାଡି କାମକୁ ବି ଗଲାଣି । ମଝିରେ ମଝିରେ ସନିଆ ପଚାରେ ଭିଟାମିନ ଔଷଧ ଠିକ୍ ରେ ଖାଉଛୁ ତ । ଶୁଖିଲା ହସଟେ ହସିଦେଇ ମୁଣ୍ଡ ଟୁଙ୍ଗାରିଦିଏ ମାଳତୀ ଆଉ ଆଖି ତଳକୁ କରିଦିଏ ।

ରାତିରେ ମାଳତୀ ସନିଆର ଗୋଡ ଘଷି ଦେଲାବେଳେ ସନିଆ ଏକା ଲୟରେ ଚାହିଁ ରହେ ମାଳତୀର ମୁହଁକୁ । ତା’ ଶୁଖିଲା ମୁହଁ ଆଉ ଶୂନ୍ୟ ଆଖିକୁ ଦେଖି ଭାବେ କ’ଣ ହେଇଛି ମାଳତୀର । ଧୀରେ ଧୀରେ ହାଡ ଉପରେ ଚମଡା ପରସ୍ତେ ହୋଇଗଲାଣି ମାଳତୀ । ଗାଲ, ମୁହଁ ଶୁଖି ଭିତରକୁ ପଶିଗଲାଣି । ବେକ ଚାଖଣ୍ଡେ ଛାଡି ଗଲାଣି । ଭିଟାମିନ ଔଷଧ କିଛି କାମ ଦଉନି ବୋଧେ । ମୋର ବିଲ ବାଡ଼ି କାମ ଟିକେ ସରୁ ମୁଁ ମାଳତୀକୁ ଆଉ ଥରେ ଡାକ୍ତରଖାନା ନିଶ୍ଚୟ ନେଇଯିବି ।

ସନିଆ ଡାକ୍ତରଖାନା ଯିବା କଥା କହିଲେ ମାଳତୀ ବାଆଁରେଇ ଦିଏ । କହେ ମୋର କିଛି ହେଇନି ମ’ । ତୁମେ ଗୋଡ ଭାଙ୍ଗି ଖଟରେ ଦେଢ଼ମାସ ପଡି ରହିଲ, କେମିତି ଏ ସଂସାର ଚଳେଇବି, କେମିତି ତୁମେ ଭଲ ହେବ ସେଇ ଚିନ୍ତାରେ ମୁଁ ଶୁଖିଗଲିଣି ପୁରା । ଏବେ ତ ତୁମେ ପୁରା ଭଲ ହେଇଗଲଣି, ଦେଖିବ ରୁହ ମୁଁ ବି ଠିକ୍ ହେଇଯିବି ।

କାମ କରିବାକୁ ଆଉ ବଳ ପାଉନି ମାଳତୀର । କିନ୍ତୁ ସନିଆକୁ ଜାଣିବାକୁ ଦଉନି ସେ । ଦିନେ ଦିନେ ପୁଅ ପଚାରେ ମା' ତୋର କ’ଣ ହେଇଛି? ପୁଅକୁ ଛାତିରେ ଜାକି କାନ୍ଦି ପକାଏ ମାଳତୀ । କହେ ନାଇଁରେ ଧନ, ତୁ କେମିତି ପାଠ ପଢି ଭଲ ମଣିଷ ହେବୁ, ଚାକିରୀ ଖଣ୍ଡେ କରିବୁ ସେଇ ଚିନ୍ତାରେ ମୁଁ ରହୁଛି ସବୁବେଳେ ।

ଦୁଇ ଦିନ ହେବ ଜ୍ବରରେ କମ୍ପୁଛି ମାଳତୀ । ଗାଁ ଔଷଧ ଦୋକାନରୁ ଜ୍ୱର ଔଷଧ ଆଣି ଦେଇଛି ସନିଆ । ଔଷଧ କିଛି ବି କାମ କରୁନି । ଯାହା ଖୁଆଇଲେ ବାନ୍ତି କରି ପକାଉଛି । ବାନ୍ତିରେ ରକ୍ତ ଦେଖି ଚମକି ପଡିଲା ସନିଆ । ସନ୍ଦେହ ଦୃଷ୍ଟିରେ ଚାହିଁଲା ମାଳତୀକୁ । କହିଲା ମାଳ ତୁ ମୋତେ କିଛି ଲୁଚଉନୁ ତ? କାଲି ତତେ ମୁଁ ଡାକ୍ତରଖାନା ନେଇକି ଯିବି । ଯାହା ହଉଛି ହଉ । ସନିଆର ହାତ ଦୁଇଟାକୁ ନିଜର ହାଡୁଆ ଶିରାଳ ହାତରେ ଚାପି ଧରି ମାଳତୀ କହିଲା ଆଉ ଭଲ ହେବିନି ମୁଁ । ଡାକ୍ତର ସେଦିନ କହିଥିଲେ ମୋତେ ବ୍ଲଡ଼ କ୍ୟାନ୍ସର । ଆହୁରି କହିଥିଲେ ମୋ ରୋଗ ଶେଷ ଅବସ୍ଥାରେ ଏବେ । ଚିକିତ୍ସା ପାଇଁ ବହୁତ ପଇସା ଖର୍ଚ୍ଚ ହେବ । କୋଉ ମୁହୂର୍ତ୍ତରେ କିଛି ବି ହେଇଯାଇ ପାରେ । ଠିକ୍ ଚିକିତ୍ସାରେ ରହିଲେ କିଛି ଦିନ ଅଧିକା ବଞ୍ଚିଯିବି ମୁଁ । କିନ୍ତୁ କିଛିଦିନ ଅଧିକା ବଞ୍ଚିରହି କ’ଣ କରିଥାନ୍ତି ମୁଁ । ମୋତେ ଭଲ କରିବାକୁ ଯାଇ ତୁମେ ସର୍ବହରା ହୋଇଯାଇଥାନ୍ତ ସିନା କିନ୍ତୁ ମୁଁ ଭଲ ହୋଇ ନଥାନ୍ତି ।

ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା ସନିଆକୁ । ଅଭିମାନ ଭରା କଣ୍ଠରେ କାନ୍ଦି କାନ୍ଦି ପଚାରିଲା ସନିଆ, ତୁ ଏମିତି କାହିଁକି କଲୁ ମାଳ । ମୋତେ ଜଣେଇଥିଲେ ମୁଁ କ’ଣ ତୋର ଚିକିତ୍ସା କରିନଥାନ୍ତି । ନିଜ ଇଚ୍ଛାରେ ଆଜି ଯାଏ କିଛି ବି କରିବା ପାଇଁ ଚାହିଁନୁ ତୁ । ଆଜି କ’ଣ ପାଇଁ ନିଜ ଇଚ୍ଛାରେ ମରିବା ପାଇଁ ଚାହିଁଲୁ । କ୍ଷୀଣ କଣ୍ଠରେ ମାଳତୀ ଉତ୍ତର ଦେଲା," ମୋତେ ଭଲ କରିବାକୁ ଯାଇ ତୁମେ ଆମ ଜମି ଗୁଣ୍ଠକ ବିକି ଦେଇଥାନ୍ତ । ସେତିକି ବି ଅଣ୍ଟି ନଥାନ୍ତା । ତା ପରେ ଏ ଘରଟାକୁ ବି ବିକି ଦେଇଥାନ୍ତ କିନ୍ତୁ ମୋତେ ଯମ ପାଖରୁ ଛଡେଇ ଆଣି ପାରି ନଥାନ୍ତ । ଆଉ କିଛି ମାସ ଅଧିକ ବଞ୍ଚିବା ପାଇଁ ମୁଁ କେମିତି ତୁମକୁ ସର୍ବସ୍ୱାନ୍ତ କରିଦେଇଥାନ୍ତି? ସ୍ୱାମୀ ପୁଅକୁ ରାସ୍ତା କଡରେ ଠିଆ କରି କେମିତି ଶାନ୍ତିରେ ମରିପାରିଥାନ୍ତି ମୁଁ । କେମିତି ଦେଖିପାରିଥାନ୍ତି ଏ ଘରଟା ବିକ୍ରି ହେଲା ପରେ ମୋ ପୁଅ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛି ବୋଲି । ମରଣ ଯେଉଁଠି ମୋ ଆଗରେ ବାଟ ଓଗାଳି ଠିଆ ହୋଇଛି ଆଉ ମୁଁ ତାକୁ ସ୍ପଷ୍ଟ ଭାବରେ ଦେଖି ପାରୁଛି ସେଠି ଆଉ ଇଚ୍ଛାଅନିଚ୍ଛାର ପ୍ରଶ୍ନ ଉଠୁଛି କୋଉଠି । ମୋ ବିବେକର ନିର୍ଦ୍ଦେଶରେ ମୁଁ କରିଛି ଏ ସବୁ । ଆମ ପାଖରେ ଯାହା ଏବେ ଅଛି, ମୋ ପରେ ତୁମେ ବାପା ପୁଅ ଖୁସିରେ ଚଳି ପାରିବ । କାହାକୁ ହାତ ପତେଇବା ଦରକାର ପଡିବନି । "

ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଛି ମାଳତୀର କଣ୍ଠ ସ୍ୱର । ବୁଜି ହୋଇ ଆସୁଛି ତାର ଆଖି ଦୁଇଟି । ଧାଇଁଯାଇ ପାଣି ଟିକେ ଆଣି ସନିଆ ଦେଲା ମାଳତୀର ପାଟିରେ । ଓଠର ଦୁଇକଡ ଦେଇ ପାଣି ତକ ବୋହିଆସିଲା ଦୁଇଧାର ହୋଇ । ଦଶବର୍ଷର ଛୁଆଟା କାନ୍ଦି କାନ୍ଦି ଲୋଟିଯାଉଛି ମା'ର ଛାତିରେ । ସନିଆର ବିକଳ ବୁକୁଫଟା କ୍ରନ୍ଦନ ରାତ୍ରୀର ନିର୍ଜନତାକୁ ବିଦୀର୍ଣ୍ଣ କରି ଶୁଣାଯାଉଛି ବାହାରକୁ । ଚହଲି ଯାଉଛି ରାତ୍ରିର ନିସ୍ତବ୍ଧତା ସେ କରୁଣ କ୍ରନ୍ଦନରେ । ଧୀରେ ଧୀରେ ଗହଳି ବଢୁଛି ସାନିଆର ଘର ଆଗରେ ।


Rate this content
Log in

Similar oriya story from Tragedy