ଭିକାରୀ
ଭିକାରୀ
ସମାଜର ନିମ୍ନତମ ମଣିଷଟି ଭିତରେ ବି ଥାଏ ଆତ୍ମ ସଚେତନା , ଯାହା ଆଜି ସମ୍ଭ୍ରାନ୍ତ ମଣିଷ ଭିତରେ ଖୋଜି ମିଳେନି !........
★★★★★★★
ଫୁର ଫୁର ଉଡୁଥିଲା ତା'ର ନୁଖୁରା କେଶ । ଗୋଟେ କଳା ରିବନ ବନ୍ଧା ସେଇ କେଶରୁ କେମିତି ଗୋଟେ ଦୁର୍ଗନ୍ଧ ଆସୁଥିଲା । ଅନେକ ଦିନ ହେବ ତେଲ କି ସାବୁନ ବାଜି ନଥିଲା ହୁଏତ । ଦେହର ଶୁଷ୍କ ଚମ ଶୀତରେ ଫାଟି ଦିଶୁଥିଲା ଭାରି କଦର୍ଯ୍ୟ। ପିନ୍ଧା ପୋଷାକଟା ଥିଲା ଗୋଟେ ରଙ୍ଗ ଛାଡା ପୁରୁଣା ସ୍କୁଲ ଡ୍ରେସ୍ । ଯେଉଁଟି ତା'ର ରୂପକୁ କରୁଥିଲା ବଡ଼ ବିକଳ । ଖୁବ୍ ନିକଟରେ , ତା' ଦେହକୁ ଆଉଜି ଛିଡା ହେଇଥିବା ସେଇ ଛୋଟ ଝିଅଟି ରହି ରହି ଘୁମେଇ ପଡୁଥିଲା ଆନିର ଉପରେ । ଆଉ ତା' ଦେହର ଦୁର୍ଗନ୍ଧ ବ୍ୟସ୍ତ କରୁଥିଲା ଆନିକୁ ।
ବସ୍ ରେ ଯଦି ଯିବାକୁ ହୁଏ ଏମିତି ସହଯାତ୍ରୀଙ୍କ ସହଚାର୍ଯ୍ୟ ମିଳେ । ପଛେ ବିରକ୍ତ ଲାଗୁ , କାହାରି ଦେହର ବିକୃତ ଗନ୍ଧ ବ୍ୟସ୍ତ କରୁ , କୌଣସି ଅସଭ୍ୟ ଭଦ୍ରବ୍ୟକ୍ତିଙ୍କ ଅଶାଳୀନ ବ୍ୟବହାର କଷ୍ଟ ଦେଉ ସହିବାକୁ ହୁଏ ସବୁକିଛି। ତେଣୁ ମମି ଆନିକୁ ବସ୍ ନୁହେଁ ଟ୍ରେନରେ ଯିବାକୁ କୁହେ । ହେଲେ ତା' ଘରଠୁ ରେଳ ଷ୍ଟେସନ ବହୁତ ଦୂର କିନ୍ତୁ ବସ୍ ମିଳେ ଠିକ ଘର ସାମ୍ନାରୁ । ସେଥିପାଇଁ ସେ ବସ୍ ଧରେ।
ଆନି ଗୋଟେ ଘରୋଇ ମହାବିଦ୍ୟାଳୟରେ ଗେଷ୍ଟ ଫ୍ୟାକଲ୍ଟି । ସରକାର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବାରେ ଲାଗିଛନ୍ତି । ସ୍ଥାୟୀ ଚାକିରୀ ସହ ଉପଯୁକ୍ତ ଦରମା ଦେଇ ନିଯୁକ୍ତି ବନ୍ଦୋବସ୍ତ ହେଉନି । ଏବେ ଏମିତି ଗେଷ୍ଟ ଫ୍ୟାକଲ୍ଟି ସହାୟତାରେ ଚାଲିଛି ଉଚ୍ଚ ଶିକ୍ଷା । ଏଥିରେ ଦରମା ଯଦିଓ ବହୁତ କମ କିନ୍ତୁ ଏକ୍ସପେରିଏନ୍ସ ମିଳିବାର ସୁଯୋଗ ରହିଛି ଯାହା ଭବିଷ୍ୟତରେ କାମରେ ଆସିବ। ସେଥିପାଇଁ ନିଜର ମାଷ୍ଟର ଡିଗ୍ରୀ ସରିବା ପରେ କେମିଷ୍ଟ୍ରି ଲେକ୍ଚର ଭାବେ କାମ
କରୁଛି ଆନି । ପରିବର୍ତ୍ତିତ ସମୟରେ ଉପଯୁକ୍ତ କର୍ମ ସଂସ୍ଥାନ ସମସ୍ୟା ହେଇଯାଇଛି ଏମିତି । କିନ୍ତୁ ବିକଳ୍ପ କିଛି ନାହିଁ !
***************
ସବୁଦିନିଆ ବସ୍ ଯାତ୍ରୀ ଆନି ଭେଟେ ରୋଜ ଅନେକ ଅଚିହ୍ନା ମୁହଁକୁ । କିନ୍ତୁ ସେଗୁଡିକ ଭିତରେ ଝିଅଟି ବାରି ହେଇଯାଏ ନିଜର ବିକ୍ଷିପ୍ତ ରୂପ ଲାଗି । ସବୁଦିନ ଦିଶେ ଝିଅଟି ସେଇ ନିର୍ଦ୍ଧିଷ୍ଟ ଭାବରେ ଆଉ ଟିକେ ବିରକ୍ତ କରେ ଆନିକୁ, କିନ୍ତୁ ଆନି କେବେ ଗାଳି ଦିଏନା ବରଂ ତା' ଦାରିଦ୍ର୍ୟ ଦେଖି ଦୟାକରେ । ଦାରିଦ୍ର୍ୟ ଭିତରେବି ଝିଅଟି କିନ୍ତୁ ରୋଜ ବସ୍ ଭଡା ଦିଏ । ଯେଉଁଠି ସମ୍ବଳ ଥିବା ଲୋକ ଝଗଡା କରନ୍ତି ପାଞ୍ଚ ଟଙ୍କା ଦଶ ଟଙ୍କା ପାଇଁ । ଆନିକୁ ବହୁତ ପ୍ରଭାବିତ କରେ ଏଇ ଗୁଣ ।
ଅନ୍ୟ ଯାତ୍ରୀ ମାନେ କିନ୍ତୁ ଝିଅଟିର କଦର୍ଯ୍ୟ ବେଶ ଭୁଷା ପାଇଁ ଦୁର୍ବ୍ୟବହାର କରନ୍ତି , ଦୂର ଦୂର କରନ୍ତି , ହାତ ଉଠାନ୍ତି , ଛି ଛାକର କରନ୍ତି । ହୁଏତ ସେଥିପାଇଁ ଝିଅଟି ଆନିକୁ ଖୋଜି ଖୋଜି ଆସି ତା' ପାଖରେ ଠିଆ ହୁଏ।
ହେଲେ ଆନି ଆଜି ବିରକ୍ତ ହେଇଗଲା କାରଣ ଝିଅଟି ପୂରା ଶୋଇଯାଇଥିଲା ତା' ଉପରେ । ଆଉ ତା' ଦେହର ଗନ୍ଧରେ ନାକ ଫାଟି ଯାଉଥିଲା । ସେ ଆଉ ଅଧିକ ସମୟ ତାକୁ ଝେଲି ପାରିଲା ନାହିଁ । ଟିକେ ବିରକ୍ତ ହେଇ ଉଠେଇଦେଲା ତାକୁ।
ଝିଅଟା ହଡ଼ ବଡ଼ ହେଇଗଲା । ମସିଆ ହଳଦିଆ ଦାନ୍ତ ଦେଖେଇ ହସିବାର ଅପଚେଷ୍ଟା କଲା କିନ୍ତୁ ସେ ହସରେବି ଥିଲା ଦୁର୍ଗନ୍ଧ । ଆନି ରୁମାଲ ଦେଲା ନାକରେ । ଝିଅଟି କିନ୍ତୁ ସେମିତି ହସି କହିଲା , " ଦିଦି ଦୁଇ ଦିନ ହେଲା ଜର ମୋତେ ସେଥିପାଇଁ ଭାରି ଦୁର୍ବଳ ଲାଗୁଛି , ଶୋଇଗଲି ଏମିତି ଠିଆ ଠିଆ ସରି ।''
ଆନି ଟିକେ ନିରିଖେଇ ଦେଖିଲା ଜର ହେଇଥିବା ଝିଅକୁ , ଯେ ଦେହ ଖରାପ ପରେବି ଦାନା ମୁଠେ ପାଇଁ ଘରୁ ଗୋଡ଼ କାଢି ଆସିଛି ।
କାହିଁକି କେଜାଣି ଝିଅଟି ସହ କଥା ହେବାକୁ ଇଚ୍ଛା ହେଲା । ତା' ଭିତରେ ଗୋଟେ ସ୍ୱାବଲମ୍ବୀ ମଣିଷର ଉପସ୍ଥିତି ଅନୁଭବ ହେଉଥିଲା ।
--'' ତୁ କୁଆଡେ ଯାଉଛୁ ?''
--'' ହେ ଅପା ଆଗ ମୋ ନାଁ ପଚାରୁନ , ତା' ପରେ ସିନା ଚିହ୍ନା ପରିଚୟ । ''
--'' ଆଛା ତୋ ନାଁ କ'ଣ ?''
--'' ରଙ୍ଗୀ , ବୁଝିଲ ଅପା କିନ୍ତୁ ମୋ ସାଙ୍ଗ ମାନେ ଡାକନ୍ତି ରିଲି । ତୁମେ ରିଲି ଡାକିବ ମୋର ରଙ୍ଗୀ ନାଁ ଜମା ପସନ୍ଦ ନୁହେଁ ।"
ଝିଅଟିର କଥାରେ ଆମୋଦିତ ହେଲା ଆନି । ଆତ୍ମୀୟତା ଭରା ନିଷ୍ପାପ ସଂଳାପ ସହ ଆଉ ଟିକେ ଯୋଡ଼ିଲା ଗପ ।
-- '' ହଉ ରିଲି ତୁ କୁଆଡେ ଯାଉଛୁ ?''
--'' ଏବେ ଠିକ ହେଲା , କେଡେ ନିଜର ନିଜର ଲାଗିଲା କହିଲ ଅପା । ମୁଁ ରିଲି ଆଉ ତୁମେ ଅପା । ଚିହ୍ନା ଚିହ୍ନା ନୁହେଁ !
--''ହଁ ଚିହ୍ନା ଚିହ୍ନା ।''
--'' ଅପା ମୁଁ ମେଡିକଲ ଯାଉଛି ।''
--'' କଣ ଓଷଦ ପାଇଁ ?''
--'' ନାଇଁ ଅପା ସେଇଠି କାମ କରୁଛି ପା' ମୋ ବା' ଜାଗାରେ , ମେହେନ୍ତର
କାମ । ବା' ସରକାରୀ ଚାକିରୀ କରୁଥିଲା ତ' ,ଦିହ ବିଗିଡି ଗଲା ପରେ ମୁଁ ଯାଉଛି ସେଇ କାମକୁ । ବଡ଼ ହାକିମ କଥା କରିଛନ୍ତି ରଖେଇ ଦେବେ ସେଇଠି। ''
ଆନି ଭାବୁଥିଲା କେତେ ବୟସ ଝିଅଟିର ?.......
ଏତେ ଛୋଟ ଝିଅଟିର କିନ୍ତୁ ଜୀବନକୁ ବୁଝିବାର ଶକ୍ତି ଖୁବ୍ । କଣ୍ଢେଇ ଖେଳ ବୟସରେ ଘର ସମ୍ଭାଳୁଛି ବା' ଜାଗାରେ । ଭୋକ , ଶୋଷ , ଅସୁସ୍ଥତା ସହ ଜୁଝୁଛି କିନ୍ତୁ ତଥାପି ହସ ଧାରେ ଖେଳେଇ ପାରୁଛି ମୁହଁରେ । ନିଜକୁ ନିଜେ ସମ୍ଭାଳି ନେବାର ସାହସ କିଛି ଛୋଟ କଥା ନୁହେଁ !........
ଆନି ପଚାରିଲା , " ତୁ ଖାଇଛୁ କିଛି ?''
ଝିଅଟି ମୁଣ୍ଡ ହଲେଇ ନାହିଁ କଲା । ଆନି ଝିଅଟିକୁ ଦଶ ଟଙ୍କା ଦେଲା ଆଉ କହିଲା ,
" ନେ କିଛି ଖାଇବୁ ଦେହ ଭଲ ନାହିଁ ତୋର "
ଝିଅଟି କିନ୍ତୁ ନେଲାନି ଆଉ ଭାରି ଉଦାସ ଦିଶିଲା । ହସୁଥିବା ମୁହଁରେ ଯେମିତି କଳା ବାଦଲ ଛାଇ ଗଲା ।
କହିଲା , '' ମୁଁ କାମ କରି ରୋଜଗାର କରୁଛି ଅପା , ମୁଁ ଭିକାରୀ ନୁହେଁ !''......
ଆନି ବୁଝେଇଲା ନା' ଭିକ ନୁହେଁ ଗୋଟେ ସାହାଯ୍ୟ ଭାବି ରଖିନେଉ ଝିଅଟି । ଅପା ଡାକିଛି ଯେବେ ଅପାର କଥା ଶୁଣୁ ।
ଝିଅଟି କିନ୍ତୁ ସେମିତି ଉଦାସ ସ୍ୱରରେ କହିଲା ,
'' ଅପା ଏମିତି ଦୟା ଦେଖେଇଲେ ଭଲ
ଲାଗିବନି ଜମା , ଭିକାରୀ ଭିକାରୀ ଲାଗିବ । ବା ' ମନା କରିଛି କାହାଠୁ ଏମିତି ପଇସା ନେବାକୁ । ତୁମ କାମ ପଡିଲେ ମୁଁ କରିଦେବି ସେବେ ଦେବ ବକ୍ସିସ ମନ ଖୁସିରେ ମୁଁ ନେବି
ନିଶ୍ଚିନ୍ତ ।''...
ଆଜିର ସମୟରେ ଯେଉଁଠି ସବୁଠୁ ବିତ୍ତଶାଳୀ ମଣିଷ ଭିତରେବି ଲୋଭର ସୀମା ନାହିଁ , ଅର୍ଥ ଲାଳସାର ଅନ୍ତ ନାହିଁ । ସରକାରୀ ମେଡିକାଲ ନିକଟରେ ଥିବା ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ରରୁ ମାଗଣା ଖାଇବାକୁ ସ୍ୱଚ୍ଛଳବି ପଛଉ ନାହିଁ। ସଭିଏଁ ଅନ୍ୟର ଅର୍ଥକୁ ଲୁଟିବାର ତୀବ୍ର ପ୍ରତିଯୋଗିତାରେ ସେଇଠି ନିଶ୍ୱ ଝିଅଟି ଅତ୍ୟାବଶ୍ୟକ ଥିବା ସତ୍ତ୍ୱେ ଟଙ୍କା ନେଲାନି କାରଣ ସେ ଭିକାରୀ ନୁହେଁ ।
ବସ୍ ରୁ ବାହାରି ଚାଲିଗଲା ଝିଅଟି ନିଜ ଗନ୍ତବ୍ୟ ସ୍ଥଳକୁ । କିନ୍ତୁ ଆନି ବସି ସ୍ୱାଭିମାନର ସଜ୍ଞା ଖୋଜୁଥିଲା ଝିଅଟି ଭିତରେ ।
ସୌମ୍ୟା ଶୁଭଦର୍ଶିନୀ