Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Banabihari Mishra

Abstract

4.0  

Banabihari Mishra

Abstract

ଭାଉଜ

ଭାଉଜ

6 mins
262


ଏମିତି ଏମିତି ହେଇ ଦଶଦିନ ସରିଲା। ଆଜି ଏଗାର ଦିନ। ବୁଢା ବ୍ରାହ୍ମଣ ପାକୁଆ ପାଟିରେ କେତେ କ'ଣ ଅବୁଝା ମନ୍ତ୍ର ପଢି ଦିବଙ୍ଗତ ଆତ୍ମାକୁ ତପ୍ତ ବୈତରଣୀ ପାର କରେଇବାରେ ତତ୍ପର। ଏତେ ବଡ ପରିବାର, ଚାରିଆଡେ ଖାଲି ଲଣ୍ଡିତ ମସ୍ତକ ମଣିଷଗୁଡା ହାଉଯାଉ। ସମସ୍ତେ କାମରେ ଯେମିତି ଭାରି ବ୍ୟସ୍ତ। ନିଜର ପାରିବାପଣିଆ ଆଉ ସବଜାନତା କ୍ଷମତାକୁ ପରିପ୍ରକାଶ କରିବାରେ ଚେଷ୍ଟିତ। ଏହାରି ଭିତରେ କିନ୍ତୁ ଚନ୍ଦା ଗୋଟେ ଜାଗାରେ ସ୍ଥାଣୁ ପାଲଟି ବସି ଯାଇଥିଲା। ଲଣ୍ଡା ମୁଣ୍ଡକୁ ଆଉଁସି ଆଉଁସି ଭାବୁଥିଲା, କିଏ ତା ନାଁଆଟା ଚନ୍ଦା ଦେଲା କେଜାଣି। ମୁଣ୍ଡରେ ତ ଗହଳିଆ ଗୋଛେ ଚୁଟି ଥିଲା। ତା' ମାଆ କୁହେ, ସିଏ କୁଆଡେ ପିଲାଦିନେ ଝିଅ ଛୁଆଙ୍କ ଭଳି ମୁଣ୍ଡରେ ବେଣୀ ପକୋଉଥିଲା ଆଉ ଗଣ୍ଠି ପକୋଉଥିଲା। ତଥାପି ତା ନାଁଆଟା ଚନ୍ଦା ହେଇଗଲା। ଆଜି ପଚାଶ ଟପିଲା ପରେ ବି ଚନ୍ଦାର ମୁଣ୍ଡରେ ଚୁଟିର ସାନ୍ଦ୍ରତା କମିନଥିଲା ।

ଚନ୍ଦା ପେଶାରେ ଗୋଟେ ପାଳିଆ। ମୁକୁନ୍ଦ ଗାହାଣ ସାଙ୍ଗରେ ପାଲା କରିବା ପାଇଁ ଏ ଆଖପାଖ ଦଶ ବାର ଖଣ୍ଡ ଗାଁକୁ ଯାଏ। ମୁକୁନ୍ଦ ଗାହଣଙ୍କ ପାଲା ଦଳରେ ଚନ୍ଦା ଶ୍ରୀପାଳିଆ। ଗାହଣଙ୍କ ପରେ ଦଳରେ ତା ଜାଗା। ଚନ୍ଦା ମୃଦଙ୍ଗ ବଜାଏ। ଭଲ ତାଳରେ ବଜାଏ ବୋଲି ତା'ର ନାଁ ଅଛି। ଆଗେ ମୁକୁନ୍ଦ ଗାହଣଙ୍କ ପାଲାଦଳ ଚାରିଆଡେ ଠିଆପାଲା କରିବାକୁ ଯାଉଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳି ଗଲାଣି। ସିନେମା ଆଉ ଅପେରା ଏଇ ପାଲା ଦାଶକାଠିଆ ପରି ଛୋଟ ଛୋଟ ଅନୁଷ୍ଠାନର ଅବକ୍ଷୟର ମୁଖ୍ୟ କାରଣ ହେଇ ଠିଆ ହେଇଛି। ସେଇଥିପାଇଁ ମୁକୁନ୍ଦ ଗାହଣଙ୍କ ପାଲାଦଳ ପାଇଁ ଆଉ କୁଆଡୁ ଡାକରା ଆସୁନି। ଏବେ ଖାଲି ବସାପାଲା। ମୁକୁନ୍ଦ ଗାହାଣ ବଙ୍ଗଳା ଭାଷା ଆଉ ଓଡିଆ ଲିପିରେ ଲେଖା ସତ୍ୟନାରାୟଣ ପାଲା ବହି ଗାଆନ୍ତି ଆଉ ଚନ୍ଦା ଓ ତା ସାଥୀ ପାଳିଆମାନେ ପାଳି ଧରନ୍ତି। ମଝିରେ ମଝିରେ ଠିଆପାଲା ଭଳି ମଜାକଥା, ଢଗଢମାଳି, ବିଭିନ୍ନ ପୌରାଣିକ ପ୍ରସଙ୍ଗର ଆଲୋଚନା ମଧ୍ୟ ହୁଏ। ସେଇଥିପାଇଁ ପାଲା ସଞ୍ଜବେଳେ ଆରମ୍ଭ ହୋଇ ସରିଲା ବେଳକୁ ରାତି ଦଶଟା କି ସାଢେ ଦଶଟା ହେଇଯାଏ। ଆଉ ଯଦି ମର୍ଦ୍ଦଗାଜୀ ଜନ୍ମପାଲା ହେଉଛି, ସେଥିରେ 'ପାଲା ହୈଲ ସାୟେ' ଶୁଣିବା ପାଇଁ ଅଧରାତି ହେଇଯାଏ। ସତ୍ୟନାରାୟଣ ପାଲାରେ ଏଇ ଜନ୍ମପାଲାଟା ସବୁଠାରୁ ବଡ ଅଧ୍ୟାୟ। 

ଜୀବନ ଜୀବିକା ଚଳେଇବା ପାଇଁ ଯାହା ତ ହେଲେ କରିବାକୁ ପଡିବ, ସେଇଥିପାଇଁ ଚନ୍ଦା ପାଲା ସାଙ୍ଗକୁ ଋତୁକାଳୀନ ବେପାର କରେ। ନଈ ଆରପାରି ଗାଁରେ ବିରି ଶସ୍ତା ତ ସେଠାରୁ ବିରି ଆଣି ସାଇକେଲରେ ହାଟକୁ ନିଏ। ସେଇମିତି ଏପଟରୁ ଯାହା ଶସ୍ତା, ତାକୁ ସେପଟରେ ବିକେ। ଭଲ ଦି'ପଇସା ହାତକୁ ଆସେ। ଯାହା ଯୋଉଠୁ ମିଳେ, ସବୁ ଭାଉଜ କାନିରେ ଅଜାଡି ଦେଇ ନିଶ୍ଚିନ୍ତ ହେଇଯାଏ। ତାଙ୍କ ପାଲାଦଳରେ ଅନ୍ୟମାନେ କେହି ବ୍ରାହ୍ମଣ ନୁହନ୍ତି। ସେଇ ଦୃଷ୍ଟିରୁ ଚନ୍ଦାକୁ ସମସ୍ତେ ଚନ୍ଦାନ୍ନା ଡାକନ୍ତି। ବେପାର ବଣିଜ କଲେ ବି ବୈଶ୍ୟ ନହୋଇ ସେ ଅନ୍ୟମାନଙ୍କ ପାଇଁ ନନା। ଆଜିକି ଦଶଦିନ ହେଲା ଚନ୍ଦାର ଭାଉଜ ମଲେଣି। ପଙ୍କ, ତା ବଡଭାଇ ଆଠବର୍ଷ ତଳୁ ସେପାରିକୁ ଗଲେଣି। ଓଡ଼ିଆ ନାମ ଦିତେ ପାରେ, ଡାକତେ ପାରେନ ବୋଲି ବଙ୍ଗଳା ଲୋକମାନେ କୁହନ୍ତି। ସେଇଥିପାଇଁ ଦି ଭାଇ ପଙ୍କଜଲୋଚନରୁ ପଙ୍କ ଆଉ ଚନ୍ଦ୍ରମଣିରୁ ଚନ୍ଦା ହେଇଯାଇଛନ୍ତି। ଏ ପର୍ଯ୍ୟନ୍ତ ଦି ଭାଇ ଏକାଠି ଅଛନ୍ତି। ଚନ୍ଦା ଆଉ ତା ଭାଉଜଙ୍କ ବୟସର ଅନ୍ତର ଆଠ କି ଦଶବର୍ଷ ହେବ। ତା ଭାଇ ତ ତାଠୁ ବାର କି ଚଉଦ ବର୍ଷ ବଡ। ପିଲାଟି ଦିନରୁ ସେଇ ପଙ୍କ ତା'ର ବାପା, ସେଇ ତାର ମାଆ। ବାପା ତ ତା ପିଲାବେଳୁ ସେପାରିକୁ ଯାଇଥିଲେ। ମାଆ ଖାଲି ଥିଲା। ନନା ସବୁ ଘରକଥା ବୁଝୁଥିଲେ। କାଳର ଡାକରାରେ ମାଆ ଆଉ ତା କିଛି ବର୍ଷ ପରେ ନନା ଚାଲିଗଲେ। ନିଜେ ଘରର ବୟସ୍କ ପୁରୁଷ ଭାବେ ସବୁ ଦାୟିତ୍ୱ ମୁଣ୍ଡରେ ମୁଣ୍ଡେଇ ଥିଲା। ହେଲେ ଏ ଭାଉଜ ମାଆ ପରି ମଲା ପର୍ଯ୍ୟନ୍ତ ଚନ୍ଦାର ସବୁ ଅଳିଅର୍ଦ୍ଦଳି ବୁଝୁଥିଲେ। ଠିକ୍ ନିଜ ପୁଅଭଳି। 

ଚନ୍ଦା ଆଜି ମନେପକୋଉଥିଲା, ତା ଭାଇ ବାହାଘରରେ ସିଏ ମାର୍କୁଣ୍ଡି ହେଇ ଯାଇଥିଲା। ସେତେବେଳେ ତାକୁ ନ' କି ଦଶ ବର୍ଷ। ବର ସାଙ୍ଗରେ ରିକ୍ସାରେ ବସି କନ୍ୟା ଘରେ ପହଞ୍ଚିବା ପରଠାରୁ ଚନ୍ଦା ତା ଭାଉଜଙ୍କ କାନି ଛାଡି ନଥିଲା। ସେଇଦିନଠୁ ସେ ଦି'ଜଣଙ୍କ ଭିତରେ ଏମିତି ଗୋଟେ ମାଆ ପୁଅର ବନ୍ଧନ ସୃଷ୍ଟି ହେଇଯାଇଛି ଯେ ଅଦ୍ୟାବଧି ସେଥିରେ କୌଣସି ଆବିଳତା ଆସିନି। 

ଆଜି କିନ୍ତୁ ଚନ୍ଦା ପୁରା ଏକୁଟିଆ ହେଇଯାଇଛି। ନନା ବାହାଘରବେଳେ ବରକନ୍ୟାଙ୍କର ହାତଗଣ୍ଠି ପଡିବାବେଳେ ଚନ୍ଦା ତା ଭାଉଜକୁ କହିଲା, "ଭାଉଜ, ମୋ ହାତଟା ବି ଗଣ୍ଠି ପକେଇ ଦିଅ"। ସ୍ନେହରେ ଭାଉଜ କହିଥିଲେ, ବୟସ ହେଲାପରେ ମୁଁ ତମ ପାଇଁ ଗୋଟେ କନିଆଁ ଯୋଗାଡ କରି ହାତଗଣ୍ଠି ପକେଇ ଦେବି। ସତକୁ ସତ ଯେମିତି ତାକୁ କୋଡିଏ ପୁରିଛି, ନିଜର ଜଣେ ଦୂର ସମ୍ପର୍କୀୟ ଭଉଣୀ ରମା ସାଙ୍ଗରେ ତା ହାତକୁ ଛନ୍ଦି ଦେଇଥିଲେ। ଅଳ୍ପ ଦିନ ଘରସଂସାର କଲାପରେ ରମା ବି ବାଡି କୂଅକୁ ପାଣି ଆଣିବା ପାଇଁ ଗଲା ଯେ ସକାଳୁ ଯାଇ ସଞ୍ଜରେ ମଡା ହେଇ କୂଅରେ ଭାସିଲା। କୂଅ ଦଉଡିଟା ଗୋଡରେ ଛନ୍ଦି ହେଇ ଯାଇଥିଲା। ସେଇଦିନଠୁ ଚନ୍ଦା ଏକୁଟିଆ। ଭାଉଜ କେତେ କରି ବୁଝେଇଲେ ଆଉଥରେ ବାହାଚୋରା ହେଇ ଘରସଂସାର କରିବାକୁ। ଚନ୍ଦାର 'ନା' ଆଗରେ ଭାଉଜଙ୍କ ସବୁ ଜିଦ୍ ହାର୍ ମାନିଥିଲା। 

ଖାଲି ଭାଉଜ ନୁହେଁ, ପୁତୁରା ରବି ମଧ୍ୟ ଆଜି ପର୍ଯ୍ୟନ୍ତ ଚନ୍ଦାକୁ ଘରର ମୁରବି ଦୃଷ୍ଟିରେ ଦେଖେ। ଘରର ସବୁ କଥାରେ ରବି ପଚାରେ। ହେଲେ ଚନ୍ଦା ଭାଉଜକୁ ନ ପଚାରି କୌଣସି ପଦକ୍ଷେପ ନିଏ ନାହିଁ କି ରବିକୁ କିଛି କରିବା ପାଇଁ କୁହେନି। ଆଜି କିନ୍ତୁ ଟିକେ ଅଲଗା। ଆଉ ଭାଉଜ ନାହାନ୍ତି ଯେ ଟିକିଏ କିଛି ହେଲେ ପଚାରିବାକୁ ଦଉଡି ଯିବ। ଏବେ ତାକୁ ସବୁକଥା ଭାବିଚିନ୍ତି କରିବାକୁ ହେବ ଆଉ କହିବାକୁ ହେବ। 

ସେପଟେ ଶାନ୍ତ୍ୟୋଦକ ପାଇବାର ସମୟ ହେଇଗଲାଣି। ପଇତା ବଦଳେଇ ଶାନ୍ତ୍ୟୋଦକ ପାଇଲେ ମୃତକ ପାଳୁଥିବା ପରିବାର ଶୁଦ୍ଧ ହେଇଯାଆନ୍ତି। ଏଇଟା ଶାସ୍ତ୍ର ମତ। ହେଲେ ପରିବାରରେ ଯେଉଁ ଶୂନ୍ୟତା ସୃଷ୍ଟି ହେଲା, ବିଶେଷ ଭାବେ ଚନ୍ଦା ପାଇଁ, ସେଇଟା ପୂରଣ ହେବାର ବାଟ କାଇଁ ଶାସ୍ତ୍ରରେ ତ କୋଉଠି ଲେଖା ହେଇନି। ଚନ୍ଦା ମୁଣ୍ଡଟାକୁ ଆଉଁସି ଆଉଁସି ଚନ୍ଦା ଧୀରେ ଧୀରେ ଉଠିଲା। ସମସ୍ତେ ତାକୁ ଅପେକ୍ଷା କରିଛନ୍ତି। ପୁରୋହିତ ମନ୍ତ୍ର ପଢି ପାଣି ଛିଞ୍ଚିବେ। ତିନିଖିଅ ପଇତା ବିସର୍ଜନ ଦେଇ ନୂଆ ଛ'ଖିଅ ପଇତା ଲଗେଇଲେ ଆଉ ସେମାନେ ଅସ୍ପୃଶ୍ୟ ରହିବେନି। ତା'ପରେ ଅଧ ରାତିରେ ପ୍ରେତକୁ ତା'ର ଗନ୍ତବ୍ୟ ସ୍ଥାନକୁ ପଠେଇଦେଲେ ସମସ୍ତ ପ୍ରେତକ୍ରିୟା ସରିଲା। ପ୍ରେତକୁ ବିସର୍ଜନ କରି ଫେରିବା ପରେ ଘରେ ବାଲିଶଯ୍ୟାରେ ଦେଖାଯିବ ପ୍ରେତ କୋଉ ଯୋନିରେ ଜନ୍ମ ନେଲା।

ଏକାଦଶାହର ସବୁ କ୍ରିୟାକର୍ମ ସରିଲା। ସେତେବେଳକୁ ସଞ୍ଜ ନଇଁ ଆସିଲାଣି। କାଲି ବାରଦିନ। ଗାଁଆଟାଯାକ ଭୋଜି ଖାଇବେ। ସେଥିରେ ପୁଣି ପ୍ରଥା ଅନୁସାରେ ମାଛ ଆଇଁଷର ବ୍ୟବସ୍ଥା ହେବ। ନନା ସେପାରିକୁ ଚାଲିଗଲା ପରେ ଭାଉଜ ଆଇଁଷ ଖାଆନ୍ତିନି। ବିଧବା, ପୁଣି ବ୍ରାହ୍ମଣ ଘର। ସେଇଥିପାଇଁ ଚନ୍ଦା ବି ଆଇଁଷ ଖାଏନି। ଘରେ ଖାଲି ଏଇ ରବିଟା ପାଇଁ ବେଳେବେଳେ ମାଛ ନହେଲେ ମାଂସ ହୁଏ। ବୋହୂ ରାନ୍ଧେ। 

ପ୍ରେତ ବିସର୍ଜନ ପାଇଁ କୁଆଡେ ସେମାନେ ଯାଇଥିଲେ ଛଅ ଜଣ, କିନ୍ତୁ ଘରକୁ ଫେରିଲେ ପାଞ୍ଚଜଣ। ତାଙ୍କ ସାଙ୍ଗରେ କୁଆଡେ ଭାଉଜ ଯାଇଥିଲେ, ସିଏ ସେଇଆଡୁ ଯମଲୋକକୁ ଚାଲିଗଲେ। ବୁଢା ପୁରୋହିତ ସଂସ୍କୃତରୁ ପଦେ ଶୁଣେଇ ଦେଉଥିଲେ, "ଏକଦଶ ଅର୍ଦ୍ଧରାତ୍ରେ ପ୍ରେତ ଯାତି ଯମାଳୟ।" ସେଇଠି କୁଆଡେ ଚିତ୍ରଗୁପ୍ତ ପାଞ୍ଜି ଦେଖି ପାପପୁଣ୍ୟର ହିସାବ କରି ନର୍କ କି ସ୍ବର୍ଗକୁ ଯିବାକଥା ସ୍ଥିର କରିବ। ଧେତ୍, ସବୁ ବାଜେ କଥା। ମଣିଷ ମଲା, ଗଲା। ଏଇ ପାପ-ପୁଣ୍ୟ, ଧର୍ମ-ଅଧର୍ମ, ସ୍ବର୍ଗ-ନର୍କ କଥା କହି ଲୋକମାନେ ଖାଲି ମଣିଷକୁ ଡରାନ୍ତି। 

ବାରଦିନିଆ ଦିନ ରବି ଗାଁଟାଯାକ ଲୋକଙ୍କୁ ନିମନ୍ତ୍ରଣ କରିଛି। ବରାଦ କରାଯାଇଥିବା ମାଛ ପହଞ୍ଚି ସାରିଛି। ରୋଷେଇଆ ଦଳବଳ ନେଇ ରୋଷେଇରେ ବ୍ୟସ୍ତ। ରବି ତା ମାଆର କାମ ବଡ ଧୁମଧାମରେ କରୁଛି। ନାତିଟା ତା କାନ୍ଧ ଉପରେ ବସି ଲଣ୍ଡା ମୁଣ୍ଡକୁ ଜାବୁଡି ଧରି କହୁଛି,"ଜେଜେ, ଆଜି ମୁଁ ତମ ସାଙ୍ଗରେ ଖାଇବି। ତମେ ମତେ କଣ୍ଟା ବାଛି ଖୁଏଇଦେବ"। 

ଚନ୍ଦାର ନିରବିଚ୍ଛିନ୍ନ ଭାବନାରେ ପୂର୍ଣଚ୍ଛେଦ ପଡୁ ନଥାଏ। ଚନ୍ଦା ଭାବୁଥାଏ, ଯେତେବେଳେ ତା ନନା ବଞ୍ଚିଥିଲା, କେଡେ ସୁଖର ଦିନ ଥିଲା। ଭାଉଜ ଆଉ ସିଏ ନିଜେ ମାଛକୁ ଭଲପାଆନ୍ତି ବୋଲି ନନା ଅନେକ ସମୟରେ ମାଛ ଆଣନ୍ତି। ଭାଉଜ ତାକୁ କାଟିବାଛି ତରକାରୀ କରନ୍ତି। ଖୁବ୍ ସୁଆଦିଆ, ସତେ ଯେମିତି ଭାଉଜଙ୍କ ହାତରେ ଯାଦୁ ଥାଏ। ଦିନରେ ଗରମ ଭାତକୁ ମାଛ ଝୋଳ, ଆଃ, କି ମଜା। ପୁଣି ବେଳବୁଡକୁ ଦୋଓଡା ପଖାଳ ସାଙ୍ଗରେ ମାଛଭଜା। ବଡମାଛ ଆସିଲେ ତ ମୁଣ୍ଡ ଫାଳେ ତା'ର ଆର ଫାଳକ ଭାଉଜଙ୍କର। ବିଶେଷ କରି ବଡ ଭାକୁର ମାଛର ମୁଣ୍ଡ ଭାଉଜଙ୍କର ଭାରି ପସନ୍ଦ। ଚନ୍ଦା ବି ଭାକୁର ମାଛର ମୁଣ୍ଡ ଭାରି ପସନ୍ଦ କରେ। ଭାଇ ସେପାରିକୁ ଗଲାପରେ ଆଉ ଘରକୁ ଆଇଁଷ ପଶିନି। ରବି ଜାଣିଛି, କକା ଭାକୁର ମାଛର ମୁଣ୍ଡ ଭଲପାଏ। ଆଗରୁ ସିନା ଘରେ ବିଧବା ମାଆ ଥିଲା ବୋଲି ଘରେ ମାଛ ଆଇଁଷ ହୋଉନଥିଲା। ଏବେ ତ ସେମିତି କିଛି ବାଧା ନାହିଁ। ତା'ଛଡା ଆଜି ବାରପତ୍ରରେ ମାଛ ରହିବ, ଏଇଟା ପ୍ରଥା। ଆଜି ମାଛ ଆଉ ପିଠା ନଖାଇଲେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଖାଇବା ମନା। ସେଇଥିପାଇଁ ରବି ଘରପାଇଁ ଗୋଟେ ଅଢେଇ କି ତିନି କେଜିର ଭାକୁର ମାଛଟେ ଆଣିଛି।

ସଞ୍ଜ ସରିକି ଗାଁ ଭୋଜି ସରିଗଲା। ତା'ପରେ ବନ୍ଧୁବାନ୍ଧବ ଯେଝା ବାଟରେ ଯାଇସାରିଲେଣି। କାଲିକି ତେରଦିନ। ନଅ ଛଅ ତେର, ଯେବେ ଘରୁ ବାହାର, ବାଟରେ ହେବ ଜର। ତେରଦିନିଆ ଦିନ ଘରୁ କେହି ଯିବେନି। ସେଇଥିପାଇଁ ଅତି ନିକଟ ବନ୍ଧୁ କେତେଜଣ ଖାଲି ଅଛନ୍ତି। ରାତି ଟିକେ ଡେରି ହେଇଗଲାଣି। ସମସ୍ତେ ଖାଇବା ପାଇଁ ବସିଲେଣି। ଚନ୍ଦା ଆଗରେ ବୋହୂ ପତର ପକେଇ ଭାତ ବାଢି ଦେଲା। ଗୋଟେ ଥାଳିଆରେ ଏତେବଡ ମାଛମୁଣ୍ଡଟା ବାଢିଦେଲା ମାତ୍ରେ କୋଉଠି ଥିଲା ସେ ନାତିଟା, ଦଉଡି ଆସି ବସିଗଲା ପାଖରେ। "ଜେଜେ, ଜେଜେ, ମୁଁ ତୁମ ସାଙ୍ଗରେ ଖାଇବି।" 

ବୋହୂ ତାଗିଦ କରି କହିଲା, "ନାଇଁ ପୁଅ, ଜେଜେଙ୍କ ଥାଳିରେ ତୁ ଘଣ୍ଟା ଚକଟା କରିବୁ। ଜେଜେଙ୍କୁ ଟିକେ ଶାନ୍ତିରେ ଖାଇବାକୁ ତ ଦେ। ଆ, ମୁଁ ତତେ କଣ୍ଟା ବାଛି ଖୁଏଇଦେବି।"

-- "ନାହିଁ ବୋହୂ, ସିଏ ଏଇଠି ମୋ ସାଙ୍ଗରେ ଖାଉ। ପିଲାଟା ମନ କରୁଛି, ତା ମନ ଭାଙ୍ଗିବା ଠିକ୍ ହେବନି। ମୁଁ ତାକୁ କଣ୍ଟା ବାଛି ଖୁଏଇଦେବି।

ସମସ୍ତେ ହାତ ଚଲେଇଲେ। ଚନ୍ଦାର କିନ୍ତୁ ମନେ ପଡିଯାଉଥିଲା ତା ଭାଉଜଙ୍କ କଥା। ସିଏ ବାହାହେଇ ଆସିଲା ବେଳକୁ ଚନ୍ଦା ଛୋଟ ପିଲାଟିଏ। ଭାଉଜ ତାକୁ ମାଛ ଖାଇଲାବେଳେ କଣ୍ଟା ବାଛି ଦିଅନ୍ତି। ଥାଳିଆରେ ଭଜା ମାଛମୁଣ୍ଡଟାକୁ ଚନ୍ଦା ଚାହିଁ ରହିଥାଏ। ଭଜାମାଛର ଆଖି ଦୁଇଟା ତାକୁ ଭାଉଜଙ୍କ ସ୍ନେହବୋଳା ଆଖି ପରି ଦିଶୁଥିଲା। ଆଉ ମାଛ ମୁଣ୍ଡଟାକୁ ଭାଙ୍ଗିବାକୁ ତା ହାତ ଗଲାନି। ଆଉ ନିଜକୁ ସମ୍ଭାଳି ପାରିଲାନି ଚନ୍ଦା। ଛୋଟ ପିଲାପରି ଭେଁ ଭେଁ କରି କାନ୍ଦି କାନ୍ଦି ଉଠିଗଲା ଖାଇବା ପାଖରୁ।


Rate this content
Log in

More oriya story from Banabihari Mishra

Similar oriya story from Abstract