STORYMIRROR

Sunanda Mohanty

Romance Tragedy Action

3  

Sunanda Mohanty

Romance Tragedy Action

ଭାଲେଣ୍ଟାଇନ ଡେ

ଭାଲେଣ୍ଟାଇନ ଡେ

3 mins
148


   ଚିହ୍ନା ପରିଚୟ ନଥିଲା କିନ୍ତୁ ଏମିତି ଏମିତି ସମୁଦ୍ର କୁଳରେ ବସି ଢେଉ ଗଣୁ ଗଣୁ, ଭଙ୍ଗା ଶାମୁକା ଯୋଡୁ ଯୋଡୁ କଙ୍କଡା ଗାତରେ ହାତ ଭରି କ୍ଷତାକ୍ତ ହେଉ ହେଉ ଚିନ୍ହା ପରିଚୟ ପ୍ରଗାଢ଼ ହେଲା ବନ୍ଧୁତ୍ୱରେ. ଲାଜ କରିବା ବୟସ ପାର ହୋଇଯାଇଥିଲେ ବି ଏବେ ବୁଢୀକୁ ଲାଜ ଲାଗୁଥିଲା ଆଉ ବୁଢ଼ାକୁ ପ୍ରଗଳ୍ଭ ହେବାକୁ ଭଲ ଲାଗୁଥିଲା. ବୁଢ଼ୀ କେମିତି ଭଲ ପାଇ ବାହା ହୋଇଥିଲା କହି ଯେତିକି ଖୁସି ହେଉଥିଲା ବୁଢା ମଧ୍ୟ ବାହାଘର ପରେ ପରେ ଘରଣୀକୁ ସାଙ୍ଗରେ ନେବାକୁ କେତେ ଯୋଜନା କରି ସଫଳ ହୋଇଥିଲେ ସେକଥା ଗପି ଗପି ବନ୍ଧୁତା ଢାଗା ଟାକୁ ମଜଭୂତ କରୁଥିଲେ. କିନ୍ତୁ ବୁଢ଼ୀର ବୁଢା ନଥିବାର ମନଦୁଃଖ ଆଉ ବୁଢାର ବୁଢ଼ୀ ନଥିବାର ମନସ୍ତତ୍ତ୍ୱ ମିଶି ଦୁହେଁ ବନ୍ଧୁ ଓ ବାନ୍ଧବୀ ପାଲଟି ଯାଇଥିଲେ.

  ଏବେ ଦୁହିଁଙ୍କ ଭିତରେ ମାନ ଅଭିମାନ ଓ ଭାବର ଆଦାନ ପ୍ରଦାନ ହେଉ ହେଉ ବୁଢ଼ୀ ସ୍ୱର୍ଗ ଦ୍ୱାର ଆଡକୁ ହାତ ବଢ଼ାଇ ଯେବେ କହେ, ଆଉ କେତେ ବାକି କେଜାଣି?? ତ ବୁଢା କହେ କାହିଁ କେତେ ହେଲାକି ତୁମକୁ? ବୁଢ଼ୀ କହେ ବୟାଅଶୀ ପୁରିବାକୁ ଆଉ ଦି ମାସ. ବୁଢା କହେ ମତେ ପଞ୍ଚାଅଶୀ ପୁରି ସାରିଲାଣି ତ ମୁଁ ଆଗ ସେଠିକି ଯିବି. ବୁଢ଼ୀ ବୁଢା ପାଟିରେ ହାତ ଦିଏ. ବୁଢା କହେ ତୁମେ ଆଉ କାହାର, ନଚେତ ଏ ବୟସରେ ବି ଥରେ ହଗ କରିବାକୁ ଇଛା ହୁଏ. ବୁଢ଼ୀ କହେ ହଗ କଣ ମୁଁ ଜାଣେନି ସତ, ହେଲେ ମୋ ସ୍ୱାମୀଙ୍କୁ ମୋଠୁ ଛଡେଇ ନେଇ ସେ ସମାଜ ମୋର କି କ୍ଷତି ନକରିଛି. ବୁଢା ଆଶ୍ଚର୍ଯ୍ୟରେ ପଚାରେ ମାନେ ତୁମେ ବିଧବା ନୁହଁ?? ନା ଭଲ ପାଇ ବାହା ହୋଇସାରିଲା ପରେ ବି ମତେ ମତେ ଛାଡି ଆଉ କାହାକୁ ନେଇ ମୋ ସ୍ୱାମୀ ଗଲେ ଯେ ଗଲେ. ବାର ବର୍ଷ ଯାଏଁ ନାଫେରିବାରୁ, ମତେ ବିଧବା ସଜେଇ ଦେଲା ଏ ସମାଜ. ତେଣୁ ଆଉଥରେ ସମାଜକୁ ଡରି ହଗ କରିବାକୁ ତୁମକୁ ନିବୃତ୍ତ କରିପାରିବିନି.

  ମନ ଖୋଲି ହସି ହସି ବୁଢା କହିଥିଲା ହଁ ଯେ, ହେଲେ ହଗ କରିବାକୁ ତ ଶକ୍ତି ନାହିଁ ମୋ ପାଖେ. ବୁଢ଼ୀ କଣ ବୁଝିଲା କେଜାଣି ଲାଜେଇ ଯାଇ ହସିଲା ଆଉ ବୁଢା କହିଲା ତୁମ ହସ ଖୁବ ସୁନ୍ଦର. ବୁଢ଼ୀ କହୁଥିଲା ନାଇମ ବୁଢ଼ୀ ହେବାରୁ ହସ ବୋଧେ ସୁନ୍ଦର ହୋଇଯାଇଛି, ନହେଲେ ମତେ ଛାଡି ମୋ ହସ ଛାଡି ମୋ ବୁଢା କଣ ଆଉ କାହାକୁ ନେଇ ଯାଇପାରିଥାନ୍ତା?? ବୁଢା କହିଲା ତୁମ ହସ ପରି ତୁମ କଥା ବି ସୁନ୍ଦର. ଆଛା ଆମେ ଦୁହେଁ ଭାଲେଣ୍ଟାଇନ ଡେ ମନେଇପାରନ୍ତେନି, ସମାଜ ଯାହା କହୁଛି କହୁ ଯାହା ଭାବୁଛି ଭାବୁ. ବୁଢ଼ୀ କହିଲା ସମାଜକୁ ମୁଁ ଡ଼ରିନି ହେଲେ ସେଇଟା କଣ ମୁଁ ଜାଣେନା. ବୁଢା ଟିକେ ଘୁଞ୍ଚି ଆସିଲା ବୁଢ଼ୀ ପାଖକୁ, ଆଉ କହିଲା ପୁଅ ଝିଅ ମାନେ, ଫେବୃଆରୀ ଚଉଦ ତାରିଖରେ ଘନିଷ୍ଠ ହେବାକୁ ଭାଲେଣ୍ଟାଇନ ଦିନ କୁହନ୍ତି. ବୁଢ଼ୀ ଏତେ ସହଜରେ ରାଜି ହୋଇଯିବ ବୋଲି ବୁଢା ଜାଣିନଥିଲା.

  ପଡିଶା ଘର ନାତୁଣୀକୁ ପଚାରି କିଛି କିଛି ବୁଝିଲା ବୁଢ଼ୀ. ମଲ୍ଲୀ ମାଳ ଓ କେକ ସଜାଡି ଔଷଧ ଖାଇ ବାହାରିଲା ସେଦିନ ସମୁଦ୍ର କୁଳ. ବୁଢା ମଧ୍ୟ ଗୋଲାପ ତୋଡ଼ା ସହ ମୃଦୁ ପାନୀୟ ସହ ଔଷଧ ପତ୍ର ଖାଇ ନିର୍ଦିଷ୍ଟ ସମୟରେ ସମୁଦ୍ର କୂଳେ ପରସ୍ପରକୁ ଅପେକ୍ଷା କଲାବେଳେ, ଦେହ ହାତ ଝିମ ଝିମ କରୁଥିଲା, ମୁଣ୍ଡ ବୁଲେଇ ଦେଉଥିଲା. ଦୁହିଁଙ୍କ ଦେଖା ସାକ୍ଷାତ ବହୁ ପୂର୍ବରୁ ଦୁହେଁ ଦୁଇ ଜାଗାରେ ପଡି ରହିଥିଲେ ସକାଳ ପର୍ଯ୍ୟନ୍ତ. ଶିଶିର ଭିଜା ଦୁଇ ଅବଶ ଶରୀରର ଦାବିଦାର କେହି ନଥିବାରୁ ବାଲୁକା ଶିଳ୍ପୀମାନେ ଦୁହିଁଙ୍କ ହାତରେ ମଲ୍ଲୀ ଓ ଗୋଲାପ ଦେଖି ଦୁଇଜଣଙ୍କ ବାଲୁକା ମୂର୍ତ୍ତି ଗଠନ କରି, ଶୀର୍ଷକ ଭାଲେଣ୍ଟାଇନ ଡେ ଲେଖି ଦେଇଥିଲେ. ସ୍ୱର୍ଗ ଦ୍ୱାରରେ ଦୁଇଟି ପୃଥକ ଜୁଇ ଲିଭିବା ପର୍ଯ୍ୟନ୍ତ ସେଦିନ ଦୁହେଁ ପାଖାପାଖି ବାଲୁକା ପ୍ରତିମୂର୍ତ୍ତି ହୋଇ କିଛି ଦର୍ଶକଙ୍କ ହୃଦୟରେ ତ କିଛି ଦେଖେଣାହାରୀଙ୍କ କ୍ୟାମେରାରେ କୟଦ ହୋଇଥିଲେ ଦୁହେଁ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance