Siddhartha Tripathy

Abstract Tragedy Inspirational

3  

Siddhartha Tripathy

Abstract Tragedy Inspirational

ଭାଇନା

ଭାଇନା

4 mins
215



ରବିବାର ସୁନ୍ଦର ସକାଳ। ସବୁଦିନ ପରି ସୂର୍ଯ୍ୟୋଦୟ ହେଉଥିଲା କିନ୍ତୁ ଆମ ତିନିସାଙ୍ଗ ପାଇଁ ଅଲଗା ଥିଲା ସେଦିନର ସୂର୍ଯ୍ୟ । ଦଶଦିନ ହାଇଦ୍ରାବାଦରେ ସରକାରଙ୍କ ତରଫରୁ ପ୍ରଶିକ୍ଷଣ । ମୁଁ ବାହାରିଲି କଲ୍ୟାଣସିଂହପୁରରୁ ଓ ପ୍ରତାପ ବାବୁ ଗୁଣପୁରରୁ। ପ୍ରତାପବାବୁ ହାଇସ୍କୁଲରୁ ନେଇ ଇଞ୍ଜିନିୟରିଙ୍ଗ ଯାଏଁ ସାଙ୍ଗ। ମୁଁ ଚାରିଆଡେ ଖବର ପ୍ରଚାର କଲି ରାୟଗଡା ଜିଲ୍ଲାରୁ ମାତ୍ର ଦୁଇଜଣ ମନୋନିତ ହୋଇଛୁ ଜାତୀୟ ସ୍ତରର ପ୍ରଶିକ୍ଷଣ ପାଇଁ। ମୋ ବିଷୟରେ ମୁଁ ସମ୍ୟକ ଧାରଣା ଦେବା ନିହାତି ଜରୁରୀ। ବହୁତ ଘାତ, ପ୍ରତିଘାତ, ଉତ୍ଥାନ, ପତ୍ତନ ଭିତରେ ଚାକିରୀର ୧୯ ବର୍ଷ ଅତିକ୍ରାନ୍ତ। ସବୁକ୍ଷେତ୍ରରେ ପ୍ରତାପବାବୁଙ୍କ ସାହାଯ୍ଯ ଅବର୍ଣ୍ଣନୀୟ।

ଦୁନିଆକୁ ବହୁତ ପାଖରୁ ଦେଖିଛି ଅସୁମାରୀ ଦୁଃଖ ଦେଖିଛି। ପରିବାର ସ୍ଥିତି ଅତ୍ୟନ୍ତ ସ୍ୱଚ୍ଛଳ। ଚିନ୍ତାଧାରା ଭିନ୍ନ। ଟାଟା, ବିରଳା, ଆମ୍ୱାନୀ ହେବାର ଅଭିପ୍ରାୟ ନାହିଁ। ଚିରା କୋତରା ପିନ୍ଧି ଲୋକଙ୍କ ତଣ୍ଟିଚିପି ପଇସାକୁ ଜଗିରଖିବାର ପ୍ରୟାସ କେବେ କରିନାହିଁ। ଅପରପକ୍ଷେ ମୁଁ ଟିକେ ସ୍ବାଭିମାନୀ,ଆତ୍ମଗର୍ବୀ, ଭାବପ୍ରବଣ, ନାରୀ ଅନୁରକ୍ତ ମଣିଷ। ଭଲ ପାଖରେ ଖରାପ ଅଛି, ସୁଖ ପାଖରେ ଦୁଃଖ ଅଛି, ପ୍ରେମ ପାଖରେ ବିଚ୍ଛେଦ ଅଛି, ଜନ୍ମ ପାଖରେ ମୃତ୍ୟୁ ଅଛି , ମିଶାଣ ପାଖରେ ଫେଡାଣ, ହରଣ ପାଖରେ ଗୁଣନ ଅଛି , ଭାଗଫଳ ପାଖରେ ଭାଗଶେଷ ଅଛି--- ସେମିତି.......ସୁଖ ସହ ଦୁଃଖ ଅଛି, ଭଲ ସହ ଖରାପଗୁଣ ବି ଅଛି। ବହୁତ ସମୟ ନିଜକୁ ନିଜେ ଅନୁଶୀଳନ କରେ, 

କିନ୍ତୁ......

' ପ୍ରକୃତି ନୈବମୁଚ୍ୟତେ। '

ଯାହାହେଉ ଖୁବ୍ ଖୁସିରେ ଦୁଇଜଣ ଟ୍ରେନ ଚଢିଲୁ। ପ୍ରବଳ ଗ୍ରୀଷ୍ମ ପ୍ରବାହ। ଚାକିରୀ କନିଷ୍ଠ ଯନ୍ତ୍ରୀ। ସରକାରଙ୍କ ଅନୁଦାନରେ ଶୀତତାପ ନିୟନ୍ତ୍ରିତ ବଗିରେ ବସି ଚାଲିଲୁ ହାଇଦ୍ରାବାଦ ଅଭିମୁଖେ। ପ୍ରତାପ ବାବୁଙ୍କୁ ବୁଦ୍ଦୁ ବନେଇବାରେ ମୁଁ ଆନନ୍ଦ ପାଏ । ପ୍ରତିବାଦ କରନ୍ତିନି ସେ। ଭଲ ମଣିଷଟିଏ। କୋଡିଏ ଘଣ୍ଟାର ଯାତ୍ରା। ପ୍ରତାପ ବାବୁଙ୍କୁ ଶ୍ରଦ୍ଧାରେ ମୁଁ ଭାଇନା ଡାକେ। ସେ ବି ଖୁସିରେ ସହମତି ପ୍ରକାଶ କରନ୍ତି।

ଷ୍ଟେସନ ପାଖରେ ଟ୍ରେନ ଅଟକୁ ଅଟକୁ ପହଞ୍ଚିଗଲା ଜୋତାପଲିସୱାଲା। ଅନୁରୋଧ କଲା ବାବୁ ପଲିସ୍ ! ମିଶ୍ର ଭାଇନା ପଚାରିଲେ ଏମିତିରେ ଗୁଜୁରାଣ ମେଣ୍ଟିଯାଏ ? ମୁଣ୍ଡର ଝାଳ ପୋଛୁପୋଛୁ ଲୋକଟି କହିଲା, ବାବୁ ! ବଖରାଏ ଚାଳ ଛପର ଘର। ଗୋଟିଏ ସନ୍ତାନ ପରେ ଆଉ ସୁଯୋଗ ନାହିଁ। ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ।

ମିଶ୍ର ଭାଇନା କହିଲେ ବେନିଜନେ ସମଦଶା। ମୋର ବିରାଟ ବଙ୍ଗଳା। କିନ୍ତୁ ଅତ୍ୟଧିକ ସ୍ନେହ ଯୋଗୁଁ ଝିଅ ଜିଦ୍ କରେ ବାପାମାଆ ପାଖରେ ହିଁ ରହିବାକୁ। ଗୋଟିକରେ ସଂସାର ଶେଷ।

ଅଭାବ ଭିତରେ ପ୍ରାଚୁର୍ଯ୍ୟ ଏହି ପଲିସୱାଲାର ଓ ପ୍ରାଚୁର୍ଯ୍ୟ ଭିତରେ ଅଭାବ ଆମପରି ବ୍ୟକ୍ତିତ୍ବର।

ହସୁଥିଲି ମୁଁ ସଂସାରର ଚିତ୍ର ଶୁଣି।

ମୋର ବେଶପୋଷାକ ଶୈଳୀ, ଦେହରେ ବାପ୍ପି ଲହରୀ ପରି ସୁନା, ଅତ୍ୟାଧୁନିକ ମୋବାଇଲ ଉପଲବ୍ଧ। ବୟସ ପଚାଶ ଛୁଇଁବାକୁ ବସିଲାଣି, ସମସ୍ତେ ପଚାରନ୍ତି ଏତେ ବୟସରେ ଏସବୁ କାହିଁକି ?

ମୋର ଗୋଟିଏ ଉତ୍ତର, ବୟସ ତ ତା ବାଟରେ ମାଡିଚାଲିଛି ତାକୁ ଅଟକାଇବା ଅସମ୍ଭବ। ବୟସକୁ ଧରି ରଖିବାପାଇଁ ମୋର ଏସବୁ ଆଧୁନିକତା । ନିନ୍ଦୁକମାନେ ପଛରେ ବହୁତ କୁସ୍ଛାରଟନା କରନ୍ତି ଏବଂ ବହୁତ ସମୟରେ ଏଥିପାଇଁ ମୁଁ ନିନ୍ଦିତ ବି ହୋଇସାରିଛି । ଛୋଟବେଳରୁ ଆଭିଜାତ୍ୟର ଛାପରେ ବଢିଆସିଥିବା ଛୁଆଟି ଆଜି ପଚିଶବର୍ଷରେ ପାଦ ଥାପିଲେ ବି ବଦଳେଇ ପାରୁନାହିଁ ତା'ର ଢାଞ୍ଚା, ତା'ର ଚାକଚକ୍ୟ ,ତା'ର ଆଧୁନିକତା, ତା'ର ମାନସିକତା। ରାସ୍ତାସାରା ଭାଇନାଙ୍କ ସହ ଥଟ୍ଟା କରି ମୋବାଇଲ ଫଟୋ ବିଭିନ୍ନ ସ୍ଥାନକୁ ପଠେଇବାରେ ଲାଗିପଡିଲି। ପହଞ୍ଚିଗଲୁ ହାଇଦ୍ରାବାଦ NIRD କ୍ୟାମ୍ପସରେ। ଖାଦ୍ୟ ,ପାନୀୟ ସବୁ ତା'ରି ଭିତରେ। ଅତ୍ୟନ୍ତ ମନୋରମ ସ୍ଥାନ। ଅତ୍ୟନ୍ତ ଆକର୍ଷଣୀୟ। ଚାରୋଟି ରାଜ୍ୟରୁ ଆସିଥାଆନ୍ତି ବତିଶଜଣ ଯନ୍ତ୍ରୀ ଏବଂ ଅନ୍ଯାନ୍ଯ ବର୍ଗର ପୁରୁଷ ଓ ମହିଳା। NIRD ରେ ଜଙ୍ଗଲର ମନୋରମ ପରିବେଶ, ସତେ ଯେମିତି ନବବିବାହିତା ପତ୍ନୀ।

ବାହାରକୁ ବାହାରିଆସି ଦେଖିଲୁ ସମସ୍ତେ ପ୍ରସ୍ତୁତ। ଆମେ ବି ଶୀଘ୍ର ଶୀଘ୍ର ଚାଲିଲୁ ପ୍ରଶିକ୍ଷଣ ଗୃହକୁ। ପ୍ରଥମଦିନ ପ୍ରାର୍ଥନା ଓ ପ୍ରଶିକ୍ଷଣଙ୍କ ତାଗିଦ୍ ପରିଚାଳନା ଓ କହିବା ଶୈଳୀ ଉପରେ ଆପଣମାନଙ୍କ ଭାଗ୍ୟ ନିର୍ଭର। ଦରକାର ହେଲେ ଆପଣମାନଙ୍କ ଭିତରୁ କିଛି ବାଦ୍ ପଡିବେ।

ମନରେ ଟିକେ ଆଶଙ୍କା ବଢିଲା। ପାଠ ଛାଡି ତିରିଶିବର୍ଷ ହୋଇଗଲାଣି ପୁଣି ପଢିବାକୁ ପଡିବ !

ଯାହାହେଉ କୋଠରୀକୁ ଚାଲିଆସିଲୁ, ଖୁସିଗପ ଆରମ୍ଭ ହୋଇଗଲା। ଚିରାଚରିତ ପ୍ରଥାରେ ମୁଁ ଆରମ୍ଭ କଲି ଭାଇନାଙ୍କ ସହ ଥଟ୍ଟା ମଜା। ଏମିତି ବିତିଗଲା ଦୁଇଦିନ। ତୃତୀୟଦିନ ଛୁଟିଥିଲା। ସମସ୍ତେ ବାହାରିଲୁ ହାଇଦ୍ରାବାଦ ସିଟି ବୁଲିବାକୁ। ଆଗରୁ ଚାରିଥର ହାଇଦ୍ରାବାଦ ଆସିଛି ତେଣୁ ମନରେ ଗର୍ବ ମୁଁ ସବୁ ଜାଣିଛି।

ଭାଇନାକୁ ତାଗିଦ୍ କରୁଥାଏ ଭାଇନା ହାତଧରି ଚାଲ ନହେଲେ ଗାଡି ମାଡିଯିବ। ଆମେ ଦଶଜଣ ଓଡିଆ ସାଙ୍ଗ ଓ ତେଲେଙ୍ଗାନାର କିଛି। ପାଖରେ ପଛପଟରୁ ଭାଇନାଙ୍କ ସାର୍ଟ ଟାଣିଦେଲି।

ବାସ୍.....

ଆରମ୍ଭ ହୋଇଗଲା ଗାଳିବର୍ଷଣ।

ଅଠରବର୍ଷ ତଳୁ କୁହୁଳୁଥିବା ଅଶାନ୍ତିର ନିଆଁ ଅଲିଭା ନିଆଁ ହୋଇ ଅନର୍ଗଳ ବାହାରିଚାଲିଲା ଭାଇନାଙ୍କ ଶାନ୍ତ ମୁଖମଣ୍ଡଳରୁ। ଅପ୍ରତ୍ୟାଶିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲି ମୁଁ। କହିଚାଲିଲେ ସେ ଶୁଣିଚାଲିଲି ମୁଁ। ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଇଥାଏ। କ୍ଷମା ଭିକ୍ଷା ବି କରୁଥାଏ, ହେଲେ ଅଠରବର୍ଷର ମନର ଉଦବେଳନ କମ୍ ସମୟ ଭିତରେ ପରିପ୍ରକାଶ କରିବାକୁ ସମର୍ଥ ହେଲେ ଭାଇନା। ମୁଣ୍ଡ ଘୁରିଗଲା ମଥା ନଇଁଗଲା ଲାଜରେ। ଲାଗୁଥିଲା ଖୁନୀ ଆସାମୀ କସବର ଅପରାଧ ବି ମୋ ଠାରୁ କମ୍। ଫେରିଗଲୁ କୋଠରୀକୁ। ଆଉ ଖାଇବାର ଇଚ୍ଛା ନଥିଲା, ପରିବେଶ ସ୍ତବ୍ଧ, ଗୁମସୁମ୍। ସତୀସୀତା ପରି ସଜେଇହୋଇଥିବା NIRD ପରିସର ଲାଗୁଥିଲା ଅସୁନ୍ଦରୀ ସୁର୍ପଣଖାର ଚେହେରା ପରି। ଚୁପଚାପ ଏକା ଆସି ବସିଗଲି ବାହାର ଲନ୍ ରେ। ମନରେ ଉଙ୍କି ମାରୁଥିଲା କରିଆସିଥିବା ଥଟ୍ଟାମଜାର ହିସାବ। ସବୁ ଭୁଲ୍ ମୋର ନଥିଲା, ଭୁଲ୍ ଥିଲା ମୋ ଆତ୍ମଗର୍ବର, ମୋ ଅହଙ୍କାରର, ମୋ ବଡପଣିଆର। ନିଜକୁ ନିଜେ ଅନୁଶୀଳନ କରି ଧୈର୍ଯ୍ଯ ହରା ଲାଗିଲା। ଦେଖୁଦେଖୁ ସକାଳ। ପ୍ରଶିକ୍ଷକ ଆରମ୍ଭ କଲେ ପ୍ରଶ୍ନୋତ୍ତର। ପାଟି ଖନିମାରିଗଲା। ପ୍ରଶିକ୍ଷକ ପଚାରି ଚାଲିଥାଆନ୍ତି ପ୍ରଶ୍ନ ହେଲେ ମୁଁ ଭାବିବିହ୍ୱଳ ମଣିଷଟି ଚୁପଚାପ ଆଖିରୁ ଲୁହଗଡେଇ ଭାବିଚାଲିଥିଲି କରିଥିବା ଭୁଲ୍ ର ହିସାବ ! ନା, ମୋତେ ପ୍ରାୟଶ୍ଚିତ କରିବାକୁ ହେବ ନିଶ୍ଚୟ କରିବି। ଏ ଜନ୍ମ ପାଇଁ କଟିଗଲା ସମ୍ପର୍କ। ସମ୍ପର୍କ ଯୋଡିବାକୁ ଯୁଗ ବିତିଯାଏ ହେଲେ କଟିବାକୁ ଦରକାର ହୁଏ କିଛି କ୍ଷଣର କ୍ରୋଧ କିଛି ଭୁଲ୍ ବୁଝାମଣା।

ପ୍ରଶିକ୍ଷକଙ୍କୁ ଏକାନ୍ତରେ କହିଲି ମୋର ଆଗକୁ ବଢିବାର ନାହିଁ। ମୋତେ ଅକୃତକାର୍ଯ୍ୟ କରିଦିଅନ୍ତୁ। ଚୁପଚାପ ପ୍ରଶିକ୍ଷଣ ଛାଡି ଫେରିଆସିଲି କର୍ମକ୍ଷେତ୍ରକୁ ।

ମନେମନେ ଅନୁତାପ କରି କହୁଥିଲି, ହେ ମାନବ ! ଯାହା ବି କରୁଛ, ଯାହା ବି କରିଛ ଯାହା ବି କରିବାକୁ ଯାଉଛ ଟିକେ ଭାବିଚିନ୍ତି ପଦକ୍ଷେପ ନିଅ ନହେଲେ ସବୁଥାଇ କିଛି ନଥିଲା ପରି ପରିସ୍ଥିତିରେ ଦିନେ ପହଞ୍ଚିଯିବ ସାମାନ୍ଯ ଗର୍ବ ପାଇଁ।

ୟାରି ଭିତରେ ମୋର ବଦଳି ଗଜପତି ହୋଇସାରିଥିଲା। ସାମାନ୍ଯ ଭୁଲିଯାଇଥିଲି।

ହଠାତ୍ ଦିନେ.....

ଘର ପାଖରେ କାର୍ ଟିଏ ଅଟକିଲା। ଓହ୍ଲାଉଥିଲେ ମିଶ୍ର ଭାଇନା। ହାତରେ ଘରତିଆରି କାକରା ଓ କିଛି ନଥିପତ୍ର।

ମୋତେ କୁଣ୍ଢେଇ ଧରି ହାତରୁ ସାର୍ଟିଫିକେଟ ବଢେଇ ଦେଉ ଦେଉ କହିଲେ, ସିଦ୍ଧାର୍ଥ ! ମତେ କ୍ଷମା କରିଦିଅ। ପ୍ରଶିକ୍ଷକଙ୍କୁ ସମସ୍ତ ବିଷୟ ଅବଗତ କରାଇସାରିବା ପରେ ସେ ତମକୁ କୃତକାର୍ଯ୍ୟ କଲେ। ଏଇ ତୁମର ସାର୍ଟିଫିକେଟ ଓ ଭାଉଜ ପ୍ରଦତ୍ତ କାକରା। ମୋତେ ଜରୁରୀ କାମରେ ବ୍ରହ୍ମପୁର ଯିବାର ଅଛି, ଆସୁଛି କହି ଚାଲିଯାଉଥିଲେ ଭାଇନା। ଯୋଡି ହୋଇଯାଇଥିଲା ସମ୍ପର୍କର ଡୋର। ଭାଇନାଙ୍କୁ ପଛରୁ ଭିଡିଧରି ଛୋଟଛୁଆ ପରି କାନ୍ଦୁଥିଲା ଆତ୍ମଗର୍ବୀ ସ୍ୱାଭିମାନୀ ସିଦ୍ଧାର୍ଥ।

କହୁଥିଲେ ଭାଇନା, ସିଦ୍ଧାର୍ଥ ! ପ୍ରକୃତ ବନ୍ଧୁତ୍ବ କେବେ ମରେନା !

ମୋ ସାର୍ଟ ଟିକେ ଟାଣିଦେଲ। ହସୁଥିଲି ମୁଁ !!!



Rate this content
Log in

Similar oriya story from Abstract