ଭାଇ ଭଉଣୀ କହ କାହାଣୀ
ଭାଇ ଭଉଣୀ କହ କାହାଣୀ
ମିତା ବୋଲି ଝିଅଟି ଭାତ ବସେଇଥିଲା. ତା ସହିତ ଛୋଟ ଭାଇକୁ ମଧ୍ୟ ଜଗିଥିଲା. ନିଜେ ସିନା ପାଠ ପଢି ପାରିଲାନି କିନ୍ତୁ ଭାଇ ତାର କେମିତି ପଢନ୍ତା ଦି ଅକ୍ଷର ବୋଲି ଭାବି ସାରଙ୍କଠାରୁ ମାଗିଆଣିଥିବା ଛବିଳ ବର୍ଣ୍ଣବୋଧ ବହିଟି ଭାଇକୁ ଦେଇଥିଲା ପଢିବାକୁ. ଭାଇ ଯେବେ ପଚାରୁଥିଲା ଏ ଅକ୍ଷରର ନାମ କଣ କିମ୍ବା ଏ ଶବ୍ଦଟିର ନାମ କଣ ଚିତ୍ର ଦେଖି ଦେଖି ଅକ୍ଷର ଶିଖିଥିବା ମିତା କହିଦେଉଥିଲା ହାତୀ, ବାଘ, ଛେଳି ଇତ୍ୟାଦି. ସେସବୁ ଅକ୍ଷରର ସାମାଞ୍ଜସ୍ୟ ଥିବା ଶବ୍ଦକୁ ଅଧା ପଢି ଅଧା ନପଢି ପାରି ମନଦୁଃଖ କରେ ମିତା.ତ ଭାଇ ମନୋଜ ବୁଝେଇଦିଏ ଓ ତାକୁ କହେ କାନ୍ଦେନା ମିତା ଅପା ମୁଁ ସ୍କୁଲ ଗଲେ ଯାହା ପଢ଼ିବି ତତେ ଆସି ଶିଖେଇ ଦେବି. ଏତିକି ବେଳେ ବାପା ମଦୁଆ ହରିଆ ପହଁଞ୍ଚି ଦୁମ ଦୁମ କଷି ଦିଏ ମିତା ପିଠିରେ. ଏଡ଼େ ଝିଅଟା ହେଲୁଣି ଭାତ ଗଣ୍ଡେ ଫୁଟେଇ ପାରିନୁ ଏଯାଏଁ. ମାଆ ଗଲା ତ ଗଲା ତୁମ ଦୁହିଁଙ୍କୁ ଯାହା ନନେଇକି ଗଲା, ମୋ ଜୀଵନ ଖାଇବାକୁ ଛାଡ଼ି ଦେଇ ଗଲା କହି ଆଉ ଦି ବିଧା ଦଉ ଦଉ ହାତ ଧରି ନିଏ ମନୋଜ କହେ ଜାଳ ନଥିଲା ତ ଅପାର ଭୁଲ କଣ!
ହରି ବଡ଼ ପାଟି କରି ମିତାକୁ ଲହୁଲୁହାଣ କରୁ କରୁ ନଜର ପଡେ ଯେ ଜାଳିବାକୁ ଦେଇଥିବା ଶୁଖିଲା ବରଡ଼ାରେ ରାକ୍ଷୀ ବନେଇ ମିତା ସଜାଡି ରଖିଛି ଆସନ୍ତା କାଲି ଆସୁଥିବା ରାକ୍ଷୀ ପାଇଁ. ଦୁମ କରି ମଦ ନିଶା ଛାଡିଯାଏ ହରିର. ଭାବେ ତା କୋଳରେ ଜନମ ହୋଇ କେଡେ ନିରିମାଖି ହୋଇ ଚଳୁଛି ମୋ ଝିଅ. କେତେ ବା ବୟସ ତାକୁ. ପଢିବା ଖେଳିବା ବୟସରେ ବାପା ଭାଇଙ୍କ ସଂସାର ବୋଝ ବୋହି ଚାଲିଛି. ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ବିଚାରୀ ବରଡ଼ା ପତ୍ରରେ ବୁଣି ରଖିଛି ରାକ୍ଷୀ. ସେଇତକ ବରଡ଼ା ଜାଳ ଜାଳିଥିଲେ କଣ ଭାତ ଫୁଟିଯାଇଥାଆନ୍ତା!ହରି ପିଲାଙ୍କ ସଙ୍ଗେ ଛତୁଆ ଖାଇଲା ବେଳେ ଭାବୁଥିଲା ଏହା ମଧ୍ୟ ଝିଅର ଭାଗ. ତା ପାଇଁ ମିଳୁଥିବା ଖାଦ୍ୟ ଛତୁଆ ଯୋଗୁଁ ତ ଜୀଵନ ବଞ୍ଚିଯାଏ ମାସକରେ ପନ୍ଦର ଦିନ. କାଲି ଯେମିତି ହେଲେ ମଜୁରୀ ପଇସାରେ ଝିଅ ପୁଅଙ୍କ ପାଇଁ ନୂଆ ଜାମା ଓ ରାକ୍ଷୀ ନେଇ ଆସିବ ଆଉ ଜମା ମଦ ପିଇବ ନାହିଁ ଭାବି ଶୋଇଗଲା ହରିଆ.
ରାତି ପାହିବା ଆଗରୁ ହରି ଉଠି କାମକୁ ଚାଲିଗଲା ପରେ ସେଦିନ ରାକ୍ଷୀ ପୁନେଇଁରେ ପଡୋଶୀମାନେ ଦେଇଥିବା ପିଠାରୁ ଭାଇକୁ ଦେଇ ବାପା ଆସିଲେ ଖାଇବ ବୋଲି ମିତା ଚାହିଁଥିଲା ବେଳେ ସ୍କୁଲ ପିଲାମାନେ ଆସିଥିଲେ ରାକ୍ଷୀ ନେଇ.ତା ହାତରେ ଓ ଭାଇ ହାତରେ ବାନ୍ଧି ମିଠା ଦେଇ ଗଲେ.କହିଲେ ହାପି ରାକ୍ଷୀ. ସେଇ ଦୁଇ ଶବ୍ଦକୁ ଲେଖି ରଖିବାକୁ ଚାହିଁ ମିତା ଲେଖିପାରୁନଥିଲା ବେଳେ ଭାବୁଥିଲା ବାପା ଆସିଲେ ଆଜି ତାଙ୍କୁ ପିଠା ମିଠା ଦେଇ କହିବ ସେ ମଧ୍ୟ ସ୍କୁଲ ଯିବ. ଗୁରୁମାଙ୍କ ସଙ୍ଗେ ସେ କଥା ହୋଇଛି. ବହି, ଡ୍ରେସ, ଜୋତା, ଛତା, ଅଣ୍ଡା ଓ ଖାଦ୍ୟ ମିଳିବ. ତାକୁ ପାଇ ସେ ଲେଖିଯିବ ତା ବାପା ନାଆଁ ହରି ପ୍ରଧାନ ଆଉ ତା ଭାଇ ନାମ ମନୋଜ ପ୍ରଧାନ. ସେଇ ଲେଖା ନେଇ ମଶାଣୀ ଯାଇ ମାଆକୁ ଦେଖାଇ ଆସିବ. ତୁ ସିନା ଆମକୁ ଅନାଥ କରି ଚାଲିଗଲୁ କିନ୍ତୁ ଦେଖ ଆଜି ଆମେ ଭାଇ ଭଉଣୀ ଦୁହେଁ ପାଠ ପଢି ବାପାଙ୍କୁ ମଦ ପିଇବାକୁ ନଦେଇ ବାଟକୁ ଆଣିଛୁ. ଏତେ ସ୍ବପ୍ନକୁ ରାତି ନିଅଣ୍ଟ ଥିଲା କି ନଥିଲା ମିତା ବୁଝୁ ନଥିଲା କିନ୍ତୁ ତା ହାତରେ ଥିବା ଗୋଲାପୀ ରାକ୍ଷୀଟି ଖୁବ ଭଲ ମାନୁଥିଲା ତାକୁ. ମନୋଜ କହୁଥିଲା ମୋ ହାତରେ ତୁ ରାକ୍ଷୀ ବାନ୍ଧିବୁନି କି ଅପା. ଆରେ ତତେ ତ ପିଲାମାନେ ବାନ୍ଧିଦେଇଛନ୍ତି. ଆରବର୍ଷ ମୁଁ ବାନ୍ଧି ତତେ ହାପି ରାକ୍ଷୀ କହି, ବନ୍ଦେଇ ଦେବି.ଫୁଲ ଧୂପ ଚନ୍ଦନ ସିନ୍ଦୂର ଦେଇ କହିବି ମୋ ଭାଇ ରାଜା. ରାତି ବଢୁଥିଲା. ବାପା ଘରକୁ ଆସୁନଥିଲା. ବହୁତ ରାତି ଯାଏଁ ମିତା ଭାଇକୁ ଧରି ବାପାଙ୍କ ଆସିବା ବାଟକୁ ଚାହିଁଥିଲା ବେଳେ ମକରା ଭାଇ ଓ ସଦାନାନା ବାପାର ନିସ୍ତେଜ ଦେହଟାକୁ ପକେଇ ଦେଇ କହୁଥିଲେ ମଦ ସେ ଖାଉନଥିଲା ଯେ ଆଜି ମଦ ତାକୁ ଖାଇଦେଇଛି. ବାଟରେ ଆସୁ ଆସୁ କୂଅକୁ ଚୁଆ ଭାବି ପଡି ମରିଛି. ହାତରେ ଥିଲା ରାକ୍ଷୀଟି କିନ୍ତୁ ମୁଠାରେ ରହିଯାଇଛି. ମିତା ବାପା ଛାତିରେ ଲୋଟି କାନ୍ଦୁଥିଲା ଖୁବ ସେଦିନ. ଆଜି ମନୋଜର ଲଣ୍ଡା ମୁଁହଁଟା ତାକୁ ଠିକ ତା ବାପା ପରି ଦେଖାଯାଉଥିଲା ତ ମିତା ପୁଣି କାନ୍ଦିଲା ବେଳେ ମନୋଜ କହୁଥିଲା କାନ୍ଦେନା ଅପା ମୁଁ ତୋ ଭାଇ ତୋ ପାଖରେ ଅଛି. ରାକ୍ଷୀ ରାଣ ସତ କହୁଛି.
ସମୟ ବଦଳି ଯାଇଛି. ତାଳପତ୍ରରେ ରାକ୍ଷୀ କରୁ କରୁ କୁଲା, ଭୋଗେଇ, ଆସନ, ବିଞ୍ଚଣା ବିକ୍ରିକରି ଭାଇକୁ ମଣିଷ କରି ମିତା ହାତକୁ ଦି ହାତ ହୋଇଛି. ପିଲାଦିନେ ପଢିପାରିନଥିବା ମିତା କିନ୍ତୁ ଭାଗବତ ଓ ଗୀତା ପଢୁଛି ଏବେ. ଭାଇର ସଂସାର ବସିଗଲାଣି. ମେହେନତି ମଣିଷର ହାତ ଉପରେ ବିଶ୍ୱାସ କରି ଭାତ ଯୋଗାଡ଼ୁଛି ଭାଇ. ସଂସାରରେ ଦୁଇ ପୁଅ ଓ ସ୍ତ୍ରୀକୁ ନେଇ ମନୋଜ ଭଲରେ ଅଛି. ମଜୁରୀ କରି ମଜଦୁର ସାଜିଥିବା ଭାଇ ମନୋଜର ଦୁଇ ପୁଅ ରାଜୁ ଓ ବିଜୁଙ୍କୁ ପାଠ ଶାଠ ପଢ଼େଇ ଦୁହେଁ ଆଜି କମ୍ପାନୀରେ ଚାକିରୀ ପାଇ ଘର ସଂସାର ସଜାଡୁ ସଜାଡୁ ମାଆ ଅର୍ଥାତ ମନୋଜର ସ୍ତ୍ରୀ ବାଟକାଟିଲା ଆରପୁରକୁ. ବାର୍ଦ୍ଧକ୍ୟରେ ପହଞ୍ଚିଥିବା ମନୋଜ ଏଥର ଆଉ କାମକୁ ପାରୁନି ତ ବଡ଼ପୁଅ ରାଜୁ ପାଖକୁ ଚାଲିଲା. ମନୋଜ ସିନା ମଦ ଗଞ୍ଜେଇ ଇତ୍ୟାଦି ନିଶା ପାଣି ଠାରୁ ବହୁ ଦୂରରେ କିନ୍ତୁ ପାନ ଖାଏ. ଆଉ ସେଇ ପାନ ଖିଆ କଥାକୁ ନେଇ ଘରେ ଉଠିଥିଲା ଝଡ଼. ପାନ ପିକ ଛିଟା କାନ୍ଥରେ ପଡିବାରୁ ରଙ୍ଗ ହେବା ଦରକାର ଘର ତ ମନୋଜକୁ ଦୁଇପଦ ଶୁଣିବାକୁ ମିଳିଲା. ସେଇଦିନଠୁ ମନୋଜ ଆହୁରି ଅଧିକ ଭୟଙ୍କର ପାରିବାରିକ ଝଡ଼ ଆସିବା ପୂର୍ବରୁ ନୀଡ଼ ଗଢିବାକୁ ଚାଲିଲା ଗାଁକୁ.ଗାଁରେ ଦିନ କେଇଟା ଯାଇନି କାଶ ଧରିବାରୁ ମନୋଜର ସାନପୁଅ ବିଜୁ ଆସି ପାଖକୁ ନେଇଗଲା. ସେଠାରେ କିଛି ଦିନ ରହିଲା ପରେ, ଔଷଧ ପତ୍ର ଖାଇବା ପରେ ମଧ୍ୟ କାଶ ଥମିଲାନି ମନୋଜର. ଫକୀର ମୋହନ ସେନାପତିଙ୍କ ଡାକମୁନିସ ଗଳ୍ପ ପରି ଏଠିକା ଅବସ୍ଥା ମନୋଜର. ପୁଅ ବିଜୁ ଯଦିଓ କିଛି କହିନଥିଲା ବୋହୁ ଶୁଣେଇ ଦେଇଥିଲା କେଇ ପଦ କଡା କଥା. ବୟସ ଚାଲିଯିବା ପରେ ରୋଗ, ଶୋକ,ଯନ୍ତ୍ରଣା ତ ଆସିବ ହିଁ ଆସିବ କିନ୍ତୁ ବୟସ ଥାଉ ଥାଉ ରାତିରେ ବାପାଙ୍କ କାଶ ଯୋଗୁଁ ଶୋଇନପାରି ଅକାଳ ବାର୍ଦ୍ଧକ୍ୟ ମାଡି ଆସିଲେ ଆମେ କୋଉ କୁଳର ହେବୁ!ନକହି ନକହି ସେଇ କେଇପଦ କଥା ଭିତରେ ଅନେକ ବ୍ୟଥା ଥିଲା ତ ମନୋଜ ପୁଅକୁ ବୁଝେଇ ସୁଝେଇ ଗାଁକୁ ଫେରିଲା. ପ୍ରକୃତିର ତାଣ୍ଡବ ଝଡ ପରେ ନୀଡ଼ ସଜାଡ଼ିବା ସହଜ କଥା କିନ୍ତୁ ପାରିବାରିକ ଝଡ଼ ପରେ ମନୋବଳ ରଖି ପୁଣି ପକ୍ଷୀଟିଏ ପରି କାଠି କୁଟା ସଜାଡି ନୀଡ଼ ବସେଇବା କଣ ସହଜ କଥା!ଆଖିରୁ ଲୁହ ପୋଛୁ ପୋଛୁ ପାଖରେ ଯେଉଁ ଛାଇ ପଡିଲା ସେ ତା ଅତି ପ୍ରିୟ ମିତା ଅପାର. କାନିରେ ବାନ୍ଧିଥିବା ରାକ୍ଷୀଟିକୁ ପିନ୍ଧେଇ ମିଠା ଖୁଆଇ ଢେର କାନ୍ଦିଲା ମିତା ଅପା. ପିଲାଦିନରୁ ଆଜିଯାଏଁ ଦୁଃଖ ସୁଖ ସହିତ ସାମିଲ ହୋଇ ବଢ଼ି ଥିଲେ ବି କେହି କାହା ଋଣ ଶୁଝିବାକୁ ଅସମର୍ଥ ବେଳେ ମିତା ଅପାର ବାର୍ଦ୍ଧକ୍ୟରେ ପୁଣି ଯୋଡି ହୋଇଗଲା ସାନଭାଇ ମନୋଜର ବାର୍ଦ୍ଧକ୍ୟ.
ଦୁହେଁ ଢେର କାନ୍ଦିଲା ପରେ ମିତା ନେଇ ଯାଇଥିଲା ଭାଇକୁ ସାଙ୍ଗରେ. ତା ସଂସାରରେ ମଧ୍ୟ ତା ପୁଅ ଝିଅ ଖଣ୍ଡି ଉଡ଼ା ଦେଉ ଦେଉ ଉଡି ଶିଖି ଚାକିରୀ ଓ ବିବାହ କରି ଭଲରେ ଥିଲେ ଦୂର ବିଦେଶରେ. ମିତା ପିଲାଦିନୁ ବୁଝିଥିଲା ନିଜ ହାତ ଗୋଡ଼ ଚଳୁଥିବା ଯାଏଁ ସମସ୍ତେ ନିଜର. ନହେଲେ କିଏ କେତେଦିନ କରିବ କାହାର!ଘରେ ଏଣିକି ତାର ଦୁଇ ବୁଢା. ସ୍ୱାମୀ ଓ ଭାଇ ମନୋଜ. ସୁଖେ ଦୁଃଖେ ସଂସାର ନାଆ ଗଡି ଚାଲୁଥିଲା ବେଳେ ପ୍ରାକୃତିକ ଝଡ଼ ଭାଙ୍ଗିଦେଇ ଗଲା ନୀଡ଼ ତ ଏଣିକି ବାପାଘର ଗାଁରେ ମିତା ଓ ମିତାର ସ୍ୱାମୀ ସହିତ ମନୋଜ ନୀଡ଼ ଗଢି ଭଲରେ ଥିଲେ. ବିଲ ବାଛୁଥିଲେ. ଗଡିଆ ପୋଖରୀ ସଫା କରୁଥିଲେ. ରାକ୍ଷୀ ଆସିଲେ ଗାଈ ବଳଦଙ୍କ ବେକରେ ରାକ୍ଷୀ ବାନ୍ଧି ସାଧ୍ୟ୍ୟ ମତେ ପିଠା ମିଠା ଖୁଆଇ ବୃକ୍ଷ ଦେବତାଙ୍କ ପୂଜା କରିବା ସହ ମନୋଜ ହାତରେ ରାକ୍ଷୀ ବାନ୍ଧିଲା ବେଳେ ମିତାର ସ୍ୱାମୀ ତାଳି ମାରୁଥିଲେ ଓ କହୁଥିଲେ ଭାଇ ଭଉଣୀ କହ କାହାଣୀ... ଭାରତବାସୀ,ବଡ଼ ସାହାସୀ. ମିତା ସ୍ୱାମୀଙ୍କ ହାତରେ ରାକ୍ଷୀ ପିନ୍ଧାଇ ତାଙ୍କ ଭଉଣୀ ନଥିବା ଦୁଃଖକୁ ଲାଘବ କଲା ବେଳେ ଦୂର ସ୍କୁଲରେ ଅଗଷ୍ଟ ପନ୍ଦର ପାଇଁ ପ୍ରସ୍ତୁତିର ସ୍ୱର ଶୁଭୁଥିଲା ବନ୍ଦେ ମାତରଂ.. ଜୟ ଯବାନ ଜୟ କିଷାନ.ମିତାର ମନେ ପଡୁଥିଲା ସେଇ ପୁରୁଣା ଦିନର ସ୍ମୃତି ପିଲାଦିନ. ମନୋଜଙ୍କର ପିଲାମାନେ ନିଜ ନିଜ ଭୁଲ ବୁଝିପାରି ବାପା ମନୋଜଙ୍କୁ ଫେରାଇ ନେବାକୁ ଆସିଥିଲେ ମଧ୍ୟ ସେ ଯାଇନଥିଲେ. ମିତା ଓ ତା ସ୍ୱାମୀ ମଧ୍ୟ ପୁଅ ଝିଅ ଡାକିଲେ ଆମେ ସମସ୍ତେ ମିଶି ଏକାଠି ଥିବାରୁ ଭଲରେ ଅଛୁ କହୁଥିଲେ. ଏବର୍ଷ ରାଜୁ ବିଜୁ ଓ ମିତାଙ୍କ ପୁଅ ଏବଂ ଝିଅ ଡାକରେ ଢେର ସାରା ପଠେଇଥିବା ରାକ୍ଷୀ ଦେଖି ଆଖିରେ ଲୁହ ଆସିଥିଲା ମିତାଙ୍କର. ମନେ ପଡୁଥିଲା ପିଲାଦିନର ନିଜ ହାତ ଗଢ଼ା ବରଡ଼ା ପତ୍ର ରାକ୍ଷୀ କଥା. ଆଜି ବି ମନୋଜ ଭଉଣୀ ମିତା ଆଖିରୁ ଲୁହ ପୋଛି କହୁଥିଲେ ମୁଁ ତୋ ଭାଇ ବଞ୍ଚିଛି ଅପା. ମିତା ଭାଇ ମୁଁହଁରେ ହାତ ରଖି ସେମିତି ନକହିବାକୁ ନିର୍ଦେଶ ଦେଉଥିଲା.
