Seetaram Dash

Inspirational Romance

3  

Seetaram Dash

Inspirational Romance

ଭାଗ୍ୟ

ଭାଗ୍ୟ

5 mins
744


ଘରଟି ଖୁବ ସୁନ୍ଦର ଭାବରେ ସଜ୍ଜା ହୋଇଛି।ରଜନୀଗନ୍ଧାର ମହମହ ବାସ୍ନାରେ ସୁରଭିତ ଘରର କୋଣ ଅନୁକୋଣ। ବାସର ଦୀପର କ୍ଷୀଣ ଆଲୋକରେ ମିଟୁ ଅପେକ୍ଷା କରିଛି ନିଜର ପ୍ରାଣ ପ୍ରିୟାକୁ। ଦୁଇଟି ମଣିଷଙ୍କୁ ଅପେକ୍ଷା କରିଛି ଫୁଲ ଶଯ୍ୟା। ଅପେକ୍ଷାର ପ୍ରତିଟି ମୁହୂର୍ତ୍ତ ମିଟୁକୁ ଲାଗୁଛି ଏକ ଯୁଗ ପରି। ପୂର୍ଣ୍ଣିମାର ଜହ୍ନ କିରଣ ପରିବେଶକୁ ମାଦକତାରେ ଭରିଦେଇଛି। ଘର, ବାରି, ବିଲ, ବଣ, ଗହୀର ତୋଟା ସବୁ ଆଜି ଲାଗୁଛି ରୂପାର ଚାନ୍ଦୁଆ ଭଳି। ସବୁ ଅପେକ୍ଷାର ଅନ୍ତ ଘଟାଇ ଘର ଭିତରକୁ ପ୍ରବେଶ କରିଛି କୁନି। ମିଟୁ କୁନିକୁ କୋଳେଇ ନେବା ପରିବର୍ତ୍ତେ ଗୋଟେ ହାତରେ ନିଜର ଡାହାଣ ଆଖିକୁ ବନ୍ଦ କରି କହିଛି "କୁନି ଆଖିରେ ପୋକଟାଏ ପଡିଗଲା, ଦେଖିଲ"। କୁନି କହିଲା "ପୋକଟା ବାଁ ଆଖିରେ ନୁହେଁ ଡାହାଣ ଆଖିରେ ପଡ଼ିଛି"। ମିଟୁ ଟିକେ ହସି ଦେଇ କୋଳେଇ ନେଇଛି କୁନିକୁ। କୁନି ମିଟୁର ଛାତିରେ ମୁଣ୍ଡ ରଖି ମନେ ପକାଇଛି ପୁରୁଣା ଦିନକୁ।

କୋଣାର୍କର ମୁକ୍ତ ଆକାଶ ରଙ୍ଗମଞ୍ଚକୁ ମିଟୁ ଯାଇଥାଏ ନିଜର ମାମୁଁ ପୁଅର ବିବାହ ଉତ୍ସବରେ ଯୋଗ ଦେବାକୁ। ବିବାହ ଭୋଜି ଖୁବ ଆନନ୍ଦ ଉଲ୍ଲାସରେ କଟିଯାଏ। ମିଟୁର ସେଠାରେ କୁନି ସହିତ ଭେଟ ହୁଏ। କୁନି ମାମୁଁଙ୍କ ଦୂର ସମ୍ପର୍କୀୟ।ସ୍ୱଭାବରେ ଖୁବ ଶାନ୍ତ ଆଉ ସ୍ୱାଭିମାନି। ବିବାହ ପର ଦିନ ରିଜର୍ଭ ହୋଇଥିବା ଗାଡିଟି କୌଣସି କାରଣରୁ ଖରାପ ହୋଇ ଯାଇଥିଲା। କୁନିର ସକାଳ ୯.୪୫ରେ କଲେଜ। ତେଣୁ ମାମୁଁ ମିଟୁକୁ ଦାଇତ୍ଵ ଦେଇଛନ୍ତି କୁନିକୁ ଘରେ ଛାଡ଼ି ଦେବା ପାଇଁ ଯେହେତୁ ମିଟୁର ଘରକୁ ଯିବା ବାଟରେ କୁନି ଘର ପଡେ।

ପ୍ରଥମେ କୁନି ଅରାଜି ହୋଇଛି ଯିବା ପାଇଁ, କିନ୍ତୁ ଅନ୍ୟ କିଛି ଉପାୟ ନ ଥିବାରୁ ବାଧ୍ୟ ହୋଇ ବାହାରିଛି ମିଟୁ ସହିତ। କିନ୍ତୁ ମନରେ ଅନେକ ଆଶଙ୍କା। ଆଜି କାଲି ଘଟୁଥିବା ଅନେକ ଦୁର୍ଘଟଣାକୁ ଆଶଙ୍କା କରି କୁନି ଆତଙ୍କିତ। ମିଟୁର ମଟର ସାଇକେଲ ପଛରେ ଢେର ଦୁରତାରେ ବସିଲା କୁନି। ସତେ ଯେମିତି ମିଟୁ ଏକ ଅରଣା ମଇଁଷି। କାହିଁକି କେଜାଣି ମୁଟୁକୁ ଭଲ ଲାଗିଲା ଏସବୁ।

କୁନି କିନ୍ତୁ ଭାବି ଚାଲିଥାଏ ଆଜି କାଲିର ଅଘଟଣ ସବୁକୁ। ସାଙ୍ଗ ମାନଙ୍କ ଠୁ ଶୁଣିଥିବା ଅନେକ କଥା ତା କାନରେ ଗୁଞ୍ଜରିତ ହେଉଥାଏ। ପୁଅ ମାନେ କିପରି ଝିଅ ମାନକୁ ବାଇକିରେ ବସାଇ ଖାଲ ଠିପରେ ଜାଣି ଜାଣି ଚଳାନ୍ତି। ଅନେକ ବାଟ ଯିବା ପରେ ସବୁ ଆଶଙ୍କାକୁ ସତରେ ପରିଣତ କରି ମିଟୁ ହଟାତ ବ୍ରେକ ମାରିଲା। ଷାଠିଏ ସ୍ପୀଡ଼ରେ ଥିବା ଚଳନ୍ତା ଗାଡିଟି କ୍ଷଣିକ ମଧ୍ୟରେ ସ୍ଥିର ହୋଇଗଲା।ତଳେ ପଡୁ ପଡୁ ମିଟୁକୁ ଧରିନେଲା କୁନି। କୁନିର ଶରୀର ଖୁବ ଜୋରରେ ଆଘାତ ଦେଲା ମିଟୁକୁ।

କୁନି ରାଗରେ ଢୋ କରି କଷି ଦେଲା ଚାପୁଡାଏ ମିଟୁର ବାମ ଗାଲକୁ କିନ୍ତୁ ମିଟୁ ନିରବ। ପର ମୁହୂର୍ତ୍ତରେ ଲକ୍ଷ୍ୟ କଲା ମିଟୁ ଡାହାଣ ଆଖିକୁ ନିଜ ହାତରେ ଚାପି ଧରିଛି। ଆଙ୍ଗୁଳି ସନ୍ଧିରେ ଅଳ୍ପ ଅଳ୍ପ ରକ୍ତ ଲାଗିଛି, ମିଟୁ ମୁହଁରେ ଅସହ୍ୟ ଯନ୍ତ୍ରଣା ସ୍ପଷ୍ଟ ବାରି ହେଉଛି। ଏବେ କୁନି ଅନୁଭବ କଲା ମିଟୁର କିଛି ଆସୁବିଧା ହୋଇଛି।ଏବେ ଆଉ କୁନିକୁ ଅବୁଝା ନ ଥିଲା, ମିଟୁର ଗାଡି ଏପରି ରଖିବାର ପ୍ରକୃତ କାରଣ। ନିଜକୁ ଖୁବ ଛୋଟ ମନେ କରୁଥିଲା କୁନି। ନିଜକୁ ନିଜେ ଦୋଷୀ ମନେ କରୁଥିଲା। ନିଜ ଦୋଷ ପାଇଁ କ୍ଷମା ମାଗିବାକୁ ଚାହିଁଲେ ବି, ସତ ଚେଷ୍ଟା କରି ସାହସ ଜୁଟେଇ ପାରୁ ନଥିଲା କୁନି।

ଜଣେ ସମ୍ପର୍କୀୟଙ୍କ ସାହାଯ୍ୟରେ ନିମାପଡା ମେଡିକାଲରେ ସମସ୍ତେ ପହଁଚିଲେ। ଡାକ୍ତର କହିଲେ ଭାଗ୍ୟ ଭଲ, ବିଷାକ୍ତ ପୋକଟି ଆଖି ପତାକୁ କାମୁଡିଛି ନ ହେଲେ ଆଖିଟି ନଷ୍ଟ ହୋଇ ଯାଇଥାନ୍ତା। ପ୍ରଥମେ କୁନିକୁ ଘରକୁ ପଠାଇବା ବ୍ୟବସ୍ଥା କରାଗଲା। କୁନିର କିଛି ସମୟ ମେଡିକାଲରେ ରହିବାର ଇଚ୍ଛା ଥିଲେ ବି ଘରକୁ ଫେରି ଗଲା। କିନ୍ତୁ ଏବେ ତା ଆଖି ଆଗରେ ନାଚୁ ଥିଲା ମିଟୁର ବ୍ୟଣ୍ଡେଜ ହୋଇଥିବା ନିରୀହ ମୁହଁଟି। କିଛି ଦିନ ପରେ ମିଟୁର ମୋବାଇଲରେ ଏକ ମେସେଜ ଆସିଲା

......ସେଦିନ ଘଟଣା ପାଇଁ ମୁଁ ଦୁଃଖିତ। ଭୁଲ ପାଇଁ କ୍ଷମା କରି ଦେବେ।

ମିଟୁ ପ୍ରୋଫାଇଲ ପିକ୍ଚର୍ ରୁ ଜାଣିନେଲା ନମ୍ବରଟି କୁନିର। କାଳ ବିଳମ୍ବ ନ କରି ରିପ୍ଲେ ଦେଲା

.......ତୁମ ଜାଗାରେ ଯେ କେହିବି ହୋଇଥିଲେ ଏପରି କରିଥାନ୍ତା।

ଭାଗ୍ୟର ଖେଳ, ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ମଧୁର ସମ୍ପର୍କ ଆଗକୁ ଆଗକୁ ବଢି ଚାଲିଲା।ଏବେ ଉଭୟଙ୍କର ବଢି ଚାଲିଲା ମେସେଜ ଦିଆ ନିଆ ଆଉ ବଢି ଚାଲିଲା ଉଭୟ ଉଭୟଙ୍କ ପ୍ରତି ସ୍ନେହ ଆଉ ସମ୍ମାନ। ଦୁଇଟି ମନ ଧୀରେ ଧୀରେ ନୀଳ ଆକାଶର ଭସା ବାଦଲକୁ ଛୁଇଁବାକୁ ଲାଗିଲେ। ନିଜ ଅଜାଣତରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଲେ। ପ୍ରେମର ସାତ ରଙ୍ଗରେ ରଙ୍ଗୀନ ହେଲା ଦୁଇଟି ଦୃଦୟ। ଏବେ ଚାରିଆଡେ ଖାଲି ଫୁଲ ଆଉ ଫଗୁଣ। ମହ ମହ ବାସ୍ନାରେ ସୁରଭିତ କୁନିର ପ୍ରତେକ ମୁହୁର୍ତ୍ତ। ସଞ୍ଜ ବେଳରେ ନଈ କୁଳର ଖଜୁରୀ ବାହୁଙ୍ଗାକୁ ଥରାଇ ଥରାଇ ବହି ଆସୁଥିବା ମୃଦୁ ମଳୟ ଶୀତଳ ସମୀରରେ ନିଜକୁ ହଜାଇ ଦିଅନ୍ତି ଏହି ପ୍ରେମୀ ଯୁଗଳ। ଶେଷରେ ଏପରି ଏକ ମୁହୂର୍ତ୍ତ ଆସି ଉପନୀତ ହେଲା, ଦୁହେଁ ଦୁହିଁଙ୍କୁ କ୍ଷଣେ ଛାଡି ବଞ୍ଚିବା କଷ୍ଟକର ହୋଇ ପଡ଼ିଲା।

ଦିନ ଗଡି ଚାଲେ, ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ଘର ଲୋକେ ଜାଣନ୍ତି। ଉଭୟଙ୍କ ଜାତି ସମାନ, ଗୋତ୍ର ମେଳ ଖାଉଥିବାରୁ ରାଜି ହୋଇଗଲେ ଦୁଇ ପରିବାର। କିନ୍ତୁ ମିଶିଲାଣି ଉଭୟଙ୍କ ଜାତକ। ମିଟୁ ବୋଉ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡିଲେ। ନାମ ରାଶି ବି ମେଳ ହେଲାନି। ଜଣେ ପଣ୍ଡିତ ଦୁଇ ଜଣଙ୍କ ନାମ ଶୁଝାଇ କହିଲେ, "ଏ ବିବାହରେ ବହୁତ ବିପଦ ଅଛି।ଅଳ୍ପ ଦିନରେ ବିବାହ ବିଛେଦ ହୋଇପାରେ। ଶନିଙ୍କର କୋପ ଦୃଷ୍ଟି ସର୍ବଦା ରହିବ ପୁଅ ମୁଣ୍ଡରେ। ଛାୟା ଗ୍ରହଙ୍କ ହେଲେ ରହୁ, କେତୁ। ସେମାନଙ୍କ କୁପ୍ରଭାବ ସର୍ବଦା ଲାଗିରହିବ। ଜନ୍ମ କୁଣ୍ଡଳୀ ରେ ଅନେକ ଦୋଷ ରହୁଛି। ବିବାହ ହେଲେ ଏମାନଙ୍କ ଭାଗ୍ୟରେ ସୁଖ ସାତ ସପନ ହୋଇଯିବ।" ବୋଉ ପୁରୁଣା କାଳିଆ ଲୋକ। ଖୁବ ଭୟଭୀତ ହୋଇ ପଡିଲେ ଭିତରେ ଭିତରେ। ଗୋଟିଏ ବୋଲି ପୁଅ ତେଣୁ ଖୁବ ବିରୋଧ କଲେ, ପୁଅକୁ ଅନେକ ବୁଝାବୁଝି କରି ଅନ୍ୟ ଆଡେ ପ୍ରସ୍ତାବ ଦେଖିବାକୁ କହିଲେ। ନ ହେଲେ ଶେଷରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ।

ଏବେ ଦୁହିଁଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇ ଗଲା। କେତେ ସ୍ୱପ୍ନ ଦେଖିଥିଲେ ଉଭୟ? ଏତେ ଦିନର ସ୍ୱପ୍ନ କଣ ଭାଙ୍ଗି ଚୁରମାର ହୋଇଯିବ। ସବୁ ଫୁଲର ଭାଗ୍ୟରେ ପୂଜା ପାଇବାର ଯୋଗ ନ ଥାଏ ସେହିଭଳି ସବୁ ପ୍ରେମର ଭାଗ୍ୟରେ ଅଳତା, ସିନ୍ଦୁର ବି ନ ଥାଏ। ମିଟୁର ଛାତି ଫାଟିଗଲା ପରି ଲାଗୁଥାଏ।ଗୋଟେ ପଟେ ଜାନ୍ମଦାତ୍ରୀ ମା" ଆର ପଟେ ସାତ ଜନ୍ମର ସାଥି। କଣ କରିବ? ମିଟୁ କିନ୍ତୁ କୁନିକୁ ଦୁଃଖ ଦେବାକୁ ଚାହୁଁ ନ ଥିଲେ। ମିଟୁ ଚିନ୍ତା କରୁଥିଲେ ବୋଉ ତ ଆଜି ନ ହେଲେ କାଲି ବୁଝିଯିବ କିନ୍ତୁ କୁନି କଣ ପୁଣି ଥରେ ମୋ ଜୀବନରେ ଆସିବ? ଏତେ ବାଟ ଆସିଲା ପରେ ପଛକୁ ଫେରିବା କଣ ସମ୍ଭବ? ଅନେକ ପ୍ରଶ୍ନ ମିଟୁ ମନରେ। କୁନିର ସ୍ଥାନ ମୁଁ କାହାକୁ ଦେଇ ପାରିବିନି। ନିଜକୁ କିଛି କରିବାକୁ ପଡିବ ଯାହାବି ହେଉ....

ଶେଷରେ ମିଟୁ ବୋଉକୁ ସ୍ପଷ୍ଟ ଭାବରେ ଜଣାଇଲେ, "ବୋଉ ଆତ୍ମହତ୍ୟା ତୁ ନୁହେଁ ମୁଁ କରିବି। କୁନି ବିନା ବଞ୍ଚିବା ମୋ ପାଇଁ ମରିବା ସହ ସମାନ। ମୋ ଯୋଗୁ ତୁ କାଇଁ ମରିବୁ। ମରିବୁ ଆମେ ଦୁଇ ଜଣ। ସାରା ସଂସାର ଜାଣିବ ଆମ ପ୍ରେମକୁ, ଆମର ବଳିଦାନ କୁ। ଯାହା ହେବାର ଥିବ ହେବ। ଆଜିର ଯୁଗରେ ରାଶି ନକ୍ଷେତ୍ର, ପଣ୍ଡିତ କଥାକୁ ବିଶ୍ୱାସ କରି ଗୋଟେ ଝିଅର ଜୀବନକୁ ନଷ୍ଟ କରିପାରିବିନି। ମୋର ଶେଷ ନିଷ୍ପତ୍ତି ଯଦି ବିବାହ ହେବ କୁନି ସହ, ନହେଲେ "ଆତ୍ମହତ୍ୟା"। ନିଜ କର୍ମ ହିଁ ମଣିଷର ଭାଗ୍ୟ ସୃଷ୍ଟି କରିଥାଏ। ରାଶି ନକ୍ଷେତ୍ର ନୁହେଁ।"

ବୋଉ ଏ କଥା ଶୁଣି ନିରବ ଆଉ ନିସ୍ତବ୍ଧ। ମୁହଁରେ ଆଉ ଶବ୍ଦ ନାହିଁ। "ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସି" ମା' ଅତୁଳନୀୟ, ମା' ମମତମୟୀ। ମା' ର ପଣତ ବଡ଼ ଦେଉଳର ନେତ। କୋଉ ମା' କଣ ପୁଅର ଦୁଃଖ ସହିପାରେ। ନିଜକୁ ରୋକି ପାରିଲେନି ବୋଉ, ବାଷ୍ପରୁଦ୍ଧ କଣ୍ଠରେ କହିଲେ, "ମୋ ଧନ ଟା ପରା ଏମିତି କଥା କହନା ରେ।ଏତେ ଦିଅଁ ଦେବତା ତୁମ ପାଇଁ ପୁଜୁଛି କଣ ଏଇ କଥା ଶୁଣିବା ପାଇଁ। ତୋ ବିନା ମୁଁ ବଞ୍ଚି ପାରିବିନି"। ମିଟୁ ବି ରୋକି ପାରିଲାନି ନିଜର ଆଖି ଲୁହକୁ। ମା ପୁଅ ଦୁହେଁ ଦୁହିଁଙ୍କୁ ବୁଝାଉ ଥିଲେ।

ଏବେ ଆଉ କାହା ପାଖରେ କିଛି ବାଟ ନ ଥିଲା, ହଁ କହିବା ଛଡା। ପ୍ରେମ ଆଗରେ ହାର ମାନିଲା ପରିବାର। ଇଚ୍ଛା ନ ଥିଲେ ବି ବାଧ୍ୟ ହୋଇ ରାଜିହେଲେ ବୋଉ। ବିବାହ ପାଇଁ ଚାଲିଲା ପୂର୍ବ ପ୍ରସ୍ତୁତି। ମିଟୁ କୁନିକୁ ଫୋନ କରି ହସି ହସି କହିଲା

.....ଆଖିରେ ପୋକ ଟିଏ ପଡିଗଲା

କିନ୍ତୁ କୁନି ଜଣାଇଲା

.....ଜଲଦି କାଢୁନ, ମତେ କଣ କହୁଛ।

.....ପୋକ ନୁହେଁ ପତଙ୍ଗ।

......ଯାହା କହିବ ସିଧାସଳଖ କୁହ, ମୁଁ ଜାଣିଛି ତମ ଆଖିର କିଛି ପଡିନି।

......ପତଙ୍ଗ ମାନେ ପ୍ରଜାପତି। ଏବେ ପ୍ରଜାପତି ମାନେ ମୋ ଦେହ ଚାରି ପାଖରେ ଉଡି ବୁଲୁଛନ୍ତି। ଆଉ ଗୋଟେ ଖୁସି ଖବର, ଘରେ ବାହାଘର ପାଇଁ ସମସ୍ତେ ରାଜି।

କୁନି ବି ଲାଜରେ ଓଠ ଚାପି ହସୁଥିଲେ ମୁରୁକି ମୁରୁକି। ଏଇ ଫଗୁଣରେ ହେଲା ଏମାନଙ୍କ ବାହାଘର। ଭୋଜି ଖୁବ ଧୁମ ଧାମରେ ହୋଇଥିଲା। ଦୁର୍ଭାଗ୍ୟ ସମୟ ଅଭାବରୁ ଭୋଜିରେ ମୁଁ ଯୋଗ ଦେଇ ପାଇଲିନି।


Rate this content
Log in

Similar oriya story from Inspirational