STORYMIRROR

Pravanjan Dash

Abstract Classics Inspirational

3  

Pravanjan Dash

Abstract Classics Inspirational

ଭାବନା ସେପାଖେ

ଭାବନା ସେପାଖେ

2 mins
163

ଆଉ ବେଶୀ କିଛି ମୂଲଚାଲ କରିବାକୁ ନଚାହିଁ ମୁଁ ସିଧା ଯାଇ ବସି ପଡ଼ିଲି କାର୍ ଭିତରେ। ସହଜେ ତ ଶୀତ ରାତି। ସେଥିରେ ପୁଣି ସମୟ ଖୁବ୍ ଅଧିକା ହେଲାଣି। କୁହୁଡି ଘେରି ଆସିଲାଣି। ପେଟରେ ପ୍ରବଳ ଭୋକ। ଘରକୁ ପହଞ୍ଚିବା ପାଇଁ ମନରେ ଖୁବ୍ ବ୍ୟାକୁଳତା। ବିରକ୍ତି ଭାବେ ମୁଁ, “ଧେତ୍ ଆଜି ଏଇ ରାତିରେ ହିଁ ଟ୍ରେନ୍ ଛାଡିବାର ଥିଲା। ଦିନ ହୋଇଥିଲେ ଟ୍ୟାକ୍ସି ପାଇଁ କିଛିବି ଅସୁବିଧା ହେଇନଥାନ୍ତା। କମ୍ ପଇସାରେ ମିଳି ଯାଇଥାନ୍ତା। ରାତି ବୋଲି ଏମାନଙ୍କର ଶଳା ଏତେ ଭାଉ। ଦୁଇଶହ ଜାଗାରେ ପାଁଶହ କରି ଲୁଟିବାରେ ଏମାନେ ପୁରା ଓସ୍ତାଦ୍। ଛି ଏମାନଙ୍କ ମାନସିକତାକୁ। ଲୁଟେରା ଗୁଡାକ ପୁରା”। ନିଜକୁ ନିଜେ ଶାନ୍ତ କରି, “ଯାହାବି ହଉ ହେଲେ ଟ୍ୟାକ୍ସିଟେ ମିଳିଗଲା ସେତିକି ବଡ଼ କଥା। ନହେଲେ ଏତେ ଜିନିଷପତ୍ର ଧରି ଏତେ ରାତିରେ ଅନ୍ୟ କିଛିବି ଉପାୟ ନଥିଲା ମୋ ପାଖରେ”। କିଛିବାଟ ଗଲା ପରେ ଟ୍ୟାକ୍ସିବାଲା ହଠାତ୍ ଗାଡି ରଖିଦେଲା। ଶୂନ୍ଶାନ୍ ରାସ୍ତାରେ ହଠାତ୍ ଏମିତି ଗାଡି ରଖିବାର କାରଣ ମୁଁ ପଚାରିବା କ୍ଷଣି କିଛି ନକହି ଡୋର୍ ଖୋଲି ସେ ଚୁପ୍ଚାପ୍ ଚାଲିଗଲା ବାହାରକୁ। କାରର ପଛ ସିଟରେ ବସି ଅନେକ ସନ୍ଦେହକୁ ମନରେ ଚାପି ଧରି ଝରକା ପାଖେ ବାହାରକୁ ଦେଖିବା ଛଡା ଅନ୍ୟ କିଛି କରିବାର ସାମର୍ଥ୍ୟ ନଥିଲା ମୋ ପାଖରେ। ଟ୍ୟାକ୍ସିବାଲା ରାସ୍ତା କଣରେ ଥିବା ଏକ ଜରି ଟଣା ଘର ପାଖକୁ ଯାଇ ନିଜ ଦାମୀ ସ୍ବେଟରଟି ଖୋଲି ପିନ୍ଧେଇ ଦେଲା ସେଇ ଅସହାୟ ରୁଗଣ୍ ଲୋକଟି ଦେହରେ। ଲୋକଟି କୃତଜ୍ଞତା ଭରା ନୟନରେ ଚାହିଁରହିଲା। ଚୁପ୍ଚାପ୍ ଚାଲି ଆସି ସେ କାରରେ ବସି ଗାଡି ଆଗେଇ ନେଲା। ମନର ଉତ୍ସାହକୁ ନରଖି ପାରି ମୁଁ ପଚାରିଲି, “ବାହାରେ ଏତେ ଶୀତ ଅଥଚ ତମେ ତାକୁ ତମ ସ୍ବେଟର ଦେଇ ଦେଲ ତମକୁ କଣ ଏବେ ଥଣ୍ଡା ଲାଗୁନି? ହସିଦେଇ ସେ କହିଲା, “ସାର୍ ଥଣ୍ଡା ତ ଲାଗୁଚି ନିଶ୍ଚୟ। କିନ୍ତୁ ମୁଁ ଜାଣିଛି ଗାଡି ଭିତରର ଏ ଥଣ୍ଡା ଅପେକ୍ଷା ରାସ୍ତା କଡର ସେ ଥଣ୍ଡା ଭିତରେ ଥିବା ପ୍ରଭେଦକୁ। ଏ ଥଣ୍ଡା ମୁଁ ସହିଯିବି କିନ୍ତୁ ସେ ଥଣ୍ଡା ସେ କେମିତି ସହି ପାରିଥାନ୍ତା କୁହନ୍ତୁ ତ?” ମୁଁ ନୀରବ ରହିଲି। ମୋ ପ୍ରଶ୍ନରେ ସେ ଦେଇଥିବା ଉତ୍ତର ପୂର୍ବରୁ ତା’ ପ୍ରତି ଥିବା ମୋ ମନରେ ଥିବା ଭାବନାକୁ ବଦଳେଇ ଦେବା ପାଇଁ ହିଁ ଯଥେଷ୍ଟ ଥିଲା। ଘର ଦୁଆରେ ଆସି ଗାଡି ଲାଗିଲା। ଜିନିଷ ପତ୍ର କାରରୁ କାଢି ନେଇ ସେ ଘରେ ରଖିଦେଲା। ପକେଟରୁ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ୍ କାଢି ବଢେଇ ଦେଲି ତା’ ହାତକୁ। ସଂକୋଚରେ ସେ ଚାହିଁ ରହିଲା ମତେ। ହସିଦେଇ ମୁଁ କହିଲି, “ଏ ପାଁଶହ ଟଙ୍କା ତୁମ ଗାଡି ଭଡା। ଆଉ ଆର ପାଁଶହ ମୋ ତରଫରୁ ତୁମକୁ ନୂଆ ବର୍ଷର ଉପହାର। ନୂଆ ସ୍ବେଟର ଟେ କିଣିବା ପାଇଁ”। କୃତଜ୍ଞତା ଜଣାଇ ସେ ଚାଲିଗଲା। ମନେମନେ ମୁଁ ଭାବୁଥିଲି, “ମଣିଷର ଛୋଟିଆ ହୃଦୟ ଭିତରେ ଯେ କେତେ ବଡ଼ ମହାନ୍ ଚିନ୍ତାଧାରା ଲୁଚି ରହିଛି ବୋଧେ ସେସବୁ ବୁଝିବାକୁ ଏ ପାଠୁଆ ମୁଣ୍ଡ ବି ବେଳେ ବେଳେ ହାରି ଯାଏ ସତରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract