CHINMAYEE PRADHAN

Inspirational

4.0  

CHINMAYEE PRADHAN

Inspirational

ଭାବ ବିନୋଦିଆ

ଭାବ ବିନୋଦିଆ

2 mins
168



ତା ଡୋରି ନ ଲାଗିଲେ କିଏ କଣ ପୁରୀ ଯାଇ ପାରେ କି? ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ କରି ପୁରୀ ଆସିଛି ମାଳତୀ। ସ୍ଵାମୀ ଚାଲିଗଲା ପରେ ପୁଅଝିଅଙ୍କୁ କେତେ କଷ୍ଟରେ ମଣିଷ କରିଛି ସେ ହିଁ ଜାଣିଛି। ସଂସାର ଚଳିବାରେ ଜଗା କେବେ ହାତ ଛାଡିନି। ଅତିଶୟ ଦୁଃଖ ସମୟରେ ଜଗାକୁ ସ୍ମରଣ ମାତ୍ରକେ ଦୁଃଖ ହଟି ଯାଇଛି। ଘରେ ଜଗାର ଛୋଟିଆ ମୂର୍ତ୍ତିଟେ ରଖି ପୂଜା କରେ। ସେ ତାକୁ ନିଜର ଭାଇ ବୋଲି ମାନେ। ସବୁ ଦୁଃଖସୁଖ ବସି ତାରି ଆଗରେ ବଖାଣେ।


  ଝିଅ ବାହାଘର ଠିକ୍ ହେଇ ଯାଇଛି। ପାଠସାଠ ଦି ଅକ୍ଷର ପଢେଇ ଥିବାରୁ ଭଲ ସରକାରୀ ଚାକିରିଆ ଜ୍ୱାଇଁ ବି ମିଳିଛି। ସେମାନଙ୍କର ଯୌତୁକ ବାବଦକୁ କିଛି ଦାବି ନାହିଁ। ହେଲେ ବି ଚଳଣି ଅନୁସାରେ ଯାହା ଦେବା କଥା ସେତିକି ଦେବାକୁ ତାର ସକ୍ଷମ ନାହିଁ। କେହି ବନ୍ଧୁବାନ୍ଧବ ବି ନାହାଁନ୍ତି ଦେଲାବାଲା। ହଉ ସେଇ ଜଗା ଭରସା। ମଗୁଶିରକୁ ତିଥ ଧରା ହେଇଛି। ଆଷାଢ଼ ହେଲା। ଗୁଣ୍ଡିଚାକୁ ଆସି ପାରିଲାନି। ବାହୁଡାକୁ ଆସିଛି। ଏକାଥରକେ ସୁନାବେଶ ଦେଖିକି ଯିବ। ଯାହା ହେଉ ଭିଡ ଭିତରୁ ଜଗାକୁ ଦେଖିବାର ସୁଯୋଗ ମିଳିଗଲା। ବାଆପରେ କେତେ ସୁନା! ଜଗାର ଏତେ ସୁନା ଅଛି ଦେଖି ତାର ଆଖି ଖୋସି ହୋଇଗଲା। ମନେ ମନେ ଭାବିଲା, କାଣିଚାଏ ସୁନା ସିଏ ମୋ ଝିଅ ବାହାଘରକୁ ଦିଅନ୍ତାନି। ମୁଣ୍ଡିଆ ମାରି ଝିଅ ବାହାଘରକୁ ଆସିବା ପାଇଁ ନିମନ୍ତ୍ରଣ କରି ଫେରିଲା।


  ବାହାଘର ସମୟ ଉପସ୍ଥିତ ହେଲା। ଜମି ଖଣ୍ଡେ ବିକି ଝିଅ ଜ୍ୱାଇଁ ପାଇଁ ଲୁଗାପଟା, ବରଯାତ୍ରୀ ଖାଇବା ପିଇବା ଆୟୋଜନ କରିଦେଲା ମାଳତୀ। ବାହାଘର ଦିନ ବସି ଭାବୁଥାଏ, ମୋ ଝିଅର ଯଦି ମାମୁଁ ଥାନ୍ତା ତାହେଲେ ସେ ଆଜି ବଉଳପାଟ, ଗହଣାଗାଣ୍ଠି ନେଇ ଆସିଥାନ୍ତା। କନ୍ୟାଦାନ କରିଥାନ୍ତା। ଏତିକି ବେଳେ ଜଣେ ଭଦ୍ରବ୍ୟକ୍ତି ଓ ଜଣେ ମହିଳା ଆସି ପହଞ୍ଚିଲେ। ଦି ବ୍ୟାଗ୍ ଧରେଇ ଦେଇ କହିଲେ, ଆମେ ସନାତନର ସଂଗାତ ଓ ସଂଗାତୁଣୀ। ଆମ ଘର ପୁରୀ। ତୁମେ ଆମକୁ ଜାଣିନ। ତୁମ ଗାଆଁର ଜଣେ ଲୋକଠୁ ଝିଅ ବାହାଘର କଥା ଶୁଣି ଧାଇଁ ଆସିଲୁ।ଏ ବ୍ୟାଗରେ ବଉଳପାଟ ଓ କିଛି ଗହଣା ଅଛି। ସନାତନ ଆଜି ଥିଲେ ଭାରି ଖୁସି ହେଇଥାନ୍ତା। ଆମର କେହି ପୁଅଝିଅ ତ ନାହାଁନ୍ତି। ଯଦି କନ୍ୟାଦାନର ସୁଯୋଗ ଦିଅନ୍ତ ତାହେଲେ ଆମେ ଭାରି ଖୁସି ହୁଅନ୍ତୁ। ମାଳତୀ କହିଲା, ଇଏ ତ ବଡ ଖୁସିର କଥା। 


  ବାହାଘରଟା ଭଲରେ ଭଲରେ ହେଇଗଲା। କନ୍ୟା ବିଦା ହେଲା ବେଳକୁ ସେ ବ୍ୟକ୍ତିଙ୍କୁ ଖୋଜିଲା ବେଳକୁ ସେ ନ ଥିଲେ। ମାଳତୀ ତାଙ୍କ ପାଇଁ ଯେଉଁ ଜୋଡ଼ କରିଥିଲା ତାହା ଠାକୁର ଘରେ ଜଗନ୍ନାଥଙ୍କ ଉପରେ ଥିଲା। 

 

 ମାଳତୀ ଭାବୁଥିଲା, ସେ ଭାବ ବିନୋଦିଆର ଭାବକୁ କିଏ ବା ବୁଝିବ! ସତରେ ତାକୁ ଯେଉଁ ରୂପରେ ଡାକିବ ସେ ସେଇ ରୂପରେ ଆସେ। ଜଗନ୍ନାଥଙ୍କ ପାଦତଳେ ପଡି ସେ ଭୋ ଭୋ କାନ୍ଦୁଥିଲା। 


 



Rate this content
Log in

Similar oriya story from Inspirational