CHINMAYEE PRADHAN

Abstract Horror Classics

4  

CHINMAYEE PRADHAN

Abstract Horror Classics

ଲାଷ୍କ୍ଯୁରି

ଲାଷ୍କ୍ଯୁରି

2 mins
279


ସତରେ ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ , ମଣିଷର ମସ୍ତିଷ୍କରେ ଏଭଳି ଜ୍ଞାନ ଭରିଦେଇଛନ୍ତି ଯେ ଆଜି ମଣିଷ ନିଜର ଜ୍ଞାନ କୌଶଳ ବ୍ୟବହାର କରି ପବନ କୁ ମଧ୍ୟ ଅଟକାଇ ଦେଇ ସେଥିରୁ ଶକ୍ତି ଉତ୍ପାଦନ କରିପାରୁଛି । ଏହାର ଶ୍ରେଷ୍ଠ ଉଦାହରଣ ହେଉଛି ଏହି ପବନ କଳ ଯାହା ଦ୍ଵାର ଏହାର ପଙ୍ଖା ପବନ ବହିବା ସମୟରେ ପବନ କୁ ଧରିରଖି ଯାନ୍ତ୍ରିକ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୂପାନ୍ତର କରି ବିଦ୍ୟୁତ ଉତ୍ପାଦନ କରିପାରୁଛି। ପ୍ରଥମେ ଏହାକୁ ଆମେରିକୀୟ ବୈଜ୍ଞାନିକ ଚାର୍ଲ୍ସ ଏଫ୍ ବ୍ରୁଶ୍ ୧୮୮୭ ମସିହାରେ ଉଦ୍ଭାବନ କରିଥିଲେ । 


ଅଷ୍ଟ୍ରେଲିଆର ଏକ ଛୋଟ ସହରରେ ଅଛି ଏକ ପବନ କଳ। କାହିଁ କେତେ ବର୍ଷର ପୁରୁଣା । କେତେ ଝଡଝଞ୍ଜା, କେତେ ଯୁଦ୍ଧ, କେତେ ଆକ୍ରମଣ ନ ହେଇଛି! ସେ କିନ୍ତୁ ଅଚଳ ଅଟଳ ଆଉ ଚଳଚଞ୍ଚଳ। ଏହା ସେହି ପ୍ରେମୀ ଯୁଗଳଙ୍କ ଅକ୍ଷୟ କୀର୍ତ୍ତି। 

    

   ଲାଷ୍କ ଓ ୟୁରି ଗୋଟିଏ ଗାଁରେ ରୁହନ୍ତି। ଦୁହେଁ ସାଙ୍ଗହୋଇ ପାଠ ପଢନ୍ତି। ବୟସ ବଢ଼ିବା ସହିତ କ୍ରମେ ବନ୍ଧୁତା ପ୍ରେମରେ ପରିଣତ ହୁଏ। ଦୁଇ ପରିବାର ଭିତରେ ମଧ୍ୟ ଭଲ ସଂପର୍କ ଥାଏ। ପାଠ ପଢା ସାରିବା ପରେ ଲାଷ୍କ ଅନ୍ୟ ସହରକୁ ଚାଲି ଯାଏ ଚାକିରି କରିବାପାଇଁ। ତାକୁ ଭଲ ଚାକିରିଟିଏ ବି ମିଳେ। ସେତେବେଳେ ମୋବାଇଲର ପ୍ରଚଳନ ହେଇନଥିଲା। ସେ ଦୁହେଁ ପରସ୍ପର ଠାରୁ ଦୂରେଇ ଯିବାର ବେଦନାକୁ କେବଳ ଚିଠି ମାଧ୍ୟମରେ ହିଁ ଲାଘବ କରନ୍ତି। ତେଣୁ ଉଭୟ ଉଭୟଙ୍କ ଚିଠିକୁ ଚାତକ ଭଳି ଚାହିଁ ରହିଥାନ୍ତି। ଚିଠି ଆସିବା ଡେରୀ ହୋଇଗଲେ ପୁରୁଣା ଚିଠି ଆଣି ପଢନ୍ତି। ଭାବନା ରାଇଜରେ ହେଇଯାଆନ୍ତି ସେମାନେ।


ୟୁରି- ପ୍ରିୟ ଲାଷ୍କ ତୁମେ ଫେରିଲା ପରେ ଯେତେବେଳେ ଆମର ପ୍ରଥମ ଦେଖା ହେବ ତୁମେ କ'ଣ କରିବ? 


ଲାଷ୍କ - ଗୋଟେ ଲମ୍ବା ଆଲିଙ୍ଗନ ଆଉ ତା ପରେ ମଧୁର ଚୁମ୍ବନ। ସତରେ ପାଖରେ ଥିଲାବେଳେ କିଛି ଲାଗୁନଥିଲା। ହେଲେ ଏବେ ଦୂରତାଟା ଏତେ ଛଟପଟ କରିବ ବୋଲି ମୁଁ କେବେ ଭାବିନଥିଲି। ହଁ ମୁଁ ଏଇଥର ଘରକୁ ଗଲେ ଆମେ ବାହା ହେଇଯିବା। ଆଉ ତା ପରେ ତୁମକୁ ନେଇ ଏଠିକି ଚାଲି ଆସିବି। ଆମେ ଏକାଠି ରହିବା।

   ଏମିତି କେତେ କ'ଣ ଭାବନ୍ତି।    


 ଲାଷ୍କ ଘରକୁ ଫେରିଲା। ଉଭୟଙ୍କ ଘରେ ବି ବାହାଘରର ଆୟୋଜନ ଖୁବ୍ ଧୁମଧାମରେ ହେଲା। ବାହାଘରର ଅଧା ରୀତିନୀତି ସରିବା ବେଳକୁ ହଠାତ୍ କୁଆଡୁ ଝଡପବନ ମାଡ଼ି ଆସିଲା। ସେତେବେଳେ ସେଠାରେ ଇଲେକ୍ଟ୍ରିସିଟି ର ପ୍ରଚଳନ ହେଇନଥିଲା। ପବନର ପ୍ରଖର ବେଗ ସବୁ ମସାଲ ଆଲୁଅକୁ ଲିଭେଇ ଦେଲା। ଆଉ ତା ସହିତ ଲିଭେଇ ଦେଇ ଗଲା ଲାଷ୍କ ଓ ୟୁରି ର ସବୁ ସ୍ବପ୍ନକୁ। ବାହାଘର ରହିଗଲା ଅଧାରେ। ଆଉ ହେଇ ପାରିଲାନି ବାହାଘର। କାରଣ ସେଠାରେ ନିୟମ ଥିଲା ବାହାଘର ମଝିରେ ଯଦି ଅନ୍ଧାର ହେଇଯାଏ ତାହେଲେ ତାକୁ ଅଶୁଭ ମନାଯାଏ। ଆଉ ସେ ଦମ୍ପତିଙ୍କୁ ଜୀବନରେ କେବେ ବି ପରସ୍ପରର ମୁହଁ ଦେଖିବାକୁ ଦିଆ ଯାଏନି।

ଲାଷ୍କ ଓ ୟୁରିକୁ ପରସ୍ପର ଠାରୁ ଅଲଗା କରି ଦିଆଗଲା।  


   ପ୍ରକୃତିର ଏ ତାଣ୍ଡବଲୀଳା ଗଭୀର କ୍ଷତ ସୃଷ୍ଟି କଲା ଦୁହିଁଙ୍କ ମନରେ। ପରସ୍ପର ଠାରୁ ଦୂରେଇ ଦୁଃଖରେ ରହିବା ଅପେକ୍ଷା ମରିଯିବା ଶ୍ରେୟସ୍କର ବୋଲି ଭାବି ନେଇଥିଲେ। ଦିନେ ଲାଷ୍କ ର ଜନୈକ ବ୍ୟକ୍ତିଙ୍କ ସହ ଦେଖା ହେଲା। ସେ ଲାଷ୍କ ର ଆଖି ଖୋଲିଦେଲେ। ପୁଅ ତୁମେ ଏମିତି କିଛି କାମ କର ଯାହା ଦ୍ଵାରା କି ଅନ୍ୟ କୌଣସି ପ୍ରେମୀ ଯୁଗଳଙ୍କୁ ଅଲଗା ହେବାକୁ ପଡ଼ିବନି। 


 ସେହି ଦିନ ଠାରୁ ସେ ଚିନ୍ତା କରି କରି ଏକ ପବନ କଳ ପ୍ରତିଷ୍ଠା କରିଥିଲେ। ସେଇଥିରୁ ବିଜୁଳି ଶକ୍ତି ଉତ୍ପାଦନ କରି  ତାଙ୍କ ଗାଁକୁ ଆଲୋକିତ କରିଥିଲେ। ସେହି ପ୍ରେମୀ ଯୁଗଳଙ୍କ ନାମାନୁସାରେ ତାର ନାମ ଲାଷ୍କ୍ୟୁରି ରଖାଗଲା। ବିଶ୍ଵାସ କରାଯାଏ ତାଙ୍କର ଆତ୍ମା ସେଠାରେ ରହିଥିବାରୁ ସେ ପବନ କଳର କୌଣସି ବି କ୍ଷତି ହେଇନାହିଁ। ଗାଁ ଲୋକେ ସେଠାରେ ଏକ ମନ୍ଦିର କରି ଉଭୟ ଉଭୟଙ୍କ ପ୍ରତିମୂର୍ତ୍ତି କରି ପୂଜା କରୁଛନ୍ତି। ଆଉ ଯେଉଁ ପ୍ରେମୀ ଯୁଗଳ ସେଠାରେ ମାନସିକ ରଖିଥାନ୍ତି ସେମାନେ କେବେ ବି ଅଲଗା ହେଇ ନାହାଁନ୍ତି ।


Rate this content
Log in

Similar oriya story from Abstract