Shanti Mishra

Inspirational

3  

Shanti Mishra

Inspirational

ବେସୁରା ସଂଗୀତ

ବେସୁରା ସଂଗୀତ

4 mins
7.6K


ସେଦିନ ଯୋଉ ଝଡ ଟା ଉଠିଲା, ତାହା ସହଜରେ ଥମି ଯିବା ପରି ଲାଗୁନଥିଲା l ବହୁତ ରାଗରେ ସଂଜୟ ଘର ଛାଡ଼ି ଯାଇଛନ୍ତି l କହି ଯାଇଛନ୍ତି l ତାଂକ ଘରକୁ କେବେ ଫେରିବନି କି ତାଂକୁ ଆଉ ମୁହଁ ଦେଖେଇବନି l

ସଂଜୟଙ୍କର ଯେତିକି ପିତ୍ତ ଚଢିଥିଲା ମୁଣ୍ଡକୁ, ଲିପିଙ୍କର ବି କିଛି କମ ଚଢି ନଥିଲା l କିନ୍ତୁ ସେ ଚୁପ୍ ରହିଗଲେ l କଥାକୁ ଆଉ ନବଢ଼େଇଲେ ଭଲ l ଲିପି ଜାଣନ୍ତି ସଂଜୟଙ୍କର ସେ ରାଗର କିଛି ମୁଲ୍ୟ ନାହିଁ l ତାହା ସମ୍ପୂର୍ଣ୍ଣ ଅମୂଳକ l ଦି ଦିନ ପରେ ସେ ପାରା ପୁଣି ଖସିଯିବ l କିନ୍ତୁ ଆଜିର ଝଗଡାଟା ଟିକେ ଅତ୍ୟଧିକ ହୋଇ ଯାଇଥିଲା l ହଁ ସେ ଜାଣନ୍ତି ବର୍ଷେ ଉପରେ ହୋଇ ଗଲାଣି ସେ ରୀତିମତ ବୋଉ ପାଖକୁ ଆସି ତାର ଦେଖା ରଖା କରୁଛନ୍ତି l ବର୍ଷକ ତଳେ ବାପା ଚାଲିଗଲା ପରେ ସେ ବହୁତ ଏକାକୀ ହୋଇ ଯାଇଛି l ଶାରୀରିକ ଆଉ ମାନସିକ ସ୍ତରରେ ସେ ପୁରା ଭାଂଗି ପଡିଛି l ତାର ପୁରା ଯତ୍ନ ଦରକାର | ସେ ପାଖରେ ଅଛନ୍ତି ବୋଲି ସବୁଦିନ ଚାଲି ଆସୁଛନ୍ତି l ଆର ଭଉଣୀଟି ବହୁ ଦୂରରେ ଥିବାରୁ ଆସିବା ତା ପକ୍ଷେ ସମ୍ଭବ ନୁହେଁ l

ସଂଜୟ ଆଜି ସେଇ ପୁରୁଣା କଥାକୁ ଦୋହରେଇ ଟାଣି ଓଟାରି ପୁଣି ଝଗଡା ଆରମ୍ଭ କରିଦେଲେ l -”ତୁମ ଆର ଭଉଣୀ କାହିଁ କିଛି କରିବନି, ତୁମ ନାମରେ କଣ ଲେଖା ହୋଇଚି ସବୁ କରିବା l ତାର ବି ସିଏ ମା, ତାର ବି କର୍ତ୍ତବ୍ୟ ଅଛି l ସେ ଯେତେ ଦୂରରେ ରହୁ ଆସି ମା କଥା ବୁଝିବା ଉଚିତ୍ l

ଲିପି ଗୋଟିଏ ଝିଅ ନୁହେଁ ତାର ବି ଘର ସଂସାର ଅଛି l ସବୁକୁ ଛାଡ଼ି ଦେଇ ମାତୃ ଭକ୍ତି କେତେ ଦିନ ଏମିତି ଦେଖେଇବ, ବୋଲି ସଂଜୟ ଯୁକ୍ତି କରିକି ଗଲେ ଯେ ସେ କଣ ବୋଉକୁ ଭାଗ ବାଣ୍ଟିବେ lଭଉଣୀର ସୁବିଧା ନାହିଁ ଏଠି ଆସି ରହି ବୋଉକୁ ସାହାଯ୍ୟ କରିବା ପାଇଁ l

ଏଇ କଥାକୁ ନେଇ ଅନେକ ଥର ଯୁକ୍ତି ତର୍କ ଲାଗି ସାରିଲାଣି l ବୁଝେଇ ବୁଝେଇ ଲିପି ଥକି ସାରିଲେଣି l ବୋଉ ତା ନିଜକୁ ସମ୍ଭାଳିବା ପାଇଁ ସକ୍ଷମ ହୋଇ ଗଲା ପରେ ସେ ଫେରିଯିବେ l ବାର୍ଦ୍ଧକ୍ୟରେ ବାପ ମାଆଙ୍କୁ ସାହାଯ୍ୟ କରିବା ପିଲାମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ l ଏଇ ସାମନ୍ୟ କଥାଟା ବୁଝିବାରେ ଏତେ କଷ୍ଟ କାହିଁକି ?

-’’ଓ ତୁମ ବୋଉ ଟା ବୋଉ, ଆଉ ମୋ ବୋଉ ଟା ବୋଉ ନୁହେଁ l ସେ ଏକାକୀ ଘରେ କେମିତି ରହିଛି l ମୁନୁ ସହିତ ତମେ ଚାଲି ଆସିଲା ପରେ ଘରଟା ଭିତରେ ସେ ଏକାକୀ l ତା କଥା ବି ଭାବିବା ଉଚିତ l’’

ହିଁ ସେ ମାନୁଛି ସେ ଏକାକି ଅଛନ୍ତି କିନ୍ତୁ ଏକାକି କାହିଁକି ତାଂକ ପାଖରେ ତାଂକ ପୁଅ ଅଛି ଭଲ ମନ୍ଦ ବୁଝିବାକୁ, ସେ ଏକାକି କେମିତି ହେଲେ l ତା ବ୍ୟତୀତ ସେ ସମ୍ପୂର୍ଣ୍ଣ ସୁସ୍ଥ ନିଜର ଯତ୍ନ ନେବା ପାଇଁ ସକ୍ଷମ l ଲିପି ବି ମଝିରେ ମଝିରେ ଯାଇ ତାଂକ କଥା ବୁଝି ଆସୁଛନ୍ତି l ପରିବେଶ ପରିସ୍ଥିତି ନବୁଝି ଏପରି ଝଗଡା କରିବାଟା ସଂଜୟଙ୍କର ନିହାତି ନିର୍ବୋଧତା l ସେଥିପାଇଁ ସେ ରାଗରେ ଚାଲିଗଲେ ବି ତାଙ୍କୁ ଅଟକେଇ ନଥିଲେ ଲିପି l

ଏତିକି କଥାରେ ରାଗିଲେ ତ ରାଗିଲେ ଆଉ ମୁହଁ ଚାହିଁବେନି ବୋଲି ଯୋଉ କହିଗଲେ l ସେଇଠୁ ଲିପିଙ୍କର ରାଗ ବେଶୀ ବଢି ଗଲା l ସତେକି ମୁହଁ ନ ଚାହିଁଲେ ଏ ପୃଥିବୀ ରସା ତଳକୁ ଚାଲିଯିବ l ଏମିତି ଛୋଟ ଛୋଟ କଥାରେ ରାଗ ରଖିଲେ ସଂସାର ଚଳେନି l କିନ୍ତୁ ସେ ଭଲ ଝିଅ ହେବା ସଂଗେ ସଂଗେ ଭଲ ପତ୍ନୀ, ଭଲ ବୋହୁଟିଏ ବି ହବାକୁ ଚାହାଁନ୍ତି l

ଦୁଇ ଦିନ ପରେ ସେ ଶାଶୁଙ୍କୁ ସବୁ ଜଣେଇ ଥିଲେ l ସେ ଶାଶୁଙ୍କୁ ସବୁବେଳେ ମାଆର ସମ୍ମାନ ଦେଇ ଆସିଛନ୍ତି l ଲିପିଙ୍କ କଥା ସେ ନିଶ୍ଚୟ ବୁଝିବେ ବୋଲି ତାଙ୍କର ପୁରା ବିଶ୍ୱାସ ଥିଲା l ଏବଂ ସେ ବୁଝିଥିଲେ ବି ସବୁ କଥା l କହିଥିଲେ ତୋ ମା ଠିକ ହେବା ପର୍ଯ୍ୟନ୍ତ ତୁ ତାଙ୍କର ସେବା କର, ଦରକାର ହେଲେ ତତେ ଡକେଇବି l ଖୁସିରେ ତା ଆଖିରୁ ଲୁହ ଝରିଗଲା l ସେ ଠିକ୍ କରିଛି ଶାଶୁଙ୍କୁ ସବୁ ଜଣେଇବ l ମନ ଏବେ ହାଲୁକା ହୋଇଗଲା l

ଦୁଇ ଦିନ ହେବ ନା ଭଲରେ ଖାଇଛନ୍ତି ନା ଶୋଇଛନ୍ତି ଲିପି l କି ଛଟପଟରେ ଦିନ ବିତିଛି l ଶାଶୁ ଜଣେ ନାରୀ, ଜଣେ ମଣିଷ, ଜଣେ ମା, ଜଣେ ପତ୍ନୀ, ଜଣେ ବୋହୁ l ଜୀବନରେ ସବୁ ପ୍ରକାର ରୋଲ୍ କରି ସାରିଛନ୍ତି ତେଣୁ ଏତିକି ଟିକେ କଥା ଖୁବ୍ ଶୀଘ୍ର ବୁଝିଗଲେ l

ନାରୀ ହିଁ ବୁଝି ପାରେ ନାରୀର ଦୁଃଖ l ସେଇଥି ପାଇଁ ବୋଧେ ଆଗ କାଳେ ମାଆମାନେ ପୁତ୍ର କାମନା କରୁଥିଲେ ବେଶୀ, ବୋହୁ ପାଇବା ଆଶାରେ l ଏଇଆ ତାଙ୍କର ମନେ ହେଉଚି l କିନ୍ତୁ ବୋଉ ସେ ସୌଭାଗ୍ୟରୁ ବଂଚିତା l ତାର ଦୁଇଟି ଝିଅ ମାତ୍ର l ହେଲେ ବି ଲିପି ତାର ସେବାରେ କେବେ ହେଳ| କରିବେନି l ଯାହା ହଉଛି ହଉ l

କିନ୍ତୁ ଶାଶୁ ନାତି ମୁନୁକୁ ବହୁତ ମନେ ପକାଇ ଉଦାସ ହୋଇ ଯାଉଥିଲେ ଯୋଉଟାକି ସଂଜୟ ବରଦାସ୍ତ କରି ପାରୁ ନଥିଲେ l ହଁ ତା ବି ସତ ସେ ବି କିପରି ପୁଅ ହୋଇ ମାର ଦୁଃଖକୁ ସହି ଯାଆନ୍ତେ l ଏତିକି କଥା ଖୋଲି କି କହିଥିଲେ ଲିପି କଣ ବୁଝି ନଥାନ୍ତେ l

ତା ପର ଦିନ ଲିପି ଯାଇ ଶାଶୁଙ୍କୁ ସଂଗରେ ଧରି ନେଇ ଆସିଥିଲେ ବାପ ଘରକୁ କିଛି ଦିନ ପାଇଁ l ଦୁଇ ମାଆଙ୍କର ଏକ ସଂଗେ ଦେଖା ରଖା କରି ପାରିବେ ବୋଲି l କାହାକୁ ଆଉ ଏକାକୀ ଲାଗିବନି l ବୋଉ ଭଲ ହୋଇଗଲେ ସେ ଶାଶୁ ଆଉ ପୁଅକୁ ଧରି ଫେରିଯିବେ ନିଜ ଘରକୁ l

ଶାଶୁ ବି ରାଜି ହୋଇଗଲେ ପ୍ରସ୍ତାବରେ l ଚାଲି ଆସିଲେ ଲିପି ପାଖକୁ l ଚିଠିଟିଏ ପୁଅ ସଂଜୟ ନାମରେ ଛାଡ଼ି ଦେଇ ଆସିଥିଲେ l ବୋଉର ଚିଠିରୁ ସବୁ ଖବର ଜାଣି ତା ପରଦିନ ସଂଜୟ ଆସି ହାଜର ଲିପିର ଘରେ | ଏତେ ଯଦି ମୁଣ୍ଡରେ ବୁଦ୍ଧି ଥିଲା ଆଗରୁ କାହିଁ ଉପଯୋଗ କଲ ନାହିଁ l ଏତେ ବାଟ କଥା କାହିଁ ଗଲା l ଏଥରକ ଯୋଉଠି ରହିବେ ଦୁଇ ବୋଉ ଏକାଠି ରହିବେ l

କଣ କହୁଚ ଲିପି l ଆଉ ଝଗଡା ଲାଗିବାର ସମ୍ଭାବନା ରହିବନି l କିଛି କହିଲେନି ଲିପି l ତାଂକ ଭିତରର ରାଗର ନିଆଁ ଟା ପ୍ରଶମିତ ହୋଇ ନାହିଁ ଏ ପର୍ଯ୍ୟନ୍ତl ଝିମିଟି ଖେଳରୁ ମହାଭାରତ ସୃଷ୍ଟି କରିବା ଏମାନଙ୍କର ଗୋଟେ ଖୋଇ l ଯୋଉ ଜିନିଷଟା ନଖରେ ଛିଣ୍ଡି ପାରିବ ସେଥିରେ ଖଣ୍ଡା, ତଲବାର, ପ୍ରୟୋଗ କରିବାକୁ ସଦା ତତ୍ପର l କିଏ ବସି ବୁଝୋଉଥିବ ଏ ଅବୁଝାମଣ| ରାଜାଙ୍କୁ l ଏ ବୁଦ୍ଧିଟା ସେ ନିଜେ କାହିଁ ଭାବି ପାରିଲେନି ଆଗରୁ l

*******************************************************



Rate this content
Log in

Similar oriya story from Inspirational