Manas Nayak

Classics

4  

Manas Nayak

Classics

ବଦଳିଛି ମୋ ଗାଁ ର ସ୍ବର

ବଦଳିଛି ମୋ ଗାଁ ର ସ୍ବର

8 mins
546


ଜନ୍ମର ଚାରି ଦଶନ୍ଧି ଆଜି ଅତୀତ ସତ ହେଲେ ବିସ୍ମୃତ ନୁହେଁ ଅଜୟର ମାନସପଟରୁ। ନିଜ ମାତୃଗର୍ଭରୁ ନିସୃତ ହୋଇ ପ୍ରଥମ ଥର ପାଇଁ ଧରଣୀ ମା'ର କୋଳରେ ଯେଉଁଠି ପାଦ ଥାପିଥିଲା ସେ ଦିନେ, ସେଇ ତା'ର ଗାଁ କ୍ରମବିକାଶର ସୋପାନ ଡେଇଁ ଆଜି ସଭ୍ୟତାର ପ୍ରଗତିଶୀଳ ରାଜରାସ୍ତାରେ ଚଳଚଞ୍ଚଳ। ବିବର୍ତ୍ତନଶୀଳ ଦୁନିଆରେ ସ୍ଥୂଳ ପରିବର୍ତ୍ତନ ଅନେକ ହେଲେ ସୁକ୍ଷ୍ମ ଚେତନାର ପରିବର୍ତ୍ତନର ଧାରା ବେଶ୍ କ୍ଷୀଣ ପ୍ରତିତହୁଏ ଆମର ଏହି ମାନବୀୟ ସିମୀତ ଆୟୁଷ ପରିଧିରେ। ପରିବର୍ତ୍ତିତ ରୁଚି, ପରିପାଟୀ, ଜୀବନଶୈଳୀ, ଆଭିମୁଖ୍ୟ ଓ ସାମାଜିକତାରେ ବିକଶିତ ସଭ୍ଯତା ପୁରୁଣା ଦଦରା କାନ୍ଥରେ ନୁଆା ଚୁନ ଲାଗିଲା ପରି ପ୍ରାଚୀନ ସଂସ୍କାର, ସଂସ୍କୃତି ଉପରେ ଏକ ନୁଆ ରଙ୍ଗୀନ୍ ଖୋଳପା ସମ ମନେହୁଏ ହେଲେ ସେହି ନୂତନ ଖୋଳପା ଭିତରେ ପ୍ରାଚୀନତାର ବାସ୍ନା ଏବେବି ଅଜୟର ମନେପଡେ ଓ ଏକ ରୋମାଞ୍ଚିତ ଅନୁଭୂତିରେ ମନପ୍ରାଣ ପୁଲକିତ ହୋଇଉଠେ ତା'ର। 


ଦୀର୍ଘ ଦଶବର୍ଷର ଅଭିସନ୍ଧି ପରେ ତା'ର ଗାଁକୁ ଫେରୁଛି ଅଜୟ । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ୍ ରେ ଭୁବନେଶ୍ୱର, ତାପରେ ଜନଶତାବ୍ଦୀରେ ଭଦ୍ରକ୍ ଓ ସେଠାରୁ ପାସେଞ୍ଜର ଟ୍ରେନ୍ ରେ ତା'ର ଗାଁ ସୋଲାପୁର୍ ପାଖ ଷ୍ଟେସନ ମଞ୍ଜୁରୀରୋଡ୍ ,ବିଳମ୍ବିତ ୪୦ ଘଣ୍ଟାର ଯାତ୍ରା ସମାପନ ହେବାକୁ ଯାଉଛି । ଏକ ଉଚ୍ଚ ହର୍ଣ୍ଣରେ ତରକି ଉଠିଲା ଅଜୟ,ତା ଷ୍ଟେସନ ଆସିଗଲା ବୋଧହୁଏ। ଲଗେଜ୍ ଧରି ଓଲ୍ହେଇ ପଡିଲା ସେ ଏବଂ ଅନ୍ୟ ସହଯାତ୍ରୀଙ୍କ ଭିଡରୁ ଅଲଗାହୋଇ ପାଖ ଆମ୍ବଗଛର ମୂଳ ଚାରିକଡେ ନିର୍ମିତ ପୁରୁଣା ସିମେଣ୍ଟ ଚାନ୍ଦିନୀ ଉପରେ ବସିପଡିଲା କିଛିକ୍ଷଣ। ସତେ ଅବା ପ୍ରାତଃକାଳର ସେହି ବାତାବରଣରେ ବାରି ହେଇ ପଡୁଥିଲା ଏକ ସ୍ବଧୀନତାର ସ୍ବାଦ, ପାଣି, ପବନ ଓ କୋଳାହଳରେ ଥିଲା ଏକ ଆତ୍ମୀୟତାର ମହକ। ମାୟା ନଗରୀ ମୁମ୍ବାଇରେ ସମୟ ଓ ଦାୟିତ୍ଵ ବେଡିରେ କବଳିତ ଅଜୟର ଜୀବନ କିଛି ଅର୍ଥ ଉପାର୍ଜନର ମାଦକତାରେ ସତେ ଅବା ଭୁଲିଯାଇଥିଲା ବଞ୍ଚିବାର ରାହା। ପ୍ରାୟତଃ ପରିବର୍ତ୍ତନର ଧାରା ଏତେଟା କାୟାବିସ୍ତାର କରିନି ଏଠି, ହଁ ନୁଆ ଷ୍ଟେସନ ଅଫିସ୍ ଘର, ଧଳା ବାର୍ନିଶ ଦିଆ ଲୁହା ବାରିକେଡ୍, ସୁନ୍ଦର ଟାଇଲ୍ ଆଚ୍ଛାଦିତ ଫୁଟ୍ଓଭରବ୍ରିଜ୍ ଓ ଓମଫେଡ ବିଜ୍ଞାପିତ କେତୋଟି ନୁଆ ଜଳଖିଆ ଷ୍ଟଲ୍ ଦ୍ବନ୍ଦ ସୃଷ୍ଟି କରୁଥିଲା ଦୁଇ ଦଶନ୍ଧି ତଳର ଆଉ ଆଜିର ମଞୁରୀରୋଡ ଷ୍ଟେସନକୁ ଚିହ୍ନିବାରେ। ୧୯୯୫ ରୁ ୨୦୦୪ ମସିହା ଯାଏ ଏହାଥିଲା ଅଜୟ ପାଇଁ ଜୀବନଯାତ୍ରାର ଏକ ମାଇଲ୍ ଖୁଣ୍ଟ, ଭଦ୍ରକ ମହାବିଦ୍ୟାଳୟ ଓ ପରେ କଟକରେ ଏମ୍. ବି. ଏ ପାସ୍ କରି ମୁମ୍ବାଇ ଯିବାଯାଏ। ପିଲାବେଳେ ଅନେକ ଦିନ ପର୍ଯ୍ୟନ୍ତ ବାପା, ଭାଇ ଅବା ସାହିର କେହି ଜଣେ ତାକୁ ଷ୍ଟେସନରୁ ଘରଯାଏ ବୋହିଛନ୍ତି କେବେ ସାଇକେଲରେ ତ କେବେ ସ୍କୁଟର୍ ରେ। ଅଜାଣତରେ ଦୁଇ ଆଖି ତାର ଘୁରି ବୁଲିଲା ଚତୁର୍ଦ୍ଦିଗ କାହାର ଆଗମନକୁ ଅପେକ୍ଷା କରି। ଅନତିଦୂରରୁ ହାତ ହଲାଇ ହଲାଇ ହୁଷ୍ଟପୁଷ୍ଟ ଜିନ୍ସ୍ ଟିସାର୍ଟ୍ ପିନ୍ଧା ପିଲାଟିଏ ହସି ହସି ଚାଲି ଆସୁଥିଲା ତା ଆଡକୁ, କିଛି ସମୟ ଚେଷ୍ଟା କରି ସାହିର ରମା ଦାଦାଙ୍କ ପୁଅ ରବି ବୋଲି ତାକୁ ଚିହ୍ନିଲା ଅଜୟ । " ଆରେ ରବି, ତୁ ଏତେ ବଡ ହେଇଗଲୁଣି ତୋତେ ବିଲକୁଲ୍ ଚିହ୍ନି ହେଉନି ! ସାଇକେଲ୍ କାହିଁ? " ପ୍ରଶ୍ନ କଲା ଅଜୟ। " ଅଜୁ ଭାଇ ତୁମେ କିଛି ବି ବଦଳିନ ? ଆମ ଗାଁ ଚିନ୍ତା ଗୁଡିଆ ଏବେ ହୀରୋହୋଣ୍ଡା ଚଢିଲାଣି ଆଉ ତୁମେ ସେହି ସାଇକେଲ୍ ରେ ଅଛ? " ଜବାବରେ ରବି କହିଲା। ଦୁହେଁ ରେଳଲାଇନ୍ ପାର ହୋଇ ଆଗକୁ ଥିବା ବଜାର ଆଡକୁ ମୁହାଁଇଲେ, ଅଜୟର ଆଖି ପଡିଲା ଆଗରେ ଥିବା ସେହି ଝଙ୍କାଳିଆ ନିମଗଛ ଆଡକୁ, ଏକଦା ଏକ ଲ୍ଯାଣ୍ଡମାର୍କ ଭାବେ ବିବେଚିତ ହେଉଥିଲା ତାହା ନିକଟରେ ଥିବା ତିନିପୁରଷର ପୁରୁଣା ପଞ୍ଚୁ ଜଳଖିଆ ଦୋକାନ୍ । ଛୋଟବେଳେ ରବି ଯେତେଥର ତାକୁ ସାଇକେଲ୍ ରେ ଗାଁରୁ ଷ୍ଟେସନ ଛାଡିବାକୁ ଅବା ଷ୍ଟେସନରୁ ନେବା ପାଇଁ ଆସିଛି ପଞ୍ଚୁ ଦୋକାନ୍ ର ଗରମ୍ ସିଙ୍ଗଡା, ଘୁଗୁନି ସାଙ୍ଗ କୁ ଛେନାପୋଡ଼ ୫୦ ଗ୍ରାମ୍ କେବେ ମନାକରେନି । ତାହାର ପୁନରାବୃତ୍ତି କରିବାକୁ ଯାଇ ଅଜୟ ରବିର ହାତଧରି ପଞ୍ଚୁ ଦୋକାନ ଆଡକୁ ମୁହାଁଇବାରୁ " ଅଜୁ ଭାଇ ମୁଁ ବାହାର ଦୋକାନ ଜିନିଷ କିଛି ଖାଉନି ମୋଟେ, ତାପରେ ତୁମେବି ଏଠୁ କିଛି ମିଠାମିଠି ଘର ପାଇଁ ନିଅ ନାହିଁ। ଘରେ ସମସ୍ତଙ୍କୁ ତ ଡାଇବେଟିସ୍, ବରଂ ସନା ଦୋକାନରୁ ଫଳ ନେଇଚାଲ।" ଜବାବ ଦେଲା ରବି। ଆଚମ୍ବିତ ହେଲା ଅଜୟ ଏବଂ ମନେ ମନେ ଖୁସିହେଲା ଏକ ସାକାରାତ୍ମକ ପରିବର୍ତ୍ତନର ଆଭାସପାଇ । ରବିର ନୁଆ ଓ୍ବାଗନର୍ କାରରେ ବସି ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲା ଅଜୟ। ବହୁ ପ୍ରତିକ୍ଷିତ ଉତ୍ସାହ ଚରମ ଉନ୍ମାଦନାରେ ପହଞ୍ଚିଛି ତାର, ଗାଡି ଆଗ ସିଟ୍ ରେ ବସି ଝରକାରୁ ଚତୁର୍ପାର୍ଶ୍ଵର ଗଛ, ଲତା, ଦୋକାନ, ଘର, ସ୍କୁଲ, ପଡିଆ, ପୋଖରୀ ଆଦିର ନୂତନ ଅବସ୍ଥିତିକୁ ଉଦଭାବନ କରିଚାଲିଥାଏ ଅଜୟ ରବି ସହ ଅନବରତ କଥୋପକଥନରେ। ସବୁ ଉତ୍ସାହର ଯବନିକା ଟାଣି ଆସି ପହଞ୍ଚିଲା ଗାଁ ମୁଣ୍ଡ ବରଗଛ, ପୁରୁଣା କଚ୍ଚା ମାଟି ରାସ୍ତା ଟି ଏବେ ସୁପ୍ରସସ୍ଥ ପକ୍କା ରାସ୍ତାର ଅବୟବ ନେଇଛି ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ଯସଡକ ଯୋଜନାର ସୁଉଚ୍ଚ ଫଳକଟି ସତେ ଅବା ଏକ ବହୁ ବିଳମ୍ବିତ ସଫଳତାର ଧ୍ବଜା ଉଡାଉଛି। ଆଖିପିଛୁଳାକେ ରବିର କାର୍ ଯାଇ ଅଜୟ ଘର ସାମ୍ନାରେ ପହଞ୍ଚିଲା, ଅଜୟ ଅନ୍ୟମନସ୍କତାରେ ଚାରିଆଡ଼େ ଦ୍ରୂଷ୍ଟି ନିକ୍ଷେପ କରୁଥିବାର ଦେଖି ରବି ହସି ହସି ଅଜୟକୁ ପ୍ରଶ୍ନ କଲା "ଅଜୁଭାଇ! କଣ ତୁମ ବେଳର ବଚ୍ଚାପାର୍ଟିଙ୍କୁ ଖୋଜୁଛକି, ଯେଉଁମାନେ ଗାଡି ପଛରେ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଧାଉଁଥାଆନ୍ତି?" .... "ଆରେ ନାହିଁ" କହି ଅଜୟ ରବିର ଆକ୍ଷେପକୁ ଏଡାଇଦେଲା ସିନା ହେଲେ ବାସ୍ତବରେ ଗାଁର ନୂଆ କଳେବରକୁ ସହଜରେ ଗ୍ରହଣ କରିପାରୁନଥିଲା । 


ସଂଧ୍ଯା ରେ ପରିବାରବର୍ଗଙ୍କ ସ୍ନେହପୂର୍ଣ୍ଣ ପସରା ପରେ ଲମ୍ବା ଅଭିଯାନରେ କ୍ଳାନ୍ତ ଶ୍ରାନ୍ତ ଅଜୟ ସୁଖ ନିଦ୍ରା ଗଲା, ଅପରଦିନ ସୂର୍ଯୋଦୟ ଆପେକ୍ଷିତ ଥିଲା ତା ପାଇଁ ଗାଁ ପରିଭ୍ରମଣର। ପ୍ରାତଃକାଳର ବାଳ ସୂର୍ଯ୍ୟଙ୍କ ଶୀତଳ କମନୀୟ କନକ କିରଣ ବିଚ୍ଛୁରିତ ହୋଇ ପଡୁଥାଏ ପୂର୍ବ ଦିଗବଳୟରୁ ସୁଉଚ୍ଚ ତେଜୀୟାନ ଚିର ସବୁଜ ବର, ଅଶ୍ବସ୍ଥ, କଇଁଆ, ପୁଟିଆ ଓ ଆମ୍ବ ଗଛ ମାନଙ୍କ ଉପରେ ସତେ ଅବା ଜୀବନ ରଣାଙ୍ଗନରେ ଆଉ ଏକ ଯୁଦ୍ଧ ପାଇଁ ସେମାନଙ୍କୁ ସୁସଜ୍ଜିତ କରିବାର ଅଭିପ୍ରାୟ ନେଇ। ନାହିଁ କୁକୁଟର ଉଚ୍ଚ ଆହ୍ବାନ, କୁଆ କୋଇଲିର କୁହୁତାନ, ହଁ ଅନତିଦୂରରୁ ଭାସି ଆସୁଛି ସୁର ଜେଜେଙ୍କ ନାତୁଣୀର ସ୍ବର ସାଧନାର ଝଙ୍କାର ହାରମୋନିୟମର ସା ରେ ଗା ମା ପା......ସୁରେ ସୁରେ। ବିଛଣାରୁ ଉଠୁଉଠୁ ଦାଦା ଧରାଇଦେଲେ ସଦ୍ଯ ସଂଗୃହିତ ଦୁଇ ଖଣ୍ଡି ଖଜୁରୀ ଦାନ୍ତକାଠି। ଦାନ୍ତକାଠିର ଅଭ୍ଯାସ ତୁଟିଗଲାଣି ସତ ହେଲେ ତା'ର ପୁରୁଣା ସ୍ମୃତି ସବୁ ଉଜ୍ଜୀବିତ ଏଯାଏଁ, ପାଟିରେ ଦାନ୍ତକାଠି ପୁରେଇ ବାହରିଗଲା ଅଜୟ ଗାଁ ଦାଣ୍ତକୁ ପ୍ରଭାତଫେରିରେ। ଦିଗମ୍ବର ବଡବାପାଙ୍କ ଘର ଆଡକୁ ଚାଲିଲା ସେ, ତାଙ୍କ ସାହିର ସେ ଦୁଇଟି ଘର ଖଣ୍ଡାୟତ ବସ୍ତିର ଶେଷ ମୁଣ୍ଡରେ ତେଣୁ ତାର ଗାଁ ଭ୍ରମଣର ଏକ ସୁଚିନ୍ତିତ ଅଭିଯାନର ଶୁଭାରମ୍ଭ ହୋଇଯିବାର ଅଭିପ୍ସା ନେଇ। "ବଡ ବାପା କେମିତି ଅଛନ୍ତି? " କହି ପାଦ ଛୁଇଁ ପ୍ରଣାମ କଲା ଅଜୟ। " ଆରେ ଅଜୁ କିରେ? କାଲି ରାତିରେ ଆସିଲୁକି? ଏତେ ଦିନ ପରେ ଗାଁ କଥା ମନେପଡିଲା? ଏବେ କେତେ ପଇସା ପାଉଛୁ ? ଲକ୍ଷେ ପରେ ପାଇବୁଣି ନିଶ୍ଚୟ! ଆମ ରାଜା ଟାକୁ ଟିକେ କୋଉଠି ବମ୍ବେରେ ଚାକିରି ଖଣ୍ଡିଏ ଯୋଗାଡ କରିଦେ, ଇଞ୍ଜିନିୟରିଂ ପାସ୍ କରି ଛକରେ ତାସ୍ ଖେଳୁଛି ଯାହା..... " ପ୍ରଶ୍ନ ଆଢୁଆଳରେ ଆବେଦନର ମୁଣି ଖୋଲି ଦେଇଥିଲେ ସେ ଅଜୟ ଆଗରେ। କୃତ୍ରିମ ହସ ଟିକେ ଆଙ୍କି "ହଁ ଚେଷ୍ଟା କରିବି" କହି ସେଠାରୁ ଆଗକୁ ଚାଲିଲା ସେ ସତୁରାଭାଇ ଘର ଆଡକୁ। 

ସତୁରା ଭାଇ ତାର ଏଫ୍ ସି ଆଇ( Food Corporation of India) କମ୍ପାନୀରେ ସୁପରଭାଇଜର୍ ଚାକିରି କରୁଥିଲା ସେତେବେଳେ। ଏବେ ରିଟାୟାର୍ଡ଼ କରିବଣି ବୋଧହୁଏ। ଥଟ୍ଟା ମଜା ଗପର ଆସର ଖୋଲିଥାଏ ଯେତେବେଳେ ସେ ମାସ ସାରା ଓଭର ଡିଉଟି କରି ୪/୫ ଦିନ ଛୁଟି ନେଇ ଗାଁକୁ ଆସିଥାଏ। ଜଣ ଜଣ କରି କିଛି ସମୟ ମଧ୍ୟରେ ଗାଁର ଚାରି ଛକିରେ ଜମିଯାଏ ଏକ ଭିଡ, ଗାଡି ସାଇକେଲରେ ଯା ଆସ କରୁଥିବା କିଛି ଲୋକ ଷ୍ଟାଣ୍ଡ ମାରି କିଛି ସମୟ ସେହି ହାସ୍ଯ ରୋଳରେ ମଜ୍ଜି ଯାଆନ୍ତି। କଥା ସରିତାର ସୁଅ ଲମ୍ବିଥାଏ ଢେଙ୍କି ରୁ ଢେଙ୍କାନାଳ ଯାଏ। କେଉଁ ଏକ ସହରୀ କୁକୁରର ଭୁକିବାରେ ପ୍ରକୃତିସ୍ଥ ହେଲା ଅଜୟ, ସତୁରାଭାଇ ଘରର ଏବେ ଏକ ନବକଳେବର ପ୍ରାୟ, ଦୁଇ ତଳ ବିଶିଷ୍ଠ ସୁରମ୍ଯ ପ୍ରାସାଦ, ପଥର, କାଚ, ଓ ଆଲୁମିନିୟମରେ ସୁସଜ୍ଜିତ। ବାସୁଆ ବଳଦ ପରି କଳା ମଚମଚ ଡୋବରମ୍ୟାନ୍ ରବିନ୍ ସତୁରାନିବାସର ଶିବଙ୍କୁ ସୁରକ୍ଷା ଦେଉଛି ବୋଧହୁଏ ! ଗେଟ୍ ସାମନାରୁ ସତୁରା ଭାଇ ଦେଖା ହୋଇଗଲେ ଅଜୟର “ ଆରେ ଅଜୁ! ଆ ଭିତରକୁ ଆସ, ରବିନ୍ କିଛି କରିବନି” ବୋଲି କହିଲେ । ହେଲେ ଉତ୍ସୁକତା ଓ ଭୟର ଏକ ମିଶ୍ରିତ ମାନସିକତାରେ ବ୍ଯଥିତ ଅଜୟ ଭିତରକୁ ନଯିବା ପାଇଁ ସିଦ୍ଧାନ୍ତ ନେଲା। “ ଆରେ କଣ ତୁ ରବିନ୍ କୁ ଡରିଲୁକି?” କହି ସତୁରାଭାଇ ଗେଟ ଆଡକୁ ଆସିଲେ। “ ନାହିଁ ଟିକେ ସମସ୍ତଙ୍କୁ ମୁହଁ ଦେଖାଇ ଦେବାକୁ ବାହାରିଥିଲି ତ, ପରେ ଆସିବି ଭାଉଜଙ୍କ ସହ ଅନେକ ଗପ ବାକି ଅଛି” କହି ରବିନ୍ ଭୟରୁ ଦୁରେଇ ବାକୁ ଚେଷ୍ଟା କଲା ଅଜୟ। “ ଆରେ ଅଜୁ ତୁ ବମ୍ବେରେ ଅଛୁ ବା ଏବେ ? ଆମର ଦୁଇ ତିନି ଜଣ ସୁପରଭାଇଜର୍ ଙ୍କ ପିଲା ବି ସେଠି ରହୁଛନ୍ତି, ଗଧ ଖଟିଣି, ଲୋକାଲ୍ ଟ୍ରେନ୍ ରେ ଭିଡା ଭିଡି, ପାହାନ୍ତିଆରୁ ରାତି ଅଧ ଯାଏ ମେସିନ୍ ଭଳି ଖଟଣି ଓ ମାସ ଶେଷରେ ହାତରେ ଘରକୁ ପଠେଇବାକୁ ୫/୧୦ ହଜାର୍। କଣ ସେ ମାୟା ନଗରୀ ବମ୍ବେଇ ଲଡୁର ମାୟା କେଜାଣି? ଆମ ସରୋଜ୍ ଡିଗ୍ରୀ ସାରି ବେଦାନ୍ତ ଷ୍ଟିଲ୍ ରେ ଅଛି, ୩୦ ହଜାର୍ ପାଉଛି ମାସକୁ, ଆଉ ସାନ ପୁଅ ବୀଜୟ ଟ୍ରାକ୍ଟର ସାଙ୍ଗକୁ ବିଜନେସ୍ କରୁଛି, ଭଲ ଦି ପଇସା କରୁଛି। ରିଟାୟାର୍ଡ଼ ହେଲାପରେ ଯାହା ପଇସା ପାଇଲି ଘର ଦି ତାଲା କରି ଦେଲି, ଆଉ ମୋର କଣ ଦରକାର? ” ଏକା ନିଃଶ୍ବାସ ରେ ସତୁରାଭାଇ ଗାଇ ଦେଇଗଲା ତାର ସାମାଜିକ ସ୍ବାଛନ୍ଦ୍ୟ ର ସୁଖଦ ଅନୁଭୂତି ଓ ଅଜୟର ମୁମ୍ବାଇ ଚାକିରି ପ୍ରତି ଏକ ବେଶ୍ ନାଟକୀୟ କଟାକ୍ଷ ମଧ୍ଯ। ପ୍ରଭାତ ପର୍ଯ୍ଯାୟରେ ଗ୍ରାମ ଭ୍ରମଣ ଦାନ୍ତ ଘଷୁ ଘଷୁ ସମାପ୍ତ ହେଲା ଅଜୟ ପାଇଁ, ସେପଟେ ପିଣ୍ଢାରେ ତାର ଛୋଟ ଝିଆରୀ ଡାକ ଛାଡି ଥାଏ ଜଳଖିଆ କରିବାକୁ।  


ଜଳଖିଆରେ ବ୍ରାଉନ୍ ବ୍ରେଡ୍ ସାଣ୍ଡଓ୍ବିଚ୍, ଅଣ୍ଡା ଆମ୍ଲେଟ୍ ଓ ତରଭୁଜ ଜୁସ୍ ଆଚମ୍ବିତ କରିଥିଲା ଅଜୟକୁ। ଗତ ରାତିର ସୁଖିଲା ରୁଟି ଆଉ ନିକାର ଚା କିମ୍ବା ଚକୁଳି ପିଠା ଗୁଡ ଥିଲା ଦିନେ ତାର ଗ୍ରାମ୍ୟପ୍ରଭାତର ପ୍ରଥମ ଆକର୍ଷଣ ଯାହାକୁ ସେ ଦୀର୍ଘ ଦଶନ୍ଧି ଧରି ମୁମ୍ବାଇର କାନ୍ଦାପୋହା, ଶୀରା ଓ ଓ୍ବଡାପାଓ ରେ ଖୋଜି ଆସୁଥିଲା। “ ଦାଦା ଆଶ୍ଚର୍ଯ୍ଯ ହେଉଛ କଣ, ଏ ସବୁ କଣ ଖାଲି ମୁମ୍ବାଇ ରେ ମିଳୁଛି, ଏବେ ଏଠି ଆମ ଗାଁ ଛକ ଦୋକାନ୍ ରେ ବି ଏସବୁ ମିଳିଲାଣି । ଲଞ୍ଚ୍ ରେ ବି ଆଜି ଚିକେନ୍ ବିରିୟାନି ମେନୁ ସିଦ୍ଧାନ୍ତ ହୋଇଛି। ତୁମେ ଯିବା ପୁର୍ବରୁ ଏସବୁ ହାଇଜିନ୍ ଭିଲେଜ୍ ଡାଏଟ୍ ରେସିପି ର ଷ୍ଟାର୍ ରେଙ୍କିଙ୍ଗ୍ ଟା ଦେଇଦେବ” କମ୍ପ୍ୟୁଟରାଇଜଡ୍ ଟୋନ୍ ପରି ଅଜୟର ୧୨ ବର୍ଷ ର ଝିଆରୀ କେଉଁ ଏକ କୁକିଂ ସୋ ର ଏଙ୍କର୍ ପରି ପ୍ରାଞ୍ଜଳଭାବେ ହସହସ ମୁହଁ ରେ କହି ଚାଲିଥାଏ। ତୃପ୍ତିକର ନହେଲେ ବି ପରିବାରବର୍ଗଙ୍କର ଉତ୍ସାହପୁର୍ଣ୍ଣ ସ୍ନେହାଁବିଳତା ସୁଖଦ କରିଥିଲା ତାର ସେଦିନର ସପରିବାର ଏକତ୍ରୀତ ଭୋଜନ ଓ ବିଛଣାରେ ଗଡି ଗଡି ଗାଁର ଗତ ଦଶନ୍ଧି ଯାକର ଭଲ ମନ୍ଦ ସ୍ମୃତି ମନ୍ଥନ କରିବାରେ। 


ଉପରବେଳା ପୁଣି ଥରେ ଗାଁ ଦାଣ୍ତରେ ବୁଲିବାକୁ ମନ ଟାଣିଲା ଅଜୟର, ପିଲାବେଳେ ଗାଁ ଦାଣ୍ତରେ ବାଟି ଖେଳ, କାଗଜ ବାଣି ବନ୍ଧା ବଲ୍ ଓ କାଠ ପଟା ବ୍ଯାଟ୍ ରେ କ୍ରିକେଟ ଖେଳ,ପଞ୍ଚୁକ ପୂର୍ଣ୍ଣିମା ରାତିର ଗାଁ ଡ୍ରାମା, ବାହାଘର ମଉଛୁକ ଭୋଜି ଓ ଅଷ୍ଟପ୍ରହରୀରେ ନଦିଆ କିର୍ତନ ଆଦି ସ୍ମୃତି ଚକ୍ଷୁରେ ବାଇସ୍କୋପ୍ ର ରିଲ୍ ପରି ଭାସିଗଲା,ପ୍ରସନ୍ନତାରେ ଭରିଗଲା ତା'ର ମୁଖମଣ୍ଡଳ। ଆବାକ୍ ହେଲା ସେ ଗାଁର ଓସାରିଆ ଶୁନଶାନ୍ ପକ୍କା ଦାଣ୍ତରେ, କେମିତି ଗୋଟିଏ ନିର୍ଜନତା ସ୍ବର ବାରି ହୋଇ ପଡୁଛି ଅତୀତର ଚଳଚଞ୍ଚଳ କୋଳାହଳମୟ ଗାଁ ଜୀବନଠାରୁ। ଦୁଇ କଡର ନଡା ଛାଉଣୀ ମାଟି ଘର ସବୁ ପରିବର୍ତ୍ତନ ର ବାନା ଉଡାଇବାକୁ ଯାଇ ସୁଉଚ୍ଚ ତ୍ବରଣଯୁକ୍ତ ପ୍ରାସାଦ ମାନଙ୍କରେ ପରିଣତ । ଏକଦା ସଦା ଉନ୍ମୁକ୍ତ ଦାଣ୍ତ ଦୁଆର ଓ ଦାଣ୍ତ ପିଣ୍ଢାରେ ଆଗନ୍ତୁକଙ୍କୁ ଆମନ୍ତ୍ରଣ କଲାପରି ରଙ୍ଗ ଦିଆ କାଠ ଚେୟାର୍ ସତେ ଅବା ହରପ୍ପା ସଭ୍ଯତା ସମ ବିଲୁପ୍ତ ଆଜି ଓ ତାହାର ସ୍ଥାନ ନେଇଛନ୍ତି ବନ୍ଦ୍ ତ୍ବରଣ ଭିତରେ ଡୋବରମ୍ୟାନ୍ ବା ଆଲସିସିଆନ୍ କୁକୁର ଏବଂ ସଂଭ୍ରାନ୍ତର ମୋହର ପରି ବାଲକୋନୀର ଛାତରୁ ଝୁଲୁଥିବା ଧାତୁ ଓ ମୁଲାୟମ୍ କପଡା ନିର୍ମିତ ଝୁଲାଟିଏ । ଗୋଧୂଳିର ଆଗମନରେ ପ୍ରତ୍ଯାବର୍ତ୍ତନର କ୍ଷଣ ସନ୍ନିକଟ ଥିଲା ଅଜୟପାଇଁ, ଗାଁ ମୁଣ୍ଡର ଭଗ୍ନ ମନ୍ଦିରରୁ ଭାସି ଆସୁଥିଲା ସଂନ୍ଧ୍ଯା ଆଳତିସହ ଶଙ୍ଖ ଧ୍ବନି ସତେକି ଅଦ୍ଯାବଧି ଜିବୀତ ରଣାଙ୍ଗନରେ ମହାଭାରତର ସେହି ପଞ୍ଚଜନ୍ଯ ସ୍ବର। ବିବର୍ତ୍ତନଶୀଳ ମାନବୀୟ ସଭ୍ଯତା ସତେ ଅବା ସେହି ସୁଦର୍ଶନ ଚକ୍ରର ଆବର୍ତ୍ତନର ପ୍ରତିବିମ୍ବ ମାତ୍ର। ଗାଁ ଆକାଶରେ ଅଷାଢୁଆ ବାଦଲ ଗର୍ଜନର ସ୍ବର ପ୍ରତିପାଦିତ କରିବାକୁ ଚାହୁଁ ଥିଲା ଯେପରିକି ବଦଳିନି କିଛିବି ସ୍ବର ଏହି ପରିବ୍ୟାପ୍ତ ସୃଷ୍ଟିରେ । ହେଲେ ବଦଳିଛି ନିଶ୍ଚୟ ଚେତନାର ସ୍ଥୂଳ ଦିଗବଳୟରେ ମଣିଷର ଜୀବନଦର୍ଶନର ସ୍ବର। ଅଗ୍ରଗତି ନା ପଶ୍ଚାତଗତି,ବିକାଶ ନାଁ ରେ ଏ କେଉଁ ପ୍ରହେଳିକା ନୁହଁତ ? କେତେ ସୁନ୍ଦର ଥିଲା ସେ ଜୀବନ, ସମୟ ସୁଅରେ କେଉଁଠି କେମିତି ହଜିଗଲା କେଜାଣି? ଆଜିର ଦୁଇ ତିନୋଟି ଅନୁଭୂତି ଆଦୌ ମେଳ ଖାଉନାହାଁନ୍ତି ଅଜୟର ଗାଁକୁ ନେଇ ଅତୀତର ସେହି ଉନ୍ମାଦିତ ଭାବାନୁବେଗ ସହିତ, କେମିତି ଗୋଟିଏ ସ୍ବାର୍ଥ କୈନ୍ଦ୍ରିକ ଅନ୍ଧ ସହରୀକରଣର ଭୂତ ପଶିଯାଇଛି ତା'ର ସେହି ସରଳ ସାବଲୀଳ ଗାଁ ଜୀବନୀରେ। ସ୍ମୃତିର ପ୍ରଦୀପ କିନ୍ତୁ ବେସ୍ ଦିପ୍ତୀମନ୍ତ, ସମସ୍ତ ପରିବର୍ତ୍ତନ ମହତ୍ କିନ୍ତୁ ବିଫଳ ଚକ୍ରାନ୍ତପ୍ରାୟ ପ୍ରତିତ ହେଉଥିଲା ଅଜୟ ପାଇଁ। କିଛି ଦୂରରୁ ଅସ୍ପଷ୍ଟ ଏକ ଶିଶୁ କ୍ରନ୍ଦନର ସ୍ବର, ମୃଦୁ ମୃଦୁ ଖୋଳ କୀର୍ତ୍ତନର ସ୍ବର, କ୍ଷୀଣ ଭାଗବତର କେଇପଦ ଆବୃତି, ଧିମା ଧିମା ବୁଢୀମାର ‘ଧୋ ରେ ବାଇଆ ଧୋ’ ର ରସସିକ୍ତ ଗୀତ ସାଙ୍ଗକୁ କର୍ଣ୍ଣକଟୁ ହେଉଥିଲା ଉଚ୍ଚ ସ୍ବରରେ ଟିଭିର କେଉଁ ଏକ ବେସୁରା ଅଣଓଡିଆ ସଙ୍ଗୀତର ପ୍ରତିଧ୍ଵନି, ଛାତ ଉପରୁ ମୋବାଇଲ୍ ରେ ତରୁଣ ତରୁଣୀଙ୍କ ନିସଙ୍କୋଚ ପ୍ରେମାଳପ......ଏକ ଅତୀତ ଓ ଅତ୍ଯାଧୁନିକତାର ଫେଣ୍ଟା ଫେଣ୍ଟି ସ୍ବର କେମିତି ଏକ ଅସହଜ ବାତାବରଣ ସୃଷ୍ଟି କରୁଥିଲା ତା ପାଇଁ। ଶେଷରେ ବ୍ଯଥିତ,ଉଦବେଳିତ ମନକୁ ଶାନ୍ତ କରିବାକୁ ଯାଇ ମନେ ମନେ କହି ଉଠିଲା ଅଜୟ “ ବଦଳିଛି ମୋ ଗାଁ ର ସ୍ବର..... ହଁ ବଦଳିଛି ମୋ ଗାଁ ର ସ୍ବର " । 



Rate this content
Log in

Similar oriya story from Classics