Balabanta Sahu

Romance Abstract Others

2.1  

Balabanta Sahu

Romance Abstract Others

ବାଟବଣା ବିବେକ

ବାଟବଣା ବିବେକ

9 mins
7.5K


 

ଯେତେ ଚେଷ୍ଟା କଲେ ମଧ୍ୟ ଏହି ଭାବ ନିକିତି ସାହାର୍ଯ୍ୟରେ ମାପି ପାରୁନାହିଁ । ଗୋଟିଏ ପଟେ ଦୀର୍ଘ କୋଡ଼ିଏ ବର୍ଷର ବନ୍ଧୁତା ଅନ୍ୟ ଏକ ପଟେ ସେଇ କୋଡ଼ିଏ ବର୍ଷର ଅନ୍ୱେଷଣ ଲକ୍ଷ୍ୟସ୍ଥଳ, ତା ' ପୁଣି ଓ.ଏ.ଏସ୍ । ବହୁତ ବଡ଼ ଡିସିଜନ୍ । କାହିଁକିନା ବିବେକ ଓ ବିବେକ ମଧ୍ୟରେ ଡିସିଜନ୍ । ବିବେକକୁ ମନେ ପକାଉ ପକାଉ ମନେ ପଡ଼ିଯାଏ ତା'ର ସେଇ ଦୁଇପଦ ଭାଷଣ। କାନ ପରଦା ଦ୍ୱାରରେ ଠକ୍ ଠକ୍ କରି ପ୍ରବେଶ କରିଯାଏ ଭାବନା ରାଇଜକୁ । ତୃତୀୟ ଆଖି ଆଗରେ ଝଲସି ଉଠେ ସେ ସବୁ ଦୃଶ୍ୟ । ସତେକି ଗୋଟେ ଚଳଚ୍ଚିତ୍ର ଦେଖିଲା ପରି ।

        କଲେଜ ଶେଷର ସେଇ ବିଦାୟ ସଭା । ଷ୍ଟେଜ ଉପରେ ସମାଜ ଦୃଷ୍ଟିର କିଛି ବଡ଼ବଡ଼କିଆ ଲୋକ ,କିଛି ନେତା ତା'ସହିତ ସଭାପତି ଆସନରେ ଆମ ଅଧ୍ୟକ୍ଷ । ବାମ ପାର୍ଶ୍ଵରେ ମାଇକ୍ରୋଫୋନ୍ ଓ ତା ଆଗରେ ବିବେକ ଏବଂ ବିବେକର ଦୁଇ ଆଖି ସାମ୍ନାରେ ଦୁଇ ଶହରୁ ଅଧିକ ଶିକ୍ଷାର୍ଥୀ । ତା'ସହ କିଛି ମାନ୍ୟଗଣ୍ୟ ଭଦ୍ର ଲୋକ । କେବେ ଲଙ୍ଗଳା କେବେ ଚଡ଼ି ଟେ ପିନ୍ଧି କାଣିକୁଚି ,ବରକନ୍ୟା ଖେଳଖେଳା ଠାରୁ ବର୍ତ୍ତମାନର ଜିନ୍ସ ପ୍ୟାଣ୍ଟ ,ବୁଟ୍ ,ସୁଟ୍ ପିନ୍ଧା ପର୍ଯ୍ୟନ୍ତ ବିବେକ ମୋର ପ୍ରିୟ ବନ୍ଧୁ । ଯଦିବା କଳାମେଘ ଆସି ସୂର୍ଯ୍ୟାଲୋକକୁ ପ୍ରତିରୋଧ କରିପାରେ ସତ କିନ୍ତୁ କୌଣସି ବି ପରିସ୍ଥିତି ଏ ଯାଏ ଆସିନାହିଁ ,ଯାହାକି ଆମ ବନ୍ଧୁତା ରେ ଫାଟ ସୃଷ୍ଟି କରିବ । ବିବେକ ଭାରି ସାହସୀ । ହାର ମାନିବା କେବେ ଶିଖିନାହିଁ । ଶିଖିଛି ଗମ୍ଭୀର ରୁ ଗମ୍ଭୀର ପରିସ୍ଥିତି ର ମୁକାବିଲା କରିବା । ବାପା ଚାଲିଯିବା ପରେ ପରେ ଏକାଧାରରେ ସାଜିଛି ଗାନ୍ଧୀ ,ଗୋପବନ୍ଧୁ ,ଅବଦୁଲ୍ କଲାମ.. । ବାପା ଚାଲିଯିବା ପରେ ସମାଜକୁ ନିଜର ମନେକରି ପରିବର୍ତ୍ତନ କରିଛି ତା' ଜୀବନର ଲକ୍ଷ୍ୟ କୁ । କଳାପଟା ଓ ଚକ୍ ରୁ ସପ୍ନ ଦେଖିଛି ପ୍ରଶାସନିକ ସେବାର । ଚାହୁଁଚି , କ୍ଷମତା ହାସଲ କରି ଅକ୍ଷମ ମାନଙ୍କ ସେବା କରିବା । ସେଥିପାଇଁ ତ ଗୋଟିଏ ଚେଷ୍ଟାରେ କ୍ୱାଲିଫାଏ କରିଛି ପ୍ରିଲିମ ଆଉ ମେନ କୁ । ଏକା କରିନାହିଁ ,ତା'ସାଥେ ସାଥେ ମୋତେ ବି କରାଇ ଦେଇଛି ।

       ଫଳନ୍ତି ବୃକ୍ଷ ପରି ନମ୍ର ଭାବେ ଗୁରୁଜନଙ୍କୁ ସମ୍ମାନ କୁସୁମ ସମର୍ପଣ କରୁ କରୁ ପ୍ରକାଶ କରିଦେଇଛି ହୃଦୟ ର ଭାଷାକୁ । ଲଗାମ୍ ବିହୀନ ଅଶ୍ୱ ପରି ବିବେକର 

ଭାବନା ଦୌଡ଼ି ଚାଲୁଛି ...ଆଗକୁ... ଆଗକୁ... । ସେ କହି ଚାଲୁଛି...

      "ଆଜି ବିଦାୟ ସମାରୋହ । ଆମେ ସମସ୍ତେ କଲେଜ ଜୀବନର ଶେଷ ପାହାଚରେ । ଆଜିର ଦିନରେ ଆମ ସମ୍ପର୍କରେ ଗୋଟିଏ କମା( , ) ଯୋଗ ହେବାର ସମୟ । ମୁଁ ଆଜି ସମସ୍ତଙ୍କ ମୁହଁରେ ସ୍ପଷ୍ଟ ଭାବେ ଦେଖିପାରୁଛି , ସାମାନ୍ୟ ଦୁଃଖର ଝଲକ୍ । ଏ ବାସ୍ତବିକ । କିନ୍ତୁ ଆମେ ଖୁସି ହେବା ଉଚିତ କାହିଁକିନା ହଜାର ହଜାର ନିରୀହ ଆଖି ଆଜିବି ଯେଉଁ ସ୍ବପ୍ନ ଦେଖୁଛି - "କଲେଜ ଜୀବନ " । ଆମେ ସେ ସ୍ୱପ୍ନକୁ ପୂରଣ କରିସାରିଛୁ । ଯଦିବା ତାଙ୍କ ପାଇଁ ଏ ଦିବାସ୍ବପ୍ନ । ଜୀବନ ଯାତ୍ରାରେ ଆମକୁ ଆହୁରି ଅନେକ ଆଗକୁ ବଢ଼ିବା ଅଛି । ଆଉ ଗୋଟିଏ କଥା କହିବି - "ଜୀବନର ଯେକୋୖଣସି ସୋପାନ ହେଉ ,ଯେକୌଣସି ମୁହୂର୍ତ୍ତ ହେଉ ,ଯେକୌଣସି ପରିସ୍ଥିତି ହେଉ ସବୁଠାରୁ ଅଧିକ ବିଶ୍ୱାସ କେବଳ ଦୁଇ ଜଣକୁ କରିବ । ସେ ହେଲେ ବାପା ମାଆ। (ମାଆ ବାପା କହୁ କହୁ ବାହାରି ଆସିଥାଏ ଦୁଇ ଟୋପା ଳୁହ ।)

 ଲୁହକୁ ପୋଛି ଆରମ୍ଭ କରିଛି – ”ଆଉ ଏକ ଅଧ୍ୟାୟ- ପ୍ରେମ।( ସାମାନ୍ୟ ହସିଦେଇ ) "ପ୍ରେମ " ହେଉଛି ଆଜିର ଚର୍ଚ୍ଚିତ ବିଷୟ । କେଉଁଠି ପଳାୟନ ,କେଉଁଠି ମୃତ୍ୟୁ ,କେଉଁଠି ଠକ ,କେଉଁଠି ଯୌନ ସମ୍ପର୍କ ,କେଉଁଠି ଦେହ ବିକ୍ରି , ଆଉ କେଉଁଠି କେଉଁଠି ପ୍ରେମ ପାଇଁ ଯାଉଛି ମାଆ ବାପାଙ୍କ ଜୀବନ । ବାପ୍ ରେ ପ୍ରେମ ଏତେ ବଡ ।(ହସିଦେଇ) ପ୍ରେମ ଅନେକ ବିଭାଗଅଛି ,ଆଉ ଏହାର ଅୟରାମ୍ଭବ ଯେଉଁଠି ହୁଏ ତା'ହେଲା- ମାତୃଗର୍ଭ । ଆଉ ଏ ହିଁ ବାସ୍ତବ ପ୍ରେମ ।ଯଦି ମାତୃତ୍ୱ କୁ ବର୍ଣ୍ଣନା କରିବାକୁ ଚେଷ୍ଟା କରିବି ତେବେ ତାହା ମୋ ମୂର୍ଖାମୀ ହେବ ମାତ୍ର। ଆଉ ଏ ଝିଅ ପ୍ରେମ (ଲଭ୍)। ମୁଁ କିଛି କହିବି ନାହିଁ ,ଆମ କୋସଲି ଭାଷାରେ ପଦେ କହିବି । "ଇ ଲଭ୍ ଜୀବନ୍ କେ ଉଲ୍‌ଟେଇ ଦେସି ,ଏକଦମ୍ ଚକେଲ୍‌ ପିଠା ଲେଖେ । ଭଲ୍ କେ ଖରାପ୍ ଆରୁ ଖରାପ୍ କେ ଭଲ୍ ।" 

    ଶେଷରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ "ଲକ୍ଷ୍ୟ।" ଏହା ପରେ ମୁଁ ମୋର ବକ୍ତବ୍ୟ ସମାପନ କରିବି। ଏଥିପାଇଁ ଗୋଟିଏ କହାଣୀ କହିବି। 1938 ମସିହା, ସାରା ହଙ୍ଗେରୀ ଦେଶରେ ଜଣଙ୍କ ନାଆଁ ଚର୍ଚ୍ଚାରେ । ସେ ହେଲେ କ୍ୟାରୋଲି ଟାକସ୍ । ହଙ୍ଗେରୀର ସବୁଠୁ ବେଷ୍ଟ ଫିଜିକାଲ ସୁଟର । ଦେଶର ସବୁ ଜାତୀୟ ପ୍ରତିଯୋଗିତାରେ ନିଜର କୃତି ଦେଖାଇ ସାରିଥିଲେ ।ଏବଂ ତାଙ୍କ ଦକ୍ଷତାର ସମକକ୍ଷ ଅନ୍ୟ ଦେଶରେ ମଧ୍ୟ ନଥିଲେ ଏଣୁ 1940 ମସିହାରେ ଟୋକିଓରେ ହେବାକୁ ଥିବା ଅଲମ୍ପିକ ରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ପାଇବା ପ୍ରାୟ ଶତ ପ୍ରତିଶତ ନିର୍ଦ୍ଧାରିତ ହୋଇସାରିଥିଲା ।ଅଶ୍ୱ କଣ ଲଗାମ୍ ବିରୋଧରେ ଗତି କରିପାରେ ? ସେହିପରି ଦଇବର ଅଙ୍ଗୁଲି ନିର୍ଦ୍ଦେଶ । ତାଙ୍କ ଆର୍ମି ଟ୍ରେନିଂ ସମୟରେ ହାତ ରେ ଫୁଟି ଗଲା ହେଣ୍ଡ ଗ୍ରାନେଟ୍ । ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଇତିହାସ ଲେଖୁ ଲେଖୁ କଲମର କାଳି ଶେଷ ହୋଇଗଲା । ହେଲେ ସେ ପଶ୍ଚାତାପ କଲେ ନାହିଁ । ନିଜ ଭାଗ୍ୟକୁ ଆଦରି ଶୋକ ପ୍ରକାଶ କଲେ ନାହିଁ । ପୁଣି ସୁଟିଂ ଟ୍ରେନିଂ ଆରମ୍ଭ କଲେ । ତାଙ୍କର ସେଇ ଏକମାତ୍ର ବାମ ହାତରେ ,ଯେଉଁଥିରେ କି ସେ ଦସ୍ତଖତ ମଧ୍ୟ ଦେଇ ପାରୁନଥିଲେ । ବିଶ୍ୱଯୁଦ୍ଧ ପାଇଁ 1940 ମସିହାରେ ଅଲମ୍ପିକ ହେଲା ନାହିଁ । ସେ ନିରାଶ ହେଲେ ନାହିଁ । ଅପେକ୍ଷାରେ ରହିଲେ 1944 ଅଲମ୍ପିକ କୁ । ଆସିଲା 1944 ମସିହା କିନ୍ତୁ ଅଲମ୍ପିକ ହେଲା ନାହିଁ । ବିଶ୍ବଯୁଦ୍ଧର କୁହୁଡ଼ିରେ ଢାଙ୍କି ହୋଇଗଲା ଅଲମ୍ପିକ । ଏପଟେ ସମୟ ଚାଲିଯାଉଥାଏ ସମୁଦ୍ର ଭଟ୍ଟା ପରି । ହେଲେ ସେ ଅବିଚଳିତ ଭାବେ ଟ୍ରେନିଂ ଜାରି ରଖିଲେ । ଆଉ ଯୋଗଦେଲେ 1948 ଅଲମ୍ପିକ ରେ । ସମସ୍ତ ପ୍ରତିଯୋଗୀ ତାଙ୍କୁ ପ୍ରଶଂସା କରି କହିଲେ - "ଏତେ କିଛି ଆପଣଙ୍କ ଜୀବନରେ ଘଟିଯିବା ପରେ ମଧ୍ୟ ଆଜି ଆସିଛ , ଆମକୁ ଉତ୍ସାହିତ କରିବା ପାଇଁ । ବାସ୍ତବିକ ଆପଣ ମହାନ ।" 

      

ହେଲେ ନମ୍ର ଭାବେ ତାଙ୍କ ଉତ୍ତର ଥିଲା- "ମୁଁ ଏଠାକୁ ଉତ୍ସାହିତ କରିବା ପାଇଁ ଆସିନାହିଁ । ମୁଁ ଆସିଛି ତୁମ ମାନଙ୍କ ସହ ଲଢ଼ିବାକୁ ।"

କ୍ୟାରୋଲି ଟାକସ୍

    ଆଶ୍ଚର୍ଯ୍ୟ..! ଆଶ୍ଚର୍ଯ୍ୟ ସହିତ ପ୍ରତି ମନରେ ସୃଷ୍ଟି ହୋଇସାରିଥାଏ କିଛି ପ୍ରଶ୍ନବାଚୀ । କିଛି ପାଟିରେ ତାଛଲ୍ୟ ହସ । ହେଲେ ଯେତେ ଢେଉ ଆସିଲେ ହେଲେ ସୋଲ କୁ ବୁଡାଇ ପାରିବ ? ଅସମ୍ଭବ ! ସୋଲ ଯେ କେବେ ଢେଉ ମାଡ଼ରେ ବୁଡିବ ? ଅଲମ୍ପିକ ସରିଲା ସେ ସ୍ୱର୍ଣ୍ଣ ପଦକ ପାଇଲେ । ତଥାପି ସେ ବିଶ୍ରାମ ନେଲେ ନାହିଁ । 1952 ଅଲମ୍ପିକ ରେ ପୁନଃ ସ୍ୱର୍ଣ୍ଣ ପଦକ ଜିତିଲେ । ଆଉ ହୋଇଗଲେ ପୃଥିବୀର ପ୍ରଥମ ଯିଏକି ଦୁଇ ଦୁଇ ଥର ସ୍ୱର୍ଣ୍ଣ ପଦକ ବିଜେତା ।

     କରତାଲି ରେ କୋଠରୀ ପ୍ରକମ୍ପିତ ହୋଇଉଠୁଥାଏ । ସେ ଆହୁରି ପଦେ କହୁଥାଏ- " ଏହାର ଅର୍ଥ ଯାହାର ଆତ୍ମବିଶ୍ବାସ ଯେତେ ବଡ଼ ସେ ସେତେ ବଡ଼ । ଏତିକି କହି ମୁଁ ମୋର ବକ୍ତବ୍ୟକୁ ଶେଷ କରୁଛି । ଯେ...ମାଆ..."

      ଭାବନାରେ ବିବେକର ସମ୍ଭାଷଣ ସରୁ ସରୁ ମୁଁ ମାପି ଦେଇଛି । ହଁ ! ତା ବନ୍ଧୁତା ଓ ମଣିଷପଣିଆ ଆଗରେ କମ୍ ପଡିଛି ମୋ ଅନ୍ୱେଷଣ ଲକ୍ଷ୍ୟସ୍ଥଳର ମୂଲ୍ୟ । 

     ବାଇକ ଷ୍ଟାର୍ଟ କରି ପହଞ୍ଚିଛି ବିବେକ ପାଖରେ । ସେ ମୋତେ ଇଣ୍ଟରଭିଉ ପାଇଁ ପ୍ରସ୍ତୁତ ହେବା ପାଇଁ କହିଛି । ଆଉ ଅଲ୍ ଦ ବେଷ୍ଟ କହି ଫେରାଇ ଦେଇଛି । ମୁଁ ମଧ୍ୟ ଚାଲି ଆସିଛି । ହେଲେ ଏ ମୁଣ୍ଡର ବିବେକ ମାନୁନାହିଁ । ଜବାବ ଦେଉଛି । କହୁଛି- "ବିପଦରେ ହିଁ ପ୍ରକୃତ ବନ୍ଧୁ ର ପରୀକ୍ଷା ହୁଏ" ମୁଁ ପୁଣି ଫେରିଆସିଛି ବିବେକ ପାଖକୁ । ଆଉ ବସିପଡିଛି ବିବେକର କାର ର ଡ୍ରାଇଭିଂ ସିଟରେ । ଆସି ସେ ଦେଖିଛି । ଏତେ ଦୁଃଖରେ ମଧ୍ୟ ସାମାନ୍ୟ ହସିଛି । କେବଳ ଏଇ ବନ୍ଧୁ ପାଇଁ ।

     ଗାଡିର କଣ୍ଟା ଶହେରୁ ଶହେ କୋଡିଏ ମଧ୍ୟରେ । ଗାଡି ଚାଲିଛି ବଲାଙ୍ଗୀର ସରକାରୀ ଡାକ୍ତରଖାନା ଅଭିମୁଖେ । ବିବେକର ଫୋନ ରିଙ୍ଗ ହେଲା । କାନ ପାଖକୁ ନେଉ ନେଉ ତା'ମନ, ଭାବନା, ଚେହେରା ,ଚାହାଣୀ ସବୁ ପରିବର୍ତ୍ତନ ହୋଇସାରିଥାଏ । ସେ କେବଳ ହଁ ହଁ...କରିଚାଲିଥାଏ । ମଝିରେ ମଝିରେ ଚୁପ୍ ରହି ଦେଉଥାଏ । ମୁଁ କିନ୍ତୁ ରାସ୍ତା କଡର ଉଭୟ ପାର୍ଶ୍ଵର ସବୁଜବନାନୀକୁ ଉପଭୋଗ କରି ,ଗାଡିକୁ ବଢ଼ାଇ ନେଉଥାଏ ବଲାଙ୍ଗିର ଅଭିମୁଖେ । ହଠାତ୍ ହୀରାକୁଦ ଗେଟ୍ ଖୋଲିଲା ପରି ସ୍ପଷ୍ଟ ଓ ଉଚ୍ଚ ସ୍ୱରରେ ଆବାଜ୍ ଆସିଲା । ଆଉ ଆବାଜ୍ ଥିଲା ବିବେକର ।

       "ଚୁପ୍....! 

କଣ ! ବିଜ୍ଞାନ..ବିଜ୍ଞାନ..,କଳା...କଳା...କରୁଛ ? କଳା ମଧ୍ୟ ଗୋଟିଏ ବିଷୟ । ସବୁବେଳେ ନିଜକୁ ନୀଚ ଭାବିବା ଗଲାନାହିଁ । ସମାଜକୁ ଆଉ କେତେଦିନ ଡରିବା ? କେତେଦିନ ହୃଦୟ ର ଲୁହ ଗଡାଇବା । ବିଜ୍ଞାନ ର ଭାଷା ରେ ହୃଦୟ ଅର୍ଥାତ ହାର୍ଟ , ଯା ହେଉଛି ମଣିଷ ର blood pumping system, ଯେଉଁଠୁ ସାରା ଶରୀର କୁ ରକ୍ତ ସଞ୍ଚାଳନ ହୁଏ। କିନ୍ତୁ କଳା ର ମତ ରେ ହୃଦୟ ହେଉଛି ସେଇ ସ୍ଥାନ ଯେଉଁଠି ମଣିଷ ନିଜ ଖୁସି, ଦୁଃଖ, ପ୍ରେମ, ଭଲ ପାଇବା, ସ୍ନେହ, ଦୟା, କ୍ଷମା ସବୁ ଅନୁଭବ କରି ପାରେ। ଆଉ ଗୋଟିଏ ବିନା ଆରଟି ଅସମ୍ପୂର୍ଣ୍ଣ। 

ତେଣୁ ମୁଁ ବିଜ୍ଞାନ ର ଛାତ୍ର ହେଲେ ବି ତୁମପରି ଜଣେ କଳା ର ଛାତ୍ରୀ କୁ ଭଲପାଏ, ଆମ ଜୀବନ କୁ ପରିପୂର୍ଣ୍ଣତାରେ ଭରିଦେବା ପାଇଁ" । 

 ଏମିତି ଦୀର୍ଘ ସମୟର ଯୁକ୍ତିତର୍କ ପରେ ଦୁଃଖର ଛାପରେ ବିବେକର ପ୍ରସ୍ପୁଟିତ ମୁଖମଣ୍ଡଳ ଝାଉଁଳି ପଡିଥାଏ ।  କିଛି ସମୟର ନୀରବତା ପରେ- " କିଛି ନାହିଁ ,ତିନି ବର୍ଷ ମଧ୍ୟରେ ଚିହ୍ନି ପାରିଲ ନାହିଁ । ହେଲେ ଆଗକୁ ଚେଷ୍ଟା କରିବ । ଚିହ୍ନିବା ପାଇଁ ବିବେକକୁ । ମୋ ପାଇଁ ମୋ ମାଆ ବଡ଼ । ତମେ କିଏ ? ଆଜି ଅଛ କାଳିକୁ ନଥାଇପାର ? ଏ ବିଶ୍ୱାସ ବିଦେଶୀ ପକ୍ଷୀ ପରି ଉଡିଯାଇପରେ ??

     ଏତିକି କହି ସାରି ମୋବାଇଲକୁ ରାଗରେ ରଖିଦେଲା ସତ , କିନ୍ତୁ ତା'ବଦନରେ ଲାଗିରହିଥାଏ ଅଦିନିଆ ଦୁଃଖର ଛିଟା । ଗାଡି ମଧ୍ୟ ପହଞ୍ଚି ସାରିଥାଏ ।ମୁଁ ଏ ବିଷୟରେ ଜାଣିବାକୁ ଚେଷ୍ଟା କଲି କିନ୍ତୁ ସେ ବୁଲେଇ ଦେଇ ନିର୍ଦ୍ଦେଶ ଦେଲା ଗାଡି ଷ୍ଟାର୍ଟ ବନ୍ଦ କରିବା ପାଇଁ। ଗାଡି ଷ୍ଟାର୍ଟ ବନ୍ଦ ହୋଇ ଅଟକିଲା ଆଉ ଭାବନର ଗତି ମଧ୍ୟ ଅଟକି ଗଲା ।ମୁଁ ବାହାରିଲି କିଛି ଫଳମୂଳ କିଣିବା ପାଇଁ । ସେ ଆସୁଛି କହି ଚାଲିଗଲା । କୁଆଡେ ଗଲା ? ଏ କଣ ? ସେ ଲୁଗାପଟା କିଣି ଷ୍ଟେସନ ଆଡେ ଗଲାଣି ?

    ଆଶ୍ଚର୍ଯ୍ୟ ମଣିଷ ! ମାଆର ହସ୍ପିଟାଲ ବିଛଣାରେ ମୃତ୍ୟୁ ସହ ସଂଗ୍ରାମ ,ଭଉଣୀର ହସ୍ପିଟାଲର ସର୍ଜରୀ ରୁମରେ ଜୀବନ ସହ ସଂଗ୍ରାମ ,ମୁଣ୍ଡ ଉପରେ ଓ.ଏ.ଏସ୍ ଇଣ୍ଟରଭିଉ ,ତଥାପି ଏ କଣ ? ଏତେ ଟେନସନରେ ବି ମଣିଷ ଅନ୍ୟର ଦୁଃଖ ଦେଖିପାରେ ? ବାସ୍ତବିକ ବିବେକ ହିଁ ସମାଜର ମଣିଷ । ଆଉ ଆମେ ସମସ୍ତେ ଚାରି କାନ୍ଥ ମଝି ପରିବାରର ସ୍ୱାର୍ଥପର ।

    ଦୁଇ ଦିନ ରହିଲା ଇଣ୍ଟରଭିଉ । ଯଦିବା ମେନ ପରୀକ୍ଷା ପରି ପୁଙ୍ଖାନୁପୁଙ୍ଖ ପଢିବା ଦରକାର ନାହିଁ , ଫଣ୍ଟାମେଣ୍ଟାଲ ତ ଦେଖିବାକୁ ପଡିବ । କେତେବେଳେ କଣ ଗୋଟେ ପଚାରିଦେବେ ? ନିଜେ ତ ରିଜେକ୍ଟ ହେବ , ମୋତେ ବି ରିଜେକ୍ଟ କରାଇବ ? ମନ ଭିତରେ ସୃଷ୍ଟି ହେଉଥାଏ ଏପରି କିଛି ପ୍ରଶ୍ନବାଚୀ । ଯେଉଁ ପ୍ରଶ୍ନର ଉତ୍ତର ଥାଏ ବିବେକ ପାଖରେ । ହେଲେ ସେ ଗଲା କୁଆଡେ ? ତା 'ଆସିବା ଅପେକ୍ଷାରେ ସାମାନ୍ୟ ବିରକ୍ତ ହୋଇ ହସ୍ପିଟାଲକୁ ପହଞ୍ଚିଲି । ଯାଇକି ଦେଖୁଛି ତା' ମାଆର ଅବସ୍ଥା । ସେଇ ଲୋତକଭରା ଆଖି ବୁଜିବା ଆଗରୁ ଅପେକ୍ଷା କରିଛି ତା' ପୁଅକୁ ବୋଧେ । ଖୁବ ବିରକ୍ତ ଲାଗୁଥାଏ । "ମାଆକୁ ଏପରି ଅବସ୍ଥାରେ ଛାଡି ଦେଇ ଗୋବବନ୍ଧୁ ସାଜୁଛି " ମନେ ମନେ ଭାବୁଥାଏ । 

      ସେ ମୋର ଆଶ୍ଚର୍ଯ୍ୟର ସୀମା ଲମ୍ବାଇ ଦେଉଥାଏ । ଦୀର୍ଘ ଦୁଇ ଘଣ୍ଟା ହେଲା କୁଆଡେ ଗଲା ? ବିରକ୍ତି ଭାବରେ ମନେ ମନେ ଗାଳି ଦେଇ ବାଧ୍ୟ ହୋଇ ଔଷଧପତ୍ର ଆଣିଲି । ଆଉ ଅଳସ ହେତୁ ବିଶ୍ରାମ ନେଉ ନେଉ ଶୋଇ ପଡ଼ିଲି ବେଞ୍ଚରେ । କେଉଁ ଅଜଣା ନିଦ ଗ୍ରାସିଥିଲା ମୋତେ ଜଣା ନାହିଁ । ନଅ ଟା ରୁ ଶୋଇଲି ଯେ ଉଠିଲି ଏକା ବେଳକୁ ସାତଟା ପରେ । ଉଠିକି ଅସ୍ତବ୍ୟସ୍ତ ହୋଇ ନର୍ସକୁ ପଚାରିଲି-"ମାଆଙ୍କ ଅବସ୍ଥା ?" ଉଚ୍ଚଶିକ୍ଷିତା ଭଦ୍ର ମହିଳା ପରି ନିଦ୍ବନ୍ଦରେ ଉତ୍ତର ଆସିଲା- she is death । ଏପଟେ ବିବେକ ଗଲା କୁଆଡେ ? 

 

     ମୁଣ୍ଡ ଉପରରୁ ଆକାଶ ଖସି ଆସୁଛି । ଅନାୟାସରେ ଗଡି ଆସୁଛି କିଛି ଧାର ଲୁହ । ତଥାପି ଧର୍ଯ୍ୟହରା ହୋଇନାହିଁ । ମାଆଙ୍କ ଚାଲିଯିବା ଦୁଃଖରେ ଆଉ କର୍ତ୍ତବ୍ୟ ଭାରରେ ବିବେକକୁ ଖୋଜିବା ପ୍ରାୟ ଭୁଲି ଯାଇଛି । ବିବେକର ଭଉଣୀ ବବିର ଫୋନ । ସେ କିଛି କହିପାରୁନାହିଁ । କେବଳ କାନ୍ଦୁଛି । ଆଉ କହୁଛି ଭାଇ...ଭାଇ...।ଏ ଭାଇ..ଭାଇ..ର ଅର୍ଥ ବୁଝି ପାରୁନଥିଲି । କିନ୍ତୁ ଏହାର ଅର୍ଥ ବୁଝିବା ପରେ ମୋ ପାଦତଳୁ ମାଟି ଅତଡ଼ା ଖସି ଯାଉଥାଏ । କାହିଁ କେଉଁଆଡ଼ୁ ଧାର ଧାର ହୋଇ ବହି ଆସୁଥାଏ ଲୁହଧାର ! ବିବେକ ଆଉ ନାହିଁ । ଟ୍ରେନ ଆଗରେ ଡେଇଁ ପଡି ଜୀବନ ହାରି ଦେଇଛି । "ମୁଁ ସ୍ବପ୍ନ ଦେଖୁନାହଁ ତ ?"ଚାରିପାଞ୍ଚ ଥର ନିଜକୁ ନିଜେ ପଚାରୁଥାଏ । ଶେଷରେ ଦଇବ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହେଲି । ଯଦିବା ବିବେକକୁ ଦାହ ମଧ୍ୟ କରିପାରିଲି ନାହିଁ ତଥାପି ମାଆଙ୍କ ଦାହ କରି ଫେରିଲି । ଘରକୁ ଫେରିଥିଲେ ମଧ୍ୟ ନିଜକୁ ବିଶ୍ୱାସ କରିପାରୁନଥାଏ । ଆଜି ଏତେ ସବୁ ଘଟିଗଲା ।

 

ମନଦୁଃଖରେ କିଛି ଭାବି ପାରୁନଥାଏ । ହ୍ଵାଟ୍ସଆପ ଖୋଲୁ ଖୋଲୁ ପ୍ରଥମେ ଥିଲା ବିବେକର ମେସେଜ । ମେସେଜରେ ଲେଖାଥିଲା-

     "ବହୁତ ଦୁଃଖ ଲାଗୁଛି । ମୋର ଦୀର୍ଘ ୨୫ ବର୍ଷରେ କିଛି ବି କରିପାରିଲି ନାହିଁ । ନା କିଛି କରିପାରିଲି ସମାଜ ପାଇଁ ,ନା ପରିବାର ପାଇଁ ,ନା କରିପାରିଲି ତୋ ପାଇଁ । ମାଆ ଭଉଣୀଙ୍କୁ ଦେଖିବୁ । ମୋ ପ୍ରେମ ବିଷୟରେ ତୋତେବି କିଛି କହିପାରିଲି ନାହିଁ । ଆଉ ମୁଁ ଅନ୍ୟକୁ ନିଷ୍ପତି ନେବାରେ ଦିଗଦର୍ଶନ ଦିଏ କିନ୍ତୁ ଆଜି ମୁଁ ନିଷ୍ପତି ବିହିନ ବାଟବଣା ବିବେକ.... ଗୋଟିଏ ପଟେ ହୃଦୟର ରାଣୀ (ଝରଣା) ଅନ୍ୟ ପଟେ ଏଇ ହୃଦୟର ସୃଷ୍ଟିକର୍ତ୍ତି (ମୋ ମାଆ) । ଆଜି ମୁଁ କାହାକୁ ଦୋଷୀ କହୁନାହିଁ । ଝରଣାକୁ ଦୋଷ ଦେଉନାହିଁ କାହିଁକିନା ସେ ମଧ୍ୟ ବନ୍ଧା ଥିଲା ସମାଜ ପାଖରେ ଆଉ ଦେଇଦେଇଥିଲା ଏମିତି ଏକ ରାୟ । ସମାଜକୁ ବି ଦୋଷ ଦେଉନି । ସବୁ ଦୋଷ ମୋର । ତୁ ଆଗକୁ ବଢିବୁ । ସମାଜ ପାଇଁ ବଢିବୁ ।ସେବାରେ ଜୀବନ ଦେବୁ...ମୋ ପରି ପ୍ରେମରେ ନୁହେଁ ।"ତା ମେସେଜ ପଢ଼ିସାରି ସେୟାର କରି ଦିଏ ଝରଣା ପାଖକୁ… 

   କିଛିଥର ଘଣ୍ଟାକଣ୍ଟାର ସ୍ଥାନ ପରିବର୍ତ୍ତନରେ ଚାଲିଯାଇଛି ଦିନ ପରେ ଦିନ । ଆଜି ମୁଁ ସେ ସବୁକୁ ଭୁଲି ବୋରିଗୁମ୍ମା ବ୍ଲକର ବିଡ଼ିଓ । ବିବେକର ବାସ୍ତବିକ ନକ୍ସା ଅନ୍ୱେଷଣ ସହିତ ଆଇ.ଏ.ଏସ୍ କ୍ୱାଲିଫାଏ କରିଛି ଝରଣା । 

 

     ସମୟ ସ୍ରୋତରେ ଦିନ ପରେ ଦିନ, ମାସ ପରେ ମାସ ,ବର୍ଷ ପରେ ବର୍ଷ ବିତିଗଲାଣି । ଆଜି ଦଶ ବର୍ଷ ପୁରୁଣା ହୋଇଗଲାଣି ସେ ସ୍ମୃତି ସବୁ । ଆଜି ନିମନ୍ତ୍ରଣ ପତ୍ର ଟେ ଆସିଛି । ତା' ପୁଣି କଲେକ୍ଟର ପାଖରୁ । ତାର ଆଗରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି - "ଝରଣା ସହିତ ବିବେକ । ଆଉ ଶୁଭ ବିବାହ ପରିବର୍ତ୍ତେ ଲେଖା ହୋଇଛି - "ଶୁଭ ଉଦଘାଟନ" । ତାପରେ ଲେଖା ହୋଇଥାଏ-

ହୃଦୟ ଅନ୍ତରରୁ ନମସ୍କାର । 

    ଦୁଃଖୀ ଆଖିର ଲୁହକୁ ପୋଛି ବଞ୍ଚିବାର ରାହା ଦେଖାଇବାର ଆଶା ଓ ପ୍ରଚେଷ୍ଟା ନେଇ ଆସନ୍ତା ଜାନୁଆରୀ ୧ତାରିଖ ଦିନ ଉଦଘାଟନ କରିବାକୁ ଯାଉଛୁ ଏକାଧାରରେ ଏକ ଅନାଥାଶ୍ରମ ,ଏକ ବୃଦ୍ଧାଶ୍ରମ ,ଏକ ପ୍ରାଥମିକ ବିଦ୍ୟାଳୟ ଓ ଏକ ସେବା ସଂସ୍ଥା । ଏହା ସହ ଗୋଟିଏ ପୁସ୍ତକ ଉନ୍ମୋଚନ କରାଯିବାର ବ୍ୟବସ୍ଥା ରହିଛି । । ପୁସ୍ତକର - "ବାଟବଣା ବିବେକ" ଲେଖିକା- ଡକ୍ଟର ଝରଣା ଶତପଥି । ଏଣୁ ଆପଣ ନିଜର ବହୁମୂଲ୍ୟ ସମୟ ଦେଇ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ଆମ ଦୃଢ଼ ଆଶା । ଆପଣଙ୍କ ଅପେକ୍ଷାରେ ରହିଲୁ..

                    ଆବାହକ

             ଝରଣା ଶତପଥି (କଲେକ୍ଟର ପୁରୀ)

ଆଗକୁ ପଢୁ ପଢୁ ବାହାରି ଆସିଥାଏ ଦୁଇଧାର ଲୁହ । ସତରେ ପ୍ରେମ ମଣିଷକୁ କଣ ନକରେ ? ଶିକ୍ଷୟିତ୍ରୀ ଝରଣାକୁ କଲେକ୍ଟର । ଆଉ ଦେବତ୍ୱ ଗୁଣଧାରୀ ବିବେକକୁ 

ବାଟବଣା ବିବେକ…

   

ବଲବନ୍ତ ସାହୁ (ବବଲୁ)

ଭୂଷଲାର୍ଡ, ସିନ୍ଧେକେଲା ,ବଲାଙ୍ଗିର

ମୋ- ୯୦୭୮୧୦୫୨୩୪.


Rate this content
Log in

Similar oriya story from Romance