ଦଶହରା ଭେଟି
ଦଶହରା ଭେଟି
ଦିନ ବାରଟାକୁ ଛୁଇଁବା ପାଇଁ ସମୟର ଦୌଡ଼ରେ ମିନିଟ କଣ୍ଟାକୁ ବଢିବାକୁଥାଏ ଆହୁରି ଦଶପାଦ, ସକଳ ଶକ୍ତିର ଆଧାର ଦିବାକର ଚଢ଼ି ଚଢ଼ି ଆସି ପ୍ରାୟ ମୁଣ୍ଡ ଉପରେ ବିରାଜମାନ । ଆମେ ବିଜ୍ଞାନମେଳାରେ ଅନ୍ତିମ ଦିବସର ପ୍ରଥମ ପର୍ଯ୍ୟାୟ ପ୍ରଦର୍ଶନୀ ପରେ ହାଲିଆ ହୋଇ ଆସି ମୁଖ୍ୟଦ୍ୱାର ଆଗକୁ ଆସିଥାଉ । ଗ୍ରୀଷ୍ମଋତୁ ନହେଲେ ମଧ୍ୟ ନୂଆ ନୂଆ ଭୁବନେଶ୍ୱର ଆସିବାର ଖୁସିରେ କରିଚାଲୁଥାଉ ଅଯଥା ଯେତେସବୁ ଖର୍ଚ୍ଚ ।ଖାଇବାରେ ବ୍ୟସ୍ତ ଥାଉ କିଛି ରାଜଧାନିଆ ଆଇସକ୍ରିମ । ହଠାତ ଆଲାରାମ୍ ବାଜିଲା ପରି ମୋବାଇଲ ରିଂ ହେଲା, ସମସ୍ତେ ନିଜ ନିଜ ମୋବାଇଲକୁ ହାତମାରିଲେ କିନ୍ତୁ ରିଂ ଥିଲା ମୋର । ଦେଖିଲି ନୂଆ ନମ୍ବର କାନ ପାଖକୁ ନେଉ ନେଉ । ବା… ବୁ..!
ମୁଁ : ହଁ ମାଆ ।
ମାଆ : ଖାଇଲୁ ନା କେଁ ? ଭଲ ହିଛୁ ତୋ ବୁଆ ? କେନ୍ତା କରୁଛୁ …..
ମନେ ମନେ ଭାବୁଥାଏ ମାଆ ଏଠାରେ ମଧ୍ୟ K.B.C ରେ ପ୍ରଶ୍ନ ପଚାରିଲା ପରି ପ୍ରଶ୍ନ ପ୍ରଶ୍ନ ପ୍ରଶ୍ନ…, ଛୋଟ ବୟସ ହେତୁ ଭାବିପାରୁନଥାଏ ସେ ମାତୃତ୍ୱର ପରିଭାଷା ।ତା’ପରେ ଉତ୍ତର ଦେଲି – ମାଆ (ଉଚ୍ଚ କଣ୍ଠରେ)l
ମାଆ : ବାବୁ !ଖାଇଲୁ ନା କେ ? (ସ୍ନେହରେ)
ମୁଁ : ନା ।
ମାଆ : ଭଲ ଅଛୁତ ବୁଆ ?
ମୁଁ : ହଁ ।
ମାଆ : ଆଜି ଆସୁବୁ ତୋ ବୁଆ ?
ମୁଁ : ହଁ ।
ମାଆ : ଦେଖିକରି ବୁଆ ଭୁବେନସର ହେ ।
ମୁଁ : ହଁ ।
ମାଆ : ଦଶହରା ଅଛେ ଯେ, ନନି କେ ଡେରେସ ଖଣେ ଆନିଦେବୁ ପଇସା ବଚେ…
ମୁଁ : ହଁ ହଁ ।(ରାଗି)
ମାଆ ମୋ ରାଗକୁ ବୁଝିପାରିଲେ ବୋଧେ ଆଉ ଜାଣିଗଲେ ଯେ ମୁଁ ସାଙ୍ଗସାଥି ମେଳାରେ ଅଛି ଏବଂ ତାଙ୍କ କଥା ମୋତେ ପସନ୍ଦ ନାହିଁ ଏଣୁ ଫୋନ ରଖିଦେଲେ । ଫୋନ ରଖୁରଖୁ ଦଶଭୁଜା ମଣ୍ଡପରୁ ଶୁଭୁଥାଏ-
“ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ତିତା
ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ତିତା
ନମଃସ୍ତେସ୍ୟ ନମଃସ୍ତେସ୍ୟ ନମୋଃନମଃ”
ମାଆଙ୍କ ସ୍ତୁତି ପରେପରେ ସାଙ୍ଗମାନଙ୍କ ଭକ୍ତିଭାବ, ମୁଁ କିନ୍ତୁ ଭଗବାନ ବିରୋଧୀ କାହିଁକିନା ସେ ମୋ ବାପାକୁ ଛୋଟ ସମୟରୁ ମୋ ଠାରୁ ଅଲଗା କରିଦେଲେ ।ମୁଁ ଇତସ୍ତତଃ ଦେଖୁ ଦେଖୁ ମୋ ଆଖିଆଗରେ ଏକ ନୂତନ ଦୃଶ୍ୟ । ଦୃଶ୍ୟ କହିଲେ ଏକ ବୃଦ୍ଧଦମ୍ପତି ଲେପଟପ ନେଇ ଆମ ଆଡକୁ ଆସୁଛନ୍ତି ।ପାଖକୁ ଆସିବାରୁ ମୁଁ ସାଇଡ ଦେବାକୁ ଅଗ୍ରସର ହେଉ ହେଉ ବୃଦ୍ଧ ଜଣକ କହିଲେ- ବେଟା ହମେ ଫେସବୁକ କା ଏକ ଆକାଉଣ୍ଟ ବନାଦୋ ।
ମୁଁ ଟିକେ ଚତୁଃପାର୍ଶ୍ୱ ଚାହିଁଲି ଏବଂ ହିନ୍ଦୀ କମ ଜଣାଥିବାରୁ ସାମାନ୍ୟ ଡରିକି କହିଲି- ହାଁ !
ବୃଦ୍ଧା : ଟେକ ଇଟ (ଲେପଟପ ବଢ଼ାଇ ଦେଇ)
ମୁଁ : କେଉଁ ନାମ ରେ ଖୋଲିବି ?
ବୃଦ୍ଧା : ନେମ, ଯେଉଁ ଗୋଟାଏ ଠିକ ହିରୋଇନ ନାଁ’ରେ ଖୋଲିଦେ ବେଟା।
ମୁଁ : ଫେକ ଆକାଉଣ୍ଟ ? କାହିଁକି ଖୋଳୁଛନ୍ତି (ଜୋରରେ ହସିକି)
ବୃଦ୍ଧା : ବେଟା ତୁ ଖୋଲିଦେ ଫାଷ୍ଟ, ତାପରେ କହୁଛି ।
ମୁଁ : (ହସିକି) ହଁ ହଁ ।ହେଲେ ପ୍ରୋଫାଇଲ ପିକ୍ଚର ?
ବୃଦ୍ଧା : ଆଜିକାଲିର ଗୋଟିଏ ପପୁଲାର ହିରୋଇନ ର ଦେଇଦିଅ ବେଟା ।
ମୁଁ : ହଁ ହୋଇଗଲା ।
ବୃଦ୍ଧା : ବେଟା ନାଁ ଗୋଟେ ସର୍ଚ୍ଚ କଲୁ । ଡକ୍ଟର ଆଶିଷ କୁମାର ମହାନ୍ତି ।(ଖୁସିରେ)
ମୁଁ : କିଏ ଦେଖନ୍ତୁ (ଲେପଟପ ଦେଖେଇ)
ବୃଦ୍ଧା : ଏଇଟା ଏଇଟା । ମୋ ପୁଅ ପରା । ସବୁଠୁ ଆଗରେ (ଅତି ଖୁସିରେ)
ମୁଁ : ଏବେତ କୁହନ୍ତୁ
ବୃଦ୍ଧା : ମୋ ପୁଅ ଏକ ବଡ ଚାକିରୀ ପାଇଯାଇଛି ସେଥିପାଇଁ ସେ ଅଲଗା ରହୁଛି, ବୋହୂ ଫୋନରେ କଥା କରେଇ ଦିଏନି, ସେଥିପାଇଁ ନାତିନାତୁଣୀ, ପୁଅବୋହୁଙ୍କୁ ଟିକେ ଦେଖିବା଼ ବୋଲି ଏ ଆଶା…
ଆମେ ସମସ୍ତେ ଆଶ୍ଚର୍ଯ୍ୟ ସତେକି କୁଆଡୁ ଭୂମିକମ୍ପ ମାଡ଼ିଆସିଲା ପରି, କାହିଁକିନା ସେ ଫୋଟୋ ଥିଲା ଆମ ରାଜ୍ୟର ମାନ୍ୟବର ସାଇନ୍ସ ସୁପରଭାଇଜର୍ ଙ୍କର, ଯାହାଙ୍କ ହାତରୁ ମୁଁ କିଛି ସମୟ ପୂର୍ବରୁ ପୁରସ୍କୃତ । ଆଶ୍ଚର୍ଯ୍ୟ ମଧ୍ୟରେ ମୋ ମନଟା ହଜିଯାଇଥାଏ ହଠାତ ଡାକ ଶୁଭିଲା- ରାସ୍ତାକୁ ଯାଅନାହିଁ, ଶୀଘ୍ର ଚାଲ ଲଞ୍ ଟାଇମ ହେଲା (ସାରଙ୍କ ଠାରୁ)
ଆମେ କିନ୍ତୁ ଶୁଣିମଧ୍ୟ ନଶୁଣିଲା ପରି ରହିଗଲୁ । ସମସ୍ତଙ୍କ ପାଟିରୁ ଏକା ସାଥେ ବାହାରି ପଡ଼ିଲା- “ହେ ଭଗବାନ..” । ମନ ମଧ୍ୟରେ ଅହେତୁକ ପ୍ରଶ୍ନର ଭିଡ଼ ଧୀରେ ଧୀରେ ବଢିଚାଲିଥାଏ ।ଏତିକି ସମୟରେ ପଛପଟୁ କାନ୍ଧକୁ ଛୁଇଁ କିଏ ଜଣେ କହିଲା- “କଣ ଚାଲିଛି ଏଠାରେ ? ଚାଲ ଲଞ୍ଚ ସେଆଡ଼େ ଷ୍ଟାଟ ହୋଇଗଲାଣି” ।
ମୁଁ ସାରକୁ ଚାହିଁ ଟିକେ ଘୁଞ୍ଚିଗଲି ।
ହଠାତ ସାର୍ ହିମାଳୟ ପର୍ବତ ଖସିଗଲାପରି ପଡିଗଲେ ସେ ଦମ୍ପତ୍ତିଙ୍କ ପାଦତଳେ ।ଆମେ ବୁଝିସାରିଥାଉ ସେ ଅପୂର୍ବ ମିଳନକୁ ମର୍ମେ ମର୍ମେ ଅନୁଭବ କରିଥାଉ ମିଳନର ମହତ୍ତ୍ୱକୁ ।ଦେଖୁଥାଉ ସେ ମଳିନ ନୟନ ଦୁଇର ଧାର ଧାର ଅଶ୍ରୁକୁ ସତେକି କାହିଁ କେତେଦିନୁ ଅପେକ୍ଷା କରିଥିଲା ଏ ଲୁହ ଏମିତି ଅନାୟାସରେ ବହିବାକୁ ।ଅପୂର୍ବ ମିଳନ ପରେ ପରେ ପୁଣି ଶୁଭିଲା-
“ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ତିତା
ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ତିତା
ନମଃସ୍ତେସ୍ୟ ନମଃସ୍ତେସ୍ୟ ନମୋଃନମଃ”
ସ୍ବତଫୁର୍ତ୍ତ ଭାବେ ମୋ ପାଟିରୁ ବାହାରିଆସିଲା- “ହେ ମାଆ ! ତୋ କରୁଣା ଅପାର ମାଆ, କି ଅପୂର୍ବ ଭେଟି ତୋର…”
ମୋ ସାଙ୍ଗଜଣେ କହିଲା- “ଆରେ ଏ ତ ଦଶହରା ଭେଟି” । ଆଉ ଜଣେ କହିଲା- “ହଁ ଏହାହିଁ ମାଆଙ୍କ କରୁଣା ଭେଟି” । ମୋ ପାଟିରୁ ମଧ୍ୟ ଆପେଆପେ ବାହାରି ଆସିଲା- “ହଁ “ଦଶହରା ଭେଟି”….
ମାଆ ! ଦଶଭୁଜା ଏମିତି କରୁଣାର ଭେଟି ଦେଇଚାଲୁଥାଆ ତୋ ଭକତକୁ ……..
ବଲବନ୍ତ ସାହୁ (ବବଲୁ)
ଭୂଷଲାର୍ଡ, ସିନ୍ଧେକେଲା, ଟିଟିଲାଗଡ଼, ପିନ-୭୬୭୦୩୫
ଦୂରଭାଷ-୯୦୭୮୧୦୫୨୩୪/୭୯୭୮୨୬୧୭୪୬