STORYMIRROR

himansu sekhar

Romance

4  

himansu sekhar

Romance

ବାଟ ଖୋଜୁଥିବା ଦୁଇ ମନ

ବାଟ ଖୋଜୁଥିବା ଦୁଇ ମନ

4 mins
365

    ସବୁ କାହାଣୀର ଗୋଟେ ଶେଷ ଥାଏ।

ଠିକ୍ ସେମିତି ରାଜୀବ ପାଇଁ ସବୁ ଶେଷ ହେଇଗଲା ଯେବେ ପ୍ରିୟାର ବାହାଘର ହେଲା। ପ୍ରିୟା ତା'ବାହାଘରକୁ ତାକୁ ଡାକିଥିଲା, କିନ୍ତୁ ସେ ଯାଇ ନ ଥିଲା। ଯାଇ ନ ଥିଲା ନୁହେଁ ଯାଇ ପାରି ନ ଥିଲା। କାହିଁକି ଯାଇ ପାରି ନ ଥିଲା ତାହା ସେ ନିଜେ ବି ଜାଣେନି।


       ରାଜୀବ କ'ଣ ତା'ହେଲେ ପ୍ରିୟାକୁ ଭଲ ପାଉଥିଲା। କ'ଣ ଥିଲା ସେମାନଙ୍କ ଭିତରେ ଯାହାକୁ ପ୍ରେମ କୁହାଯାଇପାରିବ? ନା ସେମାନେ କେବେ ପାର୍କରେ ବସି ଗପିଥିଲେ ନା ସାଙ୍ଗ ହୋଇ ସିନେମା ଦେଖି ଯାଇଥିଲେ। କେବେ ତା' ବାଇକ୍ ରେ ପ୍ରିୟାକୁ ବସେଇ ରାଜୀବ ପୁରୀ ବୁଲି ଯିବା କଥା ଭାବିନି। କେବେ ବଜାରରେ ଛିଡା ହୋଇ ସେମାନେ ଚାଟ୍, ଗୁପଚୁପ ବା ଆଇସକ୍ରିମ ଖାଇନାହାନ୍ତି। ଏକଥା ବି ରାଜୀବ ଜାଣେନି ପ୍ରିୟାର କୋଉଟା ବେଶୀ ପ୍ରିୟ, ଚାଟ୍ ନା ଗୁପଚୁପ। ନା ଦି'ଟା ଯାକ ତାକୁ ଭଲ ଲାଗେ !


     ତଥାପି ତା' ବାହାଘରକୁ ରାଜୀବ ଯାଇ ପାରି ନ ଥିଲା। ଗୋଟେ ନାଲି ଚିକମିକ କାଗଜରେ ଗୁଡ଼ାଇ ତାକୁ କିଛି ଗୋଟେ ଉପହାର ଦେଇପାରି ନ ଥିଲା।


     ଏମିତି ବି ହେଇନି ସେ ବାହା ହୋଇଗଲା ବୋଲି ରାଜୀବ ଦେବଦାସ୍ ପାଲଟିଗଲା। ମଦ ପିଇ ମାତାଲ୍ ହେଲା, ଦାଢ଼ି ଛାଡ଼ିଲା ଅବା ରାତି ଅନିଦ୍ରା ହୋଇ ତା'ପାଇଁ ବିରହର ଗୀତ ଗାଇଲା ବା କବିତା ଲେଖିଲା। ସବୁକିଛି ତା' ଜୀବନରେ ସେମିତି ଠିକ୍ ଠାକ୍ ଚାଲିଥିଲା,ପୂର୍ବପରି କେବଳ ଗୋଟିଏ କଥା ଛାଡ଼ି।


     ସେଇଟା ହେଲା ପ୍ରତିଦିନ ସକାଳ ଦଶଟା ଓ ଅପରାହ୍ନ ଚାରିଟାରେ ସେ ଆଉ ପ୍ରିୟାକୁ ଦେଖି ପାରୁ ନ ଥିଲା ତାଙ୍କ ଘର ବାଟ ଦେଇ ଯିବାର। ଗୋଟେ ଇଂଲିଶ ମାଧ୍ୟମ ସ୍କୁଲରେ ମିସ୍ ଥିଲା ପ୍ରିୟା। ସବୁଦିନ ସକାଳ ଦଶରେ ଶାଢ଼ି ପିନ୍ଧି ଭ୍ୟାନିଟି କାନ୍ଧରେ ପକାଇ ତାଙ୍କ ଘର ଦେଇ ଯାଏ ସେ। ଗଳିମୁଣ୍ଡ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ସେଇଠୁ ଅଟୋ ଧରି ସ୍କୁଲ ଯାଏ ପ୍ରିୟା। ରାଜୀବ ତାକୁ ବାଲକୋନିରେ ଚାହିଁ ରହିଥାଏ ସେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ। ତା' ମନ୍ଦ ମନ୍ଦ ଚାଲି, ଦୋଳାୟିତ କଟୀରେ ଲମ୍ବା ବେଣୀକୁ ଦେଖି ରୋମାଞ୍ଚିତ ହୁଏ ମନେ ମନେ। କେବେ କେମିତି ଡେରି ହୋଇଗଲେ ତା' ବାପାଙ୍କ ସ୍କୁଟରରେ ବସି ଚଟ୍ କରି ଚାଲିଥାଏ ପ୍ରିୟା। ସେଦିନ ନିରାଶ ହୁଏ ରାଜୀବ।


     ଠିକ୍ ସେମିତି ସବୁଦିନ ଅପରାହ୍ନ ଚାରିଟାରେ ପ୍ରିୟା ଫେରେ ସେଇ ବାଟ ଦେଇ। ସକାଳେ ସଜଫୁଟା ଫୁଲ ପରି ଲାଗୁଥିବା ପ୍ରିୟା ଏବେ ଲାଗୁଥାଏ ମଉଳା ଫୁଲ ପରି କ୍ଳାନ୍ତ, ଅବସନ୍ନ। ରାଜୀବ ମନ ଭାରି ହେଇଥାଏ ତାକୁ ଏମିତି ଦେଖି। କିନ୍ତୁ ଦିନେ ନ ଦେଖିଲେ କିଛି ଭଲଲାଗେନି ତାକୁ।

     ସେଦିନ ପ୍ରିୟା ସ୍କୁଲ ଦେଇ ଫେରୁଥିଲା ରାଜୀବ। ସନ୍ଧ୍ୟା ଲାଗି ଆସୁଥିଲା। ଆଶ୍ଚର୍ଯ୍ୟ ହେଲା ରାଜୀବ ଏ ବେଳରେ ପ୍ରିୟାକୁ ଏକୁଟିଆ ଚାଲି ଚାଲି ଫେରୁଥିବାର ଦେଖି। ତାକୁ ଦେଖି ତା' ପାଖରେ ବାଇକ୍ ଅଟକାଇଲା ରାଜୀବ। ପଚାରିଲା - ଯିବୁ? କିଛି ବି ଉତ୍ତର ନ ଦେଇ ଚୁପ୍ ଚାପ୍ ଆସି ତା' ବାଇକ୍ ପଛରେ ବସିଲା ପ୍ରିୟା। କିଛି ବାଟର ନୀରବତା। ଆଜି କ'ଣ ଏତେ ଡେରି? ପଚାରିଲା ରାଜୀବ।

     - ସ୍କୁଲରେ ଗୋଟେ ମିଟିଂ ଥିଲା।

     - କାହାକୁ କହିଲୁନି ଆସି ନେଇଯାଇଥାନ୍ତେ। ତୁ କ'ଣ ଜାଣିନୁ ଏମିତି ସନ୍ଧ୍ୟାରେ ଏ ବାଟରେ ଏକୁଟିଆ ଚାଲି ଚାଲି ଯିବା ନିରାପଦ ନୁହେଁ !

     - ବାପା ଅଫିସ କାମରେ ବାହାରକୁ ଯାଇଛନ୍ତି, କାହାକୁ ଡାକିଥାନ୍ତି ! ପୁଣି କିଛି ବାଟର ନୀରବତା। ଏଥର ପ୍ରିୟା ପଚାରିଲା,- ତମେ ଏବେ କ'ଣ କରୁଛ ?

     - ଚାର୍ଟାଡ ଆଡ଼ମିଶନ କରିଛି। ତିନିଟା ପେପର୍ କ୍ଲିୟର ହେଇଛି। ତୁ ତ ଜାଣିଛୁ ଚାର୍ଟାଡର ରେଜଲ୍ଟ କେତେ ପୋର, ମାତ୍ର ଦୁଇ କି ତିନି ପରସେଣ୍ଟ।

     - ତମେ ଏମବିଏ କଲନି ?

     - ଭଲ ଇନଷ୍ଟିଚ୍ୟୁଟରୁ ନ କଲେ ଲାଭ ନାହିଁ। ସେଥିପାଇଁ ଆଠ/ଦଶ ଲକ୍ଷରୁ କମ୍ ଲାଗିବ ନାହିଁ। ଏତେ ଟଙ୍କା ମତେ କିଏ ଦବ?


    ପୁଣି ନିରବତା। ଗଳିମୁଣ୍ଡର କିଛି ବାଟ ପୂର୍ବରୁ ପ୍ରିୟା କହିଲା - ମତେ ଏଇଠି ଛାଡ଼ିଦିଅ, ମୁଁ ଚାଲିକି ପଲେଇବି।

     - କାହିଁକି ! ଘର ପାଖେ ଛାଡିଦେବି- କହିଲା ରାଜୀବ।

     - ନାଇଁ ଗାଡ଼ି ରଖ, ମୋର ଏଇଠି ଟିକେ କାମ ଅଛି।

   ମନେ ମନେ ହସିଲା ରାଜବୀ। ପ୍ରିୟା କରୁଛି କାଳେ କିଏ ଦେଖିଦବ ସେ ତା' ସଙ୍ଗେ ବାଇକରେ ଆସିଛି ବୋଲି। କିନ୍ତୁ ଖୋଲିକି କହିପାରୁନି। ବାଇକ୍ ରଖିଲା ରାଜୀବ। ଥ୍ୟାଙ୍କସ କହି ଚାଲିଗଲା ପ୍ରିୟା। 


   ଆରପଟ ଘରୁ ପ୍ରିୟାର ପାଟି ଶୁଭୁଥିଲା। ବାହାଘର ପରେ ପ୍ରଥମ ଥର ପାଇଁ ପ୍ରିୟା ଆସିଛି ତାଙ୍କ ଘରକୁ। ରୀତା ଭାଉଜଙ୍କ ସହ ବସି ଗପୁଛି ସେପଟ ଘରେ।

   ପ୍ରିୟା ଗପୁଥିଲା ତା' ଶାଶୁଘର କଥା, ତା' ବର କଥା। ବଖାଣୁଥିଲା ତା'ର ପ୍ରଥମ ରାତିର ଅନୁଭୂତି। ମଝିରେ ମଝିରେ ଶୁଭୁଥିଲା ସେମାନଙ୍କର ଚାପା କଥା,ଉଛୁଳା ହସ।

   ଆଶ୍ଚର୍ଯ୍ୟ ହେଉଥିଲା ରାଜୀବ। ବାହାଘର ପରେ ଝିଅଗୁଡା କେମିତି ଏମିତି ବଦଳି ଯାଆନ୍ତି। ସବୁବେଳେ ଗମ୍ଭୀର ଆଉ ଉଦାସ ରହୁଥିବା ଝିଅମାନେ କେମିତି ଏମିତି ହସକୁରି ହେଇଯାଆନ୍ତି?


     - ରାଜୀବ ନାହାନ୍ତି କି ଭାଉଜ ? ପଚାରିଲା ପ୍ରିୟା।

     - ଉପର ଘରେ ଅଛନ୍ତି। କହିଲେ ରୀତା ଭାଉଜ।

ଶିଢି ଚଢ଼ି ପ୍ରିୟା ଆସୁଥିଲା ତା' ପାଖକୁ, ତା' ରୁମକୁ। ଶୁଭୁଥିଲା ତା ପାଉଁଜିର ଶବ୍ଦ। ପ୍ରିୟାର ପାଉଁଜି ଶଦ୍ଦ ଯେତେ ନିକଟତର ହେଉଥିଲା ସେତେ ଦ୍ରୁତ ହେଉଥିଲା ରାଜୀବର ହୃଦସ୍ପନ୍ଦନ। ପଣା ବାହାନା କରି ବହି ଭିତରେ ମୁହଁ ଗେଞ୍ଜିଲା ରାଜୀବ।

   ପ୍ରିୟା ଆସିଲା। ତା' ପାଖକୁ ଲାଗି ବସିଲା ଖଟରେ। ପଚାରିଲା - ବାହାଘରକୁ କାହିଁକି ଆସିଲନି?

     - ତୁ କ'ଣ ଡାକିଥିଲୁ ?

     - ସାନ ଭାଇ ହାତରେ କାର୍ଡ ପଠେଇଥିଲି।

     - ମୁଁ କେମିତି ଜାଣିବି ସେଇଟା ତୁ ପଠେଇଚୁ ବୋଲି? (ସତରେ କ'ଣ ସେ ଜାଣି ନ ଥିଲା !)

     - ଗୋଟେ କଥା କହିବି, ତମେ ମିଛ ଜମା କହିଜାଣିନ । କହିଲା ପ୍ରିୟା ଓ ଆହୁରି ପାଖକୁ ଲାଗି ବସିଲା ରାଜୀବର ।


    ହଠାତ୍ ଏତିକିବେଳେ ବିଦ୍ୟୁତ୍ ସରବାହରେ ବ୍ୟାଘାତ ଯୋଗୁଁ ଚାରିଆଡ ଅନ୍ଧାର ହୋଇଗଲା। ଝରକା ଫାଙ୍କରୁ ଦିଶୁଥିଲା ଫାଳିକିଆ ଜହ୍ନ। ବାସର ରାତିର ଫୁଲ ପରି ଖଟ ଉପରେ ବିଛେଇ ପଡ଼ିଥିଲା ଜ୍ୟୋସ୍ନା। ଆକାଶରେ ତାରାମାନେ ରଚୁଥିଲେ ଅଭିସାର। ବହଳ ଅନ୍ଧାର ଭିତରେ ବାଟ ଖୋଜୁଥିଲେ ବାଟବଣା ଦୁଇଟି ମନ।

    ସବୁ ଶେଷ ପରେ ଗୋଟେ ଆରମ୍ଭ ଥାଏ। ହୁଏତ ଏ କାହାଣୀର ଆରମ୍ଭ ଏଇଠୁ।


Rate this content
Log in

Similar oriya story from Romance