ବାରଗାର୍ଲ ବାସନ୍ତୀ
ବାରଗାର୍ଲ ବାସନ୍ତୀ
ନୂଆ ନୂଆ ମୋର ପୋଲିସ ଚାକିରି ହେଇଥାଏ, ରାଜଧାନୀ ସହିଦନଗର ଥାନାରେ । ସବ୍ ଇନ୍ସପେକ୍ଟର ପୋଷ୍ଟ । ପ୍ରଥମ ଦିନରେ ହିଁ ମୁଁ ଚଢ଼ଉ କରିଥିଲି ରାଜଧାନୀର ଏକ ନାମିଦାମୀ ବିଉଟିପାର୍ଲରରେ ଆଉ ଠାବ କରିଥିଲି ଏକ ସେକ୍ସ୍ ରାକେଟ । ୫ଜଣ ବଙ୍ଗୀୟ ଯୁବତୀ ସମେତ ଜଣେ ଓଡ଼ିଆ ଝିଅ ବି ଆରେଷ୍ଟ ହେଇ ଆସିଲେ ଥାନାକୁ । ଜଣ ଜଣ କରି ସମସ୍ତଙ୍କ ମୁହଁରୁ କଳାକପଡା ବାହାରକରି ମୁଁ ତଦନ୍ତ କରୁଥିଲି । ସବାଶେଷରେ ଥିବା ଓଡ଼ିଆ ଯୁବତୀର ମୁହଁରୁ କପଡାଟି ବାହାର କଲାପରେ ମୁଁ ସଂପୂର୍ଣ୍ଣ ପାଳଭୂତ ହେଇଯାଇଥିଲି । ସେ ଥିଲା ....... "ବାରଗାର୍ଲ ବାସନ୍ତୀ". ମୋ ପାଇଁ ଏକ ଚିହ୍ନା ଚେହେରା । ତାପରେ ମୋ ନିର୍ଦ୍ଦେଶକ୍ରମେ କନେଷ୍ଟବଳ ଜବତ୍ କରିଥିବା ସବୁ ସାମଗ୍ରୀ ଆଣି ମୋ ଟେବୁଲ୍ ଉପରେ ରଖିଦେଲେ । ସବୁ ସାମଗ୍ରୀ ଭିତରୁ ଗୋଟାଏ ଡାଏରୀ ମୋ ନଜରରେ ପଡ଼ିଲା। ମୁଁ ପ୍ରଥମେ ଡାଏରୀଟିକୁ ଆଣି ଖୋଲିଲି । ତାପରେ ଯାହା ଦେଖିଲି .........
ଡାଏରୀର ପ୍ରଥମ ପୃଷ୍ଠାରେ ହିଁ ଥିଲା ମୋ ଫଟୋ। ତା'ପର ପୃଷ୍ଠାରେ ବାରରେ ନାଚୁଥିବା ବେଳେ ମୁଁ ତାକୁ ଟିପ୍ସ ବାବଦରେ ଦେଇଥିବା ଚାରିଟା କି ପାଞ୍ଚଟା ଶହେ ଟଙ୍କିଆ ନୋଟ୍, ସବୁ ନୋଟରେ ଲେଖାଥିଲା "I love u Raj". ତା'ପର ପୃଷ୍ଠା ଓଲଟାଇଲି, ଲେଖାଥିଲା........
ରାଜ୍, ମୁଁ ଜାଣିଛି ତମେ ମୋତେ କେବେ କ୍ଷମା କରିଵନି। ବହୁତ ଘୃଣା କରୁଛ, କାହିଁକି ନା ମୁଁ ତ ସାମାନ୍ୟ ବାରଗାର୍ଲଟିଏ। ତଥାପି ତୁମକୁ ଜୀବନଠୁ ବେଶୀ ଭଲପାଏ। ତମର ମନ ଅଛି ରାଜ୍, କଟକର ସେହି ବାର୍ କଥା, ଯେଉଁଠି ମୁଁ ମୋ ମଦୁଆ ବାପାର ଶକ୍ତ ଲାଲ୍ ଚାପୁଡ଼ାର ଦାଗକୁ ମୋଟା କ୍ରିମ ଦେଇ ଲୁଚେଇ ଦେଇ ଯାଉଥିଲି ଡାନ୍ସ କରିବାକୁ, ଖାଲି ମୋ ମା' ର ପ୍ରତିଦିନ ମେଡିସିନ ଖର୍ଚ୍ଚ ଉଠାଇବାକୁ। ଆଉ ତମେ ଆସୁଥିଲ ତମ କଲେଜ ସାଙ୍ଗମାନଙ୍କ ସହ। ଦିନେ ସନ୍ଧ୍ୟାରେ ମୁଁ ନାଚ କରୁ କରୁ ଜଣେ ମୋ ଛାତିରେ ହାତ ମାରିଦେଇଥିଲା, ଆଉ ତମେ ରାଗିଯାଇ ପୁରା ବାରରେ ଭଙ୍ଗାରୁଜା କରିବା ସହ ମାରପିଟ୍ କରି ଆରେଷ୍ଟ ହେଇଥିଲ। ସେଦିନ ରାତି ୨ଟା ରେ ପୋଲିସ ତୁମକୁ ଛାଡ଼ିଦେଇ ଥିଲା, ଆଉ ଆସିଲାବେଳେ ତମେ ମତେ ସେ ଇନ୍ସପେକ୍ଟର ରୁମ୍ ରେ ଅଂସଜତ୍ ଅବସ୍ଥା ରେ ଦେଖିଦେଇଥିଲ। ତା'ପରଠୁ କ'ଣ ଭାବିଲା କେଜାଣି ଥରଟିଏ ବି ମତେ ଖୋଜିନ। କିନ୍ତୁ ସତ କଥା କ'ଣ ଜାଣିଛି ! ତା ପର ଦିନ ତମର ପୋଲିସ ଚାକିରି ପାଇଁ ପରୀକ୍ଷା ଥିଲା, ଆଉ ପୋଲିସ ତମ ନାଆଁରେ ୫ଟା ଦଫା ଲଗେଇଥିଲା। ବହୁତ ସାହସ କରି ଯାଇଥିଲି ସେ ରାତିରେ ତମକୁ ମୁକୁଳେଇବାକୁ, ହେଲେ ତା ବଦଳରେ ସେ ରାକ୍ଷସଟା ମତେ ଦେହ ମାଗିଥିଲା। ଆଉ ବାଧ୍ୟ ହେଇ ମୁଁ ଦେହ ବିକି ଦେଇଥିଲେ, ତମ ସ୍ୱପ୍ନକୁ ପୂରା କରିବାକୁ। କ୍ଷମା କରିଦେବ ମତେ।
-ଇତି ତୁମର ବାରଗାର୍ଲ ବାସନ୍ତୀ-
