ବାସ୍ତବତା ଓ ସ୍ବପ୍ନ
ବାସ୍ତବତା ଓ ସ୍ବପ୍ନ
ଧିରେ ଧିରେ ସଞ୍ଜ ପ୍ରଗାଢ଼ ହେବାମାତ୍ରେ ପୂର୍ଣ୍ଣିମା ଜହ୍ନର ଶୁଭାଗମନରେ, ଅଗଣା ସାରା ବିଛୁରି ହୋଇ ପଡିଛି ଶାନ୍ତ ସ୍ନିଗ୍ଧ ତରଙ୍ଗାୟିତ କିରଣ । କାହିଁ କେଉଁ ଦୂରରୁ ଚିକମିକ କରୁଥିବା ତାରାଗଣ ସତେ ଅବା ଜଣାପଡୁଛନ୍ତି ସେଇ ସ୍ବପ୍ନ ରାଇଜର ପ୍ରଜା ଗଣ ଓ ଚନ୍ଦ୍ରମା ହେଉଛନ୍ତି ତାଙ୍କର ପ୍ରଜାପିତା । ପକ୍କା ଅଗଣା ର ବାରଣ୍ଡା ରେ ଝରିପଡିଥିବା ଝରା ଶେଫାଳି ର ମହମହ ବାସ୍ନା ତନୁ ମନ ରେ ଭରି ଦେଉଛି ଅଫୁରନ୍ତି ପ୍ରାଣସ୍ପନ୍ଦନ ।
ଏସବୁକୁ ଅଙ୍ଗେଅଙ୍ଗେ ଅନୁଭବ କରି କୋଷ କୋଷରେ ଶିହରଣ ଖେଳାଇ ତନୁ ସଙ୍ଗେ ମନର ଆତ୍ମା ସଙ୍ଗେ ପ୍ରାଣର ତଥା ନିଜର ସର୍ବସ୍ବକୁ ସେଇ ଅପୂର୍ବ ଏକ ଅନୁଭବରେ ମିଶାଇ ଦେବାର ଦୁର୍ବାର ଇଚ୍ଛାକୁ ସାକାର କରିବା ସତେ ଅବା ବାମନ ହୋଇ ଚନ୍ଦ୍ରକୁ ହାତ ବଢେଇବା ସଦୃଶ ।
ତଥାପି ମଣିଷ ଆଶା କରେ ଆସ୍ପୃହା କରେ ଚିର ନିରନ୍ତର ପ୍ରୟାସ କରେ, କେବେ ଭାବନା ରାଇଜରର ଅଥଳ ଜଳରାଶିରେ ବୁଡି ଯାଏ ଅବା କେବେ ସ୍ବପ୍ନ ରାଇଜ ର ସ୍ୱାଧୀନ ଗଗନ ରେ ବିଚରଣ କରେ । ଆଉ କେବେ ପୁଣି ତା ମନ ଉଡ଼ନ୍ତା ପକ୍ଷୀ ଟେ ପରି ଉଡିଯାଇ ବସା ବାନ୍ଧେ କେଉଁ ବିଦେଶୀ ଦୁନିଆ ର ଭିନ୍ନ ଏକ ବୃକ୍ଷ ଡାଳ ରେ ।
ଠିକ ସେଇପରି ଏହି ଭାବନା ରାଇଜରେ ବସା ବାନ୍ଧିବାର ଏକ ସ୍ୱପ୍ନିଳ ତରଙ୍ଗ ନିତି ସଞ୍ଜ ନଇଁଲେ ସୁନ୍ଦର ଏକ ଅନୂଢ଼ା କିଶୋରୀକୁ ଉପର କୋଠାରୁ ଟାଣି ଆଣେ ଅଗଣା ବାରଣ୍ଡାକୁ । ସଦ୍ୟ ଯୌବନର ଫୁଟନ
୍ତା କଢିଟି ମନ ପ୍ରାଣ ଓ ଶରୀରକୁ ଏକାକାର କରି ଅପଲକ ନୟନରେ ଏକନିଷ୍ଠ ଦୃଷ୍ଟି ଦେଇ ଚାହିଁରହେ ସେଇ ଉର୍ଦ୍ଧ ଆକାଶର ଚନ୍ଦ୍ରମାକୁ ।
କିଛି ସମୟର ନୀରବ ଦୃଷ୍ଟିରେ ସେ ଦେଖେ କୋଟି କନ୍ଦର୍ପ ଶୋଭାଯୁକ୍ତ ଶୁଭ୍ର ବସ୍ତ୍ର ପିନ୍ଧି ଶ୍ୱେତ ଅଶ୍ୱରେ ଆକାଶଗଙ୍ଗାର ମାର୍ଗ ଦେଇ ଆସି ପହଞ୍ଚିଯାଏ ଝରିପଡିଥିବା ଝରାଶେଫାଳୀର ସେଇ ଅଗଣାରେ । ବିଶାଳ ବକ୍ଷଦେଶ ବଳଶାଳୀ ଭୁଜଦ୍ବୟ ପ୍ରେମସିକ୍ତ ନୟନ ଯୁଗଳ ଓ ଦେହରୁ ଭାସିଆସେ ପୌରୁଷତ୍ୱର ବାସ୍ନା ।
ଧିରେ ଧିରେ ଦୁଇ ସତ୍ତା ନିକଟରୁ ନିକଟତର, ଆଖିରେ ଆଖିଏ ମାଦକତା । ଛାତିରେ ମିଳନ ପୂର୍ବକ୍ଷଣର ସ୍ପନ୍ଦନ । ସତେ ଅବା ଦୁଇ ଶରୀର ବିଲୁପ୍ତ ହୋଇ ଏକ ହେବେ, ପ୍ରାଣ ଓ ଆତ୍ମା ହେବ ଏକ ଓ ଅଭିନ୍ନ ।
କିନ୍ତୁ ବିଧି କାହାରି ଶିରୀ ସହେନି,ଏହା ହେଉଛି ବିଡମ୍ବନା ....
ଠିକ ଏଇ ମଧୁଝରା ମିଳନର କେଇ କ୍ଷଣ ପୂର୍ବରୁ ହଠାତ ଡାକ ଆସେ, "ଜଳସା ପାଇଁ ବାବୁ ମାନେ ଆସିଲେଣି, 'ଦେଇ' କହିଲେ ଜଲଦି ଆସି ପ୍ରସ୍ତୁତ ହୁଅ, ଆଜି ଘୁଙ୍ଗୁର ପିନ୍ଧିବାକୁ ଭୁଲିବନି" ।
ସ୍ବପ୍ନ ଦୁନିଆଁରେ ଭାସିବୁଲିଥିବା କିଶୋରୀ ପାଇଁ ଏହା ହୁଏ ଏକ ନିଷ୍ଠୁର ବାସ୍ତବତା । ବାସ୍ତବତା ସହ ସେ ସଂଘର୍ଷ କରେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ । କିଏ ଜାଣେ କେଉଁ ଦିନ ତାର ଆସ୍ପୃହା ବଦଳେଇଦେବ ଜୀବନର ଗତିପଥ ।