ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ
ଭୂତକୋଠି ସଦୃଶ ଘର ବାହାରେ ଆଜିବି ଝୁଲୁଛି ସେ ନାମ ଫଳକଟି। କରଣୀ ଅକ୍ଷରରେ ସୁନ୍ଦର ଭାବରେ ଲେଖାହୋଇଛି “ଡ଼ଃ ଦିବାକର ଶତପଥୀ (ଆଇ.ଏ.ଏସ୍)”। ଦିବାକରବାବୁ ବୟସ ପାଖାପାଖି ପଞ୍ଚାଅଶୀ ହେଲାଣି। ଦୀର୍ଘ କୋଡିଏ ବର୍ଷ ହେବ ଚିଫ୍ ଡିଷ୍ଟ୍ରିଟ୍ କଲେକ୍ଟର୍ ପଦବୀରୁ ଅବସର ବି ନେଇ ସାରିଲାଣି ପରନ୍ତୁ ଆଜିବି ସେ ଖୁବ୍ ପରିଚିତ।
କଡା ମିଜାଜ୍ ସ୍ବଭାବର ଦିବାକର ବାବୁ ନିଜ କାମକୁ ନେଇ ଭାରି ତତ୍ପର ସେଥିପାଇଁ ତ ବହୁତ କମ୍ ସମୟରେ ଗୁଡ଼ାଏ ପ୍ରମୋସନ୍ ପାଇ ସେ ବେଶୀ ବାଟ ଆଗେଇ ଆସିପାରିଛନ୍ତି। ଚାକିରୀ ଜୀବନରେ ସରକାରୀ ଘର, ଗାଡି, ଚାକର, ପୂଜାରୀ ଆଦିର ଉପଭୋଗରେ ଥିବା ଦିବାକରବାବୁଙ୍କୁ ସମସ୍ତେ ଭାରି ଡରନ୍ତି। ସବୁଜିନିଷ ଠିକ୍ ସମୟରେ ଠିକ୍ ଭାବରେ ନହେଲେ ଦିବାକର ବାବୁଙ୍କ କଡାଗାଳି ସମସ୍ତଙ୍କୁ ଶୁଣିବାକୁ ପଡେ। ଦିବାକର ବାବୁଙ୍କର ଗୋଟିଏ ବୋଲି ପୁଅ ଶାନ୍ତନୁ ସେ ବି ପାଠପଢି ଆମେରିକରେ ବୈଜ୍ଞାନିକ। ପୁଅର ସଫଳତାକୁ ନେଇ ଦିବାକର ବାବୁଙ୍କ ମନରେ ଭାରି ଗର୍ବ। ପିଲାଦିନୁ ଶାନ୍ତନୁ ଘର କଣ ଜାଣିନି। ବୋଡିଙ୍ଗ୍ ସ୍କୁଲରୁ କଲେଜ୍ ହଷ୍ଟେଲ୍, ହଷ୍ଟେଲରୁ ମେସ୍ ଆଉ ତା’ପରେ ଆମେରିକାର ସର୍ଭିସ୍ କ୍ୱାଟରରେ ତା’ର ଜୀବନ ବିତୁଛି। ପିଲାଦିନୁ ଘରଠାରୁ ଦୂରରେ ରହି ବଢ଼ିଥିବା ଶାନ୍ତନୁ ବାପା ମାଆଙ୍କ ସ୍ନେହ, ମମତା ଓ ଭଲପାଇବା କେବେବି ପାଇନି, ତେଣୁ ତା’ ମନରେ ଘର ପରିବାର ଓ ବାପା ମାଆଙ୍କ ପ୍ରତି ସମ୍ମାନ, ଭକ୍ତି ନ ଆସିବା ସ୍ୱାଭାବିକ। ବୟସର ଅପରାହ୍ନରେ ସବୁକିଛି ଫିକା ପଡେ ଏଥିରୁ ଦିବାକର ବାବୁ ବା ବର୍ତ୍ତିବେ କିପରି? ସମସ୍ତଙ୍କ ପରି ଅବସର ପରେ ସରକାରୀ ଘର, ଗାଡି ଚାକର, ପୂଜାରୀ, ଡ୍ରାଇଭର ସବୁ ଛାଡି ଦିବାକର ବାବୁ ନିଜ ହାତ ତିଆରି ଘରକୁ ଗଲେ। କିଛିଦିନ ହସ ଖୁସିରେ ବିତିବା ପରେ ଦଇବ ଦାଉ ସାଜିଲା ପରି ଦିନେ ପତ୍ନୀ ହଠାତ୍ ହୃଦଘାତରେ ଚାଲିଗଲେ। ଦିବାକର ବାବୁଙ୍କ ପାଦ ତଳୁ ମାଟି ଖସିଗଲା ଯେମିତି। ପୁଅ ଏକାକୀ ଆମେରିକାରୁ ଆସି ଦଶାହ କାମ ସାରିଲା। ଦିବାକରବାବୁ ବି ଆମେରିକା ଚାଲିଗଲେ କିନ୍ତୁ ସେଠି ଶାନ୍ତିରେ ରହିପାରିଲେ ନାହିଁ। ବୁଢ଼ାକାଳେ ବିଦେଶରେ ବିଦେଶିନୀ ବୋହୁପାଖରେ ରହିବାକୁ ନଚାହିଁ ସେ ଓଡିଶା ଫେରି ଆସିଲେ। କିଛିଦିନ ଚାକର ବାକର ଧରି ନିଜ ଘରେ ରହିଲେ। ବାର୍ଦ୍ଧକ୍ୟର ଶେଷ ଅବସ୍ଥାରେ ଚାକର ବାକର ବି କରଛଡା ଦେଲେ। ଶେଷରେ ନିରୁପାୟ ହୋଇ ଦିବାକର ବାବୁ ଚାଲିଗଲେ ଏକ ଜରାଶ୍ରମକୁ ଯାହାକୁ ସେ ନିଜ ଚାକିରୀ ଜୀବନରେ ଶୁଭଦେଇ ଉଦଘାଟନ କରିଥିଲେ। ଆଜିକୁ ପ୍ରାୟ ତିନିବର୍ଷ ହେବ ଦିବାକର ବାବୁ ସେଇ ଜରାଶ୍ରମରେ ରହୁଛନ୍ତି। ଆଗଭଳି ଦିବାକର ବାବୁଙ୍କର ସେ ଚେହେରା ନାହିଁ କି ସେ ଭାବଭଙ୍ଗୀ ବି ନାହିଁ। ଜରାଶ୍ରମର ଦୁଇବେଳା ଖାଇବାରେ ତାଙ୍କ ଜୀବନ ବଞ୍ଚିଛି। କାହାକୁ ଗାଳି ଦେବାତ ବହୁ ଦୂରର କଥା ପଦେ କଥା ହେବାକୁ ବି ତାଙ୍କ ପାଖେ କେହି ନାହାନ୍ତି। ନିଜର ସଞ୍ଚିତ ଅର୍ଥସବୁକୁ ସେ ଜରାଶ୍ରମକୁ ଦାନ କରି ଦେଇଛନ୍ତି। ଚାକିରୀ ଜୀବନରେ ଚାକର ପୂଜାରୀଙ୍କ ସେବା ଭିତରେ ବଢିଥିବା ଦିବାକର ବାବୁଙ୍କୁ ଆଜି ନିଜ କାମ ନିଜେ କରିବାକୁ ପଡୁଛି। ଦିବାକର ବାବୁ ଜରାଶ୍ରମର ଛାତ ବାଲକୋନୀର ଚୌକିରେ ବସି ନିଜ ଅତୀତର ସ୍ମୁତି ଓ ବର୍ତ୍ତମାନ୍ ଭିତରେ ଥିବା ଫରକ ସବୁକୁ ସାଉଁଟୁଛନ୍ତି। ଆଉ ମନେମନେ ଭାବୁଛନ୍ତି ସତରେ ବୟସ ଓ ପରିସ୍ଥିତିର ଚାପରେ ମୁଁ ଆଜି ସମ୍ପୂର୍ଣ୍ଣ ଅସହାୟ, ନିରୁପାୟ ଓ ବେସାହାରା ହୋଇ ପଡିଛି। ଆଖିରୁ ବହିଆସିଛି କିଛି ଅମାନିଆ ଲୁହ ଟୋପା।
