ଆଖି ଆଗରେ ଧର୍ଷିତା ହୋଇଯାଉଥିବା ଫୁଲକୁ ନ୍ୟାୟ ନଦେଇ ପାରିଲେ ନାହିଁ ଅନ୍ତତଃ ନାଗରା ବାଜିବା ପୂର୍ବରୁ ତା ଘରେ ତାକୁ ଛାଡି ଦେଇ ଆସିବାକୁ ରାଜୁ ଦାସ ଯାଇଥିଲା ଫୁଲର ନାଁ ଗାଁ ଠିକଣା ପଚାରି କିନ୍ତୁ ଫୁଲର ମାଆ କବାଟ ଖୋଲି ଫୁଲ ସହ ରାଜୁକୁ ଦେଖୁ ଦେଖୁ ଦୁଆର କିଳି କହିଥିଲା ଅଲକ୍ଷଣୀ ଯୋଉ ଗାତକୁ ଯାଇଥିଲୁ ସେଇ ଗାତକୁ ଯାଆ. ରାଜୁ ଅନ୍ୟ ଉପାୟ ନପାଇ ଫୁଲକୁ ଘରକୁ ଆଣିଲା. ରାଜୁର ମଧ୍ୟ ଏ ଦୁନିଆଁରେ କେହି ନଥିଲେ ଆହା ସାହା ରାହା ହୋଇ ତ ପ୍ରକୃସ୍ଥିତି ହେଲା ପରେ ଫୁଲ ଆସ୍ତେ ଆସ୍ତେ ରାଜୁର ଘର ସଜେଇ ସମ୍ଭାଳି ନେଲା. ଫୁଲକୁ ମଧ୍ୟ ଆଉ କେହି ଖୋଜି ଆସିନଥିଲେ. ରାଜୁ ଭାବୁଥିଲା ବିଚାରୀ ସାବତ ମାଆ ମୁହଁରୁ ଛଡେଇ ଆଣି ଲୋକନିନ୍ଦା ସହ୍ୟ କରି ବଢିଲା ଝିଅଟିକୁ କେତେ ଦିନ ତା ଘରେ ସ୍ଥାନ ଦେବ? ଫୁଲ କିନ୍ତୁ ବୁଝେଇ ଦେଇଥିଲା ଘର କହିଲେ ସେହି ସୁନ୍ଦର ପାରାବାର ଯୋଉଠି ଶାଶୁ ବୋହୁ କିଏ କୋଉ କୂଳ ଗୋତ୍ରରୁ ଆସି ପରିବାର ଗଢିଥାଏ. ମୁଁ ବି କୋଉ କୂଳ ଗୋତ୍ରର ତୁମ ପାଖକୁ ଆସି ପରିବାର ଗଢ଼ିଛି. ସତକୁ ସତ ସିଲେଇ କରି ଫୁଲ ଦୁଇ ପଇସା ରୋଜଗାର କରି ପରିବାରର ଅବସ୍ଥା ସ୍ୱଚ୍ଛଳତା ଆଡକୁ ନେଇ ସାରିଥିଲା ତ ରାଜୁ ଭାବୁଥିଲା ଫୁଲର ବିବାହ କରେଇ ସେ ତା କର୍ତ୍ତବ୍ୟ ସାରିବ. ସତକୁ ସତ ଫୁଲକୁ ଦେଖିବାକୁ ଦୁଇ ଚାରି ପ୍ରସ୍ତାବ ଆସିଥିଲା କିନ୍ତୁ ଫୁଲ ରାଜୁ ଆଗରେ ଖୋଲି ସେଇଥିଲା ତାର ଆଗତ ଅନାଗତ ତଥା ଅନାହୁତ ମାତୃତ୍ୱ କଥା ତ ରାଜୁ ଆଖି ଆଗରେ ଦେଖିଥିବା ସେଦିନର ଦୃଶ୍ୟ ମନେପଡ଼ିଯାଉଥିଲା. ସେ ଜାଣେ ଫୁଲ ଦୋଷୀ ନୁହଁ. ସାବତ ମାଆର କଷଣ ସହିତ ପରିବାର ପୋଷଣ ପାଇଁ ସିଲେଇ କରିବାକୁ ପ୍ରତିଦିନ ଅନ୍ଧାର ଗଳି ରାସ୍ତା ଦେଇ ଯିବା ଆସିବା ସମୟରେ ସାମାଜିକ ସ୍ଖଳିତ ଦୁଷ୍କର୍ମର ଶୀକାର ଦୁର୍ଘଟଣାରେ ଆଜି ଫୁଲ କଣ୍ଟକିତ କିନ୍ତୁ ତାର ବା ଏଥିରେ ଦୋଷ କଣ?ତା କୋଳକୁ ଆସୁଥିବା ସନ୍ତାନର ଦୋଷ କୋଉଠି!
ତୁଣ୍ଡ ବାଇଦ ସହସ୍ର କୋଶ. ସାବତ ମାଆ ମୁହଁ ମୋଡି ଦେଲା ପରି ସାଇ ଭାଇ ଚିହ୍ନା ପରିଚୟ ଦୂରେଇ ଗଲେ. ଅପବାଦ ନାଗରା ବାଜିବା ଭିତରେ ଝିଅ ଜନ୍ମ କଲା ଫୁଲ. ଝିଅ ଆଜି ବଡ଼ ହୋଇଛି ରାଜୁକୁ ବାପା ଡାକିଲେ ମାଆ ଆକଟ କରୁଛି କିନ୍ତୁ ସ୍କୁଲରେ ସେଦିନ ପ୍ରବେଶ ଉତ୍ସବରେ ନୂଆ କରି ନାମ ଲେଖେଇଥିବା ପରୀର ପରିଚୟ ଦରକାର. ଫୁଲର ନିରୀହ ଆଖିକୁ ଦେଖି ତା ବାପା ମୃତ ବୋଲି ଧରିନେଇ ଗୁରୁମା ଯେବେ ରେକଡ଼ ପ୍ରସ୍ତୁତ କରୁଥିଲେ ରାଜୁ ଆଗେଇ ଯାଇ କହୁଥିଲା ଫୁଲ ସିନା ମୋ ସ୍ତ୍ରୀ ନୁହେଁ କିନ୍ତୁ ପରୀ ମୋ ଝିଅ ଗୁରୁମା. ସବୁ ଶୁଣି ସାର ଗୁରୁମାମାନେ ଧନ୍ୟ ଧନ୍ୟ କରୁଥିଲା ବେଳେ ଫୁଲକୁ ଖୁବ ଶୀଘ୍ର ଅଜଣା ରୋଗ ହୋଇ ମୃତବତ ପଡିଥିଲା. ଅପରେସନ ପାଇଁ ଟଙ୍କା ଯୋଗାଡ଼ କରି ଫେରିଲା ବେଳେ ଫୁଲ ଥିଲା ଆଇ.ସି. ୟୁରେ. ଛାତିର ଯନ୍ତ୍ରଣା ବଢ଼ିବାରୁ ଜଣା ପଡିଛି ବ୍ଲକେଜ ହୋଇଛି ଛାତିରେ . ଏତେ ଟଙ୍କା କୋଉଠୁ ପାଇବ ରାଜୁ!ନିଜ କିଡ଼ନୀ ବିକି ଯେତିକି ପଇସା ରୋଜଗାର କରିଥିଲା ସବୁ ମିଶାଇ ନଅ ଲକ୍ଷ ହୋଇଯଇଥିଲା ଅପରେସନ ପାଇଁ କିନ୍ତୁ ଫୁଲ ବଞ୍ଚିନଥିଲା.ପରୀ କଇଁ କଇଁ କାନ୍ଦୁଥିଲା ହେଲେ ସାରା ଜୀଵନ ରାଜୁ ଅବିବାହିତ ରହି ପରୀକୁ ମଣିଷ ପରି ମଣିଷ କରିବାକୁ ଶପଥ ନେଲା ବେଳେ ଜୀବନ୍ତ ଫୁଲ ନୁହେଁ ମୃତା ଫୁଲ ମୁଣ୍ଡରେ ସିନ୍ଦୂର ଦେଇ ଅହ୍ୟ ଡେଙ୍ଗୁରା ବଜେଇ ଶ୍ମସାନ ନେଇଥିଲା.ଏସବୁ ଆଖି ଆଗରେ ଦେଖିବାକୁ ଦୁନିଆଁର ଅନେକ ଭିଡ଼ ଭିତରେ ପରୀ ତା ମାଆ ଫୁଲକୁ ଖୋଜୁଥିଲା ବେଳେ ରାଜୁ ତାକୁ କୋଳକୁ ନେଇ କହୁଥିଲା ମାଆ ନଥିଲେ କଣ ହେଲା ତୋ ବାପା ତ ବଞ୍ଚିଛି ତୁ ଦୁଃଖ କରନା. ଛୋଟ ପିଲା ପରୀ କିନ୍ତୁ କାନ୍ଦୁଥିଲା ଖୁବ. ରାଜୁ ସାନ୍ତ୍ୱନା ଦେଇ କହୁଥିଲା ମାଆ ଆଗେ ଆଗେ ଚାନ୍ଦଦେଶକୁ ଯାଇ ଆମ ପାଇଁ ଘର କରୁଛି. ଆମେ ସବୁ ପରେ ପରେ ଯିବା ପରା. ପରୀ ନିଜ ହାତରେ ଆଖିରୁ ଗଡି ଆସୁଥିବା ଦୁଇଧାର ଲୁହକୁ ପୋଛି ଦେଉଥିଲା ବାପା ରାଜୁ ଆଖିରୁ.
ପରୀ ବାହାହୋଇ ବିଦା ହେଲାବେଳୁ ଆଜି ଯାଏଁ ତା ଆଖିରୁ ଲୁହ ଶୁଖିନି ବରଂ ପୋଡୁଛି ଆଖି ଦୁଇଟି.ହେଲେ କିଏ ଅଛି ଏଠି ଆଫା କରିଦେବ ତା ଆଖିପତା ଉପରେ!ବୋଉର ପଣତ କାନି ପରି ବାପା ତାଙ୍କ ଗାମୁଛାକୁ ଥରକୁ ଥର ପାଟିରେ ଫୁଙ୍କି ସେହି ଉଷ୍ମତାକୁ ଆଖିରେ ମାରିଦେଇ ଆ.. ଫ୍ଫା କହିଦେଲେ ଆଖି ଦୁଇଟିରେ ପଡ଼ିଥିବା ଗୁଣ୍ଡ ଚାଲିଯାଏ ତାର ମନକୁ ମନ ଯେମିତି . ସତରେ କଣ ଗୁଣ୍ଡ ପଡିଥାଏ ତା ଆଖିରେ? ନା ବରଂ ଅଭିନୟ କରିବାକୁ ପଡେ ତାକୁ ଥରକୁ ଥର ବାପାଙ୍କୁ କୁଣ୍ଢେଇ ଟିକେ ଉଷ୍ମତା ପାଇବାକୁ ତାଙ୍କର. ଖାଲି କଣ ଏତିକି!ପରୀ ପିଆଜ କାଟିଲେ ତାର ନାଟକ ଆରମ୍ଭ ହୋଇଯାଏ ଆଖି ପୋଡ଼ିଲା ପୋଡ଼ିଲା କହେ ଏମିତି ଯେ ବାପା ଦଉଡି ଆସନ୍ତି ଓ ତାକୁ ତାଗିଦା କରୁଥାନ୍ତି କହିକି ଯେ ତୁ ପିଲାଟା ପିଆଜ କାଟିବା ଓ ବାଟିବା କାମଟା ମୋର. ତୋର ଆଉ ପିଆଜ କାଟିବା ଦରକାର ନାହିଁ. ଆସିଲୁ ଆସିଲୁ ମାଆ କହି ବାପା ତାଙ୍କ ଗାମୁଛାରେ ଥରକୁ ଥର ତାଙ୍କ ପାଟିର ଉଷ୍ମତାକୁ ଆ....ଫ୍ଫା ବୋଲି କହି ଆଖିରେ ମାରି ଦେଲେ ସତେ ଯେମିତି ଜୀବନର ସବୁକିଛି ପାଇଯାଏ ପରୀ. ଯାହା ବାହାହେଲା ପରଠୁ ସେ ଖୋଜୁଛି.ପ୍ରକାର ପ୍ରକାର ତଥା ଠାଆକୁ ଠା ବରାଦୀ ଟିଫିନ ଓ ରୋଷେଇ ବେଳେ ପିଆଜ କାଟି ବାଟି,ଉଠିଲାଠୁ ପୁଣି ଶୋଇବାକୁ ଗଲା ଯାଏଁ ନାଟକ କି ଅଭିନୟରେ ନୁହେଁ ବରଂ ସତକୁ ସତ ଆଖି ପୋଡିଲେ ଲୁହ ବୋହି ପୋଡା ବନ୍ଦ ହେବା ସହ ବାପା ମନେପଡ଼ି ଗଡୁଥାଏ ଦୁଇ ଆଖିରୁ ଧାରା ଶ୍ରାବଣ.
ଆଜି ତାକୁ ଡାକ୍ତରଖାନାକୁ ନିଆଯାଉଛି ତା ଅଜଣାତରେ ତା ଭୃଣର ଲିଙ୍ଗ ନିରୂପଣ ହେବ ଓ କନ୍ୟା ହୋଇଥିଲେ ତାକୁ ନଷ୍ଟ କରିଦିଆଯିବାର ବ୍ୟବସ୍ଥା କରାଯିବ. ହସ ଲାଗୁଥିଲା ପରୀ କି. ତାକୁ ଲୁଚେଇବା କଣ ଦରକାର ଯେ!ସେ ନିଜେ ତ ଚାହେଁ ଝିଅ ନହେଉ କି ପାଠ ଶାଠ ପଢି ଶାଶୁଘରକୁ ଯିବା ପରେ ଚାରିକାନ୍ଥରେ ଆବଦ୍ଧ ରହି ପିତା ମାତାଙ୍କ ସ୍ନେହ ଶ୍ରଦ୍ଧାକୁ ଭାଳି ଓ ମନେ ପକାଇ ଆଖି ଓଦା ନକରୁ.
ଏଇତ ଡକ୍ଟରଙ୍କ ସଙ୍ଗେ ଚୁପ ଚୁପ କଣ କଥା ହେଉଛନ୍ତି ଶଶୁର ଆଉ ଶାଶୁ ଓ ତା ପିଠି ଆଉଁସି କହୁଛନ୍ତି ପିଲା କିପରି ଭଲରେ ଜନ୍ମ ହେବ ସେଇ ଚିନ୍ତା ଆମକୁ. ଏବେଠୁ ଚେକ ଅପ ନକଲେ ଅସୁବିଧା. ପରୀ କିନ୍ତୁ ଝରକା ପଟେ ଦେଖୁଥିଲା ଅଧାମୃତ ଶିଶୁକନ୍ୟାମାନେ ଦୁନିଆଁର ଆଲୋକ ଦେଖିବା ପୂର୍ବରୁ କେମିତି ନର୍ସମାନଙ୍କ ହାତରେ ଥିବା ଟ୍ରେମାନଙ୍କରେ ସେଇ ଶୁଖିଲା କୂଅ ଭିତରକୁ ଆଗେଇ ଯାଉଛନ୍ତି. ଡକ୍ଟର ଆସିଗଲେ. ଯନ୍ତ୍ରପାତି ସବୁ ପ୍ରସ୍ତୁତ ଥିଲା. ମେସିନ ଯେମିତି ପେଟ ଉପରେ ଚାଲିଲା,ଚିତ୍କାର କଲା ପରୀ. ମୋର ଝିଅ ଦରକାର ଡକ୍ଟର. ଝିଅ ଘରର ଲଷ୍ମୀ. ଝିଅଟିଏ ଥିଲେ ରଜ କୁମାରପୂର୍ଣ୍ଣମୀ ଆଦି ପର୍ବରେ ଘରେ ଖୁସିର ମାହୋଲ ସୃଷ୍ଟି ହୁଏ. ତା ଛଡା ମୁଁ ମନଭରି ତା ଆଖିକୁ ଏମିତି ଆ...ଫ୍ଫା କରିଦେଇଥିବି ଯେ ଆଉ ଶାଶୁଘରେ ସେ କାନ୍ଦିବନି କି କାନ୍ଦିଲେ ମଧ୍ୟ ଆଖି ଖରାପ ହେବନାହିଁ. ପରୀର ମନ କେତେବେଳେ ଝିଅଟିଏ ପାଇଁ ଖୋଜିହେଲା ସେ ନିଜେ ଜାଣି ନଥିବା ବେଳେ ଡକ୍ଟର କହୁଥିଲେ ହେଲେ ଆପଣଙ୍କ ପେଟରେ ତ ପୁଅ ଅଛି. ଖୁସି ଖବରରେ ଖୁସିରେ ଶାଶୁ ଶଶୁରଙ୍କ ପାଦ ପାଞ୍ଚହାତରେ ପଡୁଥିଲା ବେଳେ ପରୀ ଯେବେ ନିଶାର୍ଦ୍ଧରେ ଉଠିପଡ଼ି କାନ୍ଦୁଥିଲା ତ ସ୍ୱାମୀ କହୁଥିଲେ କାନ୍ଦିବା ଦରକାର ନାହିଁ. ତୁମ ପେଟରେ ମୋ ରାଜକୁମାରୀ ବଢୁଛି. ଡକ୍ଟର ମୋ ସାଙ୍ଗ ହୋଇଥିବାରୁ ବାପା ମାଆଙ୍କ ମନ ଖୁସି ପାଇଁ ମିଛ ନାଟକ କରିବାକୁ ପଡିଲା. ପରୀର ମନେ ହେଉଥିଲା ତା ବାପା ନିଜ କାନ୍ଧରୁ ଗାମୁଛା ଆଣି ପାଟିରେ ଫୁଙ୍କି ବାମ୍ଫ ଚାଲିଯିବା ଆଗରୁ ପରୀ ଆଖିରେ ଆ...ଫ୍ଫା କରୁଥିଲେ. ସେ ଯେବେ ଡରି ଡରି ପଚାରୁଥିଲା ଆମର ଝିଅ ହେଲା ପରେ କଣ ହେବ? ହେବ ଆଉ କଣ?ଡକ୍ଟରତ ଆଉ ଇଶ୍ୱର ନୁହଁନ୍ତି କି ମେସିନ ସବୁବେଳେ ସତ କୁହେନି!ତା ଛଡା ଝିଅର ସେ କୁଆଁ କୁଆଁ ଡାକ ଶୁଣିଲା ପରେ ଆମ ଘରେ ଝିଅ ନଥିବା ଅଭାବ ପୁରଣ ହୋଇଯିବ ନା ନାହିଁ,ମୋ ବାପା ଓ ମାଆଙ୍କର!ପରୀ ଆଜି ପ୍ରଥମ କରି ବୁଝିଥିଲା ଏ ଘରେ ତା ଆଖିକୁ ଆ..ଫ୍ଫା ନକହି ହୃଦୟକୁ ଆ...ଫ୍ଫା କରିଦେବା ଲୋକ ଜଣକ ତା ସ୍ୱାମୀ.ଆଉ ଝିଅ ଜନ୍ମ ହେଲାବେଳେ ତା ପାଖରେ ତା ବାପା ଥିଲେ ତ ସମସ୍ତଙ୍କ ପାଟି ବନ୍ଦ. ପରୀ ଦୁଃଖରେ କି ସୁଖରେ କେଜାଣି କାନ୍ଦୁଥିଲା ତ ବାପା ତାଙ୍କ ଗାମୁଛାରେ ଆ..ଫ୍ହା କରୁଥିଲେ ଥରକୁ ଥର.ହେଲେ ବାପାତ ଆଉ ନାଁହାଁନ୍ତି. ଏହା କିପରି ସମ୍ଭବ!
କଲେଜରେ ପାଠ ପଢିବାକୁ ପୁରୀରେ ରହୁଥିଲା ବେଳେ ବାପା ପରୀ ପାଖକୁ ସପ୍ତାହରେ ତିନିଖଣ୍ଡ ଇନଲାଣ୍ଡ ଲେଟର ଦେଉଥିଲ !ସେହି ଚିଠି ଭିତରେ ବାପା ଯେମିତି ପରୀଙ୍କର ପାଖେ ପାଖେ ଛାଇ ପରି ରହୁଥିଲେ ଭବିଷ୍ୟତର ପଥ ଓ ପଥିକ ହୋଇ. ପିଲାଦିନେ ବାପା ରେଡ଼ିଓରୁ ଶିଶୁ ସଂସାରରୁ ଗୀତ ଶିଖାଉ ଶିଖାଉ ଓ ବିନାକା ଗୀତମାଳା କାର୍ଯ୍ୟକ୍ରମରୁ କିଶୋର କୁମାର, ମହମ୍ମଦ ରଫିଙ୍କ ଅଭୁଲା ଗୀତ ତଥା ଲତାମଙ୍ଗେସକର, ମାନ୍ନା ଦେଙ୍କ ଗୀତ ଶିଖାଉ ଶିଖାଉ ପରୀ କଲେଜରେ ଗାଉଥିଲେ, ଉଡ଼ିଯା ମୋ ସୁନା ଚଢେଇ ମୋ ରୂପା ଚଢେଇ... ମୋ ମନ ନେଇ ତୁ ଉଡ଼ିଯା, ସୁବାସ ଦାସଙ୍କ ଗୀତ ତ ସାଙ୍ଗମାନଙ୍କ ତାଳିରେ କମନରୁମ ଫାଟି ପଡୁଥିଲା.ସେଇଠି ପରୀଙ୍କୁ କିନ୍ତୁ ଦିଶୁଥିଲା ବାପାଙ୍କ ଛାଇ. ବାପାଙ୍କ ପ୍ରେରଣାରେ ଶିଶୁ ଗୀତ ଶିଖୁ ଶିଖୁ ଯୁବବାଣୀରୁ ମଧ୍ୟ ପରୀ ଶିଖିନେଇଥିଲେ ଅନେକ ଆଧୁନିକ ଗୀତ. ସେ ସୁବାସ ଦାସଙ୍କର ହେଉ ବା ସୁଚିତ୍ରା ମହାପାତ୍ର କି ସଂଗୀତା ଗୋସେଇଁଙ୍କର ଆଧୁନିକ ଗୀତ. ପିଲାଦିନେ ଅକ୍ଷୟ ମହାନ୍ତି ଓ ପ୍ରଫୁଲ୍ଲ କରଙ୍କ ଗୀତ ଗାଉଥିଲା ବେଳେ ପୁଣି ଗୀତା ପଟ୍ଟନାୟକ, ତୃପ୍ତି ଦାସଙ୍କ ଗୀତ ପସନ୍ଦ କରିବା ପୂର୍ବରୁ ଶ୍ୟାମାମଣି ଓ ନିର୍ମଳା ମିଶ୍ର ତଥା ବିଦ୍ୟୁତପ୍ରଭା ମ୍ୟାଡାମମାନଙ୍କ ଗୀତ ସହ ପରିଚିତ କରିଥିଲେ ବାପା ପରୀଙ୍କୁ. ସ୍କୁଲରେ ପଢ଼ିଲା ବେଳେ ଜାତୀୟ ଦିବସ ଯଥା ଅଗଷ୍ଟ ପନ୍ଦର, ଜାନୁଆରି ଛବିଶ, ଶିଶୁ ଦିବସ ଓ ଗୁରୁ ଦିବସମାନଙ୍କରେ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ କରାଇବାରେ ବାପାଙ୍କର ସେହି ଉଦ୍ୟମ ପରବର୍ତ୍ତୀ ଜୀଵନରେ ପରୀଙ୍କୁ କେତେ ଯେ ଗାଇଡ କରିଛି ଏବଂ ଆଜି ପ୍ରବନ୍ଧଟିଏ ଲେଖିଲା ବେଳେ ବା ତୁଳୀ ଧରି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଅଙ୍କନ କଲାବେଳେ ବା ଝୋଟି ଚିତା କି ରଙ୍ଗୋଲି କଲାବେଳେ ବାପା ହିଁ ଛାଇ ହୋଇ ପାଖେ ପାଖେ ଥାଆନ୍ତି ସବୁବେଳେ ହେଲେ ଏବେ ତ ସେ ନିଜେ ଛାଇଟିଏ କେବଳ. ଫେରିଯାଇଛନ୍ତି ଭାଗବାନଙ୍କ ପାଖକୁ ଯୋଉଠୁ ନା ଚିଠି ଖଣ୍ଡେ ଆସିବ ନା ଆସିବ କିଛି ସନ୍ଦେଶ ପରୀଙ୍କ ପାଇଁ!
ସେଦିନ କିନ୍ତୁ କଲିଂ ବେଲ ମାରୁଥିବା ଶବ୍ଦ ଶୁଣି ଖୋଲି ଦେଇ କବାଟ ଚମକି ପଡିଲେ ପରୀ. ପରୀଙ୍କ ବାପା. ବସଟିଏ ସାଙ୍ଗରେ ଧରି ବାପା ଆଜି ତାଙ୍କ ଦୁଆରେ! ଶୀଘ୍ର ବାହାରିପଡେ ମାଆ. କୁଆଡେ ବୋଲି ପଚାରି ବୁଝିବାକୁ ସମୟ ନାହିଁ କି ବେଶ ବାସ ପରିପାଟୀ ଠିକ ଠାକ କରିବାକୁ ବେଳ ନାହିଁ. ସମୟର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତ ହେବା ତ ବାପାଙ୍କ ଶିକ୍ଷା କିନ୍ତୁ ପ୍ରକୃଷ୍ଠ ସମୟ ନଜଣାଇ ଏମିତି ତରତର କରୁଥିଲେ ବାପା ଯେ ପରୀ ବସକୁ ଉଠି ସାରିଥିଲି ଯେମିତି ସେମିତି ଅବସ୍ଥାରେ. ବାପା ନିଜ ସିଟରେ ବସର ଡାହାଣ ପଟେ ବସିପଡ଼ି ପରୀଙ୍କୁ ପଚାରୁଥିଲେ ତୁ କୋଉପଟେ ବସିବୁ ନିଜେ ଠିକ କରେ. ସେତେବେଳକୁ ବାପାଙ୍କ ପାଖରେ ବସିଥିବା ବୋଉକୁ ଦେଖି ଦଉଡି ଯାଉ ଯାଉ ବୋଉ କିନ୍ତୁ ପରୀଙ୍କ ମୁଣ୍ଡରୁ ଖସିପଡ଼ିଥିବା ଓଢଣାଟି ମୁଣ୍ଡ ଉପରକୁ ଟାଣି ଦେବାକୁ ଇଂଗିତ ଦେଉଥିଲା ଓ ବାମ ପଟକୁ ଚାହିଁବାକୁ କହୁଥିଲା. ତ ଏଥର ବାମ ପଟକୁ ଚାହିଁ ପରୀ ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଥିଲେ ଜଣ ଜଣଙ୍କୁ. କିଏ ନଥିଲେ ସେଠି!ଦୁଇ ଶାଶୁ, ଦୁଇ ଶଶୁର କାରଣ ଖୁଡି ଓ ଦାଦା ତାଙ୍କ ସ୍ୱାମୀଙ୍କୁ ପୁଅ କରିଥିଲେ. ପୁଣି ମାମୁଁ ଶଶୁର ଓ ମାଇଁ ଶାଶୁ , ପିଇସୀ ଶାଶୁ ଶଶୁର ମଉସା ମାଉସୀ ଶଶୁର ଶାଶୁ. ସମସ୍ତଙ୍କୁ ପ୍ରଣାମ କରିସାରିବା ପରେ ମାଇଁଶାଶୁ କହୁଥିଲେ ବାପା ମାଆ ଙ୍କୁ ପ୍ରଣାମ କର ଯା ବୋହୁ. ନିଜ ଭୁଲ ବୁଝି ଡାହାଣ ପାର୍ଶ୍ୱର ସମସ୍ତଙ୍କୁ ପ୍ରଣାମ ଜଣାଇବା ପରେ ବୋଉକୁ କୁଣ୍ଢେଇ ପକାଇବାକୁ ଯାଇ ପାରୁନଥିଲେ ପରୀ ତ ସେ କହୁଥିଲା ସବୁଦିନ ପରା ଠାକୁର ପୂଜା ବେଳେ ପିତୃପୁରୁଷଙ୍କ ପୂଜ୍ୟ ପୂଜାରେ ଆମକୁ ପ୍ରାଣମୀ ଜଣେଇଛୁ ପରୀ. ସେଇଥିପାଇଁ ତ ତତେ ସ୍ବଦେହରେ ଥରେ ସ୍ୱର୍ଗ ବୁଲେଇ ଆଣିବାକୁ ଆମର ଏ ପ୍ରୟାସ. ଯମଦେବ ସମସ୍ତଙ୍କୁ ଅଲଗା ଅଲଗା ପଚାରିଥିଲେ ମଧ୍ୟ ସମସ୍ତେ ତୋରି ନାଁ ହିଁ କହିଥିଲେ. ବାପା ପାଟି କରି ଉଠିଲେ. କହିଲେ ସମସ୍ତଙ୍କୁ ମନା କରାଯାଇଥିଲା ନା ମୋ ଝିଅ ପରୀକୁ ଆଗୁଆ କିଛି କହିବ ନାହିଁ. ସେଇଥି ପାଇଁ ତା ବୋଉକୁ ଏଠି ପାଖରେ ବସେଇରଖି ଯେତେ ସାବଧାନ କଲେ ବି ନିଜକୁ ସମ୍ଭାଳିନପାରି କହିଦେଲ ତ ଆଉ ପରୀ ଆମ ସଙ୍ଗେ ଯାଇପାରିବ ନାହିଁ କହି ଗାଡି ବୁଲେଇବାକୁ କହିଲେ ବାପା. ମାୟା ମୋହ ଲୁହର ଉର୍ଦ୍ଧରେ ରହିବାକୁ କୁହାଯାଇଥିଲା ହେଲେ ଅତ୍ୟଧିକ ସ୍ନେହ ଓ ମମତା ବୋଉକୁ ସତ କହିବାକୁ ବାଧ୍ୟ କରିଦେଇଥିଲା. ପୁଣି ପରୀଙ୍କୁ ତାଙ୍କ ଘର ଦୁଆରେ ଛାଡି ଦେଇ ବସଟା ଆକାଶକୁ ଉଠିଯିବା ଦେଖି ହତ ଚକିତ ହୋଇ ଉଠୁ ଉଠୁ ସ୍ୱାମୀ ପରୀଙ୍କ ଦେହରେ ହାତ ମାରି କହୁଥିଲେ କଣ ଆଜି ଉଠି ପୂଜା ପୂଜି କରିବ ନାହିଁକି? ପୁଣି କହୁଥିଲେ ତୁମ ହାତ ଲଗା ବ୍ରହ୍ମକମଳ ଗଛରେ ପ୍ରଥମ ଫୁଲ ଫୁଟିଛି. ଉଠ ସେତିକି ବେଳୁ ଡାକୁଛି ତୁମକୁ.ଚାଲ ପୁରୀ ଯାଇ ଜଗନ୍ନାଥଙ୍କୁ ଦେଇ ଆସିବା. ଆଖି ମଳି ମଳି ଉଠି କାନ୍ଥକୁ ଚାହିଁଲେ ପରୀ. ତାଙ୍କ ବାପା ଓ ବୋଉଙ୍କର ଯୁଗ୍ମ ଫଟୋଟି ଝୁଲୁଥିଲା କାନ୍ଥରେ.ଗତକାଲିର ଶୁଖିଲା ଫୁଲ ହାର ସହ ତ ବ୍ରହ୍ମକମଳଟିକୁ ତାଙ୍କୁ ପିନ୍ଧାଇବାକୁ ଉଠିବସିଲେ ପରୀ. ସ୍ୱାମୀ କହୁଥିଲେ ଆଗ ଜଗନ୍ନାଥଙ୍କୁ ଦିଆଯାଏ.ହେଲେ ମୋ ବାପା ବୋଉଙ୍କ ଯୁଗ୍ମ ଫଟୋରେ ତ ଗଗନ୍ନାଥଙ୍କ ଛାଇ ମତେ ଦିଶେ ପୁଣି ଦିଶନ୍ତି ଲଷ୍ମୀ ମାଆଙ୍କ ସହିତ ସମସ୍ତ ଦେବଦେବୀ ଓ ପିତୃପୁରୁଷ. ସ୍ୱାମୀ କହୁଥିଲେ ଗଣେଷଙ୍କଠୁ ଶିଖି ଚାଲାକ ହୋଇଗଲଣି. ଗଣେଷଙ୍କଠୁ କଣ ଶିଖିଲି ଯେ ମୁଁ?ଏଇ କହୁନଥିଲ ଯୋଉ ଘରେ ଅଛନ୍ତି ମୋ ପିତା ମାତା ତାହା ମୋର ସରଗପୁର... ତାଙ୍କୁ ଛାଡି ଯିବି କାହିଁକି ମୁଁ ଚାରିଧାମ କି ପୁରୀ ସହର. ହଁ ପୁରୀରେ ଏବେ ଭାରି ଗହଳି. ଭିଡ଼ ଭାଙ୍ଗିଲା ପରେ ଯାଇ ଦର୍ଶନ କରି ଦ୍ୱିତୀୟ ବ୍ରହ୍ମକମଳ ଫୁଲ ଚଢେଇ ଆସିବା.କିନ୍ତୁ ଗଣେଙ୍କଠାରୁ କଣ ଶିଖିଲି ବୁଝିପାରୁନାହିଁ. ସେ ତ ସିଦ୍ଧି,ବିଦ୍ଧି, ବିଦ୍ୟା ଓ ଵୁଦ୍ଧି ତଥା ରିଦ୍ଧି,ସିଦ୍ଧି ର ଠାକୁର ଯିଏ ପରମ ଇଶ୍ୱର.ତାଙ୍କ ଭିତରେ ମଧ୍ୟ ମୋ ବାପା ମତେ ଛାଇଟିଏ ହୋଇ ରହିଥିବାର ଦେଖାଯାଆନ୍ତି.ତମେ ନିଜେ ତ ତୁମ ବାପାଙ୍କ ଛାଇ କହି ସ୍ୱାମୀ ରସିକତା କରୁଥିଲେ ତ ପରୀଙ୍କ ଆଖିରେ ଢଳ ଢଳ ଲୁହ ହେଲେ ଆଫ୍ହା କରିବାକୁ ନଥିଲେ ତାଙ୍କ ବାପା.ପରୀଙ୍କ କୁନି ଝିଅ କାନ୍ଥରେ ଫୋଟୋ ଦେଖି କହୁଥିଲା ଅ..ଜା.
,,,,,,,,,,,,,,,,,,,,