Mamatamanjari Das

Abstract

4  

Mamatamanjari Das

Abstract

ବାପାଙ୍କ ଖୁସି

ବାପାଙ୍କ ଖୁସି

2 mins
317


ମୁଁ କହୁଛି ୧୯୮୩ ମସିହା କଥା । ସେହି ବର୍ଷ ମୁଁ ମାଟ୍ରିକ ପରୀକ୍ଷା ଦେବାର ଥାଏ । ମୁଁ ରେଡିଓ ଶୁଣିବଖକୁ ବହୁତ ଭଲପାଏ, ସେଥିପାଇଁ ଆମ ବଡବାପା ଙ୍କ ଘରେ ଯେତେବେଳେ ରେଡିଓ ବାଜେ ମୋ କାନଟା ଆପେ ଆପେ ସିଆଡେ ପଳାଏ ଧ୍ୟାନକୁ ସାଥିରେ ନେଇ । ବୋଉ ଠାରୁ ଗାଳି ଶୁଣେ ,ତଥାପି ସୁଧୁରି ପାରେନି । ବେଳେ ବେଳେ ଗୀତ ଶୁଣି ତାକୁ ଓଲଟା ଗାଇବା ର କଳାକୁ ବି ପୁରା ଆପଣେଇ ନେଇଥାଏ । ଗୋଟିଏ ଗୀତ ଥିଲା "ନଜାରେ ନଜା ଗୋରୀ ବାଲି ଯାତରା ଦେଖି , ମୁଁ ଗାଏ ଜାରେନ ଯା ରିଗୋ ଲିବା ରାତଜା ଖିଦେ "। ସମ୍ପୂର୍ଣ୍ଣ ଗୀତଟି ଓଲଟେଇ ଗାଇବାରେ ମୁଁ ପୁରା ଓସ୍ତାଦ ହୋଇ ଯାଇଥିଲି । ଗାଳି ଶୁଣେ ବହୁତ । 


ବାପା କହିଲେ ତୁ'ଯଦି ମାଟ୍ରିକ ପାଶ୍ କରିବୁ ତା'ହେଲେ ମୁଁ ରେଡିଓ କିଣିଦେବି । ମୁଁ କହିଲି "ଆଇ କ୍ୟାନ ଡୁ ଇଟ୍" ମୋ ଭଉଣୀ କହିଲା ଇଂଗ୍ଲିଶ୍ ଚୋବୋଉଛି । ତାକୁ କିଛି କହିଲିନି କିନ୍ତୁ ବାପା କହିଲେ ଠିକ ଅଛି ମୁଁ ରେଡିଓ କିଣିଦେବି । 


ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା ,ଦ୍ୱିତୀୟ କ୍ଳାସ ରେ ପାସ୍ କଲି। ମୁଁ ଖୁସି ଥିଲି ବିନା ଟିଉସନରେ ଦୁଇ ବର୍ଷର ପାଠ (ନବମ ଦଶମ) ପଢି ମନେରଖି ପାଶ୍ କରିଥିବାରୁ । ଭୁଲି ଯାଇଥିଲି ରେଡିଓ କଥା । କିନ୍ତୁ ବାପାମାନେ ଭୁଲନ୍ତିନି ବୋଧେ । ରଜକୁ ବାପା କଲିକତା ରୁ ଆସିଲା ବେଳେ ଗୋଟିଏ ଫିଲିପ୍ସର ରେଡିଓ ଆଣି ମୁଁ ଶୋଇଥିଲା ବେଳେ ମୋ ମୁଣ୍ଡ ଉପରେ ଥୋଇ ବଜାଇ ଦେଇଥିଲେ । ସେ ଯେଉଁ ଖୁସି ତା'ସହ ଲକ୍ଷେ ସ୍ୱର୍ଣ୍ଣ ମୁଦ୍ରା ବି ସମାନ ହେବନି ।


ତାପରେ ମୁଁ ପାଠ ପଢିଲି ଆଉ ବାପା ୮୬ ମସିହାରେ ରିଟାୟାଡ ହୋଇ ଚାଲି ଆସିଲେ । ବାପାଙ୍କ ର ଅବସର ବିନୋଦନର ମାଧ୍ୟମ ହୋଇଗଲା ସେହି ରେଡିଓ ଟି । ଭଜନ ଶୁଣନ୍ତି ,କୃଷି ସଂସାର ଶୁଣନ୍ତି ,ଗୀତିନାଟ୍ୟ ଓ ପାଲା ଶୁଣି ଆନନ୍ଦ ବିଭୋର ହୋଇ ଯାଆନ୍ତି । ରେଡିଓ ଟି ତାଙ୍କର ସାଥୀ ହୋଇଯାଏ । 


ଦିନେ କିନ୍ତୁ ସେ ରେଡିଓ କୁ ବେମାରୀ ଧରିଲା । ଖାଲି ଫଡ୍ ଫଡ୍ ହେଲା । ବାପା ଏକୁଟିଆ ହୋଇଗଲେ । ପାଖା ପାଖି ରେଡିଓ ଡାକ୍ତର କେହି ନଥିଲେ । ତେଣୁ ରେଡିଓ ଆଉ ବାଜିଲାନି । ବାପା କହିଲେ ପଇସା ହେଲେ ଆଉ ଗୋଟିଏ କିଣିବା । କିନ୍ତୁ ୭୦୦/୮୦୦ ଟଙ୍କା ପେନସନ୍ ରେ ତାହା ସମ୍ଭବ ହେଲାନି । ଅଠାଅଶୀ ମଶିହାରେ ମୁଁ ଆ ଟି ଆଇ କଲି । ପୁଣି ସେହି ଇଲେକ୍ଟ୍ରୋନିକ୍ସ ଆଣ୍ଡ ରେଡିଓ ରେ । ବାପାଙ୍କ ରେରେଡିଓ ଏହି ସୁଯୋଗ ରେ ଆଣି ଖୋଲିଲି । ତା'ଦେହରୁ ଦୁଇଟି ଟ୍ରାଞ୍ଜିଷ୍ଟର୍ ସର୍ଟ ହୋଇ ଯାଇଥିଲା । ମାତ୍ତ ଛଅ ଟଙ୍କା ପଡିଲା ଟ୍ରାଞ୍ଜିଷ୍ଟର୍ ଦୁଇଟି । ଲଗେଇ ଦେଲାପରେ ରେଡିଓ ପୁଣି ବାଜିଲା । ବାପାଙ୍କୁ ସଂଧ୍ୟାବେଳେ ଯେତେବେଳେ ନେଇ ରେଡିଓ ଟି ଦେଲି ମୋ ବାପା ଏତେଖୁସି ହୋଇ ଯାଇଥିଲେ ଯେ ତାଙ୍କ ଖୁସି ଦେଖି ମୁଁ ବି ଅନୁଭବ କରୁଥିଲି ମୋ ପଢା ସାର୍ଥକ ହୋଇଗଲା ବୋଲି ।


ଆଜି ବାପା ନାହାନ୍ତି କି ରେଡିଓ ଯୁଗ ନାହିଁ ସତ । କିନ୍ତୁ ସେହି ମୁହୂର୍ତ୍ତରେ ବାପାଙ୍କ ଖୁସିଭରା ମୁହଁ ମୋ ଆଖି ପଲକରେ ଜୀବନ୍ତ ଛବିଟିଏ ହୋଇ ଅଛି ।


Rate this content
Log in

Similar oriya story from Abstract