ବାପା
ବାପା
ହଷ୍ଟେଲ ରେ ପଢୁଥିବା ବେଳେ ମୋ ସାଙ୍ଗ ମାନଙ୍କର ବାପା ଆଉ ମା' ସେମାନଙ୍କୁ ଦେଖା କରିବା ପାଇଁ ଆସନ୍ତି , କିନ୍ତୁ ମୋ ସହ କେବଳ ବାପା ଆସନ୍ତି ଛାଡ଼ିବାକୁ। ସାଙ୍ଗ ମାନଙ୍କୁ ଛାଡିକି ଗଲାବେଳେ ତାଙ୍କ ବାପା ମାନେ ବି କାନ୍ଦନ୍ତି । ମୋ ମନ ଭିତରେ କୁଆଡୁ କେଜାଣି ଚାଲିଆସେ ଅସୁମାରି ପ୍ରଶ୍ନ- "କାହିଁକି ମୋତେ ଛାଡିକି ଗଲାବେଳେ ବାପା କାନ୍ଦନ୍ତିନି? କ'ଣ ବାପା ମୋତେ ଭଲ ପାଆନ୍ତି ନି ? ଆଉ ସବୁଠାରୁ ବେଶୀ କାନ୍ଦ ଲାଗେ ଯେତେବେଳେ ତାଙ୍କ ବାପା ମାନେ ତାଙ୍କୁ କୁଣ୍ଡେଇ ତାଙ୍କ କପାଳ ରେ ଗୋଟେ ଗେଲ କରିଦିଅନ୍ତି । କାହିଁକି "ବାପା ତ ମୋତେ କୁଣ୍ଡେଇବା ତ ଦୂରେ ଥାଉ ମୋ ପିଠି କୁ ବି ତ ଟିକିଏ ଥାପୁଡାନ୍ତିନି ?" ଏତେ ସବୁ କାହିଁକି ର ସମାଧାନ କରୁ କରୁ ମୋ ଆଖିରେ ଜକେଇ ଆସେ ମେଞ୍ଚାଏ କେତେ ଲୁହ,ଭାରି କାନ୍ଦିବାକୁ ଇଚ୍ଛା ହୁଏ ଠିକ୍ ସେଇ 'ତାରେ ଜମିନ୍ ପର୍' ଚଳଚ୍ଚିତ୍ର ର ଇଶାନ୍ ପରି କିନ୍ତୁ କାନ୍ଦିପାରେନା କ'ଣ ଏଇଟା କୁ ଶୂନ୍ୟତା କହନ୍ତି, ଯେତେବେଳେ ଜଣେ ପାଖରେ ଥାଇ ବି ନଥିଲା ଭଳି ଲାଗେ ।ଭାରି କହିବାକୁ ଇଚ୍ଛା ହୁଏ ବାପା ଙ୍କୁ କହିବାକୁ - "ବାପା ! ତୁମେ ମୋତେ ବି ଟିକେ କୁଣ୍ଢେଇ ଦିଅ ନା , ହଉ ଛାଡ ନ କୁଣ୍ଢାଅ ପଛେ,ଟିକେ ପିଠି ଥାପୁଡେଇ ଦିଅ ନା। ମୁଁ ସେଇଥିରେ ଖୁସି ହେଇଯିବି।"
କିନ୍ତୁ ନା ମୁଁ ବାପାଙ୍କୁ କହିପାରେ , ନା ବାପା ସେମିତି କରନ୍ତି। ମନ କୁ ବୁଝାଏ- ଆରେ ମାମନ ! ତୁ କାଇଁ ଏମିତି ଭାବୁଛୁ କହିଲୁ,ବାପା ତତେ ବହୁତ ଭଲପାନ୍ତି ରେ । ତୁ ପାଗଳୀ ଟାରେ, ବୁଝିପାରୁନୁ, ତାଙ୍କୁ କଷ୍ଟ ଲାଗୁଥିଲେ ବି ସେ କାନ୍ଦନ୍ତିନି, କେମିତି କାନ୍ଦିବେ? ଯଦି ସେ କାନ୍ଦିବେ,ତାଙ୍କୁ ଦେଖୁ ତୁ ବି କାନ୍ଦିବୁ। କ'ଣ କେହି ବି ବାପା ତା ପିଲା କାନ୍ଦୁ ବୋଲି ଚାହିଁବ କି ? ନାହିଁ ନା ! ସେଇଥପାଇଁ ! ଦେଖ୍ ତୋ ବାପା ସବୁଠାରୁ ଶକ୍ତିଶାଳୀ, କାରଣ "ମର୍ଦ କୋ କଭି ଦର୍ଦ ନହିଁ ହୋତା"। ପିଲାବେଳେ ଶୁଣିଥିବା ଏଇ ପଦ ଟି ମନେ ପଡିବା କ୍ଷଣି ହିଁ ଓଠ କୁ ଚାଲିଆସେ ସ୍ବତଃପ୍ରବୃତ୍ତ ଭାବେ ଏକ ସ୍ମିତହାସ୍ୟ।
ବୋଧେ ଏଇଟା ହିଁ ପିତୃପ୍ରେମ ,ନିଜେ ପଛେ ଅସୀମ ଯନ୍ତ୍ରଣା ରେ ଥିବେ କିନ୍ତୁ ପ୍ରକାଶ୍ୟ ରେ ଥିବ ଅପାର ଆନନ୍ଦ। ନିଜେ ପଛେ ଭାଙ୍ଗିଯିବେ ,କିନ୍ତୁ ନିଜ ପିଲାମାନଙ୍କୁ ନଇଁ ବାକୁ ଦେବେ ନାହିଁ। ବୋଧେ ବାପା ଆଉ ମୋ ଭିତରେ ନା ଥିଲା ଶୂନ୍ୟତା ନା ଥିଲା ବନ୍ଧ,ବରଂ ସେଇଟା ଥିଲା ବାପା ଙ୍କ ର ତ୍ୟାଗ ଆଉ ବଳିଦାନ ମୋ ପାଇଁ। ଯେମିତି ବାପାଙ୍କର ସ୍ନେହ ବଦଳ ରେ ,ମୁଁ ହୋଇପାରେ ଶକ୍ତିଶାଳୀ। ଏମିତି ମିଛ କନ୍ଦା କନ୍ଦି ଏ କ୍ରୁର ଦୁନିଆ ଲୁଟିନିଏ ସର୍ବସ୍ବ।ସେ ସବୁ ପାଇଁ ମୋର ପ୍ରସ୍ତୁତି ରେ ବାପା ତାଙ୍କ ସ୍ନେହ କୁ ବଳି ଦେଇଛନ୍ତି। ଯେମିତି ମୋ ମନ ଦୃଢ ହେବ ଆଉ ମୁଁ କରିପାରିବି ମୋ ସବୁ ସ୍ଵପ୍ନ କୁ ସାକାର କୌଣସି ବି ପ୍ରତିବନ୍ଧକ କୁ ନ ଡରି।
ବାପା ' ଏ ପିତୃ ଦିବସ ରେ କେବଳ ଏତିକି କହିବି-"ମୁଁ ଲଢ଼ିବି, ହଁ ମୁଁ ଲଢ଼ିବି , ଆଗକୁ ବଢ଼ିବି କିଛି ପ୍ରତିବନ୍ଧକ କୁ ନ ଡରି । ମୁଁ ନିଶ୍ଚୟ ସବୁ ସ୍ବପ୍ନକୁ ସାକାର କରିବି , ତୁମେ ଖାଲି ଆଶୀର୍ବାଦ କର। ମୁଁ ନିଶ୍ଚୟ ଜିତିବି,କାରଣ ଜିତିବାର ଆତ୍ମବିଶ୍ବାସ ମୁଁ ତୁମଠୁ ଆଣିଛି। ତୁମେ ହିଁ ମୋର ମାଗଦର୍ଶକ। କିନ୍ତୁ ମୋର କେବଳ ଗୋଟିଏ ମାଗୁଣି ଯେ, ମୁଁ ଯେତେବେଳେ ଜିତିକି ଆସିବି,ମୋ ପିଠି ଟିକେ ଥାପୁଡେଇ ଦେବ?
ଥାପୁଡେଇ ଦବ ନା ବାପା ତୁମେ?
ଆଉ ସମସ୍ତଙ୍କୁ ଖୁସିର ସହକାରେ କହିବ ନା ଦେଖ୍ ସେ ମୋ ଝିଅ ?
କହିବ ନା ବାପା ?
